spot_img
Home Blog Page 1646

ପୁଣି ଏକ ଲଘୁଚାପ, ଦୁଇଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଲଘୁଚାପ । ଅନବରତ ବର୍ଷା କଲାଣି ନାକେଦମ । ଏହାରି ଭିତରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ଯୁଞ୍ଜୟ ମହାପାତ୍ର । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ଓଡ଼ିଶାରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶାକୁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବାଲେଶ୍ଵରକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝରକୁ ସତର୍କତା ଜାରି କରାଯାଇଛି  ।

ଏହି ସମୟରେ କମ ଦୃଶ୍ୟମାନ ରହିବା ସହ ରାସ୍ତା ଜଳମଗ୍ନ ଏବଂ ତଳୁଆ ଅଞ୍ଚଳ ଗୁଡିକରେ ପାଣି ଜମି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୦୭ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୦  ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଜୁନାଗଡ଼ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ହେବାକୁ ଥିବା ଅନାସ୍ଥ ଭୋଟ ସ୍ଥଗିତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ସ୍ଥଗିତ । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ଯ ଅବସ୍ଥା ଖରାପ ଥିବାରୁ ଏହାକୁ ଆଜି ସ୍ଥଗିତ ରଖାଯାଇଛି ।

ବିଜେପି ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କାଉନସିଲରମାନେ । ଏହାକୁ ନେଇ ଆଜି ଭୋଟ କରିବାକୁ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଦିନ ୧୧ଟାରେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ ଅଧକାରୀ ଭାବେ ଦାୟିତ୍ଵ ଦିଆଯାଇଥିଲା । ନିର୍ବାଚନ ଅଧିକାରୀଙ୍କ ନିୟମ ମୁତାବକ ସମସ୍ତ କାଉନସିଲର ମଧ୍ୟ ଉପସ୍ଥିତ ହୋଇଥିଲେ । ହେଲେ ଗୋଟିଏ ଫୋନ କଲ ପରେ ଏହାକୁ ସ୍ଥଗିତ ରଖାଯାଇଛି । ଜିଲ୍ଲାପାଳଙ୍କୁ ଫୋନ ଆସିଥିଲା ଯେ, ନିର୍ବାଚନ ଅଧିକାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏହାପରେ ଅନାସ୍ଥା ଭୋଟିଂକୁ ସ୍ଥଗତି ରଖାଯାଇଛି ।

ତେବେ ଏହାକୁ ନେଇ କାଉନସିଲରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷଙ୍କୁ ବଞ୍ଚାଇବାକୁ ବିଜେପି ଚକ୍ରାନ୍ତ କରି ସମସ୍ତ ସରକାରୀ କଳକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ନିର୍ବାଚନ ଭଣ୍ଡୁର କରିବାକୁ ଚକ୍ରାନ୍ତ ହୋଇଥିବା କହି ଆଜି ଭୋଟ କରିବାକୁ ଅଡି ବସିଛନ୍ତି କାଉନସିଲରମାନେ । ଜୁନାଗଡ଼ ଏନଏସିରେ ୧୨ଟି ୱାର୍ଡ ଥିବା ବେଳେ ସେଥି ମଧ୍ୟରୁ ୧୦ ଜଣ କାଉନସିଲର ବିଜେଡ଼ିର । ବିଜେପିର ୨ ଜଣ କାଉନସିଲର ଅଛନ୍ତି ।

ମାଆ ଲକ୍ଷ୍ମୀଙ୍କ ପାଖରେ ହାତୀଦାନ୍ତ ପୂଜା ପରେ ବିକ୍ରି ଯୋଜନା ଚାଲିଥିବା ବେଳେ ମାଡି ବସିଲା ବନ ବିଭାଗ

କପ୍ତିପଦା: ହାତୀ ଶିକାର କରି ଦାନ୍ତ ତାଢ଼ି ନେଲେ । ଆଉ ବିକ୍ରି କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ପାଖରେ ହାତୀଦାନ୍ତ ରଖି କରୁଥିଲେ ପୂଜାର୍ଚ୍ଚନା । ଏହି ସମୟରେ ରେଡ୍ ମାରିଲା ବନ ବିଭାଗ । ଆଉ ଜାଲରେ ପଡ଼ିଲେ ଶିକାରୀ । ଏମିତି ଘଟଣା ଘଟିଛି କପ୍ତିପଦା ଥାନା ବିଦ୍ୟାଧର ନଗର ଅଞ୍ଚଳରେ । ଲକ୍ଷ୍ମୀଙ୍କ ଫଟୋ ସାମନାରେ କଦଳୀ ପତ୍ରରେ ହାତୀ ଦାନ୍ତ ରଖି ପୂଜାର୍ଚ୍ଚନା କରିବା ସହ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କଲା ବନ ବିଭାଗ ।

ହାତୀ ଦାନ୍ତ ବିକ୍ରିର ମାଷ୍ଟରମାଇଣ୍ଡ ସାଜିଥିଲେ  ଜିଓ ଟ୍ୟାଗ ଅଧିକାରୀ ନିରଞ୍ଜନ ବେହେରା । ହାତୀ ଦାନ୍ତ ବିକ୍ରି ନିମନ୍ତେ ପୂଜାର୍ଚ୍ଚନା ଚାଲିଥିବା ବେଳେ କପ୍ତିପଦା ଓ ଉଦଳା ବନ ବିଭାଗ ସହିତ ଟାସ୍କଫୋର୍ସ ଟିମ ମିଳିତ ଭାବେ ଚଢାଉ କରିଥିଲେ । ମୁଖ୍ଯ ଅଭିଯୁକ୍ତ ନିରଞ୍ଜନ ବେହେରା ସମେତ ୭ ଜଣଙ୍କୁ ଗିରଫ କରାଯିବା ସହ ୫ଟି ହାତୀ ଦାନ୍ତ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ମୟୂରଭଞ୍ଜ କପ୍ତିପଦା ଏବଂ ଉଦଳା ଅଞ୍ଚଳର ହୋଇଥିବା ବେଳେ ଦାନ୍ତ କିଣିବାକୁ ଆସିଥିବା ଯୁବକମାନେ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ରାକେଟର ରାଜ୍ଯ ବାହାରେ ଲିଙ୍କ ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତମାନେ ୪ ବର୍ଷ ହେଲା ହାତୀଦାନ୍ତ ବେପାର କରୁଥିବା ଜଣାପଡ଼ିଛି ।

ସ୍ତ୍ରୀକୁ ୩୩ ଥର ଛୁରୀ ଭୁସି ହତ୍ୟା କରିଥିବା ସ୍ବାମୀକୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ବର: ପତ୍ନୀହନ୍ତା ସ୍ବାମୀଙ୍କୁ ଫାଶୀ ଦଣ୍ଡାଦେଶ । ଘାଟିକିଆରେ ସ୍ତ୍ରୀକୁ ୩୩ ଥର ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ସଞ୍ଜିତ ଦାସ । ୨୦୨୨ ଜୁନ ୯ ତାରିଖରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଞ୍ଜିତ । ସ୍ତ୍ରୀକୁ ୩୩ ଥର ଛୁରୀ ଭୁସିବା ସହ ୬ ବର୍ଷୀୟ ଝିଅର ତଣ୍ଟି କାଟି ଦେଇଥିଲା ରାକ୍ଷସ ବାପା । ଝିଅ ସୁସ୍ଥ ହେବାକୁ ଲାଗିଥିଲା ୩ ମାସ ସମୟ ।

ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦଣ୍ଡବିଧାନ ହୋଇଛି । ଅଭିଯୁକ୍ତର ଝିଅ, ମାଆ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ରାୟ ଶୁଣାଇଛନ୍ତି ଅଦାଲତ ।

ହତ୍ଯାକାଣ୍ଡ ପରେ ପୋଲିସ ଦେଇଥିବା ସୂଚନା ଅନୁସାରେ, ନିଶା ପାଇଁ ନାରକୀୟ କାଣ୍ଡ ଘଟଣାଥିଲା ସଞ୍ଜିତ । ମୃତ ସରସ୍ବତୀ ପେଶାରେ ଜଣେ ନର୍ସ ଥିଲେ । ଏପଟେ ଅଭିଯୁକ୍ତ ସଞ୍ଜିତ ବେରୋଜଗାର ଥିଲା । ଜମି ବିକି ନିଶା ସେବନ କରୁଥିଲା ସଞ୍ଜିତ । କୋଟି କୋଟି ଟଙ୍କା ନିଶା ଖାଇବାରେ ଖର୍ଚ୍ଚ କରୁଥିବାରୁ ପରିବାର ଚଳାଉଥିଲେ ସରସ୍ବତୀ । ନିଶା ସେବନ ଫଳରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମଦ ପିଇ ସ୍ତ୍ରୀଙ୍କୁ ମାରଧର କରୁଥିଲା ସଞ୍ଜିତ ।

ଘଟଣା ଦିନ ରାତି ସାଢ଼େ ଦୁଇଟା ରାତିରେ ପତିପତ୍ନୀଙ୍କ ମଧ୍ଯରେ ଝଗଡା ହୋଇଥିଲା । ରାଗରେ ସ୍ତ୍ରୀକୁ ରାତି ସାଢ଼େ ୩ଟାରେ ୩୩ ଥର ଛୁରୀ ଭୁସି ହତ୍ୟା କରିଥିଲା ସଞ୍ଜିତ । ସକାଳ ୭ଟାରେ ବଡ଼ ଝିଅ ଉଠି ମାଆକୁ ଖୋଜିବା ପରେ ତାକୁ ବି ଆକ୍ରମଣ କରିଥିଲା ସଇତାନ । ସକାଳେ ଝିଅକୁ ଆକ୍ରମଣ କରି ରୁମରେ ବନ୍ଦ କରି ପଳାଇଥିଲା ସଞ୍ଜିତ । ହତ୍ୟା କରିବା ପରେ ମଦ ଦୋକାନରୁ ମଦ କିଣି ପିଇଥିଲା । ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ରକ୍ତ ଲଗା ଛୁରୀ ଓ ଗାମୁଛା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ମଧୁମିତା ଆତ୍ମହତ୍ଯା ମାମଲା: ଛାନବିନ ଲାଗି ମଧୁମିତାଙ୍କ ଘରେ ପହଞ୍ଚିଲା ପୋଲିସ

ଭୁବନେଶ୍ୱର: ସାମ୍ବାଦିକ ମଧୁମିତା ପରିଡ଼ା ଆତ୍ମହତ୍ଯା ମାମଲାରେ ଧଉଳି ଥାନା ପୋଲିସର ଛାନବିନ। ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ । ଅଭିଯୁକ୍ତ ଶ୍ରୀଧର ରହୁଥିବା ଭଡ଼ାଘରେ ଛାନବିନ କରିଛି ପୋଲିସ । ଶ୍ରୀଧରକୁ ନେଇ ଧଉଳି ଥାନା ଇନ୍ଦିରା କଲୋନିରେ ଥିବା ଭଡ଼ା ଘରେ ତନତନ କରି ଯାଞ୍ଚ କରିଛି ପୋଲିସ। ଏହି ଭଡ଼ା ଘରୁ ମଧୁମିତାଙ୍କ ସୁଇସାଇଡ୍ ନୋଟ ଜବତ ହୋଇଛି।

ସେପଟେ ଶ୍ରୀଧର କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ। ଛାଡପତ୍ର କଥା ପୂର୍ବରୁ ମଧୁ ଓ ତାଙ୍କ ପରିବାର ଜାଣିଥିଲେ। ସ୍ବାମୀଙ୍କ ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଥିଲେ ମଧୁମିତା। ଗତ ୨୪ ତାରିଖରେ ଟ୍ରେନ ଆଗକୁ ଡେଇଁ ସେ ଆତ୍ମହତ୍ଯା କରିଥିବାର ଅଭିଯୋଗ ହୋଇଥିଲା। କିନ୍ତୁ ପରିବାର ଲୋକେ ଝିଅକୁ ହତ୍ଯା କରାଯାଥିବା ଅଭିଯୋଗ କରିଥିଲେ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ତୃତୀୟ ପଦକ, ସୁଟର ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ : ଆଜି ଷଷ୍ଠ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ତୃତୀୟ ପଦକ ହାସଲ ହୋଇଛି । ପୁରଷ ୫୦ ମିଟର ରାଇଫଲ ସୁଟିଂରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ।

ଏହା ପୂର୍ବରୁ ଭାରତ ଦୁଇଟି ପଦକ ଜିତିଥିବା ବେଳେ ଏହା ମଧ୍ୟରେ ମୋଟ ଅଲିମ୍ପିକ୍ସ ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିବସରେ ବ୍ରୋଞ୍ଜ ପଦକ ଜିତି ସ୍ୱପ୍ନିଲ କୁସାଲେ ଇତିହାସ ରଚିଛନ୍ତି ।

 

ଝିଆରିର ଛୁଆକୁ ଚୋରାଇ ନେଲା ସମ୍ପର୍କୀୟ ମାଉସୀ

ଆଠଗଡ: ଝିଆରିର ଛୁଆକୁ ଚୋରାଇ ନେଲା ସମ୍ପର୍କୀୟ ମାଉସୀ । ମେଡିକାଲରେ ଛୁଆକୁ ଧରିବା ବାହାନାରେ ଚାରିମାସର ଶିଶୁ ପୁତ୍ରକୁ ଚୋରି କରି ନେଲା ସମ୍ପର୍କୀୟ ମାଉସୀ। ଏଭଳି ଘଟଣା ଘଟିଛି ଖୁଣ୍ଟୁଣି ମେଡିକାଲ ପରିସରରେ।

ସୂଚନା ଅନୁଯାୟୀ, ବୁଧବାର ଭୋଗରାଇ ଅଞ୍ଚଳର ମହିଳା କାମିନି ଦେହୁରୀ ନିଜ ପୁଅକୁ ମେଡିକାଲ ନେଇ ଆସିଥିବା ବେଳେ ଦେଖା ହୋଇଥିଲେ ଢେଙ୍କାନାଳ ଅଞ୍ଚଳର ସମ୍ପର୍କୀୟ ମାଉସୀ। ସେଠାରୁ ସେ ପୁଅ ଟିକୁ ଚୋରେଇ ନେଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଖୁଣ୍ଟୁଣି ଥାନାରେ ଅଭିଯୋଗ ପରେ ଢେଙ୍କାନାଳ ପିଙ୍ଗୁଆ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀ ସହିତ ଦ୍ବିତୀୟ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ଖୁଣ୍ଟୁଣି ପୋଲିସ।

ସେଓ ଏବଂ କମଳା ଉପରେ କାହିଁକି ଲଗାଯାଇଥାଏ ଷ୍ଟିକର ? ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ବଜାରରେ ଷ୍ଟିକର ଲଗାଯାଇଥିବା ସେଓ ଏବଂ କମଳା ମିଳୁଥିବା ଆପଣ ଦେଖିଥିବେ। ବ୍ୟବସାୟୀମାନେ ଏହି ଷ୍ଟିକର ଲଗାଯାଇଥିବା ଫଳକୁ ବିକ୍ରି କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ଏଥିରେ କାହିଁକି ଷ୍ଟିକର ଲଗାଯାଇଥାଏ । ଏହା ପଛର କାରଣ କ’ଣ ରହିଛି? ଷ୍ଟିକର ଲଗାଯାଇଥିବା ସେଓ ଏବଂ କମଳାକୁ ଅନେକ ଲୋକ ଭଲ କିମ୍ୱା ସର୍ବୋତ୍ତମ ବୋଲି ଭାବିଥାନ୍ତି। କିନ୍ତୁ ଏହାର ପ୍ରକୃତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଆପଣ ସେଓ କିମ୍ବା କମଳା ଉପରେ ୪ ଅଙ୍କ ବିଶିଷ୍ଟ ଷ୍ଟିକର୍ ଦେଖନ୍ତି, ତେବେ ଏହାକୁ କିଣିବା ପୂର୍ବରୁ ସତର୍କ ହୋଇଯାନ୍ତୁ। ଏହି ଷ୍ଟିକର ସଂଖ୍ୟାଗୁଡିକ ଯଦି ୪ ଅଙ୍କ ବିଶିଷ୍ଟ ହୋଇଥାଏ ଏବଂ ୪ରୁ ଆରମ୍ଭ ହୋଇଥାଏ, ଯେମିତି କି ୪୦୨୬ କିମ୍ବା ୪୮୯୧ ଇତ୍ୟାଦି । ତାହାର ଅର୍ଥ ହେଉଛି, ଏହି ଫଳଟିରେ କୀଟନାଶକ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ଫଳକୁ ଉତ୍ପନ୍ନ କରାଯାଇଛି। ଏହି ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚିଥାଏ ।

ଯଦି କିଛି ଫଳରେ ଷ୍ଟିକରର ସଂଖ୍ୟା ୫ ଅଙ୍କ ବଶିଷ୍ଟ ଲେଖା ହୋଇଛି । ଏବଂ ଏହି ସଂଖ୍ୟାଗୁଡିକ ୮ ରୁ ଆରମ୍ଭ ହୁଏ, ଯେମିତି କି ୮୪୩୨୧ କିମ୍ବା ୮୭୯୨୧ ଇତ୍ୟାଦି। ତେବେ ଏହାର ଅର୍ଥ ହେଉଛି ଯେ, ଏହିପରି ଫଳଗୁଡିକ ଜେନେଟିକ୍ ରୂପାନ୍ତରିତ ହୋଇଛି । ଏହି ଫଳ ଗୁଡିକ ଜୈବିକ ନୁହେଁ । ଏହାର ଅର୍ଥ ଏହି ଫଳଗୁଡିକ ପ୍ରାକୃତିକ ନୁହେଁ । ଏଗୁଡିକୁ ଲ୍ୟାବରେ ବିକଶିତ କରାଯାଇଛି ।

ତେବେ କେଉଁ ଷ୍ଟିକର ଲଗାଯାଇଥିବା ସେଓ ବା ଫଳ ଆପଣ କିଣିବେ ଜାଣିରଖନ୍ତୁ । ୫ ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥିବ ଏବଂ ଏହାର ଆରମ୍ଭ ୯ରୁ ହେଉଥିବ ଯେମିତିକି ୯୩୪୫୧ କିମ୍ୱା ୯୧୨୪୫ ଇତ୍ୟାଦି। ତେବେ ଏହାର ଅର୍ଥ ହେଉଛି, ତାହା ଶରୀର ପାଇଁ ସର୍ବୋତ୍ତମ ଫଳ ହୋଇଥାଏ । ଏହି ଫଳ ଗୁଡିକ ଜୈବିକ ଭାବେ ଉତ୍ପାଦିତ ହୋଇଛି।

ପିସିସି କମିଟି ଭଙ୍ଗାଯିବା ପରେ ଅଚଳ ଅବସ୍ଥାରେ ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର: ପିସିସି କମିଟି ଭଙ୍ଗାଯିବା ପରେ ଅଚଳ ହୋଇପଡିଛି ଓଡ଼ିଶା କଂଗ୍ରେସ। ତୁରନ୍ତ ପିସିସି ସଭାପତି ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସ ଭବନରେ ତାଲା ପଡିଛି। ଦଳରେ ଅଚଳବସ୍ଥା ଲାଗି ରହିଛି । ଯିଏ ଦଳକୁ ଆଗକୁ ନେବ, ତାଙ୍କୁ ତୁରନ୍ତ ପିସିସି ସଭାପତି ଭାବେ ନିଯୁକ୍ତି କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଜୟଦେବ । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ମଧ୍ଯ ସେ ଚିଠିରେ ପ୍ରସ୍ତାବ ଦେଇଛନ୍ତି।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ହାଇକମାଣ୍ଡ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ଦାୟିତ୍ଵ ଦେବେ। ଯିଏ ଦଳକୁ ସୁସଙ୍ଗଠିତ କରି ପାରିବ ତାଙ୍କୁ ଦାୟିତ୍ବ ଦେବା ନେଇ ହାଇକମାଣ୍ଡ ବିଚାରବିମର୍ଶ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ।

‘କୋଟା ଭିତରେ କୋଟା ରଖାଯାଇପାରିବ’; ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: SC-ST ସଂରକ୍ଷଣ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି (SC/ST)ଙ୍କ କୋଟା ଭିତରେ କୋଟା ରଖାଯାଇପାରିବ। ରାଜ୍ଯଗୁଡ଼ିକ ST, SCଙ୍କ ମଧ୍ଯରେ ଉପ-ବର୍ଗ କରି ପାଠପଢ଼ା ଓ ଚାକିରିରେ ସ୍ଥାନ ସଂରକ୍ଷଣ କରିପାରିବେ। ଆଜି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

ସୂଚନା ଅନୁୟାୟୀ, ୨୦୦୪ରେ ଦେଇଥିବା ନିଜର ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ସବୁ ST/SC ଙ୍କ ମଧ୍ଯରେ ସମସ୍ତଙ୍କ ସ୍ଥିତି ସମାନ ନୁହେଁ। କିଏ ଅଧିକ ଅବହେଳିତ ତ କିଏ ଅପେକ୍ଷାକୃତ ଭଲରେ ଅଛି। ତେଣୁ ଅଧିକ ପଛୁଆ ଥିବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ SC/ST କୋଟା ମଧ୍ଯରେ କୋଟା କରାଯାଇପାରିବ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ହୋଇଥିବା ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ତେବେ ୭ ବିଚାରପତିଙ୍କ ମଧ୍ଯରୁ ଜଣେ ଭିନ୍ନ ରାୟ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ଭିତରେ ସଂରକ୍ଷଣ ଦେବା ପାଇଁ ଉପଯୁକ୍ତ ଡାଟା ଥିବା ଦରକାର। ଗୋଟିଏ ବର୍ଗରେ ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁନଥିବାର ପ୍ରମାଣ ଥିବା ଦରକାର ବୋଲି କୋର୍ଟ କହିଛନ୍ତି ।