spot_img
Home Blog Page 1662

ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଧିକାର ଭଙ୍ଗ ଅଭିଯାଗ

ଭୁବନେଶ୍ବର: ନିର୍ଦ୍ଦିଷ୍ଟ ଓଡ଼ିଆ ଟେଲିଭିଜନ ଗଣମାଧ୍ୟମ ବିରୋଧରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଧିକାର ଭଙ୍ଗ ଅଭିଯୋଗ । ଯାହାକୁ ତର୍ଜମା କରିବେ ବୋଲି କହିଛନ୍ତି ବାଚସ୍ପତି ।

ଗତ ଜୁଲାଇ ୩ ତାରିଖରେ ଧ୍ରୁବଙ୍କ ବିରୋଧରେ ମିଛ ଖବର ପରିବେଷଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ଧ୍ରୁବ ସାହୁ । ଏକ ନିର୍ଦ୍ଦିଷ୍ଟ ଓଡିଆ ଟେଲିଭିଜନ ଗଣମାଧ୍ୟମ ଗତ ଜୁଲାଇ ୩ ତାରିଖରେ ଖବର ପ୍ରସାରଣ କରି କହିଥିଲା ଯେ, ଜଙ୍ଗଲ ଜମି ମାଡି ବସି ବିଧାୟକ ଏକ ହୋଟେଲ କରିଛନ୍ତି । ଯେଉଁଠି ଅନୈତିକ କାର୍ଯ୍ୟ କରାଯାଉଛି । ଏହି ଖବରକୁ ନେଇ ସେ ଜିଲ୍ଲପାଳଙ୍କୁ ତଦନ୍ତ ପାଇଁ ପତ୍ର ଲେଖିଥିଲେ । ଜିଲ୍ଲପାଳ ଓ DFO ସ୍ପଷ୍ଟ କଲେ ଯେ ଏହି ହୋଟେଲ ବିଧାୟକଙ୍କ ନୁହେଁ । ଏହାସତ୍ତ୍ବେ କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ବିଧାୟକଙ୍କ ସରକାରୀ ବାସଭବନକୁ ଅଣ୍ଡା ମାଡ଼ କରିଥିଲେ । ଯେଉଁଥି ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ସ୍ବାଧୀକାର ଭଙ୍ଗ ନୋଟିସ ଦେଇଥିଲେ ବିଧାୟକ ।

ୟୁନିଫର୍ମ ସେବାରେ ଓଡ଼ିଶାର ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ବର: ଓଡ଼ିଶାରେ ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ଥିବା ସମସ୍ତ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବେ ରାଜ୍ୟ ସରକାର ।

ଅଗ୍ନିବୀରଙ୍କୁ ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନଥିବେ ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ । ଏହାସହ ନିଯୁକ୍ତି ଲାଗି ଥିବା ବୟସ ସୀମା ସେମାନଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ ।

ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ଆମର ଗର୍ବ ଓ ଗୌରବ । ଅଗ୍ନିବୀରମାନେ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । ଏହି ଯୋଜନା ଦେଶର ଯୁବ ସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି । ଜୀବନର ସବୁ କ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିପାରୁଥିବା ଯୁବ ସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ । ଆସନ୍ତାକାଲି ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ଯମନନ୍ତ୍ରୀ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏହି ବୈଠକ ବସିବାକୁ ଯାଉଛି । ଏଥିରେ ବିଭିନ୍ନ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀମାନେ ଯୋଗଦେବେ । ରାଜ୍ଯର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ ବୋଲି ଆଜି ଦିଲ୍ଲୀ ଗସ୍ତ ପୂର୍ବରୁ ସୂଚନା ଦେଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।

କୁବେର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଦୁଇଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଲୋୟର ସୁକତେଲ ପ୍ରକଳ୍ପର ଚିଫ୍ କନଷ୍ଟ୍ରକ୍ସନ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କୁ ବାନ୍ଧିଲା ପୋଲିସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଚଢ଼ାଉ ବେଳେ ତାଙ୍କ ଭିଜିଲାନ୍ସ ଓଡିଶାରେ ଓ ବାହାର ରାଜ୍ଯରେ ୩୬ଟି ପ୍ଲଟ୍ ଠାବ କରିଛି । ଢେଙ୍କାନାଳ ସପ୍ତସଯ୍ଯାରେ ୮ ଏକର ଜମିରେ ଏକ ଫାର୍ମ ହାଉସ ରହିଛି । ଭୁବନେଶ୍ବରରେ ୨ଟି କୋଠା, ପୁରୀରେ ଦୁଇଟି ଫ୍ଲାଟ, ୧୭୬ ଗ୍ରାମ ସୁନା, ୨ କୋଟିରୁ ଅଧିକ ଟଙ୍କାର ବୀମା, ଉତ୍ତର ପ୍ରଦେଶ ମଥୁରାରେ ରହିଛି ଦୁଇଟି ପ୍ଲଟ୍ । ଏକାକାଳୀନ ୯ଟି ସ୍ଥାନରେ ହୋଇଥିଲା ରେଡ୍ । କଟକ ଗୁରୁଡିଝାଟିଆ ସ୍ଥିତ ପୈତୃକ ଘରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଟିମ୍ ।

ଚଢ଼ାଉ ବେଳେ ସୁନୀଲଙ୍କ ସମ୍ପତ୍ତି ଦେଖି ଟେରା ହୋଇଯାଇଛି ଭିଜିଲାନ୍ସ ଟିମ୍ । ବିଭିନ୍ନ ପ୍ରକାର ବୀମା ଓ ଜମା ରାଶି ହେଉଛି ୨ କୋଟି ୨୬ ଲକ୍ଷରୁ ଅଧିକ । ଏଥିରେ ରହିଛି ବିଭିନ୍ନ ପ୍ରକାର ନିବେଶ, ବୀମା । ୧ କୋଟି ୮୬ ଲକ୍ଷ ସେ ଦେଇଛନ୍ତି ବିଭିନ୍ନ ବୀମା କମ୍ପାନୀଙ୍କୁ । ବ୍ଯାଙ୍କ ଡିପୋଜିଟ ବାହାରିଛି ୪୦ ଲକ୍ଷରୁ ଅଧିକ । ତେବେ ବାବୁଙ୍କ ପ୍ଲଟ ସଉକର ସୀମା ନାହିଁ । ଓଡ଼ିଶା ବାହାରେ ମଧ୍ଯ ପ୍ଲଟ ଅଛି । ଉତ୍ତର ପ୍ରଦେଶ ମଥୁରାରେ ୨ଟି ପ୍ଲଟ ରଖିଛନ୍ତି । ଏହାକୁ ମିଶାଇ ତାଙ୍କର ୩୬ଟି ପ୍ଲଟର ସନ୍ଧାନ ମିଳିଲାଣି । ଢେଙ୍କାନାଳ ସପ୍ତଶଯ୍ଯାରେ ୮ ଏକରର ଫାର୍ମ ହାଉସ ରହିଛି । ସେଠାରେ ରହିଛି ଦୁଇ ମହଲା କୋଠା । ଫାର୍ମ ଭିତରେ ଏକ କୁକୁଡ଼ା ଫାର୍ମ ବି ଅଛି । ସେଠାରେ ଅଢେଇ ହଜାର ବର୍ଗ ଫୁଟର ଏକ ଗୁହାଳ ଅଛି, ଯେଉଁଠି ୪୫ଟି ଗାଈ ଓ ୨୫ଟି ବାଛୁରୀ ଅଛନ୍ତି ।

ଗତକାଲି ରେଡରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଗୋଟିଏ ତିନି ମହଲା ବିଲଡିଂ, ନୟାପଲ୍ଲୀରେ ଗୋଟିଏ ଦୁଇ ମହଲା ବିଲଡିଂ, ପୁରୀରେ ଦୁଇଟି ଫ୍ଲାଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଢେଙ୍କାନାଳ, ପୁରୀ ଓ କଟକରେ ସୁନୀଲଙ୍କର ୩୪ଟି ପ୍ଲଟର ସନ୍ଧାନା ମିଳିଛି । ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ଦୁଇଟି ଟ୍ରକ ଓ ଚାରିଟି ବେନାମୀ କାର, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ, ବୀମା ନଥି ଜବତ ହୋଇଥିଲା । ଏକକାଳୀନ ୯ଟି ସ୍ଥାନରେ ରେଡ୍ ହୋଇଥିଲା ।

ଭୁବନେଶ୍ୱର ନୀଳାଦ୍ରି ବିହାର, ନୟାପଲ୍ଲୀ, ପୁରୀ ଭିଆଇପି ରୋଡରେ ଥିବା ଫ୍ଲାଟ, ବଡ଼ଦାଣ୍ଡରେ ଥିବା ଫ୍ଲାଟ, କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶନ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ଘର ଓ ଅଫିସ ଚାମ୍ବରରେ ଏକକାଳୀନ ରେଡ଼ ହୋଇଥିଲା । ରେଡ୍ ବେଳେ ସୁନୀଲଙ୍କ ସମ୍ପତ୍ତି ଦେଖି ଆବାକ ହୋଇଯାଇଛି ଭିଜିଲାନ୍ସ । ସବୁ ସ୍ଥାନରେ ଆଲିସାନ ଘର ସହିତ ଘର ଭିତରର ଇଣ୍ଟେରିଅର ଆଖି ଖୋସି ହୋଇଗଲା ଭଳି । ବିଭିନ୍ନ ହସ୍ତକଳାରେ ଘରକୁ ସଜାଯାଇଛି ।

ଆଳୁ ସଙ୍କଟ: ନବୀନଙ୍କ ହସ୍ତକ୍ଷେପ, ମମତାଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ରାଜ୍ୟରେ ଆଳୁ ଦାର ଆକାଶଛୁଆଁ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓଡ଼ିଶା ସୀମାରୁ ଆଳୁ ଟ୍ରକ୍ ଫେରାଇ ନେଇଛି । ରାଜ୍ୟ ସରକାର କ’ଣ କରିବେ ଚିନ୍ତା କରୁଥିବା ବେଳେ ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଆଳୁ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଆଉ ଓଡ଼ିଶାକୁ ଆଳୁ ପଠାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ନବୀନ ।

ପଶ୍ଚିମବଙ୍ଗରୁ ପର୍ଯ୍ଯାପ୍ତ ଆଳୁ ଆସୁନଥିବାରୁ ରାଜ୍ଯରେ ଆଳୁର କୃତ୍ରିମ ଅଭାବ ଦେଖାଦେଇଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାରେ ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ ଗତକାଲି ରାତିରୁ ଅଟକି ରହିଛି । ପୂର୍ବରୁ ମଧ୍ଯ ଅନେକ ଥର ଓଡିଶାରେ ଆଳୁ ସଙ୍କଟର ସମାଧାନ ନେଇ ପଶ୍ଚିମବଙ୍ଗ ସହଯୋଗ କରିଛି । ଦୁଇ ରାଜ୍ଯ ମଧ୍ଯରେ ସାଂସ୍କୃତିକୁ ସମ୍ପର୍କ ଥିବା ବେଳେ ଦୁଇ ରାଜ୍ଯର ବିସିନ୍ଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ । ଏହି ଦୃଷ୍ଟରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ରାଜ୍ଯବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ ଅପିଲ କରିଛନ୍ତି ନବୀନ ।

ବିରୋଧୀ ଦଳ ନେତା ମମତାଙ୍କୁ ଚିଠି ଲେଖିବା ରାଜ୍ଯବାସୀଙ୍କ ପ୍ରତି ତାଙ୍କ ପ୍ରତିଶୃତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ରାଜ୍ଯବାସୀଙ୍କ ପାଇଁ ଯେବେ ବି କିଛି ସମସ୍ୟା ଆସୁଥିଲା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ନିଜ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ଅନ୍ୟ ରାଜ୍ୟ ସହ ଆଲୋଚନା କରୁଥିଲେ । ହେଲେ ବର୍ତ୍ତମାନର ସରକାରଙ୍କ ନିଘା ନାହିଁ ।

