ନନ୍ଦିଘୋଷ ବ୍ୟୁରୋ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଲରେନସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରତ୍ୟର୍ପଣ କରି ତାକୁ ଅଣାଯିବ। ମୁମ୍ଵାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ଏ ନେଇ ପଦକ୍ଷେପ ନେଇଛି। ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି ମୁମ୍ଵାଇର ସ୍ଵତନ୍ତ୍ର ମକୋକ୍କା କୋର୍ଟ। ମୁମ୍ଵାଇ ପୋଲିସର କ୍ରାଇମବ୍ରାଞ୍ଚ କୋର୍ଟଙ୍କ ନିର୍ଦ୍ଦେଶନାମା ଓ ଅନ୍ୟ କାଗଜପତ୍ରକୁ ଅପେକ୍ଷା କରିଛି। ତାହା ହସ୍ତଗତ ହେବା ପରେ ସେସବୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ତା ପରେ କେନ୍ଦ୍ର ସରକାର ଆମେରିକା ସହିତ ଯୋଗାଯୋଗ କରିବେ ଏବଂ ଅନମୋଲର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିବେ। ଅନମୋଲ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି। ଆଗରୁ କୁହାଯାଉଥିଲା ଅନମୋଲ କାନାଡ଼ାରେ ଅଛି। କିନ୍ତୁ ସେ ଆମେରିକାରେ ଥିବାର ସ୍ପଷ୍ଟ ହୋଇଛି। ତା ବିରୋଧରେ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।
ଜାଣନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ କିଛି ଅଜଣା କଥା
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଅଛନ୍ତି ଡୋନାଲଡ ଟ୍ରମ୍ପ। ଡୋନାଲଡ ଟ୍ରମ୍ପଙ୍କ ଜନ୍ମ ୧୪ ଜୁନ ୧୯୪୬ରେ। ସେ ଜଣେ ରାଜନୀତିଜ୍ଞ, ମିଡିଆ ବ୍ଯକ୍ତିତ୍ବ ଓ ବ୍ଯବସାୟୀ। ୨୦୧୭ରୁ ୨୦୨୧ ଯାଏ ରାଷ୍ଟ୍ରପତି ଥିଲେ ଟ୍ରମ୍ପ। ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ ଡୋନାଲଡ ଟ୍ରମ୍ପ। ୨୦୧୬ ନିର୍ବାଚନରେ ଟ୍ରମ୍ପ ପାଇଥିଲେ ୩୦୪ ଇଲେକ୍ଟୋରାଲ ଭୋଟ। ୨୦୧୬ ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ପାଇଥିଲେ ୨୨୭ ଭୋଟ। ୨୦୨୦ ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ପାଇଥିଲେ ୩୦୬ ଇଲେକ୍ଟୋରାଲ ଭୋଟ । ୨୦୨୦ ନିର୍ବାଚନରେ ଟ୍ରମ୍ପ ପାଇଥିଲେ ୨୩୨ ଇଲେକ୍ଟୋରାଲ ଭୋଟ। ଅର୍ଥନୀତିରେ ଡିଗ୍ରୀ କରିଛନ୍ତି ଡୋନାଲଡ ଟ୍ରମ୍ପ। ନିଜର ଶାସନ କାଳରେ ୧୦୦ଟି ପରିବେଶ ସଂକ୍ରାନ୍ତ ନୀତି ପ୍ରତ୍ଯାହାର କରିଥିଲେ ଟ୍ରମ୍ପ। ରାଷ୍ଟ୍ରପତିତ୍ବ ସମୟରେ ଚୀନ ସହ ବାଣିଜ୍ଯିକ ଯୁଦ୍ଧ କରିଥିଲେ ଟ୍ରମ୍ପ। ବିଭିନ୍ନ ବିବାଦୀୟ ଭୂମିକା ସତ୍ତ୍ବେ ତାଙ୍କ ପ୍ରତି ରହିଛି ପ୍ରବଳ ଜନସମର୍ଥନ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଦୁଇ ପ୍ରାର୍ଥୀ ସମାନ ଭୋଟ ପାଇଲେ ସ୍ଥିତି ହେବ କଣ?
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର। ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ- କିଏ ହେବେ ହ୍ବାଇଟ ହାଉସ ବସ୍- ତାହାକୁ ନେଇ ସାରା ବିଶ୍ବର ନଜର। ତେବେ ସର୍ଭେ କହୁଛି ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ ବିଜୟର ବ୍ଯବଧାନ ବହୁତ କମ୍ ହେବ। ଆମେରିକାର ଇଲେକ୍ଟୋରାଲ କଲେଜର ଭୋଟ ହେଉଛି ୫୩୮। ତେବେ ଯଦି ଦୁଇ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ସ୍ଥିତି କଣ ହେବ। ରାଷ୍ଟ୍ରପତି ଭାବେ ବିଜୟ ଲାଗି ମ୍ଯାଜିକ ନମ୍ବର ହେଉଛି ୨୭୦।
ସମ୍ବିଧାନର ଧାରା ୨, ଉପଧାରା ୧ ଅନୁସାରେ ସିନେଟ ଉପରାଷ୍ଟ୍ରପତିଙ୍କୁ ଓ ପ୍ରତିନିଧି ସଭା ରାଷ୍ଟ୍ରପତିଙ୍କୁ ଚୟନ କରିବ। ଦ୍ବାଦଶ ସଂଶୋଧନ ଅନୁସାରେ ଇଲେକ୍ଟୋରାଲ ଭୋଟକୁ ଆଧାର କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ଯରୁ ଟପ୍ – ଥ୍ରୀ ପ୍ରାର୍ଥୀଙ୍କ ମଧ୍ଯରୁ ଜଣକୁ ଚୟନ କରିବେ। ସେହିପରି ସିନେଟରମାନେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ଯରୁ ପ୍ରଥମ ୨ ପ୍ରାର୍ଥୀଙ୍କ ମଧ୍ଯରୁ କାହାରିକୁ ଚୟନ କରିବେ। ୧୮୨୪ରେ ଆମେରିକା ଇତିହାସରେ ଏପରି ଏକ ବିରଳ ଘଟଣା ଘଟିଥିଲା। ୪ ରାଷ୍ଟ୍ରପତି ପ୍ରାର୍ଥୀ ସମାନ ସମାନ ଭୋଟ ପାଇଥିବାରୁ ବିକଳ୍ପ ବ୍ଯବସ୍ଥା ଅନୁସାରେ ଜନ କ୍ବିନସି ଆଡାମସ ବିଜୟୀ ହୋଇଥିଲେ। ପରାସ୍ତ ହୋଇଥିଲେ ଆଣ୍ଡ୍ରିଉ ଜ୍ଯାକସନ। ପ୍ରତିନିଧି ସଭାରେ ୪୩୫ ସଦସ୍ଯ ଥିବାବେଳେ ସିନେଟରେ ରହିଛନ୍ତି ୧୦୦ ସଦସ୍ଯ।
ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା : ସରକାରଙ୍କୁ ନିନ୍ଦା କଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ବାଲିଗୁଡ଼ାରେ ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ରାଜ୍ଯକୁ ଲଜ୍ଜା ଆଣିଲେ ବିଜେପି ସରକାର । ଆମ୍ବ ଟାକୁଆ ଖାଇ ମୃତ୍ଯୁ ପରି ଏକ ସମ୍ବେଦନଶୀଳ ଘଟଣାକୁ ରାଜ୍ଯ ସରକାର କରିଛନ୍ତି ଉପହାସ । ଉପମୁଖ୍ଯମନ୍ତ୍ରୀ ଏହାକୁ ଅପପୁଷ୍ଟି ନୁହେଁ ବୋଲି କହିବା ଦୁର୍ଭାଗ୍ଯଜନକ । ତାଠୁ ଆହୁରି ଦୁଃଖଦାୟିକ କଥା ହେଲା ଆମ୍ବ ଟାକୁଆ ଖାଇବା ସେହି ଅଞ୍ଚଳର ନିୟମିତ ଖାଦ୍ଯ । ଏହା ଏକ ଘୋର ଲଜ୍ଜାଜନକ କଥା । ଏହାକୁ ସରକାର ଆହ୍ବାନ ଭାବେ ଗ୍ରହଣ କରନ୍ତୁ । ରାଜ୍ଯରେ ବିପର୍ଯ୍ୟସ୍ତ ବଣ୍ଟନ ବ୍ଯବସ୍ଥାକୁ ସୁଦୃଢ କରାଯାଉ । ଦାରିଙ୍ଗବାଡ଼ି ଘଟଣାରେ ଏପରି ଭାବେ ବର୍ଷିଛି ବିଜେଡି । କହିଛି, ନୂଆ ସରକାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି । ଆମ୍ବ ଟାକୁଆ ଖାଇ ମୃତ୍ଯୁ ଘଟଣାକୁ ସରକାର ଗୁରୁତର ସହ ନିଅନ୍ତୁ । ଆଗକୁ ଯେମିତି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ବିଜେଡି । ୨୦୧୪ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଗଲା । ତେବେ ଏଥିରୁ ବାଦ ପଡିଥିବା ଗରିବଙ୍କ ପାଇଁ ତତ୍କାଳୀନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ଯ ସୁରକ୍ଷା ଆଇନ ଆରମ୍ଭ କଲେ । ଜଣେ ବି କେହି ଯେମିତି ଅନାହାରରେ ମୃତ୍ଯୁ ନହୁଏ ସେଥିପାଇଁ ନବୀନ ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ୨୫ ଲକ୍ଷ ସାମିଲ ହୋଇଛନ୍ତି । ଡବଲ ଇଂଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହି ଯାଇଛି । ଏହା ସ୍ପଷ୍ଟ ହୋଇଛି ଯେ ଆଦିବାସୀ ପରିବାର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଣ୍ଟନ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖାଉଛି । ଦାରିଙ୍ଗବାଡିରେ ସେହି ୬ ପରିବାର ଚାରି ମାସ ହେଲା ରାସନ ପାଇନାହାଁନ୍ତି । କିଭଳି ସମସ୍ତେ ରାସନ ପାଇବେ ସେହି ବ୍ଯବସ୍ଥା କରାଯାଉ ବୋଲି ବିଜେଡି ଦାବି କରିଛି । ଯେତେବେଳେ ଏହି ଘଟଣା ଦୃଷ୍ଟିକୁ ଆସିଲା, ତୁରନ୍ତ ଖାଦ୍ୟ ଦେବାକୁ BDO ଯେଉଁ ମତ ଦେଇଛନ୍ତି, ତାକୁ ଅନୁଧ୍ୟାନ କରାଯାଉ । ଉପ ମୁଖ୍ୟମନ୍ତ୍ରୀ ଯାହା କହିଲେ ଏହା ଅପପୁଷ୍ଟି ନୁହେଁ ତାହାଲେ ଅପପୁଷ୍ଟି ଓ ମୃତ୍ୟୁ କେମିତି ହେଲେ ସରକାର ଏହାକୁ ମାନିଵେ ବୋଲି ପ୍ରଶ୍ନ କରିଛି ବିଜେଡି । ଗ୍ରାଉଣ୍ଡ ରିପୋର୍ଟ କହୁଛି ସେମାନେ ଖାଦ୍ୟ ସୁରକ୍ଷା କାର୍ଡ ଧରିଛନ୍ତି । ହେଲେ ଚାରି ମାସ ହେବ ରାସନ ପାଇ ନାହାନ୍ତି । ଯେଉଁଥି ପାଇଁ ଆମ୍ବ ଟାକୁଆ ଖାଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ପ୍ରଶାସନ ଓ ବ୍ୟବସ୍ଥା ଆଜି ଯେଉଁଭଳି କାଠଗଡାରେ ଠିଆ ହୋଇଛି, ଦୃଢ ଆଇନଗତ ପଦକ୍ଷେପ ନିଆଯାଉ । ରାସନ ବ୍ୟବସ୍ଥାରେ ବିଭ୍ରାଟ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଶାଳିନତା ଭୁଲିଗଲେ କି ବର ? ଲୋକେ କହିଲେ ଆମ ପଟେ ଏମିତି ହୋଇଥିଲେ ମାଡ଼ ଖାଇଥାନ୍ତ
ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆ ଯୁଗରେ ଭିଡିଓ ବିଜୁଳି ଭଳି ଭାଇରାଲ ହୋଇଥାଏ । କାହାକୁ ହିରୋ ବନାଇ ଥାଏ ତ ଆଉ କାହାକୁ ନିନ୍ଦାର ପାତ୍ର ସଜାଇ ଦେଇଥାଏ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର ଏତେ ଖୁସିରେ ଅଛନ୍ତି କି, ଷ୍ଟେଜ ଉପରକୁ କନ୍ୟା ଯିବାବେଳକୁ ବାଟ ଜଗୁଛନ୍ତି ଆଉ ନାଚରେ ମସଗୁଲ ରହିଛନ୍ତି । ଏପରିକି କନ୍ୟାଙ୍କ ମୁଣ୍ଡରେ ନିଜର ଚନିକୁ ପକାଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଭାଇରାଲ ହେଉଥିବା ଭିଡିଓଟି କେଉଁଠାର ଏବଂ କେବେକାର ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ମଧ୍ୟ ବହୁଳ ମାତ୍ରାରେ ସେୟାର କରୁଛନ୍ତି ।ତେବେ ଏହି ଭିଡିଓକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଯେଉଁଥିରେ ଜଣେ ୟୁଜର୍ସ ଲେଖିଛନ୍ତି କି, ଯଦି ଆମ ପଟେ ଏମିତି ହୋଇଥାନ୍ତା ତାହେଲେ ବର ଜଣକ ମାଡ଼ ଖାଇ ଯାଇଥାନ୍ତେ ।
ଜାଣନ୍ତୁ କେଉଁ ଫିଲ୍ମ ରୋଜଗାର କଲାଣି ଅଧିକ ଟଙ୍କା ?
ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଅବସରରେ ବଲିଉଡର ଦୁଇଟି ଫିଲ୍ମ ରିଲିଜ ହୋଇଥିବାବେଳେ ଟକ୍କର ଚାଲିଛି । ’ଭୁଲଭୁଲେୟା- ୩’ ଏବଂ ’ସିଙ୍ଘମ ଏଗେନ’ ରିଲିଜ ହୋଇଛି । ଏହି ଦୁଇ ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ମଲ୍ଟିଷ୍ଟାର ଫିଲ୍ମ ’ସିଙ୍ଘମ ଏଗେନ’ରେ ଅଜୟ ଦେବଗନଙ୍କ ସହ ଅକ୍ଷୟ କୁମାର, ରଣବୀର ସିଂ, କରିନା କପୁର,ଦୀପିକା ପାଦୁକୋନ, ଟାଇଗର ସ୍ରଫ୍ ଏବଂ ଅର୍ଜୁନ କପୁରଙ୍କ ଭଳି ଅଭିନେତାମାନେ ନଜର ଆସିଛନ୍ତି । କେବଳ ଏତିକି ନୁହେଁ ସଲମାନ ଖାନ ମଧ୍ୟ ଏଥିରେ ନଜର ଆସିଛନ୍ତି । ସେପଟେ ଭୁଲ ଭୁଲେୟା ୩ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ପ୍ରଂଶସା ସାଉଁଣ୍ଟୁଛି । ଏଥିରେ ମାଧୁରୀ ଦିକ୍ଷିତ, ବିଦ୍ୟା ବାଲାନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭଳି କଳାକାରମାନେ ନଜର ଆସିଛନ୍ତି । ଏହି ଦୁଇ ଫିଲ୍ମ ମଧ୍ୟ କଡ଼ା ଟକ୍କର ହେଉଥିବାବେଳେ ବକ୍ସ ଅଫିସରେ ମଧ୍ୟ ରୋଜଗାର ପାଖାପାଖି ସମାନ ରହିଛି ।
ସିଙ୍ଘମ ଏଗେନ ପ୍ରଥମରୁ ଭଲ ରୋଜଗାର କରିଛି । ଭାରତରେ କେବଳ ୪୩. ୫୦ ଟଙ୍କା ରୋଜଗାର କରିଛି । ସେପଟେ ଭୁଲ ଭୁଲେୟା ୩୫. ୫୦ କୋଟି ଟଙ୍କା ରୋଜଗାର କରିଛି । ଦିଲ୍ଲୀ ଏନସିଆଣ ଏବଂ କୋଲକାତାରେ ଉଭୟ ଫିଲ୍ମ ପାଇଁ କମ ହଲ ମିଳିଛି । ଯାହାକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ମାତ୍ର ଉଭୟ ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି ।
ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ
ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ପରେ ଦିଲ୍ଲୀରେ ନାହିଁ ନଥିବା ସ୍ଥିତି। ଅତି ଖରାପ ଅବସ୍ଥାକୁ ଗଲା ବାୟୁ ଗୁଣବତ୍ତା। ଦିଲ୍ଲୀର ୬୯ ପ୍ରତିଶତ ପରିବାର ହୋଇଛନ୍ତି ଆକ୍ତାମାକ୍ତା। ଏହି ପରିବାରଗୁଡିକର ଜଣେ କିମ୍ବା ଅଧିକ ସଦସ୍ଯ ପ୍ରଦୂଷଣଜନିତ ସମସ୍ଯାର ଶିକାର ହୋଇଛନ୍ତି। ଅନେକ ସ୍ଥାନରେ ଏକ୍ଯୁଆଇ ୯୯୯ ହୋଇଥିବା ଯୋଗୁ ସମ୍ପୂର୍ଣ୍ଣ ବିଷବଳୟ ଘେରରେ ରହିଛି ଦିଲ୍ଲୀ। ସାରା ଦିଲ୍ଲୀରେ ଏହି ଭୟାବହତା ବ୍ଯାପିଛି। ଦିଲ୍ଲୀର ୪୬ ପ୍ରତିଶତ ଲୋକଙ୍କ ନାକରୁ ଅବାରିତ ପାଣି ବାହାରିବା ସୂଚନା ମିଳିଛି। ସ୍ଥିତିର ମୁକାବିଲା ଆଣ୍ଟି ସ୍ମୋକ ଗନ ନିୟୋଜିତ ହୋଇଥିଲେ ବି କାମ ଦେଇନାହିଁ। ଆଗକୁ ସ୍ଥିତି ଅଧିକ ବିପଜ୍ଜନକ ହେବା ଆଶଙ୍କା କରାଯାଉଛି। ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।
ବିରାଟ- ରୋହିତଙ୍କ ସ୍ଥାନ ନେବେ ଏହି ଖେଳାଳି
ନନ୍ଦିଘୋଷ ବ୍ୟୁରୋ: ଟିମି ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଲଗାତାରଭାବେ ବିଫଳ ହେଉଛନ୍ତି । ଟେଷ୍ଟରେ ଚଳିତ ବର୍ଷ ଖରାପ ପ୍ରଦର୍ଶନ କରିଛନ୍ତି ଏହି ଦୁଇ ଖେଳାଳି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟ ଏବଂ ରୋହିତି ସେମିତି ଆଖିଦୃଶିଆ ପ୍ରଦର୍ଶନ କରୁନାହାନ୍ତି । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବିଶ୍ରାମ ଦିଆଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମାତ୍ର ଏମାନଙ୍କ ଜାଗା କେଉଁ ଖେଳାଳି ନେବେ ତାକୁ ନେଇଥ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଛି । ଟି-୨୦ରୁ ଅବସର ଘୋଷଣା କରିଥିବା ଏହି ଦୁଇ ଖେଳାଳି ଟେଷ୍ଟ ଏବଂ ଦିନିକିଆରେ ଖେଳ ଜାରି ରଖିଛନ୍ତି । କିନ୍ତୁ ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଏମାନଙ୍କ ସ୍ଥାନରେ ସାଇ ସୁଦର୍ଶନ ବିକଳ୍ପ ହେବେ ବୋଲି କୁହାଯାଇଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ସାଇ ସୁଦର୍ଶନ ଏବେ ଦମଦାର ଫର୍ମରେ ରହିଛନ୍ତି ।
ଘରୋଇ ମାଟି ସାଙ୍ଗକୁ ବିଦେଶ ମାଟିରେ ମଧ୍ୟ ସାଇ ସୁଦର୍ଶନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଏଣୁ ସେ ଦଳରେ ନିୟମିତ ଖେଳାଳିଭାବେ ସ୍ଥାନ ପାଇବେ । ରୋହିତ ଏବଂ ବିରାଟଙ୍କ ମଧ୍ୟରୁ ଜଣଙ୍କ ସ୍ଥାନରେ ଖେଳିବେ ବୋଲି କୁହାଯାଇପାରେ । ସେ ଟି ଇଣ୍ଡିଆର ବ୍ୟାକଅପ ଖେଳାଳିଭାବେ ସ୍ଥାନ ପାଇବେ । ପୂର୍ବରୁ ଅଷ୍ଟ୍ରେଲିଆରେ ଶତକୀୟ ପାଳି ଖେଳି ରେକର୍ଡ ସୃଷ୍ଟି କରିଥିବା ସାଇ ସୁଦର୍ଶନଙ୍କ ଦଳରେ କେଉଁ ସ୍ଥାନରେ ଖେଳାଉଛନ୍ତି ତାହା ବେଶ ଗୁରୁତ୍ବ ବହନ କରୁଛି । ସେପଟେ ବିରାଟ-ରୋହିତଙ୍କ ଅବଦାନ ଟିମ ଇଣ୍ଡିଆ ପାଇଁ କଣ ରହିଛି ତାହା କେହି କେବେ ମଧ୍ୟ ଭୁଲିପାରିବେ ନାହିଁ । ଏଣୁ ଏମାନଙ୍କୁ ଅଣଦେଖା କରି ବିସିସିଆଇ ଅନ୍ୟ ଖେଳାଳିଙ୍କ ସ୍ଥାନ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଛି । ମାତ୍ର ବିକଳ୍ପଭାବେ ସାଇ ସୁଦର୍ଶନ ରହିବେ ବୋଲି କୁହାଯାଇପାରେ ।
ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ
ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ । ଅଳ୍ପକେ ବର୍ତିଲେ ଡ୍ରାଇଭର । ଆମ୍ବୁଲାନ୍ସ ସହ ମଦ ବୋଝେଇ ଟ୍ରକ ଧକା ହେବା ଫଳରେ ଓଲଟି ପଡିଛି ମିନି ଟ୍ରକ । NH 16 ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଖୋର୍ଦ୍ଧାର ଏକ ମଦ ଡିପୋରୁ ମଦ ବୋଝେଇ ମିନି ଟ୍ରକଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ପଛପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଯାହା ଫଳରେ ମଦ ବୋଝେଇ ଗାଡିଟି ଜାତୀୟ ରାଜପଥରେ ଓଲଟି ପଡିଥିଲା । ତେବେ ମଦ ଗୁଡିକ ରାସ୍ତାରେ ପଡି ରହିଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ଉପସ୍ଥିତି ରେ ମଦ ଗୁଡିକୁ ରାସ୍ତାରୁ ଉଠାଇ ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତର କରାଯାଉଛି।
ଆଜି ୬ ଘଣ୍ଟିଆ ଜୟପୁର ବନ୍ଦ
ନନ୍ଦିଘୋଷ ବ୍ୟୁରୋ: ଜିଏସଟି ବିଭାଗର ଚଢାଉ ଚାପରେ ଜୁଏଲାରୀ ଦୋକାନୀଙ୍କ ମୃତ୍ଯୁ ଅଭିଯୋଗ ଘଟଣା । ଜିଏସଟି ବିଭାଗର ମାତ୍ରାଧିକ କାର୍ଯ୍ଯାନୁଷ୍ଠାନ ପ୍ରତିବାଦରେ ଜୟପୁର ବନ୍ଦ। ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର ଅଫ କମର୍ସ । ଏହି ସମୟରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି । ଗତ ଧନତେରାସ ଦିନ ଜୟପୁରର ବିଭିନ୍ନ ସ୍ଥାନରେ ସିଟିଜିଏସଟି ବିଭାଗ ରେଡ୍ କରିଥିଲା । ଏହି ସମୟରେ ନ୍ୟୁ ବାସବି ଜୁଏଲାରୀରେ ମଧ୍ଯ ଚଢାଉ ହୋଇଥିଲା । ଏହାର ମାଲିକ ପି.ହରପ୍ରସାଦ ରାଓଙ୍କ ଘର ସିଜ୍ କରି ୬ରୁ ୭ ଘଣ୍ଟା ଧରି ରେଡ୍ କରାଯାଇଥିଲା । ସେବେଠୁ ହରପ୍ରସାଦ ଭୟଭୀତ ହୋଇ ଚାପଗ୍ରସ୍ତ ଥିଲେ । ପୂର୍ବରୁ ମଧ୍ଯ ବାରମ୍ବାର ଏଭଳି ଚଢାଉ ହୋଇଥିଲା । ଏଣୁ ଲୋକ ଲଜ୍ଜାକୁ ସହିନପାରି ସେ ଚିନ୍ତାଗ୍ରସ୍ତ ଥିଲେ । ଗୁରୁବାର ରାତିରେ ଦୀପାବଳି ପାଳନ କରି ହରପ୍ରସାଦ ଶୋଇଥିବାବେଳେ ଗତକାଲି ସକାଳୁ ଆଉ ଉଠିନଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜିଏସଟି ବିଭାଗର ମାତ୍ରାଧିକ କାର୍ଯ୍ଯାନୁଷ୍ଠାନ ଯୋଗୁ ତାଙ୍କର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି ।

