spot_img
Home Blog Page 156

ରାଜଧାନୀ ଦିଲ୍ଲୀରେ ଗ୍ରୀନ କ୍ରାକରର ପ୍ରସ୍ତୁତି, ବିକ୍ରି ପ୍ରସଙ୍ଗ ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ଆସୁଛି ଦୀପାବଳୀ । ସେପଟେ ରାଜଧାନୀ ଦିଲ୍ଲୀରେ ଗ୍ରୀନ କ୍ରାକରର ପ୍ରସ୍ତୁତି, ବିକ୍ରି ପ୍ରସଙ୍ଗ । ଆଜି ଏନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ସିଏସଆଇଆର-ନୀରୀ ପକ୍ଷରୁ ପରିବେଶ ଅନୁକୂଳ ଗ୍ରୀନ କ୍ରାକର ବ୍ୟବହାର କଲେ ପରିବେଶ ଉପରେ ପ୍ରଭାବ ପଡିନଥାଏ ଏବଂ ପ୍ରଦୂଷଣ ସୃଷ୍ଟି ହୋଇ ନଥାଏ । ଗ୍ରୀନ କ୍ରାକର ୩ ପ୍ରକାର ରହିଥାଏ । ତାହା ହେଲା ସ୍ବାସ ବା ସେଫ ୱାଟର ରିଲିଜର, ଷ୍ଟାର ବା ସେଫ ଥର୍ମାଇଟ କ୍ରାକର ଏବଂ ସଫଳ ବା ସେଫ ମିନିମମ ଆଲୁମିନିୟମ । ଗତ ସେପ୍ଟେମ୍ବର ୨୬ରେ ଗ୍ରୀନ କ୍ରାକର ପ୍ରସ୍ତୁତି ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ତେବେ ବିନା ଅନୁମତିରେ ଦିଲ୍ଲୀ-ଏନସିଆରରେ ଏହାକୁ ବିକ୍ରି କରାଯାଇପାରିବ ନାହିଁ ବୋଲି ଦର୍ଶାଇଥିଲେ।

ଏହା ସହ ଦିଲ୍ଲୀ ଏନସିଆରରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଦିଗରେ ପଦକ୍ଷେପ ନେବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଅଂଶୀଦାରମାନଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟକୁ ବି ନିର୍ଦ୍ଦେଶ ଦେଇଥିଲେ ଅଦାଲତ ।

ବିଜୟଙ୍କ ରାଲିରେ ଦଳାଚକଟା ଘଟଣା ; ଆଜି ଟିଭିକେ ଆବେଦନର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ କରୁରରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା ଘଟଣା। ସୁପ୍ରିମକୋର୍ଟଙ୍କ ମନିଟରିଂରେ ତଦନ୍ତ କରିବା ଲାଗି ଟିଭିକେ କରିଥିବା ଆବେଦନର ଶୁଣାଣି ଆଜି କରିବେ ସର୍ବୋଚ୍ଚ ଅଦାଲତ। ଏସଆଇଟି ସମେତ ଅନ୍ୟାନ୍ୟ ତଦନ୍ତ ପ୍ରକ୍ରିୟାର ତଦାରଖ ଲାଗି ମଧ୍ୟ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏହି ଘଟଣାର ସିବିଆଇ ତଦନ୍ତ ସକାଶେ ନିର୍ଦ୍ଦେଶ ଦେବା ଲାଗି ହୋଇଥିବା ଆଉ ଏକ ପିଟିସନର ବି ଶୁଣାଣି କରିବେ କୋର୍ଟ। ଦଳାଚକଟା ଘଟଣାର ତଦନ୍ତ ଲାଗି ମାଡ୍ରାସ ହାଇକୋର୍ଟ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଥିଲେ।

