ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ୍ ପଡ଼ିଛନ୍ତି ଋତୁରାଜ ଗାଏକ୍ବାଡ । ଶୁଭମନ ଗିଲ ଦଳରେ ସ୍ଥାନ ପାଇଥିବାବେଳେ ଗାଏକ୍ବାଡ ବାଦ ପଡ଼ିଛନ୍ତି । ଯାହାକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ତଥା ଚୟନକର୍ତ୍ତା କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ସମାଲୋଚନା କରିଛନ୍ତି । ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ କହିଛନ୍ତି କି, ଶୁଭମନ ଗିଲ ଖରାପ ଫର୍ମ ଦେଇ ଗତି କରୁଥିଲେ ସୁଦ୍ଧା ତାଙ୍କୁ ଦଳରେ ସ୍ଥାନ ମିଳିଛି । କିନ୍ତୁ ଗାଏକ୍ବାଡଙ୍କ ଭଳି ଖେଳାଳିଙ୍କୁ କାହିଁକି ସୁଯୋଗ ମିଳୁନାହିଁ । ଗିଲଙ୍କ ଭଳି ଭାଗ୍ୟ ଗାଏକ୍ବାଡଙ୍କ ନାହିଁ । ବାରମ୍ବାର ବିଫଳ ହେଉଥିଲେ ସୁଦ୍ଧା କାହିଁକି ଗିଲଙ୍କୁ ସୁଯୋଗ ଦିଆଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଟି-୨୦ ବିଶ୍ବକପ ଦଳରେ ମଧ୍ୟ ଗାଏକ୍ବାଡଙ୍କୁ ଦୂରେଇ ରଖାଯାଇଥିଲା । ସେ କହିଛନ୍ତି କି, ଯଦି ଆମେ ଗାଏକ୍ବାଡଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତାହେଲେ ସେ ଜଣେ ଭଲ ଖେଳାଳି । ମାତ୍ର ତାଙ୍କୁ ବାରମ୍ବାର ପକ୍ଷପାତିତା କରାଯାଉଛି । ଦଳରେ ତାଙ୍କୁ ସୁଯୋଗ ମିଳୁନାହିଁ ।
ଓଡ଼ିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛି ବିଜେପି: ବିଜେଡି
ଭୁବନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ।
ଲେଖାଶ୍ରୀ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ହଟାଇବାକୁ ନିଷ୍ପତ୍ତି ନେବା ନିନ୍ଦନୀୟ । ବିଜେପି ସରକାର ଓଡ଼ିଶାର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ।
ଆଗକୁ ସେ କହିଛନ୍ତି, ‘ଓଡ଼ିଆ ଜାତି ଓ ଅସ୍ମିତାର ପ୍ରତୀକ ହେଉଛନ୍ତି ବିଜୁ ବାବୁ। ତାଙ୍କ ଅବଦାନ ଓ ତାଙ୍କ ନାଁକୁ ହଟାଇବାକୁ ଚେଷ୍ଟା ନକରି ଭଲ କାମ ଜରିଆରେ ଓଡିଶାବାସୀଙ୍କ ପ୍ରିୟ ପାତ୍ର ହୁଅ ।’
ପ୍ରବାଦ ପୁରୁଷଙ୍କ ନାଁ ଜନମାନସରୁ ନହଟାଇବାକୁ ଲେଖାଶ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ କହିଛନ୍ତି, ସରକାରରେ କ’ଣ ଚାଲିଛି ମୁଖ୍ୟମନ୍ତ୍ରୀଙ୍କୁ ଜଣାନାହିଁ । କ୍ରୀଡା ବିଭାଗ ବିଜ୍ଞପ୍ତି ପ୍ରକାଶ କରୁଛି, ହେଲେ ମୁଖ୍ଯମନ୍ତ୍ରୀ ଜାଣୁନାହାନ୍ତି । ବିଜେପି ଇତିହାସକୁ ନିଜ ବାଟରେ ଲେଖିବାକୁ ଚେଷ୍ଟା ନକରୁ । ବିଜୁ ବାବୁଙ୍କ କର୍ମ ଓ ଅବଦାନକୁ ସମ୍ମାନ ଦିଅ ଓଡ଼ିଶାବାସୀଙ୍କ ଭାବାବେଗକୁ କୁଠାରଘାତ କରନି ।
ସୁନ୍ଦରଗଡ଼ ଡବଲ ମର୍ଡର ଘଟଣା: ହତ୍ୟାରେ ବ୍ୟବହୃତ ଛୁରୀ, ରକ୍ତ ଭିଜା କପଡ଼ା, ବାଇକ୍ ଜବତ
ସୁନ୍ଦରଗଡ଼: କୁତ୍ରା ଥାନା କାଶୀପଡ଼ା ଡବଲ ମର୍ଡର ଘଟଣାରେ ବ୍ୟବହୃତ ଛୁରୀ, ବାଇକ ଓ ରକ୍ତ ଭିଜା କପଡ଼ା ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ରାଜୁ ନାଗକୁ ଘଟଣା ସ୍ଥଳକୁ ନେଇ ଏସବୁ ଜିନିଷ ଜବତ କରିଛି ।
ରାଜଗାଙ୍ଗପୁର ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ କୁତ୍ରା ପୋଲିସ ଅଭିଯୁକ୍ତଙ୍କୁ ଧରି ହତ୍ୟା ସ୍ଥଳରେ ତଦନ୍ତ କରିଛି । ଏହାସହ ବିଭିନ୍ନ ସ୍ଥାନକୁ ଯାଇ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ।
ହତ୍ୟାକାଣ୍ଡର ଏକ ସପ୍ତାହ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା କୁତ୍ରା ଥାନା ପୋଲିସ । ଗତ ୧୪ ତାରିଖ ରାତିରେ ଘଟିଥିଲା ଡବଲ ମର୍ଡର । ଅଭିଯୁକ୍ତ ରାଜୁ କାଶୀପଡାର ପ୍ରେମିକା ଲିପ୍ସା କେର୍କେଟାଙ୍କ ସହ ତାଙ୍କ ସହପାଠୀ ପୁରୁଷ ବନ୍ଧୁ ପ୍ରତାପ ଲାକଡ଼ାଙ୍କୁ ଛୁରୀ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଡ୍ରାଇଭର ରାଜୁ ଆତ୍ମସମର୍ପଣ କରିବା ପୂର୍ବରୁ ପୋଲିସ ତାକୁ କାବୁ କରିନେଇଥିଲା ।
