spot_img
Home Blog Page 1565

ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା

ଭୁବନେଶ୍ବର: ରାଜ୍ଯରେ ଆସିଲା ନୂଆ ଅବକାରୀ ନୀତି । ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବ ନାହିଁ । ବାର ଗୁଡିକରେ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣକୁ ଅନୁମତି ଦିଆଯିବ ନାହିଁ। ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ ସପକୁ ପୁନଃ ନବୀନକରଣ କରାଯିବ ନାହିଁ ।

ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factorର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । ରାଜ୍ଯର ଗ୍ରାମୀଣ ଅଞ୍ଚଳରେ ମଦ ବାର୍ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ନୂଆ ବାର୍ ଲାଇସେନ୍ସ ମିଳିବ । ବିଚରେ ମଦ ସ୍ଯାକ୍ସ ଏବଂ କ୍ୟାବିନ ଖୋଲିବାକୁ ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ବିଚ ସ୍ଯାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ।

ଯାହା OTDC ପାଖରେ ପୈଠ କରାଯିବ । ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I ଭାଙ୍ଗ, ପୋଚ ଓ ତାଡ଼ି ପାଇଁ ବି ଲାଗୁହେବ ନୂଆ ଅବକାରୀ ନୀତି । ଆସନ୍ତା ସେପ୍ଟେମ୍ବର ପହିଲାରୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ଯନ୍ତ ନୂଆ ଅବକାରୀ ନୀତି ଲାଗୁ ହେବ ।

କଲେଜ ଛାତ୍ରଛାତ୍ରୀଙ୍କୁ ମୋହନ ସରକାରଙ୍କ ବଡ଼ ଝଟକା, ବନ୍ଦ ହେଲା ନୂଆ-ଓ ଯୋଜନା

ଭୁବନେଶ୍ବର: କଲେଜ ପିଲାଙ୍କୁ ମୋହନ ସରକାରଙ୍କ ବଡ଼ ଝଟକା । ବନ୍ଦ ହେଲା ନୂଆ-ଓ ଯୋଜନା । ଆଉ ମିଳିବନି ନୂଆ-ଓ ଛାତ୍ରବୃତ୍ତି । ପିଲାଙ୍କୁ ପାଠ ପଢିବାକୁ ସାହସ ଦେଇଥିଲେ ନବୀନ ସରକାର । ସବୁ ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ନୂଆ-ଓ ସ୍କଲାରସିପ । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଓ ଛାତ୍ରୀଙ୍କୁ ଦିଆଯାଉଥିଲା ୧୦ ହଜାର ଟଙ୍କା । ଏଭଳି ଐତିହାସିକ ଯୋଜନାକୁ ହଠାତ ବନ୍ଦ କରିଦେଇଛି ରାଜ୍ଯର ବିଜେପି ସରକାର ।

ଗୃହରେ ଏକ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି, ନୂଆ-ଓ ଛାତ୍ରବୃତ୍ତି ପାଇଁ ଚଳିତବର୍ଷ ବଜେଟରେ କୌଣସି ପ୍ରାବଧାନ ନାହିଁ । ଉଚ୍ଚଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଆର୍ଥିକ ସହାୟତା ଦେବାକୁ ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେନ୍ସ ନାଁରେ ଏକ ଯୋଜନା ପ୍ରଣୟନ ହେଉଛି । ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି । ଅର୍ଥାତ ନୂଆ-ଓ ସ୍କଲାରସିପକୁ ବନ୍ଦ କରି ଦେଇଛନ୍ତି ସରକାର । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବାବେଳେ ବିଜେପି ଜବାବ ରଖିଛି ।

ନୂଆ-ଓ ସ୍କଲାରସିପ ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ଗତ ଫେବୃଆରୀ ୨୬ ତାରିଖରେ ଛାତ୍ରବୃତ୍ତି ବଣ୍ଟନ ଆରମ୍ଭ ହୋଇଥିଲା । କ୍ରମାଗତ ଭାବେ ୩୦ ଜିଲ୍ଲାରୁ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ପାଠପଢାରେ ସହାୟତା ପାଇଁ ପିଲାଙ୍କ ଆକାଉଣ୍ଟଙ୍କୁ ଏକାବେଳେ ଟଙ୍କା ପଠାଉଥିଲେ ନବୀନ ସରକାର । ଯାହାଦ୍ବାରା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେଉଥିଲେ ।

