spot_img
Home Blog Page 1654

ବିହାରରେ ନୀତୀଶ ସରକାରଙ୍କୁ ସୁପ୍ରିମ ଝଟକା , ୬୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ ରୋକ୍

ପାଟନା : ବିହାରରେ ପଛୁଆ ବର୍ଗ ଲାଗି ୬୫ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ। ୬୫ ପ୍ରତିଶତ ସଂରକ୍ଷଣକୁ ରଦ୍ଦ କରିଥିବା ପାଟନା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗି ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ହାର ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧିକରିବା ଲାଗି ବିହାର ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ପାଟନା ହାଇକୋର୍ଟ ରଦ୍ଦ କରିଥିଲେ। ପ୍ରତିବାଦରେ ସୁପ୍ରିମକୋର୍ଟ ଯାଇଥିଲେ ବିହାର ସରକାର। ଗତ ଜୁନ ୨୦ରେ ବିହାର ବିଧାନସଭାରେ ଅନୁମୋଦିତ ପ୍ରସ୍ତାବକୁ ରଦ୍ଦ କରିଥିଲେ ପାଟନା ହାଇକୋର୍ଟ।

ରାଜ୍ଯରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ଲାଗି ୨୦୨୩ରେ ବିଧାନସଭାରେ ପ୍ରସ୍ତାବ ଗୃହିତ ହୋଇଥିଲା। ସମ୍ବିଧାନର ଧାରା ୧୪, ୧୫ ଓ ୧୬କୁ ବିହାର ସରକାରଙ୍କ ନିଷ୍ପତ୍ତି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ଜୁଲାଇ ୨ରେ ସୁପ୍ରିମକୋର୍ଟ ଯାଇଥିଲେ ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର। ରାଜ୍ଯ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏସସିଙ୍କ ଲାଗି ୨୦, ଏସଟିଙ୍କ ଲାଗି ୨, ଓବିସିଙ୍କ ଲାଗି ୪୩ ପ୍ରତିଶତ ସଂରକ୍ଷଣ ବ୍ଯବସ୍ଥା ହୋଇଥିଲା। ସର୍ବମୋଟ ୫୦ ପ୍ରତିଶତ ସଂରକ୍ଷଣ ଲାଗି ସୁପ୍ରିମକୋର୍ଟଙ୍କ ସିଲିଂ ରହିଥିବାବେଳେ ରାଜ୍ଯରେ ସୀମା ଲଙ୍ଘନ କରିଥିଲା ସଂରକ୍ଷଣ।

ବିଫଳ ପ୍ରେମିକର ଆକ୍ରୋଶର ଶିକାର ହେଲା ଗୁଣିଆ

ପାଟକୁରା : ବିଫଳ ପ୍ରେମିକର ଆକ୍ରୋଶର ଶିକାର ହେଲା ଗୁଣିଆ । ଆଶ୍ରମରୁ ଟେକିଆଣି ନିସ୍ତୁକ ପିଟିଲେ ଯୁବକ । ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଅଢଙ୍ଗା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୁଣିଗାରେଡ଼ି ମାଧ୍ଯମରେ ବଳଭଦ୍ର ସିଂ ନାମକ ଜଣେ ଯୁବକଙ୍କର ପ୍ରେମ ଜନିତ ସମସ୍ଯାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲା ହରିଅଙ୍କ ଅଞ୍ଚଳର ଗୁଣିଆ ବାବା କୈଳାସ ଦାସ । ଏଥିପାଇଁ ନିଜ ସହଯୋଗୀ ହରିଆ ମିଶ୍ର ସହାୟତାରେ ଲକ୍ଷାଧିକ ଟଙ୍କା ମଧ୍ଯ ନେଇଥିଲା । ହେଲେ କୌଣସି ପ୍ରଭାବ ନପଡ଼ିବାରୁ ବଳଭଦ୍ର ସହଯୋଗୀମାନଙ୍କ ସହ ମିଶି ଗୁଣିଆ ବାବା ଓ ତାଙ୍କ ଶିଷ୍ୟଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛ୍ନତି । ପୋଲିସ ଆକ୍ରମଣକାରୀ ବଳଭଦ୍ର ସିଂଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଆହତ ଗୁଣିଆ ବାବା ମଧ୍ଯ ନିଜ ଦୋଷ ସ୍ବୀକାର କରିଛି ।

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ଜଳଭଣ୍ଡାରର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ସମ୍ୱଲପୁର : ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ଗେଟ୍ ଖୋଲାଯିବା ସମୟରେ ଡ୍ରୋନ ଉଡ଼ାଇ ଭିଡିଓ ରେକର୍ଡ କଲେ ବ୍ଲଗର । ମିଷ୍ଟର ଓଡିଆ ବ୍ଲଗର ନାମକ ଏକ ଆକାଉଣ୍ଟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇ ଏହାର ଭିଜୁଆଲ ପୋଷ୍ଟ ହୋଇଛି । ଡ୍ୟାମ , ସ୍ପିଲ ଓ୍ବେ ଉପରେ ଡ୍ରୋନ ଉଡ଼ିଥିବା ଜଣାପଡ଼ିଛି । ଏପରିକି ଡ୍ୟାମର ସବୁ ଆଙ୍ଗେଲରୁ ଭିଜୁଆଲ ନିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ ।

ହୀରାକୁଦରେ ଏଭଳି ଭିଡିଓ ଉତ୍ତୋଳନ ମନା ହୋଇଥିବାବେଳେ ଡ୍ରୋନ ଉଡ଼ିବା ଜଳଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଷିଦ୍ଧାଞ୍ଚଳକୁ ଗଣମାଧ୍ଯମ ପ୍ରତିନିଧିଙ୍କୁ ମନା ହୋଇଛି । କେବଳ ଡ୍ରୋନ ଉଡି ନାହିଁ ବରଂ ବାହାର ବ୍ଯକ୍ତିବିଶେଷ ଅପରେସନ ଗ୍ଯାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ବି ଭାଇରାଲ ହେଉଛି । ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ଯବସ୍ଥାକୁ ମୋଡି ମକଚି ଦେଇ ଅଣଅଧିକୃତ ବ୍ଯକ୍ତି ବିଶେଷ କେମିତି ଅପରେସନ ଗ୍ଯାଲେରୀରେ ପଶିଲେ ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା

ଭୁବନେଶ୍ୱର : ବିଧାନସଭାରେ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସିମୁଳିଆରେ ଦମକଳ କେନ୍ଦ୍ର ସମ୍ପର୍କରେ ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଥିଲେ ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ । ରାଜ୍ଯର ୩୧୪ ବ୍ଲକରେ ଦମକଳ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ବିଧାୟକ ପଦ୍ମଲୋଚନ ପଣ୍ଡା ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବାସହ ସଠିକ ଉତ୍ତର ରଖିବାକୁ ଦାବି ଜଣାଇଥିଲେ । ସିମୁଳିଆ ନା ସୋର, କେଉଁଠି ଦମକଳ କେନ୍ଦ୍ର ରହିଛି ଠିକ ଭାବେ ଜଣାଇବାକୁ ଦାବି କରିଥିଲେ । ସିମୁଳିଆ ବ୍ଲକରେ ଦମକଳ କେନ୍ଦ୍ର ନଥିବା ବେଳେ ମନ୍ତ୍ରୀ କେମିତି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଖଇରା ବ୍ଲକରେ ଦମକଳ କେନ୍ଦ୍ର ଅଛି, ହେଲେ ସିମୁଳିଆରେ ନାହିଁ । ସନ୍ତୋଷଜନକ ଉତ୍ତର ନମିଳିବାରୁ ଗୃହରେ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ । ମନ୍ତ୍ରୀ ବିଭାଗର ଅଧିକାରୀଙ୍କୁ ପଠାଇ କେଉଁ ଜାଗାରେ ଦମକମ କେନ୍ଦ୍ର ଅଛି ତାହା ଅନୁଧ୍ଯାନ କରିବାକୁ ବିଧାୟକ ମତାମତ ଦେଇଛନ୍ତି ।

୨୦ଟି ଗେଟ ଦେଇ ହୀରାକୁଦରୁ ଚାଲିଛି ବନ୍ଯାଜଳ ନିଷ୍କାସନ

ନନ୍ଦିଘୋଷ ବ୍ୟୁରୋ: ୨୦ଟି ଗେଟ ଦେଇ ହୀରାକୁଦରୁ ଚାଲିଛି ବନ୍ଯାଜଳ ନିଷ୍କାସନ । ବାମପାଖରୁ ୧୪ ଓ ଡାହାଣ ପାଖରୁ ୬ଟି ଗେଟରେ ବନ୍ଯାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରରେ ୬୧୭ ଫୁଟ ଜଳସ୍ତର ରହିଛି । ପ୍ରତି ସେକେଣ୍ଡରେ ଜଲଭଣ୍ଡାର ମଧ୍ଯକୁ ୨ଲକ୍ଷ ୫୭ ହଜାର ୫୫ କ୍ଯୁସେକ ଜଳ ପ୍ରବେଶ କରୁଥିବାବେଳେ ୩ଲକ୍ଷ ୪୭ ହଜାର ୬୩୮ କ୍ଯୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦରୁ ଆସୁଥିବା ପାଣି ଆଜି ରାତି ୮ଟାରୁ ୯ଟା ମଧ୍ଯରେ ମୁଣ୍ଡଳୀରେ ପହଞ୍ଚିବ । ବର୍ତ୍ତମାନ ମୁଣ୍ଡଳୀରେ ପ୍ରତି ସେକେଣ୍ଡକୁ ୧ ଲକ୍ଷ ୯୦ ହଜାର ୧୩୨ କ୍ଯୁସେକ ଜଳ ପ୍ରବାହିତ ହେଉଛି । ଏଠାରେ ଉପରମୁଣ୍ଡର ଜଳସ୍ତର ୮୦.୮୦ ଫୁଟ ରହିଥିବା ବେଳେ ତଳମୁଣ୍ଡର ଜଳସ୍ତର ରହିଛି ୭୮.୬୦ ଫୁଟ । ଚଳିତବର୍ଷର ପ୍ରଥମ ବନ୍ୟାଜଳ ପହଁଚିଲେ ମୁଣ୍ଡଳୀରେ ୪.୫ରୁ ୫ ଲକ୍ଷ କ୍ଯୁସେକ ଜଳ ପ୍ରବାହିତ ହେବ । ତେବେ ତଳମୁଣ୍ଡରେ ବର୍ଷାନଥିବାରୁ ୫ଲକ୍ଷ କ୍ୟୁସେକ ଜଳ ଆସିଲେ ବି ବନ୍ୟାର କୌଣସି ଆଶଙ୍କା ନାହିଁ ।

ଭିଜିଲାନ୍ସ ଜାଲରେ ଅବକାରୀ କମିଶନର

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଅବକାରୀ କମିଶନର । ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରାଯାଉଛି । ଭୁବନେଶ୍ବର, ସୋନପୁର, ବଲାଙ୍ଗୀର ଆଦି ୧୦ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ପୈତୃକ ବାସଭବନ ସମେତ ଅଫିସ, ଘର ଓ ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଉଛି । ଚଢାଉରେ ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ଯ ଅଧିକାରୀ ସାମିଲ ହୋଇଛନ୍ତି ।

ମଞ୍ଚେଶ୍ବର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ଯୁତ

ନନ୍ଦିଘୋଷ ବ୍ୟୁରୋ: ପୁଣି ଭୁବନେଶ୍ବରରେ ରେଳ ଅଘଟଣ । ମଞ୍ଚେଶ୍ବର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ଯୁତ । ରାତି ଗୋଟାଏ ୩୫ ମିନିଟରେ ଟ୍ରେନର ୮ଟି ବଗି ଲାଇନଚ୍ଯୁତ ହୋଇଥିବା ରେଲୱେ ତରଫରୁ ସୂଚନା ଦିଆଯାଇଛି । ଷ୍ଟେସନ ଲେବୁଲ କ୍ରସିଂରେ ଟ୍ରେନଟି ଲାଇନଚ୍ଯୁଚ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିର ଟ୍ରାକର ମରାମତି କାର୍ଯ୍ୟ କରାଯାଇଛି । ରେଲୱେ ପକ୍ଷରୁ ସୂଚନା ଅନୁସାରେ ବର୍ତ୍ତମାନ ଉଭୟ ଡାଉନ ଓ ଅପ ଲାଇନରେ ଚଳାଚଳ ଆରମ୍ଭ ହୋଇଛି । ୨ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୬ଟି ଟ୍ରେନର ଯାତାୟାତ ସମୟ ପରିବର୍ତ୍ତନ କରାଯାଇଛି । ଗତ ୨୬ ତାରିଖରେ ବି ଏକ ମାଲବାହୀ ଟ୍ରେନ ଟ୍ରାକକୁ ଖସିଯାଇଥିଲା । ଭୁବନେଶ୍ୱର ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଫଳରେ ଡାଉନ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ କାହିଁକି ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ସେନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନି ।

ଦ୍ବିତୀୟ ସୋମବାର : ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ସକାଳୁ ସକାଳୁ ଶୈବପୀଠରେ ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିର ସମେତ ଅନ୍ଯାନ୍ଯ ଶୈବପୀଠରେ ଶ୍ରଦ୍ଧାଳୁ ପାଣି ଢାଳୁଛନ୍ତି । ଚଳିତବର୍ଷ ମୋଟ ୫ ପାଳିରେ କାଉଡ଼ିଆ ବ୍ରତ ପାଳନ କରିବେ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିଛି ।

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଜିଗିନିପୁର ବସୁପଦା ଗାଁର ୩୭ ଜଣ କାଉଡ଼ିଆ ପାଣି ଧରି ଯାଉଥିବାବେଳେ ଏକ କାର ସେମାନଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ କଟକ ସ୍ଥାନାନ୍ତର ସମୟରେ ଆଉଜଣଙ୍କର ମୃତ୍ଯୁ ହୋଇଛି । ମୃତକ ଚିନ୍ମୟୀ ବେହେରା ଓ ଜ୍ୟୋତି ପ୍ରକାଶ ବେହେରା । ଗୁରୁତରଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ କରୁଛି ।

ଆଜି ଯୋଗଗୁରୁ ବାବା ରାମଦେବଙ୍କ ସମ୍ପର୍କରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ କରୋନିଲ ବିବାଦ। ଆଜି ଯୋଗଗୁରୁ ବାବା ରାମଦେବଙ୍କ କରୋନିଲ ସମ୍ପର୍କରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ। କରୋନିଲ ବିବାଦର ଶୁଣାଣି କରି ଗତ ମେ ୨୧ରେ ରାୟ ସଂରକ୍ଷିତ ରଖିଥିଲେ ଜଷ୍ଟିସ ଅନୂପ ଜୟରାମ ଭମ୍ଭାନି। ୨୦୨୧ରେ ମହାମାରୀ କୋଭିଡକୁ ଆରୋଗ୍ଯ କରିବାରେ କରୋନିଲ ସକ୍ଷମ ବୋଲି ବାବା ରାମଦେବ ଯୁକ୍ତି ଦର୍ଶାଉଥିଲେ। ଏହା ବିରୋଧରେ ବାବା ରାମଦେବଙ୍କ ବିରୋଧରେ ମାମଲା ଦାୟର କରିଥିଲା ଡାକ୍ତର ସଂଘ। ଏଥିରେ ବାବା ରାମଦେବ, ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ପତଞ୍ଜଳି ଆୟୁର୍ବେଦକୁ ପକ୍ଷଭୁକ୍ତ କରାଯାଇଥିଲା। ଡାକ୍ତର ସଂଘର ଅଭିଯୋଗ ଥିଲା- କରୋନିଲ ସମ୍ପର୍କରେ ବାବା ରାମଦେବ ଭ୍ରାନ୍ତ ଯୁକ୍ତିକରୁଛନ୍ତି। କରୋନିଲକୁ ଏକ ପ୍ରତିରୋଧକ ଶକ୍ତିବର୍ଦ୍ଧକ ଔଷଧ ଭାବେ ଲାଇସେନ୍ସ ମିଳିଥିଲେ ବି ଏହାକୁ କୋଭିଡର ଔଷଧ ବୋଲି ରାମଦେବ ଯୁକ୍ତି ଦର୍ଶାଇଥିଲେ। ଏହି ଧରଣର ମିଛ ପ୍ରଚାରରୁ ଦୂରେଇ ରହିବା ଲାଗି ଡାକ୍ତର ସଂଘ ପକ୍ଷରୁ ଦାବି କରାଯାଇଥିଲା। ଋଷିକେଶ, ପାଟନା ଓ ଭୁବନେଶ୍ବର ଏମସର ୩ଟି ଆବାସିକ ଡାକ୍ତର ସଂଘ ସମେତ ଚଣ୍ଡୀଗଡସ୍ଥି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ଯୁଟ ଅଭ ମେଡିକାଲ ଏଜୁକେସନ, ୟୁନିଅନ ଅଫ ରେସିଡେଣ୍ଟ ଡକ୍ଟର୍ସ ଅଫ ପଞ୍ଜାବ, ମିଟରସ୍ଥିତ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ, ତେଲଙ୍ଗାନା ଜୁନିଅର ଡକ୍ଟର୍ସ ଆସୋସିଏସନ ପକ୍ଷରୁ ରାମଦେବ ଓ ଅନ୍ଯମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ୨୦୨୧ ଅକ୍ଟୋବର ୨୭ରେ ରାମଦେବ ଓ ଅନ୍ଯମାନଙ୍କୁ ସମନ ଜାରି କରିଥିଲେ ହାଇକୋର୍ଟ।