ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ତାଘାଟିରେ ଭାଙ୍ଗିଲା ଘର। ଆଦିମ ଜନଜାତିଙ୍କ ଆବାସ ସ୍ଥଳୀରେ ବର୍ଷାର ପ୍ରକୋପ। ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଘର । ମାଟିରେ ମିଶିଯାଇଛି ମାଟି କୁଡିଆ। ଅଣ୍ତ୍ରାହଲ ପଞ୍ଚାୟତ ସଦରରେ ଦେଖିବାକୁ ମିଳିଛି ଏପରି ବର୍ଷାର ବିତ୍ପାତ। ବଣ୍ତାଘାଟିର ଅନେକ ଗାଁ ଗଣ୍ତାରେ ଘର ଭୁଶୁଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଅସହାୟ ଲୋକେ ବର୍ଷା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଦୁଲିପଡା ପଞ୍ଚାୟତ ଅଧିନରେ ଥିବା ଅନେକ ଘର ମଧ୍ୟ ବର୍ଷାରେ ଭୁଷୁଡି ପଡିଥିବା ସୂଚନା ମିଳିଛି।
ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓବାଦୀ ସଂଗଠନରେ ବିଦ୍ରୋହ
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖିବାକୁ ମିଳିଛି । ଏନେଇ ପୋଲିସ ପ୍ରେସ ନୋଟ୍ ଜାରି କରିଛି । କ୍ରମାଗତ କ୍ଷତି ହେତୁ ମାଓବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଙ୍କେରର ପରତାପୁରରେ ନକ୍ସଲମାନେ ନିଜ ସାଥି ମାଓବାଦୀ ବିଜ୍ଜାଙ୍କୁ ପୋଲିସ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି । ତେଲୁଗୁ କ୍ୟାଡର ନକ୍ସଲ ନେତା ନେତା ବିଜୟ ରେଡ୍ଡୀ ଦଳମ ସାଥୀ ନକ୍ସଲ ବିଜ୍ଜାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ୬ ସେପ୍ଟେମ୍ବରରେ ବିଜ୍ଜାଙ୍କୁ ହତ୍ୟା କରାଯାଇଥିଲା । ଅତୀତରେ ଛତିଶଗଡରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ବରିଷ୍ଠ ନକ୍ସଲମାନଙ୍କ ହତ୍ୟା ଯୋଗୁଁ ନକ୍ସଲମାନେ ବିଚଳିତ ହୋଇଛନ୍ତି । ବାହ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନେ ସ୍ଥାନୀୟ ଲୋକଙ୍କୁ ଢାଲ ଭାବରେ ବ୍ୟବହାର କରି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ତେଣୁ ଆତ୍ମସମର୍ପଣ ବ୍ୟତୀତ ନକ୍ସଲମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ ବୋଲି ପ୍ରେସ ନୋଟରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।
ଚିକିତ୍ସା ପାଇଁ ମେଡିକାଲକୁ ଯାଇ ରେଲୱେ କର୍ମଚାରୀ ନିଖୋଜ
ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସା ପାଇଁ ମେଡିକାଲକୁ ଯାଇ ରେଲୱେ କର୍ମଚାରୀ ନିଖୋଜ । ଶରୀର ଅସୁସ୍ଥ ଥିବାରୁ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ଯାଇଥିଲେ ତୁମୁସିଙ୍ଗା ଥାନା କୋଟଗରା ଗାଁ ଉପରଗୋଡ଼ା ସାହିର ସୋମନାଥ ସାହୁ l ଏମ୍ସରେ ସ୍ୱାସ୍ଥ୍ୟପରୀକ୍ଷା କରାଇ ଟ୍ରେନ ଯୋଗେ ଫେରିବା ପାଇଁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ l ସାଙ୍ଗରେ ନିଜ ପୁଅ ଓ ପୁତୁରା ଥିବାବେଳେ ଟ୍ରେନକୁ ଅପେକ୍ଷା କରି ଷ୍ଟେସନ ରେ ବୁଲାବୁଲି କରୁଥିଲେ ସୋମନାଥ l କିନ୍ତୁ ସେଠାରୁ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସିସିଟିଭି ସହାୟତାରେ ରେଲୱେ ପୋଲିସ ଠାବ କରିବା ପାଇଁ ଚେଷ୍ଟା କରିଥିଲେ l ତେବେ ପ୍ଲାଟଫର୍ମରେ ଲାଗିଥିବା ପାଟନା ସ୍ପେଶାଲ ଟ୍ରେନରେ ଚାଲିଯାଇଥିବା ସନ୍ଦେହ କରିଛନ୍ତି l ସୋମନାଥ ଜଣେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ ହୋଇଥିବା ବେଳେ ତାଙ୍କର ବ୍ରେନଟ୍ୟୁମର ହୋଇଥିବା ନେଇ ପରିବାର ଲୋକ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଔଷଧ ଖାଉଥିଲେ । ତାଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ପରିବାର ଲୋକ କହିଛନ୍ତି l ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତେବେ 8847883810 ଓ 8249931906 କୁ ଯୋଗାଯୋଗ କରିବା ପାଇଁ ପରିବାର ଲୋକ ଅନୁରୋଧ କରିଛନ୍ତି l
ପାର୍ବଣ ଋତୁରେ ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ
ନନ୍ଦିଘୋଷ ବ୍ୟୁରୋ: ପାର୍ବଣ ଋତୁରେ ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ଭୁବନେଶ୍ଵରରେ ବିଭିନ୍ନ ଗଣେଶ ପୂଜା ପେଣ୍ଡାଲ ଗୁଡ଼ିକୁ ବାଇକ୍ ପେଟ୍ରୋଲିଂ କରି ତାଗିଦ୍ କରିଛି କମିଶନରେଟ ପୋଲିସ। ନିୟମ ଅନୁଯାୟୀ ପୂଜା କରାଯାଉଛି କି ନାହିଁ ତଦାରଖ କରିବା ସହ ବିଭିନ୍ନ ଖଟି ସ୍ଥାନ ଓ ଖୋଲା ସ୍ଥାନରେ ମଦ୍ୟପାନକୁ ଜଗୁଛି ପୋଲିସ। ଏଥିପାଇଁ ଦୁଇଟି ଥାନାକୁ ମିଶାଇ ଗୋଟିଏ ଟିମ୍ କରାଯାଇଛି । ଟିମ୍ ରେ ୧୦ ଟି ବାଇକ୍ ରେ ୨୦ ଜଣ ପୋଲିସ କର୍ମଚାରୀ ସାମିଲ ଅଛନ୍ତି । ଭସାଣି, ମେଲୋଡି ଯେମିତି ଶୃଙ୍ଖଳିତ ଭାବେ ହେବ ସେଥିପ୍ରତି ନଜର ରଖିବାକୁ ଏହି ଅଭିଯାନ ଆରମ୍ଭ ହୋଇଛି।

