spot_img
Home Blog Page 1726

ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ସାମିଲ ହେବ ନଗର ଉନ୍ନୟନ ବିଭାଗର ଆଉ ୫ ସେବା

ଭୁବନେଶ୍ବର: ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ୫ଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ । ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।

ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଲା, ମାସେ ଭିତରେ ମିଳିବ ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ ବା ସଂଶୋଧନ ନିମନ୍ତେ ଅନୁମତି । ସପ୍ତାହକରେ ମିଳିବ ବିଲ୍ଡିଂ ପ୍ଲାନ୍‌ର ପୁନଃ ବୈଧିକରଣ ଅନୁମତି । ଏହାସହ ପ୍ଲିନଥ ଅନୁମୋଦନ ମଧ୍ୟ ପ୍ରଦାନ କରାଯିବ । ସେହିପରି ଗୋଟିଏ ଦିନରେ ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ ଓ ତିନି ମାସ ମଧ୍ୟରେ ମିଳିବ ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ । ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଗାଇ ଦିଆଯିବ । ଏହି ୫ଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।

ରତ୍ନଭଣ୍ଡାର ଖୋଲିବା ନେଇ ୬ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି, ନୂଆ କମିଟି ଗଠିତ

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନିର୍ବାଚନ ସମୟରେ ବିଜେପି ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା । ଏବେ ବିଜେପି ରାଜ୍ୟରେ ସରକାର ଗଠନ କରିଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଖୋଲିବ ରତ୍ନଭଣ୍ଡାର ।

ରତ୍ନଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ ହୋଇଛି । ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟିର ଅଧ୍ୟକ୍ଷ ରହିବେ । କମିଟିର ବୈଠକ ଆସନ୍ତା ୬ ତାରିଖରେ ପୁରୀରେ ବସିବାକୁ ଯାଉଛି । ରତ୍ନଭଣ୍ଡାର କେବେ ଖୋଲିବ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ ।

ଆଗକୁ ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲାବା ବେଳେ କ’ଣ କ’ଣ କାର୍ଯ୍ୟପନ୍ଥା ରହିବ ତାହା ଉପରେ ବୈଠକରେ ଆଲୋଚନା କରାଯିବା । ଏହାସହ ଅଳଙ୍କାର ମାନ ପରୀକ୍ଷଣ ନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ । ମରାମତି ଓ ଗଣନା କାର୍ଯ୍ୟ ନିର୍ଦ୍ଧାରଣ କରିବ କମିଟି । କମିଟିର ନିଷ୍ପତ୍ତି ପରେ ସରକାର ପଦକ୍ଷେପ ନେବେ ।

ବିଜେପିକୁ କଂଗ୍ରେସର ଚରମ ଚେତାବନୀ: କାର୍ଯ୍ୟାନୁଷ୍ଠାନ ନ ନେଲେ ଆମେ ବି ତୁମ ଅଫିସରେ ପଶିବୁ

ଭୁବନେଶ୍ବର: ତେଜୁଛି କଂଗ୍ରେସ ଭବନ ଗଣ୍ଡଗୋଳ ବିବାଦ । ସିଧା ସିଧା ଚେତାବନୀ ଦେଇଛି କଂଗ୍ରେସ । କାର୍ଯ୍ଯାନୁଷ୍ଠାନ ନହେଲେ ବିଜେପି ଅଫିସରେ ଧସେଇ ପଶିବାକୁ ଆମେ ମଧ୍ଯ ପଛାଇବୁ ନାହିଁ । କ୍ଷମତାକୁ ଆସୁ ଆସୁ ଏ ଯେଉଁ ହିଂସାକାଣ୍ଡ କରୁଛ, ସେଇ ଗୁଜୁରାଟ ମଡେଲ । ଶାନ୍ତିପ୍ରିୟ ଓଡ଼ିଶାରେ ଗୁଜୁରାଟ ମଡେଲ କାର୍ଯ୍ଯକାରୀ କରନି, ନହେଲେ ସ୍ଥିତି ଭୟାବହ ହେବ । କଂଗ୍ରେସ ଭବନ ହିଂସାକାଣ୍ଡ ପ୍ରତିବାଦରେ କାଲି କମିଶନରେଟ ଅଫିସ ଘେରାଉ ସହିତ ସବୁ ଏସପି ଅଫିସ ଘେରାଉ କରିବ ବୋଲି କଂଗ୍ରେସ କହିଛି ।

