spot_img
Home Blog Page 1608

ଓଡ଼ିଶା କଂଗ୍ରେସକୁ ନୂଆ ଦିଗ ଦେବ ୧୪ ଜଣିଆ ଷ୍ଟିଅରିଂ କମିଟି

ଭୁବନେଶ୍ବର: ମୁଁ ନୁହେଁ, ଆମେ । ଏହି ଢାଞ୍ଚାରେ ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଏଆଇସିସି । ତେଣୁ ତରତର ହୋଇ ଜଣକୁ ମୁଖିଆ ନକରି ମିଳିତ ନେତୃତ୍ବକୁ ଫୋକସ କରିଛନ୍ତି ହାଇକମାଣ୍ଡ । ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରି ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ସହ ନୂଆ ଦିଗ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ହାଇକମାଣ୍ଡଙ୍କ ଏପରି ନିଷ୍ପତ୍ତିକୁ ନେଇ ଦଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ସହ ଏହି କମିଟି ପରବର୍ତ୍ତୀ ପର୍ଯ୍ୟାୟରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି । ଆସନ୍ତା ୨୧ ତାରିଖରେ ବିନା ପିସିସି ସଭାପତିରେ ବସିବ ପ୍ରଥମ ବୈଠକ । ଏବେ ଏହି ୧୪ ଜଣ ମୋଡ଼ିବେ ଓଡ଼ିଶା ‘ହାତ’ର ଷ୍ଟିଅରିଂ । ତୃଣମୂଳସ୍ତରରୁ ପିସିସି ଯାଏଁ ହାତ ଶିବିରକୁ କରିବେ ଚଳଚଞ୍ଚଳ ।

ଆସନ୍ତା  ୨୧ ତାରିଖରେ କମିଟିର ପ୍ରଥମ ବୈଠକ ବସିବାକୁ ଥିବାବେଳେ ବିନା ପିସିସି ସଭାପତିରେ ଚାଲିବ ରାଜ୍ୟ କଂଗ୍ରେସ । ସମସ୍ତଙ୍କ ମିଳିତ ନେତୃତ୍ବରେ ଆଗକୁ ଗଡ଼ିବ ଓଡ଼ିଶା କଂଗ୍ରେସ ରଥ । ଜୁଲାଇ ୨୧ ତାରିଖରେ ପିସିସିର ସବୁ କମିଟି ଭାଙ୍ଗି ଏଆଇସିସି ବହୁ ତର୍ଜମା କରି ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛନ୍ତି । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର କମିଟି ଅଧ୍ୟକ୍ଷ ଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,  କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଜୟଦେବ ଜେନା,  ସାଂସଦ ସପ୍ତଗିରି ଉଲାକା, ବରିଷ୍ଠ ନେତା ମହମ୍ମଦ ମୋକିମ, ଭକ୍ତ ଦାସ, ଦେବାଶିଷ ପଟ୍ଟନାୟକ, ବିଶ୍ବ ରଞ୍ଜନ ମହାନ୍ତି, ସସ୍ମିତା ବେହେରା, ଅନନ୍ତ ସେଠୀ, ବଳଭଦ୍ର ମାଝୀ ପ୍ରମୁଖ ଏହି କମିଟିରେ ସ୍ଥାନ ପାଇଛନ୍ତି । ବୈଠକରେ ଷ୍ଟିଅରିଂ କମିଟିର କାମ କ’ଣ ରହିବ ତାହା ସ୍ଥିର କରାଯାଇ ଆଗାମୀ ଦିନରେ ପରବର୍ତ୍ତୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ।

ଓଡ଼ିଶା କଂଗ୍ରେସ ଇତିହାସରେ ଏଆଇସିସି ପ୍ରଥମ ଥର ଲାଗି ଏପରି ବଡ଼ ନିଷ୍ପତ୍ତି ନେଇଛି । ସବୁ କମିଟି ଭାଙ୍ଗିବା ସହ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦିଆଯାଉଛି । ପ୍ରଥମେ ଛାତ୍ର ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଉଦିତ ନାରାୟଣ ପ୍ରଧାନଙ୍କୁ ଛାତ୍ର କଂଗ୍ରେସର ଦାୟିତ୍ବ ଦିଆଯିବା ସହ ଏବେ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ତରବରିଆ ନୁହେଁ, ଆଗକୁ ପିସିସି ସହ ତୃଣମୂଳ କମିଟିଗୁଡିକୁ ସଂପୂର୍ଣ୍ଣ ବିଚାର ବିମର୍ଶ କରି ଗଠନ କରିବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଏହାସହ ଆସନ୍ତା ୨୨ ତାରିଖରେ ୧୪ ଜଣିଆ ଷ୍ଟିଅରିଂ କମିଟି ଓଡ଼ିଶାରେ ଇଡି ଅଫିସ ଘେରାଉ କରି ପ୍ରଥମ ଶକ୍ତି ପ୍ରଦର୍ଶନ କରିବ ।