କେବଳ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲା ବାଦ ପଡ଼ିଥିଲେ । ନୂଆ-ଓ କାର୍ଯ୍ୟକ୍ରମ ପାଇଁ ରଖାଯାଇଥିଲା ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ । ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ବି ରହିଥିଲା । ଆଗାମୀ ଦିନରେ ନୂଆ-ଓ ମ୍ୟାଜିକ କାର୍ଡ ମାଧ୍ଯମରେ ବିଭିନ୍ନ ସୁବିଧା ଦେବାକୁ ଯୋଜନା କରିଥିଲେ ନବୀନ ସରକାର । ହେଲେ ନୂଆ ସରକାର ପିଲାଙ୍କ ଭବିଷ୍ଯତ କଥା ନଭାବି ଯୋଜନାକୁ ବନ୍ଦ କରିଦେବାକୁ ନେଇ ଛାତ୍ରଛାତ୍ରୀମାନେ ବି ପ୍ରଶ୍ନ ଉଠାଇଛନ୍ତି ।

ନଅ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ମାମୁଁ, ଆଜି ମିଳିଲା ମୃତଦେହ

ବାଲେଶ୍ବର: ସମ୍ପର୍କୀୟ ମାମୁଁ ସାଜିଲା ରାକ୍ଷସ। ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ଯା ଅଭିଯୋଗ। ପଥରରେ ଛେଚି ହତ୍ଯା ପରେ ଶବ ଉପରେ ପତର ଢାଙ୍କି ଦେଇ ଚାଲି ଯାଇଥିଲା ଅଭିଯୁକ୍ତ ରବି ସିଂ। ପୋଲିସ ରବିକୁ ଅଟକ ରଖି ପଚରା ଉଚରା ପରେ ହତ୍ୟା ସମ୍ପର୍କରେ ଜାଣିବା ପାଇଁ ପାଇଛି। ରବି ସିଂ ମୃତ ନାବାଳିକାର ବାପାଙ୍କ ସହିତ ପ୍ରାୟ ସବୁଦିନ ସାଙ୍ଗରେ ମଦ ପିଇଥାଏ।

ବାପାର ସାଙ୍ଗ ହୋଇଥିବାରୁ ରବିକୁ ନାବାଳିକା ମାମୁଁ ବୋଲି ସମ୍ବୋଧନ କରିଥାଏ। ଗତ ମଙ୍ଗଳବାର ଦିନ ନାବାଳିକାକୁ ସାଙ୍ଗରେ ନେଇ ଜଳଖିଆ ଖାଇବାକୁ ରବି ଇମାମୀ ଛକକୁ ଆସିଥିଲା। ଜଳଖିଆ ଖାଇବା ପରେ ସେ ନାବାଳିକାକୁ ନେଇ ଇସ୍ପାତ ଆଲୋଏଜର ଏକ ପରିତ୍ୟକ୍ତ ତିନି ମହଲା କୋଠାକୁ ନେଇଯାଇଥିଲା।

ଛାତ ଉପରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ଯା କରିଥିଲା। ଶେଷରେ ଶବ ଉପରେ ପତ୍ର ଢାଙ୍କି ଦେଇ ମଦ ପିଇବାକୁ ଚାଲି ଯାଇଥିଲା। ନାବାଳିକାର ମା’ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ରବି ସିଂକୁ ପୋଲିସ ମଦ ଭାଟିରୁ ଉଠାଇଆଣି ପଚରା ଉଚରା କରିଥିଲା। ଅଭିଯୁକ୍ତ ରବି ସିଂ ଦୁଷ୍କର୍ମ ଓ ହତ୍ୟା ସମ୍ପର୍କରେ ସ୍ବୀକାର କରିବା ପରେ ପୋଲିସ ଶବକୁ ଠାବ କରିଥିଲା। ସାଇଣ୍ଟଫିକ ଟିମ୍ ତଦନ୍ତ ପରେ ଏ ସମ୍ପର୍କରେ ଅଧିକ ତଥ୍ଯ ମିଳିପାରିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି

ପ୍ୟାରିସ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଲେ ଅବନୀ ଲେଖରା

ପ୍ଯାରିସ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣିମ ଆରମ୍ଭ । ସ୍ୱର୍ଣ୍ଣ ପଦକ ସହ ମେଡାଲ ଖାତା ଖୋଲିଛି ଭାରତ । ଦ୍ବିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ସୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।

ମହିଳା ୧୦ ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ସୁଟର ପଦକ ହାସଲ କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ଉଭୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ ଅବନୀ । ପାରାଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ମହିଳା ଆଥଲେଟ। ପିଲାଦିନରେ ସଡ଼କ ଦୁର୍ଘଟଣା ପରେ ଭିନ୍ନକ୍ଷମ ହୋଇ ଯାଇଥିଲେ ଅବନୀ। ପ୍ୟାରିସ ପର୍ଯ୍ୟନ୍ତ ତାଙ୍କର ଏ ଯାତ୍ରା ବେଶ ପ୍ରେରଣାଦାୟକ ।

ଫାଇନାଲରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରିଥିଲେ, ଯାହା ପାରାଲିମ୍ପିକ୍ ରେକର୍ଡ ଅଟେ। ଅନ୍ୟପଟେ ବ୍ରୋଞ୍ଜ ପଦକ ବିଜେତା ମୋନା ୨୨୮.୭ ପଏଣ୍ଟ ହାସଲ କରିଥିଲେ। ଟୋକିଓ ପାରାଲିମ୍ପିକ୍ସ (୨୦୨୦) ରେ ସମାନ ଇଭେଣ୍ଟରେ ଅବନୀ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସରେ ସେ ତାଙ୍କର ଦମଦାର ପ୍ରଦର୍ଶନ ବଳରେ ନିଜର ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଏହି ପ୍ରତିଯୋଗିତାରେ ଦକ୍ଷିଣ କୋରିଆର ଲି ୟୁନ୍ରି ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ୫୦ ମିଟର ରାଇଫଲ ୩ ପୋପଜିସନରେ ଅବନୀ ବ୍ରୋଞ୍ଜ ପଦକ ଜିତିଥିଲେ। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଅବାନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍।

ଶକ୍ତିଶାଳୀ ହେବ ବିଜେଡି, କ୍ଷମତା ନୁହେଁ ସେବାକୁ ମୂଳମନ୍ତ୍ର କରିବାକୁ ନବୀନ ଦେଲେ ଆହ୍ବାନ

ଭୁବନେଶ୍ବର: କ୍ଷମତା ନୁହେଁ ଲୋକଙ୍କ ସେବା ହିଁ ବିଜେଡିର ଲକ୍ଷ୍ୟ । ଛାତ୍ର, ଯୁବ, ମହିଳା ସମସ୍ତେ ଏକଜୁଟ ହୋଇ ବିଜେଡିକୁ କରିବେ ଆହୁରି ଶକ୍ତିଶାଳୀ । ଏଥିପାଇଁ କାମ କରିବାକୁ ଛାତ୍ର ଜନତା ଦଳର ବୈଠକରେ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜେଡିର ଆଦର୍ଶ । ୨୭ ବର୍ଷ ଧରି ଓଡିଶାବାସୀଙ୍କ ସେବା କରିଆସୁଛି ବିଜେଡି ।

ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ପାରିଛି । ନବୀନ କହିଛନ୍ତି, ନିର୍ବାଚନରେ ହାରଜିତ ରହିଛି । ଗତ ନିର୍ବାଚନରେ ବିଜେଡି ୪୧.୦୨ ପ୍ରତିଶତ ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା । ଓଡିଶାବାସୀଙ୍କ ଏ ଭଲପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ।

ବିଜେଡି ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା । ଯାହାକି ଓଡିଶା କୁ ପୂର୍ବ ଭାରତର ଓଡ଼ିଶାକୁ ଏକ ଶିକ୍ଷା ହବ୍ ଭାବେ ଗଢିତୋଳିପାରିଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ସହ ଫାଇଭ-ଟି ସ୍କୁଲ ରୂପାନ୍ତରଣ ସୁଫଳ ଦେବା ଆରମ୍ଭ କରଛି । ଏହି ଅବସରରେ ଡାକ୍ତର ବନିବାକୁ ଯାଉଥିବା ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲିଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ । ସେହିପରି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ମଧ୍ଯ ହୋଇପାରିଛି । ସମାଜିକ ଗଣମାଧ୍ଯମରେ ଆକ୍ଚିର ରହିବା ସହ ଭୁଲ ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ନବୀନ ।

ସେହିପରି ବିଜେପି ସରକାର ଓଡ଼ିଶାବାସୀଙ୍କୁ ଦେଇଥିବା ଧୋକା ସମ୍ପର୍କରେ ନୈରାଶ୍ଯ ପ୍ରକାଶ କରିଛନ୍ତି ନବୀନ । ପ୍ରତି ଘରକୁ ୩୦୦ ୟୁନିଟ ମାଗଣା ବିଜୁଳି, ସବୁ ଭତ୍ତା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଏବଂ ସୁଭଦ୍ରାରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇ ବିଜେପି ଠକି ଚାଲିଛି । ଏ ଦିଗରେ ଲୋକଙ୍କୁ ସଚେତନ କରିବା ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି । ସମାଜ ସେବା, ପରିବେଶ ସୁରକ୍ଷା, ଗରିବ ଲୋକଙ୍କୁ ସାହାଯ୍ୟ ସହିତ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ କାମ କରିବାକୁ ଛାତ୍ର ସମାଜକୁ ଆହ୍ବାନ ଦେଇଛନ୍ତି ନବୀନ । ଛାତ୍ର ସମାଜକୁ ଭବିଷ୍ୟତର କର୍ଣ୍ଣଧାର ଭାବରେ ବର୍ଣ୍ଣନା କରି ପ୍ରତିବଦ୍ଧତାର ସହ କାମ କଲେ ସଶକ୍ତ ଓଡିଶା ଗଠନ ରାସ୍ତା ପ୍ରଶସ୍ତ ହୋଇ ପାରିବ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ନାଟମଣ୍ଡପ ହେବ ବାତାନୁକୂଳ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ  । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇଛି ।ନାଟମଣ୍ଡପକୁ ବାତାନୁକୂଳ କରିବାକୁ ନିଷ୍ପତ୍ତି ନିଆଯାଇଛି  ।  ବୟସ୍କ ଲୋକେ କିପରି ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯିବ । ସେବାୟତଙ୍କ କଲ୍ୟାଣ ଉପରେ ଆଲୋଚନା ହୋଇଛି  । ସ୍କଲାରସିପ, ସ୍ବାସ୍ଥ୍ୟ ବୀମା, ସ୍ପୋର୍ଟସରେ ଦିଆଯିବ ପ୍ରୋତ୍ସାହନ ।
ମହାପ୍ରଭୁଙ୍କ ଆୟ ବଢିଥିବା ଜଣାପଡିଛି  । ସେହିପରି ମହାପ୍ରଭୁଙ୍କ ଜମିର ସର୍ଭେ କରାଯିବ ।

