spot_img
Home Blog Page 1714

ସହାୟତା ଅପେକ୍ଷାରେ ସ୍ବପ୍ନାରାଣୀ

ନନ୍ଦିଘୋଷ ବ୍ୟୁରୋ: ଦିନେ ଘରର ସବୁ କାମ କରୁଥିଲେ ଆଜି ଶଯ୍ଯାଶାୟୀ। ଦଇବର ବଡ ବିଚିତ୍ର ବିଚାର । ଦୁଇ ବର୍ଷ ହେବ ବୋନ ଟ୍ୟୁମରରେ ପୀଡିତ ଯାଜପୁର ବିଞ୍ଝାରପୁର ଫତେପୁରର ସ୍ୱପ୍ନାରାଣୀ ରଣା।  ଦିନ ମଜୁରିଆ ଭାବେ କାମ କରନ୍ତି ସ୍ବପ୍ନାଙ୍କ ସ୍ବାମୀ। BSKY କାର୍ଡରୁ ଚିକିତ୍ସା ହୋଇଥିଲେ ମଧ୍ଯ ଆହୁରି ଅଧିକ ଅର୍ଥର ଆବଶ୍ଯକତା ପଡୁଛି। ଆର୍ଥିକ ସହାୟତା ପାଇଁ ପିରବାର ଲୋକେ ନିବେଦନ କରିଛନ୍ତି।

ଦଇବର ବିଚାର ବଡ ବିଚିତ୍ର। ଓଳିଏ ଖାଇ ଓଳିଏ ଉପାସ ରହୁଥିବା ଗରିବ ପରିବାର ଉପରେ ରୋଗ ସାଜିଛି ଦାଉ। ଘରର ସମସ୍ତ କାର୍ଯ୍ୟ କରୁଥିବା ଲୋକଟି ଆଜି ଶଯ୍ୟାଶାୟୀ। ଯାଜପୁର ବିଞ୍ଝାରପୁର ବ୍ଲକ ଫତେପୁରର ସ୍ୱପ୍ନାରାଣୀ ରଣା। ବୋନ ଟ୍ୟୁମରରେ ପୀଡିତ ସ୍ବପ୍ନାରାଣୀଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପରିବାର କହିଲେ ସ୍ଵାମୀ , ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ। ସ୍ଵାମୀ ଉଦକର ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ଚଳେ ପରିବାର। ଦୁଇ ବର୍ଷ ପୂର୍ବରୁ ସ୍ବପ୍ନାରାଣୀଙ୍କର ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ଅନ୍ଯକୁ ନେହୁରା ହେଉଛନ୍ତି ପରିବାର ।

ଟଙ୍କା ଅଭାବରୁ ପିଲାଙ୍କର ପାଢ ପଠା ମଧ୍ଯ ଠିକରେ ହୋଇପାରୁନି। ଅନ୍ୟପଟେ ମାଆର ଏଭଳି ଅବସ୍ଥା ସମୟରେ ଘରର ସମସ୍ତ କାମ କରୁଛି କୁନି ଝିଅ। ମାଆଙ୍କ ସେବାରେ ଲାଗିଥିବାରୁ ଝିଅ ମଧ୍ଯ ପାଠ ପଢିପାରୁନି। ଘରର ଏଭଳି ପରିସ୍ଥିତିରେ ଉଦକର ମଧ୍ଯ ବାହାରକୁ କାମ କରିବାକୁ ଯାଇପାରୁନାହାନ୍ତି। ସ୍ଥିତି ଏମିତି ହେଲାଣି ଓଳିଏ ଖାଇଲେ ଆଉ ଓଲିଏ ଉପାସ ରହିବାକୁ ପଡୁଛି। BSKY କାର୍ଡରୁ ଚିକିତ୍ସା ହୋଇଥିଲେ ମଧ୍ଯ ଆହୁରି ଅଧିକ ଅର୍ଥର ଆବଶ୍ଯକତା ପଡୁଛି।

 

ରାଜ୍ୟରେ ଆଉ ତିନିଦିନ ଛେଚିବ

ନନ୍ଦିଘୋଷ ବ୍ୟୁରୋ: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖପାଖରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହାସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନଚାପରେଖା । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ । ଆସନ୍ତା କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ନୟାଗଡ, ଅନୁଗୁଳ, ବୈାଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ପ୍ରଭାବରେ କମିବ ଦୃଶ୍ୟମାନ ଦୂରତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଭାଙ୍ଗିବ କଚ୍ଚା ଘର, ପ୍ରଭାବିତ ହେବ କଚ୍ଚା ରାସ୍ତା । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳବନ୍ଦୀ ସ୍ଥିତି । ପାହାଡିଆ ଅଞ୍ଚଳରେ ଭୂସ୍ଖଳର ପରିସ୍ଥିତି ଉପୁଜିପାରେ । ସେହିଭଳି ପ୍ରବଳ ବର୍ଷା ନେଇ ୧୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ , ଜଗତସିଂହପୁର,କେନ୍ଦ୍ରାପଡା, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ଢେଙ୍କାନାଳ, ସମ୍ବଲପୁର, ବରଗଡ, ସୋନପୁର,ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ରାୟଗଡା ଓ ଦେଓଗଡ ରେ ପ୍ରବଳ ବର୍ଷା ଅର୍ଥାତ ୭ ରୁ ୧୧ ସେମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ସେପଟେ ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

https://www.youtube.com/watch?v=MkfxTbgRWkw

ଗ୍ଯାସ ଲିକ୍ ଘଟି ଜଣେ ମୃତ, ୫ ଶ୍ରମିକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ବୁଢୀପଦର ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ବଡ଼ ଅଘଟଣ। କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ କରିବାରୁ ୫ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଜଣେ ଶ୍ରମିକ ମୃତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ମାନଙ୍କୁ ଝାରସଗୁଡା ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ବ୍ରଜରାଜନଗରର ବରୁଣ ପ୍ରଧାନ। ସେ ଜଣେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଦୁର୍ଘଟଣା ପରେ କାରଖାନା ପରିସରରେ ଶ୍ରମିକଙ୍କ ମଧ୍ଯରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ରମିକ ମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ଦାହି କରିଛନ୍ତି ।

ରାଇଝରଣରେ ସାମୟିକ ଭାବେ ସ୍ଥଗିତ ହେଲା ଟ୍ରକ୍ ମାଲିକଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ରାଇଝରଣରେ ସାମୟିକ ଭାବେ ସ୍ଥଗିତ ହେଲା ଟ୍ରକ୍ ମାଲିକଙ୍କ ଧାରଣା। ପ୍ରଶାସନ ସହ ଆଲୋଚନା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି। ଯଦି ଦାବି ପୂରଣ ନହୁଏ ତେବେ ୮ ତାରିଖରେ ଟ୍ରକ ମାଲିକ ରାଇଝରଣରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଟ୍ରକ୍ ମାଲିକ।

ଅନୁଗୁଳ ଛେଣ୍ଡିପଦା ବ୍ଲକ ରାଇଝରଣରେ ଡାଲା ଟ୍ରକକୁ ଲୋଡିଙ୍ଗ ଦେବା ଦାବିରେ ଅର୍ଥନୈତିକ ଅବରୋଧ କରିଥିଲେ ଟ୍ରକ ମାଲିକ। ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା ପରେ ଟ୍ରକ ମାଲିକ ମାନେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ l ଛେଣ୍ଡିପଦା ଟ୍ରକ ମାଲିକ ତଥା ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ ଶତାଧିକ ଟ୍ରକ ମାଲିକ ରାଇଝରଣରେ ଧାରଣା ଦେଇଥିଲେ l କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଖଣିରେ ସେମାନଙ୍କ ଟ୍ରକ ଲୋଡିଙ୍ଗ କରୁଥିବା ବେଳେ, ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ଟ୍ରକକୁ ଲୋଡିଙ୍ଗ ଦେବାକୁ ଦାବି କରି ଆସୁଛନ୍ତି ଟ୍ରକ ମାଲିକ। ହେଲେ କୌଣସି ସୁଫଳ ମିଳୁନଥିବାରୁ ଧାରଣା ଦେଇଥିଲେ ଟ୍ରକ ମାଲିକ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଧାରଣାକୁ ସ୍ଥଗିତ ରଖିଛନ୍ତି ଟ୍ରକ୍ ମାଲିକ।

କେନ୍ଦୁପତ୍ରରୁ ଜିଏସଟି ହଟାଇବା ଦାବି ପ୍ରସଙ୍ଗ, ବିଜେପିକୁ ସମାଲୋଚନା କଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ବିଜେପିକୁ ସମାଲୋଚନା କଲା ବିଜେଡି। କେନ୍ଦୁପତ୍ରରୁ ଜିଏସଟି ହଟାଇବା ଦାବି ପ୍ରସଙ୍ଗ । କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ ପ୍ରତିଶୃତି ଦେଇଥିଲା ବିଜେପି । ୨୦୧୯ରେ ବିଜେପି ପ୍ରତିଶୃତି ଦେଇଥିଲା । ପଦମପୁର ଉପନିର୍ବାଚନ ସମୟରେ ବି ପ୍ରତିଶୃତି ଦେଇଥିଲା । ୨୦୧୬-୧୭ରେ କେନ୍ଦୁପତ୍ରରେ ଜିଏସଟି ଲାଗିନଥିଲା । ଜିଏସଟି ଲାଗିବା ପରେ ବ୍ୟବସାୟ କମିବାରେ ଲାଗିଛି । କେନ୍ଦୁପତ୍ର ତୋଳାଳିଙ୍କୁ ନବୀନ ଶତପ୍ରତିଶତ ବୋନସ ଦେଇଥିଲେ । କର୍ମଚାରୀଙ୍କୁ ନବୀନ ୨୫ ପ୍ରତିଶତ ବୋନସ ଦେଇଥିଲେ । ଜିଏସଟି ଲାଗିବା ଯୋଗୁ କେନ୍ଦୁପତ୍ର ତୋଳାଳିଙ୍କ ଲାଭ କମିଛି ।

ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ହିଂସାକାଣ୍ଡକୁ ନେଇ ଭାରତ ସୀମାରେ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଏବଂ ହିଂସାକାଣ୍ଡକୁ ନେଇ ଭାରତ ସୀମାରେ ଆଲର୍ଟ। ଭାରତରେ ଅନୁପ୍ରବେଶ ଆଶଙ୍କା ସୃଷ୍ଟି ହୋଇଛି। ଏହି ଅନୁପ୍ରବେଶ ର ମୁଖ୍ଯ ମାଧ୍ୟମ ଏବେ ଜଳପଥ ବା ସମୁଦ୍ର ମଧ୍ଯ ଦେଇ ହୋଇପାରେ। ଏଭଳି ସ୍ଥିତିରେ ସମୁଦ୍ର କୂଳବର୍ତ୍ତୀ ସାମୁଦ୍ରିକ ଥାନା ଗୁଡିକୁ ମଧ୍ଯ ସଜାଗ କରାଯାଇଛି। ତେବେ ଏହି ଅନୁପ୍ରବେଶକୁ ରୋକିବାର ପ୍ରମୁଖ ଭୁମିକା ଏବେ ମତ୍ସ୍ୟଜୀବୀଙ୍କ ହାତରେ। ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୈନିକ ୨୦ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥାନ୍ତି। ତେଣୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବର୍ଷକୁ ଦୁଇଥର ମତ୍ସ୍ୟଜୀବୀ ମାନଙ୍କୁ ପ୍ରସିକ୍ଷଣ କରାଯାଉଛି। ମତ୍ସ୍ୟଜୀବୀ ସବୁବେଳେ ସଚେତନ ଅଛନ୍ତି , ଯେ କୌଣସି ମୁହୁର୍ତ୍ତ ରେ କିଛି ବି ଘଟଣା ସେମାନଙ୍କ ନଜରକୁ ଆସେ, ତେବେ ସେମାନେ ସାଙ୍ଗେ ସାଙ୍ଗେ ବୋଟ ମାଲିକ, ମତ୍ସ୍ଯ ବିଭାଗ ଓ କୋଷ୍ଟଗାର୍ଡ କୁ ଜଣାଇ ଦିଆଯିବ ବୋଲି ସିଫ୍ ନେଟ ମତ୍ସ୍ଯ ବିଭାଗ ଅଧିକାରୀ ଓ ଓଡିଶା ସାମୁଦ୍ରିକ ମତ୍ସ୍ଯ ଉତ୍ପାଦକ ସଂଘ ପକ୍ଷରୁ କୁହାଯାଇଛି।

ବାଂଲାଦେଶ ହିଂସା ପରେ କୋଲକତା ସହ ଅନ୍ଯ ଜିଲ୍ଲାକୁ ଟ୍ରେନ ଚଳାଚଳ ବନ୍ଦ। ବସ୍ ଓ ବିମାନ ଚଳାଚଳ ବି ସ୍ଥଗିତ ରହିଛି। ସୁନ୍ଦରବନ ସମୁଦ୍ରରେ ତଟରକ୍ଷୀ ବାହିନୀ ସଜାଗ ରହିଛି। ସମସ୍ତ ଟ୍ରେନ, ଯାତ୍ରୀବାହି ବସ ଏବଂ ବିମାନ ସେବାକୁ ସ୍ଥଗିତ ରଖାଯାଇଛି । କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । କୋଲକତା ଢାକା ଏବଂ କୋଲକଚା ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଛି। କୋଲକାତାସ୍ଥିତ ଦକ୍ଷିଣ କୋଲକାତାରେ ଥିବା ପାର୍କ ସର୍କସ ଅଂଚଳରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।

ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲରେ ନୀରଜ

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ସିଧାସଳଖ ଫାଇନାଲକୁ ଗଲେ ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା । ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଯୋଗ୍ଯତା ପର୍ଯ୍ୟାୟରୁ ସିଧା ଫାଇନାଲକୁ ଯାଇଛନ୍ତି ନୀରଜ । ପ୍ରଥମ ଥ୍ରୋରେ ହିଁ  ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଥ୍ରୋରେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଗୌରବ ଆଣିଛନ୍ତି ନୀରଜ ।

ନବଘନ ପାଟ୍ଟଶାଣୀ ହତ୍ଯା ମାମଲା,  ଅଭିଯୁକ୍ତ ବଣ୍ଟିକୁ ଧରି କ୍ରାଇମ ସ୍ପଟରେ ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ବରମୁଣ୍ଡା ନବଘନ ପାଟ୍ଟଶାଣୀ ହତ୍ଯା ଘଟଣା। ମୁଖ୍ୟ ଅଭିଯୁକ୍ତ ବଣ୍ଟିକୁ ଧରିଛି କମିଶନରେଟ ପୋଲିସ। ତନାଘନା ପରେ ଉଠିଛି ହତ୍ଯାକାଣ୍ଡ ଉପରୁ ପରଦା। ଶ୍ରୀ ସାଇ ଲଜରେ ଘଟିଥିଲା ଏ ହତ୍ଯାକାଣ୍ଡ। ନବଘନଙ୍କୁ ଲଜକୁ ଡାକି ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ବଣ୍ଟି। ଏହାପରେ ମୃତଦେହକୁ ଏକ ଗାଡ଼ିରେ ନେଇ ନିଆଳି ଅଞ୍ଚଳରେ ଫିଙ୍ଗି ଦେଇଥିଲା। ଟଙ୍କା ନେଣଦେଣକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା କହିଛି ପୋଲିସ। ବଣ୍ଟି ନବଘନ ପାଟ୍ଟଶାଣୀଙ୍କ ନିକଟରେ କାମ କରୁଥିଲା। ନବଘନ ପାଟ୍ଟଶାଣୀ ଗତ ୧୭ ତାରିଖରେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ। ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା। ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା।

ସଂସଦ ବାହାରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ

ନୂଆଦିଲ୍ଲୀ : ସଂସଦ ଅଧିବେଶ ଚାଲିଥିବାବେଳେ ସଂସଦ ବାହାରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ। ଜୀବନ ବୀମା ଓ ମେଡିକାଲ ବୀମା ପ୍ରିମିୟମ ଉପରେ ଲାଗୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ଯାହାର କରିବା ଦାବିରେ ସାଂସଦମାନେ କରିଛନ୍ତି ବିକ୍ଷୋଭ। ପ୍ଲାକାର୍ଡ ଧରି ଜିଏସଟି ପ୍ରତ୍ଯାହାର ଦାବିରେ ସେମାନେ କରିଥିଲେ ଆନ୍ଦୋଳନ। ଗତ ଜୁଲାଇ ୨୯ରେ ରାଜ୍ଯସଭାରେ ତୃଣମୂଳ କଂଗ୍ରେସ ସାଂସଦ ପ୍ରଥମେ ଏହି ପ୍ରସଙ୍ଗ ଉଠାଇବା ପରେ ସରକାର ବିରୋଧରେ ତାତିଥିଲେ ବିରୋଧୀ। ଏହାକୁ ନେଇ ଗତ ଶୁକ୍ରବାର ଗୃହ ପରିତ୍ଯାଗ କରିଥିଲେ ଇଣ୍ଡିଆ ବ୍ଲକ ସାଂସଦ। ପ୍ରିମିୟମ ଉପରେ ଜିଏସଟି ଲାଗୁ ଯୋଗୁଁ ଏହା ଗରିବ ଓ ମଧ୍ଯବିତ୍ତ ପରିବାର ଉପରେ ବୋଝ ହେବ ବୋଲି କହିଥିଲେ ବିରୋଧୀ। ବଡକଥା ହେଉଛି ଏହି ଜିଏସଟି ହଟାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖିଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ।

ନଜର ପକାନ୍ତୁ ବାଂଲାଦେଶର ରକ୍ତାକ୍ତ ଇତିହାସ ଉପରେ

ଢ଼ାକା : ୧୯୭୫ ଅଗଷ୍ଟ ୧୫ରେ ବଂଗବନ୍ଧୁ  ତଥା ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନଙ୍କୁ  କରାଯାଇଥିଲା ହତ୍ଯା। ୧୯୭୫ ଅଗଷ୍ଟ ୧୫ରେ ଖୋନ୍ଦାକର ମସ୍ତାକ ଅହମ୍ମଦଙ୍କ ନେତୃତ୍ବରେ ସେନା କ୍ଷମତାସୀନ ହୋଇଥିଲା।

୧୯୭୫ ନଭେମ୍ବର ୩ରେ ସେନାମୁଖ୍ୟ ଖାଲେଦ ମୁସରଫଙ୍କ ନେତୃତ୍ବରେ ବିଦ୍ରୋହ ହୋଇଥିଲା ଏବଂ  ଖୋନ୍ଦାକର ଗାଦିଚ୍ଯୁତ ହୋଇଥିଲେ। ୧୯୭୫ ନଭେମ୍ବର ୭ରେ ବିଦ୍ରୋହ ଜରିଆରେ ଜେନେରାଲ ଜିଆଉର ରହମାନ ନେଇଥିଲେ କ୍ଷମତା। ୧୯୮୧ ମେ ୩୦ରେ ରାଷ୍ଟ୍ରପତି ଜିଆଉର ରହମାନଙ୍କୁ ହତ୍ଯାପରେ  ଉପରାଷ୍ଟ୍ରପତି ଅବଦୁସ ସତ୍ତାର ରାଷ୍ଟ୍ରପତି ହୋଇଥିଲେ। ୧୯୮୨ ମାର୍ଚ୍ଚ ୨୪ରେ ହୁସେନ ମହମ୍ମଦ ଏର୍ସାଦଙ୍କ ବିଦ୍ରୋହ ଜରିଆରେ ସତ୍ତାର ଗାଦିଚ୍ଯୁତ ହୋଇଥିଲେ ଏବଂ ଅସୁନୁଦ୍ଦିନ ଚୌଧୁରୀ ରାଷ୍ଟ୍ରପତି ହୋଇଥିଲେ। ୧୯୮୩ ଡିସେମ୍ବର ୧୧ରେ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ ଏର୍ସାଦ। ୧୯୯୦ ଡିସେମ୍ବର ୬ରେ ଦେଶବ୍ଯାପୀ ଆନ୍ଦୋଳନ ପରେ ଏର୍ସାଦଙ୍କ ଇସ୍ତଫା ଏବଂ ଶାବାବୁଦ୍ଦିନ ଅହମ୍ମଦ ରାଷ୍ଟ୍ରପତି ହୋଇଥିଲେ। ୧୯୯୦ ଡିସେମ୍ବର ୧୨ରେ ଦୁର୍ନୀତି ଅଭିଯୋଗରେ ଏର୍ସାଦ ଗିରଫ ହୋଇ ଜେଲଦଣ୍ଡ ଭୋଗିଥିଲେ। ୧୯୯୧ରେ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇଥିଲା ଏବଂ ବାଂଲାଦେଶ ନ୍ଯାସନାଲ ପାର୍ଟିର ବିଜୟ ହୋଇଥିଲା। ୧୯୯୧ରୁ ୧୯୯୬ ଯାଏ ଜିଆଉର ରହମାନଙ୍କ ପତ୍ନୀ ଖାଲେଦା ଜିଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬- ୨୦୦୧ ଯାଏ  ଆଓ୍ବାମି ପାର୍ଟି ନେତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୦୧ରୁ ୨୦୦୬ ଯାଏ ବାଂଲାଦେଶ ନ୍ଯାସନାଲ ପାର୍ଟି ନେତ୍ରୀ ଖାଲେଦା ଜିଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୬ରୁ ୨୦୦୮ ଇଜୁଦ୍ଦିନ, ଫଜଲୁଲ ହକ, ଫକିରୁଦ୍ଦିନ ଅହମ୍ମଦ ପ୍ରଧାନମନ୍ତ୍ରୀ ହୋଇଥିଲେ। ଶେଷରେ ୨୦୦୯ ଜାନୁଆରୀ ୬ରୁ ୨୦୨୪ ଅଗଷ୍ଟ ୫ ଶେଖ ହସିନା ପ୍ରଧାନମନ୍ତ୍ରୀ ହୋଇଥିଲେ।