spot_img
Home Blog Page 173

ରାଜ୍ୟସଭା ନିର୍ବାଚନ ଲାଗି ଚାଲିଛି ମତଦାନ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ। ସକାଳ ୯ଟାରୁ ରାଜ୍ୟସଭା ନିର୍ବାଚନ ଲାଗି ଚାଲିଛି ମତଦାନ | ଅପରାହ୍ନ ୪ଟା ଯାଏ ହେବ ମତଦାନ | ଅପରାହ୍ନ ୫ ଟାରେ ହେବ ଗଣତି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଚାଲିଛି ମତଦାନ। ପ୍ରଥମେ ଭୋଟ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବହୁ କ୍ୟାବିନେଟ ମନ୍ତ୍ରୀ ବିଧାନସଭାରେ ପହଞ୍ଚିଲେ ।

ରାଜ୍ୟସଭା ନିର୍ବାଚନ ଲାଗି ମତଦାନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହା ସହ ଦଳୀୟ ବିଧାୟକ ବି ଦେଇଛନ୍ତି ଭୋଟ।

୪ ଆସନ ଲାଗି ମଇଦାନରେ ୫ ପ୍ରାର୍ଥୀ। ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଡାକ୍ତର ଦତ୍ତେଶ୍ଵର ହୋତା ହେଉଛନ୍ତି ବିଜେଡି ଓ କଂଗ୍ରେସର ମିଳିତି ପ୍ରାର୍ଥୀ। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି। ବିଜେପି ସମର୍ଥନରେ ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲୀପ ରାୟ।

ପୋଖରୀରୁ ମଣିଷ କଙ୍କାଳ ଉଦ୍ଧାର !

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିମଳା ବାଗବନ୍ଦ ପୋଖରୀରୁ ମଣିଷ କଙ୍କାଳ ଉଦ୍ଧାର। ଗାଧୋଇବା ସମୟରେ ଗାଁ ପିଲାମାନେ ସୋଲ ଭାବି ନ ଜାଣି ମଣିଷର ଏକ ଅଙ୍ଗ ଟାଣି ଆଣିଥିଲେ । ଜୟପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଉଦ୍ଧାର ହୋଇଥିବା ଏହି ଗଳିତ ଅଙ୍ଗ ଗତ ୭ ମାସ ଧରି ନିଖୋଜ ଥିବା ସ୍ଥାନୀୟ ଅଞ୍ଚଳର ଭିନ୍ନକ୍ଷମ ଯୁବତୀ ଅମୃତ ପୁଝାରୀଙ୍କର ବୋଲି ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି । ତେବେ ପୋଖରୀରେ ପ୍ରାୟ ୧୫ ଫୁଟ ଗଭୀର ପାଣି ଥିବାରୁ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଖୋଜୁଛି ଅଗ୍ନିଶମ ବାହିନୀ । ଫରେନ୍ସିକ୍ ଟିମ୍ ଏବଂ ଡିଏନଏ ଟେଷ୍ଟର ରିପୋର୍ଟ ଆସିଲେ ମୃତଦେହର ପ୍ରକୃତ ପରିଚୟ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଅର୍ଚ୍ଚନା ନାଏକ କହିଛନ୍ତି ।

ରାଜସ୍ଥାନ ଯୋଧପୁର ଜେଲରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଆଶ୍ବସ୍ତି