ଦଳାଚକଟା ଘଟଣାରେ ଯାଇଥିଲା ୪୧ ଲୋକଙ୍କ ଜୀବନ । ସିଜେଆଇ ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ ଟିଭିକେ ସମ୍ପାଦକ ଆଧବ ଅର୍ଜୁନ । ଦଳାଚକଟା ଘଟଣାର ତଦନ୍ତ ଲାଗି ଆଇଜିପିଙ୍କ ନେତୃତ୍ବରେ ଏସଆଇଟି ଗଠନ ଲାଗି ଗତ ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ । ଦଳାଚକଟା ଘଟଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥାଇପାରେ ବୋଲି କହିଛି ଦଳ ।

ବିହାର ବିଧାନସଭା ନିର୍ବାଚନ ; ଜନ ସୂରାଜ ପାର୍ଟିର ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ଲାଗି ଜନ ସୂରାଜ ପାର୍ଟିର ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା । ତାଲିକା ଜାରି କରିଛନ୍ତି ପାର୍ଟି ସୁପ୍ରିମୋ ପ୍ରଶାନ୍ତ କିଶୋର । ଦଳ ସାତଟି ଅନୁସୂଚିତ ଜାତି, ୧୭ ଅତି ପଛୁଆ ବର୍ଗ, ୧୧ ପଛୁଆ ବର୍ଗ, ଆଠ ଜଣ ସଂଖ୍ୟାଲଘୁ ବର୍ଗ ଏବଂ ଆଠ ଜଣ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଚୟନ କରିଛି । ତାଲିକାରେ ପୂର୍ବତନ ଆଇପିଏସ ଅଫିସର ଆର.କେ. ମିଶ୍ରା ଅଛନ୍ତି । ସେ ଦରଭଙ୍ଗା ଆସନରୁ ଲଢିବେ । ଗଣିତଜ୍ଞ ତଥା ପାଟନା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କେ.ସି. ସିହ୍ନା ଲଢିବେ କୁମହରାର ଆସନରୁ। ଏହି ଆସନ ବିଜେପିର ଗଡ଼। ଡାକ୍ତର ଅମିତ କୁମାର ଦାସ ଲଢିବେ ହାଇପ୍ରୋଫାଇଲ ମୁଜାଫରପୁର ଆସନରୁ ।

ପାଟନା ହାଇକୋର୍ଟର ପୂର୍ବତନ ବରିଷ୍ଠ ଆଇନଜୀବୀ ୱାଇ.ବି. ଗିରି ଲଢିବେ ମାନଝି ଆସନରୁ। ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାତୁଣୀ ଜାଗୃରୁତି ଠାକୁର ଲଢିବେ ସମସ୍ତିପୁରର ମୋରୱା ଆସନରୁ । ପୂର୍ବତନ ଆଇପିଏସ ଅଫିସର ଜୟ ପ୍ରକାଶ ସିଂ ଲଢିବେ ଛାପ୍ରାରୁ । ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ଲାଗି ନଭେମ୍ବର ୬ରେ ଭୋଟ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନ ଲାଗି ନଭେମ୍ବର ୧୧ରେ ଭୋଟ ହେବ ।

ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ; ନଭେମ୍ବର ୬ରେ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଜାରି ହେବ ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟରେ ହେବ ୧୨୧ ବିଧାନସଭା ଆସନ ଲାଗି ନିର୍ବାଚନ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ଅକ୍ଟୋବର ୧୭ । ପ୍ରାର୍ଥିପତ୍ର ଯାଞ୍ଚ ତାରିଖ ରହିଛି ଅକ୍ଟୋବର ୧୮ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୦। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ନଭେମ୍ବର ୬ରେ। ଆସନ୍ତା ନଭେମ୍ବର ୧୪ ତାରିଖରେ ଆସିବ ଫଳ ।