ଷ୍ଟିଅରିଂ କମିଟିରେ କିନ୍ତୁ ସ୍ଥାନ ପାଇନାହାନ୍ତି କଂଗ୍ରେସର ୩ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ । ସେହିପରି ତାଲିକାରେ ନାହାଁନ୍ତି ଚର୍ଚ୍ଚିତ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଯାହାକୁ ନେଇ କଂଗ୍ରେସରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

କାଲିଠୁ ଜନ ଜାଗରଣ ଅଭିଯାନ ଜରିଆରେ ବିଜେପିର ମିଛ ପ୍ରତିଶ୍ରୁତିର ମୁଖା ଖୋଲିବ ବିଜେଡି

ଭୁବନେଶ୍ବର: କାଲିଠୁ ବିଜେଡି କରିବ ଜନ ଜାଗରଣ ଅଭିଯାନ। ପ୍ରତି ପଞ୍ଚାୟତରେ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ଜନସାଧାରଣଙ୍କୁ କରିବ ସଚେତନ । ୭ ଦିନ ଭିତରେ ରାଜ୍ୟର ସମସ୍ତ ପଞ୍ଚାୟତ ଓ ନିର୍ବାଚନ ମଣ୍ଡଳୀରେ କରାଯିବ କାର୍ଯ୍ୟକ୍ରମ । ଗାଁକୁ ଗାଁ ବୁଲି ବିଜେପିର ଅସଲ ମୁଖା ଖୋଲିବାକୁ ପୂରା ପ୍ରସ୍ତୁତ ବିଜେଡି । ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩ ହଜାର ଓ ୩ ହଜାର ୫ ଶହକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି । କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରି ପ୍ରହେଳିକା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ବିଜେପି ଜୁମଲାକୁ ବିରୋଧ କରି ଏହି ରଣହୁଙ୍କାର ଦେଇଛି ବିଜେଡି ।

ପଦାରେ ପଡିଛି ବିଜେପିର ମିଛ ପ୍ରତିଶ୍ରୁତି । ନିର୍ବାଚନ ବେଳେ ଦଳ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଥିଲା । ଏବେ ସବୁକୁ ଭୁଲିଗଲା ବିଜେପି ସରକାର । ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩ ହଜାର ଓ ୩ ହଜାର ୫ ଶହ ଟଙ୍କା ଭତ୍ତା ଦେବ ବୋଲି କହିଥିଲା । ହେଲେ ବଜେଟରେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏହି ବର୍ଦ୍ଧିତ ଭତ୍ତା ପାଇବା ବ୍ୟବସ୍ଥା କରାଯାଇଛି । ଯାହାଦ୍ବାରା ୫୨ ଲକ୍ଷ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଛି ବିଜେପି ସରକାର । ବିଜେପିର ଏଭଳି ଚଞ୍ଚକତାକୁ ବିରୋଧ କରି ରଣହୁଙ୍କାର ଦେଇଛି ବିଜେଡି । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଲଢ଼େଇ କରିବ ଦଳ । ଏଥିପାଇଁ ଆସନ୍ତାକାଲିଠାରୁ କରାଯିବ ଜନ ଜାଗରଣ ଅଭିଯାନ । ଏନେଇ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମସ୍ତ କର୍ମୀ ତଥା ସଚେତନ ନାଗରିକ ଏହି ଅଭିଯାନରେ ସାମିଲ ହୋଇ ବିଜେପିର ଧୋକାବାଜି ବିରୋଧରେ ଜନତାଙ୍କୁ କରିବେ ଜାଗ୍ରତ । ରାଜ୍ୟ ସରକାର ଭତ୍ତା ଭେଳିକି ବନ୍ଦ ନ କଲେ, ଆନ୍ଦୋଳନ ପାଇଁ ସଜ୍ଜବାଜ ହେବେ ନବୀନ ବ୍ରିଗେଡ୍ ।

ସଂସଦରୁ ବିଧାନସଭା ଯାଏଁ ବିଜେପିର ଜୁମଲା ଶାସନ ବିରୋଧରେ ସ୍ବର ଉଠାଇ ଚାଲିଛି ବିଜେଡି । ଅନେକ ନିର୍ବାଚନୀ ପ୍ରତିଶୃତି ଦେଇଛି ବିଜେପି । ହେଲେ ପୂରଣ କରିବା ସମୟରେ ତୁଣ୍ଡିରେ ତାଲା ପଡ଼ିଥିବା ଅଭିଯୋଗ କରିଛି ବିଜେଡି । ନା ମିଳିଛି ୩୦୦ ୟୁନିଟ ମାଗଣା ବିଜୁଳି ନା ଠିକ୍ ଭାବେ ବର୍ଦ୍ଧିତ ଭତ୍ତା ପାଇବେ ଯୋଗ୍ୟ ହିତାଧିକାରୀ । ନବୀନ ସରକାରଙ୍କ ଯୋଜନାକୁ କପି କରି କେବଳ ନାଁ ଓ ରଙ୍ଗ ପରିବର୍ତ୍ତନରେ ଲାଗିଛି ବିଜେପି । ଏବେ ନିର୍ବାଚନୀ ପ୍ରତିଶୃତି ପୂରଣ କରିବାକୁ ମୋହନ ସରକାରଙ୍କୁ ଆହ୍ବାନ ଦେଇଛି ବିଜେଡି ।

ଜନ ଜାଗରଣ ଅଭିଯାନକୁ ଅଧିକ ଶାଣିତ କରିବାକୁ ସମନ୍ବୟ କମିଟି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ବିଜେଡି । ଲୋକଙ୍କ ପାଖରେ ସଠିକ୍ ବାର୍ତ୍ତା ପହଞ୍ଚୁଛି ନା ନାହିଁ ତାର ତଦାରଖ କରିବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ।

କଂଗ୍ରେସ କହିଲା ବିଜେପି ପ୍ରଚାର ସର୍ବସ୍ବ ଦଳ

ଆସନ୍ତାକାଲି ଠାରୁ ବିଜେଡିର ଜନ ଜାଗରଣ ଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳ ଦୃଷ୍ଟିରୁ ବିଜେଡି ତାଙ୍କ କର୍ତ୍ତବ୍ୟ କରୁଛନ୍ତି । କିନ୍ତୁ ବିଜେପି ଯେଉଁ ପ୍ରତିକ୍ରିୟା ରଖିଛି ତାକୁ ସମାଲୋଚନା କରିଛି କଂଗ୍ରେସ । କହିଛି, କେନ୍ଦ୍ର ହେଉ କି ରାଜ୍ଯ ବିଜେପି ଏହା ଏକ ପ୍ରଚାର ସର୍ବସ୍ୱ ଦଳ । ଶାସନ ସମୟରେ ସେମାନେ ସାଧାରଣ ଲୋକଙ୍କ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଅସତ୍ୟ ବଖାଣିବାରେ କିଏ ଯଦି ଗୋଲଡ ମେଡାଲ ପାଇବେ ସେ ହେଉଛି ବିଜେପି ଦଳ । ନିର୍ବାଚନରେ ସଂଖ୍ୟା ଗରିଷ୍ଠତା କିଭଳି ପାଇଛନ୍ତି ସେମାନେ ନିଜେ ବି ଜାଣି ନାହାନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି, ଲୋକ ସବୁ ଜାଣିସାରିଲେଣି । ଲୋକ ଏତେ ଶୀଘ୍ର ପରିବର୍ତ୍ତନର ଆଭାସ ଦିଅନ୍ତି ନାହିଁ ଯାହା ଏବେ ତୃଣମୂଳସ୍ତରରେ ଦେଖିବାକୁ ମିଳୁଛି । ବିଜେପି ଯେଉଁଠି ଯେଉଁ ରାଜ୍ୟରେ ରହିଛି ସବୁଆଡେ କେବଳ ପ୍ରଚାରରେ ବ୍ଯସ୍ତ ରହିଛି । ଶାସନ ଠିକ ଭାବେ କରନ୍ତି ନାହିଁ । ତଳସ୍ତରର ଲୋକଙ୍କ ଉନ୍ନତି ପାଇଁ ବିଜେପି କାମ କରେ ନାହିଁ । କେବଳ କିଛି ଶିଳ୍ପପତିଙ୍କ ପାଇଁ ବିଜେପି କାମ କରେ । ତେଣୁ ସେମାନେ ଯାହା କହିଲେ ବି ଲୋକେ ଆଉ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ।

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୯୪ ଜଣ ସମ୍ମାନିତ

ଭୁବନେଶ୍ବର: ପାଳିତ ହୋଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ। ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ମୋଟ ୯୪ ଜଣଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୋଲିସ ବିଭାଗରେ କିଛି ପରାକ୍ରମୀଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି ।

