ନନ୍ଦିଘୋଷ ବ୍ୟୁରୋ: ଔଷଧ କଂପାନୀକୁ ବଡ ଝଟକା, ୧୫୬ ଔଷଧ ଉପରେ ପ୍ରତିବନ୍ଧକ ଲଗାିଲେ କେନ୍ଦ୍ରସରକାର । ସ୍ବାସ୍ଥ୍ଯ ଉପରେ ଗୁରୁତର ପ୍ରଭାବ ପକାଉଛି ଏସବୁ ଔଷଧ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୧୫୬ଟି ଫିକ୍ସଡ ଡୋଜ କମ୍ବିନେସନ ବା ଏଫଡିସିକୁ ନିଷିଦ୍ଧ କରିଛନ୍ତି। ତନ୍ମଧ୍ଯରେ ରହିଛି ଆଣ୍ଟିବାୟୋଟିକ, ପେନକିଲର, ଆଣ୍ଟି ଆଲର୍ଜିକ ଡ୍ରଗ୍ସ, ଆନାଲଜେସିକ ଓ ମଲ୍ଟିଭିଟାମିନ। ସ୍ବାସ୍ଥ୍ଯ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତି ଏହି ଘୋଷଣା କରାଯାଇଛି। ଗେଜେଟ ଅନୁସାରେ ଏହି ଔଷଧଗୁଡିକର ଉତ୍ପାଦନ, ମାର୍କେଟିଂ, ବଣ୍ଟନ ଆଦିକୁ ନିଷିଦ୍ଧ କରାଯାଇଛି। ଜ୍ବର ଓ ଉଚ୍ଚରକ୍ତଚାପ ସମ୍ପର୍କିତ କିଛି ଔଷଧକୁ ମଧ୍ଯ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏକ୍ସପର୍ଟ ଗ୍ରୁପର ସୁପାରିସ ତଥା ଡ୍ରଗ ଟେକନିକାଲ ଆଡଭାଇଜରି ଗ୍ରୁପର ପରାମର୍ଶ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ସରକାର। ଆମିଲେଜ, ପ୍ରୋଟିଏଜ, ଗ୍ଲୁକୋମାଇଲେସ, ପେକ୍ଟିନେଜ, ଆଲଫା ଗାଲାକ୍ଟୋସିଡେଜ, ଲାକ୍ଟେଜ, ବିଟାଗ୍ଲୁକୋନେଜ, ସେଲୁଲେଜ, ଲିପେଜ, ବ୍ରୋମିଲେନ ଆଦି ବିଭିନ୍ନ ଉତ୍ପାଦର ଫିକ୍ସଡ ଡୋଜ କମ୍ବିନେସନକୁ ନିଷିଦ୍ଧ କରିଛନ୍ତି। ସେହିପରି ପେଟ କାଟିବା ଲାଗି ବ୍ଯବହୃତ ହେଉଥିବା ଓମପ୍ରେଜୋଲ ମାଗ୍ନେସିୟମ ଓ ଡାଇକ୍ଲୋମିନ ଏଚସିଏଲର କମ୍ବିନେସନ ଡୋଜ ଏବଂ ଯନ୍ତ୍ରଣା ଓ ବିଭିନ୍ନ ରୋଗରେ ହେଉଥିବା ଫୁଲାକୁ ହ୍ରାସ ଲାଗି ବ୍ଯବହୃତ ହେଉଥିବା ମେଫେନାମିକ ଏସିଡ ଓ ପାରାସିଟାମଲ ଇଞ୍ଜେକସନର କମ୍ବିନେସନ ଡୋଜକୁ ବି ନିଷିଦ୍ଧ କରାଯାଇଛି। ନିଷିଦ୍ଧ ଔଷଧ ମଧ୍ଯରେ ରହିଛି ଆଣ୍ଟିଆଲର୍ଜିକ ମେଡିସିନ, ନାକଭିତ୍ତିକ ଔଷଧ ଓ ଅନେକ ସିରପ।
ବଢିଲା ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ବଳ
ନନ୍ଦିଘୋଷ ବ୍ୟୁରୋ: ବଢିଲା ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ବଳ । ପ୍ରତିଦ୍ବନ୍ଦ୍ବିତାରୁ ଓହରିବା ସହ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ରବର୍ଟ ଏଫ. କେନେଡି ଜୁନିଅର । ସେ କହିଛନ୍ତି- ନିର୍ବାଚନରେ ବିଜୟ ଲାଗି ସେ ବିଶେଷ ଆଶାବାଦୀ ନୁହନ୍ତି । ତେଣୁ ସେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଛନ୍ତି । 70 ବର୍ଷ ବୟସ୍କ କେନେଡି ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ତୀବ୍ର ସମାଲୋଚନା କରିଆସୁଥିଲେ । କେନେଡିଙ୍କ ସମର୍ଥନ ମିଳିବା ପରେ ଆସନ୍ତା ନଭେମ୍ବର ୫ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ବିଶେଷ ସଫଳତା ମିଳିବା ଆଶା କରାଯାଉଛି । ଟ୍ରମ୍ପ କହିଛନ୍ତି- ୧୯୬୩ରେ ତତକାଳୀନ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ଯା ସଂକ୍ରାନ୍ତ ଫାଇଲଗୁଡିକୁ ପ୍ରକାଶ କରିବା ସହ ହତ୍ଯା ଘଟଣା ନେଇ ଏକ ରାଷ୍ଟ୍ରପତିସ୍ତରୀୟ କମିଶନ ଗଠନ କରିବେ । ରବର୍ଟ ହେଉଛନ୍ତି ଆମେରିକାର ପୂର୍ବତନ ସିନେଟର ଓ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ରବର୍ଟ ଏଫ କେନେଡିଙ୍କ ପୁଅ ତଥା ପୂର୍ବତନ ରାଷ୍ଟ୍ରପତି ଡନ ଏଫ କେନେଡିଙ୍କ ପୁତୁରା । ଜଣେ ପରିବେଶଭିତ୍ତିକ ଆଇନଜୀବୀ ଓ ଟିକାବିରୋଧୀ ଆନ୍ଦୋଳନର ନେତା ଭାବେ ଜଣାଶୁଣା ରବର୍ଟ କେନେଡି ଜୁନିଅର । ଗତ ବର୍ଷ ଏପ୍ରିଲରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବା ଲାଗି ଘୋଷଣା କରି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଚାରରେ ସାମିଲ ଥିଲେ ।
ଏତିକି ଟଙ୍କାରେ ବିକ୍ରି ହେଲା କୋହଲିଙ୍କ ଜର୍ସି, ଶୁଣିଲେ ଉଡିବ ହୋସ୍
ନନ୍ଦିଘୋଷ ବ୍ୟୁରୋ: କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ନିକଟରେ ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ‘କ୍ରିକେଟ ଫର୍ ଚ୍ୟାରିଟି’ ନାମର ଏକ ନିଲାମ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ନିଲାମରେ ବିରାଟ କୋହଲିଙ୍କ ଜର୍ସି ଏବଂ ଗ୍ଲୋଭସର କ୍ରେଜ୍ ଦେଖିବାକୁ ମିଳିଥିଲା। ତାଙ୍କ ଜର୍ସି ୪୦ଲକ୍ଷ ଟଙ୍କାରେ ଏବଂ ଗ୍ଲୋଭସ୍ ୨୮ଲକ୍ଷ ଟଙ୍କାରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି । ଏଥିପାଇଁ କେ.ଏଲ୍ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀ ନିଲାମ ପାଇଁ ଅନେକ କ୍ରିକେଟରଙ୍କ ଦସ୍ତଖତ ହୋଇଥିବା କ୍ରୀଡା ସାମଗ୍ରୀ ସଂଗ୍ରହ କରିଥିଲେ ।
ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଭିପ୍ଲା ସଂଗଠନ ଦ୍ବାରା ଆୟୋଜିତ ହୋଇଥିବା ‘କ୍ରିକେଟ୍ ଫର୍ ଚ୍ୟାରିଟି’ ନାମକ ନିଲାମରେ ବିରାଟ କୋହଲିଙ୍କ ଜିନିଷକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଙ୍କ ଜର୍ସି ଏବଂ ଗ୍ଲୋଭସ୍ ପାଇବା ପାଇଁ ନିଲାମରେ ରେସ୍ ହୋଇଥିଲା | ବିରାଟଙ୍କ ଜର୍ସି ଆଗରେ ରୋହିତ ଶର୍ମା ଏବଂ ଧୋନି ଫିକା ପଡିଯାଇଥିଲେ । କୋହଲି ରାହୁଲଙ୍କୁ ଏକ ସ୍ୱାକ୍ଷରିତ ବିଶ୍ୱକପ ଜର୍ସି ଦେଇଥିଲେ, ଯାହା ୪୦ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଗ୍ଲୋଭ୍ସ ୨୮ଲକ୍ଷ ଟଙ୍କାରେ ବିକ୍ରି ହେଇଥିଲେ । ରାହୁଲ ଏହି ନିଲାମରୁ ମୋଟ ୧.୯୩କୋଟି ଟଙ୍କା ସଂଗ୍ରହ କରିଛନ୍ତି।
ଭାରତରେ କ୍ରିକେଟର କ୍ରେଜ୍ ଅଧିକା । ପ୍ରଶଂସକମାନେ କ୍ରିକେଟରଙ୍କ ସାମାନ୍ୟ ଝଲକ ପାଇଁ କିଛି ବି କରିପାରନ୍ତି। ଯଦି ସେମାନଙ୍କର କୌଣସି ଜିନିଷ ପ୍ରଶଂସକଙ୍କୁ ମିଳିବା ସେମାନଙ୍କ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ଯେହେତୁ ବିରାଟ ଏକ ଲୋକପ୍ରିୟ ଖେଳାଳି ତେଣୁ କେ.ଏଲ୍ ରାହୁଲଙ୍କ ନିଲାମରେ ବିରାଟଙ୍କ ଜିନିଷ ଉପରେ ଅନେକଙ୍କ ନଜର ଥିଲା । ଏପରିକି ରୋହିତ ଏବଂ ଧୋନି ବିରାଟଙ୍କ ଜର୍ସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିନଥିଲେ । ରୋହିତଙ୍କ ବ୍ୟାଟ୍ ୨୪ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାବେଳେ ଧୋନିଙ୍କ ବ୍ୟାଟ୍ ୧୩ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।
ନିଲାମରେ ରାହୁଲ ଦ୍ରାବିଡଙ୍କ ବ୍ୟାଟର ମୂଲ୍ୟ ୧୧ଲକ୍ଷ ଟଙ୍କା ଥିଲା। କେ.ଏଲ୍ ରାହୁଲଙ୍କ ଟେଷ୍ଟ ଜର୍ସିର ମୂଲ୍ୟ ୧୧ଲକ୍ଷ ଥିବାବେଳେ ବିଶ୍ୱକପ୍ ବ୍ୟାଟର ମୂଲ୍ୟ ୭ଲକ୍ଷ ଟଙ୍କା ଥିଲା। ଏହାବ୍ୟତୀତ ଜସପ୍ରୀତ ବୁମ୍ରାଙ୍କ ବିଶ୍ୱକପ ଜର୍ସି ୮ଲକ୍ଷ ଟଙ୍କା ଏବଂ ରିଷଭ ପନ୍ତଙ୍କ ଆଇପିଏଲ ବ୍ୟାଟ ୭ଲକ୍ଷ ଟଙ୍କାରେ ନିଲାମ ହେଇଥିଲା। ୱେଷ୍ଟଇଣ୍ଡିଜ କ୍ରିକେଟର ନିକୋଲାସ ପୁରାନଙ୍କ ଆଇପିଏଲ ଜର୍ସି ୪୫ହଜାର ଟଙ୍କା ମୂଲ୍ୟରେ ନିଲାମ ହେଇଥିବା ବେଳେ ଚହଲ ଏବଂ ସଞ୍ଜୁ ସାମସନଙ୍କ ଆଇପିଏଲ୍ ଜର୍ସି ୫୦ହଜାର ଏବଂ ଜୋସ୍ ବଟଲରଙ୍କ ଆଇପିଏଲ୍ ଜର୍ସି ୫୫ହଜାର ଟଙ୍କାରେ ନିଲାମ ହେଇଛି ।
ରାହୁଲ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି, ତାଙ୍କର ନିଲାମ ସଫଳ ହୋଇଛି ଏବଂ ସେ ଖୁସି ଯେ ଏହି ସମସ୍ତ ଅର୍ଥ ଅଭାବୀ ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟବହୃତ ହେବ।
ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡ଼ିର ଦାବି
ଭୁବନେଶ୍ବର: ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ବର୍ଷିଲା ବିଜେଡି। ସାମ୍ବାଦିକ ସମ୍ମିଳନି କରି ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସଂରକ୍ଷଣକୁ ନେଇ ଦେଶରେ ସମସ୍ଯା ସୃ଼ଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଉତ୍କଟ ସମସ୍ଯା ସୃଷ୍ଟି ହୋଇଛି । ଏସସି-ଏସଟିମାନଙ୍କୁ ଚାକିରି କ୍ଷେତ୍ରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ଦେବାବେଳେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ତାଙ୍କୁ ମାତ୍ର ୨୦ ପ୍ରତିଶତ ଦିଆଯାଉଛି। ଓବିସି ଓ ଏସଇବିସି ପିଲାଙ୍କୁ କୌଣସି କ୍ଷେତ୍ରରେ ସଂରକ୍ଷଣ ଦିଆଯାଉନାହିଁ। ରାଜ୍ଯରେ ଜାତିଭିତ୍ତିକ ଜନଗଣନା ହେଉ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ରାଜ୍ଯରେ ଯେଉଁ ୨୨ ଶହ ସିଟରେ ମେଡିକାଲ ଆଡମିଶନ ହେଉଛି ସେଥିରୁ ୨୦ ପ୍ରତିଶତ ଏସସି-ଏସଟିଙ୍କୁ ଦେବାବେଳେ ଉଚ୍ଚବର୍ଗର ଅର୍ଥନୈତିକ ଦୁର୍ବଳ ବର୍ଗକୁ ୧୦ ପ୍ରତିଶତ ଦେଉଛନ୍ତି। ଅର୍ଥାତ ୨୨ଶହ ସିଟରୁ ୧୬୮ ସିଟ୍ ସେମାନଙ୍କୁ ଦିଆଯାଉଛି। ଏସସିଏସଟି ମାନେ ୨୦ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ତାଙ୍କର ହକ୍ ହେଉଛି ୩୮.୭୫ ପ୍ରତିଶତ। ମାତ୍ର ଓବିସି ଓ ଏସଇବିସି ସେମାନଙ୍କୁ କିଛି ମିଳୁନାହିଁ। ତେଣୁ ବିଜେଡି ଦାବି କରୁଛି ଓବିସି ଛାତ୍ରଛାତ୍ରୀଙ୍କୁ ଅନ୍ତତଃ ୨୭ ପ୍ରତିଶତ ଦିଆଯାଉ। ଚାକିରି କ୍ଷେତ୍ରରେ ୧୧.୨୫ ପ୍ରତିଶତ ଦେବାବେଳେ ଶିକ୍ଷା କ୍ଷେତ୍ରରେ ବି ୧୧.୨୫ ପ୍ରତିଶତ ଲାଗୁ କରନ୍ତୁ। ଏହା ଲାଗୁ ନହେଲେ ଛାତ୍ରଛାତ୍ରୀ ବଞ୍ଚିତ ହେବେ। ୨୦୧୧ ଜନଗଣନା ଅନୁସାରେ ୫୪% ହେଉଛନ୍ତି OBC। ୧୧.୨୫ % ସଂରକ୍ଷଣ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରି ରାଜରାସ୍ତାକୁ ଓଲ୍ହାଇଵେ OBC ଛାତ୍ରଛାତ୍ରୀ। ମେଡିକାଲ ନାମଲେଖା ଚାଲିଛି। ତେଣୁ SC ST ଛାତ୍ରଛାତ୍ରୀଙ୍କୁ ୩୮.୭୫% ଓ OBC ଛାତ୍ରଛାତ୍ରୀଙ୍କୁ ୧୧.୭୫% ସଂରକ୍ଷଣ ମିଳୁ ବୋଲି ଦାବି କରିଛନ୍ତି ଅରୁଣ।
ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ
ଭୁବନେଶ୍ବର: ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା । ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥିରେ କେଉଁମାନେ ଆବେଦନ କରିପାରିବେ ଓ କେଉଁମାନେ କରିପାରିବେ ନାହିଁ ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଥିଲା। ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବତ୍ତର୍ନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ, ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ଟାରୁ ୬ ତାରିଖ ସଂଧ୍ୟା ୫ଟା ଭିତରେ ନାମ ଲେଖାଇବେ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।
ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ମାମଲା: ବିଦା ହେଲେ ଡାକ୍ତର
କଟକ: କୋଲକତା ଦୁଷ୍କର୍ମ ହତ୍ୟା ମନରୁ ନଲିଭୁଣୁ SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ସମସ୍ତଙ୍କୁ ଚକିତ କରିଥିଲା । ଲଗାତର ଏଭଳି ଘଟଣା ସମସ୍ତଙ୍କୁ ବିବ୍ରତ କରେଇଥିଲା । ଏହାରି ଭିତରେ SCBରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । SCBରୁ ବିଦା ହେଇଛନ୍ତି ଅଭିଯୁକ୍ତ ଡାକ୍ତର ଠାକୁର ଦୀଲବାଗ ସିଂ । ଅଭିଯୁକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସିସିବି ସୁପରିଟେଡେଣ୍ଟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର । ୩ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଟକ ଏସସିବି ସୁପରିଟେଡେଣ୍ଟ ଓ ଡିନ ପ୍ରିନ୍ସିପାଲଙ୍କ ମେଡିକାଲ କାଉଁସିଲ ବୈଠକ ପରେ ନିଷ୍ପିତ୍ତି ନିଆଯାଇଛି । ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ କଲେଜରୁ ବହିଷ୍କାର କରିବା ପାଇଁ ଡିଏମ୍ଇଟି ନିର୍ଦ୍ଦେଶ ଦେଇଥିଲେ ।
ଭାରତର ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ, ସୀମାରେ ବାଡ଼ ଲଗାଇବା କାମକୁ ରୋକିଲା ବିଜିବି
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ତାଜୁବ ଭାରତ । ଦିନକୁ ଦିନ ବାଂଲାଦେଶ- ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ କରିବା ପରଠାରୁ ବାଂଲାଦେଶ-ଭାରତ ସୀମାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହେଉଛି । ବର୍ତ୍ତମାନ ଭାରତ-ବାଂଲାଦେଶ ସୀମା ନିକଟରେ ଚାଲିଥିବା କ୍ୟାଟେଲ ଫେସିଂ କାମକୁ ବନ୍ଦ କରିଦେଇଛି ବିଜିବି ବା ବର୍ଡର ଗାର୍ଡ ବାଂଲାଦେଶ । ବହୁବର୍ଷ ପୂର୍ବରୁ ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ଅନୁପ୍ରବେଶ ନକରିବା ପାଇଁ ଏହି ବାଡକୁ ନିର୍ମାଣ କରାଯାଇଥିଲା । ହେଲେ ଏଭଳି ପରିସ୍ଥିତିରେ ହଠାତ ବାଂଲାଦେଶ ସେନା କର୍ମଚାରୀଙ୍କ ନିକଟକୁ ଆସି କାମ ବନ୍ଦ କରିବା କହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏବଂ ଏହି ପରିସ୍ଥିତି ପାଇଁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ମୁଖ୍ୟ କାରଣ ପାଲଟିଛି ।
ସୂଚନା ଅନୁଯାୟୀ ଏହି ବାଡ ସୀମାରେ ନୁହେଁ ବରଂ ସୀମା ନିକଟରେ ନିର୍ମାଣ କରାଯାଉଥିଲା । ହିନ୍ଦୁସ୍ତାନ ଟାଇମ୍ସକୁ ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ୨୦୧୨ରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ କ୍ୟାଟେଲ ଫେସିଂ ନିର୍ମାଣ କରାଯାଉଥିଲା । ହେଲେ ନିର୍ମାଣ ସମୟରେ ବିଜିବି କର୍ମଚାରୀ ସେଠାରେ ପହଞ୍ଚି ଆପତ୍ତି ଉଠାଇଛନ୍ତି । ଯେହେତୁ ସୀମାରେ କୌଣସି ଏକ ବାଡ ନଥିଲା ସେଥିପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପ୍ରବେଶ ନକରିବା ପାଇଁ ଏହି ବାଡର ନିର୍ମାଣ କରାଯାଉଥିଲା । କାରଣ ବାଡ ନଥିବାର କାରଣରୁ ସବୁବେଳେ ଉଭୟ ପାର୍ଶବରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାହ ଲାଗିରହିଥାଏ । ବିଜିବି ଏବଂ ବିଏସଏଫ ବାଟାଲିୟନର କମାଣ୍ଡାରମାନେ ଏହି ସମସ୍ୟାର ସମାଧାନ ପାଇଁ ସୀମାରେ ଏକ ବୈଠକ କରିଥିଲେ କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ ଏବଂ ଏହି ଖବର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିଛି।
ଅଧିକାରୀଙ୍କ କହିବାନୁସାରେ ଏହି ମାମଲା ଅକ୍ଟୋବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଦୁଇ ସେନାଙ୍କ ମହାନିର୍ଦ୍ଦେଶକ ବୈଠକରେ ଉପସ୍ଥାପିତ କରାଯିବ । ସୀମାରେ ଉଭୟପଟୁ କୌଣସି ହିଂସା ନଥିଲେ ମଧ୍ୟ ଏହି ପ୍ରସଙ୍ଗ ଉତ୍ତେଜନା ସୃଷ୍ଟି କରିପାରେ । ଦୁଇ ଦେଶର ସୁରକ୍ଷା ପାଇଁ ପ୍ରତେ୍ୟକ ବର୍ଷ ଦୁଇଥର ଲେଖାଁଏ ପ୍ରମୁଖ ଅଧିକାରୀ ବୈଠକ କରିଥାଆନ୍ତି । ଚଳିତ ବର୍ଷ ମାର୍ଚ୍ଚ ୫ରେ ବାଂଲାଦେଶରେ ଏହି ବୈଠକ କରାଯାଇଥିଲା ।
ଗତସପ୍ତାହରେ ମଧ୍ୟ ବାଂଲାଦେଶ ସେନା ଭୁଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବାଂଲାଦେଶକ ପ୍ରବେଶ କରିଥିବା ୫ ଭାରତୀୟ ନାଗରିକଙ୍କୁ ଫେରାଇବାକୁ ମନାକରିଦେଇଥିଲା । ବହୁଥର ଫ୍ଲାଗମାର୍ଚ୍ଚ ସତ୍ତ୍ବେ ମଧ୍ୟ ବିଜିବି ଭାରତୀୟ ନାଗରିକଙ୍କୁ ଫେରାଇବାକୁ ମନାକରିଦେଇଛି ।
ଆସାମ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ
ଆସାମ: ଆସାମର ନାଗାଓଁ ଜିଲ୍ଲାର ୧୪ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ । ଶନିବାର ସକାଳ ୪ଟା ସମୟରେ ପୋଲିସ ସିନ ରିକ୍ରିଏଟ କରିବାକୁ ଘଟଣାସ୍ଥଳକୁ ଆଣିବା ସମୟରେ ପୋଲିସ ହେପାଜତରୁ ଖସି ପଳାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ। ଏସପିଙ୍କ ଅନୁଯାୟୀ ସେ ଖସିଯିବାକୁ ଚେଷ୍ଟା କରି ପୋଖରୀକୁ ଡେଇଁପଡିଥିଲେ। ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। SDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଅଭିଯୁକ୍ତଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।
ଟ୍ୟୁସନରୁ ଫେରୁଥିବା ବେଳେ ନାବାଳିକାକୁ କରିଥିଲେ ଦୁଷ୍କର୍ମ
୧୪ବର୍ଷର ପୀଡିତା ଜଣକ ସାଇକେଲରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏହି ସମୟରେ ମୋଟରସାଇକେଲ ଆସୁଥିବା ତିନି ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତ ପୋଖରୀ ନିକଟରେ ରାସ୍ତା କଡ଼ରେ ପୀଡିତାଙ୍କୁ ଉଲଗ୍ନ ଓ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଦେଖି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ପୋଲିସକୁ ସୂଚନା ଦେଇଥିଲେ ।
ତୃତୀୟ ଅଭିଯୁକ୍ତ ଏବେବି ଫେରାର
ପୋଲିସ ବର୍ତ୍ତମାନସୁଦ୍ଧା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଛି। ତୃତୀୟ ଅଭିଯୁକ୍ତର ସନ୍ଧାନ ଏବେବି ଜାରି ରହିଛି । ଏହି ଘଟଣା ପରେ ଆସାମରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୨୩ଅଗଷ୍ଟ ଶୁକ୍ରବାର ଅନେକ ସଂଗଠନ ଏକ ଦିନିଆ ବନ୍ଦର ଆହ୍ବାନ ଦେଇଥିଲେ । ଲୋକମାନେ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ। ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାମାଜିକ ଅନୁଷ୍ଠାନ ତଥା ରାଜନୈତିକ ଦଳଗୁଡିକ ଦାବି କରିଛନ୍ତି।
ଏହାସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରରେ ଲେଖିଛନ୍ତି ଯେ, ଘଟିଥିବା ଘଟଣା ମାନବିକତା ବିରୋଧରେ ଅପରାଧ। ଆମେ କାହାକୁ ରକ୍ଷା କରିବୁ ନାହିଁ ଏବଂ ଅପରାଧୀଙ୍କୁ ନ୍ୟାୟ ଦେବୁ। ମୁଁ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ଏବଂ ଯଥାଶୀଘ୍ର ଏପରି ରାକ୍ଷସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି।
ASI କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବ। ଏହା ପୂର୍ବରୁ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରିବାକୁ ASIକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରିବାକୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ପଷ୍ଟ ଭାବେ ଚିଠିରେ ଉଲ୍ଲେଖ କରାଯାଇଛି । ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା SOP ମଧ୍ୟ ASI ନିକଟକୁ ପଠାଯାଇଛି l ଏହି ବୈଷୟିକ ଯାଞ୍ଚ IIT ଏବଂ CBRI ଭଳି ଉଚ୍ଚମାନର ଅନୁଷ୍ଠାନ ମାନଙ୍କ ଦ୍ବାରା କରିବାକୁ ASIକୁ ପରାମର୍ଶ ଦିଆଯାଇଛି। ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ASIକୁ ଅନୁରୋଧ କରାଯାଇଛି। ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ସେସବୁକୁ ଆଣି ସୁରକ୍ଷିତ ରଖାଯିବ ବୋଲି ମୁଖ୍ଯ ପ୍ରଶାସକ ଚିଠିରେ ଅନୁରୋଧ କରିଛନ୍ତି।
କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ
ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଜାରି ରହିଛି ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ। ଏନେଇ କୋଟିଆର ଧୁଳିପଦର,ଫାଟୁସିନେରୀ, ଫଗୁଣସେନେରୀ ,ଗଞ୍ଜେଇ ପଦର ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି। ଆନ୍ଧ୍ରର ସାଲୁର ମଣ୍ଡଳ ପକ୍ଷରୁ ଆନ୍ଧ୍ର ଦ୍ବାରା ଗଠିତ ଗଞ୍ଜେଇପଦର ପଂଚାୟତର ଧୂଳିପଦର ସମେତ ୪ ଟି ଗାଁରେ ଗ୍ରାମସଭା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଆନ୍ଧ୍ର ଦ୍ବାରା ମନୋନୀତ ଗଞ୍ଜେଇପଦର ସରପଞ୍ଚ ଦିବାକର, ପୂର୍ବତନ ସରପଞ୍ଚ ବିଶୁ ଗେମେଲ ସମେତ ଏ ଏନେମ କାବିତା , ବିଦ୍ୟୁତ ବିଭାଗୀୟ ଅଧିକାରୀ ରାମକ୍ରିଷ୍ଣା ସମେତ APO ସାଲୁର, ଏବଂ ସିଆରପି କାନପୁରୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ସେବା ଆନ୍ଧ୍ର ପକ୍ଷରୁ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

