spot_img
Home Blog Page 1604

କାନପୁରରେ ଟ୍ରେନ୍ ଦୁର୍ଘଟଣା, ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁରରେ ଟ୍ରେନ୍ ଦୁର୍ଘଟଣା। ବିଳମ୍ୱିତ ରାତିରେ ଟ୍ରାକରୁ ଖସିଲା ସାବରବମତୀ ଏକ୍ସପ୍ରେସ୍ ।  ଟ୍ରାକରେ ପଡ଼ିଥିବା ବଡ଼ ପଥର ମାଡ଼ ହେବାରୁ ଲାଇନଚ୍ୟୁତ ହୋଇଛି ସାବରବମତୀ ଏକ୍ସପ୍ରେସ୍। ଟ୍ରେନର ୨୦ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

କାନୁପର-ଭୀମସେନ୍ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ହୋଇଛି। ରାତି ପାଖାପାଖି ୨ଟା ୩୦ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

 

ଆଜିଠୁ ନବ ନିର୍ବାଚନ ବିଧାୟକ ପଢିବେ ପାଠ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ନବ ନିର୍ବାଚିତ ବିଧାୟକ ପଢିବେ ପାଠ। ଦୁଇ ଦିନ ଧରି ଚାଲିବ ପ୍ରଶିକ୍ଷଣ। ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଟ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଅବଗତ ହେବେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ। ପ୍ରଶିକ୍ଷଣ ଶିବିରରେ ନବ ନିର୍ବାଚିତ ବିଧାୟକଙ୍କୁ ପାଠ ପଢ଼ାଇବେ ଅଭିଜ୍ଞ, ବରିଷ୍ଠ ବିଧାୟକ ଓ ମନ୍ତ୍ରୀ । ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଜୁଏଲ ଓରାମ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରଶିକ୍ଷଣ ଦେବେ। ନବ ନିର୍ବାଚିତ ବିଧାୟକଙ୍କୁ ବିଧାନସଭାର ନୀତି, ନିୟମ ଓ ବ୍ୟବସ୍ଥା ବିଷୟରେ ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ। ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନବ ନିର୍ବାଚିତ ବିଧାୟକ।

ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ। ବିଜେପିରୁ ସର୍ବାଧିକ ୫୪ ଜଣ ଥିବା ବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ପାଠ ପଢ଼ିବେ। ସଂସଦୀୟ ପରମ୍ପରା ଓ ଶିଷ୍ଟାଚାର ଉପରେ ନୂଆ ବିଧାୟକଙ୍କୁ ଜ୍ଞାନ ବାଣ୍ଟିବେ ଅଭିଜ୍ଞ ବିଧାୟକ।

ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ’: ୟୁକ୍ରେନର ଆକ୍ରମଣ ପରେ ରୁଷିଆର ବଡ଼ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ। ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛି ରୁଷିଆ। ଋଷିଆ ସାଂସଦ ତଥା ସଂସଦର ଉପସଭାପତି ମିଖାଇଲ ଶେରମେଟ୍ ଏହି ବୟାନ ଦେଇଛନ୍ତି। ୟୁକ୍ରେନ ରୁଷିଆର କୁର୍ସ୍କ ଅଂଚଳରେ ଆକ୍ରମଣ କରିଥିବାବେଳେ ରୁଷିଆ ସାଂସଦଙ୍କ ଏହି ବିବାଦୀୟ ବୟାନ ଆସିଛି। ୟୁକ୍ରେନ ଆକ୍ରମଣ ପଛରେ ପାଶ୍ଚାତ୍ୟ ଦେଶର ହାତ ରହିଛି ବୋଲି କହିଛନ୍ତି ଋଷ ସାଂସଦ।

କୁର୍ସ୍କ ଆକ୍ରମଣରେ ବିଦେଶୀ ଅସ୍ତ୍ରଶସ୍ତ୍ର ମିଳିଥିବା ପ୍ରମାଣ ରହିଛି ବୋଲି କହିଛନ୍ତି ରୁଷ ସାଂସଦ। ଆଉ ଏହି କାରଣରୁ ତୃତୀୟ ବିଶ୍ଵଯୁଦ୍ଧ ହୋଇପାରେ ବୋଲି କହିଛନ୍ତି ମିଖାଇଲ । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଋଷ ସୀମାନ୍ତରେ ସବୁଠାରୁ ଏହା ବଡ଼ ହମଲା ବୋଲି ଜଣାପଡିଛି। ରୁଷିଆରେ ହଜାର ବର୍ଗକିଲୋମିଟର ଅଂଚଳ ଉପରେ କବଜା କରିଥିବା ଦାବି କରିଛି ୟୁକ୍ରେନ। ଗତ ୬ ଅଗଷ୍ଟରେ ୟୁକ୍ରେନ ସେନା ଏହି ଆକ୍ରମଣ କରିଥିଲା। ୟୁକ୍ରେନ ସେନା ଋଷ ସୀମାର ଅନେକ ଭିତରକୁ ପ୍ରବେଶ କରିଥିବା ଦାବି କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ:  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା । ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପଯ୍ୟନ୍ତ ଓପିଡି ବନ୍ଦ ରହିବ। ରୋଗୀ ସେବା ବନ୍ଦ ରଖିବାକୁ IMA ଦେଇଛି ଚେତାବନୀ। ୨୪ ଘଣ୍ଟା ଧରି ଚାଲିବ ଆନ୍ଦୋଳନ। ଗତକାଲି ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ଏସୟୁସିଆଇ। ବୁଧବାର ରାତିରେ କଲେଜରେ ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ସଂଘ।

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ବନ୍ଦ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଓପିଡି ବନ୍ଦ ରହିବ । କଲେଜରେ ଭଙ୍ଗାରୁଜା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ମୁମ୍ବାଇ, ଭୋପାଳ, ଚଣ୍ଡୀଗଡ, ଗୁଆହାଟି ଭଳି ଦେଶର ବିଭିନ୍ନ ସହରରରୁ ଆନ୍ଦୋଳନର ଖବର ଆସୁଛି। ସେପଟେ ଅଭିଯୁକ୍ତକୁ ମୃତ୍ଯୁଦଣ୍ଡ ଦାବି କରି ଗତକାଲି ରାଲି କରିଥିଲେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ଟିଏମସିର ମହିଳା ସାଂସଦ ଓ କର୍ମୀଙ୍କ ପକ୍ଷରୁ ଆୟୋଜିତ ରାଲିରେ ଏହି ଦାବି କରିଥିଲେ ମମତା। ଏହା ସହ ହସ୍ପିଟାଲରେ ଭଙ୍ଗାରୁଜା ଘଟଣାରେ ବିଜେପି ଓ ସିପିଏମକୁ ଦାୟୀ କରିଛନ୍ତି ମମତା। ରବିବାର ସୁଦ୍ଧା ଘଟଣାର ତଦନ୍ତ ସାରିବା ସହ ଅଭିଯୁକ୍ତକୁ ଫାଶୀ ଦେବା ଲାଗି ସେ ଦାବି କରିଛନ୍ତି। ତେଣେ ହସ୍ପିଟାଲର ସେମିନାର ରୁମର ନିରାପତ୍ତା ସଂକ୍ରାନ୍ତ ଫଟୋଗ୍ରାଫିକ ପ୍ରମାଣ ଦେବା ଲାଗି ଦାବିକରିଥିଲେ କଲିକତା ହାଇକୋର୍ଟ।

ଅପରପକ୍ଷରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଉତ୍ତ୍ଯକ୍ତ ଲୋକଙ୍କ ଭଙ୍ଗାରୁଜା ଘଟଣାରେ କ୍ଷୁବ୍ଧ ହୋଇଛନ୍ତି କଲିକତା ହାଇକୋର୍ଟ। ସ୍ବାଧୀନତା ଦିବସ ଦିନ ଯେପରି ଭାବେ ହଜାର ହଜାର ଲୋକ ମେଡିକାଲ କ୍ଯାମ୍ପସରେ ପ୍ରବେଶ କରି ଭଙ୍ଗାରୁଜା କଲେ ତାହାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ମୁଖ୍ଯବିଚାରପତି ଏହି ମାମଲାର ଶୁଣାଣି କରି ରାଜ୍ଯ ପ୍ରଶାସନର ଚରମ ବିଫଳତାକୁ ଦାୟୀ କରିବା ସହ ସହର ପୋଲିସ ନିଜକୁ ବି ରକ୍ଷା କରିବାକୁ ସକ୍ଷମ ନୁହେଁ ବୋଲି ଦର୍ଶାଇଛନ୍ତି।

ଭିଜିଲାନ୍ସ ଜାଲରେ ସମନ୍ଵିତ ଶିଶୁ ବିକାଶ ବିଭାଗ ସୁପର ଭାଇଜର

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ସମନ୍ଵିତ ଶିଶୁ ବିକାଶ ବିଭାଗ ସୁପର ଭାଇଜର ଶୈଳବାଳା ସାହୁ  । ଅଫିସରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଫୁଲବାଣୀ ଭିଜିଲାନ୍ସ ଟିମ୍ ।

ସଲାଗୁଡ଼ା ପଞ୍ଚାୟତର ମୁଜା ଗ୍ରାମର ପ୍ରେମଶିଳା କହଁରଙ୍କୁ ସହ ଅଙ୍ଗନବାଡି କର୍ମୀ କରିବାକୁ ମାଗିଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ପ୍ରଥମେ ୫ ହଜାର ଟଙ୍କା ନେଇଥିଲେ । ଏନେଇ ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗ ସହ ଯୋଗାଯୋଗ କରିଥିଲେ ପ୍ରେମଶିଳା । ଆଜି ନିଜ ଅଫିସରେ ବାକି ୫ ହଜାର ଟଙ୍କା ନେବା ବେଳେ ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡ଼ିଛନ୍ତି ।

ଶୈଳବାଳା ସାହୁ ଆଗରୁ ମଧ୍ୟ କିଛି ଅଙ୍ଗନବାଡି କର୍ମଚାରୀଙ୍କ ଠାରୁ ପଇସା ନେବା ଅଭିଯୋଗ ରହିଛି । ଫୁଲବାଣୀ ଦୁର୍ନୀତି ନିବାରଣ ଅଫିସକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି ।

ମୋଦିଙ୍କ ସହ କଥା ହେଲେ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ୟୁନୁସ

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେଲେ କଥା ।  ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ସୁରକ୍ଷା ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଛନ୍ତି । ମୋଦିଙ୍କୁ ଫୋନ କରିଥିଲେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ନିଜ ଦେଶରେ ସମସ୍ତ ହିନ୍ଦୁ ଏବଂ ସଂଖ୍ଯାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ସହ ସୁରକ୍ଷାର ଆଶ୍ଵାସନା ଦେଇଛନ୍ତି ମହମ୍ମଦ ୟୁନୁସ ।

ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଏହି ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାଂଲାଦେଶରେ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା ହେଲା । ସେଠାରେ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ଗଠନ ନେଇ ଭାରତ ସମସ୍ତ ସମର୍ଥନ କରିବ । ବାଂଲାଦେଶରେ ସମସ୍ତ ହିନ୍ଦୁ ଏବଂ ସଂଖ୍ଯାଲଘୁଙ୍କ ସୁରକ୍ଷାର ଆଶ୍ଵସନା ଦେଇଛନ୍ତି ମହମ୍ମଦ ୟୁନୁସ ।

ଚାପରେ ଚେପା ବିଜେପି ସରକାର: ହେଲେ ଛାଡ଼ି ପାରୁନି କେନ୍ଦ୍ରମନ୍ତ୍ରୀ ମୋହ

ଭୁବନେଶ୍ବର: ଚାପରେ ଚେପା ବିଜେପି ସରକାର । ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବୟକଟ ପରେ ରାଜ୍ଯ ସରକାର ପୂରା କାର୍ଯ୍ୟକ୍ରମରେ ସଂଶୋଧନ ଆଣିଛନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମରୁ ବାଦ ଦେଇପାରୁ ନାହାଁନ୍ତି ସରକାର । ନୂଆ କାର୍ଯ୍ୟସୂଚୀରେ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମର ଅତିଥି ବଦଳାଇଛି ସତ, ହେଲେ ଜଣଙ୍କ ବଦଳରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଭରିଛି ।

ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ୧୭ ତାରିଖ ଦିନ ଉଦଘାଟନ କରିଥାନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୧୮ ତାରିଖ ଉଦଯାପନୀ ଦିବସରେ ଯୋଗଦେଇଥାନ୍ତେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା । କିନ୍ତୁ ପରମ୍ପରା ଭଙ୍ଗ ହେଉଥିବା ଅଭିଯୋଗ ପରେ ରାଜ୍ଯ ସରକାର ଦିଗଦର୍ଶନ ପ୍ରୋଗାମରେ ଏବେ ଏହି ଦୁଇ ନେତାଙ୍କୁ ବଦଳାଇ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ବଦଳରେ କେନ୍ଦ୍ର ସଂସଦୀୟ ବ୍ଯାପାର ମନ୍ତ୍ରୀ କିରନ ରିଜଜୁ ଏହାକୁ ଉଦଘାଟନ କରିବେ ବୋଲି ନୂଆ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କ ବଦଳରେ କାର୍ଯ୍ୟକ୍ରମକୁ ଉଦଯାପନ କରିବେ ରାଜ୍ଯସଭା ଉପାଧ୍ଯକ୍ଷ ହରିବଂଶ ପ୍ରସାଦ ।

ତେବେ ଏଠି ପ୍ରଶ୍ନ ଉଠୁଛି ଗୃହରେ ସଦସ୍ଯ ନଥିବା ନେତାଙ୍କୁ କାହିଁକି ସୁଯୋଗ ମିଳୁଛି । ଦୁଇ ବିରୋଧୀ ଯେଉଁ କଥାକୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରିଦେଇଛନ୍ତି ସେଥିରେ ଅତିଥି ବଦଳିଥିଲେ ବି ଜଣେ କେନ୍ଦ୍ରମନ୍ତ୍ରୀ ହିଁ କାହିଁକି ଉଦଘାଟନ କରିବେ । ଯଥା ପୂର୍ବଂ ତଥା ପରଂ । ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ଉଦଘାଟନୀ ଓ ସମାପନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଏବେ ଚାପ ପରେ ବି ସେହି କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କେବଳ ଯାହା ନାମ ବଦଳିଛି । ଏହା କ’ଣ ଓଡିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଓ କଂଗ୍ରେସ ।

ବିଜେଡି ଅଭିଯୋଗ କରିଛି ବାଚସ୍ପତି ଓ ମୁଖ୍ଯମନ୍ତ୍ରୀ ଥାଉ ଥାଉ କାହିଁକି କେନ୍ଦ୍ରମନ୍ତ୍ରୀ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନୀ କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି । ଅନ୍ଯପଟେ ବିଧାନସଭା କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି କଂଗ୍ରେସ ବିଧାୟକ ରାଜେନ ଏକ୍କା ପ୍ରଶ୍ନ କରିଛନ୍ତି । ଶାସକ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢି କହିଛି, ଦଳୀୟ ଭିତ୍ତିରେ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ ।

ସ୍ବାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ

ସୁନ୍ଦରଗଡ଼: ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠୀକୁ ଏକାଠି କରି ଦେଶ ପ୍ରତି ନିଜର ଭଲ ପାଇବା ଜାହିର କରିବା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏପରି କାର୍ଯ୍ୟକ୍ରମ ଏକ ଉତ୍ତମ ଅନୁଭୂତି ବୋଲି ଏଥିରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି । ଏହାସହ ଏମିତି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବେଦାନ୍ତକୁ କୃତଜ୍ଞତା ଜଣାଇଛନ୍ତି । ଏଭଳି କାର୍ଯ୍ୟକ୍ରମ କରି ବେଦାନ୍ତ ଆଲୁମିନିୟମ ତାହାର ସମର୍ପଣ ଭାବକୁ ଦର୍ଶାଇଛି ।

ଆଦାୟ ହୋଇପାରୁନି ଋଣ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଦେଶର ବ୍ଯାଙ୍କିଂ ବ୍ଯବସ୍ଥା

ଭୁବନେଶ୍ବର: କାଙ୍ଗାଳ ହେଲେଣି ବ୍ୟାଙ୍କ । ଋଣ ଟଙ୍କା ଆଦାୟ ହୋଇ ନପାରିବାରୁ ଗତ ୫ ବର୍ଷରେ ବଡ଼ ବଡ଼ିଆଙ୍କୁ ଛାଡ଼ ହୋଇଛି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା । ସୂଚନା ଅଧିକାର ବଳରେ ଏହି ତଥ୍ୟ ଆସିବା ପରେ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଯେତିକି ଅନାଦେୟ ଋଣ ଗ୍ରହୀତାଙ୍କ ଖାତା ବ୍ୟାଙ୍କ ବନ୍ଦ କରିଛନ୍ତି ସେଥିରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାଗ ୬୩ ପ୍ରତିଶତ । ଅଭିଯୋଗ ହୋଇଛି କେନ୍ଦ୍ର ସରକାର, ବ୍ୟାଙ୍କ ଓ ପୁଞ୍ଜିପତିଙ୍କ ଅସାଧୁ ମେଣ୍ଟ କରି ମଧ୍ୟବିତ୍ତ ବ୍ୟାଙ୍କରେ ରଖୁଥିବା ସଞ୍ଚିତ ଅର୍ଥକୁ ଚଳୁ କରୁଛନ୍ତି ।

ଆଦାୟ ହୋଇ ନପାରି ବୁଡ଼ିଗଲା ଋଣ ଟଙ୍କା । ବଡ଼ ବଡ଼ିଆଙ୍କୁ ଋଣ ଦେଇ ଫସିଗଲେ ବ୍ୟାଙ୍କ । ସ୍ଥିତି ଏମିତି ଗତ ୫ ବର୍ଷରେ ୯ ଲକ୍ଷ ୯୦ ହଜାର କୋଟି ଟଙ୍କାର ଅନାଦେୟ ଋଣ ଖାତାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ବ୍ୟାଙ୍କ । ଯାହାକି ଋଣ ପରିମାଣର ୮୧.୩୦ ପ୍ରତିଶତ । ସୂଚନା ଅଧିକାର ବଳରେ ଏହି ତଥ୍ୟ ସାମନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ବିରୋଧୀ । ଅଭିଯୋଗ ହୋଇଛି କୌଣସି ମଧ୍ୟବିତ୍ତ କି ଗରିବ, ଏତେ ପରିମାଣର ଟଙ୍କା ନେଇନାହାନ୍ତି । ପୁଞ୍ଜିପତି ଓ ଅରବପତିଙ୍କୁ ଋଣ ଦେଇ କାଙ୍ଗାଳ ହେଲେଣି ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ । ଦୁଃଖର କଥା, ଆରବିଆଇ ଋଣ ଶୁଝି ନଥିବା ହସ୍ତୀଙ୍କ ନାମ ପ୍ରକାଶ କରିନି କି ପ୍ରକାଶ କରିବାକୁ ଅନୁମତି ଦେଉନି । ଏବେ ପୁଞ୍ଜିପତି-ବ୍ୟାଙ୍କର୍ସ୍ ଓ କେନ୍ଦ୍ର ସରକାରଙ୍କ ଅସାଧୁ ମେଣ୍ଟ ହୋଇଛି ବୋଲି ଅଭିଯୋଗ ହୋଇଛି । ମଧ୍ୟବିତ୍ତ ସେମାନଙ୍କ ସଞ୍ଚିତ ଅର୍ଥ ବ୍ୟାଙ୍କରେ ରଖନ୍ତି । ପୁଞ୍ଜିପତିମାନେ ଋଣ ଆକାରରେ ବ୍ୟାଙ୍କରୁ ସେହି ଟଙ୍କା ନେଇଥାନ୍ତି ।

ଯେତିକି ଅନାଦେୟ ଋଣ ଟଙ୍କା ଛାଡ଼ ହୋଇଛି ସେଥିରୁ ୬୩ ପ୍ରତିଶତ ଅର୍ଥ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେଇଥିବା ଋଣ ସାମିଲ ଅଛି । ଗତ ୫ ବର୍ଷରେ ଯେତିକି ଋଣ ବ୍ୟାଙ୍କମାନେ ପୁଞ୍ଜିପତିଙ୍କୁ ଦେଇଥିଲେ ସେଥିରୁ ମାତ୍ର ୧ ଲକ୍ଷ ୮୫ ହଜାର ୨୪୧ କୋଟି ଟଙ୍କା ଆଦାୟ କରିଛନ୍ତି । ଯଦି ମୋଟ ଋଣ ଅର୍ଥ ପରିଶୋଧ ହୋଇଥାନ୍ତା, ତା’ହେଲେ ୨୦୨୩-୨୪ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ବାବଦ ଥିବା ୧୬ ଲକ୍ଷ ୫୪ ହଜାର କୋଟିରୁ ୫୯ ପ୍ରତିଶତ ପୂରଣ ହୋଇପାରିଥାନ୍ତା । ଖୋଦ ସମୀକ୍ଷକ ମଧ୍ୟ ଋଣ କରିଥିବା ବଡ଼ବଡିଆଙ୍କ ପ୍ରତି କେନ୍ଦ୍ର ସରକାର କିପରି ନରମ, ସେ ନେଇ ସମାଲୋଚନା କରିଛନ୍ତି । ବ୍ୟାଙ୍କ ଏନପିଏ ବଢୁଥିବାରୁ ସାଧାରଣ ଲୋକ କିମ୍ବା ମଧ୍ୟବିତ୍ତଙ୍କୁ ଆବଶ୍ୟକ ଋଣ ଦେବାକୁ ବ୍ୟାଙ୍କ କୁଣ୍ଠାବୋଧ କରୁଛନ୍ତି । ଅନ୍ୟପଟେ ବଡ଼ ବଡ଼ ଶିଳ୍ପପତି ଅତି ସହଜରେ ବ୍ୟାଙ୍କରୁ ଋଣ ନେଇ ଫାଙ୍କିବାକୁ ସବୁ ଫନ୍ଦିଫିକର ବାହାର କରୁଛନ୍ତି । ଫଳରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।

ବ୍ୟାଙ୍କରେ ଟଙ୍କା ରଖିଲେ ସୁରକ୍ଷିତ । ଏପରି ବିଶ୍ବାସ ସାଧାରଣରେ ରହିଛି । କିନ୍ତୁ ଏନପିଏ ଦଶାରୁ ମୁକିଳିବା ପାଇଁ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯେପରି ବିଲୟ ହେଉଛି ତାହା ଦର୍ଶାଉଛି ବ୍ୟାଙ୍କିଂ ବ୍ୟବସ୍ଥା କିଛି ଠିକଠାକ ନାହିଁ ।

