ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିରୋଧରେ ଭାରତର ଦମଦାର ବିଜୟ। ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ଵିପାକ୍ଷିକ ଟି-ଟ୍ଵେଣ୍ଟି ସିରିଜର ପ୍ରଥମ ମ୍ଯାଚ୍ ଜିତିଲା ଟିମ ଇଣ୍ଡିଆ। ସିଂହଳୀ ଟିମକୁ ୪୩ ରନରେ ପରାସ୍ତ କରିଛି ଭାରତ। ଭାରତ ପ୍ରଥମେ ବ୍ଯାଟିଂ କରି ଶ୍ରୀଲଙ୍କା ଆଗରେ ବିଶାଳ ୨୧୪ ରନର ଟାର୍ଗେଟ ଦେଇଥିଲା। ଯାହାର ପିଛା କରି ଶ୍ରୀଲଙ୍କା ମାତ୍ର ୧୭୦ ରନ କରିପାରିଛି। ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କରିଛି ୧୭୦ ରନ। ଭାରତର ରିଆନ ପରାଗଙ୍କୁ ସର୍ବାଧିକ ୩ ୱିକେଟ ମିଳିଛି। ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୧୩ ରନ କରିଥିଲା।ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୮ ରନ କରଥିଲେ। ଋଷଭ ପନ୍ତ ଦ୍ଵିତୀୟ ସର୍ବାଧିକ ୪୯ ରନ କରିଥିଲେ। ଯଶଶ୍ଵୀ ଜୟଶ୍ଵାଲଙ୍କ ୪୦ ଏବଂ ଶୁବମନ ଗିଲଙ୍କ ୩୪ ବଳରେ ଭାରତ ଏହି ବିଶାଳ ସ୍କୋର ଛିଡ଼ା କରିଥିଲା।
ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେସିଆରଙ୍କୁ ରେବନ୍ତଙ୍କ ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ: ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଟାର୍ଗେଟ। ସେ କହିଛନ୍ତି- କେସିଆର ସରକାର ଗରିବଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ଏହା ସହ କୃଷି ପମ୍ପ ସେଟ ମିଟର ଲଗାଇବାରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେବନ୍ତ। ବିଆରଏସ ନେତା ଟି. ହରିଶ ରାଓ କହିଥିଲେ- କଂଗ୍ରେସ ସରକାର ଦୁର୍ନୀତିରେ ଲିପ୍ତ ଅଛି ଏବଂ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ଦଳ ପୂରଣ କରିନାହିଁ। ରେବନ୍ତ କହିଛନ୍ତି ଅତୀତ ସରକାର ଦୁର୍ନୀତିରେ ବୁଡିଥିଲେ। ମେଣ୍ଢା ବଣ୍ଟନ ସ୍କାମ, ବାଟୁକାମ୍ମା ଶାଢି ବଣ୍ଟନ ଯୋଜନା ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିଲା। ଏହା ସହ କୁର୍ମ ଓ ଯାଦବଙ୍କ ବିକାଶ ଲାଗି ଆସିଥିବା ଅର୍ଥର ବି ବ୍ଯାପକ ହେରଫର ହୋଇଛି। କଂଗ୍ରେସ ସରକାର ଅମଳରେ ଜମି ଦୁର୍ନୀତି ହୋଇଥିବା ବିଷୟରେ ସେ କହିଛନ୍ତି- ଏ ସମ୍ପର୍କିତ ତଥ୍ଯକୁ ସେ ଖୁବ୍ ଶୀଘ୍ର ପ୍ରକାଶ କରିବେ।
ହରିୟାଣାରେ ପ୍ରଚାର ଆରମ୍ଭ କଲେ ସୁନୀତା
ନନ୍ଦିଘୋଷ ବ୍ୟୁରୋ: ହରିୟାଣାରେ ଆମ ଆଦମୀ ପାର୍ଟି ଫୁଙ୍କିଲା ନିର୍ବାଚନୀ ପ୍ରଚାର ବିଗୁଲ। ଦଳ ପାଇଁ ପ୍ରଚାର ଆରମ୍ଭ କଲେ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ତଥା ଆପ୍ ନେତ୍ରୀ ସୁନୀତା କେଜରିୱାଲ। ଯମୁନାନଗରରେ ରାଲି କରି କେନ୍ଦ୍ର ଉପରେ ତୀବ୍ର ଭାବେ ବର୍ଷିଛନ୍ତି ସୁନୀତା। ହରିଆଣାରେ ଆଜି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ସୁନୀତା। ଏବେ ଦୁଇ ଦିନିଆ ହରିଆଣା ଗସ୍ତରେ ଅଛନ୍ତି ଆମ ଆଦମୀ ପାର୍ଟି ନେତ୍ରୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ। ହରିଆଣାର ଅମ୍ବାଲା, ରୋହତକ ଓ ଭିବାନୀରେ ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ପଞ୍ଚକୁଲାରେ ଏକ କାର୍ଯ୍ୟକ୍ରମରେ କେଜରିୱାଲଙ୍କ ଗ୍ଯାରେଣ୍ଟି ଘୋଷଣା କରିଥିଲେ ସୁନୀତା। ଏହି ଅବସରରେ କେନ୍ଦ୍ର ଉପରେ ତୀବ୍ର ଭାବେ ବର୍ଷିଥିଲେ ସୁନୀତା କେଜରିୱାଲ। ଗରିବ ଶ୍ରେଣୀର ଲୋକଙ୍କୁ ମାଗଣା ବିଜୁଳି, ମୋହଲ୍ଲା କ୍ଲିନିକକେ ମାଗଣା ଚିକିତ୍ସା, ମାଗଣା ଶିକ୍ଷା, ହରିଆଣାର ପ୍ରତି ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ସହ ଯୁବକଙ୍କୁ ରୋଜଗାର ଦେବାକୁ ଗ୍ଯାରେଣ୍ଟି ପ୍ରଦାନ କରିଛନ୍ତି ସୁନୀତା କେଜରିୱାଲ। ଲୋକସଭା ନିର୍ବାଚନରେ ସୁନୀତା କେଜରିୱାଲ ଦିଲ୍ଲୀ, ହରିଆଣା ଓ ଗୁଜରାଟରେ ସକ୍ରିୟ ପ୍ରଚାରକ ଥିଲେ। ଚଳିତ ମାସ ଆରମ୍ଭରୁ ହରିଆଣା ନିର୍ବାଚନରେ ସମସ୍ତ ୯୦ ଆସନରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି ଆମ ଆଦମୀ ପାର୍ଟି। ଚଳିତ ବର୍ଷ ଶେଷ ଆଡ଼କୁ ହରିଆଣାରେ ବିଧାନସଭା ନିର୍ବାଚନ ହେବାର ଅଛି। ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
ଧାନ ଉପରେ ବୋନସ୍ ଦେଲେ ବିଗୁଡ଼ୁଛି ବଜାର
ନନ୍ଦିଘୋଷ ବ୍ୟୁରୋ: ଧାନର ଏମ୍ଏସ୍ପି ବଢୁ ବୋନସ୍ ନୁହେଁ । ଖୋଦ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ବୋନସ ବ୍ୟବସ୍ଥାକୁ ନାପସନ୍ଦ କରୁଛି । ରାଜ୍ୟ ସରକାରଙ୍କ ବୋନସ୍ ବ୍ୟବସ୍ଥା ବଜାରରେ ଅସ୍ଥିରତା ସୃଷ୍ଟି କରୁଛି । ହେଲେ ରାଜ୍ୟରେ ଥିବା ଡବଲ୍ ଇଞ୍ଜିନ ସରକାର ଧାନ କିଣା ଉପରେ ୮୦୦ଟଙ୍କା ବୋନସ୍ ଭଳି ଦେବାକୁ ବଜେଟ୍ ବ୍ୟୟ ବରାଦ କରିଛନ୍ତି । ଚାଷୀ ଅଧିକ ଅର୍ଥ ପାଉ ସମସ୍ତେ ଚାହାଁନ୍ତି । ହେଲେ ବୋନସ୍କୁ ନେଇ କେନ୍ଦ୍ର ଗୋଟିଏ ନୀତି ଆପଣାଇଥିବାବେଳେ ରାଜ୍ୟ ସରକାରଙ୍କ ବୋନସ୍ ବ୍ୟବସ୍ଥା ଚାଷୀଙ୍କୁ ସ୍ଥାୟୀ ଉପକାର କରିବ କି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ଧାନ ଉପରେ ବୋନସ୍ ଦେଲେ ବିଗୁଡ଼ୁଛି ବଜାର। ସ୍ଥାୟୀ ଭାବେ ଏଇ ଅର୍ଥ ଚାଷୀର ଅଭାବ ପୂରଣ କରୁନି । ଯେଉଁ ରାଜ୍ୟ ଏମ୍ଏସ୍ପି ଉପରେ ବୋନସ୍ ଦେଉଛନ୍ତି ଧୀରେ ଧୀରେ ସେମାନେ ଏବେ ଅର୍ଥ ହ୍ରାସ କରିବାରେ ଲାଗିଲେଣି। ଆର୍ଥିକ ଦୃଷ୍ଟିରୁ ଏପରି ବ୍ୟବସ୍ଥା ଠିକ୍ ନୁହଁ। ଖୋଦ କେନ୍ଦ୍ର କୃଷି ମନ୍ତ୍ରାଳୟର କମିସନ ଫର୍ ଏଗ୍ରିକଲ୍ଚରାଲ କଷ୍ଟ୍ ଆଣ୍ଡ୍ ପ୍ରାଇସ ବା CACP ଏଭଳି ରିପୋର୍ଟ ଦେଇଛି। ହେଲେ ରାଜ୍ୟରେ ଥିବା ବିଜେପି ସରକାର ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ୍ ଦେବାକୁ ବଜେଟ୍ରେ ବ୍ୟୟବରାଦ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମୃଦ୍ଧ କୃଷକ ଯୋଜନା ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫ ହଜାର କୋଟି । ବୋନସ୍କୁ ନେଇ କିଏ ଠିକ୍? କେନ୍ଦ୍ର ନା ରାଜ୍ୟ ସରକାର? ଚାଷୀ ପରିଶ୍ରମ କରୁଛି। ଅଥଚ ତାର ଉଚିତ ମୂଲ ପାଉନି । ଧାନର ଏମ୍ଏସ୍ପି ବଢୁଛି। ହେଲେ ସେ ଅର୍ଥ ତାର ଅଭାବ ପୂରଣ କରୁନି। ଅତୀତରେ ଓଡ଼ିଶା ସରକାର ଚାଷୀଙ୍କୁ ବୋନସ୍ ଦେବାକୁ ଘୋଷଣା କରିବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖି ମନାକଲେ। ସିଧାସଳଖ ଏଫ୍ସିଆଇ ଧାନ ସଂଗ୍ରହ କରିବନି ବୋଲି ରୋକ୍ଠୋକ୍ ମନାକରିଦେଇଥିଲା। ଛତିଶଗଡ଼ରେ ଥିବା ବିଜେପି ସରକାର ଧାନ ଉପରେ ବୋନସ୍ ନିର୍ଦ୍ଦିଷ୍ଟ ପରିମାଣ ଉପରେ ଦେଉଛନ୍ତି । ନିକଟରେ ଅର୍ଥବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ବଜେଟ୍ ଆଗତ କରିଛନ୍ତି। ବୋନସ୍ର ସ୍ଥାୟିତ୍ବ ଓ କେନ୍ଦ୍ର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି।
କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟ ସରକାରଙ୍କ ବୋନସ୍ ଦେବା ବ୍ୟବସ୍ଥା ଚାଷୀଙ୍କୁ ତୁଷ୍ଟିକରଣ କରିବାକୁ ଉଦ୍ଦିଷ୍ଟ। ଏଥିରେ ଚାଷୀର ଅଭାବ ଦୂର ହେବନି। କଂଗ୍ରେସ ପ୍ରଥମରୁ ଦାବି କରିଆସିଛି ଏମ୍ଏସ୍ପି ବୃଦ୍ଧି କରିବା ପାଇଁ । ହେଲେ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି। ଅତୀତରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନର ଏମ୍ଏସ୍ପି ତତ୍କାଳୀନ ଉତ୍ପାଦନ ଖର୍ଚ୍ଚକୁ ବିଚାର କରି ୨୯୩୦ ଟଙ୍କା କରିବାକୁ ସଂକଳ୍ପ ପାରିତ ହୋଇଥିଲା । ଏବର ରାଜ୍ୟ କୃଷି ମନ୍ତ୍ରୀ ସେତେବେଳେ ବି ଗୃହର ସଦସ୍ୟ ଥାଇ ସଂକଳ୍ପ କରିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଦାବିର ଭାଗ୍ୟ କଣ ହେଲା ସମସ୍ତେ ଜାଣନ୍ତି। ବାସ୍ତବରେ ସ୍ବାମୀନାଥନ୍ କମିଟି ସୁପାରିଶ ଆଧାରରେ ଏମ୍ଏସ୍ପି ବୃଦ୍ଧି ହେଉନି। କେନ୍ଦ୍ର ସରକାରଙ୍କ CACPଙ୍କ ସୁପାରିଶ ଆଧାରରେ ଏମ୍ଏସ୍ପି ଧାର୍ଯ୍ୟ ହୋଇଥାଏ । ଏବେ ଯେତେବେଳେ ବୋନସ୍କୁ ନେଇ CACP ମନା କରୁଛନ୍ତି ସେତେବେଳେ ବୋନସ୍ ଦେଇ ଚାଷୀଙ୍କୁ ସରକାରଙ୍କ ଦୟା ଉପରେ ନିର୍ଭର କରିବାକୁ ଦିଆ ନଯାଉ। ଏମ୍ଏସ୍ପି ବୃଦ୍ଧି କରିବା ସହିତ ଆଇନଗତ ମାନ୍ୟତା ଦିଆଯାଉ।
ଚିନ୍ତା ବଢାଇଲାଣି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪୭ ଆକ୍ରାନ୍ତ ଚିହ୍ନଟ
ନନ୍ଦିଘୋଷ ବ୍ୟୁରୋ: ବର୍ଷା ଲାଗିରହିବା ଯୋଗୁଁ ବଢୁଛି ମଶାବଂଶ । ଗାଁ ଗାଁରେ ଏବେ ଅନେକ ଲୋକଙ୍କୁ ଜ୍ବର । ନମୁନା ପରୀକ୍ଷା ପରେ ବାହାରୁଛି ଡେଙ୍ଗୁ । ତେଣୁ ଆତଙ୍କିତ ଖୋର୍ଦ୍ଧା ଅଞ୍ଚଳବାସୀ । ପ୍ରଶାସନର ଅବହେଳା ଯୋଗୁଁ ଏଡିସ୍ ମଶାଙ୍କ ପ୍ରାଦୁର୍ଭାବ ବଢିଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଅବହେଳାକୁ ପୌର ଉପାଧ୍ଯକ୍ଷ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ରାଉରକେଲାରେ ଅଧିକ ରୋଗୀ ଚିହ୍ନଟ ପରେ ଆରମ୍ଭ ହୋଇଛି ମିଳିତ ସଚେତନତା ଓ ସଫେଇ।
ଗଦା ହୋଇ ରହିଛି କୁଢ କୁଢ ଅଳିଆ । ପାଣି କାଦୁଅରେ ପଚପଚ ରାସ୍ତା । ଖୋର୍ଦ୍ଧା ଅଞ୍ଚଳରୁ ଆସିଛି ଏଭଳି ଖବର । ଏପରି ପରିବେଶ ଯୋଗୁଁ ଏବେ ଗାଁ ଗାଁରେ ବ୍ଯାପିଛି ଜ୍ବର । ନମୁନା ପରୀକ୍ଷା ପାଇଁ ହସପିଟାଲରେ ଲାଗୁଛି ଲମ୍ବା ଲାଇନ । ଆଉ ପରୀକ୍ଷା ପରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ । ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁସାରେ ଭୁବନେଶ୍ବରକୁ ଛାଡ଼ି କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଆଉ ଏଥିପାଇଁ ପ୍ରଶାସନର ଅବହେଳାକୁ ଦାୟି କରିଛନ୍ତି ଲୋକେ । ଡେଙ୍ଗୁ ମୁକାବିଲା ପାଇଁ ପୌର ପରିଷଦ ପକ୍ଷରୁ ବାରମ୍ବାର ବୈଠକ ହେଉଛି । ହେଲେ ସଚେତନତା ବ୍ଯାନରରେ ରହିଛି ପଦକ୍ଷେପ । ଅଳିଆ ସଫା କରିବା, ମଶା ଧୁଆଁ, ତେଲ ସିଞ୍ଚନ କେବଳ କାଗଜ କଲମରେ ଚାଲିଛି । ଅବହେଳାକୁ ପୌର ଉପାଧ୍ଯକ୍ଷ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ ରାଉରକେଲାରେ ୧୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟର ଅଞ୍ଚଳରେ ୧୨୭ ରୋଗୀ ଅଛନ୍ତି । ସେକ୍ଟର ୧୬ ସେକ୍ଟର ୧୪, ସେକ୍ଟର ୧୩, ସେକ୍ଟର ୪, ସେକ୍ଟର ୩ ଓ ସେକ୍ଟର ୧ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିପାଇଁ ସଚେତନତା ଓ ସଫେଇ କାର୍ଯ୍ୟକୁ ଜୋରଦାର କରାଯାଇଛି । ଆରଏମସି, ଇସ୍ପାତ କାରଖାନା ଓ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ୫ ଟିମ ଗଠନ କରାଯାଇ ସଚେତନତା ଓ ସଫେଇ କାର୍ଯ୍ୟ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୫ ଟି ଟିମରେ ଶହେଜଣ କର୍ମଚାରୀ ସାମିଲ । ଲଗାଣ ବର୍ଷା ଓ ଆବର୍ଜନା ମଶା ବଂଶ ବୃଦ୍ଧିକୁ ସୁହାଇଛି । ତେଣୁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ସଚେତନତା ସହ ନମୁନା ପରୀକ୍ଷା ଓ ଚିକିତ୍ସା ବ୍ଯବସ୍ଥା ପାଇଁ ବ୍ଯବସ୍ଥା କରାଯାଇଛି ।
ବିପଦରେ କପିଳାସର ମାଆ ପାର୍ବତୀଙ୍କ ମନ୍ଦିର
ନନ୍ଦିଘୋଷ ବ୍ୟୁରୋ: ବିପଦରେ କପିଳାସର ମାଆ ପାର୍ବତୀଙ୍କ ମନ୍ଦିର। ସାମାନ୍ୟ ବର୍ଷାରେ ଛାତରୁ ଗଳୁଛି ପାଣି। ନିଜେ ପାର୍ବତୀ ମାଆ ମଧ୍ୟ ବର୍ଷାରେ ଓଦା। ଛାତରୁ କେଉଁଠି ସିମେଣ୍ଟ ଛାଡ଼ି ଗଲାଣି ତ କେଉଁଠି ଛାତ ଫାଟି ଆଁ କଲାଣି। ବାରମ୍ବାର ପ୍ରଶାସନ, ଦେବତର ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି।
ବିପଦରେ କପିଳାସର ମାଆ ପାର୍ବତୀଙ୍କ ମନ୍ଦିର। ଏଠାରେ ଯିଏ ପ୍ରଭୁ ଚନ୍ଦ୍ର ଶେଖରଙ୍କୁ ଦର୍ଶନ କରେ ମାଆ ପାର୍ବତୀଙ୍କୁ ଦର୍ଶନ କରିଥାଏ। କିନ୍ତୁ ପାର୍ବତୀଙ୍କ ମନ୍ଦିରରେ ଦର୍ଶନ ତ ଦୂରର କଥା, ଠିଆ ହେବାକୁ ଲୋକେ ଭୟ କରୁଛନ୍ତି। ସାମାନ୍ୟ ବର୍ଷାରେ ପାଣି ଛାତରୁ ଗଳୁଛି। ନିଜେ ପାର୍ବତୀ ମାଆ ମଧ୍ୟ ବର୍ଷାରେ ଓଦା। ବର୍ଷା ପାଣିରୁ ପକ୍ଷା କରିବା ପାଇଁ ସିନ୍ଧୁକ ଉପରେ ଜରି ଘୋଡା ହୋଇଛି। ଛାତରୁ କେଉଁଠି ସିମେଣ୍ଟ ଛାଡ଼ି ଗଲାଣି ତ କେଉଁଠି ଛାତ ଫାଟି ଆଁ କଲାଣି। ବାରମ୍ବାର ପ୍ରଶାସନ, ଦେବତର ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ଦିର ସେବକ ଓ ପୂଜାରୀ।
ପ୍ରଶାସନିକ ସ୍ତରରେ ବ୍ୟାପକ ସମନ୍ୱୟର ଅଭାବ ଯୋଗୁ ରାଜ୍ୟ ଏବଂ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଅବ୍ୟବସ୍ଥା ଘେରରେ। ଅନ୍ଯପଟେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କପିଳାସ ପୀଠର ମୁଖ୍ୟ ମନ୍ଦିର ତଥା ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ଓ ଭୋଗ ମଣ୍ଡପକୁ ମରାମତି କରାଯାଇଥିବା ବେଳେ ମାଆ ପାର୍ବତୀଙ୍କ ମନ୍ଦିର ଆଜି ପର୍ଯ୍ୟନ୍ତ କାହିଁକି ମରାମତି ହେଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଠିକ୍ ଭାବରେ କାମ କରୁନାହିଁ ।
ପାଠ ପଢ଼ା ବୟସରେ ପରିବାର ବୋଝ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
ନନ୍ଦିଘୋଷ ବ୍ୟୁରୋ: ପାଠ ପଢ଼ା ବୟସରେ ପରିବାର ବୋଝ । ଭଙ୍ଗା କୁଡିଆରେ ଚଳୁଛନ୍ତି ୫ ପ୍ରାଣୀ କୁଟୁମ୍ବ। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଗଣ୍ଡା ମେର ପଞ୍ଚାୟତର ବାହାଦୁର ପଡା ଗାଁ l ଗାଁର ଇଶ୍ୱର ବନ୍ଦିଛୋଡ ଜଣେ ମାନସିକ ବିକୃତ ରୋଗୀ। ବାପା ଅସୁସ୍ଥ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ଅଣ୍ଡା ଭିଡିଛନ୍ତି ବଡ ଝିଅ ।
ପାଠ ପଢ଼ା ବୟସରେ ପରିବାର ବୋଝ । ଭଙ୍ଗା କୁଡିଆରେ ବିତୁଛି ଜୀବନ। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଗଣ୍ଡା ମେର ପଞ୍ଚାୟତର ବାହାଦୁର ପଡା ଗାଁ l ଗାଁର ଇଶ୍ୱର ବନ୍ଦିଛୋଡ ଜଣେ ମାନସିକ ବିକୃତ ରୋଗୀ। ଇଶ୍ବରଙ୍କ ପରିବାର କହିଲେ ଦୁଇ ଝିଅ ଏବଂ ଜଣେ ପୁଅ l ୫ ବର୍ଷ ତଳେ ସ୍ତ୍ରୀ ଚାଲିଗଲେ l ତିନି ମାଆ ଛେଉଣ୍ଡ ପିଲାକୁ ନେଇ ଚାଲିଥିଲା ସଂସାର। ମୂଲ ଲାଗି ପୁଅ ଝିଅ କୁ ପାଠ ପଢ଼ାଉ ଥିଲେ ଇଶ୍ବର। ହଠାତ ଦେହ ଅସୁସ୍ଥ ହେବାରୁ ମୁଣ୍ଡ ଆଉ ଠିକରେ କାମ କରୁନି। ଏବେ ପାଠ ପଢୁଆ ଝିଅ ସୁଶୀଳା ଉପରେ ପରିବାର ବୋଝ । ଗୋଟିଏ ପଟେ ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ ଅନ୍ୟପଟେ ଝିଅ ମୂଲ ଲାଗିଲେ ଚଳୁଛି ପରିବାର ।
