spot_img
Home Blog Page 1715

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ

ପୁରୀ: ଆଜି ପୁଣି ବସିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ବୈଠକ। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ l ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାର କେଉଁଦିନ ଖୋଲାଯିବ, ତା ଉପରେ ଆଲୋଚନା କରାଯିବ। କମିଟିର ପ୍ରଥମ ବୈଠକ ଗତ ୬ ତାରିଖରେ ବସିଥିବା ବେଳେ, ରତ୍ନଭଣ୍ଡାରର ଚାବି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଆଜି ସେହି ଡୁପ୍ଲିକେଟ୍ ଚାବିକୁ କମିଟି ସାମ୍ନାରେ ଉପସ୍ଥାପନ କରାଯିବ। ଟ୍ରେଜେରୀରେ ଥିବା ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ନଖୋଲିଲେ, ତାଲା ଭଙ୍ଗାଯିବ ବୋଲି ପୂର୍ବରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।

କେବେ ଫେରିବେ ସୁନୀତା? ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମସ

ନନ୍ଦିଘୋଷ ବ୍ୟୁରୋ: କ’ଣ ହେବ ଭାରତୀୟ ଆମେରିକୀୟ ମହାକାଶଚାରିଣୀ ସୁନୀତା ୱିଲିୟମସଙ୍କ ଭାଗ୍ଯ। ଇତିହାସ ରଚିବାକୁ ଯାଇ ମହାକାଶରେ ଜୀବନ ଯୁଦ୍ଧ ଜାରି ରଖିଛନ୍ତି ସୁନୀତା। ବୋଇଂ ଷ୍ଟାରଲାଇନରେ ମହାକାଶ ମିଶନରେ ଯାଇଥିବା ସୁନୀତାଙ୍କ ପୃଥିବୀକୁ ଫେରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କକ୍ଷପଥରେ ସ୍ପେସକ୍ରାଫ୍ଟର ଆୟୁଷ ୪୫ ଦିନ ରହିଛି। ଗତ ଜୁନ ୫ରେ ଏହି ସ୍ପେସକ୍ରାଫ୍ଟକୁ ମହାକାଶ ଛଡାଯାଇଥିଲା। ଏହି ଅଭିଯାନ ମାତ୍ର ୭ ଦିନ ଲାଗି ଉଦ୍ଦିଷ୍ଟ ଥିଲା। ମାତ୍ର ଷ୍ଟାରଲାଇନରର ସର୍ଭିସ ମଡ୍ଯୁଲରେ ତ୍ରୁଟି କାରଣରୁ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛି। ଗତ ମେ ୨୫ରେ ଏହାକୁ ଛଡାଯିବା ଲାଗି ଯୋଜନା କରାଯାଇଥିଲା। ମାତ୍ର ହିଲିୟମ ଲିକ୍ କାରଣରୁ ଏହାକୁ ସ୍ଥଗତି ରଖାଯାଇଥିଲା। ସୁନୀତାଙ୍କ ସହ ସହଯୋଗୀ ମହାକାଶଚାରୀ ଅଛନ୍ତି ବଚ୍ ୱିଲମୋର। ସ୍ପେସକ୍ରାଫ୍ଟକୁ ଆମେରିକାର କେପ କାନାଭେରାଲ ଷ୍ଟେସନରୁ ଲଞ୍ଚ କରାଯାଇଥିଲା। ମାତ୍ର ମହାକାଶରେ ଏହାର ରିଆକ୍ସନ କଣ୍ଟ୍ରୋଲ ସିଷ୍ଟମ ବା ଆରସିଏଫ ଅକାମି ହୋଇଯାଇଥିଲା। ଫଳରେ ମହାକାଶ ଅଭିଯାନର ସମୟ ବଢାଯିବା ସହ ସେମାନେ ନିରାପଦରେ କିପରି ପୃଥିବୀ ପୃଷ୍ଠକୁ ଫେରିବେ ସେଥିଲାଗି ବୈଜ୍ଞାନିକମାନେ ଆପ୍ରାଣ ଉଦ୍ଯମ ଜାରି ରଖିଛନ୍ତି।

ତେବେ ସ୍ପେସକ୍ରାଫ୍ଟର ଲିମିଟକୁ ୪୫ ଦିନରୁ ଅଧିକ କରିବାକୁ ଉଦ୍ଯମ କରାଯାଉଥିବା କହିଛନ୍ତି ସ୍ପେସ ଏଜେନ୍ସି ମ୍ଯାନେଜର ଷ୍ଟିଭ ଷ୍ଟିଚ। ଏବେ ପ୍ରଶ୍ନ ଉଠୁଛି ବିଳମ୍ବ କାରଣରୁ ବୋଇଂ ଷ୍ଟାରଲାଇନର ବିସ୍ଫୋରଣ ହେବନାହିଁ ତ। ପୂର୍ବରୁ ଗତ ୨୦୧୯ରେ ଷ୍ଟାରଲାଇନର ବି କକ୍ଷପଥରେ ପହଞ୍ଚିବାରେ ଅକ୍ଷମ ହୋଇଥିଲା। ତେବେ ସେଥିରେ କେହି ମହାକାଶଚାରୀ ନଥିଲେ। ପରେ ଜଣାଯାଇଥିଲା ଯେ ଅନବୋର୍ଡ କ୍ଲକକୁ ସଠିକ ଭାବେ ସେଟ୍ କରାଯାଇ ନଥିଲା। ମହାକାଶରେ ମାଧ୍ଯାକର୍ଷଣ ଶକ୍ତିର ଅଭାବ ଯୋଗୁ ଶରୀରର ତରଳ ପଦାର୍ଥ ଦୁର୍ବଳ ହୋଇଯାଏ ଏବଂ ଶରୀରର ବିଭିନ୍ନ ଅଂଶକୁ ଏହା ପ୍ରସାରିତ ହେଇପାରି ନଥାଏ। ଏହାର ପ୍ରଭାବ କିଡନୀ ଉପରେ ପଡିଥାଏ। ଫଳରେ ଡିହାଇଡ୍ରେସନ ସମେତ ଅନ୍ଯାନ୍ଯ ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡିଥାଏ ଯାହା ବିପଦପୂର୍ଣ୍ଣ। ଅତୀତରେ ଭାରତୀୟ-ଆମେରିକୀୟ ମହାକାଶଚାରୀ କଳ୍ପନା ଚାୱଲା ୧ ଫେବ୍ରୁଆରୀ ୨୦୦୩ରେ ପୃଥିବୀ ପୃଷ୍ଠକୁ ଫେରୁଥିବାବେଳେ ସ୍ପେସ ସଟଲ କଲମ୍ବିଆ ବାୟୁମଣ୍ଡଳରେ ମିଳାଇଯିବାରୁ କଳ୍ପନାଙ୍କ ସମେତ ୭ ଜଣଙ୍କର ପ୍ରାଣହାନି ଘଟିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ପୁଟିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ମଜଭୁତ ହେବ ଭାରତ- ରୁଷିଆ ସମ୍ପର୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ଯରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଦୁଇ ରାଷ୍ଟ୍ର ମଧ୍ଯରେ କୌଶଳଗତ ସମ୍ପର୍କ ବୃଦ୍ଧି ଲାଗି ଦୁଇ ନେତା ରଖିଛନ୍ତି ଭିଜନ। ଆଜି ମସ୍କୋରେ ୨୨ତମ ଭାରତ-ରୁଷିଆ ସମ୍ମିଳନୀରେ ଦୁଇ ନେତା ଯୋଗ ଦେବା ସହ ଶକ୍ତି, ବାଣିଜ୍ଯ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଆଲୋଚନା କରିବେ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ୟୁକ୍ରେନ ପ୍ରସଙ୍ଗ ବି ସ୍ଥାନ ପାଇବା ସମ୍ଭାବନା ରହିଛି। ଦ୍ବିପାକ୍ଷିକ ସମ୍ମିଳନୀ ପୂର୍ବରୁ ମୋଦିଙ୍କ ଲାଗି ପୁଟିନ ଏକ ଡିନର ଆୟୋଜିତ କରିଥିଲେ। ଦଶନ୍ଧି ଧରି ଦୁଇ ଦେଶ ମଧ୍ଯରେ ସ୍ବାସ୍ଥ୍ଯ, ନିବେଶ, ଶିକ୍ଷା, ସଂସ୍କୃତି, ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ। ଆଜି ମସ୍କୋରୁ ଅଷ୍ଟ୍ରିଆ ଅଭିମୁଖେ ଗସ୍ତ କରିବେ ମୋଦି।

ଗତ ୨୦୨୧ ଡିସେମ୍ବର ୬ରେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ ପୁଟିନ। ମସ୍କୋରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ରୁଷିଆ ଉପପ୍ରଧାନମନ୍ତ୍ରୀ ଦେନିସ ମାନ୍ତୁରୋଭ। ଏହି ଅବସରରେ ସେଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷ ଥର ଲାଗି ୪୧ ବର୍ଷ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଷ୍ଟ୍ରିଆ ଗସ୍ତ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ଏହା ହେଉଛି ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ। ଦ୍ବିପା୍କ୍ଷିକ ସମ୍ପର୍କ, ଆନ୍ତର୍ଜାତିକ ପ୍ରସଙ୍ଗ, ଆଞ୍ଚଳିକ ସ୍ଥିରତା ଆଦି ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା। ଶେଷ ଥର ଲାଗି ୨୦୧୫ରେ ମସ୍କୋ ଗସ୍ତ କରିଥିଲେ ମୋଦି। ବିଶେଷ କରି ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ନେଇ ଦୁଇ ଦେଶ ମଧ୍ଯରେ ସମ୍ପର୍କ ମଜଭୁତ କରିବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ଯୁଦ୍ଧକୁ କେନ୍ଦ୍ର କରି ରୁଷୀୟ କମ୍ପାନିଙ୍କ ଉପରେ ପାଶ୍ଚାତ୍ଯ ରାଷ୍ଟ୍ରର କଟକଣା ପରେ ଭାରତ ଓ ଚୀନ ବର୍ତ୍ତମାନ ରହିଛନ୍ତି ରୁଷିଆର ପ୍ରମୁଖ ତୈଳ ପାର୍ଟନର। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଆଜି ଯାଏ ଭାରତ ରୁଷିଆକୁ ଦୋଷ ଦେଇନାହିଁ। କେବଳ ଶାନ୍ତିପୂର୍ଣ୍ଣ ସମସ୍ଯା ଚାହିଁଛି।

ସନ୍ଧ୍ଯା ଆଳତି ପରେ ଆଡପ ମଣ୍ଡପ ବିଜେ ହେବ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ । ସନ୍ଧ୍ଯା ଆଳତି ପରେ ଆଡପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ଗୋଟି ପହଣ୍ଡିରେ ମହାପ୍ରଭୁଙ୍କ ଆଡପ ବିଜେ ନୀତି ଅନୁଷ୍ଠିତ ହେବ । ଏବେ ଶରଧାବାଲିରେ ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ରଥ ଉପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତ କୃତାର୍ଥ ହେଉଛନ୍ତି ।

ଦିବ୍ଯ ଦର୍ଶନ କରି ଜୀବନକୁ ଧନ୍ଯ ମନେ କରୁଛନ୍ତି ଭକ୍ତ । ଗତ ରବିବାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ସମ୍ପନ୍ନ ହୋଇଥିଲା । ଗତକାଲି ଅଧାରେ ରହିଥିବା ତିନି ରଥକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶରଧାବାଲିକୁ ଟାଣି ଆଣିଥିଲେ ।

ଅପମାନ ସହ ମାଡ଼ ମାରିଲେ ପ୍ରେମିକା ପରିବାର, ଜୀବନ ହାରିଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୁଞ୍ଜବନଗଡ଼ରେ ଅଭାବନୀୟ ଘଟଣା । ଅପମାନ ସହି ନପାରି ଜୀବନ ହାରିଲେ ଯୁବକ । ମୃତକ ହେଲେ କୁଞ୍ଜବନଗଡ଼ର ଯୁକ୍ତ ୩ ଛାତ୍ର ମନମୋହନ ମହାପାତ୍ରଙ୍କ ପୁଅ ଶୁଭମ ମହାପାତ୍ର । ପ୍ରେମିକାକୁ ଚିଠି ଦେଇ ଧରା ପଡିବାରୁ କମ୍ପୁଟର କ୍ଲାସ ଯିବା ସମୟରେ ପ୍ରେମିକାର ପରିବାର ଲୋକେ ଅଟକାଇ ମାଡ଼ ମାରିବା ସହିତ ଗାଳିଗୁଲଜ କରିଥିଲେ। ଫଳରେ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଶୁଭମର ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଶୁଭମଙ୍କ ଶବକୁ ଝିଅ ଘର ସାମ୍ନାରେ ରଖି ଆନ୍ଦୋଳନ କରିଥିଲେ ଶୁଭମଙ୍କ ପରିବାର । ଦଶପଲ୍ଲା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ପରେ ପ୍ରେମିକର ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି ।

ୟୁକ୍ରେନ ଉପରେ ରୁଷିଆର ବଡ଼ଧରଣର ହମଲା

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ବଡ଼ଧରଣର ହମଲା। କିବସ୍ଥିତ ଶିଶୁ ହସ୍ପିଟାଲରେ ଉପରେ ଷ୍ଟ୍ରାଇକ। ଏୟାର ଷ୍ଟ୍ରାଇକରେ ୩୧ ଜଣଙ୍କ ମୃତ୍ଯୁ ସୂଚନା। ଏୟାର ଷ୍ଟ୍ରାଇକ ଯୋଗୁ ହସ୍ପିଟାଲର ବ୍ଯାପକ କ୍ଷତି ଘଟିଛି। ଓଖମାତିଦିତ ଶିଶୁ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି ରୁଷିଆ। ୟୁକ୍ରେନର ସର୍ବବୃହତ ଶିଶୁ ହସ୍ପିଟାଲ ଉପରେ ଆକ୍ରମଣ ପରେ ଦେଶରେ ଆତଙ୍କ ପ୍ରକାଶ ପାଇଛି। ପୋଲାଣ୍ଡ ଗସ୍ତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଥିବାବେଳେ ଏହି ହମଲା ଘଟିଛି। ରକ୍ତମୁଖା ରୁଷିଆ ୟୁକ୍ରେନର ବହୁ ଅଞ୍ଚଳରେ ଏକାଧିକ ମିସାଇଲ ଷ୍ଟ୍ରାଇକ କରିଛି। ହସ୍ପିଟାଲରେ ଡାକ୍ତର, ସ୍ବେଚ୍ଛାସେବୀ, ରେସ୍କ୍ଯୁ ଟିମ ଅପରେସନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୟୁକ୍ରେନରେ ବିଦ୍ଯୁତ ଅଭାବ ଯୋଗୁ ହାହାକାର ସ୍ଥିତି ସୃଷ୍ଟି ହୋଇଥିବାବେଳେ ରୁଷିଆର ହମଲା ଦେଶ ଲାଗି ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ଜେଲେନସ୍କି କହିଛନ୍ତି ରୁଷିଆ ପକ୍ଷରୁ ୪୦ରୁ ଅଧିକ ମିସାଇଲ ମାଡ କରାଯାଇଛି। ହସ୍ପିଟାଲର ଅଧିକାଂଶ ଭାଗ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଏହି ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ।

ଋତୁସ୍ରାବ ଛୁଟି ନେଇ  ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନନ୍ଦିଘୋଷ ବ୍ୟୁରୋ: ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପ୍ରସଙ୍ଗ କୋର୍ଟଙ୍କ ଅଧୀନରେ ନୁହେଁ। ଏହା ହେଉଛି କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ନୀତି ନିୟମର କଥା। ଏଥିରେ କୋର୍ଟ କିଛି କରିବାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ମାସିକ ଋତୁସ୍ରାବ ସମୟରେ ମହିଳାମାନେ ଅନେକ ସମସ୍ଯାର ସମ୍ମୁଖୀନ ହୋଇଥିବା ଦର୍ଶାଇ ସବୈତନିକ ଛୁଟି ଦେବା ପାଇଁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଆଇଏଲ୍ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦିଆଯିବ କି ନାହିଁ, ଏହା କୋର୍ଟ ହସ୍ତକ୍ଷେପ କରିବାର ବିଷୟବସ୍ତୁ ନୁହେଁ। ଆବେଦନକାରୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ ଓ ଅତିରିକ୍ତ ସଲିସିଟର ଜେନେରାଲଙ୍କ ନିକଟରେ ନିଜ ଦାବି ଉଠାଇ ପାରିବେ। ସମସ୍ତଙ୍କ ସହିତ ସବୁଆଡୁ ବିଚାର କରି ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଆମେ ସଂପୃକ୍ତ ବିଭାଗର ସଚିବଙ୍କୁ ଅନୁରୋଧ କରୁଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ କୋର୍ଟ ଆଉ ଏକ କଥା କହିଛନ୍ତି- ଯଦି ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପାଇଁ ସଂସ୍ଥାଗୁଡ଼ିକ ବାଧ୍ଯ କରାଯିବ, ତେବେ ହୁଏତ ମହିଳାଙ୍କୁ ଚାକିରି ଦିଆଯାଇନପାରେ। ମହିଳାଙ୍କୁ ଚାକିରି ଦେବାକୁ କୁଣ୍ଠାବୋଧ କରିବେ ସଂସ୍ଥାମାନେ। ଏହା ଦ୍ଵାରା ମହିଳାଙ୍କ ଭଲ ହେବା ବଦଳରେ  ମନ୍ଦ ହେବ। ସେମାନେ ଚାକିରିରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରିଛନ୍ତି ସୁପ୍ରିମକୋର୍ଟ। ଏବେ କେବଳ ବିହାର ଓ କେରଳରେ ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ମିଳୁଛି। ବିହାରରେ ୨ ଦିନ ଛୁଟି ଦିଆଯାଉଥିବା ବେଳେ କେରଳରେ ୩ ଦିନ ଛୁଟି ଦେଉଛନ୍ତି ।

 

ମଗଜ ଦାନା, ଶାମୁକା ଏବଂ ଶଙ୍ଖରେ ଶ୍ରୀଜଗନ୍ନାଥଙ୍କ ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ସାଇକେଲ ମେକାନିକଙ୍କ ଚିତ୍ର ଆଙ୍କିବା ନିଶା। ସୂକ୍ଷ୍ମ କାରୁକାର୍ଯ୍ଯରେ ଜଗନ୍ନାଥ ସଂସ୍କୃତିର ଝଲକ। ମଗଜ ଦାନା, ଶାମୁକା ଏବଂ ଶଙ୍ଖରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି ସୁବର୍ଣ୍ଣପୁର ସୁବଳୟାର ମୁନା ମହାରଣା। ପେଶାରେ ଜଣେ ସାଇକେଲ ମେକାନିକ ମୁନା କିନ୍ତୁ ନିଶା ତାଙ୍କର ଚିତ୍ର ଆଙ୍କିବା । ୧ ଇଞ୍ଚିଆ କାଠିରେ ସେ ରଥ ମଧ୍ଯ ନିର୍ମାଣ କରିଛନ୍ତି।

ମଗଜ ଦାନା, ଶାମୁକା ଏବଂ ଶଙ୍ଖରେ ଶ୍ରୀଜଗନ୍ନାଥଙ୍କ ଚିତ୍ର। ସୂକ୍ଷ୍ମ କାରୁକାର୍ଯ୍ଯରେ ରହିଛି ଜଗନ୍ନାଥ ସଂସ୍କୃତିର ଝଲକ। ମାଇକ୍ରୋ ଆର୍ଟ କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ମୁନା ମହାରଣା । ପେଶାରେ ଜଣେ ସାଇକେଲ ମେକାନିକ, ନିଶା କିନ୍ତୁ ଚିତ୍ର ଆଙ୍କିବା । ୪୦ଟି ମଗଜ ଦାନାରେ ଅତି ଆକର୍ଷଣୀୟ ଭାବେ ଜଗନ୍ନାଥଙ୍କ ଚିତ୍ର ଅଙ୍କିଛନ୍ତି ମୁନା। ତିନି ରଥ ମାତ୍ର ୧ ଇଞ୍ଚିଆ କାଠିରେ ନିର୍ମାଣ ହୋଇଛି। ପତ୍ରରେ ବି ଝଲସି ଯାଉଛି ମୁନାଙ୍କ କଳାକୃତି । ସେଥିପାଇଁ ତ ମୁନାଙ୍କୁ ନିଆରା ଜଗନ୍ନାଥ ସେବକ କୁହନ୍ତି ଅଞ୍ଚଳବାସୀ।

ପୂର୍ବରୁ ଛୋଟ ଛୋଟ ଜିନିଷରେ ନିଖୁଣ ଭାବରେ ଶ୍ରୀଜିଉଙ୍କ ପ୍ରତିଛବି, ଦଶାବତାର ତିଆରି କରିସାରିଛନ୍ତି ମୁନା।  ଚାଉଳ ଉପରେ ଗୀତ ଗୋବିନ୍ଦ ରଚନା ମୁନାଙ୍କ ସର୍ବଶ୍ରେଷ୍ଠ କଳାକୃତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସାଇକଲର ଛୋଟ ଛୋଟ ସାମଗ୍ରୀ ତଥା ତୁଳସୀ ଜଟାରେ ବି ମୁନା ଜଗନ୍ନାଥ ଫଟୋ ଚିତ୍ର ଅଙ୍କନ କରିପାରନ୍ତି । ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସୂକ୍ଷ୍ମ ମୂର୍ତ୍ତି ଆଙ୍କି ସେ ଖୁବ୍ ଖ୍ୟାତି ଅର୍ଜନ କରିବା ସହିତ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

 

 

ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଡାକ୍ତର ଶାନ୍ତନୁ ପାଢ଼ୀ କହିଛନ୍ତି, ମେଡିକାଲ ଛକରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁବାକୁ ଯାଇଥିବା ବେଳେ ସେଠାରେଥିବା ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଡାକ୍ତର ବୋଲି ପରିଚୟ ଦେବା ସତ୍ତ୍ବେ ପୋଲିସ ମାଡ଼ ମାରିଥିବା କହିଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ସେ ଏବାବଦରେ ଅବଗତ କରାଇଛନ୍ତି ଶାନ୍ତନୁ। ତାଙ୍କୁ ଦୁର୍ବ୍ଯବହାର କରିଥିବା ପୋଲିସ ଅଧିକାରୀଙ୍କ ନାଁ ଅମରେଶ ପଣ୍ଡା ବୋଲି କହିଛନ୍ତି ଶାନ୍ତନ୍ତୁ ପାଢ଼ୀ।

ଭୁବନେଶ୍ବରରେ ଦବିଲା ଏନଏଚ ଫ୍ଲାଏଓଭର ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଦବିଲା ଏନଏଚ ଫ୍ଲାଏଓଭର ରାସ୍ତା । ଡୁମଡୁମା ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଛି । ଟ୍ରକଟିର ଚକା ମଧ୍ଯ ରାସ୍ତା ସହ ଦବିଯାଇଛି । ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଜାତୀୟ ରାଜପଥରେ ଏହି ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା । ମାତ୍ର ୬ ମାସରେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ ।