ନନ୍ଦିଘୋଷ ବ୍ୟୁରୋ: ସରକାରୀ ଜମିରୁ ହଟିବ ବେଆଇନ ଦଖଲ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବରଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲକୁ ତୁରନ୍ତ ହଟାଯିବା ଆବଶ୍ୟକ। ପ୍ରଚଳିତ ନିୟମ ଅନୁଯାୟୀ, ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଆଫ୍ରିକାରୁ ଆମେରିକା ସବୁଠି ଶୁଭୁଛି ଜୟ ଜଗନ୍ନାଥ
ନନ୍ଦିଘୋଷ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଝୁମୁଛନ୍ତି ବିଶ୍ବବାସୀ । ନବଦିନାତ୍ମକ ଯାତ୍ରାରେ କଳା ଠାକୁର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା । କେବଳ ରାଜ୍ୟ କି ଦେଶ ନୁହେଁ ଦେଶ ବାହାରେ ବି ରଥଯାତ୍ରା ଦେଖିବାକୁ ମିଳିଛି ।
କାନାଡାର କାଲଗାରି ସିଟିରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ନେଇ ଜାକଜକମରେ ପାଳିତ ହୋଇଛି ରଥଯାତ୍ରା । ସହରର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆ ମାନେ ରଥଯାତ୍ରା ଯୋଗଦେଇ ମହାପ୍ରଭୁଙ୍କ ରଥ ଟାଣିଥିଲେ ।
ବିଶ୍ଵର ପ୍ରତ୍ୟକ କୋଣ ଅନୁକୋଣରେ ୨୦୨୪ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ସାତ ଦରିଆପାରି ସୁଦୂର ଆମେରିକାର ଜର୍ଜିଆ ସ୍ଥିତ ଆଲଫାରେଟା ସହରରେ ପ୍ରବାସୀ ଓଡିଆ ଭାଇ ଭଉଣୀ ମାନେ ପବିତ୍ର ରଥଯାତ୍ରା ପାଳିଛନ୍ତି । ଭକ୍ତଙ୍କ ଗହଣରେ ଅତି ଆନନ୍ଦ ଉଲ୍ଲାସ ସହିତ ପାଳନ କରିଛନ୍ତି ରଥଯାତ୍ରା । ଏହି ଅବସର ରେ ଓଡିଆ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଈଁ ବାର୍ଷିକ ଓଡିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ କରାଯାଇଥିଲା ।
ଏହା ସହିତ ମହା ପ୍ରସାଦ ସେବନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା। ହଜାର ହଜାର ଭକ୍ତ ଏଇ ଅବସରରେ ଯୋଗ ଦେଇ ରଥାରୂଢ ଚତୁର୍ଦ୍ଧା ମୂର୍ତିଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ଉଦଘାଟନ କାର୍ଯ୍ୟକ୍ରମ ପାଇଁ ଟଙ୍କା ମାଗୁଛନ୍ତି କେନ୍ଦ୍ରମନ୍ତ୍ରୀ
କୋଚି: ଅଭିନେତା ତଥା କେରଳ ତ୍ରିଶୂର ସାଂସଦ ସୁରେଶ ଗୋପୀଙ୍କ ନାଁରେ ଅଭିଯୋଗ । ଉଦଘାଟନ କାର୍ଯ୍ୟକ୍ରମକୁ ଗଲେ ପଇସା ନେବେ ବୋଲି କହି ବିବାଦକୁ ଠେଲି ହୋଇଛନ୍ତି ସୁରେଶ ଗୋପୀ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତାଙ୍କ ଭଳି କୌଣସି ଉଦଘାଟନ ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେଲେ ଦାବି ମୁତାବକ ପାଉଣା ନେବେ । କୌଣସି କାର୍ଯ୍ୟକ୍ରମକୁ ଗଲେ ସାଂସଦ ଭାବେ ଉଦଘାଟନ କରିବିନି ବରଂ ଅଭିନେତା ଭାବେ ଯୋଗ ଦେଇ ଏଥିପାଇଁ ବେତନ ନେବି । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ସେ ଏଥିରୁ ଯାହା ଫିସ୍ ମିଳିବ ତାଙ୍କ ଟ୍ରଷ୍ଟ ଲୋକଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବେ ।
ସାଧାରଣତଃ କୌଣସି ସାଂସଦ ବା ମନ୍ତ୍ରୀ କୌଣସି କାର୍ଯ୍ୟକ୍ରମର ଉଦଘାଟନ କଲେ ପଇସା ଦାବି କରିନଥାନ୍ତି । କିନ୍ତୁ ସୁରେଶ ଗୋପୀ ଜଣେ ଲୋକପ୍ରିୟ ଅଭିନେତା ବି ଅଟନ୍ତି । ଏଭଳି କ୍ଷେତ୍ରରେ ସେ ପଇସା ମାଗି ପାରିବେ କି ? କୌଣସି ସାଂସଦ ଅନ୍ୟ ରୋଜଗାର କରିପାରିବେ କି ? ଏଥିପାଇଁ ସମ୍ବିଧାନରେ କଣ ନିୟମ ରହିଛି ? ସମ୍ବିଧାନ ଓ ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ ଅନୁସାରେ ସାଂସଦ ଓ ବିଧାୟକଙ୍କ ଆଚରଣ ପାଇଁ ଅନେକ ପ୍ରାବଧାନ ରହିଛି ।.
ସମ୍ବିଧାନର ଅନୁଚ୍ଛେଦ ୧୦୨ (୧ଏ) ଅନୁସାରେ କୌଣସି ସାଂସଦ ବା ବିଧାୟକ ଏମିତି କୌଣସି ପଦରେ ରହିପାରିବେନି ଯେଉଁଠି ବେତନ ବା ଭତ୍ତା ସମେତ ଅନ୍ୟ କୌଣସି ଲାଭ ମିଳୁଥିବ । ସାଂସଦ ଓ ବିଧାୟକଙ୍କୁ ଅନ୍ୟ ପଦରୁ ଲାଭ ନ ଉଠାଇବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୯୧ (୧ଏ) ଓ ଜନପ୍ରତିନିଧି ଆଇନର ଧାରା ୯ଏ ଅନୁସାରେ ପ୍ରାବଧାନ ରହିଛି ।
କେରଳର ତ୍ରିଶୂର ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି । ଏହା ବିଜେପି ପାଇଁ ଐତିହାସିକ ସଫଳତା ଥିଲା । କାରଣ ପ୍ରଥମ ଥର କେରଳରେ କୌଣସି ବ୍ୟକ୍ତି ବିଜେପି ଟିକେଟରୁ ଜିତି ସଂସଦରେ ପହଞ୍ଚିଥିଲେ । ବିଜେପି ତାଙ୍କୁ ଏଥିପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ ଦେଇଥିଲା । କିନ୍ତୁ ନିର୍ବାଚନ ଜିତିବା ପରେ ସେ ଅଭିନୟ କ୍ୟାରିଅର ଛାଡିବେ ନାହିଁ ବୋଲି ଘୋଷଣା କରିଥିଲେ । ଏହା ସହ ଯାହା ରୋଜଗାର କରିବେ ତାର ଏକ ଭାଗ ସମାଜ କଲ୍ୟାଣରେ ଖର୍ଚ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