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ମହା ଆଡ଼ମ୍ବରରେ ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏଥିରେ ୯୪ ଜଣଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ପୋଲିସ ବିଭାଗ, ଅଗ୍ନିଶମ ସେବା, ଗୃହରକ୍ଷୀ ବାହିନୀ, ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଓ ସାହସିକତା ପଦକ ସହିତ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସମସ୍ତେ ପଦକ ଗ୍ରହଣ କରିଛନ୍ତି ।

ପୁରସ୍କୃତ ହେବା ବେଳେ ଜଣେ ମହିଳା କର୍ମଚାରୀଙ୍କୁ ପୁରସ୍କୃତ କରିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ । କାରଣ ମହିଳାଙ୍କ କାହାଣୀ ଥିଲା କିଛି ଅଲଗା । ତାଙ୍କ ସ୍ବାମୀଙ୍କୁ ମରଣତୋର ସମ୍ମାନିତ କରାଯାଇଥିଲା । ସ୍ବର୍ଗତ ବନବାସୀ ମହାରଣା ଗୃହରକ୍ଷୀ ଭାବେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଏକ ଗଞ୍ଜେଇ ମାଫିଆଙ୍କ ସହିତ ଲଢେଇ କରି ସହିଦ ହୋଇଥିଲେ । ଦେଶ ମାଆ ପାଇଁ ତାଙ୍କର ତ୍ୟାଗ ଫଳରେ ଜୀବନ ଦେବାକୁ ପଡ଼ିବ ଜାଣି ବି ଗଞ୍ଜେଇ ବୋଝେଇ ଟ୍ରକକୁ ଅଟକାଇବା ସହ ୧୯୧୭ କେଜି ଗଞ୍ଜେଇ ଜବତ କରିବା ସହିତ 4୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ସେଥିପାଇଁ ସ୍ବର୍ଗତ ମହାରଣାକୁ ମହାମହିମ ରାଷ୍ଟ୍ରପତି ସାହସିକତା ପଦରେ ଅଳଙ୍କୃତ କରିଥିଲେ । ଏଭଳି ଜଣେ ବୀର ପୋଲିସର ଗାଥା ଶୁଣିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଭାବ ବିହ୍ବଳ ହୋଇପଡ଼ିଥିଲେ । ସେପଟେ ଏଭଳି ଜଣେ ବୀର୍ ସହିଦଙ୍କ ସ୍ତ୍ରୀ ବୋଲି ନିଜକୁ ଗର୍ବ କରନ୍ତି ବୋଲି କହିଛନ୍ତି ସ୍ୱର୍ଗତ ବନବାସୀ ମହାରଣାଙ୍କ ପତ୍ନୀ ଅନିତା ମହାରଣା ।

୯୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ସମ୍ମାନିତ ହେବା ପରେ ପୋଲିସ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବାର ଫଳ ସେମାନଙ୍କୁ ମିଳିଛି ବୋଲି ମତ ପ୍ରକାଶ କରିଛନ୍ତି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଡିଜିପି ଅରୁଣ କୁମାର ଷଡଙ୍ଗୀ, ଡିଜି- ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ. ସୁଧାଂଶୁ କୁମାର ଷଡଙ୍ଗୀ, ଅତିରିକ୍ତ ଡିଜି– କାରାଗାର ଓ ସଂସ୍କାର ସେବା ଅମିତାଭ ଠାକୁରଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

୩ ବର୍ଷର ପୁଅକୁ ପୋଖରୀରେ ବୁଡ଼ାଇ ମାରି ଦେଲା ମାଆ !

ଜଳେଶ୍ବର: ପାରିବାରିକ କଳହର କରୁଣ ପରିଣତି । ଜନ୍ମ କଲା ପୁଅର ଜୀବନ ନେଇଗଲା ମାଆ । ପୋଖରୀରେ ବୁଡ଼ାଇ ନିଜ ପିଲାକୁ ମହିଳା ଜଣଙ୍କ ହତ୍ୟା କରିଥିବା ତାଙ୍କ ସ୍ବାମୀ କରିଛନ୍ତି ଅଭିଯୋଗ । ଘଟଣା ଘଟିଛି ଜଳେଶ୍ଵର ଥାନା ଆମ୍ବୁଳି ଅଠା ଗାଁରେ ।

ଅଭିଯୋଗ ଅନୁସାରେ, ସ୍ବାମୀ ସୁଜୟ ଓ ସ୍ତ୍ରୀ ଝିଲ୍ଲୀଙ୍କ ମଧ୍ଯରେ ପାରିବାରିକ କଳହ ଲାଗି ରହିଥିଲା । ୨ ମାସ ହେବ ଝିଲ୍ଲୀ ବାପ ଘରେ ରହୁଥିଲେ । ଆଜି ୩ ବର୍ଷର ପୁଅ ପୋଖରୀରେ ବୁଡ଼ିଯିବା ପରେ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ତେବେ ମାଆ ପୁଅକୁ ପୋଖରୀରେ ବୁଡାଇ ମାରିଦେଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ସୁଜୟ । ପୋଲିସ ଉଭୟଙ୍କୁ ପଚରାଉଚରା କରିବା ସହ ତଦନ୍ତ ଚଲାଇଛି ।

ଅବହେଳିତ ପୁରୀ ଜିଲ୍ଲାର ଲବଣ ସତ୍ୟାଗ୍ରହ ସ୍ଥାନ, ଐତିହ୍ୟ ସ୍ଥଳ ମାନ୍ୟତା ଦାବି

ପୁରୀ: ପୁରୀ ଜିଲ୍ଲାରେ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପଣ୍ଡିତ ନୀଳକଣ୍ଠ ଦାସ । ପୁରୀ ଅସ୍ତରଙ୍ଗର କୁହୁଡି, ଖଣ୍ଡାସାହି ଆଦି ସ୍ଥାନରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ କରାଯାଇଥିଲା । ଅନେକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆଜି ସେହି ପୀଠ ଅବହେଳିତ ଅବସ୍ଥାରେ ପଡିଛି । ପୀଠର ଉନ୍ନତିକରଣ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।

ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି ।  ସବୁଠି ଉତ୍ସାହ ଓ ଆନନ୍ଦ । ବିଦେଶୀ ଶାସନରୁ ମୁକ୍ତ ହୋଇଛି ଦେଶ । ଅନେକଙ୍କ ବଳିଦାନ ପାଇଁ ଦେଶ ପାଇଥିଲା ସ୍ବାଧିନତା । ପୁରୀ ଜିଲ୍ଲାରେ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପଣ୍ଡିତ ନୀଳକଣ୍ଠ ଦାସ । ପୁରୀ ଜିଲ୍ଲାର ଅସ୍ତରଙ୍ଗର କୁହୁଡି, ଖଣ୍ଡାସାହି ଆଦି ସ୍ଥାନରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ କରାଯାଇଥିଲା । ଆଜି ସେହି ପୀଠ ଅବହେଳିତ ହୋଇପଡିଛି । ଆଜି ପର୍ଯ୍ୟନ୍ତ ସ୍ଥାନକୁ ଐତିହସ୍ଥଳୀ କିମ୍ବା ପର୍ଯ୍ୟଟନ ସ୍ଥଳୀର ମାନ୍ଯତା ମିଳିନାହିଁ ।

ସ୍ବାଧୀନତା ସଂଗ୍ରାମରେ ଅନେକ ଗୁରୁତ୍ବ ରଖିଥିବା ଏହି ପୀଠର ଅବସ୍ଥା ଶୋଚନୀୟ ହୋଇପଡିଛି । ଘର କାନ୍ଥରୁ ରଙ୍ଗ ଛାଡି ଅଧା ଭାଙ୍ଗି ଯାଇଥିବା ବେଳେ ଆଖପାଖ ପରିବେଶ ଏକଦମ ଅପରିସ୍କାର ହୋଇ ପଡିରହିଛି । ଏହି ସ୍ଥାନର ରକ୍ଷଣାବେକ୍ଷଣ ସହ ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ସ୍ଥାନକୁ ଐତିହ ପୀଠର ମାନ୍ଯତା ଦେବାକୁ ମଧ୍ଯ ସାଧାରଣରେ ଦାବି ହୋଇଛି । ସେପଟେ ଏହି ସ୍ଥାନରେ ଜମି ବିବାଦ ରହିଛି । ସେସବୁର ଶୀଘ୍ର ସମାଧାନ ହୋଇଗଲେ ପୀଠର ଉନ୍ନତିକରଣ କାର୍ଯ୍ୟ ମଧ୍ଯ ହେବ ବୋଲି କହିଛନ୍ତି ଅସ୍ତରଙ୍ଗ ତହସିଲଦାର ।

କେବଳ ଗୋଟିଏ ଛୋଟ କୋଠରୀରେ ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଛଡା ପୀଠରେ ଆଉ କିଛି ନାହିଁ । କେବେ ମିଳିବ ଏହି ଐତିହାସିକ ପୀଠକୁ ମାନ୍ୟତା ତାକୁ ହିଁ ଅପେକ୍ଷା ।

