spot_img
Home Blog Page 1677

ରାସ୍ତା ତିଆରିକୁ ବିରୋଧ କରିବାରୁ ଦୁଇ ମହିଳାଙ୍କୁ ପୋତି ଦେବା ଲାଗି ଉଦ୍ଯମ

ନନ୍ଦିଘୋଷ ବ୍ୟୁରୋ: ମଧ୍ଯପ୍ରଦେଶରେ ଦୁଇ ମହିଳାଙ୍କୁ ପୋତି ଦେବା ଲାଗି ଉଦ୍ଯମ। ରାସ୍ତା ତିଆରିକୁ ବିରୋଧ କରିବାରୁ ସେମାନଙ୍କୁ ପୋତି ଦେବା ଲାଗି ହୋଇଥିଲା ହୀନ ଉଦ୍ଯମ। କଥା ସେତିକିରେ ନଥିଲା। ତାଙ୍କୁ ଅଧା ବି ପୋତି ଦିଆଯାଇଥିଲା। ଘଟଣା ଘଟିଛି ମଧ୍ଯପ୍ରଦେଶର ରେବା ଜିଲ୍ଲାରେ। ଦୁଇ ମହିଳାଙ୍କ ନାମ ହେଲା ମମତା ପାଣ୍ଡେ ଓ ଆଶା ପାଣ୍ଡେ। ମଙ୍ଗୱା ପୋଲିସ ଷ୍ଟେସନ ଅନ୍ତର୍ଗତ ହିନୋତା ଜୋରଟ ଗ୍ରାମରେ ଏକ ରାସ୍ତା କାମ ଚାଲିଥିଲା। ତେବେ ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ ଦୁଇ ମହିଳା। ତେବେ ଡମ୍ପରରୁ ସେମାନଙ୍କ ଉପରେ ମାଟି ପକାଇଦିଆଯାଇଥିଲା। ସେମାନେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଡମ୍ପରକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ।

ବାଇକ ଉପରେ ଚଢିଗଲା ହାଇଓ୍ବା, ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ବାଇକ ଉପରେ ଚଢିଗଲା ହାଇଓ୍ବା । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ନିକଟ ତୋଡା ବସ୍ତି ବେଞ୍ଜାଢି ବ୍ରିଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫୁଟବଲ ଖେଳି ବାଇକରେ ଫେରୁଥିବା ବେଳେ ଧକ୍କା ଦେଇଛି ହାଇଓ୍ବା ।  ତିନି ମୃତକ ତୋଡ଼ା ବସ୍ତିର ବୋଲି  ସୂଚନା ରହିଛି । ମୃତକ ତିନିଜଣ ଦେବେନ୍ଦ୍ର ଦେହୁରୀ, ଅନାଦି ନାଏକ , ଅନୀଲ ଦେହୁରୀ। ଦୁର୍ଘଟଣା ସ୍ଥଳର କିଛି ଦୂରରେ ହାଇୱା ଛାଡି ଚାଳକ ଫେରାର୍ ମାରିଛି ।  ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି ।

ବଢିଚାଲିଛି ପନିପରିବା ଏବଂ ତେଜରାତି ଦର, ସନ୍ତୁଳି ହେଉଛନ୍ତି ଖାଉଟି

ନନ୍ଦିଘୋଷ ବ୍ୟୁରୋ: ଦରଦାମ ବୃଦ୍ଧିରେ ଲୋକେ ସନ୍ତୁଳି ହେଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କୁ ଘାରିଛି ଜିଏସ୍ଟି ନିଶା । ଏଣିକି ୨୫ କିଲୋରୁ ଅଧିକ ଓଜନର ଡାଲି, ମଇଦା, ଅଟା, ସୁଜି ପ୍ୟାକେଟ୍ ଉପରେ ଲାଗିବ ଜିଏସ୍ଟି । ସାଧାରଣ ଲୋକଙ୍କ ଉପରେ ଏହି ଟ୍ଯାକ୍ସ ଲାଗୁ ହେବ। କିନ୍ତୁ ଯଦି କର୍ପୋରେଟ୍ ସଂସ୍ଥା ଓ ବଡ଼ ବଡ଼ ମଲ ପାଇଁ ଏହା ଲାଗୁ ହେବନି। ଏପରି ଏକ ପ୍ରସ୍ତାବ ଉପରେ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଜୁଲାଇ ୨୯ ତାରିଖ ସୁଦ୍ଧା ମତାମତ ମଗାଯାଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି ଓ ବ୍ୟବସାୟୀ ମହାସଂଘ।

ଦରବୃଦ୍ଧିରେ କଲବଲ ଖାଉଟି। ବଢିଚାଲିଛି ପନିପରିବାଠୁ ତେଜରାତି ଦର । ହେଲେ ଲୋକେ ପଛେ ମରନ୍ତୁ, କିନ୍ତୁ  ଆହୁରି ଜିଏସ୍ଟି ଆଦାୟ କରି ନିଜ ଟ୍ରେଜେରି ଭରିବାକୁ କେନ୍ଦ୍ରର ଯୋଜନା । ଏବେ ଖୁଚୁରା ବଜାରରେ ୨୫ କିଲୋ ଓଜନର ଡାଲି,  ମଇଦା,  ଅଟା, ସୁଜି ପ୍ୟାକେଟ୍ ଉପରେ ଜିଏସ୍ଟି ପଡୁଛି। ଏଣିକି ୨୫ କିଲୋରୁ ଅଧିକ ଓଜନର ଏହି ସାମଗ୍ରୀର ପ୍ଯାକେଟ ଉପରେ ସାଧାରଣ ଖାଉଟିଙ୍କୁ ଜିଏସଟି ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଖାଦ୍ଯ ମନ୍ତ୍ରାଳୟ ବ୍ୟବସାୟୀ ମହାସଂଘ, ଶିଳ୍ପ ସଂସ୍ଥା, କର୍ପୋରେଟ୍ ଜଗତର ମତାମତ ଲୋଡ଼ିଛି। କିନ୍ତୁ ସାଂଘାତିକ କଥା ହେଉଛି, ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା, ଶିଳ୍ପ ଓ କୌଣସି ବଡ଼ ସଂସ୍ଥାକୁ ଏ କ୍ଷେତ୍ରରେ ଜିଏସ୍ଟି ଦେବାକୁ ପଡ଼ିବନି । ଆଗରୁ ବଡ଼ ପ୍ୟାକେଟ୍ ଉପରେ ଜିଏସଟି ଲାଗୁନଥିବାରୁ ସାଧାରଣ ଲୋକେ କମ୍ ଦାମରେ ଜିନିଷ ପାଉଥିଲେ। ସେତକ ବି ଛଡ଼ାଇ ନେବାକୁ ବସିଛି କେନ୍ଦ୍ର । କେନ୍ଦ୍ରର ଏପରି ନିଷ୍ପତ୍ତି ଉପରେ ଘୋର ଅସନ୍ତୋଷ ପ୍ରକାଶ କରିଛି ସର୍ବଭାରତୀୟ ବ୍ୟବସାୟୀ ସଂଘ ।

୨୦୧୭ ମସିହାରେ କେନ୍ଦ୍ର ସରକାର ଦେଶରେ ଜିଏସ୍ଟି ପ୍ରଚଳନ କଲେ । ସ୍ଥିତି ଏମିତି ଯେ- ବୀମା, ପିଲାଙ୍କ ଖାଦ୍ୟ, ପ୍ରକ୍ରିୟାକୃତ ଚୁଡ଼ା ଉପରେ ବି ଜିଏସଟି ଆଦାୟ ହେଉଛି । କେନ୍ଦ୍ରର ନୂଆ ନିଷ୍ପତ୍ତି ଯୋଗୁଁ ସାଧାରଣ ଲୋକେ ଜିଏସ୍ଟି ଗଣିବେ। ଅଥଚ ଶିଳ୍ପଜଗତ ପାଇଁ ଏହା ଛାଡ଼ କରାଯିବ । ବଡ଼ ପ୍ୟାକେଟ୍ ଉପରେ ଜିଏସ୍ଟି ଲାଗିଲେ ଦୋକାନୀ ଲୋକଙ୍କଠାରୁ ଏହି ଟିକସ ଅର୍ଥ ନେବେ । ମହଙ୍ଗା ବଜାରରେ ଯାହା ବି ଟିକିଏ ରିହାତି ଖାଉଟିଙ୍କୁ ମିଳୁଥିଲା,  ସେତକ ବି ଚାଲିଯିବ। ଏବେ ଜିଏସ୍ଟିର କଳେବର ଏପରି ଯେ- ୧୯ଟି ଟିକସ ସହିତ ଲାଗୁଛି ୨୧ ପ୍ରକାର ସେସ୍ । ଜିଏସ୍ଟି ବାବଦରେ କେନ୍ଦ୍ର ସରକାର ପାଉଛନ୍ତି ବର୍ଷକୁ ୨୩ ଲକ୍ଷ କୋଟି ଟଙ୍କା । ସେବା ଟିକସ ବାବଦରେ ଆଦାୟ ହେଉଛି ୧୮ ପ୍ରତିଶତ ଜିଏସ୍ଟି ।

ଆରମ୍ଭ ହୋଇଛି ବଜେଟ କାଉଣ୍ଟଡାଉନ


ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ସଂସଦରେ ଆସିବ କେନ୍ଦ୍ର ବଜେଟ, ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ। ମୋଦି ସରକାରଙ୍କ ତୃତୀୟ ପାଳିର ବଜେଟ ସାଙ୍ଗକୁ ରାଜ୍ୟରେ ନୂଆ ସରକାରର ପ୍ରଥମ ବଜେଟ ଉପରେ ସମସ୍ତଙ୍କ ନଜର। ଭିତ୍ତିଭୂମି, ନିଯୁକ୍ତି, ଗ୍ରୀନ ଏନର୍ଜି ଆଦି କ୍ଷେତ୍ରକୁ ଗୁରୁତ୍ବ ଦିଆଯିବାର ସମ୍ଭାବନା ଥିବା ବେଳେ ନିର୍ବାଚନୀ ପ୍ରତିଶୃତି ପୂରଣ କରିବା ବି ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନ ହେବ। ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଡ଼ ଟାସ୍କ ହେବ। ମହିଳା ସଶକ୍ତୀକରଣ ସାଙ୍ଗକୁ ସେମାନଙ୍କ ଆର୍ଥିକ ସ୍ବାଧୀନତା ଏବଂ ସୁରକ୍ଷା ଉପରେ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ନଜର ଦେବେ ବୋଲି ମହିଳାମାନେ ଆଶା ରଖିଛନ୍ତି।

ଆରମ୍ଭ ହୋଇଛି ବଜେଟ କାଉଣ୍ଟଡାଉନ । ୨୩ ତାରିଖରେ ସଂସଦରେ କେନ୍ଦ୍ର ବଜେଟ ଏବଂ ୨୫ ତାରିଖରେ ରାଜ୍ୟ ବଜେଟ ଆସିବ ବିଧାନସଭାରେ। ଚାଷୀ, ଯୁବକ, ମହିଳାଙ୍କ ପାଇଁ ବଜେଟରେ  ରହିପାରେ ଖୁସି ଖବର। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ବି ମିଳିବ ଗୁରୁତ୍ବ। ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଭିତ୍ତିଭୂମି, ଗ୍ରୀନ ଏନର୍ଜି ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ବି ରହିଛି। ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ଗୃହିଣୀଙ୍କୁ ଏହା ଖୁବ୍ ବାଧୁଛି। ଲୋକଙ୍କ କ୍ରୟଶକ୍ତି ବଢାଇବା ସାଙ୍ଗକୁ ଆୟକର ସ୍ଲାବରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସମାଜସେବୀ ଆଶା ରଖିଛନ୍ତି। ଆୟକର ଛାଡ଼ ସୀମା ୩ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବାର ସମ୍ଭାବନା ମଧ୍ୟ ରହିଛି।

ସମସ୍ତଙ୍କ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟକୁ ସହଜ, ଶସ୍ତା ଓ ସରଳ କରିବା ଉପରେ ମଧ୍ୟ ଗୁରୁତ୍ବ ମିଳିବାର ଆଶା ରହିଛି। ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିପାରନ୍ତି କେନ୍ଦ୍ର ସରକାର। ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ରହିପାରେ। ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି ଭଳି ନିର୍ବାଚନୀ ପ୍ରତିଶୃତି ପୂରଣ କରିବାକୁ ବଜେଟରେ ବ୍ୟବସ୍ଥା କରିପାରନ୍ତି ରାଜ୍ଯ ସରକାର। ମହିଳାଙ୍କ ସୁରକ୍ଷା ସାଙ୍ଗକୁ ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ବଜେଟରେ ବ୍ୟବସ୍ଥା ହେବାର ଆଶା ରଖିଛନ୍ତି ସ୍ବେଚ୍ଛାସେବୀ। ମହିଳା ବୁଣାକାରଙ୍କୁ ପ୍ରୋତ୍ସାହନ ସହିତ ସମସ୍ତଙ୍କୁ ଟୀକାକରଣ ପାଇଁ ବଜେଟରେ ବ୍ୟବସ୍ଥା ହେବା ଦରକାର ବୋଲି ମତ ପ୍ରକାଶ ପାଇଛି ।

 

କାଉଡ଼ିଆଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ଠାକୁରଙ୍କୁ ଜଳଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୋଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରୀତିକର ପରିସ୍ଥିତି କୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ।

ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ୍ ଓ ଫାୟାର ଫାଇଟିଂ ୟୁନିଟ୍  ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ସିସିଟିଭି ରହିଛି। କଣ୍ଟ୍ରୋଲ ରୁମ ମଧ୍ୟରୁ ଏସବୁକୁ ମନିଟର କରାଯିବ।  ସେପଟେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ ଲକ୍ଷ କାଉଡ଼ିଆ ଆସିବାର ସମ୍ଭାବନା ରହିଛି। ୫ଟି ସୋମବାରରେ ଲିଙ୍ଗରାଜ ମନ୍ଦିରରେ ସାଢେ ୩ ଟାରେ ମଙ୍ଗଳ ଆଳତି ଅବକାଶ କରାଯିବ । ୪ ଟାରୁ ସାହାଣ ମେଲା ଦର୍ଶନ ହେବ । ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ବ୍ୟାରିକେଡ କରାଯାଇଛି। ମନ୍ଦିର ଭିତରକୁ ବ୍ଲେଡ଼ ଓ ଛୁରୀ ପ୍ରଵେଶ ରେ କଟକଣା ଲଗାଯାଇଛି । ଭୋର ୪ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରାଯିବ । ଏହାପରେ ମନ୍ଦିର ନୀତିକାନ୍ତି ଆରମ୍ଭ କରାଯିବ। ବେଢା ଭିତରେ ଥିବା ଆଡ଼ କାଠ ନିକଟରେ ଥିବା ଏକ ତମ୍ବା ପାତ୍ରରେ ପାଣି ଢାଳିବେ । କୌଣସି ଠେକି ଭିତରକୁ ଚଢ଼ାଯିବ ନାହିଁ । ଠେକି ବେଢାରେ ରଖି ଭିତରକୁ ଦର୍ଶନ କରିବାକୁ ଯାଇପାରିବେ।

ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡ଼ପତ୍ରକୁ ନେଇ ସୋସିଆଲ ମିଡିଆରେ ଏମିତି ଲେଖିଲେ ରାମ ଗୋପାଲ ବର୍ମା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦକ୍ଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ଉଭୟ ଅଲଗା ହେବାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଖବରର ଶିରୋନାମା ପାଲଟିଛି । ତେବେ ଏହାକୁ ନେଇ ଜଣାଶୁଣା ଚଳଚିତ୍ର ନିର୍ମାତା ରାମଗୋପାଲ ବର୍ମା ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ବିବାହ ନର୍କରେ ଏବଂ ଛାଡ଼ପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ । ଏହାସହ ସେ ଆଶ୍ଚର୍ଯ୍ୟପ୍ରକଟ ମଧ୍ୟ କରିବା ସହ ଲେଖିଛନ୍ତି କି, ବାପା ମା ପିଲାଙ୍କ ବିବାହରେ ସମସ୍ତ ଟଙ୍କା ସରେଇ ଦେଇଥାନ୍ତି ମାତ୍ର ସମ୍ପର୍କ ଦୀର୍ଘଦିନ ରହିନଥାଏ । ବିବାହ ଅପେକ୍ଷା ବୃଦ୍ଧା ସମୟରେ ନିଜର ଯତ୍ନ ନେବା ପାଇଁ ଦରମା ଦେଇ ନର୍ସ ରଖିବା ଭଲ । ଏଭଳି ସେ ବିଭିନ୍ନ ପୋଷ୍ଟମାନ କରିଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳୁଛି । କେହି କେହି ଏହାକୁ ନେଇ ଭଲ କମେଣ୍ଟମାନେ ଦେଉଥିବାବେଳେ ଆଉ କେହି କେହି ବିଭିନ୍ନ ବିବାଦୀୟ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଋତୁରାଜ ଗାଏକ୍ବାଡ ବାଦ ପଡ଼ିବା ପରେ ଶ୍ରୀକାନ୍ତଙ୍କ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ୍ ପଡ଼ିଛନ୍ତି ଋତୁରାଜ ଗାଏକ୍ବାଡ । ଶୁଭମନ ଗିଲ ଦଳରେ ସ୍ଥାନ ପାଇଥିବାବେଳେ ଗାଏକ୍ବାଡ ବାଦ ପଡ଼ିଛନ୍ତି । ଯାହାକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ତଥା ଚୟନକର୍ତ୍ତା କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ସମାଲୋଚନା କରିଛନ୍ତି । ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ କହିଛନ୍ତି କି, ଶୁଭମନ ଗିଲ ଖରାପ ଫର୍ମ ଦେଇ ଗତି କରୁଥିଲେ ସୁଦ୍ଧା ତାଙ୍କୁ ଦଳରେ ସ୍ଥାନ ମିଳିଛି । କିନ୍ତୁ ଗାଏକ୍ବାଡଙ୍କ ଭଳି ଖେଳାଳିଙ୍କୁ କାହିଁକି ସୁଯୋଗ ମିଳୁନାହିଁ । ଗିଲଙ୍କ ଭଳି ଭାଗ୍ୟ ଗାଏକ୍ବାଡଙ୍କ ନାହିଁ । ବାରମ୍ବାର ବିଫଳ ହେଉଥିଲେ ସୁଦ୍ଧା କାହିଁକି ଗିଲଙ୍କୁ ସୁଯୋଗ ଦିଆଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଟି-୨୦ ବିଶ୍ବକପ ଦଳରେ ମଧ୍ୟ ଗାଏକ୍ବାଡଙ୍କୁ ଦୂରେଇ ରଖାଯାଇଥିଲା । ସେ କହିଛନ୍ତି କି, ଯଦି ଆମେ ଗାଏକ୍ବାଡଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତାହେଲେ ସେ ଜଣେ ଭଲ ଖେଳାଳି । ମାତ୍ର ତାଙ୍କୁ ବାରମ୍ବାର ପକ୍ଷପାତିତା କରାଯାଉଛି । ଦଳରେ ତାଙ୍କୁ ସୁଯୋଗ ମିଳୁନାହିଁ ।

ସୁଭଦ୍ରା ଯୋଜନା ନାଁରେ ସାଇବର କ୍ରାଇମ୍ !

ନନ୍ଦିଘୋଷ ବ୍ୟୁରୋ; ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଚଞ୍ଚକତା । ସୁଭଦ୍ରା ଯୋଜନା ନାଁରେ ସାଇବର କ୍ରାଇମ୍ !। ବାପା ଏବଂ ପୁଅ ଏହି ଠକେଇ କରିଥିବା ଗତକାଲି ଢ଼େଙ୍କାନାଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଥିବା ଦୁଇ ଜଣ ହେଲେ ରାମେଶ୍ୱରପୁର ଅଂଚଳର ମୀନା ରାୟ ଓ ସାଗର ନାୟକ । ଭଗବାନପୁର ଅଂଚଳର ବାପ ପୁଅ ଦୁଇ ଜଣ ଉଭୟଙ୍କୁ ସୁଭଦ୍ରା ଯୋଜନାରେ ଆକାଉଣ୍ଟକୁ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଢେଙ୍କାନାଳ ସହର ଚନ୍ଦନ ବଜାର ଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଦୁଇଟି ଆକାଉଂଟ ଖୋଲିଥିଲେ । ଆକାଉଂଟ ଖୋଲିବା ପରେ ବ୍ୟାଙ୍କରୁ ମିଳିଥିବା ଚେକ୍ ବହି, ଏଟିଏମକୁ ଚଞ୍ଚକତାର ସହ ଅଭିଯୁକ୍ତ ବାପପୁଅ ନେଇଯାଇଥିଲେ ।  କିଛିଦିନ ତଳେ ମୀନା ରାୟଙ୍କ ଆକାଉଂଟରେ ୨୦ ଲକ୍ଷ ଟଙ୍କା ଆସିଛି ବୋଲି ଉକ୍ତ ବ୍ୟାଙ୍କରୁ ତାଙ୍କ ପାଖକୁ ଏକ ନୋଟିସ ଆସିଥିଲା।  ସେହିପରି ଅନ୍ୟତମ ଅଭିଯୋଗକାରୀ ସାଗର ନାୟକଙ୍କ ଆକାଉଂଟକୁ ମଧ୍ୟ ୧ କୋଟି ୭୫ ଲକ୍ଷ ୮୮ ହଜାର ୪୨୮ ଟଙ୍କା ଆସିଥିଲା । ଏତେ ଟଙ୍କା ଡିପୋଜିଟ ହେବା ନେଇ ବ୍ୟାଙ୍କ କର୍ତୃପକ୍ଷ ଉଭୟଙ୍କୁ ନୋଟିସ୍ ଜାରି କରିଥିଲେ । ସେପଟେ ଏତେ ଟଙ୍କାର ଟ୍ରାନଜାକ୍ସନ୍ ଦେଖି ଦିଲ୍ଲୀ ସାଇବର ସେଲ ମଧ୍ୟ ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ଏହି ଜମା ରାଶି ପରେ ଆକାଉଣ୍ଟରୁ କେହି ଉଠାଇ ନେଇଥିବା ସୂଚନା ମିଳିଛି । ଏହା କୈାଣସି ସାଇବର ଅପରାଧୀଙ୍କ କାମ କି ବ୍ୟାଙ୍କର ତୃଟି ତଦନ୍ତ ପରେ ସ୍ପଷ୍ଟ ହେବ  ।

ଭାରତୀୟ ଦଳ ପାକିସ୍ତାନ ନଯିବା ପ୍ରସଙ୍ଗକୁ ନେଇ ଏମିତି କହିଲେ ପାକିସ୍ତାନୀ ବୋଲର ହାସନ ଅଲ୍ଲୀ  

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି । ଟି-୨୦ ବିଶ୍ବକପ ପରେ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି । ତେବେ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ସ୍ପଷ୍ଠ ହୋଇନଥିବାବେଳେ ସରକାରଙ୍କ ଉପରେ ଏହା ନିର୍ଭର କରେ । ତେବେ ଦୀର୍ଘବର୍ଷ ଧରି ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଇନାହିଁ । ତେବେ ଦୁଇ ଦେଶ ମଧ୍ୟରେ ମଧ୍ୟ ଦ୍ବିପାକ୍ଷିକ ସିରିଜ ଖେଳାଯାଇନାହିଁ । ତେବେ ଟିମ ଇଣ୍ଡିଆ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବନାହିଁ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଉଭୟ ଦେଶର କିଛି ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି । କିଛିଦିନ ତଳେ ସାହିଦ ଆଫ୍ରିଦ ମଧ୍ୟ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏବେ ଏହାକୁ ନେଇ ପାକିସ୍ତାନୀ ଦୃତ ବୋଲର ହାସନ ଅଲ୍ଲୀ କହିଛନ୍ତି କି, ଭାରତୀୟ ଦଳ ଆସିଲେ ଆସନ୍ତୁ ନହେଲେ ନାହିଁ । ରାଜନୀତିଠାରୁ ଖେଳକୁ ଦୂରରେ ରଖିବା ଉଚିତ ।

ଏକ ପାକିସ୍ତାନୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ଅବସରରେ ହାସଲ ଅଲ୍ଲୀ କହିଛନ୍ତି କି,  ଭାରତର ଅଧିକାଂଶ ଖେଳାଳି ଚାହୁଁଛନ୍ତି କି, ସେମାନେ ପାକିସ୍ତାନ ଆସି ଖେଳିବା ପାଇଁ । ମାତ୍ର କାହିଁକି ଏଭଳି କରାଯାଉଛି । ତେବେ ସେମାନେ ଆସିଲେ ଆସନ୍ତୁ ନହେଲେ ଆମେ ସେମାନଙ୍କ ବିନା ଖେଳିବୁ । ସେମାନେ ଯଦି ଚାମ୍ପିୟନ୍ସ ଟ୍ରଫି ଖେଳିବେ ନାହିଁ ତାହେଲେ କ୍ରିକେଟ ଶେଷ ହେବ ନାହିଁ । ଅନ୍ୟ ଦେଶର ଖେଳାଳିମାନେ ଆସିବା ପାଇଁ ରାଜି ଅଛନ୍ତି ।

ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ।ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ ଚାଲୁଥିବା ବେଆଇନ କାର୍ଯ୍ୟ ଉପରେ ଚଢାଉ ଜାରି ରଖିଛି ପ୍ରଶାସନ। ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବାଲିଘାଟ ବିଭାଗ ସହ ତହସିଲ ପ୍ରଶାସନ, ପ୍ରଦୂଷଣ ବିଭାଗ ମିଳିତ ଭାବରେ ଯାଞ୍ଚ କରିଛି।ପୂର୍ବରୁ ନବୀନ ସରକାର ଥିବା ସମୟରେ ମଧ୍ୟ ବେଆଇନ ଖଣି ଖନନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ କୋଟି କୋଟି ଟଙ୍କା ଫାଇନ ହୋଇଥିଲା। ତା ସହିତ ବେଆଇନ ଖଣି ଖନନ ବନ୍ଦ କରିବା ପାଇଁ ବିଭିନ୍ନ ଫୋରମରେ ଉପସ୍ଥାପନ କରାଯାଇଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରକାଶ କରିଛନ୍ତି। ଏହା ସହିତ ନୂଆ ସରକାର ଆସିବା ପରଠୁ କିଭଳି ଭାବେ ବେଆଇନ ଖଣି ଖାନନ ଚାଲିଛି ତାହା ସାଧାରଣ ଲୋକେ ଠିକ ବୁଝି ସାରିଲେଣି ବୋଲି ପୂର୍ବତନ ବିଧାୟକ କହିଛନ୍ତି।