spot_img
Home Blog Page 1582

ଦଶହରା ବୁଲି ଫେରିବା ବେଳେ ଦୁର୍ଘଟଣା, ଦୁଇ ସାଙ୍ଗ ମୃତ

ବାଙ୍କୀ: ଦଶହରା ଦେଖିବାକୁ ଯାଇ ଆଉ ଘରକୁ ଫେରିଲେନି ଦୁଇ ସାଙ୍ଗ । ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଘଟଣା ଘଟିଛି ବାଙ୍କୀ ମୁରାରିପୁର ଛକ ନିକଟରେ ।

ମିଳିଥିବା ସୂଚନା ଅନୁସାରେ, ଭଗିପୁର ଗାଁର ବିଭୁତି ନାୟକ ଏବଂ ବାଦଲ ଜେନା ଦଶହରା ମେଢ଼ ଦେଖିବାକୁ ବାଙ୍କୀ ଡମପଡା ଯାଇଥିଲେ । ସେଠାରେ ଦଶହରା ମେଢ଼ ଦେଖି ବୁଲାବୁଲି କରିବା ପରେ ଘରକୁ ଫେରୁଥିଲେ । ମୁରାରିପୁର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି ।

ଲରେନ୍ସ ବିଷ୍ଣୋଇଙ୍କୁ ପପୁ ଯାଦବଙ୍କ ଧମକ; ୨୪ ଘଣ୍ଟାରେ ପୂରା ନେଟଓ୍ବର୍କ ସଫା କରିଦେବି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଓ ୩ ଥରର ବିଧାୟକ ବାବା ସିଦ୍ଦିକୀଙ୍କ ହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧର ଦଳ ସିନ୍ଦେ ସରକାରକୁ ଟାର୍ଗେଟ କରୁଛନ୍ତି । ଏମିତି ସ୍ଥିତିରେ ଲରେନ୍ସ ବିଷ୍ଣୋଇଙ୍କୁ ଖୋଲା ଧମକ ଦେଇଛନ୍ତି ବିହାରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସାଂସଦ ହୋଇଥିବା ପପୁ ଯାଦବ । ପପୁ କହିଛନ୍ତି, ସରକାର ଅନୁମତି ଦେଲେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ପରି ମାମୁଲି ଅପରାଧୀର ପୂରା ନେଟଓ୍ବର୍କକୁ ଶେଷ କରିଦେବି ।

ପୁର୍ଣ୍ଣିୟାରୁ ସାଂସଦ ହୋଇଥିବା ପପୁ ଯାଦବ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ବିବାଦୀୟ ଶବ୍ଦର ବ୍ୟବହାର କରିବା ସହ ଲେଖିଛନ୍ତି, ‘ଏ ଦେଶ ନା ….. ଙ୍କ ସେନା । ଗୋଟିଏ ଅପରାଧୀ ଜେଲରେ ବସି ଚ୍ୟାଲେଞ୍ଜ କରୁଛି, ଲୋକଙ୍କୁ ମାରୁଛି । ହେଲେ ସମସ୍ତେ ମୁଖ ଦର୍ଶକ ସାଜିଛନ୍ତି । ଲରେନ୍ସ ବିଷ୍ଣୋଇ ମୁସେବାଲାକୁ ହତ୍ୟା କରାଇ ଦେଲା, କରଣୀ ସେନା ମୁଖିଆଙ୍କୁ ବି ମରାଇ ଦେଲା । ଏବେ ଉଦ୍ୟୋଗପତି ତଥା ରାଜନେତାଙ୍କୁ ହତ୍ୟା କରାଇ ଦେଲା ।’

ନିଜ ପୋଷ୍ଟରେ ପପୁ, ଲରେନ୍ସଙ୍କୁ ମାମୁଲି ଅପରାଧୀ ବୋଲି କହିବା ସହ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, ଯଦି ଆଇନ ଅନୁମତି ଦେବ, ତେବେ ୨୪ ଘଣ୍ଟାରେ ସେ ଲରେନ୍ସ ବିଷ୍ଣୋଇ ପରି ମାମୁଲି ଅପରାଧୀର ପୂରା ନେଟଓ୍ବର୍କକୁ ଶେଷ କରିଦେବି ।’

ଏହା ପୂର୍ବରୁ ପପୁ ଯାଦବ କରିଥିବା ପୋଷ୍ଟରେ ବାବା ସିଦ୍ଦିକୀଙ୍କୁ ବିହାରର ପୁଅ ବୋଲି କହିଥିଲେ । କାରଣ ବାବା ସିଦ୍ଦିକୀ ବିହାରର । ପରେ ସେ ମୁମ୍ବାଇ ଯାଇ ସେଠାରେ ରାଜନୀତି ଆରମ୍ଭ କରିଥିଲେ । ଏହାସହ ପପୁ ମହାରାଷ୍ଟ୍ରରେ ମହା ଜଙ୍ଗଲରାଜ ଚାଲିଥିବା କହିଥିଲେ ।

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

ଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯାଉଥିଲା ବିମାନ । ବୋମା ଧମକ ପରେ ବିମାନର ଦିଗ ପରିବର୍ତ୍ତନ କରାଯାଇ ଦିଲ୍ଲୀ ଏୟାରକୋର୍ଟରେ ଜରୁରୀ ଅବତରଣ କରାଗଲା ।

ବିମାନ ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଅଣାଯାଇଥିଲା । ଏହାପରେ ବିମାନଟିକୁ ଯାଞ୍ଚ କରାଯାଉଛି ।

ଦୁର୍ଘଟଣା ପରେ ବସରେ ଲାଗିଲା ନିଆଁ, ବାଇକ ଆରୋହୀ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଛତିଆରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ବସରେ ନିଆଁ ଲଶଗି ଯାଇଥିଲା । ତେବେ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସେପଟେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ ବସଟି ଭୁବନେଶ୍ବର ଅଭିମୁଖେ ଯାଉଥିଲା । ଛତିଆ ଛକରେ ଜଣେ ବାଇକ୍ ଆରୋହୀଙ୍କୁ ବସଟି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା । ବସର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ: ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ ଉଠାଇବା ପରେ ଚେତିଲେ ସରକାର

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଚେତିଲେ ରାଜ୍ୟ ସରକାର । ସରକାରଙ୍କ ନୀରବତାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ ଉଠାଇବା ସହ ଗଣମାଧ୍ଯମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଘଟଣାକୁ ଗୁରୁତର ସହିତ ନିଆଯାଇଛି । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି, ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି । ବାକି ସବୁ ବ୍ୟବସ୍ଥା କରାଯାଉଥିବା ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ହୋଇଥିଲା । ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ପ୍ରଥମରୁ ଯେତେ ତତ୍ପରତା ପ୍ରକାଶ ପାଇଥିବାର ଥିଲା ସରକାରଙ୍କ ତରଫରୁ ସେତିକି ତତ୍ପରତା ଦେଖିବାକୁ ମିଳି ନଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଏହା ପରେ ରାଜ୍ୟ ସରକାର ଚେତିଥିବା ପରି ମନେ ହେଉଛି ।

ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି l ଆଶ୍ଵିନ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରାଯିବ । ମାସେ କାଳ ପ୍ରତିଦିନ ଏହି ବେଶ ହେବ ।

ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ । ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭା ପାଇବ । ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ, ଚିତା, କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରିବେ । ବାରଲାଗି ପାଟ, ବିଭିନ୍ନ ପୁଷ୍ପ ଅଳଙ୍କାର, ଶିରି କପଡା, କଳା ଉତ୍ତରୀୟ ବସ୍ତ୍ର ପରିଧାନ କରି ମହାପ୍ରଭୁ ଅପୂର୍ବ ଦିଶିବେ ।

ଅପୂର୍ବ ରାଧାଦାମୋଦର ବେଶ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ବେଶରେ ଥାଇ ଠାକୁରଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପୂର୍ଣ୍ଣ କରାଯିବ । ଏହି ନୀତି ପରେ ଶ୍ରୀବିଗ୍ରହମାନଙ୍କୁ ସ୍ଵତନ୍ତ୍ର ବନ୍ଦାପନା କରାଯାଇଥାଏ ।

ମାସର ଶେଷ ପାଞ୍ଚ ଦିନ ପଞ୍ଚୁକ ଅବସରରେ ଠାକୁରଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବ । ଏନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତିକାନ୍ତିକୁ ଚୂଡାନ୍ତ କରାଯାଇଛି  l ପ୍ରତ୍ୟହ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ୱାର ପିଟା ନୀତି ସମ୍ପର୍ଣ୍ଣ ହେବା ପରେ ୪ଟା ୩୦ରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ୫ଟା ୩୦ରେ ମଇଲମ ଓ ତଡପଲାଗି, ୬ଟା ୧୫ରେ ଅବକାଶ ପରେ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ l ଏହାପରେ ୭ଟା ୧୫ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା, ୮ଟାରେ ଗୋପାଳବଲ୍ଲବ, ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବା ପରେ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ବାଳଧୂପ ଅନୁଷ୍ଠିତ ହେବ । ଏହାପରେ ଅନାନ୍ୟ ନୀତିକାନ୍ତି ବଢ଼ି ରାତ୍ର ୧୨ ଟାରେ ରାତ୍ର ପହୁଡ଼ ନୀତି କରାଯିବ l

ଆଜି ପୁରୀ ଗୋଷାଣି ମେଳଣ

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ । ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ହେବ ମେଲାଣି ଉତ୍ସବ ।

ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ବତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ । ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ ।

ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଟ୍ବିନସିଟି ପାଇଁ ଭସାଣ ଗାଇଡଲାଇନ: କେଉଁ ରୁଟରେ ଯିବେ, କେଉଁ ରୁଟରେ ଆସିବେ ?

ଭୁବନେଶ୍ବର: ଆଜି ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ଭସାଣ । ବିଦାୟ ନେବେ ମାଆ ଦୁର୍ଗା । ଭସାଣି ପାଇଁ ଟ୍ବିନସିଟିରେ ଟ୍ରାଫିକ ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତୁ ଜାଣିବା କେଉଁ ରୁଟରେ ପାଇଁ କ’ଣ କଟକଣା ଜାରି କରାଯାଇଛି ।

ଭୁବନେଶ୍ବରରେ ବାଣୀବିହାରରୁ ରାଜମହଲ ଯାଏଁ ଗାଡ଼ି ଚଳାଚଳରେ କଟକଣା ଜାରି କରାଯାଇଛି । ଏହି ରୁଟ୍ ବଦଳରେ ଗାଡ଼ି ଗୁଡ଼ିକ ଆଚାର୍ଯ୍ଯ ବିହାର ଦେଇ ଯାତାୟାତ କରିବ । ସେହିପରି ଖୋର୍ଦ୍ଧାରୁ ସିଆରପି ଛକ ଯାଏଁ ଗାଡ଼ି ଆସିପାରିବ । ସେଠାରୁ ଏକାମ୍ର ପାର୍କ-ଜୟଦେବ ବିହାର ଦେଇ ଗାଡ଼ି ଚଳାଚଳ କରିବ । ଏନେଇ ଭୁବନେଶ୍ବର ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି ।

ସେହିପରି କଟକରେ ରେଭେନ୍ସା କଲେଜ ଛକ ପାଖ ସିଡିଏ ମାର୍କେଟ କମ୍ପ୍ଲେକ୍ସ ଛକଠାରୁ କୌଣସି ଯାନବାହନ ରାଣୀହାଟ କ୍ଲକ ଟାୱାର ଆଡ଼କୁ ଯାଇପାରିବେ ନାହିଁ । ସେମାନେ ବମ୍ବେ ହୋଟେଲ ଛକ ଦେଇ ଯୋବ୍ରା ଆନିକଟ ଛକ ଦେଇ ଯାଇପାରିବେ । ମୋଚିସାହି ଛକଠାରୁ ଗାଡ଼ିଗୁଡ଼ିକ କେନାଲ ରାସ୍ତା ଦେଇ ଯୋବ୍ରା ଛକ ଆଡ଼କୁ ଯାଇପାରିବେ । ମେଢ ଗୁଡ଼ିକ ରାଣୀହାଟ ଛକ ଅତିକ୍ରମ କରୁଥିବାବେଳେ ବଜ୍ରକବାଟି ଛକଠାରୁ କୌଣସି ଯାନବାହନ ରାଣୀହାଟ ଆଡ଼କୁ ଯାଇପାରିବେ ନାହିଁ ।

ସରିଲା ଦଶହରା, ଆଜି ବିଦାୟ ନେବେ ମାଆ

ଭୁବନେଶ୍ବର: ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ବିଦାୟ ନେବେ ମାଆ ଜଗତଜନନୀ । ପୂଜା କମିଟିଗୁଡିକ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ମହାମାୟାଙ୍କ ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ମାଆଙ୍କ ଭସାଣ ଉତ୍ସବ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ନଉପୁଜିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । କୁଆଖାଇ ଓ ଦୟା ନଦୀ ପଠାରେ ମୂର୍ତ୍ତି ବିସର୍ଜନ ପାଇଁ ୫ଟି ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି । ୧୦ ଫୁଟ ଗଭୀର ଏହି ପୋଖରୀରେ ଚଳିତବର୍ଷ ବିସର୍ଜନ ପାଇଁ ସ୍ଵତନ୍ତ୍ର ହାଇଡ୍ରା ମେସିନ ବ୍ୟବହାର କରାଯିବ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଟ ଧରି ଉପସ୍ଥିତ ରହିବେ ।

ସ୍କୁଟି- କାର ମୁହାଁମୁହିଁ ଧକ୍କା, ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ସ୍କୁଟି ସହ କାର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କାର ଚାଳକ। ଘଟଣାଟି ଘଟିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଗଣେଶ ବଜାର ଛକ ନିକଟରେ। ମୃତକ ହେଉଛନ୍ତି ଆଡେଣିଗଡ ଗାଁର ଚିତ୍ତରଞ୍ଜନ ସାହୁ। ଚିତ୍ତରଞ୍ଜନ କୌଣସି କାମରେ ଘରୁ ସ୍କୁଟି ଯୋଗେ ଆସୁଥିବା ବେଳେ ଭୁବନେଶ୍ୱର ପଟୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚିତ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ କାର ଚାଳକଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୋ। ଅନ୍ୟପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲୋ। ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି ।