spot_img
Home Blog Page 1718

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା: ଓଡିଶାରେ ହିତାଧିକାରୀ, ଝାଡଖଣ୍ଡକୁ ଚାଲିଗଲା ଆବାସ ଟଙ୍କା

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା । ଘର ତିଆରି କରି ହଟହଟା ହିତାଧିକାରୀ । ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଆସିବା ବଦଳରେ ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା। ଏଭଳି ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ମୁଦୁଲିଗୁଡା ଗାଁରେ । ଗତ ୨୦୨୩ ମସିହା ଏପ୍ରିଲ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ଯମରେ ମୁଦୁଲିଗୁଡ଼ା ଗାଁର ପଦ୍ମନ ବିଷୋୟୀଙ୍କ ସ୍ତ୍ରୀ କନକ ବିଷୋୟୀଙ୍କୁ ଘର ପାଇଁ କାର୍ଯ୍ଯାଦେଶ ମିଳିଥିଲା । ନୂଆ ଆବାସ ତିଆରି କରିବା ଲାଗି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ ହିତାଧିକାରୀ। ଘର ତୋଳିବାକୁ ଧାର କରଜ କରି ପଥର, ବାଲି, ଇଟା ଜମା କରିଥିଲେ ଏବଂ ନୂଆ ଘର କାମ ଆରମ୍ଭ କରିଦେଇଥିଲେ । କନକ ବିଷୋୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଜମା ହୋଇଥିବା ନେଇ ସରକାରୀ କର୍ମଚାରୀ କହିଥିଲେ । କିନ୍ତୁ ତାହା କନକଙ୍କ ବ୍ୟାଙ୍କ  ଆକାଉଣ୍ଟରେ ଜମା ହୋଇନଥିଲା । ଟଙ୍କା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡିଥିଲା। ତଥାପି ଟଙ୍କା ମିଳି ନଥିଲା। ପରେ ଟଙ୍କା ନେଇ ଯାଞ୍ଚ କରିଥିଲେ କନକ । ହେଲେ ତାଙ୍କ ଆକାଉଣ୍ଟକୁ ଆସିବାକୁ ଥିବା ଟଙ୍କା ଝାଡଖଣ୍ଡର ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ନେଇ ଜାଣିବାକୁ ପାଇଥିଲେ । ହେଲେ ଦୀର୍ଘ ୧୪ ମାସ ଧରି ଟଙ୍କା ନ ପାଇବାରୁ ଉଧାର ଟଙ୍କା ପରିଶୋଧ ପାଇଁ ନିଜ ଜମି ବନ୍ଧକ ରଖିଛନ୍ତି ହିତାଧିକାରୀ ।

ଆବାସ ଟଙ୍କା ଝାଡଖଣ୍ଡ ଚାଲିଯାଇଥିବା ଜାଣି ହିତାଧିକାରୀ ଟଙ୍କା ଫେରି ପାଇବା ପାଇଁ ବ୍ଳକ ପ୍ରଶାସନ ଓ  ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଥିଲେ । ହିତାଧିକାରୀଙ୍କ ଆଧାର କାର୍ଡ ଅନୁସାରେ ଟଙ୍କା ଟ୍ରାନ୍ସଫର ହେଉଥିବାରୁ ଏଥିରେ ବ୍ଲକ ପ୍ରଶାସନର ଭୁଲ ନ ଥିବା ପ୍ରକାଶ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ପରୋକ୍ଷରେ ବ୍ଯାଙ୍କର କୌଣସି ତ୍ରୁଟି କାରଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନଯାଇ ଝାଡଖଣ୍ଡ ଚାଲିଯାଇଥିବା ନେଇ କହିଛନ୍ତି । ଏଥିସହିତ ବ୍ଲକ ପ୍ରଶାସନ ତରଫରୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ସହିତ  ଯୋଗାଯୋଗ କରି ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ଅପରପକ୍ଷରେ ଗରିବ ହିତାଧିକାରୀ ଯେପରି ସରକାରୀ ଟଙ୍କା ଠିକ ସେ ପାଇପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ତାହା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ସାଧାରଣରେ କୁହାଯାଉଛି ।

ଲୋକ ବଦଳରେ ମାଟି ଖୋଳିବ ଜେସିବି: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ବିବାଦ

