spot_img
Home Blog Page 1709

ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କିଛି ଦଶନ୍ଧି ପରେ ହକି ଟିମକୁ କ୍ରମାଗତ ଦୁଇଟି ପଦକ ମିଳିଛି । ଏହି ସଫଳତାରେ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛନ୍ତି । ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ । ହକିର ସେହି ଆନନ୍ଦମୟ ଦିନଗୁଡ଼ିକ ଫେରିଆସୁ । ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ ବୋଲି ନବୀନ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ କରି ଧନ୍ଯବାଦ ଦେଇଛନ୍ତି କ୍ଯାପଟେନ ହରମନପ୍ରୀତ ସିଂହ । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟୀ ଟିମ୍ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ସେ ସମସ୍ତ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଥିଲେ ।

ନବୀନଙ୍କ ପାଇଁ ହକିରେ ସ୍ବର୍ଣ୍ଣିମ ଯୁଗ । ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଭାରତୀୟ ହକି ଆଜି ଜଗତଜିତା । ଭାରତୀୟ ପୁରୁଷ ହକି ଦଳ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପଛରେ ରହିଛି ଓଡ଼ିଶା ଏବଂ ନବୀନଙ୍କର ବଡ଼ ଅବଦାନ । କାରଣ ଯେତେବେଳେ ହକି ହଜି ଯିବାକୁ ବସିଥିଲା, ଭାରତୀୟ ହକି ଦଳ ସ୍ପନସର ଅଭାବରୁ ବୁଡ଼ିଯିବାକୁ ଯାଉଥିଲା ସେତେବେଳେ ହକିର ହାତ ଧରି ଆଗେଇ ନେଇଥିଲେ ସେତେବେଳର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ସାହାରା ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା ଓଡ଼ିଶା ।

ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା ହକିର ହାତ ଧରିଥିଲା । ପ୍ରଥମେ ୨୦୧୮ରୁ ୫ବର୍ଷ  ଅର୍ଥାତ ୨୦୨୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଥିଲା । ପରେ ଏହି ଅବଧିକୁ ୨୦୩୩ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ ସରକାର । ଓଡ଼ିଶା ଖାଲି  ହକିର ପ୍ରାୟୋଜକ ହୋଇନଥିଲା ବରଂ ଭିତ୍ତିଭୂମି ବିକାଶ ଓ ଅନ୍ଯାନ୍ଯ କ୍ଷେତ୍ରରେ ବି ଇତିହାସ ରଚିଛି । ନବୀନଙ୍କ ନେତୃତ୍ବରେ  ୨୦୧୮ ଓ ୨୦୨୩ରେ ଲଗାତାର ଦୁଇଥର ହକି ବିଶ୍ବକପ ଆୟୋଜନ କରି ବିଶ୍ବକୁ ଓଡ଼ିଶା ଚମକାଇ ଦେଇଥିଲା । ଏହାଛଡ଼ା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ମଧ୍ଯ ଆୟୋଜନ କରିଥିଲା । ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ  ବିଶ୍ବ ହକି ପାଇଁ ଏକ ନୂଆ ମାଇଲଖୁଣ୍ଟ ସାଜିଛି । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲା । ଏହାଛଡ଼ା ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା ମହିଳା ଦଳ । ଆଉ ଚଳିତ ଅଲିମ୍ପିକ୍ସରେ ବି ପୁରୁଷ ହକି ଦଳ ବ୍ରୋଞ୍ଜ ମେଡାଲ ଜିତି ସଫଳତା ଲାଭ କରିଛି । ହକି ଦଳର ସଫଳତା ପାଇଁ ନବୀନଙ୍କ ଉଦ୍ଯମକୁ ସବୁଠି ସାଧୁବାଦ ଜଣାଯାଉଛି । ସେଦିନ ନବୀନ ହାତ ବଢାଇ ନଥିଲେ ଯେ ଭାରତରେ ହକିର ଅବସ୍ଥା କଣ ହୋଇଥାନ୍ତା ତାହା ସ୍ପଷ୍ଟ ଅନୁମେୟ ।

ପୋଲାଭରମ ଦ୍ବାରା ବୁଡ଼ିବାକୁ ଥିବା ଅଞ୍ଚଳରେ ବିଜେଡି ଟିମ୍

କାଲିମେଳା: ଓଡିଶାର ସ୍ବାର୍ଥକୁ ଅଣଦେଖା କରି ତିଆରି ହେଉଛି ପୋଲାଭରମ ପ୍ରକଳ୍ପ । ଏହି ପ୍ରକଳ୍ପକୁ ଦୀର୍ଘ ଦିନରୁ ବିଜେଡି ବିରୋଧ କରିଆସୁଛି । ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରିବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଥିଲେ । ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ମୋଟୁ ଓ ପଡିଆ ବ୍ଲକର ବହୁ ଆଦିବାସୀ ଗାଁ ମାନଚିତ୍ରରୁ ଲୋପ ପାଇଯିବ । ଏହାକୁ ଅଣଦେଖା କରି ଆନ୍ଧ୍ର ପ୍ରକଳ୍ପ କାମ ଆଗେଇ ନେଉଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ଜାତୀୟ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ବିରେଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଗ୍ରାଉଣ୍ଡ ଜିରୋରେ ପହଁଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

ଗତ ପ୍ରାୟ ୧୦ ବର୍ଷ ହେଲା ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଆସୁଛି ବିଜେଡି । କିନ୍ତୁ ଓଡିଶା ସ୍ବାର୍ଥ ବଦଳରେ ଆନ୍ଧ୍ରର ସ୍ବାର୍ଥକୁ ଜଗୁଛି କେନ୍ଦ୍ର । ବିବାଦୀୟ ପୋଲାଭରମ ଡ୍ୟାମର ଉଚ୍ଚତା ହ୍ରାସ କରିବାକୁ ବିଜେଡି ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଆର୍ଥିକ ସହାୟତା ଦେଉଛି । ୨୦୧୬ରେ ଏହି ପ୍ରସଙ୍ଗରେ ବିଜେଡି ରାଜଭବନ ସାମନାରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଥିଲା । କେନ୍ଦ୍ର ସରକାର କିନ୍ତୁ ଓଡିଶାର ଦାବିକୁ ଅଣଦେଖା କରିଆସୁଛି । ଏବେ ପୁଣି ଥରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ୧୫ ହଜାର କୋଟିର ସହୟତା ବଜେଟରେ ଘୋଷଣା କରିଛନ୍ତି । କେନ୍ଦ୍ରର ଏଭଳି ଏକପାଖିଆ ନିଷ୍ପତ୍ତିକୁ ପୁଣି ଥରେ ବିରୋଧ କରିଛି ବିଜେଡି । ଗୁରୁବାର ବିଜେଡିର ଏକ ଟିମ ଗ୍ରାଉଣ୍ଡ ଜିରୋରେ ପହଁଚି କ୍ଷତିଗ୍ରସ୍ତ ହେବାକୁ ଥିବା ଗାଁର ଲୋକଙ୍କ ସହ ଆଲୋଚନା କରିଛି ।

ପୋଲାଭରମ ପ୍ରକଳ୍ପ ହେଲେ ସୁବିଧା ପାଇବ ଆନ୍ଧ୍ର, କିନ୍ତୁ ଓଡ଼ିଶାରେ ସୃଷ୍ଟି ହେବ ବନ୍ୟା ପରିସ୍ଥିତି । ମାଲକାଗିରି ଜିଲ୍ଲାର ମୋଟୁ ଓ ପଡିଆ ବ୍ଲକର ବହୁ ଆଦିବାସୀ ବେଘର ହେବେ । ଏହି ଦୁଇ ବ୍ଲକର ବହୁ ଅଞ୍ଚଳ ଜିଲ୍ଲା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ରହିଛି । ଏଥିପାଇଁ ବିଜେଡିର ଏକ ଟିମ ପହଞ୍ଚିଛି ମାଲକାନଗରିରେ । ଜିଲ୍ଲାର ମୋଟୁ ମୁଗି ପଏଣ୍ଟ, ପୁସୁଗୁଡ଼ା, ବିନୟପୂର ଗାଁ ସହ ବିଭିନ୍ନ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଥମେ ମୋଟୁ ବ୍ଲକର ପସୁଗୁଡ଼ା ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଆନ୍ଧ୍ର ସୀମାନ୍ତ ଖାଲଦାପାଳି ଯାଇ ଲୋକଙ୍କ ସହ କଥା ହୋଇଛନ୍ତି । ପରେ ମୋଟୁର ମୁଗି ପଏଣ୍ଟରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ପୋଲାଭରମ ପ୍ରକଳ୍ପ ବିରୋଧୀ ମଞ୍ଚର ଆବାହକ ପ୍ରଭାକର ହନ୍ତାଲଙ୍କ ସହ ମଧ୍ୟ ଆଲୋଚନା କରିଛି ଏହି ପ୍ରତିନିଧି ଦଳ ।

ପୂର୍ବତନ ମନ୍ତ୍ରୀ ଅତୁନୁ ସବ୍ୟସାଚୀଙ୍କ ନେତୃତ୍ଵରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ମାନସ ମାଡକାମି, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ସାଂସଦ ରମେଶ ମାଝୀ ମାଲକାନଗିରି ମୋଟୁ ଅଞ୍ଚଳ ଯାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ଯସଭାକୁ ଓଡ଼ିଶାରୁ ଯିବ କିଏ ? ଉପ ନିର୍ବାଚନର ତାରିଖ ଘୋଷଣା ପରେ ରାଜ୍ଯ ରାଜନୀତିରେ ଏବେ ଏହି ଚର୍ଚ୍ଚା । ସଂଖ୍ୟା ଦୃଷ୍ଟିରୁ ବିଜେପିର ପ୍ରାର୍ଥୀ ଜିତିବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ବିଜେପି କାହାକୁ ରାଜ୍ୟସଭା ପଠାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା ଥିବା ବେଳେ ସଂସଦୀୟ ବୋର୍ଡ଼ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଉଛି । ଆଶାୟୀମାନେ ଏବେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଲବି କରିବାରେ ଲାଗିଛନ୍ତି ।

ମନମୋହନ ସାମଲ, ବିଶେଶ୍ବର ଟୁଡ଼ୁ, ସମୀର ମହାନ୍ତି, ସମୀର ଦେ, କୁସୁମ ଟେଟେ, ଦିଲୀପ ରାୟ ଏବଂ ମମତା ମହାନ୍ତ । ଏମାନଙ୍କ ମଧ୍ୟରୁ କିଏ ରାଜ୍ୟସଭା ଯିବେ ନା ଦିଲ୍ଲୀରୁ ଆସିବ ସରପ୍ରାଇଜ । ଏହାକୁ ନେଇ ପଦ୍ମ ଶିବିରରେ ଚର୍ଚ୍ଚା ଜୋର୍ ଧରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭା ରେସର ଆଗରେ ଥିବା ବେଳେ ୨୦୨୪ ନିର୍ବାଚନ ପରାଜୟ ତାଙ୍କ ପାଇଁ କଣ୍ଟା ସାଜିଛି । ଯଦି ପରାଜିତ ନେତାଙ୍କୁ ପୁରସ୍କାର ଭାବେ ରାଜ୍ୟସଭା ପଠାଯିବ ତେବେ ଦଳରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇପାରେ । ସେହିପରି ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ମମତା ମହାନ୍ତଙ୍କୁ ବି ଯଦି ରାଜ୍ୟସଭା ପ୍ରାର୍ଥୀ କରାଯିବ, ତେବେ ଦଳ ଅଡ଼ୁଆରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ପଦ୍ମ ଶିବିରରେ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚାଲିଛି କସରତ । ରାଜ୍ୟସଭା ପାଇଁ ବହୁ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ପଡ଼ିଛନ୍ତି । ବିଧାୟକ ବାବୁ ସିଂହ କହିଛନ୍ତି, ଦଳର ସଂସଦୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଚର୍ଚ୍ଚା ହେଉଥିବା ନେତା ରାଜ୍ଯସଭାକୁ ଯିବେ ନା କେନ୍ଦ୍ରୀୟ ନେତୃତ୍ବ ସରପ୍ରାଇଜ ଦେବେ, ତାକୁ ସମସ୍ତେ ଅପେକ୍ଷା କରିବା ଆବଶ୍ଯକ ।

ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ସେହି ଆସନ ଖାଲି ପଡ଼ିଛି । ଏହି ଆସନ ପାଇଁ ହେବ ଉପନିର୍ବାଚନ । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଆସନରେ ବିଜୟ ହେବା ନିଶ୍ଚିତ । ତଥାପି ଏହି ଦଳର ବିଧାୟକମାନେ ରାଜ୍ୟସଭା ଉପନିର୍ବାଚନକୁ ନେଇ ମାପିଚୁପି ବୟାନ ଦେଉଛନ୍ତି । କଂଗ୍ରେସର ସଂଖ୍ୟା ନଥିଲେ ମଧ୍ୟ ଦଳ ଆସନ୍ତା ୧୯ ତାରିଖ ପରେ ନିଷ୍ପତ୍ତି ନେବ ବୋଲି ଯୁବ ବିଧାୟକ ସାଗର ଦାସ କହିଛନ୍ତି ।

୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ସେପଟେମ୍ବର ୩ରେ ହେବ ଭୋଟ । ୧୪ ଅଗଷ୍ଟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ଅଗଷ୍ଟ ୨୭ । ସେପ୍ଟେମ୍ବର ୩ ତାରିଖରେ ଭୋଟ ହେବ ଓ ସେହି ଦିନ ଫଳାଫଳ ବାହାରିବ ।

ଫେଲ ମାରିଛି ଡବଲ ଇଂଜିନ ସରକାରର ଆଳୁ ନୀତି

ନୂଆଦିଲ୍ଲୀ: ଯୋଗାଣ ମନ୍ତ୍ରୀ ଖାଲି ଲୋକ ଦେଖାଣିଆ ଭାବେ ଆଳୁ ସମସ୍ୟା ନାହିଁ କହୁଛନ୍ତି । ହେଲେ ସ୍ଥିତି ପୂରା ଓଲଟା । ବଜାରରେ ଆଉ ମିଳୁନି ଆଳୁ। ପଶ୍ଚିମବଙ୍ଗ କି ଉତ୍ତର ପ୍ରଦେଶରୁ ଆଳୁ ଆସୁନି । ଚୋରାରେ ବେପାରୀ ଆଳୁ ଆଣୁଥିବାରୁ ଦର ଆକାଶଛୁଆଁ । କିଛି ସ୍ଥାନରେ ଡିଲର ପଏଣ୍ଟରେ ଆଳୁ କିଲୋ ପିଛା ୬୦ ଟଙ୍କା । ଖାଉଟି କେତେ ଟଙ୍କାରେ କିଣୁଥିଲେ ଏଥିରୁ ସହଜେ ଅନୁମେୟ ।

୧୫ ଦିନ ଧରି ଆଳୁ ସମସ୍ୟାର ସମାଧାନ ହେଉନି ।  ତରକାରୀ କଥା ଛାଡ଼ନ୍ତୁ ମାର୍କେଟରେ ବି ମୁଳିନି ଆଳୁ । ପଶ୍ଚିମବଙ୍ଗ ଛାଡ଼ି ୟୁପିରୁ ଆଳୁ ଆମଦାନୀ ସରକାରଙ୍କୁ ମହଙ୍ଗା ପଡ଼ିଛି । ବଜାରର ସ୍ଥିତି ନଜାଣି ଖାଲି ବାହାସ୍ଫୋଟ ମାରୁଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରିପାରିଲେନି । ଉତ୍ତରପ୍ରଦେଶରୁ ଆଳୁ ମଗେଇଲେ । ହେଲେ ୟୁପି ଆଳୁକୁ ଲୋକେ ଗ୍ରହଣ କଲେ ନାହିଁ । ୟୁପିରୁ ଆସୁଥିବା ଆଳୁ ଶୀଘ୍ର ପଚିଗଲା । ତେଣୁ ବ୍ୟବସାୟୀ ଆଉ ୟୁପିରୁ ଆଳୁ ଆଣୁନାହାଁନ୍ତି । ଫଳରେ ବଜାରରେ ଆଉ ଆଳୁ ମିଳୁନାହିଁ । ଡିଲର ପଏଣ୍ଟରେ ଆଳୁ ବିକ୍ରି ହେଉଛି ୬୦ ଟଙ୍କାରେ । ସାଧାରଣ ଲୋକ ଏହାକୁ ନେଇ ସିଧା ସରକାରଙ୍କୁ ଦାୟୀ କରିଛନ୍ତି ।

ଗୋଟେ ପଟେ ଆଳୁ ସମସ୍ୟା ଜଟିଳ ଆଡ଼କୁ ଗତି କରିବ ବୋଲି ଜଳଜଳ ହୋଇ ଦେଖା ଯାଉଥିବା ବେଳେ ସରକାର କିନ୍ତୁ କେବଳ ଆଲୋଚନାରେ ବ୍ୟସ୍ତ । ଏବେ ରାଜ୍ୟର ବିଭିନ୍ନ ବଜାରରେ ୧୫ ହଜାର ଟନ୍ ଆଳୁ ମହଜୁଦ ରହିଛି । ଯାହା ଦୁଇ ଦିନ ଭିତରେ ସରିଯିବ । ସରକାର କିନ୍ତୁ ସ୍ଥିତିକୁ ନେଇ ଗମ୍ଭୀର ବୋଲି ଜଣାପଡୁନି । ସେପଟେ ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗରେ ବସିଥିଲା ବୈଠକ । ଓଡ଼ିଶାକୁ କୁଇଣ୍ଟାଲ ପ୍ରତି ୨୩ ଶହ ଟଙ୍କାରେ ଆଳୁ ଦେବାକୁ ନିଷ୍ପତ୍ତି ହୋଇଥିଲେ ବି ସେଠାକାର ବ୍ୟବସାୟୀ ରାଜି ନୁହଁନ୍ତି । ଏଭଳି ସମସ୍ୟାର ସମାଧାନ କେବଳ ସରକାରୀ ସ୍ତରରେ ହୋଇପାରିବ ବୋଲି ବ୍ୟବସାୟୀ ମହାସଂଘ କହିଛି । ପାଇକାରୀ ଦର ଯାହା ରହୁଛି ଖୁଚୁରା ଦର ବହୁତ ବଢ଼ି ଯାଉଛି ।

ଗତ ଦୁଇ ତିନି ସପ୍ତାହ ମଧ୍ୟରେ ଆଳୁ ଦର ୧୮ରୁ ୬୦ରେ ପହଁଚିଲାଣି । ଯୋଗାଣମନ୍ତ୍ରୀ କିନ୍ତୁ ଦର ନିୟନ୍ତ୍ରଣ କରିବାରେ ଫେଲ । ସରକାର ବି ହାତ ବାନ୍ଧି ବସିଛନ୍ତି ।

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪, ଅଲିମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ୍ ପଦକ

ପ୍ୟାରିସ : ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଁ ସ୍ପେନ ଓ ଭାରତ ମଧ୍ୟରେ ଚାଲିଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ବ୍ରୋଞ୍ଜ୍ ପଦକ ଉପରେ ନିଜ ଦାବିଦାରୀ ସାବ୍ୟସ୍ତ କରିଛି । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରିଛି । ଲଗାତର ଭାବେ ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ ହକି ଟିମର ଦ୍ୱିତୀୟ ପଦକ ।

ହରମନପ୍ରିତଙ୍କ ଦୁଇଟି ଗୋଲ୍ ଓ ଗୋଲ କିପର ଶ୍ରୀଜେଶଙ୍କ ୨ଟି ଗୋଲ ରକ୍ଷା ଭାରତକୁ ବ୍ରୋଞ୍ଜ ପଦକ ଦେଇଛି । ପ୍ୟାରିସ ଅଲିମ୍ପିକ୍ସରେ ହରମନପ୍ରିତଙ୍କ ଯାଦୁ ଦେଖିବାକୁ ମିଳିଥିଲା । କେବଳ ଗୋଟିଏ ମ୍ୟାଚକୁ ଛାଡି଼ ସେ ବାକି ମ୍ୟାଚରେ ଗୋଲ କରିଛନ୍ତି । ସେ ସମୁଦାୟ ୯ଟି ଗୋଲ କରିଛନ୍ତି ।

ଆଜିର ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

ପ୍ରଥମ କ୍ୱାର୍ଟରରେ ହୋଇ ନଥିଲା ଗୋଲ୍ । ଭାରତ ଓ ସ୍ପେନ ମଧ୍ୟରେ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଜୋରଦାର ଟକ୍କର ହୋଇଥିଲା । ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ କରିପାରି ନଥିଲେ । ପ୍ରଥମ କ୍ୱାର୍ଟର ୦-୦ରେ ଶେଷ ହୋଇଥିଲା ।

ପେନାଲ୍ଟି କର୍ଣ୍ଣରରେ ସ୍ପେନ ମାରିଲା ପ୍ରଥମ ଗୋଲ

ସ୍ପେନ୍ ମ୍ୟାଚର ପ୍ରଥମ ଗୋଲ କରିଥିଲା । ଦ୍ୱିତୀୟ କ୍ୱାର୍ଟରର ୧୨ ମିନିଟରେ ପେନାଲ୍ଟି ଷ୍ଟ୍ରୋକରେ ସ୍ପେନ୍ ପ୍ରଥମ ଗୋଲ ଦେଇଥିଲା । ସ୍ପେନ୍ ପକ୍ଷରୁ ମାର୍କୋ ମିରାଲେସ୍ ପ୍ରଥମ ଗୋଲ କରିଥିଲେ । ଅନ୍ୟପକ୍ଷରେ ଦ୍ୱିତୀୟ କ୍ୱାର୍ଟରର ଅନ୍ତିମ ମିନିଟର ଗୋଲ କରି ଭାରତ ସ୍କୋର ସମାନ କରିଥିଲା । କ୍ୟାପଟେନ ହରମନପ୍ରିତ ପେନାଲ୍ଟି କର୍ଣ୍ଣରରେ ଗୋଲ କରି ସ୍କୋରକୁ ସମାନ କରିଥିଲେ ।

ତୃତୀୟ କ୍ୱାର୍ଟରେ ଭାରତ ୨-୧ରେ ଆଗୁଆ

ଭାରତ ତୃତୀୟ କ୍ୱାର୍ଟରର ଆରମ୍ଭରେ ଗୋଲ କରି ମ୍ୟାଚରେ ଆଗକୁ ଯାଇଥିଲା । ଏହି ଗୋଲ ମଧ୍ୟ ପେନାଲ୍ଟି କର୍ଣ୍ଣର ଜରିଆରେ ଭାରତ ସ୍କୋର କରିଥିଲା । ଭାରତ ତୃତୀୟ କ୍ୱାର୍ଟରର ୩୩ ମିନିଟରେ ଦ୍ୱିତୀୟ ଗୋଲ କରି ସ୍ପେନକୁ ପଛରେ ଛାଡ଼ିଥିଲା ।

ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଶିରାପୁର ନୋଡାଲ ବିଦ୍ୟାଳୟରେ ଅଘଟଣ । ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ମେଡିକାଲରେ କରାଗଲା ଭର୍ତ୍ତି ।

ମିଳିଥିବା ଖବର ଅନୁସାରେ, ଆଜି ୩ ଶହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା । ଭାତ ସହ ତରକାରୀ ହୋଇଥିଲା । କିଛି ସମୟ ପରେ ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ କରାଯାଇଥିଲା । ଖାଦ୍ଯ ଖାଇବା ପରେ କେତେ ଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ । ପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବରମାନେ ଆମ୍ବୁଲାନ୍ସ ମାଧ୍ଯମରେ ପିଲାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ସୋର ବିଧାୟକ ମାଧବ ଧଡା ମେଡିକାଲରେ ପହଞ୍ଚି ପିଲାଙ୍କ ସ୍ଵାସ୍ଥ୍ଯ ଅବସ୍ଥା ପଚାରି ବୁଝିଛନ୍ତି ।

ଇଭିଏମ ଓ ଇସିଆଇଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ, କହିଲେ- ବିଜେପିର ଷଡଯନ୍ତ୍ର

ଭୁବନେଶ୍ବର: ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଇଭିଏମ ଓ ଇସିଆଇଙ୍କ ସ୍ବଚ୍ଛତାକୁ ନେଇ ଉଠାଇଲେ ପ୍ରଶ୍ନ । ଗତ ନିର୍ବାଚନରେ ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ ଭିତରେ ୫ କୋଟିର ବ୍ଯବଧାନ ଅଛି । ବିଜେପିର ଏହା ଷଡଯନ୍ତ୍ର ବୋଲି କହିଛନ୍ତି ଲେଖାଶ୍ରୀ । ଇସିଆଇଙ୍କ ବିନା ଅଗୋଚରରେ ଏହା ଅସମ୍ଭବ । ଓଡିଶା ଓ ଆନ୍ଧ୍ରରେ ଏହା କେବଳ ଦେଖାଯାଇଛି ବୋଲି କହିଛନ୍ତି ଲେଖାଶ୍ରୀ ।

କିଛି ଦିନ ତଳେ ଦେଶରେ ଏଡିଆର ଓ ଭୋଟ ଫର ଡେମୋକ୍ରାସି ରିପୋର୍ଟକୁ ନେଇ ତମ୍ବିତୋଫାନ ହୋଇଥିଲା । ଦେଶରେ ପାଖାପାଖି ୫ କୋଟି ସନ୍ଦିଗ୍ଧ ଭୋଟ ଯୋଗୁଁ ବିଜେପି ୭୯ଟି ଆସନରେ ଜିତି ପାରିଛି । ଚୂଡାନ୍ତ ମତଦାନ ଓ ଭୋଟ ସଂଖ୍ୟା ମଧ୍ୟରେ ରହିଥିବା ପାର୍ଥକ୍ୟରୁ ଏଭଳି ସନ୍ଦେହ ସୃଷ୍ଟି ହୋଇଥିଲା । ଭୋଟ ପାର୍ଥକ୍ୟ ଯୋଗୁଁ ବିଜେପି ଓଡିଶାରେ ୧୮ଟି ଲୋକସଭା ଆସନ ଜିତିଥିବା ଏହି ରିପୋର୍ଟରେ କୁହାଯାଇଛି ।

ପ୍ୟାରିସ୍ ଅଲିମ୍ପିକ୍ସ : କୁସ୍ତିର ୫୭ କିଲୋ ବର୍ଗରେ ସେମିଫାଇନାଲକୁ ଗଲେ ଅମନ ସହରାବତ

ନୂଆଦିଲ୍ଲୀ: ହରିଆନାର ଝଜର କୁସ୍ତିଯୋଦ୍ଧା ପ୍ୟାରିସ କରିଛନ୍ତି କମାଲ । ଅମନ ସହରାବତ ୫୭ କିଲୋ ବର୍ଗ କୁସ୍ତିରେ ଶାନାଦାର ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ପାଇଁ ସ୍ଥାନ ପକ୍କା କରିଛନ୍ତି । ଏହା ସହିତ ଭାରତ ପାଇଁ ଆଉ ଏକ ପଦକର ଆଶା ଉଜ୍ଜୀବିତ ହୋଇଛି । ଅମନ ,ଆସବେନିଆ କୁସ୍ତିଯୋଦ୍ଧାଙ୍କୁ ୧୨-୦ରେ ପରାସ୍ତ କରି ସେମିଫାଇନାଲକୁ ଯାଇଛନ୍ତି । ଏବେ ଅମନ ପଦକଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି । ଯଦି ସେ ସେମିଫାଇନାଲ ଜିତି ଫାଇନାଲକୁ ପ୍ରବେଶ କରନ୍ତି ତେବେ ରୌପ୍ୟ ପଦକା ପାଇବା ସୁନିଶ୍ଚିତ ।  ଆଉ ଯଦି ଫାଇନାଲରେ ବିଜୟୀ ହୁଅନ୍ତି ତେବେ ସ୍ୱର୍ଣ୍ଣ ପଦକ ପାଇବେ ।.

ଅମନଙ୍କ କ୍ୟାରିୟର

ଅମନଙ୍କ କ୍ୟାରିୟର ବେସ ଦମଦାର ରହି ଆସିଛି । ମାତ୍ର ୨୧ ବର୍ଷ ବୟସର ଏହି କୁସ୍ତିଯୋଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ଼ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗତବର୍ଷ ସେ ଏସିଆନ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିଭଳି ଚଳିତ ବର୍ଷ ଜାଗ୍ରେବରେ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ ।  ୨୦୨୨ରେ ସେ ୬୧ କିଲୋ ବର୍ଗରେ ରୌପ୍ୟ ପଦକ ପାଇଥିଲେ । ତେବେ ବର୍ତ୍ତମାନ ସେ ୫୭ କିଲୋ ବର୍ଗରେ ଖେଳୁଛନ୍ତି ।

ଜୀବନ ସଂଘର୍ଷପୂର୍ଣ୍ଣ

ଅମନଙ୍କ ଜୀବନ ସଂଘର୍ଷପୂର୍ଣ୍ଣ । । ପିଲାବେଳେ ସେ ନିଜ ଅଭିଭାବକଙ୍କୁ ହରାଇଥଇଲେ । ଏହାସତ୍ୱେ ଅମନ ହାରି ଯାଇନଥିଲେ । କଠୋର ସଂଘର୍ଷ ମଧ୍ୟରେ ସେ କୁସ୍ତିରେ ନିଜ କ୍ୟାରିୟର ଗଢିଥିଲେ । ଅମନ କେବଳ ନିଜେ କୁସ୍ତିରେ ନିଜ ପାଇଁ ପରିଚୟ ତିଆରି କରିନଥିଲେ । ସେ ମଧ୍ୟ ନିଜ ସାନ ଭଉଣୀର ଲାଳନପାଳନ କରି ତାକୁ ପଢାଇଥିଲେ । ଅର୍ଥର ଘୋର ଅଭାବ ମଧ୍ୟରେ ସେ ନୂଆଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ କୋଚ୍ ପ୍ରବୀଣ ଦାହିଆଙ୍କଠାରୁ କୁସ୍ତି ଶିଖିଥିଲେ ।

ଶଙ୍ଖ ଭବନରେ ବିଜେଡି ସମନ୍ବୟ ଓ କାର୍ଯ୍ୟାନୟନ କମିଟି ପ୍ରଥମ ବୈଠକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ସମନ୍ବୟ ଓ କାର୍ଯ୍ୟାନ୍ବୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ୧୫ ଜଣ ସଦସ୍ଯ ଉପସ୍ଥିତ ଥିଲେ । ରାଜ୍ୟର ଅନେକ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା ହୋଇଛି । ଦଳର ସଂଗଠନ ଓ କାର୍ଯ୍ୟପନ୍ଥା ନେଇ ପ୍ରସ୍ତୁତ ହୋଇଥିବା ରୂପରେଖର ଅନୁମୋଦନ ପାଇଁ ଦଳୀୟ ସଭାପତିଙ୍କ ପାଖରେ ଖସଡ଼ା ଉପସ୍ଥାପନ କରିବ କମିଟି ।

ତୃଣମୂଳ ସ୍ତରରେ କେମିତି କାମ କରିବ ବିଜେଡିର ସମନ୍ବୟ କମିଟି ? କଣ ରହିବ ଆଗାମୀ କାର୍ଯ୍ୟପନ୍ଥା ? ସରକାରଙ୍କୁ କେମିତି ଦିଆଯିବ ଚେକ ? ଏ ସମସ୍ତ ଦିଗକୁ ନେଇ ବିଜେଡିର ନୂଆ ସମନ୍ବୟ କମିଟିରେ ଟିଖିନିଖି ଆଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେଡି ସୁପ୍ରିମୋ ଗଠନ କରିଥିବା କମିଟିର ଆଜି ଥିଲା ପ୍ରଥମ ବୈଠକ । ଏଥିରେ  ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ. ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ରହି ଦଳୀୟ ସଂଗଠନ ଓ ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି । ଦୀର୍ଘ ଦିନ ପରେ ଆଜି ବିରୋଧୀ ଦଳରେ ଅଛି ବିଜେଡି । ନବୀନଙ୍କ ବିକାଶ ସଂକଳ୍ପକୁ ଆଗେଇ ନେବାକୁ ବୈଠକରେ ଖସଡା ପ୍ରସ୍ତୁତ କରାଯାଇଛି । ଯାହାର ଅନୁମୋଦନ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବ କମିଟି ।

ବିରୋଧୀ ଦଳକୁ ଆସିବା ପରେ କେମିତି ଚାଲିବ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ? କେମିତି ଆଗେଇବ ସଂଗଠନ ? ସେ ସବୁ ବିସ୍ତାର ଭାବେ ସମନ୍ବୟ ଓ କାର୍ଯ୍ୟାନ୍ବୟନ କମିଟି ବୈଠକରେ ଆଲୋଚନା ହୋଇଛି । ବିରୋଧୀ ଦଳ ଭାବେ କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରାଯିବ ସେସବୁର ରୋଡମ୍ୟାପ କରିଛି । କ୍ଷମତାକୁ ଆସୁ ଆସୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟରେ ଓଡ଼ିଶାକୁ ଅଣଦେଖା ନେଇ ଲୋକଙ୍କ ପାଖକୁ କିପରି ଯିବ ଦଳ, ତାର ବ୍ଲୁ-ପ୍ରିଣ୍ଟ ଜାରି କରାଯାଇଛି । ସେହିପରି ଅକ୍ଟୋବର ଦୁଇରୁ ପଦଯାତ୍ରା ଓ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନର ଢାଞ୍ଚା ବି ଏହି ବୈଠକରେ ପ୍ରସ୍ତୁତ ହୋଇଛି । ସେହିପରି ଯୁବ, ଛାତ୍ର, ମହିଳା, କୃଷକ ପରି ଅନେକ ଛାମୁଆ ସଂଗଠନ ଗୁଡ଼ିକର ରୂପରେଖ ଓ ଦାୟିତ୍ବ ନେବାର ମାପଦଣ୍ଡ ବି ସ୍ଥିର କରାଯାଇଛି ।

ବିଜେଡି କାର୍ଯ୍ୟକ୍ରମରେ ଆଦିବାସୀଙ୍କ ବିକାଶକୁ ଦିଆଯାଉଛି ପ୍ରଧାନ୍ୟ । ଏଥିପାଇଁ ପ୍ରତିବର୍ଷ ଭଳି ଆସନ୍ତାକାଲି ଅଗଷ୍ଟ ୯ ଶଂଖ ଭବନରେ ପାଳିତ ହେବ ଅନ୍ତର୍ଜାତୀୟ ଆଦିବାସୀ ଦିବସ । ଯେଉଁଥିରେ ବହୁ ଆଦିବାସୀ ସଂପ୍ରଦାୟ ନିଜ କଳାର ପ୍ରଦର୍ଶନ କରିବେ । ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀ ବିକାଶ ପାଇଁ କଣ କରିଥିଲେ ନବୀନ ସରକାର ଓ ବିରୋଧୀରେ ରହି କିପରି ଆଦିବାସୀ ବିକାଶ କରାଯିବ, ସେ ଦିଗରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ ।

ବାଂଲାଦେଶ ପାଇଁ କାହିଁକି ଟାର୍ଗେଟରେ ପ୍ରିୟଙ୍କା,ବରୁଣ ଧବନ ଓ ସାମନ୍ଥା ରୁଥଙ୍କ ଭଳି ବଲିଉଡ୍ ସେଲିବ୍ରିଟି ?

ଢାକା: ଜଳୁଛି ବାଂଲାଦେଶ  । ଚାରିଆଡେ ଏବେ ହିଂସାର ନିଆଁ  । ପ୍ରଧାନମନ୍ତ୍ରୀ ଶୈଖ ହସିନାଙ୍କ ଇସ୍ତଫା ପରେ ଆତ୍ମଘୋଷିତ ଇସଲାମ୍‌ ଧର୍ମଗୁରୁ ମାନେ ରାସ୍ତାକୁ ଓହ୍ଲାଇଛନ୍ତି  । ହିନ୍ଦୁ ଦଳିତଙ୍କୁ ଆକ୍ରମଣ କରୁଛନ୍ତି ଏହି ଗୋଷ୍ଠୀ  । ସେମାନଙ୍କ ଘର ଜଳାଇଦେବା ସହ ମହିଳାଙ୍କୁ ଅପହରଣ କରିନେଉଛନ୍ତି  । ଚାରିଆଡେ ହିଂସାର ନିଆଁକୁ ବ୍ୟାପକ କରୁଛନ୍ତି ଏହି ଗୋଷ୍ଠୀ । ଯୁଦ୍ଧ ବିମାନରେ ଆସି ଭାରତରେ ଶରଣ ନେଇଥିବା ଶୈଖ ହସିନା ୟୁକେ ଠାରୁ ସୁରକ୍ଷା ଲୋଡିଛନ୍ତି  । କିନ୍ତୁ ଏହି ଅଭିଯୋଗକୁ ମିଛ କହି ସଫେଇ ଦେଇଛନ୍ତି ତାଙ୍କ ପୁଅ ସଜୀବ ୱାଜଦ ଜଏ  ।

 

ସେପଟେ ସୋସିଆଲ ମିଡିଆରେ ‘ଅଲ୍‌ ଆଇଜ୍‌ ଅନ ବାଂଲାଦେଶ ହିନ୍ଦୁଜ’ ଟ୍ରେଣ୍ଡ କରୁଛି  । ୟୁଜର ମାନେ ବଲିଉଡ ସେଲିବ୍ରିଟ୍ରିଙ୍କୁ ତାତ୍ସଲ୍ୟ କରିଛନ୍ତି  । ବାଂଲାଦେଶରେ ହିନ୍ଦୁ ଓ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ସତ୍ତ୍ବେ କାହିଁକି ବଲିଉଡ ଚୁପ୍‌ ଅଛି ତାକୁ ନେଇ ସମାଲୋଚନା କରିଛନ୍ତି ୟୁଜର  । ପୂର୍ବରୁ ଦକ୍ଷିଣ ଗାଜାର ରାଫାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ସମବେଦନା ଜଣାଇବାକୁ ଆଗେଇ ଆସିଥିଲା ବଲିଉଡ  । ଏହି ଆକ୍ରମଣରେ ୪୫ ଜଣ ପ୍ରାଣ ହରାଇ ଥିାବବେଳେ ୨୦୦ ଜଣ ଆହତ ହୋଇଥିଲେ ।

 

ପ୍ରିୟଙ୍କା ଚୋପ୍ରା, ବରୁଣ ଧୱନ, ଆଲିଆ ଭଟ୍ଟ, ସାମନ୍ଥା ରୁଥୁ ପ୍ରଭୁ, ତୃପ୍ତି ଡିମରି ଏବି ରିଚ୍ଚା ଚଡ୍‌ଢାଙ୍କ ଭଳି ସେଲିବ୍ରିଟି ସେତେବେଳେ ନିଜ ସୋସିଆଲ ମିଡିଆରେ ଅଲ୍‌ ଆଇଜ ଅନ୍‌ ରାଫା ଲେଖି ସମବେଦନା ଜଣାଇଥିଲେ  । କିନ୍ତୁ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଲଗାତାର ଆକ୍ରମଣ ପରେ ବି ଜଣେ ବଲିଉଡ ସେଲିବ୍ରିଟି ଏଥିପ୍ରତି ଧ୍ୟାନ ନଦେବା ସହ ସୋସିଆଲ ମିଡିଆରେ ପଦଟିଏ ବି ପୋଷ୍ଟ କରିନାହାନ୍ତି  ।