spot_img
Home Blog Page 1653

ଦଶମ ଶ୍ରେଣୀ ଛାତ୍ରର କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ

ଅନୁଗୁଳ : ଦଶମ ଶ୍ରେଣୀ ଛାତ୍ରର କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ । ସ୍କୁଲ ଛୁଟି ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ଗଣ୍ଡଗୋଳ । ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା ।

ଆଜି ସ୍କୁଲ ଛୁଟି ହେବା ପରେ ପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ୍ ଏକ ମାଂସ କଟା କଟୁରୀରେ ଦଶମ ଶ୍ରେଣୀ ଛାତ୍ର ଜଣକ ଆକ୍ରମଣ କରିଥିଲା । ମୁଣ୍ଡରେ କଟୁରୀ ଚୋଟ ଯୋଗୁଁ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରିବାର ଲୋକ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

କଟକ : ଫୁଲୁଚି ମହାନଦୀ , ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର । ହୀରାକୁଦ ର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଥିଲେ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନପୁଟୁ ବନ୍ୟା ନିଷ୍କାସନ କରାଯାଉଛି ।

ସେପଟେ ରବିବାର ହୀରାକୁଦ ଡ୍ୟାମ ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଛଡା ଯାଇଥିବା ବେଳେ ଆଜି ମୁଣ୍ଡଳୀ ରେ ପହଞ୍ଚିଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ । ମୁଣ୍ଡଳୀ ନିକଟସ୍ଥ ମହାନଦୀ ରେ ଚଳିତ ବର୍ଷର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଧୀରେ ଧୀରେ ମହାନଦୀ ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମୁଣ୍ଡଳୀ ଠାରେ ୧ ଲକ୍ଷ ୯୦ ହଜାର ୧୩୨ ଘନପୁଟୁ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ର ଉପର ଭାଗରେ ଜଳସ୍ତର ୮୨.୪୦ ତଳ ଭାଗରେ ୭୮.୬୦ ରହିଥିବା ବେଳେ ବିପଦ ସଂକେତ ତଳେ ରହିଛି ବନ୍ୟା ଜଳ । ଦିନ ୧୨ ଟା ସୁଦ୍ଧା ପିକ ରେ ପହଞ୍ଚିବ ବନ୍ୟାଜଳ । ମହାନଦୀ ଫୁଲୁ ଥିବାରୁ ତଳିଆ ଅଞ୍ଚଳବାସୀ ଆତଙ୍କିତ ।

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ : ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ :  ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ୩ ଆଶାୟୀଙ୍କ ମୃତ୍ୟୁ ଘଟଣା। ମାମଲାର ତଦନ୍ତ ନେଇ ଗଠନ ହେଲା କମିଟି। କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ଏହି କମିଟି ଗଠନ କରିଛନ୍ତି। କୋଚିଂ ସେଣ୍ଟରରେ ପାଣି ପଶିଯାଇ ୩ ଛାତ୍ରଙ୍କ ମୃତ୍ଯୁ ଘଟଣାର କମିଟି ତଦନ୍ତ କରିବ। ଆସନ୍ତା ୩୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଜାଗ୍ରତ ରହିବାକୁ କହିଛନ୍ତି କେନ୍ଦ୍ର ସରକାର।

ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦିଆଯାଇଛି। ବେସମେଣ୍ଟରେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରିଦିଆଯାଇଛି। ବେସମେଣ୍ଟକୁ ସାଧାରଣତଃ ପାର୍କିଂ ଓ ଷ୍ଟୋର ଲାଗି ବ୍ଯବହୃତ ହେଉଥିବାବେଳେ ଅନେକ ସ୍ଥାନରେ ଏହାକୁ କୋଚିଂ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ସୂଚନା ମିଳିଛି। ସେପଟେ ମୃତ ଛାତ୍ରଛାତ୍ରୀଙ୍କ ବିୟୋଗରେ ଭାଙ୍ଗିପଡିଛନ୍ତି ସହପାଠୀ। ସେମାନେ ଅମର ଆତ୍ମାର ସଦଗତି କାମନା କରିବା ସହ ଦୋଷୀଙ୍କ ବିରୋଧରେ ଦଣ୍ଡ ଦାବି କରିଛନ୍ତି। ଗତ ୨୦୨୩ରେ ଦିଲ୍ଲୀର ମୁଖାର୍ଜୀ ନଗରର ଏକ ବେସମେଣ୍ଟରେ ଏକ ଆଇଏଏସ କୋଚିଂ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିଥିଲା । ତଥାପି ବେସମେଣ୍ଟରେ ଅନେକ କୋଚିଂ ସେଣ୍ଟର ଚାଲିଥିଲା।

ଆଭ୍ୟନ୍ତରୀଣ ଓ ଊପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ପୁଣି ଏକ ଘୁର୍ଣ୍ଣିବଳୟର ଆଶଂକା କରିଛି ପାଣିପାଗ ବିଭାଗ। ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ଆଗକୁ ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩୧ରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର।ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ,କଟକ ମାଲକାନଗିରି କୋରାପୁଟ ଓ ନବରଙ୍ଗପୁରରେ ପର୍ବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆଜି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ,ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩୧ ତାରିଖ ବେଳକୁ ଘୁର୍ଣ୍ଣିବଳୟ ପ୍ରଭାବରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଟକ, ନୟାଗଡ଼, ଢେଙ୍କାନାଳ ,ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବିକାଶ ଦିବ୍ୟକିର୍ତ୍ତୀଙ୍କ ଦୃଷ୍ଟି IAS କୋଚିଂ ସେଣ୍ଟରରେ ତାଲା

ନୂଆଦିଲ୍ଲୀ: ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏସଏସ ଷ୍ଟଡି ସର୍କଲ ବେସମେଣ୍ଟରେ ପାଣି ପଶିବା ଯୋଗୁଁ ତିନି ଛାତ୍ରଙ୍କ ମୃତ୍ୟୁ ପରେ ଦିଲ୍ଲୀ ନଗର ନିଗମ ଅଧିକାଂଶ କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ନେହେରୁ ବିହାର ବର୍ଦ୍ଧମାନ ମଲ୍‌ର ବେସମେଣ୍ଟରେ ଚାଲିଥିବା ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରକୁ ସିଲ୍‌ କରିଦିଆଯାଇଛି  । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି କୋଚିଂ ସେଣ୍ଟର ଲୋକପ୍ରିୟ ଅଟେ  । ଆଇଏଏସ ସେବାରୁ ସ୍ବେଚ୍ଛାକୃତ ଅବସର ନେବାପରେ ଦିଲ୍ଲୀରେ ଆଇଏଏସ ଆଶାୟୀଙ୍କ ପାଇଁ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ଖୋଲିଛନ୍ତି ବିକାଶ ଦିବ୍ୟକିର୍ତ୍ତୀ ।

ଏହା ପୂର୍ବରୁ ରବିବାର ଦିନ ପାଖାପାଖି ୧୩ଟି କୋଚିଂ ସେଣ୍ଟର ସିଲ୍‌ କରାଯାଇଥିଲା  । ଏଥିରେ ଆଇଏଏସ ଗୁରୁକୂଳ, ଚହଲ ଏକାଡେମୀ, ପ୍ଲୁଟସ ଏକାଡେମୀ, ସାଇ ଟ୍ରେଡିଂ, ଆଇଏଏସ ସେତୁ, ଟପର୍ସ ଏକାଡେମୀ, ଦୈନିକ ସମ୍ବାଦ, ସିଭିଲ୍ସ ଡେଲି ଆଇଏଏସ, କ୍ୟାରିଅର ପାୱାର, ୯୯ ନୋଟସ, ବିଦ୍ୟା ଗୁରୁ, ଗାଇଡାନ୍ସ ଆଇଏଏସ ଓ ଇଜି ଫର ଆଇଏଏସ ସାମିଲ ଅଛି  ।