ବିହାରର ୨୪୩ ଆସନ ଲାଗି ହେବ ନିର୍ବାଚନ । ମୋଟ ମତଦାତା ୭ କୋଟି ୪୨ ଲକ୍ଷ ରହିଛନ୍ତି । ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ଭୋଟ ଦେବେ। ବିହାରରେ ରହିଛି ମୋଟ ୪୦ଟି ସଂରକ୍ଷିତ ଆସନ । ୩୮ଟି ଏସସି ସିଟ ଓ ୨ଟି ଏସଟି ସିଟ । ୯୦ ହଜାର ୭୧୨ ପୋଲିଂ ଷ୍ଟେସନ ରହିଥିବାବେଳେ ପ୍ରତି ପୋଲିଂ ଷ୍ଟେସନରେ ହେବ ୱେବକାଷ୍ଟିଂ । ବିହାରରେ ପୁରୁଷ ଭୋଟର ୩. ୯ କୋଟି, ମହିଳା ଭୋଟର ୩.୫ କୋଟି ରହିଛନ୍ତି । ନୂଆ ଭୋଟରଙ୍କ ଲାଗି ଜାରି ହେବ ନୂଆ ଭୋଟର କାର୍ଡ । ପୋଲିଂ ବୁଥ ଭିତରକୁ ମୋବାଇଲ ମନା କରାଯିବ । ରାଜ୍ୟରେ ଶତାୟୁ ଭୋଟର ୧୪ ହଜାରରୁ ଅଧିକ ।

ଢୋଲ ମହୁରୀ ବାଜାରେ ଫାଟି ପଡିଲା ପରିବେଶ: ବାଜାର ତାଳେ ତାଳେ ବରୁଆମାନେ କଲେ ଉଦଣ୍ଡ ନୃତ୍ୟ

ଢ଼ୋଲ ମହୁରୀ ବାଜାରେ ଫାଟି ପଡିଲା ପରିବେଶ । ବାଜାର ତାଳେ ତାଳେ ବରୁଆମାନେ କଲେ ଉଦଣ୍ଡ ନୃତ୍ୟ। ସୁବର୍ଣ୍ଣପୁର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ପୀଠରେ ପାଳିତ ହୋଇଯାଇଛି ନିଆଁମଡା ଯାତ୍ରା । କାର୍ତ୍ତିକ ପ୍ରତିପଦା ତିଥିରେ ଆରମ୍ଭ ହୋଇ ତିନିଦିନ ଧରି ଚାଲିଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଜ୍ୱଳନ୍ତା ଅଙ୍ଗାରରେ ଚାଲିବା । ଠାକୁରାଣୀ ପୀଠରୁ ନିଆଁମଡା ପଡିଆକୁ ନାଚିନାଚି ଆସିଥାନ୍ତି ବରୁଆ। ଯାହାକୁ ଦେଖିବାକୁ ଜମିଥାଏ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ। …

ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ପରେ ପାଳିତ ହୁଏ ନିଆଁମଡା ଯାତ୍ରା । ଏଥିପାଇଁ ନିଆଁମଡା ପଡିଆରେ ହୋଇଥାଏ ସ୍ବତନ୍ତ୍ର ପୂଜାପାଠ । ନିଆଁ ଲାଗିବା ପରେ ଅଙ୍ଗାର ଉପରେ ଚାଲିଥାନ୍ତି ମାନସିକଧାରୀ । ବଳିଯାତ୍ରା ପରି ନିଆଁମଡା ଯାତ୍ରାରେ ମଧ୍ୟ ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗ କରାଯାଇଥାଏ । ଅଗ୍ନି ସ୍ତମ୍ବନ ମନ୍ତ୍ର ପ୍ରୟୋଗ କରି ନିଆଁକୁ ଶାନ୍ତ କରାଯାଏ । ଫଳରେ ନିଆଁ ଉପରେ ଖାଲି ପାଦରେ ଚାଲିଲେ ପାଦ ଶୀତଳ ଲାଗିଥାଏ ବୋଲି ବିଶ୍ବାସ ରହିଛି । ଏହା ସହ ନିଜର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କହୁନ୍ତି ଭକ୍ତ। ଗଡଜାତ ଶାସନ ଅମଳରୁ ପାରମ୍ପରିକ ରୀତିନୀତିରେ ଜାକଜମକରେ ପାଳିତ ହୋଇ ଆସୁଛି ନିଆଁମଡା ଯାତ୍ରା । ଯେଉଁଥିରେ ସାମିଲ ହେବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ ।

