spot_img
Home Blog Page 1679

କମିଶନରେଟ ପୋଲିସ ତରଫରୁ “ସେଫ ସିଟି ଡ୍ରାଇଭ“ ଅଭିଯାନ

ଭୁବନେଶ୍ବର: କଡାକଡି ଯାଞ୍ଚ ହୋଇଛି ହୋଟେଲ। ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି। ଭୁବନେଶ୍ଵର କମିଶନରେଟ ପୋଲିସ ତରଫରୁ “ସେଫ ସିଟି ଡ୍ରାଇଭ“ ଅଭିଯାନ ଚାଲିଛି। ସମସ୍ତ ହୋଟେଲ ଗୁଡ଼ିକୁ କଡାକଡି ଭାବେ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ହୋଟେଲ ମାଲିକ ମାନଙ୍କୁ “ସରାଇ ଆପ” ବ୍ୟବହାର କରିବାକୁ କୁହାଯାଇଥିଲା। ଉକ୍ତ ଆପ ମାଧ୍ୟମରେ ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତିବିଶେଷ ମାନଙ୍କର ତଥ୍ୟ ପ୍ରତ୍ୟେକ ଦିନ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଉକ୍ତ ଆପକୁ ସେମାନେ ଡାଉନଲୋଡ କରିବା ସହ ସେଥିରେ ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା । ଭୁବନେଶ୍ବର ସହର ମଧ୍ୟରେ ଅପରାଧିକ କାର୍ଯକ୍ରମକୁ ନିୟନ୍ତ୍ରଣ କରିବା ସହ ହୋଟେଲରେ ଗ୍ରାହକ ମାନଙ୍କ ଦ୍ବାରା ଦିଆଯାଇଥିବା ପରିଚୟ ତଥା ଠିକଣା ସଠିକ ଅଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ହୋଟେଲ ମାଲିକ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ମଧ୍ୟ ସୂଚିତ କରାଯାଇଥିଲା ।

ପୁଅ ସାଜିଲା ବଇରୀ, ଧାରୁଆ ଅସ୍ତ୍ରରେ ମା’କୁ ହତ୍ୟା କଲା ପୁଅ

କଟକ: କଟକ ମହାନଦୀବିହାରରେ ଚାଞ୍ଚଲ୍ୟ। ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କଲା ପୁଅ। ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ଦୁଇ ପୁଅ ଅନୁରାଗ ମହାନ୍ତି ଓ ଅଂଶୁମାନ ମହାନ୍ତିଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଅଟକ ରଖିଛି। ଦୁଇ ପୁଅ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଓ କର୍ପୋରେଟଙ୍କ ସୂଚନା ମୁତାବକ 714 ନମ୍ବର ପ୍ଲଟରେ ଅନିମା ମହାନ୍ତି ଆଜିକୁ ଦୀର୍ଘ ବର୍ଷ ହେବ ରହୁଥିଲେ। ଦୁଇ ପୁଅଙ୍କ ଚାଲିଚଳଣି ଠିକ ରହୁନଥିବାରୁ ଅନିମା ଅଧିକାଂଶ ସମୟ ସମ୍ପର୍କୀୟଙ୍କ ଘରରେ ରହୁଥିଲେ। ଗତ କିଛି ଦିନ ତଳେ ସେ ଆସିଥିଲେ। ଆସିବା ଦିନ ଠାରୁ ମା’ଙ୍କ ସହିତ ଦୁଇ ପୁଅଙ୍କ ପାଟି ତୁଣ୍ଡ ହୋଇଥିଲା। ଗତ କାଲି ମା’କୁ ଅଟୋରେ ବସାଇ ଦୁଇ ପୁଅ କେଉଁଆଡେ ନେଇଥିଲେ ଓ କିଛି ସମୟ ପରେ ଫେରିଥିଲେ। ଆଜି ସକାଳୁ ଏପରି ଘଟଣା ଘଟିଥିବା ଜଣାପଡିଛି।

ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟ୍, ଚିଫ୍ ସାଇଣ୍ଟିଷ୍ଟଙ୍କ ଘରୁ ୫୦ ଭରି ସୁନା ଲୁଟିନେଲେ ଲୁଟେରା

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦକା ଥାନା ଅଧିନ ଆକ୍ରୋପଲିସ ଆପାର୍ଟମେଣ୍ଟରେ ବଡ ଧରଣର ଚୋରି। ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟଙ୍କ ଘରୁ ଲୁଟିନେଲେ ଲୁଟେରା। ୫୦ ଭରି ସୁନା ଅଳଙ୍କାର ସମେତ ୪୦ରୁ ଅଧିକ ରୁପା କଏନ ଲୁଟ୍। ନ୍ୟାସନାଲ ମେଟାଲର୍ଜିକାଲ ଲାବରେଟୋରୀର ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡାଙ୍କ ଘରୁ ଲୁଟ ହୋଇଛି। ଦେଶ ବାହାରକୁ ଯାଇଥିବା ବେଳେ କଳାକନା ବୁଲାଇଛନ୍ତି ଲୁଟେରା।

ୟୁରୋପରେ ଥିବା ପୁଅ ପାଖକୁ ଯାଇଥିବା ବେଳେ ଲୁଟ୍ ହୋଇଥିବା ଜଣାପଡିଛି। ସେପ୍ଟେମ୍ବର ୧୧ ତାରିଖ ରାତିରେ ଚୋରି ହୋଇଥିବା ଜଣାପଡିଛି। ୧୨ ତାରିଖରେ ଘର ତାଲା ଭାଙ୍ଗିଥିବା ଦେଖିଥିଲେ କେୟାରଟେକର। ଆଜି ୟୁରୋପରୁ ଆସି ପହଞ୍ଚିଛନ୍ତି ପରିବାର ଲୋକେ। ଘର ଭିତରୁ ୧୦ ହଜାର ନେଇଯାଇଛନ୍ତି ଲୁଟେରା। ଆପାର୍ଟମେଣ୍ଟରେ କଡା ସୁରକ୍ଷା ସତ୍ତ୍ୱେ ଲୁଟ ହୋଇଛି। ତେବେ ବିଲ୍ଡରକୁ ସିସିଟିଭି ଲଗାଇବା ପାଇଁ କହିଥିଲେବି ସିସିଟିଭି କାମ କରୁନଥିବା ଅଭିଯୋଗ ହୋଇଛି।

ମଙ୍କିପକ୍ସର ହେବ ସଫଳ ମୁକାବିଲା, ଜିନେଓସ ଟିକାକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ

ନନ୍ଦିଘାେଷ ବ୍ୟୁରୋ: ମଙ୍କିପକ୍ସର ହେବ ସଫଳ ମୁକାବିଲା। ସଂକ୍ରମଣ ରୋକିବା ଲାଗି ଜିନେଓସ ଟିକାକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ। ‘ଜିନେଓସ’ ନାମରେ ପରିଚିତ ବାଭାରିଆନ୍ ନୋର୍ଡିକର ଟିକାକୁ ଅନୁମୋଦନ ମିଳିଛି। ଏହା ସହ ଜାପାନର କେ.ଏମ. ବାୟୋଲୋଜିକସ ଦ୍ବାରା ପ୍ରସ୍ତୁତ ଏଲସି ୧୬ଟିକାକୁ ମଧ୍ଯ ସଂଗଠନ ଯାଞ୍ଚ କରୁଛି। ଏହି ଟିକାକୁ ଜାତିସଂଘ ଏଜେନ୍ସିଗୁଡ଼ିକ କିଣିବେ ଏବଂ ବାଣ୍ଟିବା ଦାୟିତ୍ବ ନେବେ।

ସ୍ବାସ୍ଥ୍ଯ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ କହିଛନ୍ତି, ଆଫ୍ରିକାରେ ବର୍ତ୍ତମାନ ସଂକ୍ରମଣ ଜାରି ରହିଥିବାବେଳେ ଭବିଷ୍ଯତରେ ଏହି ଟିକା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ। ଏମ୍‌ପକ୍ସ ସ୍ମଲପକ୍ସ ଭଳି ସମାନ ଭୂତାଣୁ ସୃଷ୍ଟି କରିପାରେ କିନ୍ତୁ ଜ୍ୱର, ଥଣ୍ଡା ଓ ଶରୀରଯନ୍ତ୍ରଣା ଭଳି ସାମାନ୍ୟ ଲକ୍ଷଣ ସୃଷ୍ଟି କରେ। କେତେକାଂଶରେ ଲୋକଙ୍କ ମୁହଁ, ହାତ, ଛାତି ଓ ଯୌନାଙ୍ଗରେ କ୍ଷତ ସୃଷ୍ଟି ହୋଇପାରେ। ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ଅନୁମୋଦନ ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଟିକାର ଦୁଇ ଡୋଜ୍ ଦିଆଯିବ। ତେବେ ସଂକ୍ରମଣ କ୍ଷେତ୍ରରେ ଶିଶୁ ଓ ବୟସ୍କମାନଙ୍କୁ ଦେବାପାଇଁ ଏହାକୁ ଲାଇସେନ୍ସ ମିଳିନାହିଁ।

ହିମାଚଳ ପ୍ରଦେଶ ସିମଳାରେ ସଞ୍ଜୌଲି ମସଜିଦ ଟେନସନ, ଥମିବାର ନାଁ ନେଉନି ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶ ସିମଳାରେ ସଞ୍ଜୌଲି ମସଜିଦ ଟେନସନ। ବେଆଇନ ନିର୍ମାଣଙ୍କୁ ଭାଙ୍ଗିବା ଲାଗି ମସଜିଦ କମିଟିର ସ୍ବୀକୃତି ସତ୍ତ୍ବେ ଥମିବାର ନାଁ ନେଉନି ଆନ୍ଦୋଳନ। ଆଜି ସିମଳା, ମଣ୍ଡି ଓ କୁଲ୍ଲୁରେ ଉତ୍ତେଜନା ପ୍ରକାଶ ପାଇଛି। କୁଲ୍ଲୁ ଓ ମଣ୍ଡିରେ ବନ୍ଦ ପାଳନ କରାଯାଇଛି। ସିମଳାରେ ଏକ ଗୋଷ୍ଠୀର ଲୋକ ଧାରଣା ଦେଇଛନ୍ତି। ଗତକାଲି ବି ମଣ୍ଡିରେ ଏହି ପ୍ରସଙ୍ଗକୁ ନେଇ ଶହ ଶହ ଲୋକ କରିଥିଲେ ବିକ୍ଷୋଭ। ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପାଣି ମାଡ କରିଥିଲା। ମସଜିଦର କିଛି ଅଂଶ ଭାଙ୍ଗିବାକୁ ଆମକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ମସଜିଦର ଇମାମ ଶେହଜାଦ। ସେପଟେ ଇମାମଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଦେବ ଭୂମି ସଂଘର୍ଷ କମିଟି। ଏହି ମସଜିଦ ୫ ମହଲା ବିଶିଷ୍ଟ ହୋଇଥିବାବେଳେ ଗତ ମାସରେ ସେଠାରେ ରହୁଥିବା କିଛି ଲୋକଙ୍କୁ ନେଇ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା।ମସଜିଦର ଇମାମ ଶେହଜାଦ କହିଛନ୍ତି- ୧୯୪୭ରେ ଏହି ମସଜିଦ ନିର୍ମିତ ହୋଇଥିଲା ଏବଂ ୨୦୦୭ରେ ଏହାକୁ ପରିବର୍ଦ୍ଧିତ କରାଯାଇଥିଲା। ଏହାକୁ ନେଇ ୨୦୧୦ରେ ଏକ ମକଦ୍ଦମା ଦାୟର ହୋଇଥିଲା। ମାତ୍ର ପରେ ଗତ ୧୪ ବର୍ଷ ମଧ୍ଯରେ ଆଉ ୪ଟି ମହଲା ନିର୍ମାଣ କରାଯାଇଥିଲା। ଗତ ଅଗଷ୍ଟ ୩୦ରେ ମାଲ୍ଯାନ ଇଲାକାରେ ସଂଖ୍ଯାଲଘୁ ବର୍ଗର କିଛି ଲୋକ ଜଣେ ବ୍ଯବସାୟୀ ଯଶପାଲ ସିଂଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ବିବାଦ କ୍ରମଶଃ ମସଜିଦର ବେଆଇନ ନିର୍ମାଣ ପ୍ରସଙ୍ଗକୁ ନେଇ କେନ୍ଦ୍ରୀଭୂତ ହୋଇଥିଲା ଏବଂ ବେଆଇନ ନିର୍ମାଣ ଭାଙ୍ଗିବାକୁ ଦାବି ହୋଇଥିଲା।

ଷ୍ଟର୍ମ ଛାୟା କ୍ଷେପଣାସ୍ତ୍ର ପାଇଁ କାହିଁକି ଅନୁମତି ମାଗୁଛି ୟୁକ୍ରେନ ?

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ବନ୍ଦ ହେଉନଥିବା ବେଳେ ୟୁକ୍ରେନ ଯୁଦ୍ଧରେ ଷ୍ଟର୍ମ ଛାୟା କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ମାଗୁଛି। ଏହା ଏକ ଶକ୍ତିଶାଳୀ କ୍ରୁଜ୍ କ୍ଷେପଣାସ୍ତ୍ର ଯେଉଁଥିରେ ଏକ ବଙ୍କର ମଧ୍ୟ ନଷ୍ଟ କରିବାର ଶକ୍ତି ଅଛି । ଏହି କ୍ଷେପଣାସ୍ତ୍ରର ସୀମା ୨୫୦କିଲୋମିଟର (୧୫୫ ମାଇଲ) ପର୍ଯ୍ୟନ୍ତ ରହିଛି  । ରୁଷିଆର କ୍ରମାଗତ ଆକ୍ରମଣ ହେତୁ ୟୁକ୍ରେନ ଏହି କ୍ଷେପଣାସ୍ତ୍ର ଦାବି କରୁଛି, ଯାହାର ନାମ ଷ୍ଟର୍ମ ଛାୟା ମିସାଇଲ। ଗୋଟିଏ ପଟେ ରୁଷ ଆକ୍ରମଣର ସମ୍ମୁଖୀନ ହେବାକୁ ୟୁକ୍ରେନ ଏହି କ୍ଷେପଣାସ୍ତ୍ର ଦାବି କରୁଛି ଅନ୍ୟପକ୍ଷରେ, ରୁଷିଆ ୟୁକ୍ରେନ୍ର ଏହି କ୍ଷେପଣାସ୍ତ୍ର ବ୍ୟବହାର ଉପରେ ଆମେରିକା ଏବଂ ବ୍ରିଟେନ ପ୍ରତିବନ୍ଧକ ଲଗାଇଛନ୍ତି, ଯାହା ୟୁକ୍ରେନ ଅନେକ ସପ୍ତାହ ଧରି ହଟାଇବାକୁ ଦାବି କରିଆସୁଛି ।

କ୍ଷେପଣାସ୍ତ୍ର କାହିଁକି ସ୍ୱତନ୍ତ୍ର?

ଷ୍ଟର୍ମ ଛାୟା ହେଉଛି ଏକ କ୍ରୁଜ୍ କ୍ଷେପଣାସ୍ତ୍ର, ଯାହା ବ୍ରିଟେନ ଏବଂ ଫ୍ରାନ୍ସ ଦ୍ୱାରା ବିକଶିତ । ଏହା ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଯାହା ବଙ୍କର୍ ଏବଂ ଗୁଳିଗୋଳା ଷ୍ଟୋରେଜ୍ ପରି ଲକ୍ଷ୍ୟକୁ ନଷ୍ଟ କରିପାରେ  । ଏହି କ୍ଷେପଣାସ୍ତ୍ରର ସୀମା ୨୫୦ କିଲୋମିଟର (୧୫୫ ମାଇଲ) ପର୍ଯ୍ୟନ୍ତ ରହିଛି  । ୟୁକ୍ରେନରେ ପୂର୍ବରୁ ଏହି କ୍ଷେପଣାସ୍ତ୍ର ଅଛି, କିନ୍ତୁ ଏହାକୁ ରୁଷିଆ ଉପରେ ନିକ୍ଷେପ କରିବାକୁ ୟୁକ୍ରେନ ଉପରେ କଟକଣା ଲାଗୁ ହେଇଛି । ୟୁକ୍ରେନ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ କେବଳ ଏହାର ସୀମା ମଧ୍ୟରେ ବ୍ୟବହାର କରିପାରିବ। ଏସବୁ ମଧ୍ୟରେ ୟୁକ୍ରେନ ରୁଷର ଟାର୍ଗେଟ ବିରୁଦ୍ଧରେ ଏହି କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଆମେରିକା ଏବଂ ବ୍ରିଟେନ ଠାରୁ ଅନୁମତି ଲୋଡିଛି।

କ୍ଷେପଣାସ୍ତ୍ରର ମୂଲ୍ୟ କେତେ ?

ଏହି କ୍ଷେପଣାସ୍ତ୍ରର ମୂଲ୍ୟ ମଧ୍ୟ ଅଧିକ, ଯାହା ପ୍ରାୟ ୧ ମିଲିୟନ୍ ଡଲାର ଅର୍ଥାତ୍ ୮ କୋଟି ୩୨ ଲକ୍ଷ ଟଙ୍କା  । ତେଣୁ ଶତ୍ରୁକୁ ଦ୍ୱନ୍ଦରେ ପକାଇବା ପାଇଁ ସେମାନେ ପ୍ରାୟତଃ ଡ୍ରୋନ୍ ସାହାଯ୍ୟରେ ଏହାକୁ ବ୍ୟବହୃତ କରନ୍ତି  ।

ୟୁକ୍ରେନ କାହିଁକି କ୍ଷେପଣାସ୍ତ୍ର ଦାବି କରୁଛି ?

ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ, ୟୁକ୍ରେନର ଯୁକ୍ତି ହେଉଛି ଯେ ରୁଷ ଆକ୍ରମଣର ଜବାବ ସେ ସେତିକି ଆକ୍ରାମଣାତ୍ମକ ଦେଇପାରୁନାହିଁ । ତେଣୁ ପ୍ରତିଶୋଧ ନେବା ପାଇଁ ରୁଷର ଟାର୍ଗେଟ ଉପରେ ଆକ୍ରମଣ କରିବା ନିହାତି ଜରୁରୀ ହେଇପଡିଛି । ଏହାସହିତ ୟୁକ୍ରେନ ଏହା ମଧ୍ୟ କହିଛି ଯେ,  ରୁଷ ପାଖରେ ଦୂରଗାମୀ ଡ୍ରୋନ୍ ଥିବାବେଳେ ୟୁକ୍ରେନ କ୍ଷେପଣାସ୍ତ୍ର ନଜରରେ ପଡିଯାଇଥାଏ । ସେଥିପାଇଁ ଷ୍ଟର୍ମ ଛାୟା କ୍ଷେପଣାସ୍ତ୍ର ଏବଂ ଆମେରିକାର ATACMS କ୍ଷେପଣାସ୍ତ୍ର ରୁଷିଆ ଆକ୍ରମଣରୁ ରୋକିବାରେ ସାହାଯ୍ୟ କରିବ।

ଆମେରିକା ଏବଂ ବ୍ରିଟେନ କାହିଁକି ଅନୁମତି ଦେଉନାହାଁନ୍ତି ?

ୟୁକ୍ରେନ ଏବଂ ରୁଷ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଆମେରିକା ଓ ବ୍ରିଟେନ ଚିନ୍ତିତ ଅଛନ୍ତି । ସେଥିପାଇଁ ଯୁଦ୍ଧକୁ ଆହୁରି ଭୟାନକ ନକରିବା ପାଇଁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯଦି ୟୁକ୍ରେନ ରୁଷିଆ ଉପରେ ଏହା ନିକ୍ଷେପ କରିବ ତାହେଲେ ରୁଷ ମଧ୍ୟ ଆହୁରି ଆକ୍ରମଣାତ୍ମକ ହେଇଯିବ ଯାହା ବିଶ୍ବ ପାଇଁ ବିପଦ ।

‘ଚିକେନ୍ ନେକ୍’ ଉପରେ ବାଂଲାଦେଶୀ ମୌଳବାଦୀର ନଜର,ଦାବି କଲା ପ.ବଙ୍ଗର ସ୍ୱାଧିନତା

ନନ୍ଦିଘୋଷ ବ୍ୟୁରୋ: ଭାରତ ବିରୁଦ୍ଧରେ ବିଷ ଓଗାଳୁଛି ବାଂଲାଦେଶୀ ଆତଙ୍କବାଦୀ ରହମାନି । ଭାରତରେ ଅସ୍ଥିରତା ଆଣିବା ଲାଗି ପାକିସ୍ତାନ, ଆଫଗାନିସ୍ତାନ ଏବଂ ଚୀନଠାରୁ ସାହାଯ୍ୟ ମାଗୁଛି । କେବଳ ଏତିକି ନୁହଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭାରତରୁ ପଶ୍ଚିମବଙ୍ଗକୁ ଅଲଗା କରିବା ପାଇଁ ଉସକାଉଛି ।

ଶେଖ ହସୀନା ଗାଦିଚ୍ୟୁତ ହେବା ପରେ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଅନ୍ତରିମ ସରକାର ଗଠନ ହେଇଥିଲା । ସରକାର ଗଠନ ହେବା ପରେ ପରେ ଆତଙ୍କବାଦୀ ରହମାନୀଙ୍କୁ ମୁକ୍ତ କରାଯାଇଥିଲା । ଅନସାରୁଲ୍ଲା ବାଂଲା ଟିମ୍‌(ABT) ମୁଖ୍ୟ ଜଶିମୁଦ୍ଦିନ ରହମାନୀ ଅଲ-କାଏଦା ସହ ଜଡିତ । ଯିଏ ଆତଙ୍କବାଦୀଙ୍କ ସାହାଯ୍ୟରେ ଜିହାଦି ନେଟୱାର୍କ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିବାରୁ ଏହା ଭାରତ ପାଇଁ ଚିନ୍ତାର ବିଷୟ।

ବର୍ତ୍ତମାନ ଏହି ରହମାନୀ ଯିଏ ଅଲକାଲଦର ସଙ୍ଗଠନରେ ସମ୍ପୃକ୍ତ ଭାରତ ପାଇଁ ବିପଦ ସୃଷ୍ଟି କରିବାରେ ଲାଗି ପଡିଛି । ରହମାନୀ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଭାରତକୁ ଚେତାବନୀ ଦେଇଛି । ଏବେ ସୋସିଆଲ ମିଡିଆରେ ଏବିଟିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୁକ୍ତ କଶ୍ମୀର ଏବଂ ପଶ୍ଚିମବଙ୍ଗକୁ ଭାରତରୁ ଅଲଗା କରିବା ପାଇଁ ଦାବି ହେଉଛି । ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୋଦୀ ଶାସନରୁ ପଶ୍ଚିମବଙ୍ଗକୁ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଶେଖ ହାସିନାଙ୍କ ସମୟରେ ରହମାନି ବହୁଦିନରୁ ଜେଲରେ ଥିଲା  । କିନ୍ତୁ ବାଂଲାଦେଶରେ ସତ୍ତା ବଦଳିବାପରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଥିଲା । ଏହା ପରଠାରୁ ସେ ଭାରତ ବିରୁଦ୍ଧରେ ବିଷ ଓଗାଳିବା ଭଳି ବୟାନ ଦେବାରେ ଲାଗିପଡିଛନ୍ତି । ରହମାନୀ ଜଣେ ବ୍ଲଗରଙ୍କୁ ହତ୍ୟା କରିବା ଅଭିଯୋଗରେ  କାରାଦଣ୍ଡ ଭୋଗୁଥିଲେ । କିନ୍ତୁ ସତ୍ତା ବଦଳିବା ପରେ ତାକୁ ଅଗଷ୍ଟ ମାସରେ ପାରୋଲରେ ମୁକ୍ତ କରିଦିଆଯାଇଥିଲା ।

ରହମାନି ମୁକ୍ତ ହେବା ପରେ ଭାରତର ଉତ୍ତେଜନା ବୃଦ୍ଧି ପାଇଛି। ଏବିଟି ହେଉଛି ଏକ ଆତଙ୍କବାଦୀଙ୍କୁ ସହଯୋଗୀ କରୁଥିବା, ଅର୍ଥାତ୍ ଅଲ-କାଏଦା, AQIS ଯାହା ଭାରତରେ ବ୍ୟାନ ଅଟେ କରାଯାଇଛି। ବାଂଲାଦେଶ ବିରୋଧରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହା ଭାରତକୁ ଚେତାବନୀ ଦେଇଛି। ସେ କହିଛନ୍ତି ଯେ ଏହି ଦେଶ “ସିକ୍କିମ କିମ୍ବା ଭୁଟାନ ଭଳି ନୁହେଁ। ଏହା ୧୮କୋଟି ମୁସଲମାନର ଦେଶ। ”

ଭାରତର ‘ଚିକେନ୍ ନେକ’ କାଟି ଚୀନ୍‌କୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଅନ୍ୟ ଅଂଶରୁ ଅଲଗା କରିବାରେ ସାହାଯ୍ୟ କରିବା ବିଷୟରେ କହିଥିଲେ। କୋଲକାତାର ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ତାଙ୍କ ସରକାର ଜନସାଧାରଣଙ୍କ ଅସନ୍ତୋଷର ସମ୍ମୁଖୀନ ହେଉଥିବା ବେଳେ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କୁ ରହମାନୀଙ୍କ ଏଭଳି ବାର୍ତ୍ତା ଏବେ ଚର୍ଚ୍ଚାର କାରଣ ପାଲଟିଛି ।

ସେପ୍ଟେମ୍ବର ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଛୁଟି ତାଲିକା

ନନ୍ଦିଘୋଷ ବ୍ୟୁରୋ: ଗଣେଶ ପୂଜାଠାରୁ ଆରମ୍ଭ ହେଇଯାଇଛି ପାର୍ବଣ ଋତୁ । ଏହି ସମୟରେ ସରକାରୀ ଓ ବେସରକାରୀ ସଂସ୍ଥାରେ ଅନେକ ଛୁଟି ରହିଥାଏ । ତେଣୁ ଚଳିତ ମାସରେ ମଧ୍ୟ ଅନେକ ପର୍ବ ରହିଛି । ଏହି କାରଣରୁ ବ୍ୟାଙ୍କ ଗୁଡିକ କ୍ରମାଗତ ଭାବେ ୯ଦିନ ଛୁଟି ହେବାକୁ ଯାଉଛି । ତେବେ ବ୍ୟାଙ୍କଗୁଡିକ କେତେ ଦିନ ବନ୍ଦ ରହିବାକୁ ଯାଉଛି ଆସନ୍ତୁ ଜାଣିବା …

ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବାସ୍ତବରେ, ଆଜି ଠାରୁ ଆଗାମୀ କିଛି ଦିନ ପାଇଁ କୌଣସି କାମ ହେବ ନାହିଁ | ପାର୍ବଣ ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାସ ଆରମ୍ଭ ପୂର୍ବରୁ  ଛୁଟିଦିନର ତାଲିକା ପ୍ରକାଶ କରିଛି। ଏଥିରେ ରାଜ୍ୟ ବ୍ୟାଙ୍କଗୁଡିକ ଠାରୁ ଆରମ୍ଭ କରି ଘରୋଇ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ ଇତ୍ୟାଦି ସମସ୍ତ ବ୍ୟାଙ୍କର ତାଲିକା ପ୍ରକାଶ ପାଇଛି।

ନଜର ପକାନ୍ତୁ କେତେଦିନ ବନ୍ଦ ରହିବ ବ୍ୟାଙ୍କ:-

୧୪ ସେପ୍ଟେମ୍ବର- ଶନିବାର- ଦ୍ୱିତୀୟ ଶନିବାର/ ଓନାମ- ସମଗ୍ର ଭାରତ

୧୫ ସେପ୍ଟେମ୍ବର- ରବିବାର- ରବିବାର / ଥିରୁବୋନମ୍- ସମଗ୍ର ଭାରତ

୧୬ ସେପ୍ଟେମ୍ବର- ସୋମବାର- ଇଦ୍-ଇ-ମିଲାଦ- ସମଗ୍ର ଭାରତ

୧୭ ସେପ୍ଟେମ୍ବର- ମଙ୍ଗଳବାର- ଇନ୍ଦ୍ର ଯାତ୍ରା- ସିକ୍କିମ୍

୧୮ ସେପ୍ଟେମ୍ବର- ବୁଧବାର- ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ-କେରଳ

ଚଳିତ ମାସରେ ବ୍ୟାଙ୍କ ସାପ୍ତାହିକ ଛୁଟି ଦିନ

ରବିବାର- ୧, ୮, ୧୫,୨୨,୨୯ ସେପ୍ଟେମ୍ବର

ଦ୍ୱିତୀୟ ଶନିବାର-୧୪ ସେପ୍ଟେମ୍ବର

ଚତୁର୍ଥ ଶନିବାର- ୨୮ ସେପ୍ଟେମ୍ବର

ପର୍ବ ଏବଂ ବାର୍ଷିକ ଉତ୍ସବ ହେତୁ ସେପ୍ଟେମ୍ବର ମାସରେ ଅନେକ ଛୁଟି ରହିଛି । ଏପରି ପରିସ୍ଥିତିରେ,ଯଦି  ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି ତାହେଲେ ତୁରନ୍ତ କରିନିନ୍ତୁ । ନଗଦ ଟଙ୍କା ଉଠାଇବା ପାଇଁ ଆପଣ ଏଟିଏମ୍ ବ୍ୟବହାର କରିପାରିବେ | ଏହି ସମୟରେ, ଆପଣ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାକୁ UPI, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିପାରିବେ |

ଯବାନଙ୍କ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ ମାଡ଼

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ରେ ଯବାନଙ୍କ କ୍ୟାମ୍ପ ଉପରେ ରକେଟ ମାଡ଼। ବିଜାପୁର ପୂବର୍ତ୍ତି ସିଆରପିଏଫ୍ କ୍ୟାମ୍ପ ଉପରେ ରକେଟ ମାଡ଼ ହୋଇଛି। ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ କରିଛନ୍ତି ମାଓବଦୀ। ଯବାନଙ୍କ ପାଲଟା ଗୁଳି ଚାଳନା ଯୋଗୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ମାଓବାଦୀ। ଗତକାଲି ବଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ମାଓ ନେତା ହିଡମାଙ୍କ ଗାଁ ପୂବର୍ତ୍ତି। ଏଠାରେ ସିଆରପିଏଫ୍ ପକ୍ଷରୁ କ୍ଯାମ୍ପ ସ୍ଥାପନ ହୋଇଥିବା ବେଳେ ରକେଟ୍ ମାଡ଼ କରିଛନ୍ତି ମାଓବାଦୀ।

ପୃଥିବୀ ପୃଷ୍ଠକୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା

ନନ୍ଦିଘୋଷ ବ୍ୟୁରୋ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ୩ମାସରୁ ଅଧିକ ସମୟ ଧରି ମହାକାଶରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାଇଥିବା ମହାକାଶଯାନ ଷ୍ଟାରଲିନର୍ ବର୍ତ୍ତମାନ ଉଭୟଙ୍କ ବିନା ଫେରି ଆସିଛି। ଏହି ସମୟରେ ସୁନୀତା ୱିଲିୟମ୍ସ ଏବଂ ବଚ ୱିଲମୋରଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି ।

ମହାକାଶଯାନର ପ୍ରତ୍ୟାବର୍ତ୍ତନ ପରେ ପ୍ରଥମ ଥର ପାଇଁ ସୁନୀତା ୱିଲିୟମ୍ସ ଏବଂ ବଚ ୱିଲମୋର ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରି ସମସ୍ତଙ୍କ ସାମ୍ନାରେ ନିଜର ମତ ଉପସ୍ଥାପନ କରିଛନ୍ତି। ଉଭୟ ମହାକାଶଚାରୀ କହିଛନ୍ତି, ବୋଇଙ୍ଗର ଷ୍ଟାରଲିନର୍ ଆମ ବିନା ପୃଥିବୀକୁ ଫେରିବା ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ୱିଲମୋର କହିଛନ୍ତି, ଏହା ଆମ ବିନା ଗଲା ଏହା ଆମକୁ ବହୁତ କଷ୍ଟ ଦେଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ  ଏହା ଆମ ବିନା ଯିବାର ଥିଲା । ଏହି ଅବସରରେ ସୁନୀତା ୱିଲିୟମ୍ସ କହିଛନ୍ତି ଯେ ବର୍ତ୍ତମାନ ଏହି ବିଷୟରେ ଦୁଃଖ ନକରି ଆମେ ପରବର୍ତ୍ତୀ ସୁଯୋଗ ଆଡକୁ ଦୃଷ୍ଟି ଦେବା ଉଚିତ୍।

ଯେତେବେଳେ ଉଭୟ ମହାକାଶଚାରୀଙ୍କୁ ପଚରାଯାଇଥିଲା ଯେ ମିଶନରେ ଘଟିଥିବା ବୈଷୟିକ ତ୍ରୁଟି କାରଣରୁ ସେମାନେ ବୋଇଙ୍ଗ ଏବଂ ନାସା ଉପରେ ରାଗିଛନ୍ତି କି ନାହିଁ, ସେମାନେ ସ୍ପଷ୍ଟ ଭାବରେ ଏହାକୁ ଅସ୍ୱୀକାର କରିଛନ୍ତି , ଉଭୟ ମହାକାଶଚାରୀ ନିଜ ଟି-ସାର୍ଟ ଉପରେ ନାସାର ଲୋଗୋକୁ ଦେଖାଇ କହିଛନ୍ତି ଯେ  ଆଜି ଆମେ ଯୋଉଠି ଅଛୁ ଏବଂ ଯାହା ପାଇଁ ଆଗକୁ ବଢିଛୁ ଏହା କେବଳେ ଏହାରି ପାଇଁ । ଏହି ମିଶନ ୮ଦିନରୁ ୮ମାସ ହେଇଯିବ ଆହୁରି ୫ମାସ ମହାକାଶରେ ଆମକୁ ରହିବାକୁ ପଡିବ ଆମେ ଏଥିପାଇଁ ପ୍ରସ୍ତୁତ  । ବଚ୍ ୱିଲମୋର କହିଛନ୍ତି, ୮ ଦିନରୁ ୮ ମାସ ପର୍ଯ୍ୟନ୍ତ, ଆମେ ଆମର ସର୍ବୋତ୍ତମ ଦେବୁ  ।

ନଭେମ୍ବର ୨ରେ ହେଉଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ସୁନୀତା ଏବଂ ବଚ୍ ୱିଲମୋର କହିଛନ୍ତି, ଆମେ ମହାକାଶରୁ ଭୋଟ୍ ଦେବାକୁ ଯୋଜନା କରୁଛୁ। ସୁନୀତା ୱିଲିୟମ୍ସ ହସି ହସି କହିଛନ୍ତି, ସ୍ପେସ୍ରୁ ଭୋଟ୍ ଦେବା କେତେ ଅଲଗା ହେବ  ।

ଷ୍ଟାରଲିନର୍ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ମିଶନକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା, ଏହା ପରେ ନାସା ଅଗଷ୍ଟ ୨୪ରେ ଘୋଷଣା କରିଥିଲା ​​ଯେ ସୁନୀତା ୱିଲିୟମ୍ସ ଏବଂ ୱିଲମୋର କ୍ରୁ 9 ମିଶନର ଅଂଶ ହେବେ ଏବଂ ଫେବୃଆରୀ ୨୦୨୫ରେ ସ୍ପେସ୍ଏକ୍ସର କେ ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଦୁହେଁ ଫେରିଆସିବେ  ।