ଭୁବନେଶ୍ବର : ୫୫ ଲକ୍ଷ ଭତ୍ତା ହିତାଧିକାରୀଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ସରକାର ଗଢିବା ପରେ ପାଣିର ଗାର ପାଲଟିଯାଇଛି ୩ ହଜାର ଟଙ୍କାର ଭତ୍ତା ପ୍ରତିଶୃତି । ରାଜ୍ଯର ବରିଷ୍ଠ ନାଗରିକଙ୍କ ସହ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ବିଜେଡି ଆରମ୍ଭ କରୁଛି ଜନଜାଗରଣ କାର୍ଯ୍ୟକ୍ରମ । ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ । ପ୍ରତିଟି କର୍ମୀ ଓ ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ସମ୍ପର୍କରେ ସଚେତନ କରିବେ । ନିର୍ବାଚନ ପୂର୍ବରୁ ବିଜେପି ନିଜ ଘୋଷଣାପତ୍ରରେ ରାଜ୍ଯର ଭତ୍ତାଧାରୀଙ୍କୁ ମାସିକ ୩ ହଜାର ଓ ୩ ହଜାର ୫୦୦ ଟଙ୍କା ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ମାତ୍ର କ୍ଷମତାକୁ ଆସିବା ପରେ ଏଥିପାଇଁ ପଛଘୁଞ୍ଚା ଦେଇଛନ୍ତି । ବଜେଟରେ କେବଳ ୮୦ ବର୍ଷରୁ ଅଧିକ ଓ ୮୦ପ୍ରତିଶତ ଅକ୍ଷମଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ବ୍ଯବସ୍ଥା କରିଛନ୍ତି । ଫଳରେ ରାଜ୍ଯର ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୫୫ ଲକ୍ଷ ବୃଦ୍ଧବୃଦ୍ଧା, ଦିବ୍ଯାଙ୍ଗ, ବିଧବା ଓ ନିରାଶ୍ରୟ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ରାଜ୍ଯ ସରକାର ଚଳିତବର୍ଷ ୪୫ ହଜାର କୋଟି ଟଙ୍କା ଋଣ ନେବେ ବୋଲି ବୋଲି ବଜେଟରେ ପ୍ରକାଶ କରିଛନ୍ତି । ଏତେ ପରିମାଣର ଋଣ ନେଇ ବି ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ଅସମର୍ଥ । ଏଥିରୁ ବିଜେପିର ନିର୍ବାଚନୀ ପ୍ରତିଶୃତି ପାଣିର ଗାର ବୋଲି ସ୍ପଷ୍ଟ । ରାଜ୍ଯବାସୀଙ୍କ ସହ ବିଜେପିର ପ୍ରତାରଣାକୁ ବିଜେଡି ବରଦାସ୍ତ ନକରି ଜନଜାଗରଣ କାର୍ଯ୍ଯକ୍ରମ ଆରମ୍ଭ କରିଛି । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଦଳ ଲଢ଼େଇ ଆରମ୍ଭ କରିଛି ।
ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମମତା କହିଲେ, ଦୋଷୀଙ୍କୁ ଫାଶୀ ଦିଅ
କୋଲକାତା: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯାର ଦୋଷୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଏପରି କୁକର୍ମ କରୁଥିବା ଲୋକକୁ ଫାଶୀ ଦେଲେ ହିଁ ଉଚିତ ଶିକ୍ଷା ମିଳିବ ବୋଲି ସେ କହିଛନ୍ତି । ସିବିଆଇକୁ କୋଲକାତା ପୋଲିସ ପକ୍ଷରୁ ସବୁ ତଥ୍ଯ ଓ କାଗଜପତ୍ର ଦିଆଯାଇଛି । ପୀଡ଼ିତାଙ୍କ ସହିତ ସମସ୍ତେ ଅଛନ୍ତି ବୋଲି କହିଛନ୍ତି ମମତା ।
ସେପଟେ ଆଜି ସିବିଆଇର ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି । ବାପାମାଆଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତ ଚାଲିଥିବା କହିଛନ୍ତି ସିବିଆଇ ଅଧିକାରୀ । ଏହା ସହିତ ୫ ଜଣ ଡାକ୍ତରଙ୍କୁ ମଧ୍ଯ ସମନ୍ କରିଛି ତଦନ୍ତକାରୀ ସଂସ୍ଥା । ସେମାନଙ୍କୁ ପଚରାଉଚରା କରାଯିବ । ସ୍ଥାନୀୟ ଥାନାର ଅଧିକାରୀଙ୍କୁ ମଧ୍ଯ ସିବିଆଇ ଡାକିଛି । ସେ ପ୍ରଥମେ ଘଟଣାକୁ ଆତ୍ମହତ୍ଯା ବୋଲି କହିଥିବାର ଅଭିଯୋଗ ହୋଇଥିଲା ।
ସେପଟେ ଗତକାଲି ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ହଙ୍ଗାମାର ତଦନ୍ତ ପାଇଁ ସେଠାରେ ପହଞ୍ଚିଛି ଫୋରେନସିକ୍ ଟିମ୍ । ଏହି ଘଟଣାରେ ଏପର୍ଯ୍ଯନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି । ଗତରାତିରେ ଡାକ୍ତରମାନେ ଆନ୍ଦୋଳନ କରୁଥିବା ବେଳେ କିଛି ଲୋକ ହସ୍ପିଟାଲରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ସେମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସିକ୍ଯୁରିଟି ଗାର୍ଡମାନଙ୍କୁ ବି ଲୁଚିବାକୁ ପଡ଼ିଥିଲା । ଆକ୍ରମଣରେ ୧୫ ଜଣ ପୋଲିସ ବି ଆହତ ହୋଇଥିଲେ
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୯୪ ଜଣ ସମ୍ମାନିତ
ଭୁବନେଶ୍ବର: ପାଳିତ ହୋଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ। ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ମୋଟ ୯୪ ଜଣଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୋଲିସ ବିଭାଗରେ କିଛି ପରାକ୍ରମୀଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି ।
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ମହା ଆଡ଼ମ୍ବରରେ ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏଥିରେ ୯୪ ଜଣଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ପୋଲିସ ବିଭାଗ, ଅଗ୍ନିଶମ ସେବା, ଗୃହରକ୍ଷୀ ବାହିନୀ, ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଓ ସାହସିକତା ପଦକ ସହିତ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସମସ୍ତେ ପଦକ ଗ୍ରହଣ କରିଛନ୍ତି ।
ପୁରସ୍କୃତ ହେବା ବେଳେ ଜଣେ ମହିଳା କର୍ମଚାରୀଙ୍କୁ ପୁରସ୍କୃତ କରିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ । କାରଣ ମହିଳାଙ୍କ କାହାଣୀ ଥିଲା କିଛି ଅଲଗା । ତାଙ୍କ ସ୍ବାମୀଙ୍କୁ ମରଣତୋର ସମ୍ମାନିତ କରାଯାଇଥିଲା । ସ୍ବର୍ଗତ ବନବାସୀ ମହାରଣା ଗୃହରକ୍ଷୀ ଭାବେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଏକ ଗଞ୍ଜେଇ ମାଫିଆଙ୍କ ସହିତ ଲଢେଇ କରି ସହିଦ ହୋଇଥିଲେ । ଦେଶ ମାଆ ପାଇଁ ତାଙ୍କର ତ୍ୟାଗ ଫଳରେ ଜୀବନ ଦେବାକୁ ପଡ଼ିବ ଜାଣି ବି ଗଞ୍ଜେଇ ବୋଝେଇ ଟ୍ରକକୁ ଅଟକାଇବା ସହ ୧୯୧୭ କେଜି ଗଞ୍ଜେଇ ଜବତ କରିବା ସହିତ 4୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ସେଥିପାଇଁ ସ୍ବର୍ଗତ ମହାରଣାକୁ ମହାମହିମ ରାଷ୍ଟ୍ରପତି ସାହସିକତା ପଦରେ ଅଳଙ୍କୃତ କରିଥିଲେ । ଏଭଳି ଜଣେ ବୀର ପୋଲିସର ଗାଥା ଶୁଣିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଭାବ ବିହ୍ବଳ ହୋଇପଡ଼ିଥିଲେ । ସେପଟେ ଏଭଳି ଜଣେ ବୀର୍ ସହିଦଙ୍କ ସ୍ତ୍ରୀ ବୋଲି ନିଜକୁ ଗର୍ବ କରନ୍ତି ବୋଲି କହିଛନ୍ତି ସ୍ୱର୍ଗତ ବନବାସୀ ମହାରଣାଙ୍କ ପତ୍ନୀ ଅନିତା ମହାରଣା ।
୯୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ସମ୍ମାନିତ ହେବା ପରେ ପୋଲିସ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବାର ଫଳ ସେମାନଙ୍କୁ ମିଳିଛି ବୋଲି ମତ ପ୍ରକାଶ କରିଛନ୍ତି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଡିଜିପି ଅରୁଣ କୁମାର ଷଡଙ୍ଗୀ, ଡିଜି- ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ. ସୁଧାଂଶୁ କୁମାର ଷଡଙ୍ଗୀ, ଅତିରିକ୍ତ ଡିଜି– କାରାଗାର ଓ ସଂସ୍କାର ସେବା ଅମିତାଭ ଠାକୁରଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
୩ ବର୍ଷର ପୁଅକୁ ପୋଖରୀରେ ବୁଡ଼ାଇ ମାରି ଦେଲା ମାଆ !
ଜଳେଶ୍ବର: ପାରିବାରିକ କଳହର କରୁଣ ପରିଣତି । ଜନ୍ମ କଲା ପୁଅର ଜୀବନ ନେଇଗଲା ମାଆ । ପୋଖରୀରେ ବୁଡ଼ାଇ ନିଜ ପିଲାକୁ ମହିଳା ଜଣଙ୍କ ହତ୍ୟା କରିଥିବା ତାଙ୍କ ସ୍ବାମୀ କରିଛନ୍ତି ଅଭିଯୋଗ । ଘଟଣା ଘଟିଛି ଜଳେଶ୍ଵର ଥାନା ଆମ୍ବୁଳି ଅଠା ଗାଁରେ ।
ଅଭିଯୋଗ ଅନୁସାରେ, ସ୍ବାମୀ ସୁଜୟ ଓ ସ୍ତ୍ରୀ ଝିଲ୍ଲୀଙ୍କ ମଧ୍ଯରେ ପାରିବାରିକ କଳହ ଲାଗି ରହିଥିଲା । ୨ ମାସ ହେବ ଝିଲ୍ଲୀ ବାପ ଘରେ ରହୁଥିଲେ । ଆଜି ୩ ବର୍ଷର ପୁଅ ପୋଖରୀରେ ବୁଡ଼ିଯିବା ପରେ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ତେବେ ମାଆ ପୁଅକୁ ପୋଖରୀରେ ବୁଡାଇ ମାରିଦେଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ସୁଜୟ । ପୋଲିସ ଉଭୟଙ୍କୁ ପଚରାଉଚରା କରିବା ସହ ତଦନ୍ତ ଚଲାଇଛି ।
ଅବହେଳିତ ପୁରୀ ଜିଲ୍ଲାର ଲବଣ ସତ୍ୟାଗ୍ରହ ସ୍ଥାନ, ଐତିହ୍ୟ ସ୍ଥଳ ମାନ୍ୟତା ଦାବି
ପୁରୀ: ପୁରୀ ଜିଲ୍ଲାରେ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପଣ୍ଡିତ ନୀଳକଣ୍ଠ ଦାସ । ପୁରୀ ଅସ୍ତରଙ୍ଗର କୁହୁଡି, ଖଣ୍ଡାସାହି ଆଦି ସ୍ଥାନରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ କରାଯାଇଥିଲା । ଅନେକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆଜି ସେହି ପୀଠ ଅବହେଳିତ ଅବସ୍ଥାରେ ପଡିଛି । ପୀଠର ଉନ୍ନତିକରଣ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।
ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସବୁଠି ଉତ୍ସାହ ଓ ଆନନ୍ଦ । ବିଦେଶୀ ଶାସନରୁ ମୁକ୍ତ ହୋଇଛି ଦେଶ । ଅନେକଙ୍କ ବଳିଦାନ ପାଇଁ ଦେଶ ପାଇଥିଲା ସ୍ବାଧିନତା । ପୁରୀ ଜିଲ୍ଲାରେ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପଣ୍ଡିତ ନୀଳକଣ୍ଠ ଦାସ । ପୁରୀ ଜିଲ୍ଲାର ଅସ୍ତରଙ୍ଗର କୁହୁଡି, ଖଣ୍ଡାସାହି ଆଦି ସ୍ଥାନରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ କରାଯାଇଥିଲା । ଆଜି ସେହି ପୀଠ ଅବହେଳିତ ହୋଇପଡିଛି । ଆଜି ପର୍ଯ୍ୟନ୍ତ ସ୍ଥାନକୁ ଐତିହସ୍ଥଳୀ କିମ୍ବା ପର୍ଯ୍ୟଟନ ସ୍ଥଳୀର ମାନ୍ଯତା ମିଳିନାହିଁ ।
ସ୍ବାଧୀନତା ସଂଗ୍ରାମରେ ଅନେକ ଗୁରୁତ୍ବ ରଖିଥିବା ଏହି ପୀଠର ଅବସ୍ଥା ଶୋଚନୀୟ ହୋଇପଡିଛି । ଘର କାନ୍ଥରୁ ରଙ୍ଗ ଛାଡି ଅଧା ଭାଙ୍ଗି ଯାଇଥିବା ବେଳେ ଆଖପାଖ ପରିବେଶ ଏକଦମ ଅପରିସ୍କାର ହୋଇ ପଡିରହିଛି । ଏହି ସ୍ଥାନର ରକ୍ଷଣାବେକ୍ଷଣ ସହ ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ସ୍ଥାନକୁ ଐତିହ ପୀଠର ମାନ୍ଯତା ଦେବାକୁ ମଧ୍ଯ ସାଧାରଣରେ ଦାବି ହୋଇଛି । ସେପଟେ ଏହି ସ୍ଥାନରେ ଜମି ବିବାଦ ରହିଛି । ସେସବୁର ଶୀଘ୍ର ସମାଧାନ ହୋଇଗଲେ ପୀଠର ଉନ୍ନତିକରଣ କାର୍ଯ୍ୟ ମଧ୍ଯ ହେବ ବୋଲି କହିଛନ୍ତି ଅସ୍ତରଙ୍ଗ ତହସିଲଦାର ।
କେବଳ ଗୋଟିଏ ଛୋଟ କୋଠରୀରେ ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଛଡା ପୀଠରେ ଆଉ କିଛି ନାହିଁ । କେବେ ମିଳିବ ଏହି ଐତିହାସିକ ପୀଠକୁ ମାନ୍ୟତା ତାକୁ ହିଁ ଅପେକ୍ଷା ।
ଏଠି ଗ୍ରାମ ଦେବତା ଭାବେ ପୂଜା ପାଇଥାନ୍ତି ସ୍ବାଧୀନତା ସଂଗ୍ରାମୀ ମିଟୁ କୁଆଁର
ଝାରସୁଗୁଡ଼ା: ଝାରସୁଗୁଡାର ଲଜକୁରାର ସହିଦ ମିଟୁ କୁଅଁର । ବ୍ରିଟିଶ ବିରୋଧରେ ଲଢେଇ କରି ୧୮୪୫ରେ ହୋଇଥିଲେ ସହିଦ । ମିଟୁ କୁଅଁରଙ୍କ ବଳିଦାନକୁ ମନେ ପକାଇ ତାଙ୍କୁ ଇଷ୍ଟ ଦେବ ଏବଂ ଗ୍ରାମ ଦେବତା ଭାବେ ପୂଜା କରୁଛନ୍ତି ଗାଁ ଲୋକେ । ବାର୍ଷିକ ଦୁଇଥର ଶ୍ରାବଣ ପୂର୍ଣ୍ଣିମା ଏବଂ ପୌଷ ପୂର୍ଣ୍ଣିମାରେ ଏଠାରେ ହୁଏ ବାବା ମିଟୁ କୁଅଁରଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ।
ମିଟୁ କୁଆଁର । ଇତିହାସରେ ହଜି ଯାଉଥିବା ଜଣେ ସହିଦ । ବୀର ସୁରେନ୍ଦ୍ର ସାଏଙ୍କ ସହିତ ମିଶି ବ୍ରିଟିଶ ସାମ୍ରାଜ୍ୟକୁ ବିସ୍ତାର ହେବାରେ ପ୍ରତିବନ୍ଧକ ସାଜିଥିଲେ ମିଟୁ କୁଅଁର । ବୀର ସୁରେନ୍ଦ୍ର ସାଏ ଜେଲ ଯିବା ପରେ ଲୋକଙ୍କୁ ଏକତ୍ରିତ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ ଏବଂ ଶେଷରେ ୧୮୪୫ରେ ସହିଦ ହୋଇଥିଲେ । ନିଜ ଧନୁ ତୀର ସାହାଯ୍ୟରେ ଇଂରେଜଙ୍କ ଛାତି ଥରାଉଥିବା ମିଟୁ କୁଅଁରଙ୍କ ବଳିଦାନ ପାଇଁ ତାଙ୍କୁ ପୂଜା କରୁଛନ୍ତି ଗାଁ ଲୋକେ।
ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଆଧାରିତ ଅନେକ ଇତିହାସ ପୃଷ୍ଠାରେ ସହିଦ ମିଟୁ କୁଅଁରଙ୍କ ନାଁ ଉଲ୍ଲେଖ ଥିବା ଦେଖିବାକୁ ମିଳେ । ଗାଁର ଅନେକ ଲୋକ ମିଟୁ କୁଅଁରଙ୍କୁ ଦେବତା ଭାବେ ପୂଜା କରୁଥିବା ବେଳେ ଆଜିର ଯୁବପିଢ଼ି ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଧୀରେ ଧୀରେ ଭୁଲିବାରେ ଲାଗିଛନ୍ତି । ପ୍ରଶାସନ ଦ୍ବାରା ସହିଦ ମିଟୁ କୁଅଁରଙ୍କର ସ୍ମୃତି ରକ୍ଷା କରି କୌଣସି ସ୍ମୃତି ସଦନ କିମ୍ବା ପାଠ୍ୟକ୍ରମରେ ସାମିଲ କରାଗଲେ କିମ୍ବା କୌଣସି ଛକର ନାମକରଣ ସହିଦ ମିଟୁ କୁଅଁରଙ୍କ ନାମରେ ନାମିତ କଲେ ନିଶ୍ଚିତ ଭାବେ ଏହା ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି ଗାଁ ଲୋକେ କହିଛନ୍ତି ।