ଆଳୁ ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ, ପିଆଜ ମାରିଲାଣି ହାପ୍ ସେଞ୍ଜୁରୀ

ଭୁବନେଶ୍ବର: ରାଜ୍ୟରେ ଆଳୁକୁ ନେଇ ବଢିଛି ଗ୍ରାହକଙ୍କ ଚିନ୍ତା । ଦର ଏବେବି କିଲୋ ପିଛା ୫୦ରୁ ୬୦ । ସରକାରଙ୍କ ସମସ୍ତ ଉଦ୍ୟମ ଫେଲ୍, ନିୟନ୍ତ୍ରଣକୁ ଆସୁନି ଦର । ପଶ୍ଚିମବଙ୍ଗ ଆଳୁ ଦେବାକୁ ମନା କରିବାକୁ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆଣୁଛନ୍ତି ବ୍ୟବସାୟୀ । ହେଲେ ଭଡ଼ା ବାବଦକୁ ଦେବାକୁ ପଡୁଛି ୩ ଗୁଣା ଅଧିକ ଟଙ୍କା । ଯାହା ଆସୁଛି ସେଥିରୁ ପ୍ରାୟ ୨୦ ପ୍ରତିଶତ ବାହାରି ଯାଉଛି ପଚା । ଏଭଳି ସ୍ଥିତିରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଆଳୁ ଭଳି ପିଆଜ ଦର ମଧ୍ୟ ହାପ୍ ସେଞ୍ଚୁରୀ ମାରିଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦର ବଢୁଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ ।

ଆଳୁ ସଙ୍କଟ । କେବେ ନିୟନ୍ତ୍ରଣ ହେବ ଦରଦାମ ନାହିଁ କାହାକୁ ଜଣାଜ। କ୍ଷତିରେ ବ୍ଯବସାୟୀ । ଭଡା ବାବଦରେ ଟନ ପିଛା ଗଣୁଛନ୍ତି ୩ ଗୁଣା ।ଖାଉଟି ଚଢା ଦରରେ କିଣୁଛନ୍ତି ଆଳୁ । ମାସେ ହେଲାଣି ଦର ନିୟନ୍ତ୍ରଣ ହେଉନି । ପଶ୍ଚମିବଙ୍ଗ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲେ ବ୍ଯବସାୟୀ । ହେଲେ ସମାଧାନ ହେଲାନି । କେବଳ ଓଡିଶା ନୁହେଁ ପଶ୍ଚିମବଙ୍ଗରେ ବି ଆଳୁ ନଦେବାକୁ ଚେତାବନୀ ଦେଇଛି ସେଠାକାର ବ୍ୟବସାୟୀ ସଂଘ । ଏହାକୁ ନେଇ ଓଡିଶା ଖାଉଟି ଚିନ୍ତାରେ । ଏବେ ପଶ୍ଚିମବଙ୍ଗ, ୟୁପି ଓ ପଞ୍ଜାବରୁ ଓଡିଶାକୁ ଦୈନିକ ୨୦୦ ଗାଡି ଆଳୁ ଆସୁଛି । ପଶ୍ଚିମବଙ୍ଗରୁ ଗୋଟିଏ ଦିନ ଲାଗୁଥିଲା । ଅନ୍ୟ ରାଜ୍ୟରୁ ଆସିବାକୁ ୩ ଦିନ ଲାଗୁଛି । ପଶ୍ଚିମବଙ୍ଗରୁ ଟନ ପିଛା ୩୦ ହଜାର ଭଡା ପଡୁଥିବାବେଳେ ୟୁପି ଓ ପଞ୍ଜାବରୁ ୧ ଲକ୍ଷ ୨୦ ହଜାର ଭଡା ପଡୁଛି । ୟୁପି ଓ ପଞ୍ଜାବରୁ ଆସୁଥିବା ଆଳୁରୁ ଅଧିକ ପଚା ବାହାରୁଛି । ଏଥିଲାଗି ବ୍ଯବସାୟୀଙ୍କୁ କ୍ଷତି ସହିବାକୁ ପଡୁଛି । ଯେଉଁଠି ୧୦୦ ପକେଟ ଆଳୁ ଯାଉଛି, ସେଠାରେ ୧୨ ପକେଟ ପଚା ବାହାରୁଛି । ୟୁପି ଓ ପଞ୍ଜାମ ଆଳୁକୁ ଲୋକେ ମଧ୍ୟ ପସନ୍ଦ କରୁନାହାନ୍ତି । ସେଥିରୁ ବି ପଚା ବାହାରୁଛି । ପାଇକାରୀ ଦର ୨୨ରୁ ୨୬ ଟଙ୍କା ଥିବାବେଳେ ସୁପର ଆଳୁର ଦର ୨୭ ଟଙ୍କା ରହିଛି । ହେଲେ ଖୁଚୁରା ବିକ୍ରି ଦର ୩୫ରୁ ୪୦ ଟଙ୍କା ରହୁଛି । ଯାହା ଫଳରେ ବଜାରରୁ ଖାଉଟି ବି ଚଢା ଦରରେ ଆଳୁ କିଣୁଛନ୍ତି । ଲୋକ ଦେଖାଣିଆ ରାଜଧାନୀରେ ୧୦୦ ଟଙ୍କାରେ ୩ କିଲୋ ଆଳୁ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେଶୋଇ ଯାଇଛନ୍ତି ସରକାର ।

ସେପଟେ ଆଳୁ ପରେ ଓଡିଶାରେ ପିଆଜ ମାରିଛି ଅର୍ଦ୍ଧ ଶତକ । ଗରିବ ଓ ମଧ୍ଯବିତ୍ତଙ୍କୁ ଆଳୁ ପରେ କନ୍ଦାଉଛି ପିଆଜ । ପଖାଳ କଂସାରୁ ଆଳୁ ପରି ଗାଏବ ହେଉଛି ପିଆଜ । ବାଲେଶ୍ବରର ନୂଆବଜାରରେ ଆଳୁ ଓ ପିଆଜ ଦରରେ ସତେ ଯେମିତି ଲାଗିଛି ରେସ୍ । ଆଳୁ ୪୦କୁ ପିଆଜ ୫୦ ହେଲେ କିଣିବାକୁ ନାହାନ୍ତି ଗ୍ରାହକ । କେବଳ ବାଲେଶ୍ବର ନୁହେଁ, ଓଡିଶାରେ ପିଆଜ ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ପିଆଜର ପାଇକାରୀ ଦର ୪୦ରୁ ୪୨ ଟଙ୍କା ରହିଛି । ଖୁଚୁରା ବଜାରରେ ୫୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ମୁଖ୍ୟତଃ ମହାରାଷ୍ଟ୍ରରୁ ଆସୁଛି । ସେଠାରେ ନିର୍ବାଚନ ଥିବାରୁ ଚାଷୀ ଦରଦାମ ବୃଦ୍ଧି ଦାବି କରୁଛନ୍ତି । ଦର ବଢିବା ପଛରେ ମୁଖ୍ଯ କାରଣ କର୍ପୋରେଟ ହାଉସ ବୋଲି ବ୍ୟବସାୟୀ କହୁଛନ୍ତି । ଖୁଚୁରାରେ ବିକ୍ରି ନେଇ କେନ୍ଦ୍ର ସରକାରଙ୍କ ଭୁଲ ନୀତିରୁ ଗରିବ ଓ ମଧ୍ଯବିତ୍ତ ହନ୍ତସନ୍ତ ହେଉଥିବା କହିଛନ୍ତି ।