ଏଠି ଗ୍ରାମ ଦେବତା ଭାବେ ପୂଜା ପାଇଥାନ୍ତି ସ୍ବାଧୀନତା ସଂଗ୍ରାମୀ ମିଟୁ କୁଆଁର

ଝାରସୁଗୁଡ଼ା: ଝାରସୁଗୁଡାର ଲଜକୁରାର ସହିଦ ମିଟୁ କୁଅଁର । ବ୍ରିଟିଶ ବିରୋଧରେ ଲଢେଇ କରି ୧୮୪୫ରେ ହୋଇଥିଲେ ସହିଦ । ମିଟୁ କୁଅଁରଙ୍କ ବଳିଦାନକୁ ମନେ ପକାଇ ତାଙ୍କୁ ଇଷ୍ଟ ଦେବ ଏବଂ ଗ୍ରାମ ଦେବତା ଭାବେ ପୂଜା କରୁଛନ୍ତି ଗାଁ ଲୋକେ । ବାର୍ଷିକ ଦୁଇଥର ଶ୍ରାବଣ ପୂର୍ଣ୍ଣିମା ଏବଂ ପୌଷ ପୂର୍ଣ୍ଣିମାରେ ଏଠାରେ ହୁଏ ବାବା ମିଟୁ କୁଅଁରଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ମିଟୁ କୁଆଁର । ଇତିହାସରେ ହଜି ଯାଉଥିବା ଜଣେ ସହିଦ । ବୀର ସୁରେନ୍ଦ୍ର ସାଏଙ୍କ ସହିତ ମିଶି ବ୍ରିଟିଶ ସାମ୍ରାଜ୍ୟକୁ ବିସ୍ତାର ହେବାରେ ପ୍ରତିବନ୍ଧକ ସାଜିଥିଲେ ମିଟୁ କୁଅଁର । ବୀର ସୁରେନ୍ଦ୍ର ସାଏ ଜେଲ ଯିବା ପରେ ଲୋକଙ୍କୁ ଏକତ୍ରିତ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ ଏବଂ ଶେଷରେ ୧୮୪୫ରେ ସହିଦ ହୋଇଥିଲେ । ନିଜ ଧନୁ ତୀର ସାହାଯ୍ୟରେ ଇଂରେଜଙ୍କ ଛାତି ଥରାଉଥିବା ମିଟୁ କୁଅଁରଙ୍କ ବଳିଦାନ ପାଇଁ ତାଙ୍କୁ ପୂଜା କରୁଛନ୍ତି ଗାଁ ଲୋକେ।

ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଆଧାରିତ ଅନେକ ଇତିହାସ ପୃଷ୍ଠାରେ ସହିଦ ମିଟୁ କୁଅଁରଙ୍କ ନାଁ ଉଲ୍ଲେଖ ଥିବା ଦେଖିବାକୁ ମିଳେ । ଗାଁର ଅନେକ ଲୋକ ମିଟୁ କୁଅଁରଙ୍କୁ ଦେବତା ଭାବେ ପୂଜା କରୁଥିବା ବେଳେ ଆଜିର ଯୁବପିଢ଼ି ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଧୀରେ ଧୀରେ ଭୁଲିବାରେ ଲାଗିଛନ୍ତି । ପ୍ରଶାସନ ଦ୍ବାରା ସହିଦ ମିଟୁ କୁଅଁରଙ୍କର ସ୍ମୃତି ରକ୍ଷା କରି କୌଣସି ସ୍ମୃତି ସଦନ କିମ୍ବା ପାଠ୍ୟକ୍ରମରେ ସାମିଲ କରାଗଲେ କିମ୍ବା କୌଣସି ଛକର ନାମକରଣ ସହିଦ ମିଟୁ କୁଅଁରଙ୍କ ନାମରେ ନାମିତ କଲେ ନିଶ୍ଚିତ ଭାବେ ଏହା ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳୀ  ହୋଇପାରିବ ବୋଲି ଗାଁ ଲୋକେ କହିଛନ୍ତି ।

ପତାକା ଉତ୍ତୋଳନ ବେଳେ କରେଣ୍ଟ ଲାଗି ଜଣେ ମୃତ

ବରୀ: ପତାକା ଉତ୍ତୋଳନ ସମୟରେ ବିଦ୍ୟୁତ ଆଘାତରେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ । ବରୀ ରାମଚନ୍ଦ୍ରପୁର ଥାନା ବାଲିଆପାଳ ହାଟ ନିକଟରେ ଥିବା ଏକ ଫାଇନାନ୍ସ କାର୍ଯ୍ୟାଳୟରେ ଘଟିଛି ଅଘଟଣ । ସ୍ବାଧୀନତା ଦିବସ ପାଳନ ସମୟରେ ଚାଲିଗଲା କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଜୀବନ । ମୃତ ବ୍ୟକ୍ତି ଜଣଙ୍କ ହେଲେ ନିର୍ମଳ ପ୍ରଧାନ ।

ମିଳିଥିବା ସୂଚନା ଅନୁସାରେ ପତାକା ଉତ୍ତୋଳନ ପାଇଁ ଲୁହା ପାଇପରେ ପତାକାକୁ ବାନ୍ଧୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ତୁରନ୍ତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ କର୍ମଚାରୀ ଜଣଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର ଧର୍ମଶାଳା ମୀର୍ଜାପୂରରେ ବୋଲି ଜଣାପଡିଛି ।

ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ

ଭୁବନେଶ୍ବର: ନୂଆ କରି ବିଧାନସଭାକୁ ଆସିଥିବା ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ଏହି ପ୍ରଶିକ୍ଷଣ ଦିଆଯିବ । ତେବେ ଏହି କାର୍ଯ୍ୟକ୍ରମକୁ ବୟକଟ କରିବ କଂଗ୍ରେସ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତାଙ୍କ ଦଳର ବିଧାୟକମାନେ ଯୋଗ ଦେବେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ହେଉଥିବା ବେଳେ ବିଧାନସଭାର ସଦସ୍ୟ ନ ଥିବା ନେତାମାନେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଓ ସମାପନ ଉତ୍ସବରେ ମୁଖ୍ଯଅତିଥି ଭାବେ ଯୋଗ ଦେବେ । ଏହା ବିଧାନସଭା ନିୟମକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । କାର୍ଯ୍ଯସୂଚୀ ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିବେ ଓ ସମାପନ କରିବେ ବିଜେପି ରାଷ୍ଟ୍ରୀଯ ଅଧ୍ଯକ୍ଷ ଜେପି ନଡ୍ଡା। ତେଣୁ ଏହା ଦଳୀୟ ଦିଗଦର୍ଶନ ପରି ଲାଗୁଥିବାର ଅଭିଯୋଗ କରିଛି କଂଗ୍ରେସ ।

ସ୍କୁଲ ଆଗରେ ଲହଡି ଭାଙ୍ଗୁଛି ପାଣି, ଅଳିଆ ଟ୍ରଲିରେ ଆସି ସ୍ବାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ସାମ୍ନାରେ ଓ ଭିତରେ ଲହଡି ମାରୁଛି ଚାରି ଫୁଟର ପାଣି । ଅଳିଆ ବୁହା ହେଉଥିବା ଟ୍ରଲିରେ ଆସି ସ୍କୁଲରେ ସ୍ୱାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । କାମାକ୍ଷାନଗର ଆଳତୁମା ଗାଁ ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସ୍ୱାଧୀନତା ଦିବସ ପାଳିବାକୁ ଆସି ଟ୍ରଲିରେ ବୁହା ହେଲେ ଛାତ୍ରଛାତ୍ରୀ । ସ୍କୁଲ ଯିବା ରାସ୍ତାରେ ଓ ସ୍କୁଲ ପରିସରରେ ଲହଡି ମାରୁଛି ପାଣି । ଫଳରେ ବିପଦସଂକୁଳ ଅବସ୍ଥାରେ ସ୍କୁଲ ଯାଇଛନ୍ତି । ସ୍କୁଲରେ ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି । ବର୍ଷା ଦିନେ ଜଳ ନିଷ୍କାସନର ସୁବିଧା ନଥିବାରୁ ସ୍କୁଲ ରାସ୍ତା ଓ ସ୍କୁଲ ଭିତରେ ପାଣି ଜମି ରହୁଛି । ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏ ସମ୍ପର୍କରେ ବାରମ୍ବାର ବିଇଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ ସ୍କୁଲ ରାସ୍ତାରେ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ l ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସରକାର ଓ ପ୍ରଶାସନକୁ ଦାବି କରିଛନ୍ତି ପ୍ରଧାନଶିକ୍ଷୟିତ୍ରୀ  ଗ୍ରାମବାସୀ ।

ପଶ୍ଚିମବଙ୍ଗ ସରକାରଙ୍କୁ ଆଳୁ ବ୍ୟବସାୟୀଙ୍କ ଅଲଟିମେଟମ୍, ଚିନ୍ତାରେ ଓଡ଼ିଶା

ଭବନେଶ୍ବର: ରାଜ୍ୟରେ ଆହୁରି ଘନେଇ ପାରେ ଆଳୁ ସଙ୍କଟ । ପଶ୍ଚିମବଙ୍ଗର ପ୍ରମୁଖ ଆଳୁ ବ୍ୟବସାୟୀଙ୍କ ସମେତ ଚାଷୀ, ଶୀତଳ ଭଣ୍ଡାର ମାଲିକଙ୍କ ସମନ୍ୱୟ ବୈଠକରେ ପଶ୍ଚିମବଙ୍ଗ ସରକାରଙ୍କୁ ଦିଆଯାଇଛି ଅଲଟିମେଟମ । ବ୍ୟବସାୟୀଙ୍କ ପକ୍ଷରୁ ୪୮ ଘଣ୍ଟିଆ କଣ୍ଟ ଦିଆଯାଇଥିବା ବେଳେ ସେଥିରୁ ୨୪ ଘଣ୍ଟା ବିତି ସାରିଲାଣି । ପଶ୍ଚିମବଙ୍ଗ ସରକାର ଯଦି ସ୍ୱାଭାବିକ ଭାବେ ଆଳୁ ନ ଛାଡ଼ନ୍ତି ତାହେଲେ ଆଳୁ ଆଉ ବିକିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସେଠାକାର ବ୍ୟବସାୟୀ ।

ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାହାରକୁ ମଧ୍ୟ ଆଳୁ ଦିଆଯିବନି ବୋଲି ବ୍ୟବସାୟୀ ଚେତାବନୀ ଦେଇଛନ୍ତି । ଫଳରେ ଓଡ଼ିଶାକୁ ଚୋରାରେ ଆସୁଥିବା ଆଳୁ ଗାଡି ମଧ୍ୟ ଆଉ ମିଳିବ ନାହିଁ । ଏବେ ବି ଓଡ଼ିଶାର ଆଳୁ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ପଶ୍ଚିମବଙ୍ଗ ପୂରଣ କରୁଛି । ଚୋରାରେ ମଧ୍ୟ ୬୦ ପ୍ରତିଶତ ଆଳୁ ଆବଶ୍ୟକତା ପୂରଣ କରୁଛି ପଶ୍ଚିମବଙ୍ଗ । ଯଦି ବ୍ୟବସାୟୀଙ୍କ କଣ୍ଟ ପରେ ବି ପଶ୍ଚିମବଙ୍ଗ ସରକାର କଟକଣା ନ ହଟାନ୍ତି ତେବେ ଓଡ଼ିଶାକୁ ଚୋରାରେ ମଧ୍ୟ ଆଳୁ ଆସିପାରିବ ନାହିଁ ।

ଯାହାକୁ ଆଖି ଆଗରେ ରଖି ଓଡିଶା ବ୍ୟବସାୟୀ ମହାସଂଘ ବିକଳ୍ପ ବ୍ୟବସ୍ଥା କରୁଥିବା କହିଛନ୍ତି ମହାସଂଘ ମହାସଚିବ ସୁଧାକର ପଣ୍ଡା । ସେଥିପାଇଁ ୟୁପି ବାଟ ଖୋଲିକି ରଖାଯାଇଛି । ପାଗ ଟିକେ ମେଘୁଆ ରହୁଥିବାରୁ ୟୁପି ଆଳୁ ସେତେଟା ପଚୁ ନାହିଁ । ଯଦି ପଶ୍ଚିମବଙ୍ଗରୁ ଆଳୁ ନଆସେ ଓଡିଶା ଲୋକେ ୟୁପି ଆଳୁ ନେବାକୁ ବାଧ୍ୟ ହେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ୟୁପିକୁ ଅଧିକ ପରିମାଣର ଆଳୁ ଅର୍ଡର କରାଯିବ ।

ସରକାର ଏବେ ଏ ନେଇ ପ୍ରସ୍ତୁତ ରହିବା ଦରକାର ବୋଲି କହିଛି ବ୍ୟବସାୟୀ ମହାସଂଘ । ସଂଘ ପକ୍ଷରୁ କୁହାଯାଇଛି, ସରକାର ଏ ନେଇ ଚିନ୍ତା କରିବା ଦରକାର । ସରକାରଙ୍କୁ କିନ୍ତୁ ବ୍ୟବସାୟୀମାନେ କିଛି ଜଣାଇବାକୁ ଚାହୁଁ ନାହାନ୍ତି । ବ୍ୟବସାୟୀ କିଛି କହିଲେ ସରକାର ବଦନାମ କରୁଛନ୍ତି ବୋଲି କହିଛି ବ୍ୟବସାୟୀ ମହାସଂଘ ।