ସରିଲା ସର୍ବଦଳୀୟ ବୈଠକ, ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା
ଭୁବନେଶ୍ବର: ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଲୋଚନା ହୋଇଛି ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀଙ୍କ ସମେତ ଦଳୀୟ ନେତା ସାମିଲ ହୋଇଥିଲେ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଛି ଶାସକ ଦଳ । ତେବେ ବଜେଟ ଆଲୋଚନ ସହ ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ସେ ଦିଗରେ ଆଲୋଚନା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ବୈଠକରେ କଂଗ୍ରେସ ବିଧାୟକ ସାମିଲ ହୋଇ ନଥିଲେ ।
ବୈଠକ ପରେ ବାଚସ୍ପତି କହିଛନ୍ତି, ‘ବିଧାନସଭା ଅଧିବେଶନ କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେ ନେଇ ସମସ୍ତଙ୍କ ମତାମତ ନିଆଗଲା । ଆସନ୍ତାକାଲି ସକାଳ ୧୧ଟାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଉଦବୋଧନରୁ ଅଧିବେଶନ ଆରମ୍ଭ ହେବ ।’
ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ‘ଗୃହ କିପରି ସୁରୁଖୁରରେ ଚାଲିବ ଆଲୋଚନା ହୋଇଛି । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଓ ବଜେଟ ନେଇ ଆଲୋଚନା କଲୁ ।’
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ଆସନ୍ତାକାଲି ଆମର ନୂଆ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ । ସୁରୁଖୁରୁରେ ଅଧିବେଶନ ଚାଲିବା ନେଇ ଆଲୋଚନା ହୋଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ବଛା ଯାଇ ନଥିବାରୁ ପିସିସି ସଭାପତିଙ୍କ ସହ ଫୋନରେ କଥା ହୋଇଥିଲି । ଦଳ ତରଫରୁ କେହି ବୈଠକକୁ ଆସି ନଥିଲେ । ସିପିଆଇଏମ ନେତା ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ କଥା ହୋଇ ଥିଲି, ସେ ଆସିପରିନାହାନ୍ତି । ମୋଟାମୋଟି ଭାବେ ସର୍ବସମ୍ମତି କ୍ରମେ ସୁରୁଖୁରରେ ବିଧାନସଭା ଚଲାଇବାକୁ ନିଷ୍ପତ୍ତି ହୋଇଛି ।
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ
ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଗୃହ ସୁରୁଖୁରରେ ଚଲାଇବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ ।
ବାଚସ୍ପତି ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେବ ଉପସ୍ଥିତ ଅଛନ୍ତି । ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଅଛନ୍ତି । ସେହିପରି ବିଜେଡି ପକ୍ଷରୁ ବିରାଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଅଛନ୍ତି । ଅନ୍ୟପକ୍ଷରେ ବୈଠକରେ କଂଗ୍ରେସର କୌଣସି ବିଧାୟକ ଯୋଗଦେଇ ନଥିଲେ ।
ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ବାଚସ୍ପତି । ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବଦଳୀୟ ବୈଠକ ସହ ସମସ୍ତ ଅଧିବେଶନରେ ଯୋଗ ଦେବାକୁ ନବୀନଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିକାଶ ପାଇଁ ନବୀନ ପଟ୍ଟନାୟକ ଯାହା ଗଠନ ମୂଳକ ପ୍ରସ୍ତାବ ଦେବେ, ତାହା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

