spot_img
Home Blog Page 1643

ଘାଟିକିଆ ହତ୍ୟା: ମୃତ ସରସ୍ବତୀଙ୍କ ଭାଇ କହିଲେ- ବିଳମ୍ବ ହେଲେ ବି ଭଉଣୀକୁ ନ୍ୟାୟ ମିଳିଲା

ଭୁବନେଶ୍ବର: ବିଳମ୍ବରେ ହେଲେ ବି ଭଉଣୀଙ୍କୁ ମିଳିଲା ନ୍ୟାୟ । ଭୁବନେଶ୍ଵର ଘାଟିକିଆ ସରସ୍ଵତୀ ହତ୍ୟା ଘଟଣାରେ ଦୋଷୀ ସ୍ଵାମୀ ସଞ୍ଜିତ ଦାସଙ୍କୁ ଫାଶୀ ଦଣ୍ଡାଦେଶ ପରେ ଏମିତି କହିଛନ୍ତି ତାଙ୍କ ଭାଇ । ତେବେ ଘରେ ଥିବା ଦୁଇ ନିଷ୍ପାପ ଭାଣିଜୀଙ୍କ କଥା କହି ଭାଙ୍ଗି ପଡିଛନ୍ତି ସରସ୍ବତୀଙ୍କ ଭାଇ ।

ମାମଲାକୁ ବିରଳରୁ ଅତି ବିରଳ ବିବେଚନା କରି ଦୋଷୀ ସଞ୍ଜିତ ଦାସକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୨୨ ଜୁନ ୯ ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ପତ୍ନୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ସଞ୍ଜିତ । ସେ ସରସ୍ବତୀଙ୍କୁ ୩୩ ଥର ଛୁରୀ ଭୁସି ହତ୍ୟା କରିଥିଲା । ଏପରିକି ୬ ବର୍ଷର ଝିଅକୁ ବି ଛାଡି ନଥିଲା । ମାମଲାରେ ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ଟି ଦସ୍ତାବିଜକୁ ନେଇ ଦଣ୍ଡବିଧାନ ହୋଇଛି । ଘଟଣାକୁ ନେଇ ପଡୋଶୀ କହିଛନ୍ତି ନିଶା ପାଇଁ ଏକ ପ୍ରତିଷ୍ଠିତ ପରିବାର ଛାରଖାର ହୋଇଗଲା

ବଜେଟରେ ଅର୍ଥ ବରାଦ ପରେ ସମାକୋଇ-ଚକଧର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ

ତେଲକୋଇ: ରାଜ୍ୟ ସରକାରଙ୍କ ବଜେଟରେ ଅର୍ଥ ବରାଦ ପରେ ତେଲକୋଇରେ ଚକଧର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ । ଚଳିତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟରେ ଚକଧର ପ୍ରକଳ୍ପ ପାଇଁ ଅର୍ଥ ବରାଦ ପରେ ତେଲକୋଇ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି । ପ୍ରସ୍ତାବିତ ସମାକୋଇ-ଚକଧର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଜଳମଗ୍ନ ହେବ, ହେଲେ ଇଞ୍ଚେ ବି ଜମି ଜଳସେଚିତ ହେବ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଚକଧର ପ୍ରକଳ୍ପ ପାଇଁ ବଜେଟ ଆସିବା ପରେ ତେଲକୋଇ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି । ପ୍ରସ୍ତାବିତ ସମାକୋଇ-ଚକଧର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଜଳମଗ୍ନ ହେବ । ହେଲେ ଇଞ୍ଚେ ବି ଜମି ଜଳସେଚିତ ହେବ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ବିରୋଧ କରିଛନ୍ତି ତେଲକୋଇବାସୀ ।

ଲୋକଙ୍କ ବିରୋଧକୁ ଦେଖି ତେଲକୋଇ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କରଦାଙ୍ଗି ଗାଁ ହାଟ ପଡ଼ିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମାକୋଇ ନଦୀ ଉପରେ ବିକଳ୍ପ ବ୍ୟବସ୍ଥା କରି ଅନୁଗୁଳ ଜିଲ୍ଲାକୁ ଜଳସେଚିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଲୋକଙ୍କ ମୁହଁରୁ ଚକଧର ପ୍ରକଳ୍ପକୁ ନେଇ ସମସ୍ୟା ଶୁଣିବା ପରେ ବିଧାୟକ ଏହାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଧାୟକଙ୍କ ନେତୃତ୍ବରେ ତେଲକୋଇରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବିଧାୟକଙ୍କ ପ୍ରତିଶ୍ରୁତି ଚକଧର ପ୍ରକଳ୍ପକୁ ବନ୍ଦ କରିବାରେ କେତେଦୂର ସହାୟକ ହେବ ଓ ଲୋକଙ୍କ ଦୀର୍ଘଦିନର ସମସ୍ୟା ଦୂର ହେବ ବି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଓଟିଟିରେ ଡିଜିଟାଲ ଜାଲିଆତିକୁ ନେଇ ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ, ରାଜ୍ୟସଭାରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ଡିଜିଟାଲ ଜାଲିଆତି ବା ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନକୁ ନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ । ଏକ ଲିଖିତ ପ୍ରଶ୍ନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ପଚାରିଥିଲେ- ଓଟିଟି ପ୍ଲାଟଫର୍ମର ବ୍ୟବହାର ନେଇ ଯୁବଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ?

ମାନସଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ କହିଛନ୍ତି, ଓଟିଟି ଓ ଡିଜିଟାଲ ପ୍ଲାଟଫର୍ମର କଣ୍ଟେଣ୍ଟ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଏହି ଆଇନରେ ଡିଜିଟାଲ ମିଡିଆ ପାଇଁ ଏକ କୋଡ ଅଫ୍ ଏଥିକ୍ସ ରହିଛି । ଆଇନତଃ ଯେଉଁ କଣ୍ଟେଣ୍ଟଗୁଡିକ ପ୍ରକାଶ କରାଯିବା ଉଚିତ ନୁହେଁ, ତାହାକୁ ଏହି କୋଡ ଅଫ୍ ଏଥିକ୍ସ ଦ୍ବାରା ନିୟନ୍ତ୍ରିତ କରାଯାଇଥାଏ । ଏଥିରେ ବୟସ ଅନୁଯାୟୀ ବର୍ଗୀକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶିଶୁମାନେ କିଭଳି ବର୍ଜିତ କଣ୍ଟେଣ୍ଟ ଆକ୍ସସେସ କରିପାରିବେ ନାହିଁ ସେନେଇ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି ।

ଆଶାକିରଣ ପାଲଟିଛି ଡେଥ୍ ହୋମ୍: ୨୦ ଦିନରେ ୧୩ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଦିଲ୍ଲୀର ଆଶାକିରଣ ହୋମ୍ସ । ସେଲଟର ହୋମରେ ୨୦ ଦିନ ମଧ୍ୟରେ ୧୩ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ଯୁ । ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଲୋକଙ୍କ ମନରେ ସନ୍ଦେହର ରେଖା ଟାଣି ଦେଇଛି ।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହିଛି ଏ ଆଶାକିରଣ ହୋମ୍ସ । ବର୍ଷକ ମଧ୍ୟରେ ମୋଟ ୨୭ ଜଣଙ୍କ ମୃତ୍ଯୁ ଘଟିଲାଣି । ଏତେ ସଂଖ୍ୟକ ପିଲାଙ୍କ ମୃତ୍ଯୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି ଏଠାରେ ଜଣଙ୍କ ପରେ ଜଣେ ପିଲାଙ୍କ ଜୀବନ ଯାଉଛି ତାହାର ତନାଘନା ଆରମ୍ଭ ହୋଇଛି ।

କେବଳ ଜୁଲାଇ ମାସରେ ୧୩ ଜଣଙ୍କ ଜୀବନ ଯାଇଛି । ଯାହାର ତଦନ୍ତ ଏସଡିଏମ କରୁଛନ୍ତି। ଅନେକଙ୍କ ସ୍ଵାସ୍ଥାବସ୍ଥା ଖରାପ ହେବା ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ଯୁ ଘଟିଛି ।

ଆଶାକିରଣ ହୋମ୍ସରେ ବର୍ଷକ ମଧ୍ୟରେ ୨୭ ଜଣଙ୍କ ମୃତ୍ଯୁ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ମାନସିକ ବିକାରଗ୍ରସ୍ତ ପିଲା ରହିଛନ୍ତି । ମୃତକଙ୍କ ମଧ୍ୟରୁ ୧୩ ଜଣଙ୍କ ବୟସ ୧୨ରୁ ୨୦ ବର୍ଷ ମଧ୍ୟରେ ରହିଛି । ମୃତ୍ଯୁର କାରଣ ଲୁଚାଇବାକୁ ଉଦ୍ୟମ ହେଉଥିବା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ଯୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏହି ସେଲଟର ହୋମ ବିବାଦରେ ରହି ଆସିଛି । ରହସ୍ୟମୟ ସ୍ଥିତିରେ ଅନେକଙ୍କ ମୃତ୍ଯୁ ନେଇ ପ୍ରଶ୍ନ ଉଠିଛି । ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି । ମୁଖ୍ୟତଃ ଆଶାକିରଣ ହୋମ୍ସରେ ମାନସିକ ସ୍ତରରେ ବିକାରଗ୍ରସ୍ତ ଦିବ୍ୟାଙ୍କ ଶିଶୁଙ୍କ ଦେଖାରଖା କରାଯାଇଥାଏ । କ୍ଷମତାଠାରୁ ଏହି ସେଲଟର ହୋମରେ ଅଧିକ ଅନ୍ତେବାସୀ ରହୁଥିବା ଜଣାପଡିଛି । ପିଲାଙ୍କ ମୃତ୍ଯୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମନ୍ତ୍ରୀ ଅତିଶୀ । ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ଦିଲ୍ଲୀ ସରକାର ।

ଇଲେକ୍ଟ୍ରୋଲାର ବଣ୍ଡ ମାମଲାରେ SIT ତଦନ୍ତ ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଇଲେକ୍ଟ୍ରୋରାଲ ବଣ୍ଡ ମାମଲାର ଏସଆଇଟି ତଦନ୍ତ ଆବେଦନକୁ ଅଗ୍ରାହ୍ଯ କରିଦେଲେ ସୁପ୍ରିମକୋର୍ଟ । ଉଚ୍ଚତମ ନ୍ୟାୟାଳୟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ବାବଧାନରେ ଏସଆଇଟି ତଦନ୍ତ ପାଇଁ ଆବେଦନ କରାଯାଇଥିଲା । ଏଥିରେ ସରକାର, ଶାସକ ଦଳ ଓ ବଡ଼ ବଡ଼ କମ୍ପାନୀ ସାମିଲ ଥିବାରୁ ଏସଆଇଟି ତଦନ୍ତ ପାଇଁ ୪ଟି ଆବେଦନ ହୋଇଥିଲା । ସେମାନଙ୍କ ମଧ୍ଯରେ ଥିଲେ ବିଶିଷ୍ଟ ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ ।

କୋର୍ଟ କହିଛନ୍ତି- ଚାନ୍ଦା ନେଇ ରାଜନୈତିକ ଦଳ ଓ କମ୍ପାନୀ ମଧ୍ଯରେ ସଲାସୁତୁରା ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଆଇନ ଅନୁସାରେ ତାର ବିଚାର କରାଯିବ । ବର୍ତ୍ତମାନ ପରିସ୍ଥିତିରେ ଅନୁମାନ କରି ହସ୍ତକ୍ଷେପ କରିବା ଠିକ୍ ହେବନି । ଆଇନ ଯଦି ଠିକରେ  କାର୍ଯ୍ଯକାରୀ ନ ହୁଏ, ତେବେ ହୁଏତ  କୋର୍ଟ ହସ୍ତକ୍ଷେପ କରିବେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୋର୍ଟ କହିପାରିବେ ନାହିଁ ଯେ, ବର୍ତ୍ତମାନର ଆଇନ ଠିକ୍ ଭାବେ କାମ କରୁନି । ଏବେ ଏସଆଇଟି ତଦନ୍ତ ଦରକାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଇଲେକ୍ଟ୍ରୋଣାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦିଆଯାଉଥିଲା । ଗତ ଫେବୃଆରିରେ ଏହାକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ । ଚାନ୍ଦାପ୍ରଦାନକାରୀଙ୍କ ନାଁ ଗୋପନ ରଖାଯାଉଥିବାରୁ ବେଆଇନ କହି ରଦ୍ଦ କରିଥିଲେ ସୁପ୍ରିମକୋର୍ଟ ।

ସିଡିଏରେ ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ଯା ଉଦ୍ଯମ

କଟକ: ସିଡିଏରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ଯା ଉଦ୍ଯମ । ଆତ୍ମହତ୍ଯା ଉଦ୍ଯମ କରିଛନ୍ତି ବାପା-ମାଆ ଓ ପୁଅ । ବନ୍ଦଘରୁ ସମସ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପୋଲିସ ଏସସିବିରେ ଭର୍ତ୍ତି କରିଛି ।

ବାପା ମାଆଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ପୁଅ ସାମାନ୍ଯ ସୁସ୍ଥ ଥିବା ଜଣାପଡ଼ିଛି । ସଂକଟାପନ୍ନ ବାପାମାଆ ହେଲେ ଉମା ଚରଣ ପଣ୍ଡା ଓ ସରୋଜିନୀ ପଣ୍ଡା । ପୁଅ ସୌମ୍ୟରଞ୍ଜନ ପଣ୍ଡା ସୁସ୍ଥ ଥିବା ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ । ଋଣ ଭାର ଯୋଗୁ ସମସ୍ତେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ପୁଣି ବଙ୍ଗୋପସାଗରରେ ଲଘୁଚାପ, ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ତେବେ ସଂପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ଲମ୍ବିଛି । ଯାହା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼କୁ ଏହି ସତର୍କତା ଜାରି କରାଯାଇଛି । ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଆକଳନ କରାଯାଉଛି । ବର୍ଷା ପାଇଁ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଅନ୍ଯପଟେ ରାଜ୍ୟରେ ଆସନ୍ତାକାଲି ଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।

ପୁଣି ୬ ତାରିଖରୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ମହାନଦୀ ଉପର ମୁଣ୍ଡରେ ହେବ ପ୍ରବଳ ବର୍ଷା। ପୁଣି ଫୁଲିବ ବିଭିନ୍ନ ନଦୀର ଜଳସ୍ତର ।
ରାଜ୍ୟରେ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଛି। ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ।ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ରହିବ। ସେପଟେ ଏବେ ବି ୧୧ ଜିଲ୍ଲାରେ ରହିଛି ନିଅଣ୍ଟିଆ ବର୍ଷା ।

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ତାଣ୍ଡବ, ୭ ମୃତ ୫୦ ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷାରେ ୭ ଜଣଙ୍କ ମୃତ୍ଯୁ। ଶିମଲା, ମଣ୍ଡି ଓ କୁଲ୍ଲୁରେ ବାଦଲ ବର୍ଷା ତାଣ୍ଡବ ରଚିଛି। ୫୦ ଜଣ ନିଖୋଜ ହୋଇଯାଇଛନ୍ତି। ବାଦଲ ଫଟା ବର୍ଷା ପରେ ଭୂସ୍ଖଳନରୁ ବ୍ଯାପକ କ୍ଷୟକ୍ଷତି ଘଟିଛି। ଭୂସ୍ଖଳନରୁ ଅନେକ ରାସ୍ତାରେ ମାଟି ଅତଡା ପଡି ଅବରୋଧ ହୋଇଛି। ଏଥିଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଟିମ ପହଞ୍ଚିବାକୁ ଅନେକ ପରିଶ୍ରମ କରିବାକୁ ପଡୁଛି। ଏବେବି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଓ ଭୂସ୍ଖଳନ ପରେ ଏବେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

ହିମାଚଳ ପ୍ରଦେଶ ଲାହୋଲ ଓ ସ୍ପିତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଲାହୋଲ ଓ ସ୍ପିତିରେ ୩.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପରୁ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

୧୦ଟି ଟ୍ରକରେ ୟୁପିରୁ ଆସିଲା ୩୦୦ ଟନ ଆଳୁ ହେଲେ କମିବନି ଦାମ୍‌

ଭୁବନେଶ୍ବର: ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଲା ହେଲେ ଦାମ କମିବନି । କାରଣ ଏବେ ପଶ୍ଚିମବଙ୍ଗରୁ ଯେଉଁ ଦାମରେ ଓଡ଼ିଶା ଆଳୁ କିଣୁଥିଲା ୟୁପିରୁ ପରିବହନ ଖର୍ଚ୍ଚ ମିଶାଇ ସେହି ଦାମରେ ଆଳୁ କିଣାଯାଇଛି । ଆଜି ୧୦ଟି ଟ୍ରକରେ ୩୦୦ ଟନ ଆଳୁ ଆସି ଭୁବନେଶ୍ବରରେ ପହଞ୍ଚିଛି । ଉତ୍ତର ପ୍ରଦେଶରୁ ଆଳୁ ଆସିଥିଲେ ବି ଓଡ଼ିଶା ବଜାରରେ ଦାମ କମିବ ନାହିଁ । କାରଣ ୟୁପିରୁ କୁଇଣ୍ଟାଲ ପିଛା ୨୪ଶହ ଟଙ୍କାରେ ଆଳୁ କିଣାଯାଉଥିବାବେଳେ ପରିବହନ ଖର୍ଚ୍ଚ ପଡ଼ୁଛି ୩୦୦ ଟଙ୍କା ।

ଅର୍ଥାତ କୁଇଣ୍ଟାଲ ପିଛା ଦର ୨୭ଶହ ଟଙ୍କା ପଡୁଛି । ଯାହାକି ଏବେ ପଶ୍ଚିମବଙ୍ଗର ଦାମ ସହିତ ପ୍ରାୟ ସମାନ । ଏଣୁ ଏହି ଦାମ ଗ୍ରହଣ କରିବାକୁ ପଡ଼ିବ ବୋଲି ଅନୁରୋଧ କରିଛନ୍ତି ବ୍ଯବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା । ସୁଧାକର କହିଛନ୍ତି ଓଡ଼ିଶାରେ ପରିଚାଳନାଗତ ତ୍ରୁଟି ରହୁଛି । ବଜାରକୁ ଯେଉଁପ୍ରକାରର ପରିଚାଳନା କରିବା କଥା ସେପରି କରାଯାଉନାହିଁ ।

କେତେ ଦରରେ ବିକ୍ରି କରାଯିବ ସେନେଇ ନିଷ୍ପତ୍ତି ସରକାର ନେବା ଆବଶ୍ଯକ ରହୁଛି । ମାତ୍ର ରାଜ୍ୟ ସରକାର ଠୋସ ପଦକ୍ଷେପ ସହିତ ରିଟେଲର ପଲିସି ଆଣୁନଥିବାରୁ ସମସ୍ଯା ହେଉଛି ।

ଫୁଲୁଛି ବିଭିନ୍ନ ନଦୀ, ବନ୍ୟା ସ୍ଥିତି ନାହିଁ କହିଲେ ଜଳସମ୍ପଦ ଅଧିକାରୀ

ଭୁବନେଶ୍ବର: ବଢୁଛି ବିଭିନ୍ନ ନଦୀର ଜଳସ୍ତର। କିନ୍ତୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। କାରଣ ବିପଦ ସଙ୍କେତର ବହୁତ ତଳେ ରହିଛି ଜଳସ୍ତର। ଲଘୁଚାପ ଜନିତ ବର୍ଷା ହେଲେ ବି ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି। ଜଳଭଣ୍ଡାର କୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖା ପାଖି ଇନଫ୍ଲୋ ଅଛି। ଏବେ ପର୍ଯ୍ୟନ୍ତ ୬ଟି ସ୍ଳୁଇସ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି। ୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି। ଉପର ବ୍ରାହ୍ମଣୀରେ ୨୭ ମିଲିମିଟର ବର୍ଷା ହୋଇଛି।

ବୈତରଣୀରେ ବେସିନରେ ୧୧ ଏମଏମ ବର୍ଷା ହୋଇଛି। କୋଲାବରେ ଆଗରୁ ଅଧିକ ବର୍ଷା ପାଇଁ ଅତୀତରେ ମାଲକାନ ଗିରିରେ ବନ୍ୟା ହୋଇଥିଲା। ସୁବର୍ଣ୍ଣରେଖା ବେସିନରେ ମଧ୍ୟ ୧୧ ଏମଏମ ବର୍ଷା ହୋଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବେସିନରେ ୧୭ ଏମଏମ ହୋଇଛି। ଏହା ଫଳରେ ସବୁ ଜାଗାରେ ଜଳଭଣ୍ଡାର ସ୍ତର ଅଧିକ ବୃଦ୍ଧି ପାଉଛି।

କୌଣସି ଜାଗାରେ ନଦୀ ଜଳସ୍ତର ବିପଦ ସଂକେତ ଅବସ୍ଥାରେ ନାହିଁ। ବନ୍ୟା ପରିସ୍ଥିତି କେଉଁଠି ମଧ୍ୟ ନାହିଁ। ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବଢ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଂଜନ ମହାନ୍ତି। ଏହି ଲଘୁଚାପ ପାଇଁ ବିଶେଷ କିଛି ପ୍ରଭାବ ପଡିବ ନାହିଁ। ଉପର ବ୍ରାହ୍ମଣୀରେ ବର୍ଷା ପାଇଁ ଟିକେ ଜଳସ୍ତର ବଢ଼ିପାରେ। ଆଉ ୩୦ରୁ ୪୦ହଜାର କ୍ୟୁସେକ ଜଳ ବଢ଼ିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।