spot_img
Home Blog Page 1661

ସୁନ୍ଦରଗଡ଼ କରମଡିହି ଗଣହତ୍ୟା ମାମଲା, ୧୩ ସନ୍ଦିଗ୍ଧ ସଦର ଥାନାରେ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ କରମଡିହି ଗଣହତ୍ଯା ମାମଲାରେ ୧୩ ସନ୍ଦିଗ୍ଧ ସଦର ଥାନାରେ  ଅଟକ । ଅଟକଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି । ଗଣହତ୍ୟା ପରେ ଏମାନେ ସୁନ୍ଦରଗଡ଼ରୁ ଫେରାର ହୋଇ ଅନୁଗୋଳ ଫେରାର ହୋଇଯାଇଥିଲେ । ସେଠାରୁ ସମସ୍ତଙ୍କୁ ଉଠାଇ ଆଣିଛି ସନ୍ଦରଗଡ଼ ସଦର ଥାନା ପୋଲିସ ।

ଅକ୍ଟୋବର ୨୯ ତାରିଖ ରାତିରେ ହୋଇଥିଲା ହତ୍ଯାକାଣ୍ଡ । କରମଡିହି ଗିତପଡା ପଞ୍ଚାୟତ ନିକଟ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ରହୁଥିବା ଯାଯାବର ଗୋଷ୍ଠୀର ତିନି ମହିଳା ସମେତ ୫ ଜଣକୁ ନିର୍ମମ ଭାବେ ହାଣି ହତ୍ଯା କରାଯାଇଥିଲା ।

ମଙ୍ଗଳବାର ରାତିରେ ଘଘଟିଥିବା ଏହି ନରସଂହାରରେ ଅଟକ ୧୩ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ମୁଣ୍ଡାବସ୍ତି ପଡିଆରୁ ସେମାନେ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ପାଇ ବଅଁରପାଳ ପୋଲିସ ସକାଳେ ଚଢ଼ଉ କରି ସେମାନଙ୍କୁ ଧରିଥିଲା । ସୁନ୍ଦରଗଡ଼ ପୋଲିସର ଏକ ୨୦ ଜଣିଆ ଟିମ୍ ବଅଁରପାଳ ଯାଇ ସେମାନଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଆକ୍ରମଣରେ ଗୁରୁତର ଅବିନାଶ ପାୱାରଙ୍କୁ ବଅଁରପାଳରୁ ଧମକପୂର୍ଣ୍ଣ ଫୋନ୍ ଆସୁଥିବା ସେ କହିଥିଲେ । ଉକ୍ତ ଫୋନ କଲକୁ ଆଧାର କରି ପୋଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଥିଲା ।

ଏକତରଫା ପ୍ରେମ: ଯୁବତୀଙ୍କ ଗଳାକାଟି ହତ୍ୟା କଲେ ଯୁବକ

ଦେବଗଡ଼: ଏକତରଫା ପ୍ରେମରୁ ହତ୍ୟା । ଯୁବତୀଙ୍କ ଗଳାକାଟି ହତ୍ୟା କଲେ ଜଣେ ବିବାହିତ ଯୁବକ । ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଖଡ଼ିନାଳି ଗାଁରେ । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଭିଯୋଗ ଅନୁସାରେ, ଖଡ଼ିନାଳି ଗାଁର ବିବାହିତ ଯୁବକ ଓମ ପ୍ରକାଶ ପ୍ରଧାନ ସେହି ଗାଁର ଯୁଗଳ ବେହେରାଙ୍କ ଝିଅ ସ୍ବିଟିଙ୍କୁ ଏକତରଫା ପ୍ରେମ କରୁଥିଲେ । ତେବେ ସ୍ବିଟି ଓମଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିଆସୁଥିଲେ । ଏହାକୁ ନେଇ ଓମଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସେ ଯୁଗଳଙ୍କ ଘରେ ପହଞ୍ଚି ଯାଇଥିଲେ । ଏହାପରେ ସ୍ବିଟିଙ୍କୁ ବଳ ପୂର୍ବକ ବାଡି ପଟକୁ ନେଇ ଏକ ପନିକିରେ ଗଳା କାଟି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ସ୍ବିଟିଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ପୋଲିସ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଏବଂ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଦଳବଳେ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ସ୍ବିଟିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆଣମ୍ଭ କରିଛି । ପୋଲିସ ଅଭିଯୁକ୍ତ ଓମକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତାଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ପନିକି ଜବତ କରିଛି ।

ସୂଚନାଯୋଗ୍ୟ, ଓମ ପ୍ରକାଶ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛି ।

ଆଜି ଆଲୋକର ପର୍ବ ଦୀପାବଳି: ଗାଁଠୁ ସହର ଉତ୍ସବମୁଖର, ବାଣ ଦୋକାନରେ ଭିଡ଼

ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ ।

ଦୀପାବଳିର କିଛି ଦିନ ପୂର୍ବରୁ ସମସ୍ତଙ୍କ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ଘର । ଚଳିତବର୍ଷ ସବୁଜ ବାଣ ଫୁଟାଇ ଓ ଦୀପ ଜଳାଇ ପର୍ବ ପାଳନ କରିବାକୁ ଆହ୍ବାନ ଦିଆଯାଇଛି । ରାତିରେ ଜମିବ ବାଣ ଫୁଟା ମଜା । ବାଣ କିଣିବାକୁ ଭୋରୁ ଦୋକାନ ଆଗରେ ଲୋକଙ୍କ ଗହଳି ଲାଗିଗଲାଣି ।

ବିଲରୁ ଫେରୁଥିବା ଯୁବକଙ୍କୁ ଦଳିଦେଲା ହାତୀ

କାମାକ୍ଷାନଗର: ହାତୀ ପାଦ ତଳେ ଗଲା ଯୁବକଙ୍କ ଜୀବନ । ବିଲରୁ ଫେରୁଥିବା ବେଳେ ଯୁବକଙ୍କୁ ଦଳି ଦେଲା ଦନ୍ତା ହାତୀ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଘଟିଛି ଅଘଟଣ l ମୃତକ ଜଣକ ହେଲେ ଗାଁର ନିଧିଆ ଦେହୁରୀ l

ନିଧିଆ ଗତକାଲି ସନ୍ଧ୍ୟାରେ ବିଲକୁ ଯାଇଥିଲେ । ସେହି ସମୟରେ ବନ ବିଭାଗ କମର୍ଚାରୀ ଓ ଗାଁ ଲୋକେ ମିଶି ହାତୀ ଘଉଡ଼ାଉ ଥିଲେ l ନିଧିଆ ବିଲରୁ ଫେରିଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଘୋଷାଡି ନେଇ ଦଳି ଦେଇଥିଲା l ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନିଧିଆଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ଜମି ବିବାଦରୁ ପୁରୀରେ ଡବଲ ମର୍ଡର, ବାପପୁଅଙ୍କୁ ହତ୍ୟା

ପୁରୀ: ଜମିଜମା ବିବାଦକୁ ନେଇ ପୁରୀରେ ଡବଲ ମର୍ଡର । ସଦର ଥାନା ସମଙ୍ଗରା ଗାଁରେ ବାପ ପୁଅଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ରବି ସ୍ଵାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ଵାଇଁ ।

ଆଗରୁ ଜମି ବିବାଦକୁ ନେଇ ରବି ଓ ଜଟି ପ୍ରଧାନଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ତାହା ଉଗ୍ରରୂପ ଧାରଣ କରିଥିଲା । ସମାଧାନ ପାଇଁ ଗାଁରେ ବୈଠକ ଚାଲିଥିବା ବେଳେ ବୈଠକରୁ ଉଠି ଆସି ଜଟି ଓ ତାଙ୍କ ପୁଅମାନେ ଧାରୁଆ ଅସ୍ତ୍ରରେ ରବି ଓ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ହୋଇଥିଲେ ରବି ଓ ତାଙ୍କ ପୁଅ ପ୍ରକାଶ । ପ୍ରଥମେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ରବିଙ୍କୁ କଟକ ନିଆଯାଉଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଲଏସିର ଡେସପାଙ୍ଗ ଓ ଡେମଚୋକରୁ ସୈନ୍ୟ ଅପସରଣ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ଏଲଏସିରେ ଫେରିଲା ସ୍ବାଭାବିକ ଅବସ୍ଥା । ପୂର୍ବ ଲଦାଖର ଡେସପାଙ୍ଗ ଓ ଡେମଚୋକରେ ସରିଲା ସୈନ୍ୟ ଅପସାରଣ । ଉଭୟ ଦେଶ ସେମାନଙ୍କ ସେନା ଅପସରଣ କରି ନେଇଛନ୍ତି । ଯାହା ଭାରତ ଓ ଚୀନ ସମ୍ପର୍କରେ ନୂଆ ଅଧ୍ଯାୟ ସୃଷ୍ଟି କରିଛି ।

୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ ଜାରି ରହିଥିଲା ଅଶାନ୍ତି । ସୀମାରେ ବି ଚାଲିଥିଲା ଛୋଟବଡ଼ ଉତ୍ତେଜନା । ଆଜି ଦୀପାବଳି ଅବସରରେ ସୀମାରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିବେ । ସୈନ୍ୟ ଅପସାରଣ ସହିତ ସୀମାରୁ ତମ୍ବୁ, ଅସ୍ଥାୟୀ ନିର୍ମାଣ ଆଦି ହଟାଇ ଦିଆଯାଇଛି । ଶୀଘ୍ର ସୀମାରେ ଦୁଇ ପକ୍ଷର ପାଟ୍ରୋଲିଂ ବ୍ଯବସ୍ଥା କରାଯିବ । ଏହାସହ କମାଣ୍ଡର, ବ୍ରିଗେଡିୟର ସ୍ତରରେ ଆଲୋଚନା ହେବ ।

ସେନା ଅପସାରଣ ପରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । କୂଟନୈତିକ, ସାମରିକ ଓ ସେନା ସ୍ତରରେ ବ୍ଯାପକ ଆଲୋଚନା ପରେ ଭାରତ ଓ ଚୀନ ଏଲଏସିରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନେଇଥିଲେ ।

ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଆଲୋଚନା ହୋଇଥିଲା । ଗତ ୨୫ ତାରିଖରେ ଏଲଏସିରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ । ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ, ଚୀନ୍ ସୀମାରେ ଉତ୍ତେଜନା ଏକ ପ୍ରକାର ଶେଷ ହୋଇଛି ।

ଇ-ଚାଲାଣ ନାଁରେ ବଡ଼ ଧରଣର ସ୍କାମ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଇ-ଚାଲାଣ ନାମରେ ଚାଲିଛି ବଡ ଧରଣର ସ୍କାମ । ଠକାମିର ଶିକାର ହେଉଛନ୍ତି ଲୋକେ । ଇ-ଚାଲାଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ଓ ସାଇବର ଏକ୍ସପର୍ଟ ଦେଲେ ପରାମର୍ଶ ।

ସୂଚନାଯୋଗ୍ୟ, ପ୍ରଥମେ ୨୦୧୨ରେ ଆଂଶିକ ଭାବେ ଏବଂ ପରେ ୨୦୧୭ରେ ସମ୍ପୂର୍ଣ୍ଣ ଭାବେ ଇ-ଚାଲାଣ ବ୍ଯବସ୍ଥା ହୋଇଥିଲା । ବିଶେଷ କରି ଟ୍ରାଫିକ ଉଲ୍ଲଂଘନ କ୍ଷେତ୍ରରେ ଇ-ଚାଲାଣ ବ୍ଯବସ୍ଥା କାର୍ଯ୍ୟକାରୀ ହୋଇଥିଲା । ମାତ୍ର ବର୍ତ୍ତମାନ ସାଇବର ଠକମାନେ ଇ-ଚାଲାଣ ବ୍ଯବସ୍ଥା ଜରିଆରେ ଲୋକଙ୍କୁ ଠକିଥିବା ଦେଖାଯାଉଛି । ସାଇବର ଠକମାନେ ଇ-ଚାଲାଣ ଜରିଆରେ ଫେକ୍ ଲିଙ୍କ୍ ପଠାଉଛନ୍ତି ଓ ଲିଙ୍କ୍ କ୍ଲିକ କଲେ ବ୍ଯାଙ୍କ ଆକାଉଣ୍ଟକୁ ହ୍ଯାକ କରୁଛନ୍ତି । ଏପରିକି ପଡି ରହିଥିବା ଚାଲାଣ ନାଁରେ ଫେକ୍ ଏସଏମଏସ ଆଲର୍ଟ ବି ପଠାଉଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଟ୍ରାଫିକ ଚାଲାଣ ସମ୍ପର୍କରେ କୌଣସି ଲିଙ୍କ ଆସିଲେ ତାହାକୁ କ୍ଲିକ କରନ୍ତୁ ନାହିଁ । ପେମେଣ୍ଟ ଲାଗି ଲିଙ୍କକୁ କ୍ଲିକ କଲେ ଠକମାନେ ବ୍ଯାଙ୍କ ଆକାଉଣ୍ଟକୁ ହ୍ଯାକ କରିବା ଆଶଙ୍କା ରହିଛି । ଟ୍ରାଫିକ ଜନିତ ଇ-ଚାଲାଣ କ୍ଷେତ୍ରରେ ବହୁ ଅଭିଯୋଗ ବର୍ତ୍ତମାନ ଆସୁଛି । ଭୁଲ ଗାଡି ନମ୍ବର, ଜଣକର ତ୍ରୁଟି କ୍ଷେତ୍ରରେ ଅନ୍ଯ ଜଣଙ୍କ ନିକଟକୁ ଚାଲାଣ ପଠାଇବା ଆଦି ଘଟଣା ବହୁସଂଖ୍ଯାରେ ବଢୁଛି । ଏପରିକି ଅସାଧାରଣ ଭାବେ ସ୍ଥିରୀକୃତ ପରିମାଣଠାରୁ ବହୁ ଅଧିକ ପରିମାଣର ଇ-ଚାଲାଣ ଆସୁଛି । ଏହି ସମସ୍ଯା ଭିତରେ ଫେକ୍ ଲିଙ୍କ ଲୋକଙ୍କୁ ଅଧିକ ସମସ୍ଯାରେ ପକାଉଛି ।

