spot_img
Home Blog Page 1728

କରଞ୍ଜିଆ ବନଖଣ୍ଡରେ ହାତୀ ପଲଙ୍କ ଉତ୍ପାତ

ନନ୍ଦିଘୋଷ ବ୍ୟୁରୋ: କରଞ୍ଜିଆ ବନଖଣ୍ଡରେ ହାତୀ ପଲଙ୍କ ଉତ୍ପାତ। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଭୀମକୁଣ୍ଡ ଠାରେ ଥିବା ସରକାରୀ ବଙ୍ଗଳାର ପାଚେରୀ ଭାଙ୍ଗିଛନ୍ତି। ସେଠାରେ ଥିବା ଗୋଟିଏ ଦୋକାନ ଘରର ଚାଳିଆ ଭାଙ୍ଗିଛନ୍ତି ୨୪ ଟିକିଆ ହାତୀ ପଲ। ଏହାସହ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ବନାଞ୍ଚଳର ଡୁମୁରିଆ ଗାଁରେ ହାତୀପଲ ଗୋଟିଏ ଘର ଭାଙ୍ଗିଛନ୍ତି ।

କରଞ୍ଜିଆ ବନଖଣ୍ଡକୁ ବର୍ଷର ବିଭିନ୍ନ ସମୟରେ ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କେନ୍ଦୁଝର ଜିଲ୍ଲା ଏବଂ କରଞ୍ଜିଆ ବନଖଣ୍ଡରେ ବର୍ଷ ଯାକ ଚଳ ପ୍ରଚଳ କରୁଛନ୍ତି ହାତୀ । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

 

କଂଗ୍ରେସ ଭବନ ଆଗରେ ଗଣ୍ଡଗୋଳ ଘଟଣା: କାଲି କମିଶନରେଟ ପୋଲିସ ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଭବନ ସାମ୍ନାରେ ମଙ୍ଗଳବାରର ଗଣ୍ଡଗୋଳ ଘଟଣା ନେଇ କଂଗ୍ରେସର କଡ଼ା ଆଭିମୁଖ୍ଯ। ଆସନ୍ତାକାଲି କମିଶନରେଟ ପୋଲିସ ଅଫିସ ଘେରାଉ କରିବାକୁ ଦଳ ସଜବାଜ ହେଲାଣି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଛାତ୍ର କଂଗ୍ରେସ ତରଫରୁ ଆସନ୍ତାକାଲି ପ୍ରତିବାଦ କରାଯିବ।

ସେପଟେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଦୋଷୀଙ୍କୁ ଗିରଫ କରାନଗଲେ ବିଜେପି ଅଫିସରେ ଆମେ ପଶିବୁ। ଶାସନକୁ ଆସୁ ଆସୁ ଗଣତନ୍ତ୍ରକୁ ହତ୍ଯା କରିଛି ବିଜେପି। ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରି ଆସନ୍ତାକାଲି ସବୁ ଏସପି ଅଫିସ ଘେରାଉ କରାଯିବ। ମଙ୍ଗଳବାର ସଂଧ୍ଯା ପ୍ରାୟ ୬ଟାରେ ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ ଛକରେ ଥିବା କଂଗ୍ରେସ ଭବନ ଆଗରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ। ଏପରିକି ଉଭୟ ପକ୍ଷରୁ ହୋଇଥିଲା ଟେକା ପଥର ମାଡ଼। ଦୁଇ ଦଳର କିଛି କର୍ମୀ ଆହତ ହୋଇଥିବା ବି କୁହାଯାଇଥିଲା। ସଂସଦରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ଯର ପ୍ରତିବାଦ କରି ବିଜେପି କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିପାଇଁ ପରସ୍ପରକୁ ଦାୟୀ କରିଥିଲେ ଦୁଇ ଦଳର କର୍ମୀ।

ଅନ୍ଧବିଶ୍ୱାସରୁ ବୀଭତ୍ସ ହତ୍ଯା, ବୃଦ୍ଧାଙ୍କୁ କୁରାଢୀରେ ହାଣି ହତ୍ଯା କଲା ଯୁବକ

ମୟୂରଭଞ୍ଜ: ଅନ୍ଧବିଶ୍ୱାସରୁ ବୀଭତ୍ସ ହତ୍ଯା। ବୃଦ୍ଧାଙ୍କୁ କୁରାଢୀରେ ହାଣି ହତ୍ଯା କଲା ଯୁବକ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନିଶ୍ଚିତପୁର ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ। ବୃଦ୍ଧାଙ୍କୁ ହାଣି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି ଅଭିଯୁକ୍ତ। ମୃତ ମହିଳା ହେଲେ ୭୨ ବର୍ଷୀୟା ଗୌରୀ ବେହେରା। ଅଭିଯୁକ୍ତ ବାବୁଲି ମହାକୁଡକୁ ଗ୍ରାମବାସୀ ଅଟକ ରଖି ପୋଲିସର ଜିମା ଦେଇଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ଯାରେ ବ୍ଯବହୃତ କୁରାଢୀକୁ ଜବତ କରିଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରାଯାଉଥିବା ବେଳେ ଅନ୍ଧବିଶ୍ବାସରେ ଆସି ଅଭିଯୁକ୍ତ ହତ୍ଯା କରିଥିବା ସନ୍ଦେହ କରାଯାଉଛି ।

ସମ୍ବଲପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ସମ୍ବଲପୁର: ସମ୍ବଲପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ। ଝାଙ୍କର ପାଲି ଅଞ୍ଚଳରେ କରେଣ୍ଟ ଲାଗି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାତୀଟି ଫସଲ ଖାଇବାକୁ ଆସିଥିବା ବେଳେ ବିଦ୍ଯୁତ ଆଘାତରେ ତାର ଜୀବନ ଯାଇଥିବା ସନ୍ଦେହ କରାଯାଉଛି ।

କିଛିଦିନ ଆଗରୁ ଏହି ଅଞ୍ଚଳରେ ବିଦ୍ଯୁତ ଆଘାତରେ ଗୋଟିଏ ଦନ୍ତାର ମୃତ୍ଯୁ ହୋଇଥିଲା । ଆଜି ପୁଣି ଆଉ ଗୋଟିଏ ହାତୀର ମୃତ୍ଯୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଚୌଦ୍ୱାରରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଆତ୍ମହତ୍ଯା

କଟକ: ଟାଙ୍ଗୀ ଚୌଦ୍ୱାରରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଆତ୍ମହତ୍ଯା । ମୃତକ ହେଲେ ଗଦାଧର ଗୁରୁ । ସେ ଟାଙ୍ଗୀ ଚୌଦ୍ୱାର ବ୍ଲକରେ କାର୍ଯ୍ୟରତ ଥିଲେ । ପଞ୍ଚାୟତରେ ବିଭିନ୍ନ କାମକୁ ନେଇ ଉପରିସ୍ଥ ଅଧିକାରୀ ଗଦାଧରଙ୍କୁ ପୂର୍ବରୁ ଦାଗିଦ କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ କିଛିଦିନ ହେବ ସେ ମାନସିକ ଚାପରେ ରହିଥିଲେ । ବୁଧବାରଠୁ ଘରକୁ ଫେରିନଥିଲେ ଗଦାଧର । ଏନେଇ ପରିବାର ଲୋକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ।

ପରେ ବିଳମ୍ବିତ ରାତିରେ ଶଙ୍କରପୁର ଜଙ୍ଗଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପ୍ରକୃତରେ କେଉଁ କାରଣ ପାଇଁ ସେ ଆତ୍ମହତ୍ଯା କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଉପରିସ୍ଥ ଅଧିକାରୀଙ୍କ ଚାପ ନା ଆତ୍ମହତ୍ଯା ପଛରେ ଆଉକିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ କରୁଛି ।

ଆଜିଠୁ ଲୋକସେବା ଭବନର ତୃତୀୟ ମହଲାରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର:  ଲୋକସେବା ଭବନର ତୃତୀୟ ମହଲାରେ ପ୍ରବେଶ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ଯମନ୍ତ୍ରୀଙ୍କୁ କ୍ଯାବିନେଟ ମନ୍ତ୍ରୀମାନେ ପାଛୋଟି ନେଇଥିଲେ । ମୁଖ୍ଯ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୁଖ୍ଯମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ଲୋକସେବା ଭବନରେ ପ୍ରବେଶ କରିବା ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି । ରାଜ୍ଯର ଭୌତିକ ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। ସାହିତ୍ଯ, କଳା, ସଂଗୀତ ଓ ଲଳିତକଳା ଏକାଡେମୀର ପୁନଃଗଠନ କରାଯିବ। ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ। ଅନୁବାଦ ଏକାଡେମୀ ଓ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ କମିଶନ ଗଠନ କରାଯିବ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ଯାପକ ବ୍ଯବହାର କରାଯିବ । ଆବଶ୍ଯକ ପଡ଼ିଲେ ଓଡ଼ିଆ ଭାଷା ଆଇନରେ ସଂଶୋଧନ କରାଯିବ ।

ନବବଧୂଙ୍କ ସନ୍ଦେହଜନକ ମୃତ୍ଯୁ, ପୋଲିସର ତଦନ୍ତ ଜାରି

ଭଦ୍ରକ: ସାଂସାରିକ ଜୀବନ ଏବେ ଏବେ ଆରମ୍ଭ ହେଉଥିଲା । ବାହାଘରକୁ ୨ ମାସ ବି ପୂରିନଥିଲା । ହେଲେ କଣ ଏମିତି ହେଲା କେଜାଣି, ସ୍ବାମୀଙ୍କ ଅନୁପସ୍ଥିତିରେ ଆତ୍ମହତ୍ଯା କରିଦେଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ଗାଁରେ ନବବଧୂଙ୍କର ସନ୍ଦେହଜନକ ମୃତ୍ଯୁ ହୋଇଛି । ମୃତକ ରାଜଘରପୋରୀ ପଞ୍ଚାୟତର ସଦର ସାହିର ନକୁଳ ମହାନ୍ତିଙ୍କ ଝିଅ ମାନସୀ ।

ଅଭିଯୋଗ ଅନୁସାରେ, ପରିବାର ଲୋକ ମାନସୀଙ୍କର ଅନ୍ଯତ୍ର ବାହାଘର ଠିକ୍ କରିଥିଲେ। ଏଥିପାଇଁ ନିର୍ବନ୍ଧ ମଧ୍ଯ ଶେଷ ହୋଇଥିଲା। ମାତ୍ର ସେଠାରେ ବିବାହ ନକରି ଗତ ମେ ମାସ ୧୦ ତାରିଖରେ ପ୍ରେମିକ ବିରୁପାକ୍ଷଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏଥିରେ ମାନସୀଙ୍କ ପରିବାର ଲୋକଙ୍କ ସମ୍ମତି ନଥିଲା । ଝିଅଘର ଲୋକ ବାହାଘରରେ ସାମିଲ ମଧ୍ଯ ହୋଇନଥିଲେ । ବିବାହ ପରେ ବିରୁପାକ୍ଷ କୋଲକାତାକୁ କାମ କରିବାକୁ ଯାଇଥିଲେ । ଗତ ଦୁଇରୁ ତିନି ଦିନ ହେଲା ପତି-ପତ୍ନୀଙ୍କ ମଧ୍ଯରେ କୌଣସି କାରଣରୁ ବିବାଦ ଲାଗିଥିଲା । ବୁଧବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ମାନସୀ ରଶି ଲଗାଇ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି । ଶାଶୂଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇଁ ମାନସୀଙ୍କ ବାପଘର ଲୋକ ଡାକ୍ତରଖାନାରେ ପହଞ୍ଚି ଝିଅକୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ହାଥରସ ଦଳାଚକଟା ଘଟଣା: ତଦନ୍ତ ପାଇଁ ତିନି ଜଣିଆ ନ୍ଯାୟିକ କମିଶନ ଗଠନ

ନନ୍ଦିଘୋଷ ବ୍ୟୁରୋ: ହାଥରସ ଦଳାଚକଟା ଘଟଣାର ତଦନ୍ତ ପାଇଁ ତିନି ଜଣିଆ ନ୍ଯାୟିକ କମିଶନ ଗଠନ ହୋଇଛି । ଉତ୍ତରପ୍ରଦେଶ ରାଜ୍ଯପାଳ ଆନନ୍ଦୀବେନ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯ ସରକାର ତିନି ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି । କମିଶନରେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରିଜେଶ କୁମାର ଶ୍ରୀବାସ୍ତବ ନେତୃତ୍ବ ନେବେ । ଅନ୍ଯ ଦୁଇ ସଦସ୍ଯ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ହେମନ୍ତ ରାଓ ଓ ଭବେଶ କୁମାର । ଘଟଣାର ତଦନ୍ତ କରି ୨ ମାସ ଭିତରେ କମିଶନ ରିପୋର୍ଟ ଦାଖଲ କରିବେ ବୋଲି କୁହାଯାଇଛି । ଏବେ ପ୍ରଶ୍ନ ଉଠୁଛି କିପରି ଘଟିଲା ଏତେ ବଡ଼ ଘଟଣା? ପୋଲିସ ଓ ପ୍ରଶାସନ କରୁଥିଲା କ’ଣ? ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ କାହିଁକି ନଗଣ୍ଯ ପୋଲିସଙ୍କୁ ମୁତୟନ କରାଯାଇଥିଲା?

ଅନ୍ୟପଟେ ହାଥରସ ଅଘଟଣକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଦଳାଚକଟା ପରେ ଏବେ ଫେରାର ହୋଇଯାଇଛନ୍ତି ସୂରଜ ପାଲ ଓରଫ ଭୋଲେ ବାବା । ବାବାଙ୍କ ସମ୍ପର୍କରେ ପୋଲିସ ଟେର୍ ମଧ୍ଯ ପାଉନି । ଏପଟେ ରଙ୍ଗିଲା ବାବାଙ୍କ ଗୁମର ଖୋଲିବାରେ ଲାଗିଛି । ତାଙ୍କ ବିରୋଧରେ ଆଗ୍ରା, ଇଟାୱା, କସରଗଞ୍ଜ, ଫାରୁକାବାଦ, ରାଜସ୍ଥାନରେ ଯୌନ କେଳେଙ୍କାରୀ ସମେତ ଅନେକ ଅଭିଯୋଗ ରହିଛି। କୋଭିଡ ବେଳେ ବି ବାବାଙ୍କ ସତସଙ୍ଗ ନିୟମ ଉଲ୍ଲଂଘନ କରିଥିଲେ । ହାଥରସ ଫୁଲରଇ ଗାଁରେ ହୋଇଥିବା ସତସଙ୍ଗ ସ୍ଥଳରେ ୮୦ ହଜାର ଲୋକଙ୍କ ସମାଗମ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । କିନ୍ତୁ ମାତ୍ର ୨୦ ହଜାର ଲୋକଙ୍କ ପାଇଁ ଟେଣ୍ଟ ବ୍ଯବସ୍ଥା କରାଯାଇଥିଲା । ଅନେକ ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ଯୁ ହୋଇଥିବା ବ୍ଯବଚ୍ଛେଦ ରିପୋର୍ଟରେ ପ୍ରକାଶ ପାଇଛି । ଘଟଣାରେ ୧୭ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଏତଲାରେ ବାବାଙ୍କ ନାଁ ନାହିଁ । ମଙ୍ଗଳବାର ହାଥରସରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କର ମୃତ୍ଯୁ ହୋଇଛି ।

 

ସରକାରୀ ଘାଟ ବନ୍ଦ, ଚାଲିଛି ବାଲିଚୋରି

କଟକ: ବାଲି ଘାଟ ବନ୍ଦ, ହେଲେ ଚାଲିଛି ଚୋରା ଚାଲାଣ। ଶହ ଶହ ଟ୍ରକ ବାଲି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ। କଣ୍ଟାପଡା ତହସିଲ ଅଧୀନରେ ଥିବା ସମସ୍ତ ବାଲି ଘାଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲାପାଳ। ବାଲି ଘାଟ ବନ୍ଦ ପରେ ଦେବୀ ଓ କନ୍ଦଳ ନଦୀର ବାଲି ଉପରେ ବାଲି ଚୋରଙ୍କ ନଜର ରହିଛି। ବିଳମ୍ବିତ ରାତିରେ ଶହ ଶହ ଟ୍ରକ ବାଲି ବାହାରକୁ ଚାଲାଣ କରାଯାଉଛି।

ଗତ କିଛି ଦିନ ହେଲା ଏଭଳି ଚୋରୀ ଚାଲିଥିବା ବେଳେ ଅଞ୍ଚଳବାସୀ କଟକ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଖଣି ଅଧିକାରୀଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଅଭିଯୋଗ ପରେ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶୃତି ଦେଇଛନ୍ତି।

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ, ମାଡ଼ ଖାଇଲେ ପ୍ରେମୀ ଯୁଗଳ

ନବରଙ୍ଗପୁର: କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ମାଡ଼ । ପ୍ରେମୀ ଯୁଗଳଙ୍କୁ କପଡ଼ାରେ ଆଖି ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ପ୍ରେମୀ ଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଛନ୍ତି ଗ୍ରାମବାସୀ । କଙ୍ଗାରୁ କୋର୍ଟରେ ମାଡ଼ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରି ଆସୁଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକ ସହ ଗ୍ରାମବାସୀ ପ୍ରେମୀ ଯୁଗଳଙ୍କୁ ଧରି ଆଖିରେ ପଟି ବାନ୍ଧି ସର୍ବ ସମ୍ମୁଖରେ ନିର୍ଦ୍ଧୁମ ଛେଚି ଥିଲେ। କଙ୍ଗାରୁ କୋର୍ଟରେ ମାଡ଼ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ତେବେ ଏ ନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ପ୍ରକାଶ କରିଛନ୍ତି।