ଭୁବନେଶ୍ୱର: ମନରେଗା କାମରେ ନିୟୋଜିତ ହେବ ମେସିନ । ଲୋକ ବଦଳରେ ମାଟି ଖୋଳିବ ଜେସିବି । ଜେସିବି ମାଟି ଖୋଳିବ ଆଉ ଲୋକ ମାଟି ବୋହିବେ। ଏଭଳି ଉପାୟରେ ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା ପରେ ତେଜିଛି ବିବାଦ। ରାଜ୍ଯ ସରକାରଙ୍କୁ ଘେରି ସମାଲୋଚନା କରିଛନ୍ତି ବିରୋଧୀ ବିଜେଡି ଆଉ କଂଗ୍ରେସ ।

କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ କହିଛନ୍ତି, ମେସିନ ନୁହେଁ ଲୋକଙ୍କ ଦ୍ୱାରା ମନରେଗା କାମ ହେବାକଥା । ଲୋକଙ୍କୁ ୧୦୦ ଦିନିଆ କାମ ଦେବାକୁ ମନରେଗା ଯୋଜନା ହୋଇଥିଲା । ଏଥିରେ ମେସିନ କାମ କରିବାର ନିୟମ ନାହିଁ । ଜେସିବିରେ ମାଟି ଖୋଳିବା ଆଇନର ବିରୋଧାଚରଣ । ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା ରାଜ୍ଯ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଡବଲ ଇଞ୍ଜିନ ସରକାର ଯଦି ଆଇନରେ ସଂଶୋଧନ କରିପାରିବେ ତାହେଲେ କରନ୍ତୁ । ମାତ୍ର ମେସିନରେ କାମ କରିବା ବେଆଇନ ।

ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ଭାରତୀୟ ହକି ଟିମ୍

0

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ହକି ଦଳ। କ୍ବାର୍ଟରରେ ଗ୍ରେଟ ବ୍ରିଟେନକୁ ହରାଇଲା ଟିମ୍ ଇଣ୍ଡିଆ। ପ୍ଯାନେଲ୍ଟି ସୁଟ୍ ଆଉଟରେ ୪-୨ ଗୋଲରେ ବିଜୟୀ ହୋଇଛି ଭାରତ । କ୍ବାର୍ଟରରେ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ଯରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ୧-୧ରେ ଡ୍ର ହୋଇଥିଲା ମ୍ଯାଚ୍ । ପରେ ପେନାଲ୍ଟି ସୁଟ ଆଉଟରେ ଶ୍ରୀଜେଶଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହ ହକିରେ ଭାରତ ପାଇଁ ପୁଣି ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି ।

ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ କ୍ବାର୍ଟର ଫାଇନାଲ ମୁକାବିଲା ଦେଖିବାକୁ ମିଳିଥିଲା । ଗତଥର ମଧ୍ଯ ଭାରତ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା । ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୪୧ ବର୍ଷ ପରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଏହି ପଦକ ହାସଲ କରିଥିଲା । ଆସନ୍ତା ୬ ତାରିଖରେ ଭାରତ ସେମିଫାଇନାଲ ମୁକାବିଲା ଖେଳିବ ।

ମହୀଶୂରରେ କୋଟି କୋଟି ଟଙ୍କାର ଜମି ସ୍କାମକୁ ନେଇ ଶାସକ- ବିରୋଧୀ ବଳ କଷାକଷି

ମହୀଶୂର :  କର୍ଣ୍ଣାଟକ ମହୀଶୂରରେ ନାଟକୀୟ ମୋଡ ନେଲା ମୁଡା ସ୍କାମ । ମହୀଶୂରରେ କୋଟି କୋଟି ଟଙ୍କାର ଜମି ସ୍କାମକୁ ନେଇ ଶାସକ- ବିରୋଧୀ ବଳ କଷାକଷି। କଂଗ୍ରେସ ଓ ଅହିନ୍ଦା ସଂଗଠନ ପକ୍ଷରୁ ଗତ ୩ ତାରିଖରେ ବିଜେପି ଅଫିସ ଘେରାଉ ପରେ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ପଦଯାତ୍ରା କରିଛି ବିଜେପି ଓ ଜେଡିଏସ। ।

ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ମହୀଶୂରରେ ବିଜେପି ଅଫିସ ଘେରାଉ କରିଥିଲା ଅହିନ୍ଦା ସଂଗଠନ । ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ବା ମୁଡାରେ ଦୁର୍ନୀତି ଅଭିଯୋଗ ଆଣି ସିଦ୍ଦରମୈୟା ସରକାରଙ୍କୁ ବିଜେପି ବଦନାମ କରିବା ଲାଗି ଯୋଜନା କରୁଛି ବୋଲି ଅଭିଯୋଗ କରିଥିଲେ ବିଭିନ୍ନ ସଂଗଠନ । ସେପଟେ ଦୁର୍ନୀତି ବିରୋଧରେ ଏନଡିଏ ପକ୍ଷରୁ ବେଙ୍ଗାଳୁରୁରୁ ମହୀଶୂରକୁ ୭ଦିନିଆ ପଦଯାତ୍ରା କରିଛନ୍ତି ଏନଡିଏ କର୍ମୀ । ସଂଖ୍ଯାଲଘୁ, ପଛୁଆ ବର୍ଗ ଓ ଦଳିତ ବର୍ଗଙ୍କ ପ୍ରତିନିଧିତ୍ବ କରିଆସୁଛି ଅହିନ୍ଦା ସଂଗଠନ ।

କର୍ଣ୍ଣାଟକ ରାଜ୍ଯ ପଛୁଆବର୍ଗ ସଚେତନ ଫୋରମ ସଭାପତି କେ.ଏସ. ଶିବରାମ କହିଛନ୍ତି- ସିଦ୍ଦରମୈୟାଙ୍କୁ ଅଯଥାରେ ବିଜେପି କର୍ମୀ ନିନ୍ଦିତ କରିଆସୁଛନ୍ତି । ଦୁର୍ନୀତି ନାମରେ ସରକାରଙ୍କୁ ବଦନାମ କରିବା ଲାଗି ସେମାନେ ଷଡ଼ଯନ୍ତ୍ର ଚଳାଇଛନ୍ତି । ମହୀଶୂରରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଜମି ବଦଳରେ ଜମି ଯୋଗାଇବା ଘଟଣାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରୁଛି ବିଜେପି । ଅହିନ୍ଦା ସଂଗଠନରେ ସାମିଲ ଅଛନ୍ତି ଡିଏସଏସ, ଜିଲ୍ଲା ଉପରା ସଂଘ, ଜିଲ୍ଲା କୁମ୍ବାରା ସଂଘ, ଜିଲ୍ଲା ବିଶ୍ବକର୍ମୀ ସଂଘ ଓ ବିଭିନ୍ନ ମୁସଲିମ ସଂଗଠନ । ମୁଡା ସ୍କାମର ପରିମାଣ ୫ ହଜାର କୋଟି ଟଙ୍କା ହେବ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୦ ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

ସମ୍ୱଲପୁର : ହୀରାକୁଦର ଖୋଲିଲା ୧୦ ଗେଟ। ପୂର୍ବରୁ ୬ଟି ଗେଟ୍ ଖୋଲିଥିବାବେଳେ ଆଜି ଆଉ ୪ଟି ଗେଟ ଖୋଲିଛି। ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୮୧ ହଜାର ୧୩ ଘନଫୁଟ ବନ୍ୟାଜଳ। ସେପଟେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି। ୬ଟି ଗେଟ୍ ମାଧ୍ୟମରେ ୧ ଲକ୍ଷ ୨୬ ହଜାର ୫୭୧ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି। ୬୦୯.୪୩ ଫୁଟରେ ପହଞ୍ଚିଲା ଜଳସ୍ତର।

ଇସ୍ରାଏଲ ବିରୋଧରେ ମେଣ୍ଟ ବାନ୍ଧିଲେ ଇରାନ, ହମାସ ଓ ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରାଚ୍ଯରେ ଅବଶମ୍ଭାବୀ ଯୁଦ୍ଧ । ବଢିପାରେ କଳେବର । ଇସ୍ରାଏଲ ବିରୋଧରେ ମେଣ୍ଟ ବାନ୍ଧିଲେ ଇରାନ, ହମାସ ଓ ହେଜବୁଲ୍ଲା । ଆଞ୍ଚଳିକ ସ୍ତରରେ ଏକ ବଡ ଧରଣର ଯୁଦ୍ଧମୁହାଁ ମଧ୍ଯପ୍ରାଚ୍ୟ । ହମାସ ମୁଖ୍ଯ ଇସମାଇଲ ହାନିୟେ ଓ ହେଜବୁଲ୍ଲା ସାମରିକ ମୁଖ୍ଯ ଫାଉଦ ଶୁକରଙ୍କୁ ହତ୍ଯା ପରେ ରକ୍ତମୁଖା ହୋଇଛନ୍ତି ଇରାନ ଓ ସହଯୋଗୀ । ଇସ୍ରାଏଲ ଉପରେ କାତ୍ୟୁଷ ରକେଟ ମାଡ କରିଛି ହେଜବୁଲ୍ଲା ।

ତେବେ ଇସ୍ରାଏଲର କେବଳ ସାମରିକ ସ୍ଥଳୀ ନୁହେଁ ବରଂ ଦେଶ ଭିତରକୁ ଏହି ହମଲା କରିବା ଲାଗି ହେଜବୁଲ୍ଲାକୁ କହିଛି ଇରାନ । ହେଜବୁଲ୍ଲା ଆକ୍ରମଣରେ କିଛି ଲୋକ ମୃତାହତ ହୋଇଥିବାବେଳେ ଇସ୍ରାଏଲର ଡ୍ରୋନ ସିଷ୍ଟମ ଅନେକ ମିସାଇଲ ଓ ରକେଟକୁ ଧ୍ବଂସ କରିବାରେ ସମର୍ଥ ହୋଇଛି । ତେଣେ ଲେବାନନର ବାଜୁରିଏରେ ଇସ୍ରାଏଲ ଡ୍ରୋନ ହମଲାରେ ପ୍ରାଣ ହରିଛନ୍ତି ହେଜବୁଲ୍ଲାର ଜଣେ କମାଣ୍ଡର ଅଲି ଆବିଦ ଅଲି । ଲେବାନନରେ ବିଦେଶୀ ନାଗରିକଙ୍କ ଜୀବନ ବିପନ୍ନ ଥିବାରୁ ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ ଲେବାନନ ଛାଡିବା ଲାଗି ପରାମର୍ଶ ଦେଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ।

ଲେବାନନ ନ ଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି କାନଡା । ସ୍ଥିତି ପ୍ରତି ସତର୍କ ରହିବାକୁ ଭାରତୀୟମାନଙ୍କୁ ବି ଦିଆଯାଇଛି ପରାମର୍ଶ । ସେପଟେ ସ୍ଥିତିର ସମାଧାନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କାତାର, ଇଜିପ୍ଟ ଓ ଆମେରିକା । ଏହି ପରିସ୍ଥିତିରେ ଇରାନ ନୀରବ ରହିବାକୁ ଆହ୍ବାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଣେ ଇରାନର ସମ୍ଭାବ୍ଯ ବିରୋଧରେ ସହଯୋଗର ହାତ ବଢାଇବା ଲାଗି ଆମେରିକା ଓ ବ୍ରିଟେନକୁ ଅନୁରୋଧ କରିଛି ଇସ୍ରାଏଲ । ମଧ୍ଯପ୍ରାଚ୍ଯରେ ନିଜ ସ୍ଥିତି ଜାହିର ଲାଗି ୟୁଏସଏସ ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ଯାରିଅରକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇସାରିଛି ଆମେରିକା । ସେପଟେ ହେଜବୁଲ୍ଲା ପରି ୟେମେନ, ଇରାକ ଓ ସିରିଆର ବହୁ ବିଦ୍ରୋହୀ ସଂଗଠନ ଇରାନ ସମର୍ଥନରେ ବାହାରିଛନ୍ତି ।

ପ୍ରକୃତିର ତାଣ୍ଡବ ପରେ ସରୁନି ଦୁର୍ଦ୍ଦଶା, କେରଳ ୱାୟନାଡରେ ମୃତ୍ଯୁ ସଂଖ୍ଯା ୩୫୮

ନନ୍ଦିଘୋଷ ବ୍ୟୁରୋ :  କେରଳ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ସରୁନି ବିଭୀଷିକ ପରର କରୁଣ କାହାଣୀ। ସବୁଠି ବଢିବାରେ ଲାଗିଛି ମୃତକଙ୍କ ସଂଖ୍ଯା। ୱାୟନାଡରେ ମାଟି ତଳୁ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି ଯବାନ ଓ ରେସ୍କ୍ଯୁ ଟିମ। ୱାୟନାଡ ବିଭୀଷିକାରେ ମୃତ୍ଯୁ ସଂଖ୍ଯା ୩୫୮ ହୋଇଛି। ଏବେ ବି ୩ ଶହରୁ ଅଧିକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ବିପନ୍ନଙ୍କୁ ଉଦ୍ଧାର ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ କରୁଛନ୍ତି ଯାବନ। ଡ୍ରୋନଭିତ୍ତିକ ରାଡାର ଜରିଆରେ ଚାଲିଛି ସର୍ଚ୍ଚ ଅପରେସନ। ବାୟୁସେନା ସମେତ ବିଭିନ୍ନ ବାହିନୀର ଯବାନ ଚଳାଇଛନ୍ତି ଉଦ୍ଧାର କାର୍ଯ୍ୟ। ସେପଟେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଶହ ଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଉତ୍ତରାଖଣ୍ଡରେ ମୃତ୍ଯୁ ସଂଖ୍ଯା ୨୩ ହୋଇଥିବାବେଳେ ୪୭ ଜଣ ନିଖୋଜ ଅଛନ୍ତି। ହିମାଚଳ ପ୍ରଦେଶରେ ମୃତ୍ଯୁ ସଂଖ୍ଯା ୮ ହୋଇଥିବାବେଳେ ନିଖୋଜ ଅଛନ୍ତି ପ୍ରାୟ ୫୦ ଜଣ।

ଧାର୍ମିକ ଉତ୍ସବ ବେଳେ ମନ୍ଦିର କାନ୍ଥ ଭୁଶୁଡି ଚାଲିଗଲା ୯ ଶିଶୁଙ୍କ ଜୀବନ

ଭୋପାଲ :  ମଧ୍ଯପ୍ରଦେଶ ସାଗର ଜିଲ୍ଲାରେ ଅଘଟଣ। ଏକ ମନ୍ଦିର ନିକଟରେ ଥିବା କାନ୍ଥ ଭୁଶୁଡି ୯ ଶିଶୁଙ୍କ ମୃତ୍ଯୁ। ଏହି ଘଟଣାରେ କିଛି ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ଏକ ଧାର୍ମିକ ଉତ୍ସବ ଚାଲିଥିବାବେଳେ କାନ୍ଥ ଭୁଶୁଡ଼ି ଯିବାରୁ ଏହି ଅଘଟଣ ଘଟିଥିଲା। ଶାହାପୁରର ହରଦୌଲ ବାବା ମନ୍ଦିର ନିକଟରେ ଘଟିଥିଲା ଅଘଟଣ। ଆହତ ଶିଶୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତ ଶିଶୁଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ଯରେ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଛନ୍ତି ସ୍ଥାନୀୟ ଲୋକ। ମୁଖ୍ଯମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। କିଛି ଦିନ ତଳେ ରେୱା ଜିଲ୍ଲାରେ କାନ୍ଥ ଭୁଶୁଡି ପ୍ରାଣ ହରାଇଥିଲେ ୪ ଶିଶୁ। ଏକ ସ୍କୁଲର କାନ୍ଥ ଭୁଶୁଡିଯିବାରୁ ପ୍ରାଣ ହରାଇଥିଲେ ୫ରୁ ୭ ବର୍ଷ ବୟସର ୪ ଶିଶୁ। ଚଳିତ ବର୍ଷ ବର୍ଷାଜନିତ କାନ୍ଥ ଭୁଶୁଡି ୨୦୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି।

ଆମେରିକାର ନିଜ ନାଗରିକଙ୍କୁ ଅପିଲ,ଉଧାରରେ ଟିକେଟ୍ କରି ଲେବାନନ ଛାଡ଼

ନୂଆଦିଲ୍ଲୀ : ମିଡିଲ ଇଷ୍ଟର ଏବେ ବି ଜାରି ରହିଛି ଯୁଦ୍ଧ ଉତ୍ତେଜନା । ମହାଯୁଦ୍ଧ ଭୟରେ ଥରୁଛି ଦୁନିଆ । ଏହା ମଧ୍ୟରେ ବ୍ରିଟେନରେ ଜାରି ହେଲା ହାଇ ଆଲର୍ଟ । ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ନେଇ ଅନେକ ଦେଶ ଧ୍ୱଂସ ହୋଇଗଲାଣି । ଏହା ମଧ୍ୟରେ ଲେବାନନରୁ ଆରମ୍ଭ କରି ଇରାନ ପର୍ଯ୍ୟନ୍ତ ଯୁଦ୍ଧର ଗତି ବଢିବାରେ ଲାଗିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଲେବାନାନର ରାଜଧାନୀ ବେରୁଟରେ ଥିବା ଆମେରିକା ଦୂତାବାସ ନିଜ ନାଗରିକମାନଙ୍କୁ ଯେକୌଣସୀ  ଉପଲବ୍ଧ ଟିକଟରେ ଯଥାଶୀଘ୍ର ଲେବାନନ ଛାଡିବାକୁ ପରାମର୍ଶ ଦେଇଛି।

ଆମେରିକାର ଦୂତାବାସ ଏହାର ନାଗରିକମାନଙ୍କୁ ଦେଇଥିବା ପରାମର୍ଶରେ କହିଛି ଯେ ଯୁଦ୍ଧ କାରଣରୁ  ଅନେକ ବିମାନରେ ଉଡ଼ାଣ ସ୍ଥଗିତ ରଖିଛି ଏବଂ ଅନେକ ବିମାନର ଟିକେଟ ବିକ୍ରି ହୋଇସାରିଛି। ତେବେ, ଲିବାନାନ ଛାଡିବାକୁ ବ୍ୟବସାୟିକ ପରିବହନ ବିମାନର ହିଁ ଏବେ ଉପଲବ୍ଧ ରହିଛି | ବେରୁତ-ରାଫିକ୍ ହରିରି ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପଲବ୍ଧ ବିମାନ ବିକଳ୍ପଗୁଡିକରେ ଯଥା ଶୀଘ୍ର ଲେବାନନ ଛାଡ଼ିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନା ରହିଛି ଯେ, ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ଡେବିଡ୍ ଲୌମୀ ବିଟ୍ରେନରେ ଏହି ପରି ଚେତାବନୀ ଜାରି କରିଥିଲେ  । ବୁଧବାର ଦିନ ତେହେରାନରେ ହାମାସ ନେତା ଇସମାଇଲ ହାନିଆଙ୍କ ହତ୍ୟା ପରେ ଇରାନ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବାକୁ କହିଛି।

କୋର୍ବା-ବିଶାଖପାଟଣା ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ବିଶାଖପାଟଣା  : କୋର୍ବା-ବିଶାଖପାଟଣା ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଏକ୍ସପ୍ରେସର ୩ଟି ଏସି କୋଚରେ ଘଟିଛି ଅଗ୍ନିକାଣ୍ଡ। ବିଶାଖପାଟଣା ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ମାତ୍ରେ ଘଟିଥିଲା ଅଗ୍ନିକାଣ୍ଡ। ପ୍ରଥମ ଏ-୧ କୋଚରୁ ନିଆଁ ବାହାରି ଅନ୍ଯ ବଗିକୁ ବ୍ଯାପିଯାଇଥିଲା। ପରେ ପରେ ଅନ୍ଯ ତିନି ବଗିକୁ ନିଆଁ ବ୍ଯାପିଥିଲା। ଘଟଣାସ୍ଥଳରେ ନିଆଁଲିଭା କାର୍ଯ୍ୟ ଜାରି ରହିଛି। ସମସ୍ତ ଯାତ୍ରୀଙ୍କୁ ସରୁକ୍ଷିତ ଉଦ୍ଧାର କରାଯାଇଛି। କୋର୍ବାଠାରୁ ଆସିଥିବା ଟ୍ରେନ ତିରୁପତି ଯିବାର ଥିଲା।