spot_img
Home Blog Page 1729

ଦିଲ୍ଲୀ କୋଚିଂ ସେଣ୍ଟର ମୃତ୍ଯୁ ଘଟଣା: ନ୍ୟାୟ ଦାବିରେ ଜାରି ରହିଛି ଛାତ୍ର ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀ ପୁରୁଣା ରାଜିନ୍ଦର ନଗରରେ ୩ ଆଇଏଏସ ଆଶାୟୀଙ୍କ ମୃତ୍ଯୁ ଘଟଣା। ନ୍ୟାୟ ଦାବିରେ ଜାରି ରହିଛି ଛାତ୍ର ଆନ୍ଦୋଳନ। ପ୍ରବଳ ବର୍ଷା ସତ୍ତ୍ବେ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ମୃତ୍ଯୁର ପ୍ରକୃତ କାରଣର ସନ୍ଧାନ କରିବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି। ଗତ ଜୁଲାଇ ୨୯ରେ ପୁରୁଣା ରାଜିନ୍ଦର ନଗରର ଏକ ବେସମେଣ୍ଟରେ ଚାଲିଥିବା ରାଓସ ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ୩ ଆଶାୟୀଙ୍କ ମୃତ୍ଯୁ ଘଟଣା ପରଠାରୁ ଜାରି ରହିଛି ଆନ୍ଦୋଳନ।

ଆନ୍ଦୋଳନକାରୀମାନେ କହିଛନ୍ତି ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୫ କୋଟି ଲେଖାଏ କ୍ଷତିପୂରଣ ଦିଆଯାଉ। ଏହା ସହ କୋଚିଂ ସେଣ୍ଟର ଅଘଟଣରେ ମୃତ୍ଯୁ ସଂଖ୍ଯା ୩ରୁ ଅଧିକ ବୋଲି ଆଶଙ୍କା କରାଯାଉଥିବାରୁ ଏହାର ପ୍ରକୃତ ତଦନ୍ତ ହେଉ। ସେହିପରି କୋଚିଂ ସେଣ୍ଟରଗୁଡିକର ଲାଇବ୍ରେରୀଗୁଡିକ ଉପରେ ଧ୍ଯାନ ଦିଆଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି।

ଆଜିଠୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ, ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ !

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଦେଶରେ ଅନେକ ନିୟମରେ ଆସୁଛି ପରିବର୍ତ୍ତନ। ଯାହାକି ଆପଣଙ୍କ ପକେଟ ଉପରେ ବଡ଼ ପ୍ରଭାବ ପକାଇପାରେ । ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଠାରୁ ଆରମ୍ଭ କରି, କ୍ରେଡିଟ କାର୍ଡ ନିୟମ ଏବଂ FASTag ଯାଏ କେତେକ ନିୟମରେ ପରିବର୍ତ୍ତନ ହେବ । ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ମାସ ଆରମ୍ଭରୁ ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି। ଯଦିବା ଜୁଲାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା । ଏଥର ମଧ୍ୟ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଛି।

ସେହିପରି ଟୋଲ୍ ପେମେଣ୍ଟକୁ ଅପଡେଟ୍ କରିବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ କମାଇବା ଲାଗି ଅଗଷ୍ଟ ମାସରୁ FASTag ସମ୍ପର୍କିତ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ୩-୫ ବର୍ଷ ପୁରୁଣା FASTag କେୱାଇସିର ଅପଡେଟ୍ କରାଯିବ। HDFC ବ୍ୟାଙ୍କ ଦ୍ୱାରା ଟାଟା ନ୍ୟୁ ଇନଫିନିଟି ଏବଂ ଟାଟା ନ୍ୟୁ ପ୍ଲସ୍ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ କରାଯିବ। ଏହି କାର୍ଡଧାରୀମାନେ ଟାଟା ନ୍ୟୁ ୟୁପିଆଇ ଆଇଡି ବ୍ୟବହାର କରି କାରବାର ଉପରେ ୧.୫% ନୂତନ କଏନ୍ ପାଇବେ।

ଗୁଗୁଲ୍ ମ୍ୟାପ୍ସ ଦ୍ୱାରା କରାଯାଇଥିବା ନିୟମର ପରିବର୍ତ୍ତନ ଆଜିଠୁ ଲାଗୁ ହେଉଛି । କମ୍ପାନୀ ଭାରତରେ ଏହାର ସେବା ପାଇଁ ଦେୟକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। ଏହା ବ୍ୟତୀତ ଗୁଗୁଲ୍ ମ୍ୟାପ୍ସ ସେବା ପାଇଁ ଡଲାର ବଦଳରେ ଭାରତୀୟ ଟଙ୍କାରେ ଚାର୍ଜ ନେବ।

ଲେଫ୍ଟନାଣ୍ଟ ଜେନେରାଲ୍ ସାଧନା ନାୟାର ସ୍ଥଳସେନା ମେଡିକାଲ୍ ସର୍ଭିସେସ ଡିଜି

ନନ୍ଦିଘୋଷ ବ୍ୟୁରୋ: ଲେଫ୍ଟନାଣ୍ଟ ଜେନେରାଲ୍ ସାଧନା ସକ୍ସସେନା ନାୟାର ହୋଇଛନ୍ତି ଭାରତୀୟ ସ୍ଥଳସେନା ମେଡିକାଲ୍ ସର୍ଭିସେସର ଡିଜି । କୌଣସି ଭାରତୀୟ ମହିଳା ଆର୍ମି ମେଡିକାଲ୍ ସର୍ଭିସେସର ଡିଜି ହେବା ପ୍ରଥମ ଘଟଣା। ସେହିକ୍ରମରେ ସାଧନା ପ୍ରଥମ ମହିଳାଭାବେ ଏହି ପଦରେ ଅଭିସିକ୍ତ ହୋଇଛନ୍ତି।

ଆଜି ଲେଫ୍ଟନାଣ୍ଟ ଜେନେରାଲ୍ ସାଧନା ସକ୍ସସେନା ନାୟାର ତାଙ୍କର ଦାୟିତ୍ବ ଗ୍ରହଣ କରିବେ। ଏୟାର ମାର୍ସଲ ରାଙ୍କକୁ ପଦୋନ୍ନତି ପାଇବାରେ ସେ ରେକର୍ଡ କରିଛନ୍ତି । ୧୯୮୫ ମସିହା ଡିସେମ୍ବର ୨୬ ତାରିଖରେ ଭାରତୀୟ ବାୟୁସେନାର ମେଡିକାଲ୍ ବ୍ରାଞ୍ଚରେ ତାଙ୍କର କମିସନିଂ ହୋଇଥିଲା । ୨୦୦୦ ମସିହାରେ ୱିଙ୍ଗ କମାଣ୍ଡର ରାଙ୍କକୁ ତାଙ୍କର ପଦୋନ୍ନତି ହୋଇଥିବା ବେଳେ ୨୦୦୯ରେ ଗ୍ରୁପ୍ କ୍ଯାପଟେନ୍, ୨୦୨୦ରେ AVM ଏବଂ ୨୦୨୩ରେ ଆକ୍ଟିଂ ଏୟାର ମାର୍ସଲ ଭାବେ ନିଯୁକ୍ତି ପାଇଥିଲେ । ଭାରତୀୟ ସେନାର ଜଣେ ଦକ୍ଷ ଅଧିକାରୀଭାବେ ସେ ଜଣାଶୁଣା । ଏବେ ଦିଲ୍ଲୀ ମୁଖ୍ଯାଳୟରେ ତାଙ୍କର ନିଯୁକ୍ତି ହୋଇଛି ।

ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ,କାହିଁକି ନେଲେ ଚରମ ନିଷ୍ପତ୍ତି ?

କୋରାପୁଟ: ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ। ଖଟ ଉପରେ ସ୍ତ୍ରୀଙ୍କ ମୃତଦେହ ପଡିଥିବାବେଳେ ଝୁଲୁନ୍ତା ଅବସ୍ଥାରେ ସ୍ବାମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଚାଞ୍ଚଲ୍ଯକରଣ ଘଟଣା ଘଟିଛି କୋରାପୁଟ ସଦର ଥାନା ମାଲିଙ୍ଗଯୋଡ଼ି ଗାଁରେ । ମୃତକ ହେଲେ ସ୍ବାମୀ ନରେଶ ନାୟକ ଓ ସ୍ତ୍ରୀ ଭବାନୀ ନାୟକ ।

ସୂଚନା ଅନୁଯାୟୀ, ଗତବର୍ଷ ଜୁଲାଇରେ ଉଭୟଙ୍କର ବିବାହ ହୋଇଥିଲା। ତେବେ ଗତକାଲି ରାତିରେ ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ ଦେଖି ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ । କୋରାପୁଟ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ତେବେ କାହିଁକି ନବଦମ୍ପକି ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ପରିବାର ଲୋକଙ୍କୁ ପଚରାଉଚରା କରି ପୋଲିସ ତଦନ୍ତ କରୁଥିବାବେଳେ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ଯୁ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ଆଉନାହାନ୍ତି ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକୱାଡ

ନନ୍ଦିଘୋଷ ବ୍ୟୁରୋ: ଆଉନାହାନ୍ତି ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକୱାଡ। ୭୧ ବର୍ଷ ବୟସରେ ରକ୍ତ କର୍କଟରେ ଜୀବନ ସହ ସଂଗ୍ରାମ କରୁଥିବା କିମ୍ବଦନ୍ତୀ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ୧୨ ବର୍ଷ ଧରି ସେ ଭାରତୀୟ କ୍ରିକେଟ ଜଗତ ଲାଗି କରିଥିଲେ ତ୍ଯାଗ। ସେ ଜୀବନ କାଳରେ ୪୦ଟି ଟେଷ୍ଟ, ୧୫ଟି ଦିନିକିଆ ଖେଳିବା ସହ ସେ ୨ ହଜାର ୨୫୪ ରନ ସଂଗ୍ରହ କରିଥିଲେ। ୧୯୮୩ରେ ଜଳନ୍ଧରରେ ପାକିସ୍ତାନ ସହ ମ୍ଯାଚରେ ସେ ହାସଲ କରିଥିଲେ ସର୍ବାଧିକ ୨୦୧ ରନ। ଗାଏକୱାଡଙ୍କ ଚିକିତ୍ସା ଲାଗି ବିସିସିଆଇ ସମ୍ପାଦକ ଜୟ ଶହ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ। ତାଙ୍କ ଚିକିତ୍ସା ଲାଗି କପିଳ ଦେବ ବି ବ୍ଯକ୍ତିଗତ ପାଣ୍ଠି ଯୋଗାଡ ଅଭିଯାନରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ୧୯୯୭, ୧୯୯୯ ଓ ୨୦୦୦ ମସିହାରେ ଗାଏକୱାଡ ଭାରତୀୟ ଟିମର ମୁଖ୍ଯ କୋଚ ଦାୟିତ୍ବ ସମ୍ଭାଳିଥିଲେ। ସେ କୋଚ ଥିବା ସମୟରେ ୨୦୦୦ ଚାମ୍ପିଅନସ ଟ୍ରଫି ରନର୍ସ ଅପ ହୋଇଥିଲା ଭାରତ। ୧୯୯୦ ଦଶକରେ ସେ ଜାତୀୟ ଚୟନକର୍ତ୍ତା ହେବା ସହ ଭାରତୀୟ କ୍ରିକେଟର୍ସ ଆସୋସିଏସନର ସଭାପତି ଥିଲେ। ତାଙ୍କ ମୃତ୍ଯୁରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକବ୍ଯକ୍ତ କରିଛନ୍ତି।

ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ କୋର୍ଟରୁ ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ । ଫେରାର କଏଦୀ ଜଣକ ବରଗଡ଼ ସଦର ଥାନା ସୟା ଗାଁର ବାବାଜୀ ଛୁରିଆ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦୨୧ରୁ ସଜା କାଟୁଥିଲେ । ଅଭିଯୁକ୍ତକୁ ଆଜି ପୋସ୍କୋ କୋର୍ଟରେ ହାଜର କରାଇବାକୁ ଆଣିଥିଲା ପୋଲିସ । ହେଲେ ଜେଲକୁ ନେବା ପାଇଁ ଅଭିଯୁକ୍ତକୁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ ଫେରାର ହୋଇଯାଇଥିଲେ । ତାକୁ ଧରିବା ପାଇଁ ବରଗଡ଼ ସହରରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଛି । ହଠାତ କୋର୍ଟରୁ ଦୌଡ଼ି ଫେରାର ମାରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ।

ଠାକୁରଙ୍କ ଜମିକୁ ବି ଛାଡୁନାହାଁନ୍ତି ଦଲାଲ

ନନ୍ଦିଘୋଷ ବ୍ୟୁରୋ: ଠାକୁରଙ୍କ ଜମିକୁ ବି ଛାଡୁନାହାଁନ୍ତି ଦଲାଲ। ରାଜରାଜୁଡା ଅମଳର ବହୁ ପୁରାତନ ପୀଠ । ଠାକୁରଙ୍କର ରହିଛି ବାଟୀ ବାଟୀ ସମ୍ପତ୍ତି l କିନ୍ତୁ ଠାକୁରଙ୍କ ନାଁରେ ଥିବା ପ୍ରାୟ ଜମି ଏବେ ଜବରଦଖଲ କାରୀଙ୍କ କବଜାରେ । ତେଣୁ ସବୁଥାଇ ମଧ୍ୟ ଦେବୋତ୍ତର ବିଭାଗର ଖାମଖିଆଲି ମନୋଭାବ କାର୍ଯ୍ୟ ଯୋଗୁଁ ଓପାସରେ ରହୁଛନ୍ତି ରଘୁନାଥ ଜୀଉ । ଠିକ ସେ ହୋଇପାରୁନି ଠାକୁରଙ୍କ ନୀତିକାନ୍ତି ।

କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତର ଜିରିଡାମାଳି ଗାଁ । ଗାଁର ମଧ୍ୟ ଭାଗରେ ରାଜରାଜୁଡା ଅମଳରୁ ବିରାଜମାନ ପ୍ରଭୁ ରଘୁନାଥ ଜୀଉ । ବହୁ ପୁରାତନ ପୀଠଟି ଏବେ ସମସ୍ଯା ଘେରରେ । ବାଟୀ ବାଟୀ ସମ୍ପତ୍ତିର ଅଧିକାରୀ ରଘୁନାଥ ଜୀଉଙ୍କ ପୀଠ ଏବେ ଅବହେଳିତ । ଭଙ୍ଗାଦଦରl ଘରେ ଠାକୁରଙ୍କ ପୂଜା ହେଉଥିବା ବେଳେ ପୀଠ ଚାରିପାଖରେ ଲଟି, ବୁଦା ମାଡି ଚାଲିଛି । ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ପୁରାତନ ପୀଠ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଯୋଗୁଁ ଜିରିଡାମାଳି, ଭାଲୁମୁଣ୍ଡା, କାନପୁରା ପ୍ରଭୁତି ଗାଁରେ ଥିବା  ଠାକୁରଙ୍କ ଅନେକ ଜମି ଏବେ ଜବରଦଖଲ କାରୀଙ୍କ କବଜାରେ । ବେଆଇନ ଭାବେ ନିର୍ମାଣ କରୁଛନ୍ତି ବିରାଟ ଅଟ୍ଟାଳିକା । ଫଳରେ ଠାକୁରଙ୍କ ନୀତିକାନ୍ତି ଠିକ ସେ ହୋଇପାରୁନଥିବା ବେଳେ ବର୍ଷର ଅନେକ ସମୟରେ ଓପାସରେ ରହୁଛନ୍ତି ରଘୁନାଥ ଜୀଉ ।

ଦେବୋତ୍ତର ବିଭାଗର କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଠାକୁରଙ୍କ ଏକର ଏକର ଜମି ଉପରେ ପଡିଛି ଦଲାଲଙ୍କ ନଜର । ଶାଗମାଛ ଦରରେ କିଛି ଦଲାଲ ଠାକୁରଙ୍କ ଜମିକୁ ବିକ୍ରି କରୁଛନ୍ତି । ଯାହା ଫଳରେ ଯେଉଁ ଅଳ୍ପ ଜମି ରହୁଛି ସେଥିରୁ ଆଦାୟ ହେଉଥିବା ଉତ୍ପାଦନ ଠାକୁରଙ୍କ ନୀତିକାନ୍ତି ପାଇଁ ସମୁଦ୍ରକୁ ଶଙ୍ଖେ । ଠାକୁରଙ୍କ ନୀତିପାଇଁ ଦେବୋତ୍ତର ବିଭାଗ ତରଫରୁ  ମାସିକ ଭାବେ ଯାହା କିଛି ପ୍ରଦାନ କରାଯାଉଛି ସେଥିରେ ଅତି କଷ୍ଟରେ ଠାକୁରଙ୍କ ମାତ୍ର ସାତ, ଆଠ ଦିନ ନୀତି ହୋଇପାରୁଛି । ତେଣୁ ଜମି ଜବରଦଖଲ କାରୀଙ୍କ ବିରୁଦ୍ଧରେ ତୁରନ୍ତ ଦେବୋତ୍ତର ବିଭାଗ ଓ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏହି ସବୁ ଜବରଦଖଲ ଜମି ଗୁଡିକ ବର୍ଷା ଦିନ ପରେ ଜବରଦଖଲ କାରୀଙ୍କ ଠାରୁ ସରକାରଙ୍କ ଅକ୍ତିଆରକୁ ଅଣାଯିବl ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ।

 

ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ

ନନ୍ଦିଘୋଷ ବ୍ୟୁରୋ: ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ। ଦିନ ଥିଲା ଏଠାରେ ବଟାନିକାଲ ଛାତ୍ରଛାତ୍ରୀ, ବନବିଭାଗ କର୍ମଚାରୀ ଗବେଷଣା କରୁଥିଲେ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ହେଲେ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସରକାର କିମ୍ବା  ସିଲଭି କଲ୍ଚର ବିଭାଗ ଏହି ରିସର୍ଚ୍ଚ ଗାର୍ଡେନର ଉନ୍ନତି ପ୍ରତି ଦୃଷ୍ଟି ନଦେବାରୁ ଏହା ଏବେ ବନ୍ଦ ହୋଇ ପଡ଼ିଛି l ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ । ରାଜ୍ଯ ସରକାର ଓ ନିଜସ୍ଵ ବିଭାଗ ସିଲଭି କଲ୍ଚରର ଅବହେଳାରୁ ସତ୍ତା ହରାଇବାକୁ ବସିଲାଣି ଉଦ୍ଯାନ । ୧୯୬୭ ମସିହାରେ ଏହି ଗାର୍ଡେନ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା । ୩୭ ହେକ୍ଟର ପରିମିତ ଅଞ୍ଚଳରେ ବିଭିନ୍ନ ପ୍ରକାର ଗଛଲତା ସାଙ୍ଗକୁ ବହୁ ଔଷଧୀୟ ଚାରା ରୋପଣ କରାଯାଇଥିଲା । ବଟାନିକାଲ ଛାତ୍ରଛାତ୍ରୀ ଓ ବନବିଭାଗର କର୍ମଚାରୀମାନେ ଏଠାକୁ ଆସି ବିଭିନ୍ନ ଔଷଧୀୟ ବୃକ୍ଷ ଉପରେ ରିସର୍ଚ୍ଚ କରୁଥିଲେ । ହେଲେ ଏବେ ଏଠାରେ ଆଉ ନାହିଁ ଔଷଧୀୟ ଗଛ। କେବଳ ଶାଳ, ପିଆଶାଳ, ପାଇନ, ଡାଳଚିନ, ଗୋଲମରିଚ, ବିଭିନ୍ନ ପ୍ରକାର ବାଉଁଶ ଗଛରେ ସୀମିତ ହୋଇ ରହିଯାଇଛି । ସେଥିମଧ୍ୟରୁ ଅଳ୍ପକିଛି ଫାଇଲିନ ବାତ୍ୟାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଔଷଧୀୟ ବୃକ୍ଷ ଅନନ୍ତ ମୂଳ, ଅପମାରଙ୍ଗ, ଖଡି ସିଜୁ, କୃଷ୍ଣପର୍ଣ୍ଣୀ, ପେଙ୍ଗୁ, ଶାଳପର୍ଣ୍ଣୀ, ବୃଦ୍ଧଦରକ, ଶତାବରୀ ପିପ୍ପଳି, ପସାରୁଣୀ, ଘୃତକୁଆଁରୀ, ତାଳମୂଳୀ, ବଣପିଆଜ, ବଣଭାଲିଆ, ଭୂଇଁ ନିମ୍ବ, ସୁଗନ୍ଧି ଭଳି ଅନେକ ବହୁମୂଲ୍ୟ ବିରଳ ଔଷଧୀୟ ବୃକ୍ଷ ରହିଥିଲା ଯାହାକି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏଠାରୁ ବହୁ ପରିମାଣରେ ଡାଲଚିନ ଏବଂ ଗୋଲମରିଚ ଉତ୍ପାଦନ ହେଉଥିଲା, ତାହା ମଧ୍ଯ କମିଗଲାଣି । ବନବିଭାଗ ମଧ୍ଯ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନି।

ବର୍ତ୍ତମାନ ଏହି ଗାର୍ଡେନର ଦାୟିତ୍ଵ ଭୁବନେଶ୍ଵର ସ୍ଥିତ ସିଲଭି କଲ୍ଚର ବିଭାଗ ଅଧୀନରେ ରହିଛି। ଦେଖାଶୁଣା କରିବା ପାଇଁ ବିଭାଗ ପକ୍ଷରୁ ଦୁଇ ତିନି ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ କିଛି ଏଠାରେ ରହୁଥିବା ବେଳେ ଅନ୍ୟମାନେ ଆଦୌ ନ ଆସି ଘରେ ବସି ବସି ଦରମା ନିଅନ୍ତି । ବିଶେଷକରି ରେଞ୍ଜର ଭଞ୍ଜନଗର ରହି ମଧ୍ଯ ଆଦୌ ଏଠାକୁ ଆସୁନାହାଁନ୍ତି । କର୍ମଚାରୀଙ୍କ ଅବହେଳା କାରଣରୁ ଏହି ଗାର୍ଡେନକୁ ସଫା କରିହେଉନି ।ଫଳରେ ଗାର୍ଡେନ ଭିତର ରାସ୍ତା ଏବେ ଆଉ ଜଣାପଡୁନି । ତେଣୁ ଏହି ଗାର୍ଡେନର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 

ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ସାଂସଦ ମମତା ମହନ୍ତ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ପ୍ରଦାନ କରିଛନ୍ତି। ମମତାