ନନ୍ଦିଘୋଷ ବ୍ୟୁରୋ: କୃଷକଙ୍କ ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଥିବା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ପୁଣି ଆଉ ଏକ ବିବାଦ ଠିଆ କରିଛନ୍ତି । ଏଥର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । କେବଳ ମହାତ୍ମା ଗାନ୍ଧିଙ୍କୁ ନୁହେଁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମ୍ପର୍କରେ ବି ଖରାପ ମନ୍ତବ୍ଯ ଦେଇଛନ୍ତି । କଙ୍ଗନା କହିଛନ୍ତି ଦେଶର କିଏ ପିତା ନାହାନ୍ତି, ଦେଶର ସନ୍ତାନମାନେ ହିଁ ଥାଆନ୍ତି । ଦେଶ ମାତୃକାର ସନ୍ତାନ ଭାବେ ସମସ୍ତେ ଗର୍ବିତ । ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦଙ୍କ ଏହି ମନ୍ତବ୍ଯକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ । ସେ କହିଛନ୍ତି- ନାଥୁରାମ ଗଡସେଙ୍କୁ ଭକ୍ତି କରୁଥିବା ବ୍ଯକ୍ତିମାନେ ବାପୁ ଓ ଶାସ୍ତ୍ରୀଜୀଙ୍କ ମଧ୍ଯରେ ପାର୍ଥକ୍ଯ ଟାଣିଥାନ୍ତି । ଦେଶରେ ଜାତିର ପିତା, ଦେଶ ମାତୃକାର ସନ୍ତାନ ଓ ସହିଦମାନେ ରହିଥାନ୍ତି । ସମସ୍ତେ ସମ୍ମାନଯୋଗ୍ଯ । କଙ୍ଗନାଙ୍କ ମତକୁ ବିରୋଧ କରିଛନ୍ତି ପଞ୍ଜାବର ଖୋଦ୍ ବିଜେପି ନେତା ମନୋରଞ୍ଜନ କାଳିଆ । ସେ କହିଛନ୍ତି- ବିବାଦୀୟ ମନ୍ତବ୍ଯ ଦେବା କଙ୍ଗନାଙ୍କ ଅଭ୍ଯାସରେ ପରିଣତ ହୋଇଛି । କଙ୍ଗନାଙ୍କ ଏଭଳି ମନ୍ତବ୍ଯ ଯୋଗୁ ଦଳ ଅଡୁଆରେ ପଡୁଛି ବୋଲି ସେ କହିଛନ୍ତି। ୨୦୨୧ରେ ପ୍ରତ୍ୟାହୃତ ହୋଇଥିବା ତିନିଟି ଯାକ କଳା କୃଷକ ଆଇନକୁ କାର୍ଯ୍ୟକାରୀ କରାଯାଉ ବୋଲି କହି ଗତ ସେପ୍ଟେମ୍ବରେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ଅଭିନେତ୍ରୀ । ସେ କହିଥିଲେ କୃଷକଙ୍କ ଆନ୍ଦୋଳନ ଦେଶରେ ବାଂଲାଦେଶ ପରି ସମସ୍ଯା ସୃଷ୍ଟି କରିବାକୁ ଯାଉଛି । ଏହା ସହ ଚାଷୀ ଆନ୍ଦୋଳନ ବେଳେ ଶବ ଝୁଲିବା ଦେଖାଯିବା ସହ ଆନ୍ଦୋଳନ ସ୍ଥଳରେ ଦୁଷ୍କର୍ମ ଘଟୁଥିଲା ।
ପୂର୍ବତନ ବିଜେପି ସାଂସଦ ରୁପା ଗାଙ୍ଗୁଲି ଗିରଫ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ବିଜେପି ଏମପି ରୁପା ଗାଙ୍ଗୁଲି ଗିରଫ। ତାଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି କୋଲକାତା ପୋଲିସ। ଲାଲବଜାରସ୍ଥିତ ପୋଲିସ ମୁଖ୍ଯାଳୟରେ ତାଙ୍କୁ ରଖାଯାଇଛି। ଗତ ବୁଧବାର ରାତିରୁ ସେ ବଂଶଦ୍ରୋଣୀ ପୋଲିସ ଷ୍ଟେସନରେ ଧାରଣାରେ ବସିଥିଲେ। ଗିରଫ ହୋଇଥିବା ଜଣେ ବିଜେପି ନେତାଙ୍କ ଖଲାସ ଦାବିରେ ସେ ଧାରଣାରେ ବସିଥିବାବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା। ଗତ ଅକ୍ଟୋବର ୨ରେ ବଂଶଦ୍ରୋଣୀ ଅଞ୍ଚଳରେ ଏକ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ଯୁକୁ ନେଇ ଆନ୍ଦୋଳନ ହୋଇଥିଲା। ସେହି ଅଞ୍ଚଳରେ ରାସ୍ତାର ଦୁରବସ୍ଥାକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ତେବେ ଆନ୍ଦୋଳନରେ ଜଣେ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କୁ ଖଲାସ କରିବା ଦାବିରେ ରୁପା ଧାରଣାରେ ବସିଥିଲେ।
ଇରାନୀ କ୍ଷେପଣାସ୍ତ୍ର ମାଡ଼ରେ ମରିଥିବା ଏକ ମାତ୍ର ବ୍ୟକ୍ତି ଇସ୍ରାଏଲୀ ନୁହେଁ,ରାସ୍ତାରେ ଯାଉଥିବା ପାଲେଷ୍ଟାଇନ୍ ବ୍ୟକ୍ତିଙ୍କ ଉପରେ ପଡିଥିଲା କ୍ଷେପଣାସ୍ତ୍ର
ନନ୍ଦିଘୋଷ ବ୍ୟୁରୋ: ହଠାତ୍ ଇସ୍ରାଏଲ ଉପରେ ୧୮୦ରୁ ଅଧିକ ମିଶାଇଲ ଛାଡ଼ି ସାରା ବିଶ୍ବକୁ ଚମକାଇ ଦେଇଛି ଇରାନ । କିନ୍ତୁ ଇସ୍ରାଏଲ ଏଯାବତ ଏହାର ପ୍ରତିଶୋଧ ସ୍ବରୂପ କୌଣସି ପଦକ୍ଷେପ ନେଇନାହିଁ । କିମ୍ବା ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ସ୍ପଷ୍ଠ ହୋଇନାହିଁ । ସେପଟେ କ୍ଷେପଣାସ୍ତ୍ର ଛାଡ଼ିବା ଫଳରେ ଇସ୍ରାଏଲର କୌଣସି ବିଶେଷ କ୍ଷତି ହୋଇନାହିଁ । ଯଦିଓ ଜଣଙ୍କର ମୃତ୍ୟୁ ହୋଇଛି ତେବେ ସେହି ବ୍ୟକ୍ତି ଜଣକ ପାଲେଷ୍ଟାଇନର ବୋଲି ଜଣାପଡ଼ିଛି । ରାସ୍ତାରେ ଯାଉଥିବାବେଳେ ହଠାତ ତାଙ୍କ ଉପରେ ପଡ଼ି ଯିବାରୁ ମୃତ୍ୟୁ ହୋଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ୪ ଜଣ ପାଲେଷ୍ଟଇନ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଇରାନ ଛାଡ଼ିଥିବା ମିଶାଇଲ ମଧ୍ୟରୁ ୯୦ ପ୍ରତିଶତ ଫେଲ ମାରିଛି । ଏହାର ମୁଖ୍ୟ କାରଣ ହେଉଛି ଇସ୍ରାଏଲର ସୁରକ୍ଷା ବଳୟ ।
ଡ୍ରେସିଂ ପାଇଁ ଆସିଲେ, ଡାକ୍ତରଙ୍କୁ ଗୁଳି କରିଦେଲେ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରୁ ଆସିଲା ଅଭାବନୀୟ ଖବର । ଡାକ୍ତରଙ୍କୁ ଗୁଳିକଲେ ଦୁର୍ବୁତ୍ତ। ଚିକିତ୍ସିତ ହେବାକୁ ମେଡିକାଲକୁ ଆସିଥିଲେ । ଡାକ୍ତରଙ୍କୁ ଗୁଳି କରିଦେଲେ । ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତଦ୍ବୟ ନାବାଳକ ବୋଲି ଜଣାପଡ଼ିଛି । ସେପଟେ ମୃତ ଡାକ୍ତରଙ୍କ ନାମ ଜାଭେଦ ଅଖତର । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ନାବାଳକ ଜଣକ ମେଡିକାଲକୁ ଆସିଥିଲେ । ଆଙ୍ଗୁଠିରେ କ୍ଷତ ହୋଇଥିବାବେଳେ ସେ ଡ୍ରେସିଂ କରିଥିଲେ । ଆଉ ଡାକ୍ତର ଜାଭେଦଙ୍କ ପରାମର୍ଶ କରିବା ପାଇଁ ଯାଇଥିଲେ । ଆଉ କ୍ୟାବିନ୍ ଭିତରୁ ଗୁଳି ଶବ୍ଦ ଶୁଭିଥିଲା । ମେଡିକାଲ କର୍ମଚାରୀମାନେ ଭିତରକୁ ଯାଇ ଦେଖିବା ବେଳକୁ ଡାକ୍ତରଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଛି । ଚିକିତ୍ସିତ କରାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ କେଜ୍ରିଓ୍ବାଲ
ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସ ଭବନ ଖାଲି କରିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଯେଉଁସବୁ ସୁବିଧା ପାଉଥିଲେ ସେଥିରୁ ବଞ୍ଚିତ ହେବେ । ଏପରିକି ସେ ବାସଭବନ ଖାଲି କରିବେ ବୋଲି ପୂର୍ବରୁ କହିଥିଲେ । ତେବେ କେଜ୍ରିଓ୍ବାଲ କେଉଁଠି ରହିବେ ତାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାର ଅନ୍ତ ଘଟିଛି । କେଜ୍ରିଓ୍ବାଲ ଆପ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବେ । ପୂର୍ବରୁ ବହୁ ବିଧାୟକ ଏବଂ କର୍ପୋରେଟରମାନେ ତାଙ୍କୁ ସେମାନଙ୍କ ଘର ପ୍ରଦାନ କରିଥିଲେ । ତେବେ ଦିନେ କିମ୍ବା ଦୁଇଦିନ ମଧ୍ୟରେ ସମସ୍ତ ସାମଗ୍ରୀ ଧରି ନୂଆ ଘରକୁ ଯିବେ କେଜ୍ରିଓ୍ବାଲ ।
ପୂଜାରେ ପ୍ରବଳ ବର୍ଷିବ !
ନନ୍ଦିଘୋଷ ବ୍ୟୁରୋ: ବର୍ଷାରେ ଭିଜିବ ଦଶହରା । ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ଘନୀଭୂତ ହେବା ଆଶଙ୍କା କମ୍ । ଏନେଇ ବାତ୍ୟାର ଭୟ ନଥିବା ପାଣିପାଗ ବିଭାଗର ସୂଚନା ଦେଇଛି । କାଲିଠୁ ଉତ୍ତର ଓଡ଼ିଶାରେ ସ୍ପଳ୍ପ ବର୍ଷା ସମ୍ଭାବନା ରହିଛି । ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ସେପଟେ ବର୍ଷା ନେଇ ୬ ତାରିଖରେ ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆକାଶ ସ୍ବଚ୍ଛ ଯୋଗୁ ଗୁଳଗୁଳି ଜାରି ରହିବ । ୭ ତାରିଖ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର ।
ଶୌଚ ପାଇଁ ଯାଇଥିଲେ, ଟ୍ରେନ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼
ନନ୍ଦିଘୋଷ ବ୍ୟୁରୋ: ଟ୍ରେନ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼। କାମାକ୍ଷାନଗର ଥାନା ଅନୁଗୁଳ-ସୁକିନ୍ଦା ରେଳପଥର ମହୁପାଳ ନିକଟରେ ଘଟିଛି ଦୁର୍ଘଟଣା। ଯୁବକ ଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପ୍ରଧାନ । ଶୌଚ ପାଇଁ ରେଳଲାଇନ ପାର ହେଉଥିବାବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ। ଫଳରେ ବିବେକଙ୍କ ଗୋଡ ସଂପୂର୍ଣ୍ଣ କଟିଯାଇଛି। ଖବର ପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ l ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ନାଗା ଚୈତନ୍ୟ- ସାମନ୍ଥା ଛାଡ଼ପତ୍ର ବିବାଦ, ସୋସିଆଲ ମିଡିଆରେ ଏମିତି ଲେଖିଲେ ସାମନ୍ଥା
ନନ୍ଦିଘୋଷ ବ୍ୟୁରୋ: ଜଣାଶୁଣା ସାଉଥ ଅଭିନେତ୍ରୀଙ୍କ ଛାଡ଼ପତ୍ର ୨୦୨୧ରୁ ହୋଇଥିଲେ ସୁଦ୍ଧା ଏହାକୁ ନେଇ ଏଯାବତ ବିବାଦ ଥମିନି । ଏହି ଦମ୍ପତ୍ତିଙ୍କୁ ଦର୍ଶକେ ବେଶ ପସନ୍ଦ କରୁଥିବାବେଳେ ଏମାନଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ତେବେ ଛାଡ଼ପତ୍ର ବିବାଦକୁ ନେଇ ରାଜନୀତି ମହଲରେ ମଧ୍ୟ ହେଡଲାଇନ ପାଲଟିଛି । ତେଲେଙ୍ଗାନାର ମନ୍ତ୍ରୀ କୋଣା ଚିତ୍ରଲେଖା ନିଜର ଅଭିଭାଷଣରେ କହିଥିଲେ କି, ରାଜନୈତିକ କାରଣରୁ ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ଛାଡ଼ପତ୍ର ହୋଇଛି । ଯାହାକୁ ନେଇ ଏବେ ତର୍କ ବିତର୍କ ଦେଖିବାକୁ ମିଳିଛି । ତେବେ ଏହି ବିବାଦ ଭିତରେ ମୁହଁ ଖୋଲିଛନ୍ତି ସାମନ୍ଥା । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି ସାମନ୍ଥା ।
ସାମନ୍ଥା ଲେଖିଛନ୍ତି କି, ଆମେ ନିଜର ନିଷ୍ପତ୍ତି ଅନୁସାରେ ଛାଡ଼ପତ୍ର ନେଇଛି । ଏହା ଆମର ବ୍ୟକ୍ତଗତ ବ୍ୟାପାର । ଦୟାକରି ଏହାକୁ ରାଜେନୖତିକ କରଣ କରନ୍ତୁ ନାହିଁ । ସେପଟେ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ନାଗା ଚୈତନ୍ୟ ମଧ୍ୟ ନିନ୍ଦା କରିଛନ୍ତି । କହି ରଖୁଛୁ କି, ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିବାହ ହୋଇଥିଲା । ଏହି ସାଉଥ ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ସମ୍ପର୍କ ୪ ବର୍ଷ ରହିଥିଲା । ୨୦୨୧ ମସିହାରେ ଏମାନଙ୍କ ଛାଡ଼ପତ୍ର ହୋଇଥିଲା । ସାମନ୍ଥା ଏବେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଅନ୍ୟପଟେ ନାଗା ଚୈତନ୍ୟ ଦ୍ବିତୀୟ ବିବାହ କରିବାର ଯୋଜନା କରୁଛନ୍ତି ।
ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ଲୁଟ୍
ନନ୍ଦିଘୋଷ ବ୍ୟୁରୋ: ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ଲୁଟ୍। ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତ ରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଡେମୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ। ସମ୍ପତିଆ ଗାଁର ଘନଶ୍ଯାମ କାମିଳାଙ୍କ ତେମୁରିଆ ମାର୍କେଟରେ ଏକ ଗହଣା ଦୋକାନ ରହିଛି। ସବୁଦିନ ଭଳି ଦୋକାନ ବନ୍ଦ କରି ଯାଉଥିବାବେଳେ ନିଛାଟିଆ ରାସ୍ତାରେ ୩ ଦୁର୍ବୁର୍ତ୍ତ । ଗାଡି ଅଟକାଇଥିଲେ। ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଛଡାଇ ନେଇ ଏକ କଳା ରଙ୍ଗ ର ଆପାଚିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଜଳେଶ୍ବର ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଜଣଙ୍କୁ ଅଟକ ରଖିଛି।