ଦାଉ ସାଧିଲା ଲଗାଣ ବର୍ଷା: ଉଜାଡିଦେଲା ସୁନାର ଫସଲ, ଚିନ୍ତାରେ ଚଷା ପୁଅ

ଦାଉ ସାଧିଲା ଲଗାଣ ବର୍ଷା । ଉଜାଡିଦେଲା ସୁନାର ଫସଲ । ଚିନ୍ତାରେ ଚଷା ପୁଅ । ଗଜପତି ଜିଲ୍ଲା ମୋହନା, ରା. ଉଦୟଗିରି ଓ ନୂଆଗଡ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି । କେଉଁଠି ହେକ୍ଟର ହେକ୍ଟର ଜମିରେ ବାଲିଚରି ଯାଇଛି ତ କେଉଁଠି ଧାନ କ୍ଷେତରେ ଏବେ ବି ପାଣି ଲହଡି ମାରୁଛି । ଆଉ କେଉଁଠି ଜମିରେ ଏପରି ମାଟି ମାଡିଯାଇଛି ଯେ ଧାନ ଗଛକୁ ସାଉଁଟିଲେ ବି ଠିଆ ହେଉନି । ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ସାଙ୍ଗକୁ ବିଭିନ୍ନ ଜାଗାରେ ଛୋଟବଡ କଲର୍ଭଟ ଭାଙ୍ଗି ବିଭିନ୍ନ ଅଞ୍ଚଳର ଚାଷ ଜମିକୁ ପାଣି ମାଡି ଯାଇଥିଲା । ଫଳରେ ଜିଲ୍ଲାର ହେକ୍ଟର ହେକ୍ଟର ଜମିରେ ହୋଇଥିବା ଧାନ ଓ ମକା ଚାଷ ନଷ୍ଟ ହୋଇଯାଇଥିଲା । ଉଜୁଡା କ୍ଷେତକୁ ଦେଖି ଚାଷୀକୂଳ ହତାଶ ହୋଇ ପଡିଛନ୍ତି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପହଞ୍ଚି କ୍ଷତିପୂରଣ ଆକଳନ କରିଛନ୍ତି । ହେଲେ ଏବେବି ଅନେକ ଅଞ୍ଚଳରେ ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ଚାଷୀ କିପରି କ୍ଷତିପୂରଣ ପାଇପାରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ଯାହାର ଫସଲ ହାନି ହୋଇଛି ସରକାରଙ୍କ ନୀତି ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୋହନା ତହସିଲଦାର । କ୍ଷୟକ୍ଷତିର ସମ୍ମୁଖୀନ ହେଇଥିବା ଚାଷୀଙ୍କୁ ବ୍ଲକ ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।

ପିଲାଙ୍କ ଜୀବନ ପ୍ରତି ଖେଳ: ଚିଲିକାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିପଦପୂର୍ଣ୍ଣ ଯାତ୍ରା

ପିଲାଙ୍କ ଜୀବନ ପ୍ରତି ଖେଳ । ଚିଲିକାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିପଦପୂର୍ଣ୍ଣ ଯାତ୍ରା । ସରକାରୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ୬୦ ଛାତ୍ରଛାତ୍ରୀ । କାହାର ନଥିଲା ଲାଇଫ ଜ୍ୟାକେଟ । ଗତକାଲି ଚିଲିକା ହ୍ରଦରୁ ଆସିଥିବା ଏଭଳି ଚିତ୍ର ସମସ୍ତଙ୍କୁ ଚକିତ କରିଦେଇଛି । ଅକାତକାତ ପାଣିରେ ପିଲାଙ୍କୁ ନିଆଯାଉଥିବା ବେଳେ କିପରି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଗଲାନି ? ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଗତକାଲି ବାଲୁଗାଁ ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୬୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନୌକା ବିହାର କରୁଥିଲା ସରକାରୀ ୱାଇଲ୍ଡ ଲାଇଫ ବିଭାଗର ଡଙ୍ଗା । ଜଳଯାତ୍ରା ଜରିଆରେ ପିଲାଙ୍କୁ ପକ୍ଷୀ ମାନଙ୍କ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । କିନ୍ତୁ ପିଲାଙ୍କ ସୁରକ୍ଷା ପ୍ରତି କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ୱାଇଲ୍ଡ ଲାଇଫ ଗାର୍ଡ ପର୍ଯ୍ୟନ୍ତ କେହି ବି ଦୃଷ୍ଟି ଦେଇନଥିଲେ ।