ଦୁଇ ଅନାଥ ଭାଇଙ୍କ ଆକୁଳ ନିବେଦନ: ମାଆର ସୁଧିକ୍ରିୟା ପାଇଁ ପଇସା ନାହିଁ, ସାହାଯ୍ୟ କର…

କେନ୍ଦ୍ରାପଡ଼ା: ବାପା ଚାଲିଗଲା ବେଳକୁ ଷଷ୍ଠ ଶ୍ରେଣୀରେ ପଢୁଥିଲି । ମାଆ ବହୁତ କଷ୍ଟରେ ଆମ ଦୁଇ ଭାଇଙ୍କୁ ଦୁଇ ବେଳା ଖାଇବାକୁ ଦେଇ ପାରୁଥିଲେ । ଆମେ ଏମିତି ଦୁର୍ଦ୍ଦିନରେ ଦିନ କାଟିଛୁ ଯେ, ଦୁଇ ଭାଇ କେବେ କିଛି ବଡ଼ ଆଶା କରିନୁ । ତଥାପି ମାଆ ଆମକୁ ପାଠ ପଢ଼ାଉଥିଲେ । ଏମିତି ବି ଦିନ ଆସିଛି, ଘରେ ଖାଇବାକୁ ବି ଗଣ୍ଡେ ନଥାଏ । ପଡ଼ୋଶୀ ଦେଇଥିବା ଖାଇବା ଆମ ଜୀବନ ବଞ୍ଚାଇଛି । ଏମିତି ସ୍ଥିତିରେ ମାଆ ବି ଆମକୁ ଛାଡି ଆରପାରିକୁ ଚାଲିଗଲା । ଆମେ ଦୁଇ ଭାଇ ଏବେ ଅନାଥ । ମାଆର ସୁଧିକ୍ରିୟା କରିବାକୁ ବି ମୋ ପାଖରେ ଟଙ୍କାଟିଏ ନାହିଁ । ମୋ ମାଆଙ୍କ ସୁଧିକ୍ରିୟା ପାଇଁ ଦୟା କରି ସାହାଯ୍ୟ କରନ୍ତୁ । ଏ ହେଉଛି କେନ୍ଦ୍ରାପଡାର ନରେନ୍ଦ୍ରପୁର ଗାଁର ତ୍ରିଲୋଚନ ସେଠୀଙ୍କ ନାବାଳକ ପୁଅ ଆଶିଷ ସେଠୀଙ୍କ ଆକୁଳ ନିବେଦନ ।

ସୋସିଆଲ ମିଡ଼ିଆରେ ଏବେ ଆଶିଷ ଏବଂ ତାଙ୍କ ସାନାଭଇ ଦେବାଶିଷଙ୍କ ପୋଷ୍ଟ ଘୁରି ବୁଲୁଛି । ପୋଷ୍ଟଟି ଏମିତି ସେମିତି ନୁହେଁ । ଆପଣ ବି ପଢ଼ିଲେ, ଆଖିରେ ପାଣି ଆସିଯିବ । ପାଠ ପଢ଼ିବା ସହ ଖେଳିବା ବୟସରେ ମାଆର ସୁଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦୁଇ ପିଲା ନିବେଦନ କରିଛନ୍ତି । ଏପରିକି ପାଖରେ ନିଜର ଫୋନ ନଥିବାରୁ ପଡୋଶୀଙ୍କ ଫୋନରେ ଫେସବୁକରେ ଏମିତି ପୋଷ୍ଟ କରିଛନ୍ତି । ଏହାସହ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ମଧ୍ୟ ମାଆର ଫଟୋ ଛାଡ଼ି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

ମହାକାଳପଡା ଓ ମାର୍ଶାଘାଇ ବ୍ଲକରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଦୁଇ ଭାଇଙ୍କ ଫଟୋ । ଫଟୋ ତଳକୁ ଲେଖାଯାଇଛି ‘ସୁଧିକ୍ରିୟା ପାଇଁ ଅର୍ଥ ନାହିଁ, ଯଥା ସମ୍ଭବ ସାହାଯ୍ଯ କରନ୍ତୁ ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡାର ନରେନ୍ଦ୍ରପୁର ଗାଁର ତ୍ରିଲୋଚନ ସେଠୀଙ୍କର ଗତ ୩ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା । ସ୍ତ୍ରୀ ନମିତା ଦୁଇ ପୁଅ ଆଶିଷ ଏବଂ ଦେବାଶିଷଙ୍କୁ ନେଇ କଷ୍ଟେମଷ୍ଟେ ଚଳୁଥିଲେ । ଗତ ୧୮ ତାରିଖ ଦିନ ବ୍ରେନ ଷ୍ଟୋକରେ ଆରପାରିକୁ ଚାଲିଗଲେ ନମିତା । ଏବେ ମାଆର ସୁଧିକ୍ରିୟା ପାଇଁ ଦୁଇ ଅନାଥ ପିଲା ଟଙ୍କା ଯୋଗାଡ କରିବାରେ ଲାଗିଛନ୍ତି ।

ଆଶିଷ ଓ ଦେବାଶିଷଙ୍କ ପୋଷ୍ଟ ଦେଖି କିଛି ଲୋକ ଦୁଇ ଅନାଥ ଭାଇଙ୍କ ନିକଟରେ ପହଁଞ୍ଚି ସହାୟତା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ଦୁଇ ଅନାଥ ଶିଶୁଙ୍କ ମୃତ ମାଆର ସୁଧିକ୍ରିୟା ପାଇଁ ଟଙ୍କା ପ୍ରଦାନ କରନ୍ତୁ ବୋଲି ଲୋକେ ଦାବି କରିଛନ୍ତି । ଏହାସହ ସରକାର ଦୁଇ ପିଲାଙ୍କୁ ଥଇଥାନ କରିବା ସହ ସେମାନଙ୍କ ରଖିବା ଓ ପଢ଼ିବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଆପଣ ବି ଚାହିଁଲେ ଦୁଇ ଅନାଥ ପିଲାଙ୍କ ପାଖରେ ବଡ଼ ଭାଇ କି ଭଉଣୀ ପରି ଏମିତି ଦୁର୍ଦ୍ଦିନରେ ଛିଡ଼ା ହୋଇପାରିବେ । ଦୁଇ ପିଲାଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟ ହୁଅନ୍ତୁ ।

ବଜେଟକୁ ନେଇ ମୋହନ ସରକାରଙ୍କୁ ବିଜେଡିର କଟୁ ସମାଲୋଚନା

ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ବିଧାନସଭାରେ ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ତେବେ ବଜେଟରେ ରାଜ୍ୟର ବିକାଶ ହେବା ଭଳି କିଛି ନଥିବା କହି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସମାଲୋଚନା କରିଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବଜେଟକୁ ନେଇ କାଠଗଡ଼ାରେ ଛିଡ଼ା କରିଛି ।

ବିଜେଡି ପକ୍ଷରୁ କୁହାଯାଇଛି, ରାଜ୍ୟରେ ବିଜେପି ସରକାର ଅସ୍ମିତା ଭବନ ଲାଗି ୨ ଶହ କୋଟି ବ୍ୟୟବରାଦ କରିଛନ୍ତି । ତେବେ ଏହାର ସୁରକ୍ଷା ପାଇଁ କୌଣସି ଯୋଜନା ନାହିଁ । ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ଏ ଯୋଜନା ।

ସୁଭଦ୍ରା ଯୋଜନା କଥା ଉଠାଇ ଦଳ କହିଛି, ବିଜେପି କହିଥିଲା ଓଡ଼ିଶାର ପ୍ରତ୍ଯେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ । କିନ୍ତୁ ଏବେ କହୁଛନ୍ତି ୫୦ ହଜାର ଟଙ୍କାର କୁପନ ମିଳିବ । ଏଥିରୁ ୨୦ ଲକ୍ଷ ମହିଳା ଉପକୃତ ହେବେ । କିନ୍ତୁ ରାଜ୍ୟରେ ଅଛନ୍ତି ୧ କୋଟିରୁ ଅଧିକ ମହିଳା । ୩୦୦ ୟୁନିଟ ବିଜୁଳି ଫ୍ରି ଦେବେ ବୋଲି ବିଜେପିର ବଡ଼ ନେତା କହିଥିଲେ । ବଜେଟରେ କିନ୍ତୁ ଏ ନେଇ କିଛି ନାହିଁ ।

ମିଳୁଥିବା ପେନସନ ବଢ଼ାଇ ୩ ହଜାର କରିବେ ବୋଲି କହିଥିଲେ । କିନ୍ତୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଦେବ ବୋଲି କହୁଛନ୍ତି । ଏହାଦ୍ବାରା ୮୦ ଭାଗ ହିତାଧିକାରୀଙ୍କୁ ଠକି ଦେଲ ସରକାର । ୮୦ ପ୍ରତିଶତରୁ ଅଧିକ ବିକଳାଙ୍ଗଙ୍କୁ ଦେବେ ୩୫୦୦ ଟଙ୍କା । ତେଣୁ ମିଛ କଥା କହିଛନ୍ତି ସରକାର ।

ବିଜେଡି ପକ୍ଷରୁ କୁହାଯାଇଛି, ଏହି ବଜେଟ ଦୂରଦୃଷ୍ଟି ବିହୀନ । ମହିଳା, ଯୁବକଙ୍କ ପାଇଁ ସ୍ବାବଲମୀ ହେବାର ରୂପରେଖ ନାହିଁ । ମହିଳାଙ୍କ ସୁରକ୍ଷା ପାଇଁ କିଛି ବ୍ଯବସ୍ଥା ନାହିଁ । ଶିଳ୍ପ ବା ଅର୍ଥନୈତିକ କାର୍ଯ୍ୟକଳାପ, ସର୍ଭିସ ଇଣ୍ଡଷ୍ଟ୍ରି ପାଇଁ ବି କିଛି ନାହିଁ । ଅର୍ଥନୀତି ବଢ଼ାଇବାକୁ ଏହି ବଜେଟରେ କିଛି ନାହିଁ । ଖାଲି କ୍ଷମତାକୁ ଆସିବା ପାଇଁ ମିଛ ସତ କହି ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ବଜେଟ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଡବଲ୍ ଇଞ୍ଜିନ କହୁଥିଲେ, ଡବଲ ଫେଲ୍ଯୁୟର ହେଲା । ଏହି ବଜେଟର ଅନ୍ତଃସାର ଶୂନ୍ଯ ବଜେଟ । ମୁଖ୍ଯମନ୍ତ୍ରୀ କହିଲେ- ଏହି ବଜେଟ ଗତ ବଜେଟ ଅପେକ୍ଷା ୧୫ ପ୍ରତିଶତ ଅଧିକ । ୨ ଲକ୍ଷ ୬୫ ହଜାର କୋଟିର ବଜେଟ । ଲୋକଙ୍କୁ ମତିଭ୍ରମ କରାଇବାର ପର୍ଦ୍ଦାଫାସ ହେଲା । ମାତ୍ର ୨ ଲକ୍ଷ ୫୮ ହଜାର କୋଟି ଟଙ୍କାର ବଜେଟ । ଗତବର୍ଷ ବଜେଟ ତୁଳନାରେ ମାତ୍ର ୭ ହଜାର କୋଟି ଟଙ୍କା ଅର୍ଥାତ ୨.୭୧ ପ୍ରତିଶତ ଅଧିକ । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ।

୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆଳୁ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ । ନିତିଦିନିଆ ଖାଇବା ଦର ଆକାଶଛୁଆଁ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଲୋକେ । ଏମିତି ସ୍ଥିତିରେ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଉଠାଇଛନ୍ତି ବଡ଼ ପଦକ୍ଷେପ । ଆଳୁ କେଜି ୩୨ ଟଙ୍କାରୁ ଅଧିକ ଟଙ୍କାରେ କୌଣସି ଦୋକାନୀ ବିକ୍ରି କରିପାରିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୩୨ ଟଙ୍କାରୁ ଅଧିକ ଟଙ୍କାରେ ଯିଏ ବି ଆଳୁ ବିକ୍ରି କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି, ଆମେ ଅନୁଧ୍ଯାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି । ଆଜି ଗୋଦାମ ପରିଦର୍ଶନ କରିଥିଲି । ସେଠାରେ ରେଟ୍ ୨୭ ଟଙ୍କା ଅଛି । ତେଣୁ ରିଟେଲରେ ୩୨ ଟଙ୍କା ରହିବା କଥା । ଏହାଠାରୁ କେହି ଅଧିକ ରେଟରେ ଆଳୁ ନ ବିକିବାକୁ ବ୍ଯବସାୟୀଙ୍କୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ।

ଆଳୁର ଅଭାବକୁ ନେଇ ମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ବି ଡାକିଛନ୍ତି । ସେ କହିଛନ୍ତି, ଓଡି଼ଶାକୁ ଆଳୁ ରପ୍ତାନୀ ବନ୍ଦ କରି ପଶ୍ଚିମବଙ୍ଗ ସରକାର ଦୁର୍ଭାଗ୍ଯପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯଦି ସମାଧାନ ନ ହୁଏ, ତେବେ ଉତ୍ତର ପ୍ରଦେଶ ସରକାର ସହିତ ଆମେ ଆଲୋଚନା କରିବୁ । ପଶ୍ଚିମବଙ୍ଗ ଆଳୁ ନ ଦେଲେ ଉତ୍ତର ପ୍ରଦେଶରୁ ଆଳୁ ଅଣାଯିବ ।

ଓଡ଼ିଶା ସୀମାରୁ ଆଳୁ ଟ୍ରକ ଫେରାଇ ନେଲେ ପଶ୍ଚିମବଙ୍ଗ ସରକାର

ଭୁବନେଶ୍ବର: ରାଜ୍ଯରେ ଆଳୁ ସଙ୍କଟ ଘନୀଭୂତ । ସାରା ରାଜ୍ଯରେ ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ଯବାସୀ । ଆଳୁ କେଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସମସ୍ତଙ୍କ ଚିନ୍ତା ବଢ଼ିଛି । ଧନୀ ହୁଆନ୍ତୁ ବା ଗରିବ ଆଳୁ ଦର ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ବଜାର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । ହେଲେ ତାଜା ଖବର ଅନୁସାରେ, ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଓଡ଼ିଶା ସୀମା ପାର କରିବାକୁ ଦେଉନାହାନ୍ତି । ଏପରିକି ଓଡ଼ିଶା ଆସିବାକୁ ସୀମାରେ ଅଟକି ଥିବା ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଛି । ସୋନାକଣିଆ ଚେକପୋଷ୍ଟ ନିକଟରୁ ଖଡ଼ଗପୁର ଟ୍ରାଫିକ ଆଡିସିନାଲ ଏସପି ଆଲୁ ଟ୍ରକଗୁଡିକୁ ଫେରାଇ ନେଇଥିବା ଜଣାପଡିଛି । ଫଳରେ ଆଳୁ ଦର କମିବା ଆଶା ଆଶାରେ ରହିଯାଇଛି ।

ରାଜ୍ୟ ସରକାର ବି ଆଲୁ ଦର ବୃଦ୍ଧିକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି । ଖାଉଟିଙ୍କୁ ଶୋଷଣ କରିବା ଭଳି ଚଢ଼ା ଦରରେ ଆଳୁ ବିକ୍ରି କଲେ କଡ଼ା କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ବର ପାତ୍ରପଡ଼ା ଓ ଆଇଗିଣିଆ ଆଳୁ ଗୋଦାମ ବୁଲି ସ୍ଥିତି ସମୀକ୍ଷା କରିବା ବେଳେ ଏପରି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ଆଳୁ ପାଇକାରୀ ଦର କେଜି ପ୍ରତି ୨୬ ଟଙ୍କା ଥିବା ବେଳେ ଅତି ବେଶିରେ ୩୦ରୁ ୩୨ ଟଙ୍କାରେ ବିକ୍ରି କରିବାକୁ  ମନ୍ତ୍ରୀ କହିଛନ୍ତି । ଆଗକୁ ସେ କହିଛନ୍ତି, ମୋ ପାଖରେ ଖବର ଅଛି, କେଉଁଠି ୫୦ ତ କେଉଁଠି ୬୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ । ଲାଭ ରଖନ୍ତୁ, କିନ୍ତୁ ଗ୍ରାହକଙ୍କୁ ଶୋଷଣ କଲେ କାର୍ଯ୍ଯାନୁଷ୍ଠାନ ହେବ । ପଶ୍ଚିମବଙ୍ଗରେ ଧର୍ମଘଟ ଯୋଗୁଁ ଆଳୁ ଆସିପାରୁନି । ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ଆଲୋଚନା କରାଯିବ ।

‘ବର୍ଷ ଶେଷ ସୁଦ୍ଧା ବଡ଼ଚଣା ବ୍ଲକରେ ଉତ୍କଳ ବିଶ୍ୱବିଦ୍ୟାଳୟ’

ଭୁବନେଶ୍ୱର : ଚଳିତ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ବଡ଼ଚଣା ବ୍ଲକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ । ବଡ଼ଚଣା ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପାଇଁ ଘୋଷଣା କରିଥିଲେ ତତ୍କାଳୀନ ରାଜ୍ୟ ସରକାର। ୨୦୧୭ ଜୁଲାଇ ୩୧ ରେ ୬୬ ଏକର ଜମିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥି ପାଇଁ ୧୦୧ କୋଟି ୨୪ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲ ।

ଯେଉଁଥିରୁ ୭୦ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରି ସାରିଛନ୍ତି। ବିଶ୍ଵବିଦ୍ୟାଳୟର ଆକାଡେମିକ, ଆଡ଼ମିନିଶଟ୍ରେଟିଭି ସମେତ ୬୦% କାମ ସରିଲାଣି। ୨୦୧୮-୧୯ ରୁ ଏଠାରେ B.SC ନର୍ସିଙ୍ଗର ତିନୋଟି ବିଷୟରେ ସ୍ନାକତ୍ତର ପାଠ୍ୟକ୍ରମ ଚାଲିଛି. ଆଜି ଯାଏଁ ସତ ପ୍ରତିଶତ ଫଳାଫଳ ହୋଇଛ । ୨୦୨୨ ଡିସେମ୍ବର ୧୫ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମ୍ନମାନର କାମ ନେଇ ସେ ସମୟର ସ୍ଥାନୀୟ ସରପଞ୍ଚ ଚିଠି ଲେଖିଥିଲେ। ସେଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ କରାଯାଇଥିଲା। ତା ପରଠାରୁ ଆଉ ଅଭିଯୋଗ ଆସିନାହିଁ। କାମ ଠିକ ଭାବେ ଓ ଠିକ ସମୟରେ ସାରିବାକୁ ବାରମ୍ବାର ତାଗିଦ କରାଯାଉଛି। ଯଦି ନିମ୍ନମାନ କାମର ଅଭିଯୋଗ ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ,୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର :  ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଯାହା ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରିବ । ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।

ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । । ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ମିଳିବନି । କିଛି ଜିଲ୍ଲାରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଛି ।