spot_img
Home Blog Page 1681

ଭୁବନେଶ୍ବର କୋଳଥିଆ ବୃନ୍ଦାବନ ଗାର୍ଡେନକୁ ବିଏମସି ମେୟରଙ୍କ ଅଚାନକ ଗସ୍ତ

ଭୁବନେଶ୍ବର: ଭୁବନେଶ୍ବର କୋଳଥିଆ ବୃନ୍ଦାବନ ଗାର୍ଡେନକୁ ବିଏମସି ମେୟର ସୁଲୋଚନା ଦାସ ଅଚାନକ ଗସ୍ତ କରିଥିଲେ। ଜବବରଦଖଲ, ଡ୍ରେନଜ ପୋତି ହେବା ଓ ପରିମଳ ଅବ୍ଯବସ୍ଥା ନେଇ ସମୀକ୍ଷା କରିଛନ୍ତି। ଅବବ୍ଯସ୍ଥା ନେଇ ଏଜେନ୍ସିକୁ ତାଗିଦ କରିଛନ୍ତି ମେୟର । ସରକାରୀ ଜାଗାକୁ ଜବରଦଖଲ କରି କିଏ ବଗିଚା କରିଛି ତ ଆଉ କିଏ ଗାଈ ଗୁହାଳ । ବିଏମସି ଲଗାଇଥିବା ଗଛକୁ ତାରଜାଲି ଭିଡି ନିଜ କବଜାକୁ ନେଇଛନ୍ତି ଲୋକେ ।

ସେପଟେ ବିଡିଏ ତିଆରି କରୁଥିବା ଖେଳପଡିଆର ମାଟି ଆସି ଡ୍ରେନ ପୋତି ହୋଇଥିବା ସରକାରୀ ୟନ୍ତ୍ରୀଙ୍କ ପାଖରେ ଖବର ନାହିଁ । ପୋତି ହୋଇଥିବା ଡ୍ରେନକୁ ସଫା କରିବା ପାଇଁ ଯନ୍ତ୍ରୀ ଓ ଦାୟିତ୍ବରେ ଥିବା ବିଏମସି କର୍ମଚାରୀକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଚଳିତବର୍ଷ କୋଳଥିଆ ସ୍ବର୍ଗଧାମର ଉନ୍ନତି ପାଇ ଟଙ୍କା ବରାଦ ହୋଇଥିଲା। ହେଲେ ସେଠାର ରକ୍ଷାଣବେକ୍ଷଣ ଓ ସଫେଇ ଅଭାରୁ ବୁଦା ମାଡି ଯାଇଛି । ଏ ନେଇ ସ୍ଥାନୀୟ କର୍ପୋରେଟର, ଯନ୍ତ୍ରୀ, ଏଜେନ୍ସି ଓ ଡ୍ରେନଜ ବିଭାଗର ଅଧିକାରୀଙ୍କୁ ଡାକି ବ୍ଯବସ୍ଥିତ କରିବା ପାଇଁ ଆଲୋଚନା କରିଛନ୍ତି । ସେପଟେ ସଫେଇ ଓ ଗାରବେଜ ଉଠାଇବା ପାଇଁ ସଂପୃକ୍ତ ଏଜେନ୍ସିକୁ ୭ ଦିନର ମହଲତ ଦେଇଛନ୍ତି ମେୟର ।