ଇରାନ- ଇସ୍ରାଏଲ ଯୁଦ୍ଧ, ଭାରତ ସହୁଛି କ୍ଷତି
ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ଥମିବାର ନାଁ ନେଉନି । ଦିନକୁ ଦିନ ଯୁଦ୍ଧ ପରିସ୍ଥିତି ବଢ଼ୁଥିବାବେଳେ ଭାରତ ପାଇଁ ବଢ଼ୁଛି ଚିନ୍ତା । ଯୁଦ୍ଧ ପାଇଁ ଭାରତ ବାଣିଜ୍ୟ କ୍ଷେତ୍ରରେ କ୍ଷତି ସହୁଛି । ଯାହାକି ସିଧା ସଳଖ ଅର୍ଥନୀତି ଉପରେ ପ୍ରଭାବ ପକାଉଛି । GTRI କହିଛି କି, ଏହି ବିବାଦ ଇସ୍ରାଏଲ୍, ଜୋର୍ଡାନ ଏବଂ ଲେବାନନ୍ ଭଳି ଦେଶ ସହ ଭାରତର ବାଣିଜ୍ୟକୁ କ୍ଷତି ପହଞ୍ଚାଉଛି। ରପ୍ତାନିକାରୀମାନଙ୍କର ଏକ ଅଗ୍ରଣୀ ସଂଗଠନ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ (FIEO) କହିଛି ଯେ ଇରାନ-ଇସ୍ରାଏଲ୍ ବିବାଦର ବିଶ୍ବ ବାଣିଜ୍ୟ ଏବଂ ବିଶ୍ବ ଅର୍ଥନୀତିକୁ ଅନେକାଂଶରେ ପ୍ରଭାବିତ କରିବାର ସାମର୍ଥ୍ୟ ରହିଛି। FIEO ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି ଯେ ଇରାନ ତୈଳ ବଜାରରେ ଏକ ପ୍ରମୁଖ ବ୍ୟବସାୟୀ | ଦ୍ୱନ୍ଦ୍ୱରେ ଯେକ କୌଣସି ବୃଦ୍ଧି ତୈଳ ଯୋଗାଣରେ ବାଧା ସୃଷ୍ଟି କରିପାରେ, ଯାହା ଅଧିକ ମୂଲ୍ୟକୁ ନେଇପାରେ, ଯାହା ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବ, ବିଶେଷ କରି ତୈଳ ଆମଦାନୀ ଉପରେ ନିର୍ଭରଶୀଳ | ତେଲ ଦର ପୂର୍ବରୁ ବ୍ୟାରେଲ ପିଛା ଚାରି ଡଲାର ବୃଦ୍ଧି ପାଇଛି | ଇରାନ ଏବଂ ଇସ୍ରାଏଲ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଭଲ ରହିଛି । ଏଣୁ ଯୁଦ୍ଧ ଲାଗି ରହିଥିବାବେଳେ ଏହାର କ୍ଷତି ସିଧା ସଳଖଭାବେ ଭାରତ ଉପରେ ପଡ଼ିଛି ।
ପଶ୍ଚିମ ଏସିଆ ଦେଶକୁ ଭାରତ କ’ଣ ରପ୍ତାନି କରେ?
ପଶ୍ଚିମ ଏସୀୟ ଦେଶକୁ ଭାରତର ରପ୍ତାନୀର ପ୍ରମୁଖ ସାମଗ୍ରୀଗୁଡ଼ିକରେ ବାସମତି ଚାଉଳ, ମନୁଷ୍ୟକୃତ ସୂତା, ବସ୍ତ୍ର, ରତ୍ନ ଏବଂ ଅଳଙ୍କାର, ସୂତା ସୂତା ଏବଂ କପଡା ଅନ୍ତର୍ଭୁକ୍ତ | ଭାରତ ହେଉଛି ଏସିଆର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ | ଅବଶ୍ୟ, ଦ୍ୱିପାକ୍ଷିକ ବାଣିଜ୍ୟ ବାଣିଜ୍ୟରେ ମୁଖ୍ୟତଃ ହୀରା, ପେଟ୍ରୋଲିୟମ ଉତ୍ପାଦ ଏବଂ ରାସାୟନିକ ପଦାର୍ଥ ପ୍ରାଧାନ୍ୟ ଦେଇଥାଏ | ସାମ୍ପ୍ରତିକ ବର୍ଷଗୁଡିକରେ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ଏବଂ ଉଚ୍ଚ-ବୈଷୟିକ ଉତ୍ପାଦ, ଯୋଗାଯୋଗ ପ୍ରଣାଳୀ ଏବଂ ଚିକିତ୍ସା ଉପକରଣ ଭଳି କ୍ଷେତ୍ରରେ ବାଣିଜ୍ୟରେ ଅଭିବୃଦ୍ଧି ଘଟିଛି |