ଦିନ ଥିଲା ପୂର୍ବ ସରକାରରେ କାଳିଆ ଯୋଜନାରେ କିଛି ସହଯୋଗ ମିଳୁଥିଲା। ଏବେ ସେ ସୁବିଧାରୁ ପରିବାର ବଞ୍ଚିତ। ଅନ୍ୟପଟେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ନାହିଁ l ଯେଉଁ ଘର ଟିଏ ଅଛି ସେଥିରେ କଷ୍ଟେ ମଷ୍ଟେ ଚଳୁଛନ୍ତି ପରିବାର। କାରଣ ସେଥିରେ ଦିନରେ ସୂର୍ଯ୍ୟ ଦେଖାଯାଉଥିବା ବେଳେ ରାତିରେ ଚନ୍ଦ୍ର। ବେଳେ ବେଳେ ନିମ୍ବ ଫଳ ଗୋଟାଇ ଝିଅ ଦୁଇ ପଇସା ରୋଜଗାର କଲେ ଜଳୁଛି ଚୁଲି। ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ଯ ମିଳୁଛି। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ଚଳିବା କଷ୍ଟ ହେବାରୁ ଜଣେ ଭଉଣୀ ଅନାଥ ଆଶ୍ରମରେ ତ ଆଉ ଜଣେ ଭାଇ ସଂପର୍କୀୟ ଘରେ ଚଳୁଛନ୍ତି।
ଜଙ୍ଗଲ ପ୍ରେମୀ ମଣିଷ, ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ
ନନ୍ଦିଘୋଷ ବ୍ୟୁରୋ: ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ । ଗୁଣୁପୁର ରେଞ୍ଜ ମହିମା ନଗର ପେଦାକଣ୍ଡା ସଂରକ୍ଷଣ ଜଙ୍ଗଲର ସୁରକ୍ଷା କବଚ ସାଜିଛନ୍ତି ଆଦିବାସୀ ଯୁବକ ଭାସ୍କର ଶବର । ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ । ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।
ଜଙ୍ଗଲ ପ୍ରେମୀ ମଣିଷଟିଏ । ଗଛକୁ ଦେଉଛନ୍ତି ସୁରକ୍ଷା । ଗୁଣୁପୁର ମହିମା ନଗର ପେଦାକଣ୍ଡା ସଂରକ୍ଷଣ ଜଙ୍ଗଲର ସୁରକ୍ଷା କବଚ ସାଜିଛନ୍ତି ଆଦିବାସୀ ଯୁବକ ଭାସ୍କର ଶବର । ୨୦୨୧ ମସିହାରେ ବନ ବିଭାଗ ସମସ୍ତ ଆଦିବାସୀ ମାନଙ୍କୁ ଏକାଠି କରି ଜଙ୍ଗଲରେ ପଡୁ ଚାଷ ବନ୍ଦ କରିଥିଲେ ଏବଂ ଶହେ ହେକ୍ଟରରୁ ଅଧିକ ଜମିରେ କାମ୍ପା ଫଣ୍ଡରୁ ୨୦ ହଜାରରୁ ଅଧିକ ମୂଲ୍ଯବାନ ଗଛ ଯେମିତିକି ବାହାଡା, ହରିଡା, ନିମ୍ବ,ଶାଳ, ଶର୍ଗୀ, ପିଆଶାଳ ଭଳି ଗଛ ଆଣି ଲଗାଇଥିଲେ। ଗଛ ଲାଗିବା ପରଠାରୁ ଗଛକୁ ସୁରକ୍ଷା ଦେଇ ଆସିଛନ୍ତି ଭାସ୍କର । ଏଥିପାଇଁ ଭାସ୍କରଙ୍କୁ କିଛି ବର୍ଷ ପର୍ଯ୍ଯନ୍ତ ପାରିଶ୍ରମିକ ମିଳିଥିଲା। କିନ୍ତୁ ପରବର୍ତ୍ତି ସମୟରେ ଫଣ୍ଡ ନଥିବାରୁ ପାରିଶ୍ରମିକ ବନ୍ଦ ହୋଇଯାଇଛି । ତଥାପି ଭାସ୍କର ପରିବେଶ ସୁରକ୍ଷାକୁ ଆଖି ଆଗର ରଖି ଗଛ ଗୁଡିକର ଯତ୍ନ ନେଉଛନ୍ତି। ଭାସ୍କରଙ୍କ ନିଆରା ଉଦ୍ୟମ ପାଇଁ ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସା ଛୁଟୁଛି। ଅନ୍ଯମାନଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ସରକାରୀ ଯୋଜନା ଜରିଆରେ ପାରିଶ୍ରମିକ ଯୋଗାଇ ଦିଆଯିବା ସହିତ ଅନ୍ୟ ପ୍ଲାଣ୍ଟେସନର ନିୟୋଜିତ କରାଯିବ ବୋଲି କହିଛନ୍ତି ଗୁଣୁପୁର ରେଞ୍ଜର ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡ଼ିଶାକୁ ଆସିଲା ଆଳୁ : ଦେବୀ ମିଶ୍ର
ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡ଼ିଶାକୁ ଆସିଲା ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସି ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ୧ ନମ୍ବର ହାଟରେ ଆଳୁ ଗାଡ଼ି ଲାଗିଛି। ଆଳୁ ଗାଡ଼ି ପଠାଇବାକୁ ଗତକାଲି ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଉ ଆଜି ଓଡ଼ିଶାରେ ପହଞ୍ଚିଛି ଆଳୁ ଗାଡ଼ି । ନବୀନଙ୍କ ଚିଠିର ପ୍ରଭାବ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର। ଆଳୁ ସମସ୍ୟାର ସମାଧାନ ପାଇଁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ସେହିପରି ଧାନ ଓ ଚାଉଳରେ ବିଜେଡି ସମୟ ରେ ରେକର୍ଡ଼ କରିଛି ଓଡ଼ିଶା l ପନିପରିବା, ମାଛ ଚାଷରେ ବି ଓଡ଼ିଶା ବେଶ ସଫଳତା ହାସଲ କରିଛି ବୋଲି କହିଛନ୍ତି ଦେବୀ ମିଶ୍ର।
ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ଯମନ୍ତ୍ରୀ ଟୁଇଟ କରି କହିଛନ୍ତି. ରାଜ୍ଯରେ ଦେଖାଦେଇଥିବା ଆଳୁ ଯୋଗାଣ ସମସ୍ଯା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଛି । ବର୍ତ୍ତମାନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ଵାଭାବିକ ହୋଇଛି । ଏହି ଅସ୍ଥାୟୀ ସମସ୍ଯାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଗୋଦାମରେ ସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ପରଖିଛନ୍ତି। ଆଳୁ ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ଯାର ଯଥାଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।

