ଟିଟିଲାଗଡ : ଲୋକୋ ପାଇଲଟ ରଙ୍ଗ ବାହାଦୁର ସିଂଙ୍କ ମିଳିଲା ପତ୍ତା। ଅପହରଣ ହୋଇନଥିଲେ ରଙ୍ଗ ବାହାଦୁର। ମାନସିକ ଚାପ ଯୋଗୁଁ କାର୍ଯ୍ୟରେ ଯୋଗ ନଦେଇ ଚାଲିଯାଇଥିଲେ ହରିଦ୍ବାର । ଗତ ୪ ତାରିଖରେ କାର୍ଯ୍ୟରେ ଯୋଗ ଦେବାପାଇଁ ଟିଟିଲାଗଡ ରେଳ ଷ୍ଟେସନରୁ ଟ୍ରେନ ଯୋଗେ କଣ୍ଟାବାଞ୍ଜି ଯାଇଥିଲେ। ହେଲେ କାର୍ଯ୍ୟରେ ଯୋଗ ଦେଇନଥିଲେ। ବହୁ ଖୋଜାଖୋଜି ପରେ ପରିବାର ପକ୍ଷରୁ ଲୋକୋ ପାଇଲଟ ଅପହରଣ ନେଇ GRP ଥାନାରେ ଅଭିଯୋଗ ହୋଇଥିଲା। ଟିଟିଲାଗଡ GRP ୨ଟି ଟିମ ଗଠନ କରି ରଙ୍ଗ ବାହାଦୁରଙ୍କୁ ଖୋଜ ଖୋଜି କରିଥିଲେ । ତାଙ୍କ ଲାଷ୍ଟ ଲୋକେଶନ ହରିଦ୍ଵାର ଦେଖାଇବାରୁ ଏକ ଟିମ ହରିଦ୍ଵାରକୁ ଯାଇଥିଲେ। ପରେ ରଙ୍ଗ ବାହାଦୁର ନିଜ ଘରକୁ ଫେରିଆସିଛନ୍ତି। ପୋଲିସ ରଙ୍ଗ ବାହାଦୁରକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ପାରିବାରିକ ସମସ୍ଯା ଯୋଗୁଁ ଚାଲିଯାଇଥିବା ଓ ପରେ ନିଜେ ଫେରି ଆସିଥିବା ପୋଲିସ କହିଛି।
୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୩ ବର୍ଷ ; ଥରିଥିଲା ପୁରା ବିଶ୍ବ
ନନ୍ଦିଘୋଷ ବ୍ୟୁରୋ : ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୩ ବର୍ଷ । ୧୧ ସେପ୍ଟେମ୍ବର ୨୦୦୧ରେ ଘାତକ ହମଲା କରିଥିଲା ଅଲକାଏଦା । ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଥରିଥିଲା ପୁରା ବିଶ୍ବ । ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଟେରର ଆଟାକ୍ ଯୋଗୁ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ । ସେଦିନ ସକାଳୁ ସକାଳୁ ଆମେରିକାର ୪ଟି ବିମାନ ହାଇଜାକ୍ କରିନେଇଥିଲେ ଅଲକାଏଦା ଆତଙ୍କବାଦୀ । ନ୍ୟୁୟର୍କ ସିଟିରେ ଥିବା ଓ୍ବାଲଡ ଟ୍ରେଡ ସେଣ୍ଟର ବିଲ୍ଡିଂରେ ଧକ୍କା ହୋଇ ବ୍ଲାଷ୍ଟ କରିଥିଲା ଆମେରିକାନ ଏୟାରଲାଇନର ଫ୍ଲାଇଟ-୧୧ । ଏହାର ମାତ୍ର ୧୭ ମିନିଟ ପରେ ୟୁନାଇଟେଡ ଏୟାରଲାଇନ୍ସ -୧୭୫ ଓ୍ବାର୍ଲଡ୍ ଟ୍ରେଡ ସେଣ୍ଟରର ଦକ୍ଷିଣ ଟାଓ୍ବାରକୁ ଧକ୍କା ଦେଇଥିଲା ।
ଏହାପରେ ଆମେରିକାନ ଏୟାରଲାଇନ୍ସର ଆଉ ଏକ ବିମାନ ଓ୍ବାସିଂଟନସ୍ଥିତ ପେଣ୍ଟାଗନ ବିଲ୍ଡିଂକୁ ଧକ୍କା ଦେଇ କ୍ରାସ୍ ହୋଇଥିଲା । ଶେଷରେ ୟୁଏସ୍ କ୍ୟାପିଟାଲ ବିଲ୍ଡିଂରେ ବିମାନ ଧକ୍କା କରିବାକୁ ପ୍ଲାନ ଥିବା ବେଳେ ଆତଙ୍କବାଦୀଙ୍କ ହାତରୁ ବିମାନର ନିୟନ୍ତ୍ରଣ ଖସିଯାଇଥିଲା । ଫଳରେ ପେନସିଲଭିନିଆର ଏକ ଖାଲି ପଡ଼ିଆରେ ବିମାନଟି ଖସି ପଡ଼ିଥିଲା । ଆକ୍ରମଣରେ ମୋଟ ୨ ହଜାର ୯୭୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୯ ଜଣ ଆତଙ୍କବାଦୀ ସାମିଲ ଥିଲେ । ୨୦୧୧ରେ ଆମେରିକାର ଅପରେସନ ନେପଚୁନ ସ୍ପିୟରରେ ପ୍ରାଣ ହରାଇଥିଲା ଟେରର ଆଟାକର ମାଷ୍ଟରମାଉଣ୍ଡ ଓସାମା ବିନ ଲାଡେନ । ଓ୍ବାଲଡ ଟ୍ରେଡ ସେଣ୍ଟର ଉପରେ ହମଲାର କିଛି ଦିନ ପରେ ସମାନ ଧରଣର ଆଉ ଏକ ଆଟାକ ପାଇଁ ଷଡ଼ଯନ୍ତ୍ର ରଚିଥିଲା ମାଷ୍ଟର ମାଇଣ୍ଡ ଓସାମା ବିନ୍ ଲାଡେନ । ଲାଡେନ ମୃତ୍ୟୁ ପରେ ତା’ ପାଖରୁ ମିଳିଥିବା ସିକ୍ରେଟ ଦସ୍ତାବିଜରୁ ଏହି ତଥ୍ୟ ମିଳିଥିଲା ।
ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ହତ୍ୟା, ଅଞ୍ଚଳରେ ଉତ୍ତେଜନା
ବଲାଙ୍ଗୀର: ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ମାଲଗୋଦାମ ପଡାରେ ଗତକାଲି ଗୋଷ୍ଠୀ ସଂଘର୍ଷରୁ ହତ୍ୟା । ୧୭ ନମ୍ବର ୱାର୍ଡରେ ଉତ୍ତେଜନା । ମୁଖ୍ୟ ଅଭିଯୁକ୍ତ ଦ୍ରୋଣ କୁମ୍ଭାର ଘରେ ପଡାବାସୀ ପଶି ଭଙ୍ଗାରୁଜା କରିବା ସହ ଟେକାପଥର ମାଡ କରିଛନ୍ତି । ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଥମିବାର ନାଁ ନେଉନି ।
ଉତ୍ତ୍ୟକ୍ତ ଲୋକେ ଦୁଇଟି ବାଇକ୍ ଭାଙ୍ଗି ଦେଇଛନ୍ତି । ଏପରିକି ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଠେଲାପେଲା ମଧ୍ୟ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ଅତିରିକ୍ତ ଏସପି ହେମନ୍ତ ପାଢୀଙ୍କ ନେତୃତ୍ବରେ ୪ ଡିଏସପି, ୫ ଇନ୍ସପେକ୍ଟର, ୧୦ରୁ ଅଧିକ୍ ପୋଲିସ ଅଧିକାରୀଙ୍କ ସହ ୨ ପ୍ଲାଟୁନ୍ ଫୋର୍ସ ଘଟଣା ସ୍ଥଳରେ ମୁତୟନ କରାଯାଇଛି ।
ନିରୋଜ କୁମ୍ଭାର ହତ୍ୟା ଘଟଣାରେ ଅଭିଯୁକ୍ତ ଦ୍ରୋଣ କୁମ୍ଭାର, ତା’ର ଦୁଇ ପୁଅ ସମେତ ୪ ଜଣକୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି । ବଲାଙ୍ଗୀର ଏସ୍ପି ରିଷିକେଶ ଖିଲାରୀ ଘଟଣାର ତଦାରଖ କରୁଛନ୍ତି ।
ଗତକାଲି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡାରେ ଖଣ୍ଡା ବୁଲିଥିଲା । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଆସନ୍ତାକାଲି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
ପାର୍ବଣ ପୂର୍ବରୁ ତଡ଼ିପାର ହେଲା ହାର୍ଡକୋର ଅପରାଧୀ ଆବୁରୁକୁ
ଭୁବନେଶ୍ବର: ପୂଜା ପୂର୍ବରୁ ହାର୍ଡକୋରକୁ ତଡିପାର । କୁଖ୍ୟାତ କ୍ରିମିନାଲ ଆର. ଉଦୟ କିରଣ ଓରଫ ଆବୁରୁକୁ ତଡିପାର କଲା କମିଶନରେଟ ପୋଲିସ । ଲକ୍ଷ୍ମୀସାଗର ଥାନା ମୋଚି ସାହିର ଆବୁରୁ ବିରୋଧରେ ଅପରାଧର ତାଲିକା ବେଶ ଲମ୍ବା ଥିଲା । ୨୦୨୩ ମସିହାରେ ଦଫା ୧୧୦ରେ ମଧ୍ୟ ଆବୁରୁକୁ ବୁକ୍ କରାଯାଇଥିଲା ।
୨୦୨୦ ମସିହାରୁ ନିଶା କାରବାର, ଡକାୟତି, ଗଣ୍ଡଗୋଳ, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏବର୍ଷ ମଧ୍ୟ ଷ୍ଟେସନ ବଜାର ଓ ଚିନ୍ତାମଣିଶ୍ବର ଅଞ୍ଚଳରେ ଅନେକ ଅପରାଧ ଘଟାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଏହି ହାର୍ଡକୋରକୁ ତଡିପାର କରାଯାଇଛି ।
କେବଳ ସେତିକି ନୁହେଁ, ପେସାଦାର ଅପରାଧୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଦଶହରାକୁ ଆଖି ଆଗରେ ରହି ଖୁବଶୀଘ୍ର ଏହି ଅଭିଯୁକ୍ତଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି ପୋଲିସ କମିଶନର ।
ଓଡ଼ିଶାରେ ଚାଲିବ ୩ଟି ନୂଆ ବନ୍ଦେ ଭାରତ ଟ୍ରେନ
ଭୁବନେଶ୍ବର: ଓଡ଼ିଶାରେ ଚାଲିବ ୩ଟି ବନ୍ଦେ ଭାରତ ଟ୍ରେନ୍ । ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆସନ୍ତା ୧୦ ତାରିଖରେ ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ । ସେଥିରୁ ଓଡିଶା ମଧ୍ୟରେ ୩ଟି ଟ୍ରେନ ଚଳାଚଳ କରିବ ।
ଏହି ଟ୍ରେନ ଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଓ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ । ବର୍ତ୍ତମାନ ଓଡିଶା ମଧ୍ୟରେ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି । ଚଳିତବର୍ଷ ବଜେଟରେ ଓଡିଶା ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରେକର୍ଡ ୧୦ ହଜାର ୫୮୬ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗେଇ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୫୪ ହଜାର ୪୩୪ କୋଟି ଟଙ୍କାର ରେଳ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି ।