ଆଡ଼ପ ପହଣ୍ଡି ବିଭ୍ରାଟର ପୁନରାବୃତ୍ତି ନ ହେବାକୁ ଗୁରୁତ୍ଵରୋପ କରାଯାଇଛି । ତଦନ୍ତ କମିଟି କେତେକ କାରଣ ଦର୍ଶାଇଛନ୍ତି ।ଭିଡିଓ ଦେଖି ଭଲ ଭାବେ ଆଉ ଥରେ ତଦନ୍ତ କରିବାକୁ କୁହାଯାଇଛି । କିଏ ଦାୟୀ, ତାହା ଜଣାଇବାକୁ କମିଟିକୁ କୁହାଯାଇଛି । ଅଭିଜ୍ଞ ସେବାୟତଙ୍କୁ ପହଣ୍ଡି ଦାୟିତ୍ଵ ଦେବାକୁ କୁହାଯାଇଛି । ପହଣ୍ଡି କୋଅର୍ଡିନେସନ କମିଟି ତିଆରି କରିବାକୁ କୁହାଯାଇଛି । ଜିଲ୍ଲାପାଳ, ଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପହଣ୍ଡିରେ କିଏ ରହିବ, କେତେ ଜଣ ରହିବେ, ତାହା ସ୍ଥିର ହେବ  । ସମ୍ଭବ ହେଲେ ଚାରମାଳର ଦୈର୍ଘ୍ୟ ବୃଦ୍ଧି କରାଯିବ । ସେବା ସମୟରେ ସେବାୟତମାନେ ମୋବାଇଲ ବ୍ୟବହାର କରିବେ ନାହିଁ । ପହଣ୍ଡି ବେଳେ ପ୍ରତ୍ଯେକ ଠାକୁରଙ୍କ ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ । ଅନଧିକାର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ବ୍ୟବସ୍ଥା ହେବ ।

 

ରିଲାଏନ୍ସର ଗୁରୁତ୍ବପୂର୍ଣ୍ଣ ଘୋଷଣା, ସେୟାରଧାରକଙ୍କୁ ବୋନସ ସେୟାର ଦେବା ପାଇଁ ସୁପାରିଶ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ର ୪୭ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ରେ ଅନେକ ପ୍ରମୁଖ ଘୋଷଣା କରାଯାଇଛି। କମ୍ପାନୀର ଆଗାମୀ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକରେ ସେୟାରଧାରକ ମାନଙ୍କୁ ୧:୧ ଅନୁପାତରେ ବୋନସ ସେୟାର ଦେବା ପାଇଁ ସୁପାରିଶ କରାଯିବ। ଏଥିନେଇ ନିର୍ଦ୍ଦେଶକ ମଣ୍ଡଳୀର ବୈଠକ ସେପ୍ଟେମ୍ବର ୫ ରେ ଅନୁଷ୍ଠିତ ହେବ। ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୭ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିଛି, ଯାହା ଫଳରେ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୬.୫ ଲକ୍ଷରୁ ଅଧିକରେ ପହଞ୍ଚିଛି।

୮ ବର୍ଷରେ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହେବାରେ ରିଲାଏନ୍ସ ଜିଓର ସଫଳତା ଉପରେ ମୁକେଶ ଅମ୍ବାନୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱର ୮ ପ୍ରତିଶତ ମୋବାଇଲ୍ ଡାଟା ଟ୍ରାଫିକ୍ ଜିଓ ନେଟୱାର୍କରେ ଚାଲିଥାଏ। ଏଥି ସହିତ, ଜିଓ ଏୟାର ଫାଇବର ପ୍ରତି ୩୦ ଦିନରେ ୧୦ ଲକ୍ଷ ଘରକୁ ସଂଯୋଗ କରି ରେକର୍ଡ ସମୟରେ ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ଅମ୍ବାନୀ ଜିଓ ଏଆଇ-କ୍ଲାଉଡ୍ ୱେଲକମ ଅଫର ନେଇ ମଧ୍ୟ ଘୋଷଣା କରିଥିଲେ। ଏହା ଅଧୀନରେ, ସମସ୍ତ ଡିଜିଟାଲ୍ ବିଷୟବସ୍ତୁ ଏବଂ ତଥ୍ୟକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବାକୁ ୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରାଯିବ।

ରିଲାଏନ୍ସ “ଜିଓ ବ୍ରେନ୍” ଅଧୀନରେ “ଏଆଇ ସବୁଠାରେ ସମସ୍ତଙ୍କ ପାଇଁ” ଥିମ୍ ଉପରେ ଆଧାର କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସେବା ଆରମ୍ଭ କରିବ । କମ୍ପାନୀ ମଧ୍ୟ ଜାମନଗରରେ ଏକ ଗିଗାୱାଟ-ସ୍କେଲ ଏଆଇ-ପ୍ରସ୍ତୁତ ଡାଟା ସେଣ୍ଟର ସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଏହା ସହିତ, ରିଲାଏନ୍ସ ଏହାର ନୂତନ ଶକ୍ତି ବ୍ୟବସାୟକୁ ୫ ରୁ ୭ ବର୍ଷ ମଧ୍ୟରେ ତୈଳ-ରସାୟନ (ଅଏଲ ଟୁ କେମିକାଲ) ବ୍ୟବସାୟ ସମକକ୍ଷ ସମାନ ରୋଜଗାର ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛି।

ମୁକେଶ ଅମ୍ବାନୀ କହିଛନ୍ତି ଯେ କମ୍ପାନୀ ୨୦୨୫ ସୁଦ୍ଧା ୫୫ ଟି ଅପରେଟିଂ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବ ଯାହା କୃଷକମାନଙ୍କୁ ଶକ୍ତିର ଉତ୍ସ ବନାଇବା ସହିତ ଗ୍ରାମାଞ୍ଚଳରେ ୩୦,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର  । ଖୋଲିଲା ଆଉ ୪ଟି ଗେଟ୍। ଉପର ମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପୁଣି ୪ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ଚାଲିଛି ବନ୍ୟାଜଳ ନିଷ୍କାସନ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୩୫ ଫୁଟରେ ପହଞ୍ଚିଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ୩୩୯ ଘନଫୁଟ ବନ୍ୟାଜଳ। ସେପଟେ ୬ ଟି ଗେଟ୍ ମାଧ୍ୟମରେ ନିଷ୍କାସିତ ହେଉଛି ୧ ଲକ୍ଷ ୨୦ ହଜାର ଘନଫୁଟ ବନ୍ୟା ଜଳ।

ପୋଲାଭରମ ପରିଦର୍ଶନ କରି ଫେରିଲା ବିଜେଡି ଟିମ୍

ଭୁବନେଶ୍ବର : ପୋଲାଭରମ ସ୍ଥିତି ସମୀକ୍ଷା କଲା ବିଜୁ ଜନତା ଦଳ ଟିମ। ୨ ଦିନିଆ ଇଷ୍ଟ ଗୋଦାବରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜେଡି ଟିମ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଟିମରେ ଥିଲେ ସାଂସଦ ମୁନ୍ନା ଖାଁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ, ବିଜେଡି ନେତା ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ଭାସ୍କର ରାଓ ପ୍ରମୁଖ। ସମନ୍ବୟ କମିଟି ଅଧ୍ଯକ୍ଷ ଦେବୀ ମିଶ୍ର କହିଛନ୍ତି- ଆନ୍ଧ୍ରରେ ପୋଲାଭରମର ସ୍ଥିତି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏ ନେଇ ଦଳର ସଭାପତିଙ୍କୁ ରିପୋର୍ଟ ଦିଆଯିବ।…

ଇସ୍ରାଏଲ ଓ ହମାସ ମଧ୍ଯରେ ୩ ଦିନିଆ ଅସ୍ତ୍ରବିରତି

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ମିଲିଟାରୀ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ଯରେ ୩ ଦିନିଆ ଅସ୍ତ୍ରବିରତି। ଗାଜାରେ ପୋଲିଓ ଟିକା କାର୍ଯ୍ଯକ୍ରମ ଲାଗି ଏହି ଅସ୍ତ୍ରବିରତି ହୋଇଛି। ଗାଜାର ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଲିଓ ଟିକା ଦିଆଯିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ। ଆସନ୍ତା ରବିବାରଠାରୁ ଏହି ଅସ୍ତ୍ରିବିରତି ହେବ। ପ୍ରଥମେ କେନ୍ଦ୍ରୀୟ ଗାଜାରେ ଟିକାକରଣ ଚାଲିବ। ପରେ ଅନ୍ଯାନ୍ଯ ଅଞ୍ଚଳରେ ଏହି କାର୍ଯ୍ଯକ୍ରମ ଚାଲିବ। ତେବେ ଆବଶ୍ଯକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ଟିକାକରଣ କାର୍ଯ୍ୟକ୍ରମ ବଢାଯାଇପାରେ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକ ରିଆନ। ଗାଜାରେ ପୋଲିଓ ଭାଇରସ ବ୍ଯାପୁଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମାଣ ପାଇଥିଲା।