କଂଗ୍ରେସ ଭବନ ଗଣ୍ଡଗୋଳ ଘଟଣାରେ ବିଜେପିକୁ ଚେତାବନୀ ଦେଇଛି କଂଗ୍ରେସ । ଆକ୍ରମଣର ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, କ୍ଷମତାକୁ ଆସିବାର ମାସେ ବି ହୋଇନି, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ଯରେ ଅରାଜକତା ଓ ହିଂସା ଆରମ୍ଭ କରିଦେଇଛି ବିଜେପି । କଂଗ୍ରେସ ଅଫିସରେ ପଶି କର୍ମୀଙ୍କୁ ଆକ୍ରମଣ କରିବା, ଢେଲା ମାଡ଼, ଗୋବର ମାଡ଼ରୁ ଏହା ସ୍ପଷ୍ଟ ହୋଇଛି । ବିଜେପିର ଏପରି ଆଚରଣକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେନି ।

ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ନିଜ କର୍ମୀଙ୍କ ଲଜ୍ଜାଜନକ କାମ ପାଇଁ ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ କ୍ଷମା ମାଗନ୍ତୁ । ନ ହେଲେ ବିଜେପି ଅଫିସରେ ଧସେଇ ପଶିବାକୁ କଂଗ୍ରେସ କର୍ମୀ ପଛାଇବେ ନାହିଁ ।

ବାଳକ ବୁଦ୍ଧି କହି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମୋଦି ଲୋକସଭାରେ କଟାକ୍ଷ କରିଥିବାରୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି, ବିଜେପି ସରକାର ଆସିବାର ମାସେ ବି ହୋଇନି, ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହେଲାଣି । ବାଲେଶ୍ବର, ଖୋର୍ଦ୍ଧା, କଟକ ପରି ସ୍ଥାନରେ ଗଣ୍ଡଗୋଳ ହେବା ଏହାର ଉଦାହରଣ । ଓଡ଼ିଶାରେ ବିଜେପି ଗୁଜୁରାଟ ମଡେଲ କାର୍ଯ୍ୟକାରୀ ନ କରୁ ବୋଲି ସେ କହିଛନ୍ତି । ସୁରେଶ ରାଉତରାୟ ମଧ୍ଯ ବିଜେପିକୁ କଡ଼ା ଭର୍ତ୍ସନା କରିଛନ୍ତି । କଂଗ୍ରେସ ଭବନ ହିଂସାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ଯୁବ ଓ ଛାତ୍ର କଂଗ୍ରେସ ସବୁ ଏସପି ଅଫିସ ଘେରାଉ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

ଗତ ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଛାତି ଉପରେ କଂଗ୍ରେସ ଭବନ ଆଗରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ରାହୁଲ ଗାନ୍ଧୀଙ୍କ ମନ୍ତବ୍ଯ ପ୍ରତିବାଦରେ ବିଜେପି କର୍ମୀ ବିକ୍ଷୋଭ କରିବା ବେଳେ ତାହା ହିଂସାକାଣ୍ଡର ରୂପ ନେଇଥିଲା । ଉଭୟ ପଟରୁ ହୋଇଥିଲା ଟେକା ପଥର ମାଡ଼ । କେତେକ କର୍ମୀଙ୍କ ମୁଣ୍ଡ ମଧ୍ଯ ଫାଟିଥିଲା । ଏଥିପାଇଁ ବିଜେପି-କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ତ୍ରୟୋଦଶ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଗତକାଲି ଚମ୍ପାଇ ସୋରେନ ଇସ୍ତଫା ଦେବା ପରେ ରାଜ୍ଯପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ ହେମନ୍ତ । ହେମନ୍ତଙ୍କୁ ଶପଥ କରାଇଥିଲେ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ । ଆସନ୍ତା ରବିବାର ନୂଆ ମନ୍ତ୍ରୀମାନେ ନେବେ ଶପଥ ।

ଦୁର୍ନୀତି ମାମଲାରେ ଜେଲ ଯାଇ ମୁକୁଳିଥିବା ହେମନ୍ତ ପୁଣି ଥରେ ସିଏମ ହୋଇଛନ୍ତି । ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଝାଡ଼ଖଣ୍ଡ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ବେଆଇନ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ୫ ମାସ ରହିବା ପରେ ଝାଡଖଣ୍ଡ ହାଇକୋର୍ଟ ଗତ ଜୁନ ୨୮ ତାରିଖରେ ତାଙ୍କୁ ମୁକ୍ତି ଦେଇଥିଲେ । ୨୦୦୦ ମସିହାରେ ଝାଡଖଣ୍ଡ ଗଠିତ ହେବା ପରେ ହେମନ୍ତ ହୋଇଛନ୍ତି ତ୍ରୟୋଦଶ ମୁଖ୍ଯମନ୍ତ୍ରୀ । ସେପଟେ ଚମ୍ପାଇଙ୍କୁ ୟୁପିଏ ସମନ୍ବୟ କମିଟିର ଅଧ୍ଯକ୍ଷ ଓ ଜେଏମଏମ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଝାଡ଼ଖଣ୍ଡ ଦାୟିତ୍ବରେ ଥିବା କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର ଓ ରାଜ୍ଯ ସଭାପତି ରାଜେଶ ଠାକୁର ଉପସ୍ଥିତ ଥିଲେ । ୬୭ବର୍ଷ ବୟସ୍କ ଚମ୍ପାଇ ସୋରେନ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜଣେ ଘନିଷ୍ଠ ବନ୍ଧୁ । ଚଳିତବର୍ଷ ଶେଷ ଭାଗରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଥିଲା । ଗତ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୫ ଆସନ ମିଳିଥିବାବେଳେ ଏନଡିଏକୁ ମିଳିଥିଲା ୯ ଆସନ । ଇଣ୍ଡିଆ ମେଣ୍ଟରେ ସାମିଲ ଜେଏମଏମକୁ ୩ ଓ କଂଗ୍ରେସକୁ ୨ ଆସନ ମିଳିଥିଲା । ବଡ଼କଥା ହେଉଛି ଖୁଣ୍ଟି ଆସନରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

ପିଲାଙ୍କ ଉପରେ ଦର ବୃଦ୍ଧିର ପ୍ରଭାବ: ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି

ଭୁବନେଶ୍ବର: ମହଙ୍ଗା ମାଡ଼ରେ ପ୍ରଭାବିତ ଜନଜୀବନ । ମଧ୍ଯାହ୍ନ ଭୋଜନ କାର୍ଯ୍ୟକ୍ରମ ବି ହୋଇଛି ପ୍ରଭାବିତ । ଧାର୍ଯ୍ୟ ଦରରେ ଗୁଣାତ୍ମକ ଖାଦ୍ଯ ଯୋଗାଇବା ସମ୍ଭବ ହେଉ ନଥିବାରୁ ବଢିଛି ଚିନ୍ତା । ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ମଧ୍ଯାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । ହେଲେ ଦରବୃଦ୍ଧି ଏକ୍ଷେତ୍ରରେ ଆଣିଛି ସମସ୍ୟା । ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ହେଉଛି ଦାବି ।

ଦରବୃଦ୍ଧିର ପ୍ରଭାବ ପଡ଼ିଛି କୁନି ପିଲାଙ୍କ ଉପରେ । ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । କିନ୍ତୁ ଦରଦାମ ବୃଦ୍ଧିର ପ୍ରଭାବ ପଡୁଛି ଏହି ଯୋଜନା ଉପରେ । ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଧାରିତ ଦରରେ ବର୍ତ୍ତମାନ ଗୁଣାତ୍ମକ ଖାଦ୍ୟ ଦେବା ସମ୍ଭବ ହେଉ ନଥିବା କହିଛନ୍ତି ଅଭିଭାବକ ସଂଘ । ପିଲାଙ୍କୁ ଭାତ ଡାଲମା ଆଦି ଦିଆଯାଉଥିଲେ ମଧ୍ୟ ବର୍ତ୍ତମାନ ଡାଲି, ଆଳୁ, ପରିବା ଆଦିର ଦର ଯାହା ସେଥିରେ କେବଳ ପାଣିଆ ଡାଲି ଦେବା ହିଁ ସମ୍ଭବ । ତୁରନ୍ତ ପିଲାଙ୍କ ଦୈନିକ ଖାଦ୍ୟର ଦର ବଢାଯାଉ ବୋଲି ଦାବି କରିଛି ମହାସଂଘ ।

ସେପଟେ ଦରଦାମ ବୃଦ୍ଧି ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହୋଇଥିବା ନେଇ ଅସନ୍ତୋଷ ବ୍ଯକ୍ତ କରିଛି ସିଟିଜେନସ ଫୋରମ । ସରକାରୀ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଦେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ହେଲେ ସ୍ଥିତି କହୁଛି, ବର୍ତ୍ତମାନ ଦରରେ ସେହି ଖାଦ୍ଯ ଦେବା ସମ୍ଭବ ନୁହେଁ । ତେଣୁ ଏହାର ତୁରନ୍ତ ପ୍ରତିକାର କରିବାକୁ ଫୋରମ ଦାବି କରିଛି । ଏହାସହ ଦରଦାମ ବୃଦ୍ଧି ରୋକିବାକୁ ସରକାର ପଦକ୍ଷେପ ନେବାକୁ କୁହାଯାଇଛି ।

ବିଜେଡିର ଜିରୋ କାଜୁଆଲିଟି ନୀତି ଅନୁସରଣ କରିବ ବିଜେପି

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଆପଣାଇଥିଲେ ଜିରୋ କାଜୁଆଲଟି ନୀତି । ଆଜି ସେହି ଜିରୋ କାଜୁଆଲଟି ନୀତିକୁ ଅନୁସରଣ କରିବ ନୂଆ ବିଜେପି ସରକାର । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ୨୦୨୪ରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଓଡ୍ରାଫ ୟୁନିଟ ବୃଦ୍ଧି, ବନ୍ୟା ନିୟନ୍ତ୍ରଣ ଓ ସାପ କାମୁଡ଼ା ମୃତ୍ୟୁ ରୋକିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ଚାଲି ଯାଇଥିଲା । ତା’ପରେ ଆସିଥିଲା ନବୀନ ପଟ୍ଟନାୟକ ସରକାର । ନବୀନଙ୍କ ସମୟରେ ବି ଅନେକ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହୋଇଥିଲା ଓଡ଼ିଶା । ହେଲେ ଏହାକୁ ସଫଳତା ସହ ମୁକାବିଲା କରିଥିଲେ ନବୀନ ସରକାର । ପ୍ରତି ଜୀବନ ମୂଲ୍ୟବାନ ନାରା ଦେଇ ଜିରୋ କାଜୁଆଲଟିକୁ ଫୋକସରେ ରଖି ସଫଳତା ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିଥିଲେ ନବୀନ । ଆଜି ନବୀନଙ୍କ ଜିରୋ କାଜୁଆଲଟି ନୀତିକୁ ନୂଆ ସରକାର ବି ଆପଣାଇଛି ।

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟାୟ କମିଟି ବୈଠକ ୨୦୨୪ର ଫୋକସରେ ରହିଥିଲା ଜିରୋ କାଜୁଆଲଟି ନୀତି । ଯେଉଁଥିରେ ଭବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ୍ରାଫର ୨୦ଟି ୟୁନିଟକୁ ବୃଦ୍ଧି କରାଯାଇ ୩୦ଟି ୟୁନିଟ୍ କରି ଏହାକୁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ ବିକଶିତ କରାଯିବ । କଟକ-ଭୁବନେଶ୍ବର ସହିତ ଅନ୍ୟ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଦୀର୍ଘ ମିଆଦୀ ଯୋଜନା କରିବେ ରାଜ୍ୟ ସରକାର । ୩୯୪ କୋଟି ଟଙ୍କାରେ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିସହ ଅଧିକ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ଯ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ୫ଟି ରିଜିଓନାଲ ଫାୟାର ସର୍ଭିସ ହବ୍ କାର୍ଯ୍ୟକ୍ଷମ ହେବ । ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପ କାମୁଡାର ଅଧିକ ସମ୍ଭାବନା ରହିଥିବାରୁ ସବୁ ହସ୍ପିଟାଲରେ ଆଣ୍ଟି ସ୍ନେକ୍ ଭେନମ୍ ଗଚ୍ଛିତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସତର୍କ ମୋବାଇଲ୍ ଆପ୍ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ । ଏହି ଆପ୍ ନେଇ ସଚେତନତା ସୃଷ୍ଟି କରାଯିବ । ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଓ ଉପଯୁକ୍ତ ଚିକିତ୍ସାରେ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସହ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କର ଅବଦାନ ମଧ୍ୟ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପ୍ରଶଂସା କରିଛନ୍ତି ।

ବର୍ଷା ଦିନ ଆରମ୍ଭ ହୋଇଯାଇଛି । ଏଥିପାଇଁ ଦୁର୍ବଳ ନଦୀବନ୍ଧ ଓ ପୂର୍ବରୁ ଥିବା ଘାଇକୁ ତୁରନ୍ତ ମରାମତି ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଚଳିତବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଲାଗି ରହିଛି । ଏବେଠାରୁ ଆସନ୍ତା ଅକ୍ଟୋବର ମାସ ଯାଏଁ ରାଜ୍ୟ ପାଇଁ ପ୍ରଚୁର ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟର ସମ୍ଭାବନା ରହିଛି । ଏହି ସମୟକୁ ଅଧିକ ଗୁରୁତର ସହ ନିଆଯିବ ।

ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜୁଲାଇରୁ ଅକ୍ଟୋବରକୁ ଅତି ଗୁରୁତର ସହ ନେଉଥିଲେ । କାରଣ ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ଅଧିକ । ଏହାକୁ ଦୃଷ୍ଟିରେ ରଖି ଜିରୋ କାଜୁଆଲଟିର ଯେଉଁ ମଡେଲ ପ୍ରସ୍ତୁତ କରିଥିଲେ ନବୀନ ପଟ୍ଟନାୟକ, ତାହା ସାରା ବିଶ୍ବ ପାଇଁ ରୋଲ ମଡେଲ ହୋଇ ରହିଛି । ଏହାକୁ ଆଗକୁ ନେଇ ପ୍ରତି ଜୀବନକୁ ସୁରକ୍ଷା ଦେବାର ଆହ୍ବାନ ନୂଆ ସରକାର ପାଖରେ ରହିଛି ।

