ଭୁବନେଶ୍ବର : ଆଜି ବସିବ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହେବ । ଆଗାମୀ ଦିନରେ ହେବାକୁ ଦଳୀୟ କାର୍ଯ୍ୟକ୍ରମ ସହ ସାଂଗଠନିକ ନବକଳେବର ନେଇ ଆଲୋଚନା କରାଯିବ । ସଂଗଠନକୁ ଆହୁରି ମଜବୁତ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଦଳ ତରଫରୁ ସଦସ୍ଯତା ସଂଗ୍ରହ, ପଦଯାତ୍ରା, ପଦାଧିକାରୀ ଚୟନ, ନୂଆ କମିଟି ଗଠନ ଆଦି କାର୍ଯ୍ଯକ୍ରମ ରହିଛି । ବୈଠକରେ ଏହି ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଏହା ମଧ୍ଯରେ ୨୦ରୁ ଅଧିକ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିସାରିଲେଣି ନବୀନ । ଜଣ ଜଣ କରି ଆଲୋଚନା କରିବା ସହ ସେମାନଙ୍କର ମତାମତ ଶୁଣୁଛନ୍ତି । ଦଳ ଆଗକୁ କିଭଳି ଅଧିକ ଶକ୍ତିଶାଳୀ ହୋଇ ନିର୍ବାଚନ ଜିତିବ ସେଥିପାଇଁ ମାର୍ଗଦର୍ଶନ ଦେଉଛନ୍ତି ବିଜେଡି ସୁପ୍ରିମୋ । ଆଜି ବି ରାଜ୍ୟବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ପାଇଁ ଯଥେଷ୍ଟ ସମ୍ମାନ ରହିଛି । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ସରକାର କରିଥିଲା, ତାହାର ଫମ୍ପା ଆୱାଜ ଲୋକଙ୍କୁ ଶୁଭିଲାଣି । ଯାହା ନବୀନଙ୍କ ଲୋକପ୍ରିୟତାକୁ ଆହୁରି ବଢାଉଛି । ଏପରି ସ୍ଥିତିରେ ରାଜ୍ୟବାସୀଙ୍କ ଆସ୍ଥାକୁ ଆହୁରି ସୁଦୃଢ କରିବାକୁ ଆଜିର ବୈଠକରେ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜୁ ଜନତା ଦଳ ।
୧୩ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର : ରାଜ୍ଯର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା । କଟକ ଭୁବନେଶ୍ବରରେ ଗତକାଲିଠୁ ଲଗାଣ ବର୍ଷା ଜାରି ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରଭାବରେ ରାତିସାରା ବର୍ଷା ହେଉଥିବାବେଳେ ସକାଳୁ ମଧ୍ଯ ପ୍ରବଳ ବର୍ଷା ଲାଗି ରହିଛି । କେତେବେଳେ ଝିପିଝିପି ତ କେତେବେଳେ କୁଢୋଉଛି । ଅନବରତ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଜନଜୀବନ । ୧୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ ଓ ଗଞ୍ଜାମକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ଯନ୍ତ ବର୍ଷା ସମ୍ଭାବନା ରହିଛି । ଆଜି ଅପରାହ୍ନ ପର୍ଯ୍ଯନ୍ତ ଏଭଳି ପାଗ ଜାରି ରହିପାରେ । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିବ । ଅପରାହ୍ନରୁ ପାଗରେ ସାମାନ୍ଯ ପରିବର୍ତ୍ତନ ଆସିପାରେ । ତେବେ ଆସନ୍ତା ୩ ଦିନ ଯାଏଁ ଭୁବନେଶ୍ବରରେ ପାଗ ମେଘୁଆ ସହ ବର୍ଷା ହେବାନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଟ୍ରପଲାଇନ ପ୍ରଭାବରେ ୫ ଦିନ ପର୍ଯ୍ଯନ୍ତ ରାଜ୍ଯରେ ଘଡ଼ଘଡ଼ି ବିଜୁଳି ସହ ସ୍ବଳ୍ପରୁ ମଧ୍ଯମରଣର ବର୍ଷା ହୋଇପାରେ ।
ଜେପି ନଡ୍ଡାଙ୍କ ମାଟିର ପୁଅ ମନ୍ତବ୍ୟକୁ ନରସିଂହଙ୍କ କଟାକ୍ଷ, କହିଲେ- ନିଜ ଆଖି ପରୀକ୍ଷା କର
ଭୁବନେଶ୍ବର: ବିଜେପିରେ ମାଟିର ପୁଅ ନେତା ହେଉଛନ୍ତି, ନେତାର ପୁଅ ନୁହେଁ । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଏପରି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜେପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବ ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ନରସିଂହ ।
ନଡ୍ଡାଙ୍କ ଆଖିକୁ ବିଜେପିରେ ପରିବାରବାଦ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ବଲାଙ୍ଗୀର ପାଟଣାଗଡ଼ରେ କ’ଣ ପରିବାରବାଦ ନାହିଁ ? ସ୍ଵାମୀ ବିଧାୟକ, ସ୍ତ୍ରୀ ସାଂସଦ । ସେମାନେ ବିଜେପି ଦଳର ନୁହଁନ୍ତି କି ? ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ. ସିଂହଦେଓଙ୍କ ଏମାନେ ବଂଶଜ ନୁହଁନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା କ’ଣ ବିଧାୟକ ନଥିଲେ ? ବିଜେପିରେ ତ ସବୁଠୁ ଅଧିକ ପରିବାରବାଦ ରହିଛି ଯାହା ଜଳ ଜଳ କରି ଦିଶୁଛି । ରାଜସ୍ଥାନ, ମଧ୍ୟପ୍ରଦେଶରେ ପରିବାରବାଦ ନାହିଁ କି ? ଯେଉଁମାନେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବିଜେପିର କେତେଜଣ ମନ୍ତ୍ରୀ ପରିବାରବାଦ ଠାରୁ ଦୂରରେ ଅଛନ୍ତି ତାହା ନଡ୍ଡା କହିବେ କି ? ସବୁଠି ପରିବାରବାଦ ରହିଛି । ନଡ୍ଡା ଆଖି ପରୀକ୍ଷା କଲେ ଦେଖାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।
ଚିକିଟି ମଦମୃତ୍ୟୁ: ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ
ଭୁବନେଶ୍ବର: ଆରଡିସି ତଦନ୍ତ ନୁହେଁ, ଚିକିଟି ମଦମୃତ୍ଯୁ ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ ସଦସ୍ୟ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଏଥିପାଇଁ ୪ଟି ଟର୍ମ ଅଫ ରେଫେରାନ୍ସ ଦିଆଯାଇଛି । କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ? ଏହି ଘଟଣା ପାଇଁ କିଏ ଦାୟୀ ? ଅବକାରୀ ବିଭାଗ ଓ ପୋଲିସ ବିଭାଗର ଅବହେଳା ଅଛି ନା ନାହିଁ ? ଭବିଷ୍ଯତର ଏଭଳି ଘଟଣା ଯେପରି ନଘଟେ ସେ ନେଇ ସରକାରଙ୍କୁ ପରାମର୍ଶ ଦେବେ ରାଜସ୍ବ ପର୍ଷଦ ସଦସ୍ଯ ।
ଏନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ବହୁଚର୍ଚ୍ଚିତ ଚିକିଟି ମଦମୃତ୍ଯୁ ମାମଲାରେ ଆରଡିସି ତଦନ୍ତ କରିବାକୁ ଗତ ବିଧାନସଭା ଅଧିବେଶନ ସମୟରେ ଗଣମାଧ୍ଯମକୁ କହିଥିଲେ ଅବକାରୀ ପୃଥ୍ବୀରାଜ ହରିଚନ୍ଦନ ।
ଅଗଷ୍ଟ ୧୯ ତାରିଖରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ମୌନ୍ଦପୁର ଗ୍ରାମରେ ବେଆଇନ ଦେଶୀ ମଦ ପିଇବା କାରଣରୁ ପେଟ ଯନ୍ତ୍ରଣା ଓ ବାନ୍ତି ହୋଇ ୫ ଜଣଙ୍କ ମୃତ୍ଯୁ ହୋଇଛି ।
ଏସସିବିରେ ଚେସ୍ ଚାମ୍ପିଅନସିପ୍, ଭାଗ ନେଲେ ଡାକ୍ତରୀ ଛାତ୍ରଛାତ୍ରୀ
କଟକ: ରୋଗୀ ସେବା ପାଇଁ ଡାକ୍ତରୀ ପାଠ ପଢୁଥିବା ରାଜ୍ୟର ୧୧ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ ଥର ପାଇଁ ଏସସିବିରେ ହୋଇଯାଇଛି ଚେସ ଚାମ୍ପିଅନସିପ୍ । ଏଥିରେ ୨୦ ଜଣ ଆଇଏମ ନର୍ମଧାରୀ ଚେସ ଖେଳାଳିଙ୍କ ସହ ମୋଟ ୭୦ ଜଣ ଖେଳାଳି ଭାଗ ନେଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ଚାମ୍ପିଅନସିପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ଟିମ ଚାମ୍ପିଅନ ହୋଇଥିବା ବେଳେ ଏସସିବି ମେଡିକାଲ ଟିମ ରନର୍ସ ଅପ ହୋଇଛି ।
ରୋଗୀ ସେବା କରୁ କରୁ ନିଜ ପାଇଁ ସମୟ କାଢ଼ିବାକୁ ନାହିଁ ବେଳ । ଏହାରି ଭିତରେ ନିଜର ମନକୁ ତାଜା କରିବାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭିତରେ ଆୟୋଜିତ ହୋଇଛି ପ୍ରତିଯୋଗିତା । ପ୍ରଥମ କରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆୟୋଜିତ ହୋଇଛି ଡକ୍ଟରସ୍ ଚେସ ଚାମ୍ପିଅନସିପ । ୩ ଦିନ ଧରି ଆୟୋଜିତ ଏହି ଚମ୍ପିୟନସିପରେ ରାଜ୍ୟର ୧୧ ଟି ମେଡିକାଲ କଲେଜର ୭୦ ଜଣ ବଛାବଛା ଚେସ ଖେଳାଳି ଭାଗ ନେଇଥିଲେ । ସେମାନଙ୍କ ମଧ୍ଯରେ ବିଭିନ୍ନ ମେଡିକାଲ କଲେଜର ୨୦ରୁ ଅଧିକ ଆଇଏମ ନର୍ମଧାରୀ ଚେସ ଖେଳାଳି ଭାଗ ନେଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ଚାମ୍ପିଅନସିପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଟିମ ଚାମ୍ପିଅନ ହୋଇଥିବା ବେଳେ କଟକ ଏସସିବି ମେଡିକାଲ ଟିମ ରନର୍ସ ଅଫ ହୋଇଛନ୍ତି ।
ରାଜ୍ୟର ମେଡିକାଲ କଲେଜ ଗୁଡିକରେ ପାଠ ପଢୁଥିବା ଡାକ୍ତର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହାଦ୍ବାରା ସେମାନେ ନିଜର ବ୍ୟସ୍ତ ବହୁଳ ପାଠ୍ୟ ଖସଡା ଓ ରୋଗୀ ସେବା କାମରୁ ବାହାରି ଖେଳ କୁଦରେ ଆଗ୍ରହ ସୃଷ୍ଟି କରି ପାରୁଛନ୍ତି । ଏହାଛଡା ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ଯରେ ଏଭଳି ପ୍ରତିଯୋଗିତା ସୁସମ୍ପର୍କ ସୃଷ୍ଟି କରିବାରେ ସହାୟକ ହେଉଛି ।
ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ଷୋଳପୂଜା
ବ୍ରହ୍ମପୁର: ମଙ୍ଗଳବାରରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଷଡ଼ଶ ଉପଚାର ପୂଜା । ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ପବିତ୍ର ପାଣି ଆଣି ପହଞ୍ଚିବା ପରେ ହୋଇଥିଲା ମାଆଙ୍କ ସ୍ନାନ ନୀତି । ଏହାପରେ ଷୋଳ ମାଆଙ୍କ ପରମ୍ପରା ଅନୁଯାୟୀ ଷୋଳ ପୂଜା ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ ।
ମାଆ ତାରା ତାରିଣୀଙ୍କ ପୋଲପୂଜାକୁ ନେଇ ପୀଠରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ମାଆଙ୍କ ଷଡ଼ଶ ଉପଚାର ପୂଜା । ପ୍ରଥମ ଦିନ ସନ୍ଧ୍ୟାରେ ସେବାୟତଙ୍କ ପରିବାରର ମହିଳାମାନେ ଋଷିକୂଲ୍ଯା ନଦୀରେ ପହଞ୍ଚିଥିଲେ । ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇ ସହସ୍ରାଧିକ ମାଠିଆରେ ପାଣି ସଂଗ୍ରହ କରାଯାଇଥିଲା । ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ଅନୁଷ୍ଠିତ ହୋଇଥିଲା ମାଆଙ୍କ ସ୍ନାନନୀତି । ସ୍ନାନ ମଣ୍ଡପରୁ ମାଆ ମୁଖ୍ଯ ମନ୍ଦିରକୁ ଯିବା ପରେ ଶୟନ କରିଥିଲେ । ପରଦିନ ଉତଥାପନ ନୀତି ପରେ ମାଆଙ୍କ ଜଳଲାଗି କରି ଆରମ୍ଭ ହୋଇଥିଲା ଷଡ଼ଶ ଉପଚାର ପୂଜା ।
ସ୍ନାନ ମଣ୍ଡପରେ ସ୍ନାନ କରିବା ପରେ ମନ୍ଦିର ଭିତରେ ମାଆଙ୍କ ପୁଣି ମହାସ୍ନାନ କରାଯାଇଥିଲା । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ପୀଠର ପ୍ରତିଦିନ ଚଣ୍ଡୀପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଏହି ସମୟରେ ମାଆଙ୍କୁ ଦର୍ଶନ କଲେ ସକଳ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ପ୍ରତିଦିନ ମାଆଙ୍କ ପୀଠକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।

