କଟକ: ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଲିପୁର ଗାଁର ମନୋଜ ସାମଲ ଓ ଜଣେ ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘରେ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ପିଲା ଥିବା ବେଳେ ଅନ୍ୟ ଏକ ଝିଅ ସହ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଲେବାନନ ପେଜର ବିସ୍ଫୋରଣ: କେରଳ ସହ ଲିଙ୍କ୍ ! ସାମ୍ନାକୁ ଆସିଲା ଦରଜୀ ପୁଅଙ୍କ ନାଁ
ନନ୍ଦିଘୋଷ ବ୍ୟୁରୋ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ପେଜରରେ ୱାକି-ଟକିଜ୍ ସହିତ ଅନେକ ଇଲେଟ୍ରୋନିକ୍ ଉପକରଣ ଉପରେ ବିସ୍ଫୋରଣ ପରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ଆହାତ ମଧ୍ୟ ହୋଇଥିଲେ । ଏହି ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି । ଏହା ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ହେଲେ ଏହି ଘଟଣାରେ କେରଳର ଜଣେ ଯୁବକଙ୍କ ନାଁ ସାମ୍ନାକୁ ଆସିଛି । ଯିଏ କି ଏବେ ନରୱେର ନାଗରିକ ।
ମିଡିଆ ରିପୋର୍ଟ ଅନୁଯାୟୀ, ହିଜବୁଲାର ପେଜର୍ କାରବାରରେ ନାର୍ଟୋ ଗ୍ଲୋବାଲ୍ ଲିମିଟେଡ୍ ନାମକ ଏକ ବୁଲଗେରିଆ କମ୍ପାନୀ ଜଡିତ ଥିଲା। ଏହି କମ୍ପାନୀ ନରୱେ ନାଗରିକ ରିନ୍ସନ୍ ଜୋସେଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ରିନ୍ସନ୍ ଜୋସେ କେରଳର ୱାୟାନାଡରେ ଜନ୍ମଗ୍ରହଣ କରିଥିଲେ। ସେଠାରୁ ଏମବିଏ ଶେଷ କରିବା ପରେ ସେ ନରୱେ ଯାଇଥିଲେ। କେରଳରେ ରିନ୍ସନଙ୍କ ପିତା ଜଣେ ଦରଜୀ । ତାଙ୍କର ଟେଲର ଦୋକାନ ରହିଛି। ତେବେ ଏଇଠି ପ୍ରଶ୍ନ ଉଠୁଛି ଜଣେ ସାଧାରଣ ପରିବାର ଘରର ପିଲା ପେଜରରେ ହୋଇଥିବା ବିସ୍ଫୋରଣ ଘଟଣାରେ କିଭଳି ଯୋଡିହେଲା?
ବାସ୍ତବରେ, ହିଜବୁଲ ସଦସ୍ୟଙ୍କ ହଜାର ହଜାର ପେଜର ବିସ୍ଫୋରଣ ହେବା ପରେ ତାଙ୍କର ପ୍ରଥମ ଧ୍ୟାନ ପେଜର୍ ଉତ୍ପାଦନକାରୀ କମ୍ପାନୀକୁ ଯାଇଥିଲା । ଏହି ପେଜରଗୁଡ଼ିକରେ ତାଇୱାନର କମ୍ପାନୀ ଗୋଲ୍ଡ ଆପୋଲୋର ବ୍ରାଣ୍ଡ ନାମ ଥିଲା । ତେବେ ଗୋଲ୍ଡ ଆପୋଲୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁ ଚିଙ୍ଗ-କୁଆଙ୍ଗ ସ୍ପଷ୍ଟ କରିଛନ୍ତି ଯେ ‘ଏହି ପେଜର୍ସ ସବୁ ଆମର ନଥିଲା। କେବଳ ଆମର ବ୍ରାଣ୍ଡ ଏହା ଉପରେ ଥିଲା ବୋଲି ସୁ ଚିଙ୍ଗ-କୁଆଙ୍ଗ କହିଥିଲେ ।
ଏହା ପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା । SANS ଏହାର ଅନୁସନ୍ଧାନ କରିଥିଲା । ରିନ୍ସନ୍ ଜୋସେଙ୍କ ବୁଲଗେରିଆ କମ୍ପାନୀର ନାଁ ଆସିବା ପରେ ସେଠାରେ ତଦନ୍ତ ଜାରି ରହିଥିଲା । ଅନୁସନ୍ଧାନ ପରେ SANS କହିଛି ଯେ, ଏହି ବିସ୍ଫୋରଣରେ କମ୍ପାନୀର କୌଣସି ସମ୍ପର୍କ ନାହିଁ । ଏବଂ ସେପ୍ଟେମ୍ୱର ୧୭ରେ ବିସ୍ଫୋରଣ ସହ ଜଡିତ କୌଣସି ଉପକରଣ ବୁଲଗେରିଆରେ ଆମଦାନୀ, ରପ୍ତାନି କିମ୍ବା ଉତ୍ପାଦନ କରାଯାଇ ନାହିଁ ।
ଭଦ୍ରକ ଗୁଡୁପୋଖରୀରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା, ଅଞ୍ଚଳରେ ୧୬୩ ଧାରା ବଳବତ୍ତର
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହ ପଞ୍ଚାୟତ ଗୁଡୁପୋଖରୀରେ ୨ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟଣା । ଏନେଇ ଶାନ୍ତି କମିଟି ଡାକି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରିଛି ପ୍ରଶାସନ। ଧାମନଗର ପଞ୍ଚାୟତ ସମିତି ସଭା ଗୃହରେ ଶାନ୍ତି କମିଟି ବୈଠକ ବସିଥିଲା। ବୈଠକରେ ଭଦ୍ରକ ଉପ ଜିଲ୍ଲାପାଳ, ତହସିଲଦାର, ଏସଡିପିଓ , ଧୂଷୁରୀ ଅତିରିକ୍ତ ଥାନାଧିକାରୀଙ୍କ ସମେତ ରାଜନୈତିକ ବ୍ୟକ୍ତି ଓ ଉଭୟ ଗୋଷ୍ଠୀର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉତ୍ତେଜନା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରୟାସ ଜାରି କରିଥିଲେ।
ଅନ୍ୟପଟେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଉଭୟ ଗୋଷ୍ଠୀର ଶତାଧିକ ଲୋକେ ଧାମନଗର ଥାନା ଘେରାଉ କରି ବସି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶନିବାର ରାତି ୧୦ଟା ଯାଏଁ ୧୬୩ ଧାରା ବଳବତ୍ତର ରହିଛି । ଘଟଣାରେ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରିଛି ପୋଲିସ।
କଟକ ସଦର ଭାଣପୁରରେ ବସ୍ ଦୁର୍ଘଟଣା, ୯ ଯାତ୍ରୀ ଆହତ
କଟକ: କଟକ ସଦର ଭାଣପୁରରେ ବସ୍ ଦୁର୍ଘଟଣା। ରାଉରକେଲାରୁ ଭୁବନେଶ୍ବର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି ପୋଲିସ।
ସୂଚନାମୁତାବକ ଏକ ଘରୋଇ ବସ୍ ଭୋର ସମୟରେ ଏକ ଅଜଣା ଗାଡି ପଛକୁ ଧକ୍କା ଦେଇଥିଲା ।ବସ ଭିତରେ ଡ୍ରାଇଭର ଫସିରହିଥିବାବେଳେ ବହୁ କଷ୍ଟରେ ପୋଲିସ ବସ ଭିତରୁ ବାହାର କରି ମେଡିକାଲ ପଠାଇଛି । ଡ୍ରାଇଭର ଅବସ୍ଥା ସଂକଟାପନ୍ନ ରହିଛି।
ସାପ କାମୁଡାରେ ଭାଇ ଭଉଣୀ ଗୁରୁତର
ବାଲେଶ୍ୱର: ସାପ କାମୁଡାରେ ଭାଇ ଭଉଣୀ ଗୁରୁତର। ସୋର ଔପଦା ବ୍ଲକ ରଙ୍ଗାମାଟିଆ ଗାଁର ଘଟଣା। ବିଶ୍ୱନାଥ ସୋରେନଙ୍କ ପୁଅ ସଞ୍ଜୟ ଓ ଝିଅ ସ୍ମୁତିରେଖାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଦୁଇ ଭାଇ ଭଉଣୀ ଟିଉସନ ସାରି ଘରକୁ ଫେରୁଥିବା ବେଳେ ସାପ କାମୁଡିଥିଲା। ଭାଇଭଉଣୀ ଚିତ୍କାର କରିବାରୁ ପାଖ ଲୋକ ଆସି ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଡାକି ପ୍ରଥମେ ଖଇରା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନନ୍ତର କରାଯାଇଛି ।
‘ସ୍କ୍ରବ ଟାଇଫସର ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ’
ଭୁବନେଶ୍ୱର: ରାଜ୍ୟରେ ଏବେ ସ୍କ୍ରବ ଟାଇଫସ ଭୟ। ସ୍କ୍ରବ ଟାଇଫସ ରୋଗନେଇ ସମୀକ୍ଷା ବୈଠକ ହୋଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ରୋଗର ସାମ୍ପ୍ରତିକ ପରିସ୍ଥିତି ବିଶେଷକରି ସ୍କ୍ରବ ଟାଇଫସ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।
ସ୍କ୍ରବ ଟାଇଫସ ଏକ ପ୍ରକାର କୀଟ କାମୁଡ଼ିବା ଯୋଗୁଁ ହୋଇଥାଏ। ଜ୍ୱର, ମୁଣ୍ଡବିନ୍ଧା, ଶରୀରପୀଡ଼ା, ଦେହରେ ଲାଲ ଲାଲ ହୋଇ ଫଳିଯିବା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ। ଏହି ସବୁ ଲକ୍ଷଣ ଦେଖାଗଲେ କିମ୍ବା ଜ୍ୱର ବହୁତଦିନ ଧରି ଲାଗିରହିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରେ ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇପାରିବ। ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରିବ। ରାଜ୍ୟରେ ରୋଗ ନ ବଢିବା ପାଇଁ ଜନସଚେତନତାକୁ ବ୍ୟାପକ କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ଆଜିଠୁ ତିନି ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଯାଞ୍ଚ
ପୁରୀ: ଆଜିଠୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ କରିବ ASIର ସ୍ୱତନ୍ତ୍ର ବୈଷୟିକ ଟିମ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ରାଡ଼ାର ସର୍ଭେ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଗତ ୧୮ ତାରିଖରେ ASIର ସ୍ୱତନ୍ତ୍ର ବୈଷୟିକ ଟିମ ଦ୍ୱାରା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ହୋଇଥିଲା । ଲେଜର ସ୍କାନିଂ କରାଯାଇଥିବା ବେଳେ ରାଡ଼ାର ସର୍ଭେ ନେଇ ବୈଷୟିକ ଟିମ ମତ ରଖିଥିଲା। ASIର ଅତିରିକ୍ତ ଡିଜି ଜାହ୍ନଭି ଶର୍ମାଙ୍କ ନେତୃତ୍ୱରେ କରାଯାଇଥିବା ଯାଞ୍ଚ ଅସମ୍ପୂର୍ଣ୍ଣ ରହିଥିଲା । ଶ୍ରୀମନ୍ଦିରରେ ଷୋଳ ପୂଜାକୁ ନଜରରେ ରଖି ଯାଞ୍ଚ କାର୍ଯ୍ୟ ଆଗାମୀ ୨୪ ତାରିଖ ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଏହାକୁ ଗୁରୁତ୍ବ ଦେଇ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ରାଡ଼ାର ସର୍ଭେ ପରେ ଭଣ୍ଡାର ଗୃହର ସଂରକ୍ଷଣ, ମରାମତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ ଟିମ୍ । ମହାପ୍ରସାଦ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ଭଣ୍ଡାର ଘରେ ଗୁପ୍ତ ସୁଡ଼ଙ୍ଗ ପ୍ରସଙ୍ଗରେ ଯାଞ୍ଚ ପରେ ସ୍ପଷ୍ଟ ହୋଇ ପାରିବ । ଅନ୍ୟପକ୍ଷରେ ରିପୋର୍ଟ ମିଳିବ ପରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଶୀଘ୍ର ମରାମତି ସହ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।
ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ: ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡର ନିହତ
ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଥମିବାରେ ନାଁ ନେଉନି ଯୁଦ୍ଧ । ବରଂ ଆହୁରି ଘନେଇବାରେ ଲାଗିଛି ବିବାଦ। ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଟପ୍ କମାଣ୍ଡର ନିହତ। ଲେବାନନ ରାଜଧାନୀରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡର ଇବ୍ରାହିମ ଅକିଲ୍ ନିହତ ହୋଇଛି। ଏହା ଉଭୟ ଇସ୍ରାଏଲ ଓ ଲେବାନନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ତେବେ ଲେବାନନ କହିଛି, ଏହି ଆକ୍ରମଣରେ ଆହୁରି ୮ ଜଣଙ୍କ ମୃତ୍ୟୁ ହେବା ସହିତ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ତରଫରୁ କୁହାଯାଇଛି, ଏହା ଟ୍ରାର୍ଗେଟେଡ୍ ଷ୍ଟ୍ରାଇକ୍ ଥିଲା। ଗତ ବର୍ଷ ଅକ୍ଟୋବରରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରଠୁ ଲେବାନନ ଉପରେ ଏହା ହେଉଛି ଇସ୍ରାଏଲର ତୃତୀୟ ଆକ୍ରମଣ। ଯାହାକି ରାଜଧାନୀ ବିରୁଟର ଦକ୍ଷିଣାଞ୍ଚଳରେ ହୋଇଛି। ଇସ୍ରାଏଲ ଏବେ ଗାଜା ଅପେକ୍ଷା ଲେବାନନକୁ ଅଧିକ ଟାର୍ଗେଟ କରୁଛି। ଏହା ଆଗରୁ ମଧ୍ୟ ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡରକୁ ହତ୍ୟା କରିଥିଲା। କିଛି ଦିନ ମଧ୍ୟରେ ପେଜର୍ ଓ ୱାକି ଟକି ବ୍ଳାଷ୍ଟ କରାଇ ଅନେକ ହେଜବୁଲ୍ଲା ଆତଙ୍କବାଦୀଙ୍କୁ ମାରିଛି ଇସ୍ରାଏଲ। ଏହାର ପ୍ରତିଶୋଧ ନିଆଯିବ ବୋଲି କହିଛି ହେଜବୁଲ୍ଲା। ଶୁକ୍ରବାର ହେଜବୁଲ୍ଲା ଇସ୍ରାଏଲ ଉପରେ ଅନେକ ରକେଟ ମାଡ଼ କରିଥିଲା।

