spot_img
Home Blog Page 1592

ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ; ଆସନ୍ତାକାଲି ପର୍ଯ୍ୟନ୍ତ ନାହିଁ ନିସ୍ତାର

ଭୁବନେଶ୍ୱର: ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଗଭୀର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ଗାଙ୍ଗେଟି ପଶ୍ଚିମବଙ୍ଗ ଅଂଚଳ ଉପରେ ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ତୀବ୍ରତା ଅଧିକ ରହିବ। ଗଭୀର ଅବପାତଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ପରେ ପଶ୍ଚିମ ଦିଗରେ ଗତିକରି ଝାରଖଣ୍ଡ ଓ ଛତିଶଗଡ ଆଡକୁ ଗତି କରି ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପାଇଁ ସୁନ୍ଦରଗଡ଼,ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, କେଉଁଝର, ସୋନପୁର, ବରଗଡ଼, ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ। ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଗଭୀର ଅବପାତର ପ୍ରଭାବ ଥିବାରୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ବଢୁଛି ଜଳକା ନଦୀର ଜଳସ୍ତର, ମଥାନୀରେ ଟପିଲା ସତର୍କ ସଙ୍କେତ

ବାଲେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା। ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଛି। ହେଲେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୧୦ ମିଟରରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆହୁରି ଜଳସ୍ତର ବଢିପାରେ । ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା । ଲଗାଣ ବର୍ଷାରେ ୫ ଫୁଟ ତଳକୁ ଦବିଗଲା ୧୦୦ ମିଟର ରାସ୍ତା। ଭୋଗରାଇ ବ୍ଲକ କୁଳିଦା ଶୀତଳା ମନ୍ଦିରକୁ ଯିବା ରାସ୍ତା ଦବିଥିବା ଜଣାପଡିଛି।

ରାସ୍ତା କଡରେ ପଡି ରହିଛି ଅଚିହ୍ନା ମହିଳାଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ପୁରୀ: ରାସ୍ତା କଡରେ ପଡି ରହିଛି ଅଚିହ୍ନା ମହିଳାଙ୍କ ମୃତ ଦେହ । କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ରାସ୍ତା ପାର୍ଶ୍ୱରେ ଅଚିହ୍ନା ମହିଳାଙ୍କ ମୃତ ଦେହ ଠାବ ହୋଇଛି । ମହିଳାଙ୍କୁ ହତ୍ୟା କରି ରାସ୍ତା କଡରେ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଇଛି । ମୃତ ଦେହ ନିକଟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିରହିଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଫୋପାଡ଼ି ଦେଇ ପଳାଇଥିବା ବେଳେ ବର୍ଷା ଯୋଗୁଁ ମହିଳାଙ୍କ ମୁହଁ ଶେତା ପଡିଯାଇଛି । କୋଣାର୍କ ପୋଲିସ ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ ପହଞ୍ଚିବା ପରେ ଘଟଣାର ଛାନବିନ କରାଯିବ।

ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ମୀରଟରେ ବଡ଼ ଅଘଟଣ। ପ୍ରବଳ ବର୍ଷାରେ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାର ଧ୍ଵଂସାବଶେଷ ତଳେ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍‌, ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ବରିଷ୍ଠ ପ୍ରାଶାସନିକ ଅଧିକାରୀ ମଧ୍ଯ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠା ଭୁଶୁଡ଼ି ପଡିଥିଲା। କିଛି ଦିନ ହେଲା ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷାରେ ପୁରୁଣା ବିଲଡିଂଟି ଦୁର୍ବଳ ହୋଇ ପଡ଼ିଥିବାରୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

 

ଆଜି ପୁରୀ ଗଜପତି ମହାରାଜଙ୍କ ସୁନିଆଁ ଉତ୍ସବ

ପୁରୀ: ଆଜି ସୁନିଆଁ ଉତ୍ସବ। ପୁୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ୬୮ ଅଙ୍କ ଆରମ୍ଭ ହେବ। ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ। ତେଣୁ ସୁନିଆଁକୁ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ। ଓଡ଼ିଆଙ୍କ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ। ସୁନିଆଁ ଦିନଠାରୁ ଗଜପତି ମହାରାଜଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ। ସୁନିଆଁ ଦିନ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟି ଦେଇ ମହାରାଜାଙ୍କୁ ଆଶୀର୍ବାଦ କରିଥାନ୍ତି। କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟି ଦେଇଥାନ୍ତି। ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ। ସୁନିଆଁ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅରସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆଁ ଦିନ ସ୍ଵର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ।

ଅଶୁଭ ରବିବାର; ନେଇଗଲା ୭ ଜୀବନ

ମୟୂରଭଞ୍ଜ : ବାରିପଦାର ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୨ ଜଣଙ୍କ ଜୀବନ। ବାରିପଦା ସହର ଉପକଣ୍ଠ ପାଲବଣି ୧୮ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ବାଇକ୍। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ବାଇକ୍ ଆରୋହୀ ବାରିପଦା ସଦର ଥାନା ଅଧୀନ ସିନ୍ଦୂର ଗୌରା ଗ୍ରାମର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗ୍ରାମର ମିଟୁ ମହାନ୍ତ ବୋଲି ଜଣାପଡିଛି।

ସେହିପରି ବାରିପଦା ଅମର୍ଦାରୋଡ ରାସ୍ତାର ରଙ୍ଗାମାଟିଆରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି ବୋଲେରୋ। ଦୁର୍ଘଟଣାରେ ବୋଲେରୋରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ
ପିଆରଏମ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ କୁଳିଅଣା ଥାନା ଅଞ୍ଚଳର ବୋଲି ଜଣାପଡିଛି।

ଅନ୍ୟପଟେ ଅଜଣା ବାଇକ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର-ସମ୍ବଲପୁର ରାସ୍ତା ମାଧିଆପାଲି ଛକ ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଇ ଫେରାର ମାରିଛି ଅଜଣା ଗାଡି । ମୃତକମାନେ ଛତିଶଗଡର ହୋଇଥିବା ଜଣାପଡିଛି ।

ଅନ୍ୟପଟେ ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଟ୍ରକ ଧକ୍କାରେ ଢ଼ାବା ମାଲିକ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗାଁ ର ଶ୍ରୀବତ୍ସ ସାହୁ । ସୂଚନା ଅନୁସାରେ ଶ୍ରୀବତ୍ସ ଗତକାଲି ବିଳମ୍ବିତ ରାତିରେ ନିଜ ଢ଼ାବା ସାମ୍ନାରେ ଜାତୀୟ ରାଜପଥ ପାର ହେଉଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ଲୋକ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଶବକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

୧୭ ତାରିଖରେ ପିଏମଙ୍କ ଗସ୍ତ ପାଇଁ ବିଏମସି ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମୈଦାନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏମସି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହ ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ଛଟି ଘୋଷଣା କରାଯାଇଛି ।

ପ୍ରଧନାମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଶିକ୍ଷାନୁଷ୍ଠାନଗୁଡୁକୁ ସମ୍ପୂର୍ଣ୍ଣ ଓ ସରକାର କାର୍ଯ୍ୟାଳୟକୁ ପ୍ରଥମାର୍ଦ୍ଧ ଛୁଟି ଘୋଷଣା କରାଯାଇଛି ।

ଆରଜି କର ମେଡିକାଲ କଲେଜ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ଗିରଫ

କୋଲକାତା: ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନସପାଲ ସନ୍ଦୀପ ଘୋଷ ଗିରଫ । ସିବିଆଇ କଲା ଗିରଫ । ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ଯା ମାମଲାରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ  ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହାସହ ସ୍ଥାନୀୟ ଥାନାର ଅଧିକାରୀଙ୍କୁ ମଧ୍ଯ ଗିରଫ କରିଛି ସିବିଆଇ ।

ଆଗରୁ ମେଡିକାଲ କଲେଜର ଦୁର୍ନୀତି ନେଇ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ଏହି ଘଟଣା ଆରମ୍ଭରୁ ବିବାଦରେ ଥିଲେ ସନ୍ଦୀପ ଘୋଷ । ସେ ବହୁତ ପାୱାଲ ଫୁଲ ଥିଲେ ଏବଂ ସରକାରଙ୍କ ସହିତ ତାଙ୍କର ଲିଙ୍କ୍ ଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା । ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ପରେ ପ୍ରଥମେ ସେ ଆରଜି କର ମେଡିକାଲ କଲେଜର ପ୍ରିନ୍ସପାଲ ପଦରୁ ଇସ୍ତଫା ଦେଇଥିଲେ । ପରେ ଆଉ ଏକ ମେଡିକାଲ କଲେଜର ଅଧ୍ଯକ୍ଷ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା । ଏହାକୁ ନେଇ ତେଜିଥିଲା ଡାକ୍ତରଙ୍କ କ୍ଷୋଭ । ଆନ୍ଦୋଳନ ଜୋରଦାର ହୋଇଥିଲା । ପରେ ଆସିଥିଲା ଦୁର୍ନୀତି କଥା ଓ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏବେ ସିଧା ଦୁଷ୍କର୍ମ ଓ ହତ୍ଯା ମାମଲା ଲିଙ୍କରେ ସନ୍ଦୀପ ଘୋଷଙ୍କୁ ଦ୍ଵିତୀୟ ଥର ଗିରଫ କରିଛି ସିବିଆଇ ।

ମହାପ୍ରଭୁଙ୍କ ଜମିରେ ବେଆଇନ ଖଣି ଉତ୍ତୋଳନ କରୁଥିବା ଲୋକଙ୍କ ବିରୋଧରେ ହେବ ମାମଲା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଉତ୍ତୋଳନ କରୁଥିବା ଖଣି ମାଲିକଙ୍କ ବିରୋଧରେ ହେବ ମାମଲା ରୁଜୁ । ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଖଣିଗୁଡିକରେ ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣ ଉତ୍ତୋଳନ ଓ ବେଆଇନ୍ ଉତ୍ତୋଳନ ସଂକ୍ରାନ୍ତରେ ମାମଲା ରୁଜୁ କରିବାକୁ ଖୋର୍ଦ୍ଧା ଏସପିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁଙ୍କ ଜମି ଉପରେ ଥିବା ନିର୍ମାଣ ପଥର ଓ ମାଙ୍କଡ଼ା ପଥର ଖଣି ଲିଜଧାରୀମାନଙ୍କୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଉତ୍ତୋଳନ ସଂକ୍ରାନ୍ତରେ ଏହା ପୂର୍ବରୁ ନୋଟିସ୍ କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ କେତେକ ଲିଜଧାରୀ ଜରିମାନା ଦାଖଲ କରିନାହାନ୍ତି । ସେମାନେ ସ୍ଥାନୀୟ ମାଫିଆଙ୍କ ସହ ହାତ ମିଳାଇ ବେଆଇନ୍ ଉତ୍ତୋଳନ କରୁଛନ୍ତି । ଏହାଦ୍ବାରା ମହାପ୍ରଭୁଙ୍କ ରାଜସ୍ବ କ୍ଷତି ହେଉଥିବା ମୁଖ୍ୟ ପ୍ରଶାସକ  ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ଭିତରେ କ୍ଷମତା ସମ୍ପନ୍ନ ଅଧିକାରୀ, ସମ୍ପୃକ୍ତ ଖିଲାପି ଲିଜଧାରୀଙ୍କ ଲିଜ୍ ମଧ୍ୟ ରଦ୍ଦ କରାଯାଇଛି ।  ଭବିଷ୍ୟତରେ କୌଣସି ନିଲାମରୁ ବାଦ୍ ଦେବା ପାଇଁ ସେମାନଙ୍କୁ କଳାତାଲିକା ଭୁକ୍ତ ମଧ୍ୟ କରାଯାଇଛି  । ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତି ଖିଲାପି ଲିଜଧାରୀଙ୍କ ବିରୋଧରେ ଖୋର୍ଦ୍ଧା ସଦର ଥାନାରେ ଏତଲା ଦାୟର କରାଯାଇଛି ।

କୋଲକାତାର ବ୍ଲୋଚମାନ ଷ୍ଟ୍ରିଟରେ ବିସ୍ଫୋରଣ, ଉଡ଼ିଗଲା ଜରି ଗୋଟାଳିଙ୍କ ହାତ

କୋଲକତା: କୋଲକାତାର ବ୍ଲୋଚମାନ ଷ୍ଟ୍ରିଟରେ ବିସ୍ଫୋରଣ । ଏଥିରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଛିଡ଼ିଗଲା ଜରି ଗୋଟାଳିଙ୍କ ହାତ ।

ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ରାସ୍ତାର ଏକ ପ୍ରବେଶ ପଥରେ ସେମାନେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଦେଖିଥିଲେ । ତୁରନ୍ତ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାଉ କରିଥିଲେ । ଏହାପରେ ବୋମା ନିଷ୍କ୍ରିୟକାରୀ ଟିମକୁ ଯାଞ୍ଚ ପାଇଁ ଡକାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ପ୍ଲାଷ୍ଟିକ ବ୍ୟାଗକୁ ଯାଞ୍ଚ କରିଥିଲା । ବିସ୍ଫୋରଣର କାରଣ ଏଯାଏଁ ଜଣାପଡ଼ିନି ।

ବିସ୍ଫୋରଣ କାହିଁକି ଓ କେମିତି ହେଲା, ତା’ର ଯାଞ୍ଚ କରୁଛନ୍ତି ଫରେନସିକ ଟିମ । ସେପଟେ ଏହି ବସ୍ତା କେଉଁଠାରୁ ଆସିଲା ସେ ନେଇ ପୋଲିସ ତଦନ୍ତ କରିବା ସହ ଆଖାପାଖରେ ଥିବା ସିସିଟିଭି କ୍ୟାମେରାର ଭିଡିଓ ଯାଞ୍ଚ କରୁଛି । ବିସ୍ଫୋରଣ ଘଟଣାର ତଦନ୍ତ ଏନଆଇଏ ଦ୍ଵାରା କରିବାକୁ ଦାବି ହୋଇଛି ।