spot_img
Home Blog Page 1657

ଫେରିଲା ଆମ୍ବ ଟାକୁଆ ଜାଉ କଳଙ୍କ; ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ୍ଯୁ

କନ୍ଧମାଳ: ଫେରିଲା ଆମ୍ବ ଟାକୁଆ ଜାଉ କଳଙ୍କ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କର ମୃତ୍ଯୁ ହୋଇଛି । ଏହାଛଡ଼ା ୬ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ମାଣ୍ଡିପଙ୍କା ଗାଁର ୩୦ ବର୍ଷୀୟା ରୁନି ମାଝୀ ଓ ୨୮ ବର୍ଷୀୟା ରନିତା ପାଟମାଝୀ । ୬ ଗୁରୁତର ହେଲେ ପ୍ରଭାତୀ ମାଝୀ, ଶୁସନା ମାଝୀ, ଜିତା ମାଝୀ, ଦ୍ରେଙ୍ଗାଲୁ ପାଟମାଝୀ, ଜୀବନ୍ତ ପାଟମାଝୀ ଓ ଟୁନି ମାଝୀ । ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ୨୦ ପରିବାରର ୩୦ରୁ ଅଧିକ ଲୋକ ପ୍ରଥମେ ଆମ୍ବ ଟାକୁଆ ଜାଉ କରି ଖାଇଥିଲେ । ବଳକା ଟାକୁଆକୁ ଗତ ୨୯ ତାରିଖରେ ପୁଣିଥରେ ଜାଉକରି ଖାଇଥିଲେ ।

ଗତକାଲି ରନିତା ପାଟମାଝୀଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏସକେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା । ଆଜି ସକାଳୁ ପୁଣି ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାବେଳେ ବାଟରେ ରୁନୁ ମାଝୀଙ୍କର ମୃତ୍ୟୁ ହୋଇଥିଲା । ଏବେ ଅନ୍ଯ ୬ ଜଣ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି । ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ଯାନ କରିଛନ୍ତି ।

ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ; ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ । କୌଣସି ଗୁପ୍ତ କୋଠରୀ କି ଗୁପ୍ତ ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହା ସହିତ ମନ୍ତ୍ରୀ କହିଛନ୍ତି, ନୂଆ ବର୍ଷରୁ ରତ୍ନଭଣ୍ଡାରର ଗଣତିମଣତି କରାଯିବ । ଖୁବଶୀଘ୍ର ଚୂଡ଼ାନ୍ତ ଜିପିଆର ସର୍ଭେ ରିପୋର୍ଟ ଆସିବ । ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ ସୁଡ଼ଙ୍ଗ କିମ୍ବା କୋଠରୀ ନଥିବା ଜଣାପଡ଼ିଛି । ଅନ୍ଯପଟେ ରତ୍ନଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି । କାର୍ତ୍ତିକ ମାସ ପରେ ମାସେ ଧରି ରତ୍ନଭଣ୍ଡାରର ମରାମତି କାମ କରାଯିବ । ଏହାପରେ ଅଳଙ୍କାର ଗଣତି ହୋଇ ପୁରୁଣା ତାଲିକା ସହ ମେଳ କରାଯିବା ସହ ସପ୍ତାହେ ଭିତରେ ରିପୋର୍ଟ ପ୍ରକାଶ ପାଇବ ।

ଜୁଲାଇ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି । ସେପ୍ଟେମ୍ବର ୨୧ ତାରିଖରୁ ASI ନିରୀକ୍ଷଣ କାର୍ଯ୍ଯ କରିଥିଲା । ଲେଜର ସ୍କାନିଂ ଓ ରାଡାର ସର୍ଭେ କରାଯାଇଥିଲା ।

ବାଣ ଫୁଟାଇବା ଯୋଗୁଁ ବଢ଼ିଲା ପ୍ରଦୂଷଣ !