ଟି-୨୦ ବିଶ୍ବକପ ବିଜୟ ଉତ୍ସବ; ମରିନ୍ ଡ୍ରାଇଭରୁ ଭିକ୍ଟ୍ରି ରାଲି

ମୁମ୍ବାଇ: T-20 ବିଶ୍ବକପ୍ ଜିତିବା ପରେ ଏବେ ସେଲିବ୍ରେସନ ଟାଇମ୍ । ବିଶ୍ବ ବିଜୟୀ ଟିମ୍ ଇଣ୍ଡିଆକୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା । ଟିମ୍ ଇଣ୍ଡିଆ ଏବେ ମୁମ୍ବାଇରେ । ଏୟାରପୋର୍ଟରୁ ମୁମ୍ବାଇର ମରିନ୍ ଡ୍ରାଇଭରେ ହେଉଛି ଭିକ୍ଟ୍ରି ରାଲି । ୱାଙ୍ଖଡ଼େ ଷ୍ଟାଡିୟମ ପର୍ଯ୍ଯନ୍ତ ଯିବ ରାଲି । ରାସ୍ତାରେ ହଜାର ହଜାର ଫ୍ଯାନ ନିଜ ନିଜର ଫେଭରିଟ କ୍ରିକେଟରଙ୍କୁ ସକାଳୁ ହିଁ ଅପେକ୍ଷା କରି ରହିଛନ୍ତି ।

ଆଜି ସକାଳେ କ୍ରିକେଟରମାନେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେଠାରେ ସମସ୍ତଙ୍କୁ ଭେଟି ବିଶ୍ବକପ୍ ବିଜୟର ଅଭିନନ୍ଦନ ଜଣାଇଥିଲେ ମୋଦି । ପରେ କ୍ରିକେଟରମାନେ ମୁମ୍ବାଇ ଆସିଛନ୍ତି । ଏବେ ଆରମ୍ଭ ହୋଇଛି ସେଲିବ୍ରେସନ ଟାଇମ୍ । ଚାଲିଛି ଭିକ୍ଟ୍ରି ରାଲି ।

ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକ ନିଜର ଫେଭରିଟ କ୍ରିକେଟରଙ୍କ ଏକ ଝଲକ ପାଇବାକୁ ଓ ଅଭିନନ୍ଦନ ଜଣାଇବାକୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ । ହାତ ହଲାଇ ସେମାନଙ୍କ ଅଭିନନ୍ଦନ, ଶୁଭେଚ୍ଛା ସ୍ବୀକାର କରିଛନ୍ତି ବିଶ୍ବ ବିଜେତା କ୍ରିକେଟରମାନେ ।

ପାହାଡ଼ ଉପରୁ ତିନି ମୃତଦେହ ଉଦ୍ଧାର, ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା !

ସୋର: ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଚାଞ୍ଚଲ୍ୟ । ପାହାଡ଼ ଉପରୁ ମିଳିଲା ୩ ଜଣଙ୍କ ମୃତଦେହ । ୫ ଦିନ ହେବ ଥିଲେ ନିଖୋଜ । ଗୁଣିଗାରେଡ଼ି ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ।

ଖବର ଅନୁସାରେ, ଔପଦା ବ୍ଲକ ବଡପୋଖରୀ ଗାଁ ନିକଟ ପାହାଡରୁ ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୫ ଦିନ ହେବ ଏମାନେ ନିଖୋଜ ଥିଲେ । ଖଷାଜାଖୋଜି ପରେ ବି ପରିବାର ଲୋକେ ଏମାନଙ୍କ କୌଣସି ସନ୍ଧାନ ମିଳି ନଥିଲା ।

ପୋଲିସ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟା ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମୃତକମାନେ ସମ୍ପର୍କରେ ମାମୁଁ, ମାଇଁ ଓ ମାଆ ବୋଲି ଜଣାପଡିଛି ।

କାମ କରିବାକୁ ହାତ ଯୋଡ଼ି ନିବେଦନ କଲେ ନୀତିଶ କୁମାର

ପାଟନା: ହାତ ଯୋଡ଼ିଲେ ବିହାର ମୁଖ୍ଯମନ୍ତ୍ରୀ ନୀତିଶ କୁମାର । କାମ କରିବାକୁ କଲେ ଅନୁରୋଧ । କହିଲେ, କାମ କର ହାତ ଯୋଡୁଛି, ଗୋଡ଼ ବି ଧରିବି କି ?

ଏକ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବରେ ଯୋଗ ଦେଇ ଏପରି ହାତ ଯୋଡ଼ିଛନ୍ତି ବିହାରର ମୁଖ୍ଯମନ୍ତ୍ରୀ ନୀତିଶ କୁମାର । ପାଟନାରେ ଆଜି ସ୍ପେସାଲ ସର୍ଭେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସ ଓ ଅନ୍ଯ ପଦର ନିଯୁକ୍ତି ପତ୍ର ବଣ୍ଟାଯାଉଥିଲା । ଏହି କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ମୁଖ୍ଯମନ୍ତ୍ରୀ ।

କାର୍ଯ୍ଯକ୍ରମ ସମୟରେ ସେ କହିଥିଲେ- ରାଜ୍ଯର ବିଧାନସଭା ନିର୍ବାଚନ ପୂର୍ବରୁ ଜମି ସର୍ଭେ କାମ ଶେଷ କରନ୍ତୁ । ଏହି ସବୁ କାମ ୨୦୨୫ ଜୁଲାଇ ସୁଦ୍ଧା ଶେଷ ହୋଇଗଲେ ଭଲ ହେବ । ତା’ପରେ ସେ ଅତିରିକ୍ତ ମୁଖ୍ଯ ଶାସନ ସଚିବ ଦୀପକ କୁମାର ସିଂହଙ୍କୁ କହିଥିଲେ, ସାର୍  ମୁଁ ହାତ ଯୋଡ଼ି ଆପଣଙ୍କୁ ଅନୁରୋଧ କରୁଛି । ଏହି କାମଟା କରି ଦିଅନ୍ତୁ । ଆହୁରି ପାଦେ ଆଗେଇ ଯାଇ ନୀତିଶ କୁମାର କହିଥିଲେ, ଆପଣଙ୍କ ଗୋଡ଼ ଧରିବି କି ? ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଏହି କାମ ଯେତେ ଶୀଘ୍ର ସମ୍ଭବ କରି ଦିଅନ୍ତୁ । ତାଙ୍କର ଏହି କଥା ସେଠାରେ ହାସ୍ଯରୋଳ ସୃଷ୍ଟି କରିଥିଲା ।

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ଏଲିନା ଦାସ

କଟକ: ହାଇକୋର୍ଟର ଦ୍ବାରସ୍ଥ ହୋଇଚନ୍ତି ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ । ବଲେ୍ ବଲେ୍ ଢାବା ଘଟଣାରେ ତାଙ୍କ ନାଁ ଯୋଡ଼ା ହୋଇଥିବା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଚନ୍ତି । ଏନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଛନ୍ତି ଏଲିନା ।

ବଲେ୍ ବଲେ୍ ଢାବା ଏଲିନା ଲିଜରେ ଚଳାଉଥିବା ଅଭିଯୋଗ ହୋଇଥିଲା । ବିନା କୌଣସି କାଗଜପତ୍ରରେ ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା । ଏଲିନା କିମ୍ୱା ତାଙ୍କର କୌଣସି ପରିବାର ସଦସ୍ୟଙ୍କ ନାମରେ ଏହି ଢ଼ାବା ନଥିବା କହିଛନ୍ତି ଏଲିନାଙ୍କ ଓକିଲ । ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, ସୂଚନା ଲୋକ ସମ୍ପର୍କ ବିଭାଗ, ଧର୍ମଶାଳା ବିଡ଼ିଓ ଏବଂ ଧର୍ମଶାଳା ଆଇଆଇସିଙ୍କୁ ମାମଲାରେ ପକ୍ଷ ଭୁକ୍ତ କରାଯାଇଛି ।