ଏହି ସମସ୍ତ କୋଚିଂ ସେଣ୍ଟର ନିୟମର ଉଲଙ୍ଘନ କରିଥିବାରୁ ଦିଲ୍ଲୀ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି  । ଗତ ବର୍ଷ ଦିଲ୍ଲୀ ମହାନଗର ନିଗମ ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ଭୀଷଣ ଅଗ୍ନିକାଣ୍ଡ ପରେ ଏପରି କୋଚିଂ ସେଣ୍ଟର ପାଇଁ ସର୍ଭେ କରାଯାଇଥିଲା । ରାଓ ଆଇଏଏସ ଷ୍ଟଡି ସର୍କଲର ବେସମେଣ୍ଟରେ ପାଣି ପଶିବା କାରଣରୁ ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ସେଠାରେ ପିଲାଙ୍କ ପାଇଁ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଥିଲା  ।

ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି

0

ଭୁବନେଶ୍ବର: ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି । ବନ୍ୟା ବେଳେ ସ୍ଵଚ୍ଛ ପାନୀୟ ଜଳ ପିଇବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ଯ ବିଭାଗ । ଏସଆରସିଙ୍କ ନିର୍ଦ୍ଦେଶ ଆଧାରରେ ଫିଲଡ ସ୍ତରରେ ଏହାର କାର୍ଯ୍ୟକାରିତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଏସଆରସି ଯେଉଁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସେସବୁ ଅଞ୍ଚଳରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛି ।

ରନ୍ଧା ଖାଦ୍ୟ ଯେଉଁଠି ଦିଆଯାଉଛି ସେଠି ଶୁଦ୍ଧ ପାନୀୟ ଜଳ ବି ଯୋଗାଣ ହେଉଛି । ସ୍ୱାସ୍ଥ୍ୟ ବିଭାଗର ଟିମ ସବୁଆଡେ ଆଲର୍ଟ ରହିଛି । ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଔଷଧ, ସାଲାଇନ, ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟ ସହ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଯୋଗାଯୋଗରେ ରହିଛି। ରାପିଡ ରେସପନ୍ସ ଟିମ ପ୍ରସ୍ତୁତ ରହିଛି।

ପ୍ରସୂତି ମହିଳାଙ୍କୁ ଆଗୁଆ ସତର୍କ କରାଯାଇଛି। ଆଶ୍ରୟ ସ୍ଥଳରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶାକର୍ମୀ ଆଲର୍ଟ ରହିଛନ୍ତି । ବାରମ୍ବାର ରିମାଇଣ୍ଡର ମଧ୍ୟ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସେପଟେ ରାଜ୍ୟରେ ଡେଙ୍ଗୁ ସଂଖ୍ୟା ବଢୁଥିବାରୁ ସରକାର ସତର୍କ ଅଛନ୍ତି । ଖୋର୍ଦ୍ଧା ଆଗରେ ଥିବାବେଳେ ସୁନ୍ଦରଗଡ ଦ୍ଵିତୀୟରେ ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ।

ବଜେଟ ଆଲୋଚନାରେ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ବର: ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ସେ କଟାକ୍ଷ କରି କହିଛନ୍ତି-ନୂଆ ସରକାରକୁ ଧନ୍ଯବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି ନୂଆ ସରକାର। ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି ନାଁ ପରିବର୍ତନ। ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର। ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି 20% ସରକାର ପ୍ରତିଶୃତି ଉପରେ କହୁଛନ୍ତି।

ନୂଆ ସରକାର ସୁଭଦ୍ରା ଯୋଜନା ଜରିଆରେ 0.29% ଇସ୍ତାହାର ପ୍ରତିଶୃତି ଦେଇଛି। ୨ କୋଟିରୁ ଅଧିକ ମହିଳା ଅଛନ୍ତି। ପ୍ରତିଶୃତି ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର। ହେଲେ ୧୦ ହଜାର କୋଟି ବଜେଟରେ ଅଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକି ମହିଳାଙ୍କ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ପେନସନ କଥା ବି ଉଠାଇଛନ୍ତି ବିରୋଧୀ ଦଳ ନେତା।

ସେ କହିଛନ୍ତି-ନୂଆ ସରକାରଙ୍କ ଯୋଜନା ଅନୁସାରେ ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷ ଲୋକଙ୍କ କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର। ଧାନର MSP ୩୧୦୦ ଟଙ୍କା କରିବାକୁ କହିଛନ୍ତି ସରକାର। ବଜେଟରେ ୩୦% ଚାଷୀ ବି ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ। ମାଗଣା ବିଦ୍ୟୁତ କେମିତି ଦେବ। ଓଡ଼ିଶାର ୩ ଲକ୍ଷ ଘର ଏହି ଯୋଜନାରେ ଉପକୃତ ହେବେ। ରାଜ୍ଯରେ ୧ କୋଟି ଘର ଅଛି । ଏହା କଣ ମାଗଣା ବିଜୁଳି ପ୍ରତିଶୃତି କି ବୋଲି କଟାକ୍ଷ କରିଛନ୍ତି ନବୀନ। ?

ତା ସହିତ ସେ ଚ୍ୟାଲେଞ୍ଜ ଦେଉଛନ୍ତି-ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ଵି ମାଗଣା ବିଜୁଳି ଦେଇ ପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଜୁଳି ଅପେକ୍ଷାରେ ଅଛନ୍ତି। ରାଜ୍ଯ ସରକାରଙ୍କୁ ନିଶାନା କରି ନବୀନ କହିଛନ୍ତି-ଆପଣ ଲୋକଙ୍କୁ ଠକିଛନ୍ତି । ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ କହିଲ। ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ ଦରକାର। ଏହା ହୋଇ ପାରିବ ନାହିଁ। ନବୀନ ସିଧା ନିଶାନା କରି କହିଛନ୍ତି-ଆପଣଂକ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ। ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ। ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି।

କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା, ‘ପଦ୍ମଚିହ୍ନ ଦଳର ଚକ୍ରବ୍ୟୂହରେ ଫସିଛି ଭାରତ’

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରକୁ ଘେରିଲେ ରାହୁଲ। କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିବା ସହ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ବିଜେପି ଭାରତୀୟ ଜନତାଙ୍କୁ ଚକ୍ରବ୍ୟୁହରେ ଫସାଇଥିବା ଗୃହ ମଧ୍ୟରେ କହିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି ମହାଭାରତରେ ଯାହା ଅନେକ ବର୍ଷ ପୂର୍ବରୁ ଅଭିମନ୍ଯୁ ସହ ହୋଇଥିଲା, ଆଜି ତାହା ଭାରତର ଜନତାଙ୍କ ସହ କରାଯାଉଛି। ପଦ୍ମଫୁଲ ସଦୃଶ ଏହି ଚକ୍ରବ୍ୟୁହ।

ବଜେଟ ପ୍ରସଙ୍ଗରେ କହିବା ଅବସରସରରେ କେନ୍ଦ୍ର ସରକାରଙ୍କୁ ଇଣ୍ଟର୍ଣ୍ଣସିପ ଯୋଜନାରୁ ଆରମ୍ଭ କରି ପେପର ଲିକ୍ ଘଟଣା ନେଇ ଘେରିଥିଲେ। ଦେଶରେ ଟାକ୍ସ ଟେରରିଜମ ଚାଲିଛି ବୋଲି କହିଥିଲେ ରାହୁଲ। ଦେଶରେ ଭୟର ବାତାବରଣ ରହିଛି। କେନ୍ଦ୍ରର ମନ୍ତ୍ରୀ ଓ ବିଜେପି ନେତା ମଧ୍ୟ ଭୟଭୀତ ହୋଇ ରହିଛନ୍ତି। ବଜେଟରେ କେବଳ ଶିଳ୍ପପତି ଏବଂ କେନ୍ଦ୍ରୀୟ ଏଜେନ୍ସକୁ ମଜଭୁତ କରିବାକୁ ବ୍ୟବସ୍ଥା କରାଯାଇଛି। ଦେଶରେ କର ଆତଙ୍କବାଦ ସ୍ଥିତି ରହିଛି।

ଏହାକୁ ରୋକିବାକୁ ବଜେଟରେ କୌଣସି ବ୍ୟବସ୍ଥା କରାଯାଇନି। ଅର୍ଥମନ୍ତ୍ରୀ ବଜେଟରେ ପେପର ଲିକ୍ ପ୍ରସଙ୍ଗ ନେଇ ଗୋଟିଏ ପଦ ବି କହିନାହାନ୍ତି। ଶିକ୍ଷା କ୍ଷେତ୍ରରେ ୨୦ ବର୍ଷ ଭିତରେ ସବୁଠାରୁ କମ ଅର୍ଥ ବ୍ୟୟବରାଦ କରାଯାଇଛି। ବଜେଟରେ ମଧ୍ୟମବର୍ଗଙ୍କୁ ସରକାର ଧୋକା ଦେଇଛନ୍ତି। ଏବେ ମଧ୍ୟମ ବର୍ଗ ସରକାରଙ୍କ ସାଥ ଛାଡ଼ି ଇଣ୍ଡିଆ ମେଣ୍ଟ ସାଥିରେ ରହିଛି ବୋଲି କହିଛନ୍ତି ରହାଲୁ। କୃଷକଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ଆଇନଗତ ଗ୍ଯାରେଣ୍ଟି। ବଜେଟରେ ଅନ୍ନଦାତାଙ୍କ ଲାଗି କିଛି ବ୍ଯବସ୍ଥା ନାହିଁ।

କୃଷକଙ୍କ ସମ୍ପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି। ଗୃହରେ ରାହୁଲଙ୍କ ବୟାନ ନେଇ ବିଜେପି ସଦସ୍ୟ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଏହାକୁ ନେଇ ଗୃହରେ ଦୁଇ ପକ୍ଷରୁ ପ୍ରବଳ ହଂଗାମା ହୋଇଥିଲା।

ଖାଲି ସିନ୍ଦୁକ ଓ ଆଲମୀରାକୁ ରଖାଯିବା ପରେ ମରାମତି ହେବ ରତ୍ନଭଣ୍ଡାର

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ଆଜି ତଦାରଖ କମିଟି ବୈଠକ ବସି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । ମରାମତି ପୂର୍ବରୁ ପ୍ରଥମେ ଖାଲି ଥିବା ସିନ୍ଦୁକ ଓ ଆଲମୀରାଗୁଡିକୁ କୌଣସି ଏକ ରୁମକୁ ସ୍ଥାନାନ୍ତର କରାଯିବ । ଏହି ସିନ୍ଦୁକ ଓ ଆଲମୀରାକୁ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ରୁମ ବାହାର କରିବେ । ସେଠାରେ ରତ୍ନଭଣ୍ଡାରରୁ ବାହାରିଥିବା ଖାଲି ସିନ୍ଦୁକ ଓ ଆଲମୀରାକୁ ରଖାଯିବା ପରେ ମରାମତି କାମ ନେଇ ନିଷ୍ପତ୍ତି ନିଆଯିବ ।

ମରାମତି ଲାଗି ଉନ୍ନତ ଟେକ୍ନୋଲଜି ପ୍ରୟୋଗ ପାଇଁ ପରିଚାଳନା କମିଟିକୁ ଅନୁମୋଦନ କରାଯାଇଛି । ପରିଚାଳନା କମିଟି ସରକାରଙ୍କୁ ସୁପାରିସ କରି ନିଷ୍ପତ୍ତି ନେବେ । ମରାମତି ସରିଲେ ଯାଇଁ ରତ୍ନ ଗଣତି ମଣତି କାମ କରାଯିବ । ଲେଜର ସ୍କାନିଂ ହେବ କି କଣ ସେ ନେଇ ଏଏସଆଇ ସହ ଆଲୋଚନା କରାଯିବ । ନୀତିକାନ୍ତି କିମ୍ବା ଦର୍ଶନରେ ଯେପରି ବାଧା ନଉପୁଜିବ ସେଥିପ୍ରତି ଧ୍ଯାନ ଦିଆଯିବ ।

ସମସ୍ତ କାର୍ଯ୍ୟଧାରା ପୂର୍ବରୁ ଛତିଶା ନିଯୋଗ ସହ ମଧ୍ଯ ଆଲୋଚନା ହେବ ବୋଲି ରତ୍ନଭଣ୍ଡାର ମରାମତି ନେଇ ତଦାରଖ କମିଟି ବୈଠକ ପରେ କହିଛନ୍ତି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରତ୍ନ ଭଣ୍ଡାର ଟିମର ସଦସ୍ୟଙ୍କ ସହ ASIର ଉଚ୍ଚସ୍ତରୀୟ ଟିମ ଉପସ୍ଥିତ ଥିଲେ

ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ୍‌ ରହିବା ସମସ୍ତଙ୍କୁ ଆଚମ୍ବିତ କରିଛି: ପ୍ରଦୀପ ମାଝୀ

ଭୁବନେଶ୍ବର: ପୋଲାଭରମ ପ୍ରସଙ୍ଗରେ ମୁଖ୍ଯମନ୍ତ୍ରୀଙ୍କ ଠାରୁ ଜବାବ ମାଗିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରଦୀପ ମାଝୀ ପ୍ରଶ୍ନ କରିଛନ୍ତି, ଏହି ପ୍ରସଙ୍ଗରେ ରାଜ୍ଯ ସରକାର ଓ ବିଜେପି କାହିଁକି ଚୁପ୍ ରହିଛନ୍ତି।

ପ୍ରଦୀପ କହିଛନ୍ତି-ଦିଲ୍ଲୀରେ ହୋଇଥିବା ନୀତି ଆୟୋଗ ବୈଠକରେ ମୁଖ୍ଯମନ୍ତ୍ରୀ ଏହି ପ୍ରସଙ୍ଗ ନ ଉଠାଇ ନାହାନ୍ତି। ଏଥରୁ ଜଣାପଡୁଛି, ସେ ପୋଲାଭରମକୁ ସମର୍ଥନ କରୁଛନ୍ତି। ଓଡ଼ିଶାବାସୀ ଏହି ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରୁଛନ୍ତି। କାରଣ ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରିର ବହୁ ଅଞ୍ଚଳ ବୁଡ଼ିଯିବ। ଲୋକେ ବାସହରା ହେବେ।

ଓଡ଼ିଶାର ଉଦବେଗକୁ ଅଣଦେଖା କରି ବଜେଟରେ ନିର୍ମଳା ସୀତାରମଣ ଘୋଷଣା କରିଥିଲେ, ପୋଲାଭରମକୁ ଦିଆଯିବ ଅନୁଦାନ। ସେହିପରି କିଛି ତଳେ ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ କହିଛନ୍ତି, ୨୦୨୬ ମାର୍ଚ୍ଚ ସୁଦ୍ଧା ପୋଲାଭରମ ପ୍ରକଳ୍ପକୁ କାର୍ଯ୍ଯକ୍ଷମ କରାଯିବ। କିନ୍ତୁ ରାଜ୍ଯ ସରକାର କି ବିଜେପି ଏହାକୁ ବିରୋଧ କରୁନାହାନ୍ତି। ଚୁପ୍ ରହିଛନ୍ତି। ପ୍ରଦୀପ ମାଝୀ କହିଛନ୍ତି, ମୁଖ୍ଯମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଓ ଜବାବ ରଖନ୍ତୁ ବୋଲି ଦାବି କରିଛନ୍ତି ପ୍ରଦୀପ ମାଝୀ।