ଏଠି ପ୍ରଶ୍ନ ଉଠୁଛି- ବିନା ଲାଇଫ ଜ୍ୟାକେଟରେ ପିଲାଙ୍କୁ ଜଳଯାତ୍ରା କରିବାକୁ ଅନୁମତି ଦେଲା କିଏ ? ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ଛାତ୍ରଛାତ୍ରୀ ଡଙ୍ଗାରେ ବସିଲେ କିପରି ? ଅଘଟଣ ଘଟିଥିଲେ ଦାୟୀ କିଏ ରହିଥାନ୍ତା ? ଏଭଳି ଗୁରୁତର ଅବହେଳା ନେଇ ପ୍ରଶାସନ ଓ ୱାଇଲ୍ଡ ଲାଇଫ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ? ତାହା ଦେଖିବାକୁ ବାକି ରହିଲା ।

’ରାଓ୍ବଲପିଣ୍ଡି’ ଚିକେନ ଟିକା, ’ବହାବଲପୁର’ ନାନ… : ସୋସିଆଲ ମିଡ଼ିଆରେ ଧୂମ୍ ମଚାଇଲା ଭାରତୀୟ ବାୟୁସେନାର ଡିନର ମେନ୍ୟୁ

ଭାରତୀୟ ବାୟୁସେନା (IAF)ର ୯୩ତମ ସ୍ଥାପନା ଦିବସରେ ଆୟୋଜିତ ଡିନର ମେନ୍ୟୁ ସୋସିଆଲ ମିଡ଼ିଆରେ ଧୂମ୍ ମଚାଇଛି । ଏହି ମେନ୍ୟୁରେ ପାକିସ୍ତାନୀ ସହରର ନାମରେ ରଖାଯାଇଥିବା ବ୍ୟଞ୍ଜନକୁ ସାମିଲ କରାଯାଇଛି । ଏହି ନିଆରା ମେନ୍ୟୁର ଫଟୋ ଭାଇରାଲ ହୋଇଛି ଓ ଲୋକମାନେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି ।

ଏହି ମେନ୍ୟୁରେ ମୁଖ୍ୟ ବ୍ୟଞ୍ଜନ ଭାବେ ’ରାଓ୍ବଲପିଣ୍ଡି’ ଚିକନ ଟିକ୍କା ମସାଲା, ’ରଫୀକୀ’ ରାରା ମ ଟନ, ’ବୋଲାରୀ’ ପନୀର ମେଥୀ ମଲାଈ, ’ସୁକ୍କୁର’ ଶାମ ସବେରା କୋଫତା, ’ସରଗୋଧା’ ଦାଲ ମଖନୀ, ’ଜ୍ୟାକବାଦାଦ’ ମେଓ୍ବା ପୁଲାଓ ଓ ’ବହାବଲପୁର’ ନାନ ପରସା ଯାଇଥିଲା । ସେହିପରି ମିଠାରେ ’ବାଲକୋଟ’ ତିରମିସୂ, ’ମୁଜଫରାବାଦ’ କୁଲଫୀ ଫାଲଦା ଓ ’ମୁରୀଦକେ’ ମିଠା ପାନ ସାମିଲ ଥିଲା । ସବୁଠାରୁ ବଡ଼ କଥା ହେଉଛି, ମେନ୍ୟୁରେ ସାମିଲ ସମସ୍ତ ପାକିସ୍ତାନୀ ସହର ଭାରତୀୟ ବାୟୁସେନା ପାଇଁ ଐତିହାସିକ ମହତ୍ତ୍ବ ରଖୁଛି । ଏହି ସହର ୨୦୧୯ରେ ହୋଇଥିବା ଅପରେସନ ବନ୍ଦର ଓ ଚଳିତ ବର୍ଷ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତର ଏୟାର ଷ୍ଟ୍ରାଇକର ଟାର୍ଗେଟରେ ରହିଥିଲା ।

କଟକ ହିଂସାକୁ ନେଇ ଘରେ ଘରେ ପୋଲିସର ଯାଞ୍ଚ

କଟକ ହିଂସାକୁ ନେଇ ଘରେ ଘରେ ପୋଲିସର ଯାଞ୍ଚ। ହାତୀ ପୋଖରୀ ଅଞ୍ଚଳରେ ଘରେ ଘରେ ଯାଞ୍ଚ କରୁଛି ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଉଛି। ଦୁଇ ଜଣ ଏସିପି, ତିନି ଜଣ ଇନ୍ସପେକ୍ଟର ଓ ଫୋର୍ସ ସହ ପାଞ୍ଚଟି ଘର ଖାନତଲାସ କରାଯାଇଛି। ଗିରଫ ହୋଇଥିବା ଓ କିଛି ସନ୍ଦିଗ୍ଧଙ୍କ ଘରେ ଯାଞ୍ଚ କରାାଯାଇଛି। କାଳେ ଘରେ କିଛି ଆପତ୍ତି ଜନକ ସାମଗ୍ରୀ ରହିଛି କି ତାର ଯାଞ୍ଚ କରାଯାଉଛି। ଦୁର୍ଗାପୂଜା ଭସାଣ ଗଣ୍ଡଗୋଳକୁ ନେଇ ବ୍ଯାପକ ହିଂସାକାଣ୍ଡ ହୋଇଥିଲା କଟକରେ। ଜଳାପୋଡ଼ା ଓ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଜାରି କରିବାକୁ ପଡ଼ିଥିଲା। ୧୩ଟି ଥାନା ଅଞ୍ଚଳରେ ଜାରି କରାଯାଇଥିଲା କର୍ଫ୍ୟୁ। ଏପରିକି ଇଣ୍ଟରନେଟ ଓ ସୋସିଆଲ ମିଡିଆରେ ବି କଟକଣା ଜାରି କରାଯାଇଛି। ତା ପରେ ସୁଧୁରିଥିଲା ପରିସ୍ଥିତି। କିନ୍ତୁ ଗଣ୍ଡଗୋଳର ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚଲାଇଛି ଧରପଗଡ଼। ପ୍ରଥମ ଗଣ୍ଡଗୋଳକୁ ନେଇ ୯ ଜଣଙ୍କୁ ଗିରଫ କରଯାଇଛି।

ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବଡ଼ ଘୋଷଣା

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବଡ଼ ଘୋଷଣା। ଯଦି ବିହାରରେ ଆରଜେଡି କ୍ଷମତାକୁ ଆସେ ତେବେ ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ତେଜସ୍ବୀ. ସରକାର ଗଠନର ୨୦ ଦିନ ଭିତରେ ଏନେଇ ଆଇନ ଅଣାଯିବ। ବିହାରରେ ବେକାରୀର ସ୍ଥାନ ରହିବ ନାହିଁ ବୋଲି ସେ କହିଛନ୍ତି। ବିଗତ ୨୦ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ଦୂରୀଭୂତ ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ସେ କହିଛନ୍ତି ଏନଡିଏ ସହଯୋଗୀ ଜେଡିୟୁ ଓ ବିଜେପି ବିହାରରେ ବେକାରୀ ଦୂରୀକରଣ କରିବା ଲାଗି କୌଣସି ପଦକ୍ଷେପ ନେଇନାହାନ୍ତି। ବିହାରରେ ଯେପରି ବେକାରୀ ସମସ୍ୟା ରହିବ ନାହିଁ ସେଦିଗରେ ତାଙ୍କ ସରକାର ପଦକ୍ଷେପ ନେବ ବୋଲି ସେ କହିଛନ୍ତି।