ନନ୍ଦିଘୋଷ ବ୍ୟୁରୋ :  ରାଜସ୍ଥାନ ଯୋଧପୁର ଜେଲରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଆଶ୍ବସ୍ତି । ଗିରଫର ୬ ମାସ ପରେ ଜେଲରୁ ମୁକୁଳିବାର ଫିଟିପାରେ ବାଟ । କାରଣ ଆଜି ତାଙ୍କ ଉପରେ ଲାଗୁହୋଇଥିବା ଜାତୀୟ ସୁରକ୍ଷା ଆଇନ-ଏନଏସଏକୁ କେନ୍ଦ୍ର ସରକାର ହଟାଇଦେଇଛନ୍ତି । ଏ ନେଇ ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ଏହାର ଅର୍ଥ ସୋନମଙ୍କୁ ଖୁବ ଶୀଘ୍ର ଜେଲରୁ ମୁକୁଳାଯିବ । ଗୃହ ମନ୍ତ୍ରଣାଳୟ କହିଛି ଯେ ସରକାର ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ। ଯାହା ଦ୍ଵାରା ସମସ୍ତ ପକ୍ଷଙ୍କ ସହ ଆଲୋଚନା ହୋଇପାରିବ । ସାମ୍ବିଧାନିକ ସୁରକ୍ଷାର ଷଷ୍ଠ ସୂଚୀ ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ହିଂସାକୁ ଉସୁକାଇବା ଏବଂ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ସେପ୍ଟେମ୍ବର ୨୦୨୫ରେ ସୋନମ ୱାଙ୍ଗଚୁକଙ୍କୁ ଲେହରେ ଗିରଫ କରାଯାଇଥିଲା। ତାଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଯୋଧପୁର ଜେଲରେ ରଖାଯାଇଥିଲା । ନିକଟରେ, ଏହି ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ NSA ଅଧୀନରେ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ । ଜେଲରେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଏହି ମାମଲା ଉପରେ ବିଚାର କରିବାକୁ କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ବିଚାର କରିବାକୁ କହିଥିଲେ । NSA ଏକ ପ୍ରତିରୋଧକ ଅଟକ ଆଇନ ଯାହା କର୍ତ୍ତୃପକ୍ଷଙ୍କୁ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ବିବେଚନା କଲେ ସେମାନଙ୍କୁ ବିନା ବିଚାରରେ ଅଟକ ରଖିବାକୁ ଅନୁମତି ଦିଏ । ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ପୋଲିସ କମିଶନର ଏହି ନିର୍ଦ୍ଦେଶ ଜାରି କରନ୍ତି । ଏଥିରେ ଚାର୍ଜସିଟ୍ କିମ୍ବା ବିଚାର ଆବଶ୍ୟକ ନାହିଁ। କାରଣ କେବଳ ଅଟକ ରଖିବା ଏହାର ଉଦ୍ଦେଶ୍ୟ।

ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର : ନବୀନ

ଭୁବନେଶ୍ବର :  ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର । ବିଧାନସଭାରେ ମକ ପୋଲିଂ ଶେଷ ପରେ ଗଣମାଧ୍ୟମକୁ ଏପରି ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି ନବୀନ ଅଭିଯୋଗ କରିଛନ୍ତି । ତେବେ ବିଜେଡିର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି, ସତର୍କ ଅଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଅଭିଯୋଗ କରି କହିଛନ୍ତି,ଶାସକ ଦଳ ପାଖରେ ନିର୍ବାଚନ ଜିତିବାକୁ ନମ୍ବର ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଫୋନ କରୁଛନ୍ତି । ନିର୍ବାଚନ ମଣ୍ଡଳୀ ଲୋକ କହିଛନ୍ତି ଯେ ଯିଏ ବି ଘୋଡା ବେପାର କରିବ, ତାକୁ ନିର୍ବାଚନ ମଣ୍ଡଳୀ ପୂରାଇ ଦିଆଯିବ ନାହିଁ । ଦଳ ବି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବ୍ୟୋମକେଶ କହିଛନ୍ତି । ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଧାନସଭାରେ ବିଧାନସଭା ସଚିବ ସବୁ ଦଳର ବିଧାୟକଙ୍କୁ ମକ ଡ୍ରିଲ କରାଇଛନ୍ତି । କେମିତି ମତଦାନ କେନ୍ଦ୍ରକୁ ଯିବେ, କେଉଁଠି ବସିବେ, ବାଲାଟ ପେପର କେଉଁଠୁ ଆଣିବେ, ଭୋଟ କେମିତି ଦିଆଯିବ, ପେନ କେମିତି ବ୍ୟବହାର ହେବ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଦଳର ନିଷ୍ପତ୍ତି ଅନୁସାରେ ଭୋଟ ଦିଆଯିବ ବୋଲି ବିଧାୟକ କହିଛନ୍ତି । ସେପଟେ ଆଜି ସଂଧ୍ୟାରେ ମଧ୍ଯ ନବୀନ ନିବାସରେ ବିଜେଡି ବିଧାୟକ ଟ୍ରେନିଂ ନେବେ ।

ଝରକା ତାଡ଼ି ଘରୁ ଭାତ ଖାଇଲା ହାତୀ

ଚମ୍ପୁଆ : ଚମ୍ପୁଆରେ ଦନ୍ତା ଆତଙ୍କ । ରୋଷେଇ ଘର ଝରକା ତାଡ଼ି ଘର ଭିତରୁ ଭାତ ଖାଇଲା ଗୋଠଛଡା ହାତୀ । ଗତ ଏକ ସପ୍ତାହରୁ ଅଧିକ ହେବ ଚମ୍ପୁଆ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ହାତୀ ଗତରାତି ମଙ୍ଗଳପୁର ଓ ଅଢଙ୍ଗା ପାଳ ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛି । ମଙ୍ଗଳ ପୁର ଗାଁ ରେ ଗୋଟିଏ ରୋଷେଇ ଘର ଝରକା ଭାଙ୍ଗି ଘର ଭିତରୁ ରନ୍ଧା ଖାଦ୍ୟ ଖାଇଯିବା ବେଳେ ବହୁସମୟ ଧରି ସେହି ଘର ନିକଟରେ ଉତ୍ପାତ କରିଥିଲା । ଚମ୍ପୁଆ ରେଞ୍ଜର ଯାମୁଦଲକ ଓ କୋଦଗାଡିଆ ପଞ୍ଚାୟତରେ ଉତ୍ପାତ ଜାରି ରଖି ଥିବା ଏହି ଗୋଠଛଡା ଦନ୍ତା ଏବେ ଗାଁ ରେ ପଶି ଘର ଭାଙ୍ଗିବା ଆରମ୍ଭ କରିଛି। ସାତହଳିଆ ଗାଁ ରେ ୪ଟି ଘର ଭାଙ୍ଗି ଥିବାବେଳେ ମଙ୍ଗଳପୁର ଗାଁ ରେ ଗାଁର ବେଲମତୀ ମୁଣ୍ଡାଙ୍କ ରୋଷେଇ ଘର ଝରକା ଭାଙ୍ଗି ଘର ଭିତରେ ଉତ୍ପାତ କରିଛି । ଗ୍ରାମବାସୀ ଘଉଡେଇବାରୁ ଅଢଙ୍ଗାପାଳ ଗାଁ କୁ ଚାଲି ଯାଇଥିଲା । ସେଠାରେ ବ୍ୟାପକ ଗହମ ଚାଷ ସହିତ ପନିପରିବା ଚାଷ ନଷ୍ଟ କରିଛି । ଗତ ଏକ ସପ୍ତାହ ରୁ ଅଧିକ ହେବ ହାତୀଟି ଅଞ୍ଚଳ ଛାଡି ଯିବାର ନାଁ ଧରୁନାହିଁ। ହାତୀ ଟି ଦିନବେଳା ନିକଟସ୍ଥ ଜଙ୍ଗଲରେ ରହି ରାତି ହେବା ମାତ୍ରେ ଗାଁ ଭିତରକୁ ପଶିଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ବନ ବିଭାଗ ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ, ୧୫ ଦିନ ହେଲା ଯୁଦ୍ଧ ପାଇଁ ଘାଇଲା ସାରା ବିଶ୍ବ

ନନ୍ଦିଘୋଷ ବ୍ୟୁରୋ ; ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ୧୫ ଦିନ ହେଲା ଯୁଦ୍ଧ ପାଇଁ ଘାଇଲା ସାରା ବିଶ୍ବ । ଇରାନର ଦୁର୍ବଳ ସ୍ଥାନରେ ଭୟଙ୍କର ଆକ୍ରମଣ କରିଛି ଆମେରିକା । ଇରାନର କ୍ରାଉନ ଜୁଏର ଖର୍ଗ ଦ୍ବୀପରେ ଲଗାତର ରକେଟ ମାଡ଼ କରିଛି ଆମେରିକା । ଇରାନ ତୈଳ ହବ ଭାବେ ପରିଚିତ ଖର୍ଗ ଦ୍ବୀପକୁ ଧ୍ବଂସ କରିଛନ୍ତି ଆମେରିକାର ସେଣ୍ଟ୍ରାଲ କମାଣ୍ଡ । ଷ୍ଟେଟ ଅଫ ହର୍ମୁଚର ୪୮୩ କିଲୋମିଟର ଦୂର ଉତ୍ତର ପଶ୍ଚିମରେ ଥିବା ଏହି ଖର୍ଗ ଦ୍ବୀପ ଇରାନର ସର୍ବବୃହତ୍ତ ତୈଳ ରିଫାଇନାରୀ । ଯେଉଁଠାରେ ଦୈନିକ ପ୍ରାୟ ୭୦ ଲକ୍ଷ ବ୍ଯାରେଲ ତୈଳ ଉତ୍ପାଦନ ହୋଇଥାଏ । ଏହାକୁ ଧ୍ବଂସ କରି ଇରାନର ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଦେଇଛି ଆମେରିକା । ଇରାନ ପରମାଣୁ ଅସ୍ତ୍ର ପାଇବନି, ଆତ୍ମସମର୍ପଣ ବ୍ଯତୀତ ତା ନିକଟରେ ଆଉ କୌଣସି ବାଟ ନାହିଁ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । ନଚେତ ଇରାନର ଚିହ୍ନବର୍ଣ୍ଣ ରହିବନି ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ସେପଟେ ଏକ ହସ୍ପିଟାଲ ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମେଡିକାଲ ଉପରେ ହୋଇଛି ଭୟଙ୍କର ରକେଟ ମାଡ଼ । ସେପଟେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ମୋଜତାବା ଖାମେନେଇଙ୍କ ମୁଣ୍ଡ ପାଇଁ ଘୋଷଣା ହୋଇଛି ପୁରସ୍କାର ରାଶି । ଖାମେନେଇ ଓ ତାଙ୍କ ୧୦ ନେତାଙ୍କୁ ଆତଙ୍କବାଦୀ ଦର୍ଶାଇବା ସହ ତାଙ୍କ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କୁ ୧୦ ମିଲିୟନ ଡଲାର ପରସ୍କାର ଦେବ ଆମେରିକା । ଏସବୁ ଭିତରେ କିନ୍ତୁ ଭାରତକୁ ମିଳିଛି ବଡ଼ ଆସ୍ବସ୍ତି । ଭାରତର ଏଲପିଜି ଜାହାଜକୁ ଅଟକାଇବ ନାହିଁ ବୋଲି ଇରାନ ପ୍ରତିଶ୍ରୁତି ଦେଇଛି। ଭାରତ ଆସୁଥିବା ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଛାଡ଼ିବ । ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ତେହେରାନ। ଖୁବଶୀଘ୍ର ଦୁଇଟି ଜାହାଜ ଭାରତରେ ପହଞ୍ଚିବ । ନୂଆଦିଲ୍ଲୀରେ ଥିବା ଇରାନର ରାଷ୍ଟ୍ରଦୂତ କହିଛନ୍ତି, ଭାରତ ହେଉଛି ଆମର ବନ୍ଧୁ ରାଷ୍ଟ୍ର। ତେଣୁ ଭାରତର ଜାହାଜକୁ ଅଟକା ଯିବ ନାହିଁ। ଇରାନର ଏହି ନିଷ୍ପତ୍ତି ପରେ ଦେଶରେ ଏଲପିଜି ସଂକଟର ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇପାରେ।

ନକଲି ପୋଲିସ କର୍ମଚାରୀ ଗିରଫ

ସୋର : ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ବେଳେ ଖଇରା ପୋଲିସ ଦ୍ୱାରା ଯୁବକ ଗିରଫ l ବାଲେଶ୍ୱର ଜିଲ୍ଲା ଖଇରା ଅଂଚଳରେ ନକଲି ପୋଲିସ କର୍ମଚାରୀ ଗିରଫ l ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ଅଜୟ ପଣ୍ଡାଙ୍କର ଟ୍ରକ କୁପାରୀ ଅଂଚଳରୁ ଚିପ୍ସ ନେଇ ସୋରକୁ ଆସୁଥିବା ବେଳେ ତୋରାଣିପଦା ଛକ ନିକଟରେ ୪ ଜଣ ଯୁବକ ଟ୍ରକକୁ ଅଟକାଇ ପୋଲିସ କର୍ମଚାରୀ କହି କାଗଜପତ୍ର ଯାଞ୍ଚ କରିବା ସହିତ ଟଙ୍କା ମାଗିଥିଲେ l ବାଧ୍ୟ ହୋଇ ଅଜୟ ଏକ ଫୋନ ପେ ନମ୍ବରକୁ ୩ ହଜାର ଟଙ୍କା ମଧ୍ୟ ଦେଇଥିଲେ l ପରେ ଜାଣିବାକୁ ପାଇଥିଲେ ଟ୍ରକ ଅଟକାଇ ଥିବା ଯୁବକ ମାନେ କୌଣସି ପୋଲିସ କର୍ମଚାରୀ ନୁହନ୍ତି l ପରେ ଅଜୟ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଖଇରା ଆଇଆଇସି ଜନ ପଟ୍ଟନାୟକ ତଦନ୍ତ କରି ଅର୍ଜୁନପୁର ଗ୍ରାମର ମହି ରଞ୍ଜନ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି l

ଅଜଣା ଗାଡି ଧକ୍କା ଜଣେ ମହିଳା ମୃତ

କୁଚିଣ୍ଡା : ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । ଅଜଣା ଗାଡି ଧକ୍କା ଜଣେ ମହିଳା ମୃତ । ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି । ମୃତ ଓ ଗୁରୁତର ସମସ୍ତେ ଟାଇଁସର ନିକଟ କଦୋପଡା ଗ୍ରାମର ବୋଲି ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସୁମୀ ଫାଣ୍ଡିର ଟାଇଁସର ନିକଟରେ ଘଟିଛି ଦୁର୍ଘଟଣା । ଟାଇଁସର ଠାରେ ଚାଲିଥିବା ଧନୁଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଅଘଟଣ । ଖବର ପାଇ କୁଚିଣ୍ଡା ଉପଜିଲ୍ଲାପାଳ ଓ ଏସଡିପିଓ ଡାକ୍ତରଖାନାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଦୁର୍ଘଟଣା ପରେ ଗାଡି ଟି ଫେରାର ହୋଇଥିବା ବେଳେ, ତଦନ୍ତ କରୁଛି ପୋଲିସ।

ପାଣିଟାଙ୍କି ଉପରେ ଲୁଚିଥିଲା ଅଭିଯୁକ୍ତ, ହାଇଡ୍ରାମା ପରେ କାବୁ କଲା ଅଗ୍ନିଶମ ବାହିନୀ

ଦେବଗଡ଼ : ଦେବଗଡ଼ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଗତ ଗୁରୁବାର ଘଟି ଥିବା ଟ୍ରିପଲ ମର୍ଡର ଘଟଣାର ଏକମାତ୍ର ଅଭିଯୁକ୍ତ ରମେଶ ଗରିଆକୁ ଗାଁ ପାଣି ଟାଙ୍କି ଉପରୁ ଠାବ କଲେ ଗ୍ରାମବାସୀ l ନିଜ ସ୍ତ୍ରୀ ଗୁଲ ଗରିଆ, ବୋହୁ ଲିପି ମହାକୁଳ ଓ ୪ ବର୍ଷୀୟ ନାତୁଣୀ ଈଶାନୀକୁ ହାମର ସାହାଯ୍ୟରେ ପିଟି ହତ୍ୟା କରିବା ପରଠାରୁ ଫେରାରଥିଲା ଅଭିଯୁକ୍ତ ରମେଶ l ଆଜି ଗାଁ ପାଣି ଟାଙ୍କି ୫୦ ଫୁଟ ଉପରେ ଏକ କୁରାଢ଼ୀ ଧରି ଥିବା କେତେକ ଗ୍ରାମବାସୀ ଦେଖି କୁଣ୍ଢେଇଗୋଳା ପୋଲିସକୁ ଖବର ଦେଇଥିଲେ । ଅଭିଯୁକ୍ତ ଟାଙ୍କି ଉପରେ ଥିବାବେଳେ ତଳେ ଜଗି ରହିଥିଲେ ପୋଲିସ । ଦୀର୍ଘ ୨ ଘଣ୍ଟାର ହାଇ ଡ୍ରାମା ପରେ ଅଭିଯୁକ୍ତ ରମେଶ ଗରିଆକୁ ପାଣି ଟାଙ୍କି ଉପରେ କାବୁ କଲେ ଅଗ୍ନିଶମ ବିଭାଗ କର୍ମଚାରୀ l ତଳକୁ ଆଣିବା ପରେ ପୁଲିସ ହେପାଜତରେ ଅଭିଯୁକ୍ତକୁ ଥାନାକୁ ନେଲା ପୋଲିସ l ତେବେ ଅଭିଯୁକ୍ତ ବିଷପାନ କରିଥିବାରୁ ପ୍ରାଥମିକ ଚିକିତ୍ସା ପାଇଁ କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି କରିଛି କୁଣ୍ଢେଇଗୋଳା ପୋଲିସ l

ଆମେରିକାରେ ୧୦ ଜଣ ଭାରତୀୟ ନାଗରିକ ଗିରଫ…

ନନ୍ଦିଘୋଷ ବ୍ୟୁରୋ ; ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଭିସା ଜାଲିଆତି ପାଇଁ ଷଡ଼ଯନ୍ତ୍ର ପାଇଁ ଚାରୋଟି ରାଜ୍ୟରେ ଚଢାଉ କରି ୧୦ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଭାରତୀୟ ନାଗରିକମାନେ ଅପରାଧର ଶିକାର ହୋଇ ପ୍ରବାସ ସୁବିଧା ପାଇବା ପାଇଁ ନକଲି ସଶସ୍ତ୍ର ଡକାୟତି କରିଥିଲେ। FBI ଅନୁଯାୟୀ, ଏହି ମାମଲାରେ ମୋଟ ୧୧ ଜଣ ଭାରତୀୟଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି। ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ଅଭିଯୁକ୍ତ କରାଯାଇ ଭାରତକୁ ପଠାଇ ଦିଆଯାଇଛି।

FBI ଦାବି କରିଛି ଯେ ଏହି ବ୍ୟକ୍ତିମାନେ ଅନେକ ଦୋକାନରେ ନକଲି ସଶସ୍ତ୍ର ଡକାୟତି କରିଥିଲେ। ଏହି ଘଟଣାଗୁଡ଼ିକୁ ଦୋକାନ କର୍ମଚାରୀ କିମ୍ବା ମାଲିକମାନଙ୍କୁ ପୀଡିତ ଭାବରେ ଚିତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥିଲା । ଯାହା ଦ୍ଵାରା ସେମାନେ U ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରିପାରିବେ। ଏହି ଭିସା ସେହି ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ ଯେଉଁମାନେ ଗୁରୁତର ଅପରାଧର ଶିକାର ହୁଅନ୍ତି ଏବଂ ସେମାନଙ୍କର ତଦନ୍ତରେ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ସହଯୋଗ କରନ୍ତି। ଭାରତୀୟ ନାଗରିକମାନେ ଏଥିରୁ ଲାଭ ପାଇବା ପାଇଁ ଏହି ଷଡ଼ଯନ୍ତ୍ର ରଚିଥିଲେ, କିନ୍ତୁ ତଦନ୍ତ ସଂସ୍ଥା ଏହାକୁ ପର୍ଦ୍ଦାଫାସ୍ କରି ସେମାନଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ଗୁଜରାଟର ବାସିନ୍ଦା।

ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଅଭିଯୁକ୍ତମାନେ ୨୦୨୩ ମସିହାରେ ଏହି ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ। ସେହି ସମୟ ମଧ୍ୟରେ, ମାସାଚୁସେଟ୍ସରେ ଅତି କମରେ ଛଅଟି ସୁବିଧା ଦୋକାନ, ମଦ ଦୋକାନ ଏବଂ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟରେ ସଶସ୍ତ୍ର ଡକାୟତି ଘଟିଥିଲା। ପ୍ରତ୍ୟେକ ଥର, ସମାନ ପଦ୍ଧତି ବ୍ୟବହାର କରାଯାଉଥିଲା: ଜଣେ ବ୍ୟକ୍ତି କର୍ମଚାରୀମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଧମକାଉଥିଲେ, କ୍ୟାସ୍ ରେଜିଷ୍ଟରରୁ ଟଙ୍କା ଉଠାଇ ପଳାଇଯାଉଥିଲେ। ଅଭିଯୁକ୍ତମାନେ ଏହି ପ୍ରକାରେ ବାରମ୍ବାର ଏହି ଘଟଣାମାନ ଘଟାଇଥିଲେ। ସମଗ୍ର ଘଟଣାଟି ଷ୍ଟୋରର ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଏହା ପରେ, କର୍ମଚାରୀ କିମ୍ବା ମାଲିକମାନେ ପୋଲିସକୁ ଜଣାଇବା ପୂର୍ବରୁ କିଛି ମିନିଟ୍ ଅପେକ୍ଷା କରିବେ, ଅଭିଯୁକ୍ତମାନଙ୍କୁ ସୁରକ୍ଷିତ ଭାବରେ ଛାଡିଦେବେ।

ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାଗୁଡ଼ିକ ମୁଖ୍ୟ ଅଭିଯୁକ୍ତ ରାମଭାଇ ପଟେଲ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଯୋଜନା କରାଯାଇଥିଲା। ଅଭିଯୁକ୍ତ ପୀଡିତମାନେ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରିବା ପାଇଁ ଟଙ୍କା ଦେଇଥିଲେ, ଯେତେବେଳେ ପଟେଲ ତାଙ୍କ ଦୋକାନ ବ୍ୟବହାର କରିବା ପାଇଁ ଦୋକାନୀମାନଙ୍କୁ ଟଙ୍କା ଦେଇଥିଲେ। ଏଜେନ୍ସି ଅନୁଯାୟୀ, ଏହି ଘଟଣାଗୁଡ଼ିକର ଉଦ୍ଦେଶ୍ୟ ଥିଲା କର୍ମଚାରୀ କିମ୍ବା ମାଲିକମାନେ ହିଂସାତ୍ମକ ଅପରାଧର ଶିକାର ହୋଇଥିବା ପରି ଦେଖାଯିବା, ଯାହା ଫଳରେ ସେମାନେ ୟୁ ଭିସା ପାଇଁ ଯୋଗ୍ୟ ହୋଇଗଲେ।

ତଦନ୍ତକାରୀ ସଂସ୍ଥାର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲାରେ ଜଡିତ ଜିତେନ୍ଦ୍ର କୁମାର ପଟେଲ, ମହେଶ କୁମାର ପଟେଲ, ସଞ୍ଜୟ କୁମାର ପଟେଲ, ଅମିତା ବେନ୍ ପଟେଲ, ସଙ୍ଗୀତା ବେନ୍ ପଟେଲ ଏବଂ ମିତୁଲ ପଟେଲଙ୍କୁ ମାସାଚୁସେଟ୍ସରେ ଗିରଫ କରାଯାଇଥିଲା। ବୋଷ୍ଟନର କୋର୍ଟରେ ପ୍ରାରମ୍ଭିକ ହାଜର ପରେ ଅଭିଯୁକ୍ତମାନଙ୍କୁ ମୁକ୍ତ କରାଯାଇଥିଲା।

ଏହି ସମୟରେ, ରମେଶ ଭାଇ ପଟେଲ, ରୋନକ କୁମାର ପଟେଲ, ସୋନାଲ ପଟେଲ ଏବଂ ମିନକେଶ ପଟେଲଙ୍କୁ କେଣ୍ଟୁକି, ମିସୌରୀ ଏବଂ ଓହାଇଓରୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ବୋଷ୍ଟନର ଫେଡେରାଲ କୋର୍ଟରେ ହାଜର କରାଯିବ।

ଜଣେ ଏଫବିଆଇ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ରାମଭାଇ ପଟେଲ ଏବଂ ତାଙ୍କୁ ଖସିଯିବାରେ ସାହାଯ୍ୟ କରିଥିବା ଡ୍ରାଇଭରଙ୍କୁ ପୂର୍ବରୁ ଅଭିଯୁକ୍ତ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନଙ୍କ ବିରୁଦ୍ଧରେ ଭିସା ଠକେଇ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇଛି।