ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାଞ୍ଚଳ ରେଞ୍ଜରେ ଅପରେସନ ଥଣ୍ଡର। ୩୯ ମାମଲାରେ ୭୪ ଅପରାଧୀ ଗିରଫ। ବନ୍ଧୁକ, ଗୁଳି, ବ୍ରାଉନସୁଗର ଜବତ ହୋଇଛି। ବିଭିନ୍ନ ଅପରାଧରେ ସଂଶ୍ଲିଷ୍ଟ ଅପରାଧୀଙ୍କୁ ସାବାଡ୍ କରିବାକୁ କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ଅଧୀନରେ ଥିବା ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ହୋଇଛି ସ୍ଵତନ୍ତ୍ର ଅପରେସନ। ନଭେମ୍ବର ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଧରପଗଡ। କେନ୍ଦ୍ରାଞ୍ଚଳ ଡି ଆଇ ଜି ସତ୍ୟଜିତ ନାୟକ କହିଛନ୍ତି, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୮ଟି ମାମଲାରେ ୨୭ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୧୭ ଟି ବନ୍ଧୁକ ଏବଂ ୧୦ଟି ଗୁଳି। ସେହିପରି ଡ୍ରଗ୍ସ କାରବାରରେ ୨୩ଟି ମାମଲାରେ ୩୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୫୦୦ ଗ୍ରାମ ବ୍ରାଉନ ସୁଗର ଜବତ, ୫୦କେଜି ଗଞ୍ଜେଇ ଓ ୯୨ ବୋତଲ କଫ ସିରପ୍। ସେହିପରି ବିଭିନ୍ନ ମାମଲାରେ ୨୫୦ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବେଆଇନ ଗୋ ଚାଲାଣର ୮ଟି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୨୭ ୦୦୦ରୁ ଅଧିକ ଗାଡ଼ି ମଟର ଯାଞ୍ଚ କରି ୧ କୋଟି ୧୭ ଲକ୍ଷ ଟଙ୍କା ଫାଇନ କରାଯାଇଛି। ଶାନ୍ତି ଶୃଙ୍ଖଳା, ଅପରାଧ ମୁକ୍ତ ସମାଜ ପାଇଁ ପୋଲିସ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।
ଆଜି ବି ବେଶ ସରଗରମ ହେବ ବିଧାନସଭା
ନନ୍ଦିଘୋଷ ବ୍ୟୁରୋ: ଆଜି ବି ବିଧାନସଭା ବେଶ ସରଗରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ । ଶକ୍ତି , କୃଷି ଓ କୃଷକ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ବୟନ ଶିଳ୍ପ, ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ରହିଛି ପ୍ରଶ୍ନକାଳ । ବିଧାୟକ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିବେ। ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ବହୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । ମୁଖ୍ୟ ବିରୋଧୀ ବିଜେଡି ପକ୍ଷରୁ ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯିବ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗ ଉପରେ ଘମାଘୋଟ ଆଲୋଚନା ହେବାର ସମ୍ଭାବନା ରହିଛି। ସେହିପରି ଦ୍ବିତୀୟ ଅଧ୍ୟାୟରେ ବାଣିଜ୍ୟ ଓ ପ୍ରତିଷ୍ଠାନ ଆଇନ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହେବ।
ଭୁଲ ମାନିଲେ ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା
ନନ୍ଦିଘୋଷ ବ୍ୟୁରୋ : ଭୁଲ ମାନିଲେ ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା । ନିଜର ୟୁଟ୍ୟୁବ ଚ୍ଯାନଲରେ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ଯ ପାଇଁ ଭୁଲ ମାଗିବା ସହ ବିବାଦୀୟ ପୋଷ୍ଟକୁ ହଟାଇଛନ୍ତି ଶୁଭଙ୍କର । ତେବେ ଏହା ତାଙ୍କର ନିଜସ୍ବ ମନ୍ତବ୍ଯ ନଥିଲା ବୋଲି କହିଛନ୍ତି ଶୁଭଙ୍କର ମିଶ୍ରା । ଆଧ୍ଯାତ୍ମିକ ମାର୍ଗରେ ସେ ଅନେକ ସାଧୁ ସନ୍ଥଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କ ଠାରୁ ବହୁ ଜଣା ଅଜଣା ଜ୍ଞାନ ପ୍ରାପ୍ତି କରିଛନ୍ତି । ତେବେ ଶ୍ରୀମନ୍ଦିର ପରି ଧାର୍ମିକ ଅନୁଷ୍ଠାନକୁ ସେ ସମ୍ମାନ ଜଣାନ୍ତି ।
ଏଠାର ଆଧ୍ଯାତ୍ମିକ ପରିବେଶ ତାଙ୍କୁ ସବୁବେଳେ ଆକର୍ଷିତ କରି ଆସିଛି । ଏହି ଆକର୍ଷଣ ଯୋଗୁଁ ସେ ଜଗତଗୁରୁ ଶଙ୍କରାଚାର୍ଯ୍ଯଙ୍କ ସଂସ୍ପର୍ଷରେ ମଧ୍ଯ ଆସିଥିଲେ । ତେବେ କିଛି ଲୋକ ତାଙ୍କୁ ତାଙ୍କର ଏହି ମନ୍ତବ୍ଯ ନେଇ ସିଧାସଳଖ ପ୍ରଶ୍ନ କରିଥିବାରୁ ସେ ଧନ୍ଯବାଦ ଜଣାଇଛନ୍ତି । ପ୍ରେମୀଯୁଗଳ ଶ୍ରୀମନ୍ଦିରକୁ ଯିବା ଦ୍ବାରା ପ୍ରେମ ସଫଳ ହୁଏନି ବୋଲି ନିଜ ସୋସିଆଲ ମିଡ଼ିଆରେ ମନ୍ତବ୍ଯ ଦେଇଥିଲେ ଶୁଭଙ୍କର ।
ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ରହିଛି । ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ । ଏହା ମଧ୍ୟ କହିଥିଲେ, ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ । ଏକଥା ଶୁଣି ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ ବୋଲି କହିଥିଲେ । ପ୍ରେମୀ ଯୁଗଳ ଶ୍ରୀମନ୍ଦିରକୁ ଯିବାଦ୍ବାରା ସେମାନେ ଭବିଷ୍ଯତରେ ବିବାହ କରିବାରେ ସଫଳ ହେବେ ନାହିଁ ବୋଲି କହିଥିଲେ ଶୁଭଙ୍କର । ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ, ଗବେଷକ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସିଂହଦ୍ବାର ଥାନାରେ ଏତଲା ମଧ୍ଯ ଦିଆଯାଇଥିଲା । ଏହାପରେ ନିଜ ପୋଷ୍ଟଙ୍କୁ ନେଇ କ୍ଷମା ମାଗିଛନ୍ତି ଶୁଭଙ୍କର ମିଶ୍ରା।
ବିଜୟ ହଜାରେ ଟ୍ରଫି ଖେଳିବାକୁ ମନା କଲେ ବିରାଟ, ଏବେ ବିସିସିଆଇ କରିବ କ’ଣ ?
ବିଜୟ ହଜାରେ ଟ୍ରଫି ଖେଳିବାକୁ ମନା କଲେ ବିରାଟ, ଏବେ ବିସିସିଆଇ କରିବ କ’ଣ ?
ନନ୍ଦିଘୋଷ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର କିଙ୍ଗ କୋହଲିଙ୍କୁ ନେଇ ଆସିଛି ବଡ଼ ଖବର । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଶତକ ଲଗାଇ ତାଙ୍କ ଅବସରକୁ ନେଇ ସମାଲୋଚନା କରୁଥିବା ଲୋକଙ୍କ ମୁହଁ ବନ୍ଦ କରି ଦେଇଥିବା କୋହଲି ଏବେ ବିଜୟ ହଜାରେ ଟ୍ରଫିକୁ ନେଇ ମୁହଁ ଖୋଲିଛନ୍ତି । ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେଉଥିବା ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ମନା କରି ଦେଇଛନ୍ତି କିଙ୍ଗ କୋହଲି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ତାଙ୍କୁ ଏବଂ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କୁ କୁହାଯାଇଥିଲା । ଶୁଣିବାକୁ ମିଳୁଥିଲା ୧୬ ବର୍ଷ ପରେ କୋହଲି ଘରୋଇ ଟୁର୍ଣ୍ଣାମେଣ୍ଟକୁ ଫେରିବା ସହ କିଛି ମ୍ୟାଚ୍ ଖଳି ପାରନ୍ତି ।
କୋହଲିଙ୍କ ନିଷ୍ପତ୍ତି, ବିସିସିଆଇ ପାଇଁ ଚ୍ୟାଲେଞ୍ଜ
ଘରୋଇ କ୍ରିକେଟକୁ ନେଇ କୋହଲିଙ୍କ ଷ୍ଟାଣ୍ଡ ବିସିସିଆଇ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ, ବିଜୟ ହଜାରେ ଟ୍ରଫି ଖେଳିବା ମୁଡ଼ରେ ନାହାନ୍ତି ବିରାଟ । ଏହି ଟୁର୍ଣ୍ଣାମେଣ୍ଟ ସମସ୍ତ ଭାରତୀୟ ଖେଳାଳିଙ୍କୁ ଖେଳିବା ଅନିବାର୍ଯ୍ୟ । ହେଲେ କୋହଲି ଏଥିରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛନ୍ତି । ବିସିସିଆଇ ଚାହୁଁଛି, ବିରାଟ ଓ ରୋହିତ ଏହି ଟୁର୍ଣ୍ଣାମେଣ୍ଟ ଖଳନ୍ତୁ ।
ରୋହିତ ଏଥିରେ ଖେଳିବାକୁ ପୂର୍ବରୁ ହଁ ଭରି ସାରିଛନ୍ତି । ଏମିତି ସ୍ଥିତିରେ କୋହଲି ଖେଳିବାକୁ ମନା କରିବା ପରେ ତାଙ୍କୁ ବିଶେଷ କରି ଏଥିରୁ ବାଦ ଦେବା ବିସିସିଆଇ ପାଇଁ ଆହୁରି ଚ୍ୟାଲେଞ୍ଜ ଭରା ହୋଇଯାଇଛି । ମିଳିଥିବା ତଥ୍ୟ ଅନୁସାରେ, ବିରାଟ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ହିଁ ଚାହୁଁ ନାହାନ୍ତି । ରୋହିତ ଖେଳିବାକୁ ସହମତି ଦେବା ଓ ବିରାଟ ମନା କରିବା ସ୍ଥିତିକୁ ଜଟିଳ କରିଦେଇଛି । ଏବେ ବିସିସିଆଇ ଅନ୍ୟ ଖେଳାଳିଙ୍କୁ କି ଜବାବ ଦେବ ତାକୁ ନେଇ ଚିନ୍ତାରେ ପଡ଼ିଛି ।
୧୬ ବର୍ଷ ପୂର୍ବେ ଖେଳିଥିଲେ ଘରୋଇ ମ୍ୟାଚ୍
ବିରାଟ ଶେଷ ବିଜୟ ହଜାରେ ଟ୍ରଫି ୧୬ ବର୍ଷ ପୂର୍ବେ ୨୦୧୦ରେ ଖେଳିଥିଲେ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଦିଲ୍ଲୀ ପାଇଁ ବିଜୟ ହଜାରେ ଟ୍ରଫି ଖେଳିଥିଲେ ବିରାଟ । ଏହି ସମୟରେ ସେ ୧୩ ମ୍ୟାଚ୍ ଖେଳି ୮୧୯ ରନ୍ କରିଛନ୍ତି । ଏଥିରେ ୪ଟି ଶତକ ରହିଛି । ତେବେ ଗତବର୍ଷ ତାଙ୍କୁ ରଣଜୀ ଟ୍ରଫିରେ ଦେଖିବାକୁ ମିଳିଥିଲା । ଦିଲ୍ଲୀ ପାଇଁ ସେ ଗୋଟିଏ ମ୍ୟାଚ୍ ଖେଳିଥିଲେ ।
ରାଜସ୍ଥାନର ଶ୍ରୀଗଙ୍ଗା ନଗରରୁ ଧରାପଡ଼ିଲା ପାକିସ୍ତାନୀ ଗୁପ୍ତଚର
ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ଶ୍ରୀଗଙ୍ଗା ନଗରରୁ ଧରାପଡ଼ିଛି ଜଣେ ପାକିସ୍ତାନୀ ଗୁପ୍ତଚର । ତା ନାଁ ହେଲା ପ୍ରକାଶ ସିଂହ ଓରଫ ବାଦଲ। ରାଜସ୍ଥାନ ସିଆଇଡି ତାକୁ ଗିରଫ କରିଛି। ତାକୁ ଜୟପୁରର ସିନିୟର ସିଭିଲ ଜଜ୍ ଓ ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପ୍ରକାଶ ନାଁରେ ଲାଗିଛି ଦେଶଦ୍ରୋହ ପରି ସଂଗୀନ ମାମଲା। ସେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କରେ କାମ କରୁଥିଲା। ସେନା, ଟ୍ୟାଙ୍କ, ଗାଡ଼ି ସଂପର୍କିତ ତଥ୍ୟ ତା ଫୋନରୁ ମିଳିଛି। ଆଉ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ପାକିସ୍ତାନକୁ ସେ କେଉଁ ତଥ୍ୟ ଦେଇଛି, ତାର ଖୋଳତାଡ଼ ଚାଲିଛି। ଅଧିକ ପଚରା ଉଚରା ପାଇଁ ସିଆଇଡି ୧୦ ଦିନିଆ ରିମାଣ୍ଡରେ ନେଇଛି । ୧୧ ତାରିଖରେ ରିମାଣ୍ଡ ସରିବ। ସେତେ ଦିନ ଯାଏ ତାକୁ ଘନ ଘନ ଜେରା କରି ତଥ୍ୟ ବାହାର କରିବ ସିଆଇଡି।

