ନନ୍ଦିଘୋଷ ବ୍ୟୁରୋ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା । ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟର ଅଭିଭାବକ ମାନେ ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମାତ୍ର ତିନି ଜଣ ଶିକ୍ଷକ ରହିଛନ୍ତି । ଫଳରେ ପାଠ ପଢ଼ା ବାଧା ପ୍ରାପ୍ତ ହେଉଛି । ଗତ ୩୦ ତାରିଖରେ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ବଦଳି ହୋଇଥିବା ବେଳେ ଗତ କାଲି ଅନ୍ୟ ଜଣେ ଶିକ୍ଷକ ବିଦ୍ୟାଳୟରେ ଯୋଗଦାନ କରିଛନ୍ତି । ମନ ଇଛା ବ୍ଲକ ଶିକ୍ଷା ପ୍ରଶାସନ ଧରମପୁର ବିଦ୍ୟାଳୟରୁ ଶିକ୍ଷକ ମାନଙ୍କୁ ବଦଳି କରୁଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଫାଟକରେ ତାଲା ପକାଇଛନ୍ତି । ଛାତ୍ର ଛାତ୍ରୀ ମାନେ ଫାଟକ ବାହାରେ ବସି ରହିଥିଲେ । ସେପଟେ ଘଟଣାର ଅନୁଧ୍ୟାନ ପାଇଁ ସ୍କୁଲରେ ପହଞ୍ଚିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ।
ଫତେଗଡ଼ରୁ ଆସିଲା ଅଭାବନୀୟ ଖବର, ଯୁବକଙ୍କୁ ଗଛରେ ବାନ୍ଧି ମାରିଲେ ନିସ୍ତୁକ ମାଡ଼
ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ଅଭିଯୋଗ। ଅତି ଅମାନୁଷିକ ଭାବେ କିଛି ଲୋକ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି। ଆକ୍ରମଣର ଶିକାର ଯୁବକଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ମୁମୂର୍ଷୁ ଅବସ୍ଥାରେ ରାସ୍ତା ପାର୍ଶ୍ଵରେ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତ ବାନ୍ଧି ଦିଆ ଯାଇଥିବା ବେଳେ ସେ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିପାରିନଥିଲେ। ଜଣେ ମହିଳା ଓ ପୁରୁଷ କାଠ ଫାଳିଆ ଧରି ତାଙ୍କୁ ମାଡ଼ ମାରୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କେଉଁ କାରଣ ପାଇଁ ଏହି ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏପଟେ ତାଙ୍କ ପରିବାରକୁ ଗାଁରେ ବାସନ୍ଦ କରାଯାଇ ନଳକୂପ ବ୍ୟବହାର କରିବାକୁ ବାରଣ କରାଯାଇଛି। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭାପୁର ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲ୍ ପଠାଯାଇଛି ।
ଲରେନ୍ସ ବିଷ୍ନୋଇର ଡର : ପପୁ ଯାଦବ କହିଲେ,ସଲମାନକୁ ମାର କି ଯାହାକୁ ମାର ମୋର କିଛି ଯାଏଆସେ ନାହିଁ
ନନ୍ଦିଘୋଷ ବ୍ୟୁରୋ: ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ଘଟଣା ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହୁଛି । ସଲମାନଙ୍କୁ ବାରମ୍ବାର ଧମକ ଦେଉଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ସାମନାକୁ ଆସିଛି ବଡ଼ ଖବର । ସାଂସଦ ପପୁ ଯାଦବ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି । ପପୁ କହିଥିଲେ କି, ଯଦି ସରକାର ଅନୁମତି ଦିଅନ୍ତି ତାହେଲେ ୨୪ ଘଣ୍ଟା ଭିତରେ ଲରେନ୍ସ ଗ୍ୟାଙ୍ଗକୁ ସଫା କରିଦେବେ । କିନ୍ତୁ ଏବେ ଯେତେବେଳେ ପପୁଙ୍କୁ ଧମକ ମିଳିଛି ସେ କହିଛନ୍ତି କି, ସଲମାନଙ୍କୁ ମାରନ୍ତୁ କି ଆଉ ଯାହାକୁ ମାରନ୍ତୁ ମୋର କିଛି ଯାଏ ଆସେ ନାହିଁ ।
ସାଂସଦ ପପୁ ଯାଦବ ଫେସବୁକରେ ଲାଇଭ ଆସି କହିଥିଲେ କି, ମୋର କାହା ସହ ବ୍ୟକ୍ତିଗତ ଶତୃତା ନାହିଁ । ଯଦି ଲରେନ୍ସ ମୋତେ ମାରିବା ପାଇଁ ଚାହିଁବେ ତାହେଲେ ମାରି ପାରିବେ । ମୁଁ ଆପଣଙ୍କୁ ଅଟକାଇ ପାରିବି ନାହିଁ । ଯେଉଁ ଭାବୁଛନ୍ତି କି, ମୁଁ ଡରିଗଲି ମୋତେ ମାରି ଦିଅନ୍ତୁ । ମୁଁ ମଧ୍ୟ ଶୀଘ୍ର ମରିବାକୁ ଚାହୁଁଛି । ତେବେ ସେ ଫେସବୁକରେ ଲାଇଭ ଆସି କହିଥିବା ଏଭଳି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ସେ କହିଛନ୍ତି ଲରେନ୍ସ ଯଦି ଚାହିଁବେ ସଲମାନଙ୍କୁ ମାରନ୍ତୁ । ତାଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ବ । ଏଥିରେ ମୋର କିଛି ଯାଏଆସେ ନାହିଁ ।
ଏଥର ଆଇପିଏଲରେ ଏହି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା !
ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଆଇପିଏଲ ସିଜିନରେ ଖେଳାଳିଙ୍କ ଦମା ବଢ଼ିବ । ଗୁରୁବାର ଦଳମାନେ ନିଜର କିଛି ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ଛାଡ଼ି ଦେଇଛନ୍ତି । ତେବେ ଅକ୍ସନରେ ଏଥର ବହୁ ଖେଳାଳିମାନେ ବଡ଼ ଦାମରେ କିଣାହେବେ । କାରଣ ପୂର୍ବରୁ ଅଧିନାୟକ ଭାବେ ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ ମଧ୍ୟ ଫ୍ରାଞ୍ଚାଇଜମାନେ ଫ୍ରି କରି ଦେଇଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି କେ.ଏଲ ରାହୁଲ, ଋଷଭ ପନ୍ଥ ଏବଂ ଇଶାନ କିଶାନ । ତେବେ ଏହି ତିନି ଖେଳାଳି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସାଙ୍ଗକୁ ବଡ଼ ସଟ ଖେଳିବାର ଅଭିଜ୍ଞତା ରହିଛି । ପନ୍ଥ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେ.ଏଲ ରାହୁଲ ଲକ୍ଷ୍ନୌ ଏବଂ ପଞ୍ଜାବ କିଙ୍ଗ୍ସରେ ଅଧିନାୟକ ପଦ ସମ୍ଭାଳିଛନ୍ତି । ଏଣୁ ଏହି ଖେଳାଳିଙ୍କୁ କିଣିବା ପାଇଁ ଦଳମାନଙ୍କ ମଧ୍ୟରେ ଟଙ୍କା ବର୍ଷା ହେବ । ସବୁଠାରୁ ଅଧିକ ଟଙ୍କା ରହିଛି ପଞ୍ଜାବ କିଙ୍ଗ୍ସ ପାଖରେ । ପଞ୍ଜାବ କେବଳ ୨ ଜଣ ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ରିଲିଜ କରି ଦେଇଛି । ତେବେ ଇଶାନ, ପନ୍ତ ଏବଂ ରାହୁଲ କେଉଁ ଦଳରେ ସାମିଲ ହେଉଛନ୍ତି ତାହା ଉପରେ ରହିଛି ପ୍ରଂଶସକଙ୍କ ନଜର ।
ସରପଞ୍ଚଙ୍କ ସ୍ବାମୀ ନାଁରେ ସାଙ୍ଘାତିକ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଦେବାକୁ କହି ବୃଦ୍ଧଙ୍କଠାରୁ ନେଉଥିଲେ ଲାଞ୍ଚ
ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଦେବାକୁ କହି ବୃଦ୍ଧଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । କଲ୍ୟାଣପୁର ସରପଞ୍ଚଙ୍କ ସ୍ଵାମୀଙ୍କ ନାଁରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ | ପଇସା ନଫେରାଇବାରୁ ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ବୃଦ୍ଧ । ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ ସୁଶ୍ରୀ ସଂଗୀତା ନାୟକଙ୍କ ସ୍ଵାମୀ ସ୍ମୃତି ରଞ୍ଜନ ନାୟକ ରୁଦ୍ରପୁର ଗାଁର ଚକ୍ରଧର ପତିଙ୍କ ଠାରୁ ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଇଦେବାକୁ କହି ଦଶ ହଜାର ଟଙ୍କା ଲାଞ୍ଚ ନେଇଥିଲେ। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଘର ନଦେବାରୁ ସେ ଫୋନରେ ପଇସା ଫେରସ୍ତ ମାଗିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ନମିଳିବାରୁ ସେ ତାଙ୍କ ପଇସା ଫେରସ୍ତ ମାଗିଥିଲେ | କିନ୍ତୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ତାଙ୍କୁ ଦୂରବ୍ୟବହାର କରିଥିଲେ। ଯାହାକୁ ନେଇ ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି | ଅନ୍ୟପଟେ ପଞ୍ଚାୟତର ପ୍ରାୟ ସମସ୍ତ କାର୍ଯ୍ୟ ସରପଞ୍ଚ ନକରି ତାଙ୍କ ସ୍ଵାମୀ କରୁଥିବା ମଧ୍ୟ୍ୟ ଅଭିଯୋଗ ହୋଇଛି | ତେଣୁ ଶୀଘ୍ର ଘଟଣାର ଉଚିତ ତଦନ୍ତ କରିବାକୁ ଦାବି ହୋଇଛି ।
ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି। ଆଜି ସକାଳେ 181 AQI ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣର ଦୁଇଟି ଷ୍ଟେସନ ରହିଛି। ଲିଙ୍ଗରାଜ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି। ଏଠାରେ 228 AQI ରେକର୍ଡ କରାଯାଇଛି। ସେହିପରି ପଟିଆ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରୁ 134 AQI ରେକର୍ଡ ହୋଇଛି। ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ବୋଲି ବିବେଚନା କରାଯାଉଥିବା ବେଳେ ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ଓ ୪୦୧ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ବୋଲି ବିବେଚନା କରାଯାଏ। ସେପଟେ ତାଳେଚର 233 AQI, ବାଲେଶ୍ୱର 117 AQI, ରାଉରକେଲା 190 AQI ଓ ଅନୁଗୁଳ 171 AQI ରହିଛି। ଗତକାଲି ସୁଦ୍ଧା କଟକର ସ୍ଥିତି ଭଲ ଥିଲା। ହେଲେ ଆଜି ସକାଳେ ଏହା 126 AQI ହେବାରୁ ଚିନ୍ତା ବଢୁଛି। ଗତକାଲି ବାଣ ଫୁଟିବାରୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଭୁବନେଶ୍ୱର ଏକ ଧଳା ଚାଦର ପରି ଦୃଶ୍ୟମାନ ହେଉଛି।
ପୁରୀରେ ପ୍ରଥମ କୁହୁଡିର ଅନୁଭବ, କୁହୁଡିର ଚାଦରରେ ଢାଙ୍କି ହୋଇଗଲେ ଶ୍ରୀମନ୍ଦିର ନୀଳଚକ୍ର
ନନ୍ଦିଘୋଷ ବ୍ୟୁରୋ: କୁହୁଡିର ଚାଦରରେ ଢାଙ୍କି ହୋଇଗଲେ ଶ୍ରୀମନ୍ଦିର ନୀଳଚକ୍ର। ପୁରୀରେ ପ୍ରଥମ କୁହୁଡିର ଅନୁଭବ। ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହେଉଛି । ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି । କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି । କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଉ ଶ୍ରୀମନ୍ଦିର ନୀଳଚକ୍ର। ଆଜିଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି।
କୀର୍ତ୍ତନ ସାରି ଫେରୁଥିବାବେଳେ ଦୁର୍ଘଟଣା, ୭ ମୃତ
ନନ୍ଦିଘୋଷ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । କୀର୍ତ୍ତନ ସାରି ଫେରୁଥିବାବେଳେ ଘଟିଛି ଦୁର୍ଘଟଣା । ଟ୍ରଲର ପଛରେ ଟାଟା ମ୍ୟାଜିକ୍ ମାଡ଼ ହେବା ଫଳରେ ୭ ଜଣଙ୍କ ଜୀବନ ଚାଲି ଯାଇଛି । ଏବେ ୪ ଜଣ ଗୁରୁତର ଆହତ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଏକନପାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନା ମୁତାବକ, ଗଏକନପାଲି ଗାଁ ନିକଟରେ ରହିଛି ଚକାପାଲି ଗାଁରେ । ଏଠାରେ ଜଣଙ୍କ ଘରେ ସଙ୍କୀର୍ତ୍ତନ କରିବାକୁ ଯାଇଥିଲେ ଦଳ । ହେଲେ ଫେରିବାବେଳକୁ ପାଖାପାଖି ରାତି ସାଢେ ୨ଟା ସମୟରେ ଗଏକନପାଲି ରାସ୍ତା କଡରେ ଏକ କୋଇଲା ବୋଝଇ ଟ୍ରଲର ଛିଡା ହୋଇଥିଲା । ଭାରସାମ୍ୟ ହରାଇ ଟ୍ରଲର ପଛପଟେ ପିଟିହୋଇଥିଲା ଟାଟା ମ୍ୟାଜିକ୍ । ଫଳରେ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ହସ୍ପିଟାଲରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କନ୍ଦଗୋଡା ଗାଁ ଓ ସମରପିଣ୍ଡା ଗାଁର ବୋଲି ଜଣାପଡିଛି ।
ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ। ଢେ଼ଙ୍କାନାଳ ସଦର ରେଞ୍ଜ ଚିନ୍ତା ପୋଖରୀ ନିକଟ ରେଳ ଧାରଣରେ ଦନ୍ତାକୁ ଧକ୍କା ଦେଲା କୋଇଲା ଟ୍ରେନ। ୪୯ ଟିକିଆ ହାତୀପଲ ପାର ହେଉଥିବା ବେଳେ କୋଇଲା ଟ୍ରେନ ଦନ୍ତାକୁ ଧକା ଦେଇଥିଲା।ବନ ବିଭାଗ ତରଫରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ସତର୍କତା ପ୍ରଦାନ କରାଯାଇଥାଏ। ହେଲେ ଟ୍ରେନ ଚାଳକ ସତର୍କ ସୂଚନାକୁ ମାନି ନଥିବା ଜଣାପଡିଛି।ତେଣୁ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ପହଞ୍ଚିଛନ୍ତି। ମୋଟଙ୍ଗା ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
ଦୁଇଦିନ ଫୁଟିଲା ବାଣ, ଧୂଆଁ ଧୂଆଁ ରାଜଧାନୀ
ନନ୍ଦିଘୋଷ ବ୍ୟୁରୋ: ଧୂଆଁଧୂଆଁ ଭୁବନେଶ୍ବର । ଦୀପାବଳିରେ ବେପରୁଆ ଫୁଟିଲା ବାଣ, ଅଣାୟତ ହେଲା ରାଜଧାନୀର ପ୍ରଦୂଷଣ । ବାଣ ଧୂଆଁରେ ଅଣନିଃଶ୍ବାସୀ ରାଜଧାନୀ ବାସିନ୍ଦା । ଏଥର ଦୁଇଦିନ ଦୀପାବଳି ପାଳନ ହୋଇଥିବାବେଳେ ଭୁବନେଶ୍ବରରେ ଲଗାତାର ଦୁଇଦିନ ଲୋକେ ମାତ୍ରାଧିକ ବାଣ ଫୁଟାଇଛନ୍ତି । ଅତ୍ଯଧିକ ବାଣ ଫୁଟା ଯୋଗୁ ଭୁବନେଶ୍ବରରେ ଏୟାର କ୍ବାଲିଟି ଖରାପ ହୋଇଛି । ଗତକାଲି ସନ୍ଧ୍ୟାରୁ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ୧୦ ମିଟର ଆଗକୁ ଦେଖିବା ବି ସହଜ ହେଉନଥିଲା । ଦୀପାବଳି ବାଣଫୁଟା ଯୋଗୁ ଗତକାଲି ଭୁବନେଶ୍ବରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୪୨ ଛୁଇଁଛି । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୨୩୫ ଥିବାବେଳେ ବାଲେଶ୍ୱରର ଏକ୍ଯୁଆଇ ୧୧୧, ରାଉରକେଲାରେ ୧୭୦ ଓ କଟକର ଏକ୍ଯୁଆଇ ୧୧୦ ରହିଛି । ଗୋଟିଏ ସମୟରେ ମାତ୍ରାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକ, ଯବକ୍ଷାରଜାନ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାଷ୍ପକୁ ପ୍ରୋତ୍ସାହିତ କରିଚାଲିଛି । ଏଥିରେ ବାଣ ଫୁଟା ପରେ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଆହୁରି ବଢିଯାଏ । ଏଭଳି ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।