ନନ୍ଦିଘୋେଷ ବ୍ୟୁରୋ: ଦିଲ୍ଲୀବାସୀ ମାନିଲେନି। କଟକଣା ସତ୍ତ୍ଵେ ଗତକାଲି ମନଇଚ୍ଛା ବାଣ ଫୁଟାଇଲେ। ତାର ପରିଣାମ ଆଜି ଦେଖିବାକୁ ମିଳିଛି। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଛି। ଭୟଙ୍କର ପ୍ରଦୂଷଣ। ବାୟୁର ମାନ ମନିଟରିଂ କରୁଥିବା ୪୦ଟି ସ୍ଥାନ ମଧ୍ୟରୁ ଅଧିକ ଜାଗାରେ ବାୟୁ ଅତି ଖରାପ ବୋଲି କୁହାଯାଇଛି। ଏପରି ସ୍ଥିତି ଯେ, ଆଜି ସକାଳୁ ଦିଲ୍ଲୀ ପ୍ରବଳ ଧୂଆଁର ଆସ୍ତରଣ ଭିତରେ ରହିଥିଲା। ସକାଳେ ଦିଲ୍ଲୀରେ ଏୟାର କ୍ଵାଲିଟି ଇନଡେକ୍ସ ଥିଲା ୩୬୦ । ଏହାକୁ ଅତି ଖରାପ ବୋଲି କୁହାଯାଇଥାଏ।

ଏପରିକି ଆନନ୍ଦ ବିହାର ଓ ଆରକେ ପୁରମ ଅଞ୍ଚଳରେ ସ୍ଥିତି ଆହୁରି ସାଂଘାତିକ। ଏଠାରେ AIQ ରହିଛି ୩୯୫। ସୋନିଆ ବିହାର, ପଂଜାବୀ ବାଗ, ନର୍ଥ କ୍ୟାମ୍ପସ, ବାୱାନା, ଜାହାଙ୍ଗିରପୁରୀ, ରୋହିନୀ, ଅଶୋକ ନଗର, ନେହରୁ ନଗର ଅଞ୍ଚଳରେ ବି ୩୮୦ରୁ ଅଧିକ ରହିଛି। ଏପରି ବାୟୁ ପ୍ରଦୂଷଣ ମଣିଷର ସ୍ଵାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ। ଯଦି କାହାର ଶ୍ଵାସଗତ କିମ୍ଵା ଛାତି ରୋଗ ଅଛି, ତା ପାଇଁ ଆହୁରି ସଂଗୀନ। ଶୀତ ଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହୋଇଥାଏ। ପଂଜାବ ଓ ହରିୟାଣାରେ ଏହି ସମୟରେ ନଡ଼ା ପୋଡ଼ି ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆହୁରି ବଢ଼ିଥାଏ।

କାନ୍ତାରା ଷ୍ଟାରଙ୍କ ହନୁମାନ ଲୁକ୍ ଦେଖି ଫ୍ୟାନ୍ସ କହିଲେ ‘ଜୟ ଶ୍ରୀରାମ’

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଅବସରରେ ବ୍ଲକବଷ୍ଟର ଫିଲ୍ମ ‘ଜୟ ହନୁମାନ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଏହି ପୋଷ୍ଟରକୁ ସେୟାର କରି ପ୍ରଶଂସକଙ୍କ ମନରେ ଉତ୍ସାହ ବଢାଇଦେଇଛନ୍ତି । ପୋଷ୍ଟରକୁ ଦେଖିବା ପରେ କେବେ ସିନେମା ରିଲିଜ ହେବ ଏନେଇ ଚାତକ ଭଳି ଚାହିଁ ବସିଛନ୍ତି ପ୍ରଶଂସକ  ।

ପୋଷ୍ଟରରେ କାନ୍ତାରା ଫିଲ୍ମର ହିରୋ ଋଷଭ ସେଟ୍ଟୀଙ୍କୁ ଦେଖିବାକୁ ମିଳିଛି । ଋଷଭ ସେଟ୍ଟୀ ହନୁମାନଙ୍କ ବେଶରେ ଥିବା ବେଳେ ମୁଣ୍ଡରେ ତିଲକ ଲଗାଇଛନ୍ତି ଏବଂ ହାତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଜାବୁଡି ଧରିଥିବାର ଦେଖିବାକୁ ମିଳିଛି । ସିନେମାଟି ପ୍ରସିଦ୍ଧ ପୌରାଣିକ ସୁପରହିରୋଙ୍କ ଜୀବନ ଉପରେ ଆଧାରିତ ଥିବାରୁ ଏହା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ । ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ‘ହନୁମାନ’ ବ୍ଲକବ୍ଲଷ୍ଟର ହୋଇଥିବା ବେଳେ ଏହାର ସ୍ବିକେଲ ମଧ୍ୟ ବ୍ଲକବଷ୍ଟର ହେବ ସନ୍ଦେହ ନାହିଁ ।

ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ପୋଷ୍ଟରକୁ ସେୟାର କରିବା ସହିତ ପୋଷ୍ଟରେ ଲେଖିଛନ୍ତି “ବଚନଂ ଧର୍ମସ୍ୟ ରକ୍ଷଣଂ”। ଅର୍ଥାତ୍‌‌ ତ୍ରେତୟା ଯୁଗରେ କରାଯାଇଥିବା ଏକ ପବିତ୍ର ପ୍ରତିଜ୍ଞା କଳିଯୁଗରେ ରକ୍ଷା କରାଯିବ। ଯେବେଠୁ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ‘ହନୁମାନ’ର ସ୍ବିକେଲ  ‘ଜୟ ହନୁମାନ’ ଆସିବାର ଘୋଷଣା ହେଇଛି ସେବେଠୁ ସମସ୍ତଙ୍କ ନଜର ଫିଲ୍ମର ରିଲିଜ ଡେଟ ଉପରେ ରହିଛି ।

କର୍ଣ୍ଣାଟକ ସରକାରଙ୍କୁ ଖଡଗେଙ୍କ ପରାମର୍ଶ, ପୂରଣ କରି ପାରିବ ଯଦି ପ୍ରତିଶ୍ରୁତି ଦିଅ

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କର୍ଣ୍ଣାଟକ ସରକାର । ଏହାରି ଭିତରେ ନିଜ ଦଳର ନେତା ଓ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ଯେତିକି ଦେଇପାରିବ ସେତିକି ଗ୍ୟାରେଣ୍ଟି ଦିଅ । ନହେଲେ ଅଳ୍ପଦିନରେ ସରକାର ଦେବାଳିଆ ହେଇଯିବ ।

ବାସ୍ତବରେ ଖଡଗେ ନିର୍ବାଚନ ଅଭିଯାନରେ କଂଗ୍ରେସର ଘୋଷଣାପତ୍ର ବିଷୟରେ ଆଲୋଚନା କରୁଥିଲେ ।ଯେଉଁଥିରେ ସେ କଂଗ୍ରେସର ୫ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ନିର୍ବାଚନ ସମୟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ୫ଗ୍ୟାରେଣ୍ଟିର କଥା ଦେଇଥିଲେ । ହେଲେ ଏବେ ଗୋଟିଏ ଗ୍ୟାରେଣ୍ଟିକୁ ରଦ୍ଦ କରିବାକୁ କହୁଛନ୍ତି । ଆପଣ ବୋଧହୁଏ ଖବରକାଗଜ ପଢୁନାହାନ୍ତି ହେଲେ ମୁଁ ପଢୁଛି । ସେଥିପାଇଁ କହୁଛି ଆପଣ ଦେଇଥିବା ଗ୍ୟାରେଣ୍ଟିକୁ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ବ୍ୟବହାର କରାଯାଉଛି । ତେଣୁ ୫,୬ କିମ୍ବା ୭ ଗ୍ୟାରେଣ୍ଟି ଦେବା ବଦଳରେ, ଆପଣଙ୍କ ବଜେଟ୍ ଅନୁସାରେ ଜନତାଙ୍କୁ ଗ୍ୟାରେଣ୍ଟି ଦିଅନ୍ତୁ ।

ଏହା ସହିତ କଂଗ୍ରେସ ସରକାରକୁ ଭର୍ସନା କରି ଖଡଗେ କହିଛନ୍ତି ଯଦି ଆପଣମାନେ ବଜେଟକୁ ଅନୁଧ୍ୟାନ ନକରି ଜନତାଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି ତାହେଲେ ସରକାର ଖୁବଶୀଘ୍ର ଦେବାଳିୟା ସ୍ଥିତିକୁ ପଳେଇଯିବ । ଏମିତି ଅବସ୍ଥା ଆସିଯିବ ଯେ, ରାସ୍ତାରେ ବାଲି ପକେଇବାକୁ ମଧ୍ୟ ପଇସା ନଥିବ । ଯଦି ଏହି ସରକାର ଅସଫଳ ହୁଏ ତାହେଲେ ଆଗାମୀ ପିଢୀ ଉପରେ ଏହାର ପ୍ରଭାବ ପଡିବ । ଏନେଇ ସରକାର ବଦନାମ ହେବେ ଏବଂ ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ସରକାରଙ୍କୁ ଏହାର ପ୍ରଭାବର ସାମ୍ନା କରିବାକୁ ପଡିବ । ତେଣୁ ବଜେଟକୁ ସାବାଧାନତା ସହ ବିଚାର କରିବା ଉଚିତ୍ ।

ଏହାସହିତ ଖଡଗେ ସୂଚନା ଦେଇଛନ୍ତି କି, ରାହୁଲ ଗାନ୍ଧୀ କହିଛନ୍ତି ବଜେଟ ଅନୁଯାୟୀ ମହାରାଷ୍ଟ୍ରରେ ଗ୍ୟାରେଣ୍ଟି ଘୋଷଣା କରାଯିବ ।୧୫ଦିନର ବିଚାର ବିମର୍ଷ କରି ଘୋଷଣାପତ୍ର ଲେଖାଯାଇଛି ।  ଖୁବଶୀଘ୍ର ଆମେ ନାଗପୁର ଏବଂ ମୁମ୍ବାଇରେ ଏହାର ଖୁଲାସା କରିବୁ ।

ସୂଚନାନୁଯାୟୀ କର୍ଣ୍ଣାଟକରେ କଂଗ୍ରେସ ସରକାର ୫ଟି ଗ୍ୟାରେଣ୍ଟି ଦେଇଥିଲା । ଯଦି ସବୁ ଗ୍ୟାରେଣ୍ଟିକୁ ସରକାର ପୂରଣ କରନ୍ତି ତାହେଲେ କର୍ଣ୍ଣାଟକରେ ରାଜସ୍ବ କ୍ଷତି ୬୦ହଜାର କୋଟିରୁ ବୃଦ୍ଧି ପାଇ ୧ଲକ୍ଷ ୧୪ହଜାରକୋଟିରେ ପହଞ୍ଚିବ । ଯାହା ରାଜ୍ୟରୁ ମୋଟ ବଜେଟର ୨୧ପ୍ରତିଶତ ଅଟେ । ବର୍ତ୍ତମାନ କର୍ଣ୍ଣାଟକ ଉପରେ ୫ଲକ୍ଷ କୋଟି ଟଙ୍କାର ଋଣଭାର ଅଛି । ଏପରିସ୍ଥିତରେ ସବୁ ଗ୍ୟାରେଣ୍ଟି ପୂରଣ କରିବା ଅସମ୍ଭବ  ।

 

ଆଜି ଶ୍ରୀମନ୍ଦିରରେ ବଡବଡୁଆ ଡାକ

ପୁରୀ: ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏହାସହ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ। ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ। ପଞ୍ଜିକା ମଧ୍ୟରେ ଅସମାନତା କାରଣକୁ ଗତକାଲି କିଛି ଦୀପାବଳି ପାଳନ କରିଥିବାବେଳେ ଆଜି କିଛି ପାଳନ କରୁଛନ୍ତି। ଗତକାଲି କିଛି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଥିବାବେଳେ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।

ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ କାର୍ତ୍ତିକରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଜଣ ଅତିରିକ୍ତ ଏସପି,୧୧ ଡିଏସପି, ୧୮ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି।ଗତକାଲି ରାଜ୍ୟରେ ଅନ୍ୟ ଅଂଚଳରେ ଦୀପାବଳି ପାଳନ ହୋଇଥିବାବେଳେ ଆଜି ପୁରୀରେ ପାଳନ କରାଯିବ।

ତୃତୀୟଥର ପାଇଁ ନାମ ପରିବର୍ତ୍ତନ କଲେ ଓ୍ବାସିମ ରିଜବି, ବ୍ରାହ୍ମଣରୁ ହେଲେ ଠାକୁର

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସିୟା ଓ୍ବାକର୍ଫ ବୋର୍ଡର ପୂର୍ବ ଅଧ୍ୟକ୍ଷ ଓ୍ବାସିମ ରିଜବି । ପୁଣି ଥରେ ଜାତି ବଦଳେଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ୨୦୨୧ରେ ଯେତେବେଳେ ସେ ଧର୍ମ ପରିବର୍ତ୍ତନ କରିଥିଲେ ସେତେବେଳେ ନିଜ ନାଁ ନାରାୟଣ ତ୍ୟାଗୀ ରଖିଥିଲେ । ହେଲେ ବର୍ତ୍ତମାନ ପୁଣି ସେ ନିଜର ଜାତି ବଦଳାଇବା ସହ ନାମ ପରିବର୍ତ୍ତନ କରିଛନ୍ତି । ଏବେ ତାଙ୍କର ନୂଆ ନାଁ ହେଉଛି ଠାକୁର ଜିତେନ୍ଦ୍ର ନାରାୟଣ ସିଂ ସେଙ୍ଗର । ସେ ଏବେ ତ୍ୟାଗି ବ୍ରାହ୍ମଣରୁ ଠାକୁର ହେଇଯାଇଛନ୍ତି । ଓ୍ବାସିମ ରିଜବି ପୂର୍ବରୁ ଏକ ବୟାନରେ ଦର୍ଶାଇଥିଲେ ଯେ, ତାଙ୍କୁ ଇସଲାମ ଧର୍ମରୁ ବାହାର କରିଦିଆଯାଇଥିଲା । ଠାକୁର ଜିତେନ୍ଦ୍ର ନାରାୟଣ ସିଂ ସେଙ୍ଗର ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ନିଜ ନୂଆ ନାଁର ଖୁଲାସା କରିଛନ୍ତି । ଯେତେବେଳେ ସେ ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ।

କେତେବେଳେ କରିଥିଲେ ଧର୍ମ ପରିବର୍ତ୍ତନ:

କୌଣସି କାରଣରୁ ଇସଲାମ ଧର୍ମଗୁରୁମାନେ ଓ୍ବାସିମ ରିଜବିଙ୍କ ବିରୁଦ୍ଧରେ ଫତଓ୍ବା ଜାରୀ କରିଥିଲେ, ଯାହାକୁ ନେଇ ତାଙ୍କ ପରିବାରରେ ମଧ୍ୟ ବିବାହ ଦେଖାଦେଇଥିଲା । ତାଙ୍କ ମା ଏବଂ ଭାଇ ତାଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲେ । ତାଙ୍କ ବିରୁଦ୍ଧରେ ଇସଲାମ ଧର୍ମକୁ ଅପମାନିତ କରିବା ଏବଂ ଧର୍ମଗୁରୁଙ୍କ ବିରୁଦ୍ଧରେ ଅପମାନିତ ମନ୍ତବ୍ୟ ଦେବା ଭଳି ଅଭିଯୋଗ ଲାଗିଥିଲା ।

କାହିଁକି ଥିଲେ ଚର୍ଚ୍ଚାରେ:

ଓ୍ବାସିମ ରିଜବି ସିୟା ଓ୍ବାକର୍ଫ ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷ ଥିଲେ । ୨୦୧୭ରୁ ଯୋଗୀ ଆଦିତ୍ୟନାଥ ସରକାର ଗଢିବା ଦିନ ପରଠାରୁ ସେ ଲୋକଲୋଚନକୁ ଆସିଥିଲେ । ମଦରସା ଶିକ୍ଷାକୁ ଆତଙ୍କବାଦୀ ସହ ଯୋଡିବା ଏବଂ କୁତବ ମୀନାରକୁ ହଟାଇବା ପାଇଁ ସେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଯେଉଁଥିପାଇଁ ସେ ବିବାଦଘେରକୁ ଆସିଥିଲେ ।

ଏହାସହିତ ଓ୍ବାସିମ ରିଜବି ସେତେବେଳେ କିଛି ଶିକ୍ଷଣୀୟ ସଂସ୍ଥା ଚରମପନ୍ଥୀ ବିଚାରଧାରାକୁ ସମର୍ଥନ କରୁଛନ୍ତି ବୋଲି ମତ ଦେଇଥିଲେ ଯାହାକୁ ସିୟା ଏବଂ ସୁନ୍ନୀ ସମୁଦାୟ ଲୋକମାନେ ବିରୋଧ କରିଥିଲେ । ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେମାନେ ତାଙ୍କ ବିରୁଦ୍ଧରେ ଫତଓ୍ବା ଜାରି କରିଥିଲେ  । ଯେଉଁଥିପାଇଁ ତାଙ୍କୁ ଇସାଲାମ ଧର୍ମରୁ ବାହାର କରିଦିଆଯାଇଥିଲା ।

ମହର୍ଷି ଦୟାନନ୍ଦଙ୍କ ନିର୍ବାଣ ଦିବସ

ଭଦ୍ରକ : ସମସ୍ତ ଦୁଃଖର ମୂଳକାରଣ ଅଜ୍ଞାନ । ଏହି ଅଜ୍ଞାନ ଯଥାର୍ଥ ପ୍ରଜ୍ଞା ଅଭାବରେ ସୃଷ୍ଟି ହୁଏ । ପ୍ରଜ୍ଞା ପରାଧ ପରି ଭୋଗରୁ ସମାଜ ସୁରକ୍ଷିତ ହେଲେ ମାନବ ସମାଜ ଯଥାର୍ଥ ଜ୍ଞାନ ଆହରଣ କରି ପାରିବ ବୋଲି ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ନିର୍ବାଣ ଦିବସ ଦୀପାବଳି ଦିନ ଆର୍ଯ୍ୟ ସମାଜ ଭଦ୍ରକ ଦ୍ବାରା ପାଳନ ଅବସରରେ ବେଦଜ୍ଞ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଥିଲେ । ପ୍ରାତଃ ଯଜ୍ଞ ପରେ ଆଲୋଚନା ସଭାରେ ସୁଧୀର ମୁଦୁଲି, ଘନଶ୍ୟାମ ଲେଙ୍କା ଓ ସଂପାଦକ ଲକ୍ଷ୍ମୀଧର ପଣ୍ଡା ବୈଦିକ ବିଚାରର ପୁନରୁଦ୍ଧାର ପାଇଁ ମହର୍ଷିଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ସ୍ବାମୀଜୀ ବେଦକୁ ଆଧାରକରି ତାଙ୍କର ଅମୂଲ୍ୟ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶ, ଋଗବେଦାଦି ଭାଷ୍ୟ ଭୂମିକା ଓ ସଂସ୍କାର ବିଧି ଆଦି ଗ୍ରନ୍ଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜକିଶୋର ସାହୁ, ନନ୍ଦକିଶୋର ସାହୁ, ସହ ସଂପାଦକ ରବି ନାରାୟଣ ଲେଙ୍କା ଆଦି ପରିଚାଳନା କରିଥିଲେ । ସଭାରେ ଆର୍ଯ୍ୟ ସମାଜର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହ ଭଦ୍ରକର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

ଦୀପାବଳିରେ ଗ୍ରାହକଙ୍କୁ ବଡ ଝଟକା; ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର

ଭୁବନେଶ୍ବର: ଦୀପାବଳି ପରେ ଗ୍ରାହକଙ୍କୁ ବଡ  ଝଟକା । ମାସ ଆରମ୍ଭରୁ ମହଙ୍ଗା ହେଲା ଗ୍ୟାସ୍ । ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ । ୧୯ କେଜିଆ କମର୍ସିଆଲ ଗ୍ୟାସ ଦର ଲଗାତର ଭାବେ ବଢିଚାଲିଛି। ପୂର୍ବ ମାସରେ ୪୮ ଟଙ୍କା ୫୦ ପଇସା ବଢିଥିବା ବେଳେ ଆଜିଠୁ ୬୨ ଟଙ୍କା ବୃଦ୍ଧି ପାଇଛି। ସେହିପରି ଫ୍ରି ଟ୍ରେଡ଼ ୫ କିଲୋ ଗ୍ୟାସ ଦର ମଧ୍ୟ ୧୫ ଟଙ୍କା ବୃଦ୍ଧି ପାଇଛି। ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ହେବାର ଚର୍ଚ୍ଚା ହେଉଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏହା ଏକ ଆରାମଦାୟକ ବିଷୟ ଯେ ତୈଳ କମ୍ପାନୀଗୁଡିକ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଯାହା ମାଆ ମାନଙ୍କୁ ଆଶ୍ବସ୍ତି ଦେଇଛି । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ବର୍ଦ୍ଧିତ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଆଜି ଅର୍ଥାତ୍ ୧ ନଭେମ୍ବର ୨୦୨୪ରୁ କାର୍ଯ୍ୟକାରୀ ହେଲା। ଆଜିଠୁ ବର୍ଦ୍ଧିତ ଦର ହୋଇ  ୧୮୦୨ଟଙ୍କା ଲାଗୁ ହେବ ।

ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ, ମାଛ ଧରା ଉପରେ କଟକଣା ଜାରି

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀନାଶିରୁ କେଳୁଣୀ ମୁହାଣ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ବିରଳ ସାମୁଦ୍ରିକ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ଆଗମନ ପାଇଁ ମାଛଧରା ବନ୍ଦ। ଆଜିଠାରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ। ବିରଳ ପ୍ରଜାତିର ଅଲିଭ ରିଡଲେଙ୍କ ଆଗମନ ହେତୁ କଇଁଛକୁ ସୁରକ୍ଷା ଦେବା ପାଇଁ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି କଟକଣା ଲାଗିଛି ।

ଦେବୀ ମୁହାଣ ଠାରୁ ୨୦କିଲୋମିଟର ପରିଧି ଏବଂ ଅନ୍ୟ ନଦୀ ମୁହାଣ ସମୁଦ୍ର ଠାରୁ ୫କିଲୋମିଟର ପରିଧି ମଧ୍ୟରେ ମାଛଧରାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ପୋଲିସ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ। ମାଛ ଧରା କଟକଣାକୁ ଉଲ୍ଲଂଘନ କଲେ ଜୋରିମାନା ସହ ଟ୍ରଲର, ଡ଼ଙ୍ଗା ଜବତ କରାଯିବ ବୋଲି ସୂଚନା ଦିଆଯାଇଛି।