spot_img
Home Blog Page 1689

ବାହା ହେବା ପାଇଁ ଝିଅ ମିଳିଲେନି, କୁକର ହେଲା କନ୍ୟା !

ନନ୍ଦିଘୋଷ ବ୍ୟୁରୋ : ମୁସଲମାନ ଯୁବକଙ୍କ ବେଗମ୍ ସାଜିଛି କୁକର  । ଏବେ ଏପରି ଏକ ନିଆରା ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଇଣ୍ଡୋନେସିଆରେ ଜଣେ ବ୍ୟକ୍ତି କୌଣସି ଯୁବତୀ ନୁହେଁ ବରଂ କୁକର ସହ ବିବାହ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଭାଇରାଲ ହେଉଥିବା ଫଟୋରେ ଖୋରୁଲ ଅନମ ନାମକ ଯୁବକ ଏକ ଧଳା ରଙ୍ଗର ବର ପୋଷାକ ପିନ୍ଧିଛନ୍ତି  ଏବଂ ତାଙ୍କ ସହିତ କୁକରକୁ ମଧ୍ୟ କନିଆ ବେଶରେ ସଜାଯାଇଛି । ଅନମ ନିଜ ଜୀବନସାଥୀ ବନାଇଥିବା ବେଗମ୍ କୁକରକୁ ଗୋରୀ, ଆଜ୍ଞାକାରୀ, ସୁନ୍ଦର ଏବଂ ରୋଷେଇରେ ପାରଦର୍ଶୀ ବୋଲି ବର୍ଣ୍ଣନା କରିଥିଲେ । ହେଲେ ନିକାହର ୪ଦିନ ପରେ ତାଙ୍କ ବେଗମ୍ କେବଳ ଭାତ ହିଁ ରୋଷେଇ କରିପାରେ କହି ତଲାଖ ମଧ୍ୟ ନେଇ ସାରିଛନ୍ତି ।

ୟବାସ୍ତବରେ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଜଙ୍ଗଲରେ ନିଆଁ ଲାଗିବା ପରି ଭାଇରାଲ ହେଉଛି । କିନ୍ତୁ ଏହି ଘଟଣା ୨୦୨୧ ମସିହା ସେପ୍ଟେମ୍ୱରର  । ସେତେ ବେଳେ ଅମନ ନିଜ ଫେସବୁକରେ ନିଜ ନିକାହର ଫଟୋ ସେୟାର କରି  ସବୁଠି  ଚର୍ଚ୍ଚାର ବିଷୟ ପାଲଟିଥିଲେ । ଏହି ଘଟଣାକୁ ସ୍ଥାନୀୟ ମିଡିଆ ପବ୍ଲିସିଟି ସର୍ଟ ଭାବେ ପୋଷ୍ଟ କରାଯାଇଥିଲା । ଯେଉଁଥିରେ  ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଅମନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା  । ଅନ୍ୟପକ୍ଷେ  ଇଣ୍ଡୋନେସିଆରେ ଅମନ ଜଣେ ଚର୍ଚ୍ଚିତ ବ୍ୟକ୍ତି । ତାଙ୍କର ଏପରି ଅନେକ ଅଜବଗଜବ କାମ ପାଇଁ ସେ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି ।

ଦଶମ ଶ୍ରେଣୀ ଛାତ୍ରକୁ ପିଟି ପିଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ପିଟି ପିଟି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା। ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ମୃତକ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ପୂବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର । ପୋଲିସର ସୂଚନା ଦାତା ବୋଲି ଅଭିଯୋଗ କରି ମାଓବାଦୀ ଅତି ନିର୍ମମ ଭାବେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।

ସପ୍ତାହ ପୂର୍ବରୁ ମାଓବାଦୀ ମାନେ ଶଙ୍କରଙ୍କ ଭାଇ ସୋୟାମ ଦୁର୍ଭାକୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାକୁ ନେଇ ସୁକୁମା ଏସପି କିରଣ ଚୌହାନ କହିଛନ୍ତି ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନେ ପ୍ରକୃତରେ ପୋଲିସ ଇନଫର୍ମର ନଥିଲେ ବରଂ ଗାଁ ର ସାଧାରଣ ଆଦିବାସୀ ଥିଲେ। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର ହୋଇଥିବା ନେଇ ସୂଚନା ଦେଇଛନ୍ତି ସୁକୁମା ଏସପି ।

ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି ; ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘୋଷଣା

କଟକ : ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା ପରଦିନ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ । ଏହି ଛୁଟି ଇଚ୍ଛାଧୀନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୯୯୨ରୁ ବିହାରରେ ଋତୁସ୍ରାବ ଛୁଟି ମିଳୁଛି । ବିହାରରେ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳାଙ୍କୁ ଋତୁସ୍ରାବ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଥିଲେ । ଗତ ଜାନୁଆରୀରୁ କେରଲରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇଛି । ସେଠାରେ ମହିଳାଙ୍କୁ ଋତୁସ୍ରାବ ପାଇଁ ତିନି ଦିନ ଛୁଟି ଦିଆଯାଉଛି । ଆଠଟି ଦେଶରେ ମଧ୍ୟ କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ପାଇଁ ଛୁଟି ଦିଆଯାଉଛି ।

ବାଂଲାଦେଶକୁ ଲାଲକିଲ୍ଲାରୁ ସ୍ପଷ୍ଟ ସନ୍ଦେଶ, ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତିତ

ନୂଆଦିଲ୍ଲୀ : ୭୮ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ବାଂଲାଦେଶରେ ହୋଇଥିବା ହିନ୍ଦୁଙ୍କ ପ୍ରତି ହିଂସା ଏବଂ ମନ୍ଦିର ଭାଙ୍ଗିବା ଭଳି ଅନେକ ଜରୁରୀ ମାମଲାକୁ ନେଇ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ।  ସେ ଶେଖ ହସିନାଙ୍କ ନାଁ ନନେଇ ବାଂଲାଦେଶରେ ହେଉଥିବା ଘଟଣାରକୁ ନେଇ ପଡୋଶୀ ଦେଶ ଭାବେ ଭାରତ ଚିନ୍ତିତ ଅଛି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାଂଲାଦେଶରେ ହେଉଥବା ଘଟଣା ଉପରେ ମୁଁ ଅବଗତ ଅଛି । ଆଶା କରୁଛି କି ସେଠାକାର ପରିସ୍ଥିତି ଶୀଘ୍ର ଶାନ୍ତ ହେଉ । ବିଶେଷ ସେଠାରେ ଥିବା ସ୍ୱଳ୍ପସଂଖ୍ୟକ ହିନ୍ଦୁ ସମୁଦାୟଙ୍କ ସୁରକ୍ଷାକୁ ନେଇ ୧୪୦ କୋଟି ଦେଶବାସୀଙ୍କର ଚିନ୍ତିତ ଅଛନ୍ତି । ଭାରତ ସର୍ବଦା ଏହା ହିଁ ଚାହିଁବ ଯେ, ଆମ ପଡୋଶୀ ଦେଶରେ ସବୁବେଳେ ଶାନ୍ତି ବଜାୟ ରହୁ ଏବଂ ଖୁବ୍ ଶୀଘ୍ର ବାଂଲାଦେଶରେ ବିକାଶ ଆସିବ । ତେବେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଶାନ୍ତି ପ୍ରତି ଭାରତର ପ୍ରତିବଦ୍ଧତା ଅଛି, ଏହା ଆମର ମୂଲ୍ୟବୋଧ। ଆଗାମୀ ଦିନରେ ବାଂଲାଦେଶର ବିକାଶ ଯାତ୍ରାରେ ଆମର ସର୍ବଦା ଶୁଭଚିନ୍ତକ ରହିବୁ ।

ସ୍ୱାଧୀନତା ଦିବସରେ ଅଘଟଣ : ଘର ପୋଡ଼ି ଭାଇ ଭଉଣୀ ଜୀବନ୍ତ ଦଗ୍ଧ

ରାଜନଗର : ସ୍ୱାଧୀନତା ଦିବସରେ ଅଘଟଣ । ଘର ପୋଡ଼ି ଭାଇ ଭଉଣୀ ଜୀବନ୍ତ ଦଗ୍ଧ। ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗାଁରେ ଘଟିଛି ଅଭାବନୀୟ ଘଟଣା। ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇ ବଖରା ଘର। ଘର ଭିତରେ ଥିବା ଭାଇ ଭଉଣୀ ଜୀଅନ୍ତା ଜଳିଯାଇଛନ୍ତି। ଗାଁର ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଥିଲା।

ସୁକାନ୍ତ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ମାଆ ଅନିତା ଘର ବାହାରେ କାମ କରୁଥିଲେ | ଘର ଭିତରେ ୧୧ ବର୍ଷର ଝିଅ ଅନୁପମା ସାହାଣୀ ଓ ପୁଅ ରିଷି ସାହାଣୀ ଚିତ୍କାର କରୁଥିଲେ | ନିଆଁ ଏତେ ଜୋରରେ ଲାଗିଥିଲା ଯେ ଘର ମଧ୍ୟକୁ କେହି ପଶି ପାରିନଥିଲେ | ଘର ଭିତରକୁ ପଶିବା ପୂର୍ବରୁ ଦୁଇ ଭାଇ ଭଉଣୀ ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ଦମକଳ ବାହିନୀ ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ଭୁବନେଶ୍ବରରେ ରାଜ୍ଯସ୍ତରୀୟ ସ୍ବାଧୀନତା ଦିବସ ପାଳିତ, ମହାପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ । ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ବାହିନୀ ଦ୍ୱାରା ଆକର୍ଷଣୀୟ ପରେଡର ଆୟୋଜନ ମଧ୍ୟ ହୋଇଥିଲା । ୭୮ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିଭାଷଣ ଦେବା ସହ ବୀର ମହାପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।

ଦେଶର ସ୍ବାଧୀନତା ସଂଗ୍ରାମରେ ଓଡିଶାର ବୀରପୁତ୍ରମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଗୋପବନ୍ଧୁ ଚୌଧୁରୀ, ସୁରେନ୍ଦ୍ର ସାଏ, ମାଧୋ ସିଂ, ମାଳତୀ ଚୌଧୁରୀ, ବିଜୁ ପଟ୍ଟନାୟକ ପ୍ରମୁଖଙ୍କ ଅସୀମ ତ୍ଯାଗବଳରେ ଭାରତ ସ୍ବାଧୀନତା ଲାଭ କରିଥିଲା ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାଧୀନତା ଦିବସ ପାଳନ ଅବସରରେ ସେ କହିଥିଲେ, ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଦେଶ ପାଲଟିଛି। ଦେଶର ଅର୍ଥନୀତି ୪ ଟ୍ରିଲିୟନ ଡଲାର ହୋଇସାରିଲାଣି। ମାତ୍ର ୧୦ ବର୍ଷରେ ଭାରତର ପଞ୍ଚମ ବୃହତ ସ୍ଥାନରେ ପହଞ୍ଚିଛି। ଏହି ମାଟିରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। ଓଡ଼ିଶା ଗଠନରେ ମଧୁସୂଦନ ଦାସ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗୌରୀ ଶଙ୍କର ରାୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା। ଫକିର ମୋହନ ସେନାପତିଙ୍କ ପରି ନେକ କବି ଓ ଲେଖକ ସ୍ବାଧୀନତା ସଂଗ୍ରାମୀକୁ ଆଗେଇ ନେଇଥିଲେ।

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସେ କହିଛନ୍ତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଲାଗି ନୂଆ ଆହ୍ବାନ ଆସିଛି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପାଳନ କରୁଛନ୍ତି ରାଜ୍ଯ ସରକାର। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ଓ ରତ୍ନ ଭଣ୍ଡାର ଖୋଲିଛନ୍ତି ସରକାର। କୃଷକ ଓ ମହିଳାଙ୍କ ଆର୍ଥିକ ଉନ୍ନତି ହିଁ ରାଜ୍ଯ ସରକାରଙ୍କ ସଂକଳ୍ପ। ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା କରାଯାଇଛି। ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ରାଜ୍ଯର ଉନ୍ନତି ସମ୍ଭବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ।

ସେ କହିଛନ୍ତି, ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଲାଗି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଛି। ୪୮୦ କିଲୋମିଟର ଉପକୂଳ ରାଜପଥର ବିକାଶ କରାଯିବ। ରେଳବାଇର ବିକାଶ ଲାଗି ୬ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ନୂତନ ଜାତୀୟ ରାଜପଥ ଲାଗି ୨୧,୬୫୦ ମଞ୍ଜୁର ହୋଇଛି। ନୀଳ ଅର୍ଥନୀତିର ବିକାଶ ଲକ୍ଷ୍ଯ ରାଜ୍ଯ ସରକାରଙ୍କ ରହିଛି। ଜନଜାତିଙ୍କ ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଆସନ୍ତା ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରାଯିବ। ରାଜ୍ଯରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜାରି ରହିଛି। ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ଲାଗି ରାଜ୍ଯବାସୀ ଗର୍ବିତ। ରାଜ୍ଯର ମେଧାବୀ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଥିଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ।

ଶଙ୍ଖଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପବିତ୍ର ସ୍ବାଧୀନତା ଦିବସ ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବରସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଉତ୍ସବରେ ନବୀନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ କହିଛନ୍ତି, ଦେଶର ଭବିଷ୍ଯତ ହେଉଛନ୍ତି ଶିଶୁ। ସେମାନେ ଆସନ୍ତାକାଲିର ଆଲୋକବର୍ତ୍ତିକା। ରାଷ୍ଟ୍ର ଗଠନରେ ସେମାନେ ଉଲ୍ଲେଖନୀୟ ଅବଦାନ ଦିଅନ୍ତୁ। ଏହି ଅବସରରେ ଶଙ୍ଖ ଭବନରେ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏମପକ୍ସକୁ ନେଇ ଆଲର୍ଟ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ  :  ଏମପକ୍ସକୁ ନେଇ ଆଲର୍ଟ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏମପକ୍ସକୁ ଏକ ବିଶ୍ବସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଛି ସଂଗଠନ। ଗତ ୨ ବର୍ଷ ମଧ୍ଯରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ଯାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଛି ସଂଗଠନ।

ଏମପକ୍ସ ସାଧାରଣତଃ ପାରସ୍ପରିକ ସଂସ୍ପର୍ଶ ଜରିଆରେ ବ୍ଯାପିଥାଏ ଏବଂ ରୋଗୀକୁ ମୃତ୍ଯୁମୁଖରେ ପକାଏ। ସଂକ୍ରମିତ ବ୍ଯକ୍ତିଙ୍କ କ୍ଷେତ୍ରରେ ଫ୍ଲୁ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଶରୀର ଭିତରରେ କ୍ଷତ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। କଙ୍ଗୋରେ ଏବି ଷ୍ଟ୍ରେନକୁ କ୍ଲେଡ-୧ କୁହାଯାଇଥାଏ। ମାତ୍ର ବର୍ତ୍ତମାନ ନୂଆ କ୍ଲେଡ-୧ବି ଷ୍ଟ୍ରେନ ଅତିସହଜରେ ସଂକ୍ରମିତ ହେଉଥିବା ଜଣାଯାଇଛି। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଏହା ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି। ସଂକ୍ରମଣରୁ ରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଏଡନୋମ ଘେବ୍ରେୟସସ।

ଲାଲକିଲ୍ଲାରେ ଫରଫର ଉଡିଲା ଜାତୀୟ ପତାକା

ନୂଆଦିଲ୍ଲୀ : ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା  । ୭୮ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପରେ ଜନ-ଗଣ-ମନ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଚର୍ତୁପାଶ୍ୱ । ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପବର୍ଷା ମଧ୍ୟ କରାଯାଇଛି । ଏହା ପରେ ଦେଶବାସୀଙ୍କୁ ସମ୍ୱୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଚଳିତ ବର୍ଷ ସ୍ୱାଧୀନତା ଦିବସର ଥିମ ରହିଛି ‘ବିକଶିତ ଭାରତ- ୨୦୪୭’ । ସ୍ବାଧୀନତା ଦିବସ ପାଳନ ଅବସରରେ ୬ ହଜାରରୁ ଅଧିକ ସ୍ବତନ୍ତ୍ର ଅତିଥି ଯୋଗଦେଇଥିଲେ। । ପ୍ରଧାନମନ୍ତ୍ରୀ ଭାବେ ୧୧ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୋଦି ।

ଦେଶର ଆଜାଦୀ ପାଇଁ ବୀରମାନଙ୍କ ତ୍ୟାଗକୁ ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଅଭିଭାଷଣରେ କହିଛନ୍ତି, ବିକଶିତ ଭାରତ ୨୦୪୭ ଗଠନ ଦିଗରେ ଭାରତ। ଦଳିତ, ଆଦିବାସୀ, ସହରବାସୀ, କୃଷକଙ୍କ ବିକାଶ ଲାଗି ଲକ୍ଷ୍ଯ ରଖିଛନ୍ତି ସରକାର। ଦକ୍ଷ ଯୁବପିଢି ଜରିଆରେ ଆତ୍ମନିର୍ଭର ଭାରତ ସୃଷ୍ଟି ଲକ୍ଷ୍ଯ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତାର ୧୧ଥର ଲାଗି ଲାଲକିଲ୍ଲାରୁ ଉଦବୋଧନ ଦେଇ ମୋଦି କହିଛନ୍ତି, ସଂଗ୍ରାମୀମାନଙ୍କ ନିକଟରେ ଦେଶବାସୀ ଋଣୀ। ରାଷ୍ଟ୍ର ନିର୍ମାଣ ଲାଗି ପ୍ରତିବଦ୍ଧତାର ସହ ସଂଗ୍ରାମ ଜାରି ରହିଛି। ପ୍ରତିଭାର ବିକାଶ କ୍ଷେତ୍ରରେ ଭାଷାର ପ୍ରତିବନ୍ଧକ ନ ରହୁ। କିଛି ବର୍ଷ ଧରି ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ବିପର୍ଯ୍ୟୟରେ ଦେଶବାସୀ ଅନେକ କିଛି ହରାଇଛନ୍ତି। ମହିଳା, ଆଦିବାସୀ ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଛନ୍ତି। ୧୪୦ କୋଟି ନାଗରିକଙ୍କ ମହାନ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଛନ୍ତି।

ବିଶ୍ବକୁ ପୋଷଣ କ୍ଷେତ୍ରରେ ଭାରତକୁ ଅନେକ କିଛି ତ୍ଯାଗ କରିବାକୁ ପଡ଼ିବ। ପାରମ୍ପରିକ ମେଡିସିନ କ୍ଷେତ୍ରରେ ଭାରତର ଜୟଯାତ୍ରା ଜାରି ରହିଛି। ଦେଶବାସୀଙ୍କ ଭରସା ଅନୁଭବରୁ ଉତ୍ପତ୍ତି ଘଟିଛି। ବିକାଶ କ୍ଷେତ୍ରରେ ନୂଆ ଅଧ୍ଯାୟ ସୃଷ୍ଟି ହୋଇଛି। ୧୮ ହଜାର ଗାଁରେ ବିଜୁଳି ପହଞ୍ଚିବ। ସ୍ବଚ୍ଛ ଭାରତ ଲକ୍ଷ୍ଯରେ ଅଭିଯାନ ଜାରି ରହିବ। ନୂଆ ଚେତନାର ପ୍ରତିବିମ୍ବ ସ୍ବଚ୍ଛ ଭାରତ ଅଭିଯାନ। ଜଳଜୀବନ ମିଶନ ଜରିଆରେ ୧୨ କୋଟି ପରିବାର ଜଳ ଯୋଗାଣ ସୁବିଧା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି , ଗ୍ରୁପ-୨୦ ତୁଳନାରେ ଭାରତର ବିକାଶ ଅଧିକ ହୋଇଛି। ବିଶ୍ବବାସୀ ଭାରତଠାରୁ ଅନେକ କିଛି ଶିକ୍ଷାଲାଭ କରୁଛନ୍ତି। ଆତଙ୍କବାଦ ବିରୋଧରେ ସଦାସର୍ବଦା ସେନା ଜାଗତିଆର ରହିଛି। ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଆତଙ୍କବାଦ ଦମନ ଜାରି ରହିଛି। ସଂସ୍କାରର ପରମ୍ପରାକୁ ସାମର୍ଥ୍ଯ ଯୋଗାଇଦିଆଯାଇଛି। ଯୁବପିଢିଙ୍କ ଆକାଂକ୍ଷା ସାକାର ଦିଗରେ ପଦକ୍ଷେପ ନିଆଯାଇଛି। ସଂସ୍କାର ପ୍ରକ୍ରିୟା ଦେଶକୁ ମଜଭୁତ କରିବ ବୋଲି ଆଶା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ବ୍ଯାଙ୍କିଙ୍ଗ କ୍ଷେତ୍ରରେ ଅତୀତରେ ବିକାଶ ଘଟି ନଥିଲା। ଦେଶରେ ବ୍ଯାଙ୍କ ଶିଳ୍ପ ସଙ୍କଟ ମଧ୍ଯରେ ରହିଥିଲା। ମାତ୍ର ବର୍ତ୍ତମାନ ଭାରତୀୟ ବ୍ଯାଙ୍କ ବିଶ୍ବରେ ନିଜର ସ୍ଥିତି ଜାହିର କରିଛନ୍ତି। ବ୍ଯାଙ୍କ ଋଣ ଜରିଆରେ ଜନଜୀବନର ପରିବର୍ତ୍ତନ ହୋଇଛି। ଏମଏସଏମଇ ଲାଗି ବ୍ଯାଙ୍କ ଯଥେଷ୍ଟ ସହାୟକ ହୋଇଛି। ଦେଶରେ ଗଭର୍ଣ୍ଣାନସ ମଡେଲରେ ପରିବର୍ତ୍ତନ ଆସିଛି ବୋଲି ମୋଦି କହିଛନ୍ତି। ଭାରତର ସିଇଓମାନେ ବିଶ୍ବରେ ଦବଦବା ବଜାୟ ରଖିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ସରକାରଙ୍କ ସ୍ବତନ୍ତ୍ର ଭିଜନ ରହିଛି। ଘରୋଇ ସାଟେଲାଇଟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି। ଆଧୁନିକ ଭିତ୍ତିଭୂମି ଜରିଆରେ ଭାରତ ବଡ଼ ପଦକ୍ଷେପ ନେଇଛି। ଭୋକାଲ ଫର ଲୋକାଲ ଅର୍ଥନୀତିର ମୂଳମନ୍ତ୍ର ସାଜିଛି। ନାଗରିକଙ୍କ ଜୀବନକୁ ଅଧିକ ସମ୍ମାନ ଦେବା ସରକାରଙ୍କ ଲକ୍ଷ୍ଯ ରହିଛି। ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଆକାଂକ୍ଷୀ ଜିଲ୍ଲା ଜରିଆରେ ଜନଜୀବନର ବିକାଶ ଘଟିଛି ବୋଲି ମୋଦି କହିଛନ୍ତି। ଏହା ସହ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି।

ଆଜି ଦେଶ ପାଳନ କରୁଛି ୭୮ ତମ ସ୍ବାଧୀନତା ଦିବସ, ଚାରିଆଡ଼େ ଉତ୍ସବ ମୁଖର

ନନ୍ଦିଘୋଷ ବ୍ୟୁରୋ : ଆଜି ୭୮ ତମ ସ୍ବାଧୀନତା ଦିବସ । ୧୫୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କ ରକ୍ତ, ସ୍ବେଦ ଓ ବଳିଦାନରେ ସ୍ବାଧୀନ ହୋଇଥିଲା ଦେଶ । ସେହି ମୁହୂର୍ତ୍ତକୁ ମନେ ପକାଇ ଆଜି ପାଳନ କରାଯାଉଛି ସ୍ବାଧୀନତା ଦିବସ। ସମସ୍ତଙ୍କ ମନରେ ଉତ୍କଣ୍ଠା,ଉତ୍ସାହ ଆଉ ଆନନ୍ଦ । ଦେଶମାତୃକାର ଜୟଗାନରେ ଉଛୁଳୁଛି ପଲ୍ଲୀଠୁ ଦିଲ୍ଲୀ । ସବୁଠି ତ୍ରିରଙ୍ଗାର ଲହର । ପ୍ରତ୍ଯେକ ଭାରତୀୟ, ସ୍ବାଧୀନତା ସଂଗ୍ରାମର ଅମଳିନ ସ୍ମୃତିକୁ ସ୍ମରଣ କରିବା ସହ ସହିଦ୍ ଓ ସଂଗ୍ରାମୀମାନଙ୍କୁ ଜଣାଉଛନ୍ତି ଶ୍ରଦ୍ଧା, ଆଉ ସମ୍ମାନ ।

ସେପଟେ ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ଯର ରାଜଧାନୀ ଭୁବନେଶ୍ଵର ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ଭୁବନେଶ୍ଵରରେ ହେବ ରାଜ୍ଯସ୍ତରୀୟ ପରେଡ। ଏଥିରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା କରାଯାଇଛି।