ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଶକ୍ତିଶାଳୀ ରୁଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହି ପ୍ରକଳ୍ପରେ ଋଷ ସହ ହାତ ମିଳାଇବବାକୁ ପ୍ରସ୍ତୁତ ରହିଛି ଭାରତ। ଭାରତ ଋଷର ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପ ଉପରେ ଅନେକ ଆଗ୍ରହ ପ୍ରକାଶ କରିଛି। ଋଷର ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରେ ନିର୍ମାଣ ହେବାକୁ ଥିବା ଷ୍ଟେସନରେ ଆବଶ୍ୟକ ବିଦ୍ଯୁତ ଶକ୍ତି ପୂରଣ କରିବା। ଋଷ, ଭାରତ ସହ ପଡୋଶୀ ଚୀନ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି। ଋଷର ସରକାରୀ ପରମାଣୁ ନିଗମ ରୋସାଟମ ଏହି ପ୍ରକଳ୍ପର ନେତୃତ୍ଵ ନେଇଛି। ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ଏହି ପରମାଣୁ ଶକ୍ତି ପ୍ରକଳ୍ପରୁ ଅଧା ମେଗାୱାଟ ବିଜୁଳି ଉତ୍ପାଦନ ହେବ। ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ବେସକୁ ଏହି ପ୍ରକଳ୍ପରୁ ବିଦ୍ଯୁତ ସଂଯୋଗ କରାଯିବ। ଆସନ୍ତା ୨୦୩୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ପ୍ରକଳ୍ପ। ପ୍ରକଳ୍ପ ପ୍ରତି ଭାରତ ଓ ଚୀନ ଆଗ୍ରହ ପ୍ରକାଶ କରିଥିବା ଋଷର ପରମାଣୁ ଶକ୍ତି ପ୍ରକଳ୍ପ ସଂସ୍ଥା ରୋସାଟମ ସୂଚନା ଦେଇଛି। ଚନ୍ଦ୍ରପୃଷ୍ଠରେ ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କାମ ଚାଲିଛି ବୋଲି ଘୋଷଣା କରିଛି ଋଷର ମହାକାଶ ଗବେଷଣା ସଂସ୍ଥା ରୋସ୍କୋସ୍ମୋସ। ଋଷ ଏବଂ ଚୀନ ମିଳିତ ଭାବେ ଏହି ଯୋଜନାରେ ସାମିଲ ହୋଇଥିବା କହିଛି। ଏହି ପ୍ରକଳ୍ପ ଦ୍ଵାରା ଭାରତର ଅନେକ ଲାଭ ହେବ। ଆସନ୍ତା ୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରପୃଷ୍ଠକୁ ମଣିଷକୁ ପଠାଇବାକୁ ଯୋଜନା କରିଛି। ଏହାଦ୍ଵାରା ଏହି ପ୍ରକଳ୍ପରୁ ସେଠାରେ ଆବଶ୍ୟକ ହେଉଥିବା ଶକ୍ତିର ଆବଶ୍ୟକତା ପୂରଣ କରିବ। ୨୦୨୧ରେ ଋଷ ଏବଂ ଚୀନ ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଅନୁସଂଧାନ ଷ୍ଟେସନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ୨୦୩୫ରୁ ୨୦୪୫ ମଧ୍ୟରେ କେତେବେଳେ ବି ଆରମ୍ଭ ହେବା ସମ୍ଭାବନା ରହିଛି। ଏହି ଷ୍ଟେସନର ଉଦ୍ଦେଶ୍ୟ ବୈଜ୍ଞାନିକ ଗବେଷଣା ଲାଗି ବ୍ୟବହାର କରିବାକୁ ରହିଛି। ଅଧିକାଂଶ ଦେଶ ଏହି ଷ୍ଟେସନର ବ୍ୟବହାର କରିପାରିବେ। ତେବେ ଆମେରିକା ସହ ଅନୟ କିଛି ଦେଶରୁ ଏହି ଷ୍ଟେସନର ଲାଭ ମିଳିନପାରେ। ଋଷର ସହଯୋଗୀ ହିସାବରେ ଭାରତ ଏହି ପ୍ରକଳ୍ପରୁ ଲାଭ ଉଠାଇବା ସମ୍ଭାବନା ରହିଛି। ଭାରତ ମଧ୍ୟ ୨୦୫୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ବେସ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।
ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ସଂଚାର ବ୍ୟୁରୋ: ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଦିଲ୍ଲୀରେ ଚିହ୍ନଟ ଆକ୍ରାନ୍ତ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡ଼ିଛି। ସନ୍ଦେହରେ ସଂଗରୋଧରେ ବ୍ଯକ୍ତି ଜଣଙ୍କୁ ରଖାଯାଇଛି। ତେବେ ସନ୍ଦିଗ୍ଧ ଜଣଙ୍କର ରିପୋର୍ଟ ନୂଆ ଷ୍ଟ୍ରେନର ନଥିବା ଜଣାପଡିଛି। ଏହି ଷ୍ଟ୍ରେନରେ ଏତେଟା ବିପଦ ନାହିଁ। ପ୍ରୋଟୋକଲ ଅନୁଯାୟୀ ଆଡଭାଇଜରି ଜାରି ହୋଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜଳ, ସ୍ଥଳ, ଆକାଶ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି।ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ଥିତି ତଦାରଖ କରାଯାଉଛି। ମଙ୍କିପକ୍ସ ରୋକିବାକୁ ପ୍ରତିଷେଧକମୂଳକ ପଦକ୍ଷେପ ସହ ଲକ୍ଷଣ ଏବଂ କାରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି।
ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଦିନ ସାଢେ ୧୦ରୁ ସାଢେ ୧୧ଟା ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରେଡ ଆଲର୍ଟରେ ଥିବା ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।କାଲି ସକାଳ ପର୍ଯ୍ୟନ୍ତ ସର୍ବାଧିକ ବର୍ଷାର ପ୍ରଭାବ ରହିବ । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ।