ଦେଶୀ ବନ୍ଧୁକ କାରଖାନାରେ ଚଢ଼ାଉ, ଜଣେ ଗିରଫ

ନୟାଗଡ଼: ନୟାଗଡ଼ରେ ଚାଲିଥିଲା ଦେଶୀ ବନ୍ଧୁକ ତିଆରି କାରଖାନା । ଖବର ପାଇବା ପରେ ସଦର ଥାନାରେ ଚଢ଼ାଉ । ସଦର ଥାନା ଅନ୍ତର୍ଗତ ମାଳିସାହିରେ ହୋଇଥିଲା ଏହି ଚଢ଼ାଉ । ଚଢାଉରେ ୪ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମାଳିସାହିର କାବୁଲି ମହାରଣା । ଅଭିଯୁକ୍ତ ଜଣଙ୍କ ପୂର୍ବରୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ୨ ଥର ଜେଲ ଯାଇଛନ୍ତି l ଗୋଟିଏ ବନ୍ଧୁକ ପିଛା ଦଶ ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରି କରୁଥିବା ସୂଚନା ମିଳିବା ପରେ ପୋଲିସ ଚଢ଼ାଉ କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ନୟାଗଡ଼ ଏସପି ।

ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପକାଇବେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଦୀପାବଳି ଅମାବାସ୍ୟା । ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ବା ବଡ଼ବଡୁଆଙ୍କୁ ଡାକିବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗା ଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବେ ଦର୍ଶନାର୍ଥୀ ।

ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦାନ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ତରଫରୁ କଡା ସୁରକ୍ଷା ଏବଂ ବ୍ୟାରିକେଡ କରାଯାଇଛି । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।

ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଦ୍ବନ୍ଦ୍ୱରେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ଵନ୍ଦ ରହିଛି। ଓଡିଶାରୁ ପ୍ରକାଶ ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ବନ୍ଦ୍ୱରେ ରହୁଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟରୁ ସ୍ୱୀକୃତି ପ୍ରାପ୍ତ ପାଞ୍ଜି ଗଣନାରେ ମଧ୍ୟ ତ୍ରୁଟି ରହୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜି ସମୀକ୍ଷା ବୈଠକ ବସିଥାଏ । ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ବନ୍ଦ୍ୱ ରହୁଥିବାରୁ ନିର୍ଭୁଲ ଓ ତ୍ରୁଟି ବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡ, ନିଯୋଗ ପକ୍ଷରୁ ଦାବି କରାଯାଇଛି। ସେପଟେ ପଞ୍ଜିକାରେ ତ୍ରୁଟି ରହିବା ଯୋଗୁଁ ସାଧାରଣ ଲୋକ ଦ୍ୱନ୍ଦରେ ରହିବା ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।  ଜଗତଗୁରୁ କହିଛନ୍ତି ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହି ସମସ୍ୟା ଜାରି ରହିଛି l କିଛି ପଞ୍ଜିକାରମାନେ ସେମାନଙ୍କ ବ୍ୟବସାୟକୁ ଦୃଷ୍ଟିରେ ରଖି ଏଭଳି ତ୍ରୁଟି କରୁଛନ୍ତି l ଏ ନେଇ ମୋ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ନିଜର ମତ ରଖିବି।