ଜେଲରୁ ମୁକୁଳିଲେ କେଜରିୱାଲ, ସ୍ଵାଗତ କରିବାକୁ ଶହ ଶହ ସମର୍ଥକଙ୍କ ଭିଡ଼

ନୂଆଦିଲ୍ଲୀ: ଜେଲରୁ ମୁକୁଳିଲେ କେଜରିୱାଲ। ପ୍ରାୟ ୬ ମାସ ପରେ ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀର ତିହାର ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସକାଳେ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ। ଜେଲରୁ ମୁକୁଳିବା ପରେ ତିହାର ଜେଲ ବାହାରେ ଶତାଧିକ ସଂଖ୍ୟାରେ କର୍ମୀ ଓ ସମର୍ଥକ ନିଜର ନେତା ଅରବିନ୍ଦ କେଜରିୱାଲଙ୍କୁ ସ୍ଵାଗତ କରିଥିଲେ। ଜେଲରୁ ବାହାରିବା ପରେ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। କହିଛନ୍ତି ମୋ ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ। ମୋର ରକ୍ତର ପ୍ରତ୍ୟେକ କଣ ଦେଶବାସୀଙ୍କ ଲାଗି ଉତ୍ସର୍ଗୀକୃତ। ଏ ଲଢେଇ ସବୁବେଳେ ଜାରି ରହିବ। ମୁକୁଳିବା ପରେ ମୋର ମନୋବଳ ଆହୁରି ଶହେ ଗୁଣା ବୃଦ୍ଧି ପାଇଛି ବୋଲି କହିଛନ୍ତି କେଜରିୱାଲ। ଜେଲରୁ ବାହାରିଥିବାରୁ ଭଗବାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। କେଜରିୱାଲ ଜେଲରୁ ବାହାରିବା ପରେ ବାଜା, ବାଣ ନାଚଗୀତରେ କମ୍ପୁଛି ପରିସର। ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ସିବିଆଇ।
ପୂର୍ବରୁ ଦିଲ୍ଲୀ ମଦ ନୀତି ନେଇ ଇଡିର ମାମଲାରେ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ। ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଜୁନ ୨୫ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ସିବିଆଇ। ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ। ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।

୧୮ ତାରିଖ ପରେ ସ୍ପଷ୍ଟ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ରହସ୍ୟ

ପୁରୀ: ୧୮ ତାରିଖରେ ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ବୈଜ୍ଞାନିକ ପଦ୍ଧତିରେ ଭଣ୍ଡାର ଘରର ହେବ ଯାଞ୍ଚ। ଖୋଲିପାରେ ଗୁପ୍ତ ସୁଡ଼ଙ୍ଗର ରହସ୍ଯ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏଏସଆଇର ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ ରତ୍ନ ଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ କରିବେ । ଭଣ୍ଡାର ଗୃହ ଭିତରେ ଗୁପ୍ତ ସୁଡଙ୍ଗ, କୋଠରୀ ଓ ଗୁପ୍ତ ରାସ୍ତା ଥିବା ନେଇ ଚର୍ଚ୍ଚା ଉପରେ ସବୁକିଛି ଯାଞ୍ଚ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ହେତୁ ଏହାର ଶୀଘ୍ର ମରାମତି କରିବାକୁ ସେବାୟତ ଅନୁରୋଧ କରିଛନ୍ତି । ରତ୍ନ ଭଣ୍ଡାର କମିଟି ନିଷ୍ପତ୍ତି ଅନୁସାରେ ଏହି କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଶୃଙ୍ଖଳିତ ଯାଞ୍ଚ ପାଇଁ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି ।
ଯାଞ୍ଚ କାର୍ଯ୍ଯରେ ଏଏସଆଇକୁ ହାଇଦ୍ରାବାଦର ଇଣ୍ଡିଆନ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଦୁଇଜଣ ବୈଜ୍ଞାନିକ ସହାୟତା କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ ଦିନ ଦ୍ଵିତୀୟ ଭୋଗମଣ୍ଡପ ପରେ ପରେ ଦିନ ଗୋଟାଏରୁ ସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାଞ୍ଚ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବାକୁ ଥିବା ବେଳେ କେବଳ ମହାପ୍ରସାଦ କିଣିବାକୁ ଯାଇପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତ୍ତରଦ୍ୱାର ବାଟେ ପ୍ରସ୍ଥାନ କରିବେ ବୋଲି ନିଷ୍ପତି ନିଆଯାଇଛି । ବିଧି ବ୍ୟବସ୍ଥା ମଧ୍ୟରେ ସବୁ କାର୍ଯ୍ୟ କରାଯିବାକୁ ଲକ୍ଷ୍ଯ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ପୂର୍ବରୁ ରତ୍ନଭଣ୍ଡାରରୁ ସୁରକ୍ଷିତ ଭାବେ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାର ଗୃହକୁ ସ୍ଥାନାନ୍ତରିତ ହୋଇଥିବାବେଳେ ଆଲମୀରା ଓ ସିନ୍ଧୁକ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି ।

ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ: ସଫେଇ କାମରେ ସହଯୋଗ କରିବାକୁ ଅପିଲ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ। ବିଏମସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ୫ ସୁତ୍ରୀର ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଉଠାଦୋକାନୀ ଷ୍ଟଲରେ ଅନୁମୋଦନପତ୍ର ରଖିବା ବାଧ୍ୟତାମୂଳକ। ସ୍ବାସ୍ଥ୍ୟରକ୍ଷା ପ୍ରତି ମୁଣ୍ଡରେ ସ୍କ୍ରାଫ ବା ଟୋପି, ମାସ୍କ, ଗ୍ଲୋବ୍ସ ପିନ୍ଧିବେ। ସଫା ପୋଷାକ ସାଙ୍ଗକୁ ଆପ୍ରୋନ୍ ପିନ୍ଧିବେ । ଗରାଖଙ୍କୁ ଖାଦ୍ୟ ଦେବାବେଳେ ଷ୍ଟିଲ୍ ବା ପୁନଃ ଉପଯୋଗ ଗିନା, କପ୍, ଥାଳି, ପ୍ଲେଟ ବ୍ୟବହାର କରିବେ ।  ସେହିପରି ଏକକ ବ୍ୟବହାର ପାତ୍ର, ପ୍ଲେଟ୍ ଇତ୍ୟାଦିରେ ଗରାଖଙ୍କୁ ଆଦୌ ଖାଦ୍ୟ ପରସିବେ ନାହିଁ । ଖାଦ୍ୟଦ୍ରବ୍ୟ ଘୋଡ଼ାଇ ରଖିବା ସହ ଥାଳି ଇତ୍ୟାଦିରେ ଅଏଲ୍ ପେପର ପକାଇ ଖାଦ୍ୟ ଦେବାକୁ କୁହାଯାଇଛି। ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବା ବାଧ୍ଯତାମୂଳକ। ବିଏମ୍ସି ସଫେଇ ଗାଡ଼ିରେ ବର୍ଜ୍ୟ ଦେବାକୁ ବିଏମସି କହିଛି ।

ସେହିଭଳି ଚା’ ଦୋକାନ କରିଥିଲେ ଏକକ ବ୍ୟବହାର କପରେ ଆଦୌ ଚା ଦେବେ ନାହିଁ । କେବଳ ପୁନଃ ଉପଯୋଗ କପ୍ ଏବଂ ମାଟିକପରେ ଚାହା ଦେବେ ଦୋକାନୀ । ଏବେ ସ୍ବଚ୍ଛତା ଅଭିଯାନ ୧୦ ବର୍ଷରେ ପହଞ୍ଚିଛି । ତେଣୁ ସବୁଜ ଓ ସ୍ବଚ୍ଛ ପରିବେଶ ଲାଗି ବିଏମସି ମେୟର ଆହ୍ବାନ ଦେଇଛି ।

 

 

ଯୋଜନା ନାଁରେ ମିଳୁଛି ଯନ୍ତ୍ରଣା; ଜନନୀ ଯନ୍ତ୍ରଣାରୁ ବଳିଯାଇଛି ସୁଭଦ୍ରା କଷ୍ଟ

ରାୟଗଡା: ଯୋଜନା ନାଁରେ ମିଳୁଛି ଯନ୍ତ୍ରଣା । ପ୍ରତିଶୃତି ଦେଇ ଠକିଦେଲେ। ବିଜେପି ସରକାର। ଜନନୀ ଯନ୍ତ୍ରଣାରୁ ବଳିଯାଇଛି ସୁଭଦ୍ରା ଯନ୍ତ୍ରଣା । ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର । ହେଲେ ଶାସନକୁ ଆସିବା ପରେ ବର୍ଷକୁ ଦୁଇଟି କିସ୍ତିରେ ମାତ୍ର ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଆଉ ଏବେ ସେହି ଦୁଃଖରୁ ବଳି ପଡ଼ିଛି ଆବେଦନ ପ୍ରକ୍ରିୟା । ଆଧାରରେ ଫୋନ୍ ଲିଙ୍କ୍ କରିବା ସାଙ୍ଗକୁ ଫର୍ମପୂରଣ କରିବାକୁ ଜନସେବା କେନ୍ଦ୍ରରେ ଲାଗୁଛି ଲମ୍ବା ଲାଇନ୍ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ପ୍ରାୟ ୪୨ ହଜାର ୯୨୪ ଜଣ ମହିଳା ଫର୍ମ ପୂରଣ କରିବାକୁ ହନ୍ତସନ୍ତ ହେଉଛନ୍ତି । ତେବେ ପ୍ରଶ୍ନ ଉଠୁଛି- ମହିଳାମାନେ କଣ ସତରେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ? ନା ଯୋଜନା କେବଳ ପ୍ରତିଶୃତି ପାଲଟିବ ।

ବିଜେପି ସରକାରଙ୍କ ନୀତି ନିୟମରେ ଏବେ ଅଣନିଶ୍ଵାସୀ ପାଲଟିଲେଣି ଜନସାଧାରଣ । ଜନସେବା କେନ୍ଦ୍ରଗୁଡିକରେ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି ମହିଳା। ଦିନ ତାମାମ ସାଇଟ୍ ଖୋଲୁ ନଥିବା ବେଳେ ଛୋଟ ଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଧରି ଜନସେବା କେନ୍ଦ୍ର ବାରଣ୍ଡାରେ ବସିରହୁଛନ୍ତି ମହିଳା । ସେହିପରି କିଛି ମହିଳା ଦିନ ମଜୁରୀ ଛାଡି ଖରା ବର୍ଷାକୁ ଖାତିରି ନକରି କେନ୍ଦ୍ର ବାହାରେ ଜଗି ବସୁଥିବା ନେଇ ଦେଖିବାକୁ ମିଳିଛି। ତେବେ ନୂଆ ସରକାର ଆସିବା ପରେ ଗ୍ରାମବାସୀ ଏବେ ଦ୍ଵନ୍ଦ୍ଵରେ ପଡିଯାଇଛନ୍ତି । ବାସ୍ତବରେ  ବିକାଶ ଆଡକୁ ଯିବେ ନା  ତଳିତଳାନ୍ତ ହେବେ, ସେ ନେଇ ଚିନ୍ତାରେ ଦିନ କାଟୁଛନ୍ତି ।  ଯୋଜନା ହୋଇଛି ମହିଳାଙ୍କ ସୁବିଧା ପାଇଁ । ହେଲେ ଏହି ସୁବିଧା ଏତେ ଯନ୍ତ୍ରଣା ପରେ କଣ କାମରେ ଆସିବ ତାକୁ ନେଇ ସନ୍ଦେହରେ ମହିଳା ।

ସ୍ଵାସ୍ଥ୍ଯ ବ୍ଯବସ୍ଥାର ଦୟନୀୟ ସ୍ଥିତି, ନାହିଁ ନାହିଁରେ ଚାଲିଛି ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର

ଯାଜପୁର: ସ୍ଵାସ୍ଥ୍ଯ ବ୍ଯବସ୍ଥାର ବିକଳ ଚିତ୍ର । ନାହିଁ ନାହିଁରେ ଚାଲିଛି ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର। ଖାଲି ପଡିଛି ୭୦ ପ୍ରତିଶତରୁ ଅଧିକ ପଦବୀ । ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ | ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବିଞ୍ଝାରପୁରର ୨୯ଟି ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ଓ ବରୀ ଅଂଚଳର ପାଖାପାଖି ଦୁଇ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି । ହେଲେ ବର୍ତ୍ତମାନ ଏହା ରେଫରାଲ ସ୍ଵାସ୍ଥ୍ଯକେନ୍ଦ୍ର ପାଲଟିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରୋଗୀଟି ଯେକୌଣସି ସାଧାରଣ ରୋଗ ପାଇଁ ଆସିଲେ ବି ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଚିକିତ୍ସାଳୟକୁ ରେଫର କରିଦିଆ ଯାଉଛି । ଏ ସମସ୍ୟା କେବଳ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୁହେଁ ଏହା ଅଧୀନରେ ଥିବା ଆଠୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବି ସମାନ ଅବସ୍ଥା । ଏଠାରେ ଭିତ୍ତିଭୂମିର ଅଭାବ ଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଛି ବହୁ ସଂଖ୍ୟାରେ ପଦବୀ । ସରକାରୀ ନିୟମ ଅନୁଯାୟୀ ସବୁ ବିଭାଗକୁ ମିଶାଇ ମୋଟ ୩୮ ଜଣ ଅଧିକାରୀଙ୍କ ସମତେ କର୍ମଚାରୀ ରହିବା କଥା। କିନ୍ତୁ ଏଠାରେ ଅଛନ୍ତି ମାତ୍ର ୧୦ ଜଣ। ଏଠାରେ ଦୀର୍ଘ ଦିନ ହେବ ନିରୀକ୍ଷକଙ୍କ ପଦବୀ ଖାଲି ପଡ଼ିଥିବା ବେଳେ ଅନ୍ୟ ବିଭାଗ କଥା ନକହିବା ଭଲ ପେଡିଆଟିକ ବିଭାଗ, ମେଡିସିନ ବିଭାଗ, ଅସ୍ତିଶଲ୍ୟ ବିଭାଗ, ଫାର୍ମାସିଷ୍ଟ ନର୍ସିଙ୍ଗ କର୍ମଚାରୀଠୁ ଆଟେଣ୍ଡାଟ ପର୍ଯ୍ୟନ୍ତ ସମସ୍ତ ବିଭାଗରେ ଅଧିକାଂଶ ପଦବୀ ଖାଲି ପଡିଛି । କେବଳ କର୍ମଚାରୀଙ୍କ ଅଭାବ ନୁହେଁ ପରିମଳ ଠାରୁ ଆରମ୍ଭ କରି ପିଇବା ପାଣିର ବି ସୁବିଧା ନାହିଁ । ଯେଉଁଗୁଡିକ ଅଛି ସେଗୁଡିକ କାର୍ଯ୍ଯକ୍ଷମ ହେଉନଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଅନ୍ଯପଟେ ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର କ୍ଷିତୀଶ କୁମାର ନାୟକ ମଧ୍ୟ୍ୟ ଏଭଳି ଅବ୍ୟବସ୍ଥା କଥା ସ୍ୱୀକାର କରିଛନ୍ତି । ମେଡିକାଲର ସମସ୍ଯା ସଂପର୍କରେ ଅନେକଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ଯ ସମସ୍ଯାର ସମାଧାର ହୋଇପାରୁନଥିବା ନେଇ ସେ କହିଛନ୍ତି । ଲୋକମାନଙ୍କ ସ୍ୱାର୍ଥଙ୍କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏ ସବୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଥମୁନି ସଞ୍ଜୌଲି ମସଜିଦ ବିବାଦ: ବେଆଇନ ନିର୍ମାଣକୁ ଭାଙ୍ଗିବା ଲାଗି ଅନୁମତି ମାଗିଲା ମସଜିଦ କମିଟି

ନନ୍ଦିଘୋଷ ବ୍ୟୁରୋ : ସଞ୍ଜୌଲି ମସଜିଦକୁ ନେଇ ହଲଚଲ ହିମାଚଳ ପ୍ରଦେଶ। ବିବାଦର କାରଣ ସାଜିଥିବା ସିମଲା ସ୍ଥିତ ମସଜିଦର ବେଆଇନ ଅଂଶକୁ ଭାଙ୍ଗିବା ବା ସିଲ୍ କରିବାକୁ ସିମଲା ପୌର ନିଗମକୁ ଅନୁମତି ମାଗିଛନ୍ତି ମୁସଲମାନ ସମ୍ପ୍ରଦାୟ। ସେପଟେ ଆଜି ମଣ୍ଡିରେ ଏହି ପ୍ରସଙ୍ଗକୁ ନେଇ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପାଣି ମାଡ କରିଛି। ମସଜିଦ ନିକଟରେ ବେଆଇନ ନିର୍ମାଣକୁ କିଛି ସଂଗଠନ ବିରୋଧ କରିବା ପରେ ଏହି ଅନୁମତି ମାଗିଥିଲେ ମସଜିଦ କର୍ତ୍ତୃପକ୍ଷ। ଏହାକୁ ନେଇ ସ୍ଥିତି ବିଗିଡିବାରୁ ଗତ ମଙ୍ଗଳବାର ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ମସଜିଦର କିଛି ଅଂଶ ଭାଙ୍ଗିବାକୁ ଆମକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ମସଜିଦର ଇମାମ ଶେହଜାଦ।

ସେପଟେ ଇମାମଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଦେବ ଭୂମି ସଂଘର୍ଷ କମିଟି। ଆଜି ଏହି ପ୍ରସଙ୍ଗକୁ ନେଇ ୧୨ ତାରିଖରେ ସିମଳା ବ୍ଯାପାର ମଣ୍ଡଳ ଦେଇଥିବା ବନ୍ଦ ସଫଳ ହୋଇଛି। ଏହି ମସଜିଦ ୫ ମହଲା ବିଶିଷ୍ଟ ହୋଇଥିବାବେଳେ ଗତ ମାସରେ ସେଠାରେ ରହୁଥିବା କିଛି ଲୋକଙ୍କୁ ନେଇ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମସଜିଦର ଇମାମ ଶେହଜାଦ କହିଛନ୍ତି- ୧୯୪୭ରେ ଏହି ମସଜିଦ ନିର୍ମିତ ହୋଇଥିଲା ଏବଂ ୨୦୦୭ରେ ଏହାକୁ ପରିବର୍ଦ୍ଧିତ କରାଯାଇଥିଲା। ଏହାକୁ ନେଇ ୨୦୧୦ରେ ଏକ ମକଦ୍ଦମା ଦାୟର ହୋଇଥିଲା। ମାତ୍ର ପରେ ଗତ ୧୪ ବର୍ଷ ମଧ୍ଯରେ ଆଉ ୪ଟି ମହଲା ନିର୍ମାଣ କରାଯାଇଥିଲା। ଗତ ଅଗଷ୍ଟ ୩୦ରେ ମାଲ୍ଯାନ ଇଲାକାରେ ସଂଖ୍ଯାଲଘୁ ବର୍ଗର କିଛି ଲୋକ ଜଣେ ବ୍ଯବସାୟୀ ଯଶପାଲ ସିଂଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ବିବାଦ କ୍ରମଶଃ ମସଜିଦର ବେଆଇନ ନିର୍ମାଣ ପ୍ରସଙ୍ଗକୁ ନେଇ କେନ୍ଦ୍ରୀଭୂତ ହୋଇଥିଲା ଏବଂ ବେଆଇନ ନିର୍ମାଣ ଭାଙ୍ଗିବାକୁ ଦାବି ହୋଇଥିଲା। ଏପରିକି ହିମାଚଳ ଗ୍ରାମୀଣ ବିକାଶ ମନ୍ତ୍ରୀ ଅନିରୁଦ୍ଧ ସିଂ କହିଛନ୍ତି ସରକାରୀ ଜମି ଉପରେ ଏହି ମସଜିଦ ନିର୍ମିତ ହୋଇଛି ଏବଂ ୧୪ ବର୍ଷ ଧରି ମାମଲା ବିଚାରାଧୀନ ରହିଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ।

ଲିଭଇନରେ ରହୁଥିଲେ, ମୃତଦେହ ଛାଡ଼ି ପଳାଇଲା ବୟଫ୍ରେଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଲିଭ-ଇନରେ ରହୁଥିଲେ ଯୁବକ ଯୁବତୀ । ଯୁବତୀଙ୍କ ମୃତ୍ୟୁ ପରେ ଛାଡ଼ି ପଳାଇଲା ବୟଫ୍ରେଣ୍ଡ। ଭୁବନେଶ୍ଵର ଖଣ୍ଡଗିରି ଅଂଚଳରେ ଘଟିଛି ଏ ଅଭାବନୀୟ ଘଟଣା। ଘର ଭିତରେ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଯୁବତୀଙ୍କ ପରିବାର ଲୋକେ ଝିଅକୁ ହତ୍ଯା କରିଥିବା ଅଭିଯୋଗ କରିଛନ୍ତି। ହତ୍ୟା ମାମଲା ରୁଜୁ କରିଛି ଖଣ୍ଡଗିରି ପୋଲିସ। ବିଏନଏସର ଦଫା ୧୦୩ରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି ପୁଲିସI। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭ ଇନ ରିଲେସନସିପରେ ରହୁଥିଲେ। ଉଭୟ ପୁଅ ଏବଂ ଝିଅଙ୍କ ଘର କୋରାପୁଟ ଜୟପୁରରେ ବୋଲି ଜଣାପଡିଛି। ସେମାନେ ଏକାଠି ଏକ ଆପାର୍ଟମେଣ୍ଟରେ ରହି ଆସୁଥିଲେ।

କପଡା ଗୋଦାମରେ GST ରେଡ୍; ଦୀର୍ଘଦିନ ହେବ GST ଫାଙ୍କୁଥିଲେ ଦୋକାନୀ

ସମ୍ବଲପୁର: ସମ୍ବଲପୁର କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ୍ । ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଟାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଏକାକାଳୀନ ଏହି ଏଜେନ୍ସିର ୫ ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ ।

ସୂଚନା ମୁତାବକ, କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ରେଡରେ ସାମିଲ ଥିଲେ । କେଉଁଠୁ ଜିନିଷ ଆସୁଛି କେଉଁ ଅଂଚଳକୁ ସପଲାଏ ହେଉଛି ସମସ୍ତ କାଗଜ ପତ୍ର ଯାଞ୍ଚ କଲାପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି ।

ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର; ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ

ମାଲକାନଗିରି: ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର। ପେସା ଆଇନ କାର୍ଯ୍ଯକାରୀ ଦାବିରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲେ ଆଦିବାସୀ। ଜଙ୍ଗଲ, ଜମି ଅଧିକାର ଦାବିରେ ହଜାର ହଜାର ଆଦିବାସୀ ମହାସଙ୍ଗମ ସମାବେଶ କରିଛନ୍ତି । ଜଙ୍ଗଲ ଜମି ପଟ୍ଟା, ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଧିକାର ଓ ପେସା ଆଇନ ଲାଗୁ କରିବା ଭଳି ବିଭିନ୍ନ ଦାବି ନେଇ ଗଣଆନ୍ଦୋଳନ କରୁଛନ୍ତି ଆଦିବାସୀ । ପ୍ରାୟ ୨୦ ହଜାର ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି ।

ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ, ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ପାଇଁ ଅନୁସୂଚିତ ଜନଜାତି ମାନଙ୍କର ସୁରକ୍ଷା ଦାବିପତ୍ରରେ ଉଲ୍ଲେଖ ରହିଛି । ମାଲକାନଗିରି ଜିଲ୍ଲାରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ଵ ହେବ ୨୩୪ ଗୋଟି ଗ୍ରାମସଭା ପକ୍ଷରୁ  ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରଯାଇଛି। ଜିଲ୍ଲା ସ୍ତରୀୟ କମିଟି ନିକଟରେ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ପଟ୍ଟା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଗତ ବର୍ଷ ମେ ମାସ ୧୮ ତାରିଖରେ ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ପଟ୍ଟା ପ୍ରଦାନ କରିବା ପାଇଁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଇ ମାଲକାନଗିରି ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଆଦିବାସୀ ମହାସଂଘ ଅଭିଯୋଗ କରିଛି। ଖୁବଶୀଘ୍ର ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ସ୍ପଷ୍ଟ କରିବାକୁ ଦାବି କରାଯାଇଛି ।

ଓଡିଶା ସରକାର ଦ୍ବାରା ଯେଉଁ ଡ୍ରାଫ୍ଟ ନିୟମ କରାଯାଇଛି ତାହା ପେସା ଆଇନ ୧୯୯୬ର ମୂଳ ଭାବନାକୁ କ୍ଷୁଣ୍ଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଆଦିବାସୀ ମହାସଂଘ। ଏଣୁ ଡ୍ରାଫ୍‌ଟ ନିୟମକୁ ବିରୋଧ କରି ପେଶା ଆଇନର ମୂଳ ଭାବନାକୁ ଗୁରୁତ୍ବ ଦିଆଯାଇ ଉଢ଼ିବାଦୀ ଗ୍ରାମସଭାର ଦାବି ପୂରଣ କରାଯାଉ ବୋଲି ଦାବି ହୋଇଛି । ସେହିଭଳି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଯଥା ବାଲିମେଳା ଜଳଭଣ୍ଡାର ଓ ସତୀଗୁଡା ଜଳଭଣ୍ଡାର ନିର୍ମାଣ ଦ୍ବାରା ମାଲକାନଗିରିରେ ହଜାର ହଜାର ଆଦିବାସୀ ପରିବାର ବିସ୍ଥାପିତ ହୋଇଛନ୍ତି। ଦୁର୍ଭାଗ୍ୟବସତଃ ବିକଳ୍ପ ଜମି ଏବଂ ଜୀବିକା ନିର୍ବାହ ପାଇଁ ସେମାନଙ୍କ ଯଥାର୍ଥ ଦାବି ନିଶ୍ଚିତ କରିବାକୁ ପର୍ଯ୍ୟାପ୍ତ ପୁନର୍ବାସ ଏବଂ ପୁନଃ ଥଇଥାନ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି ହୋଇଛି ।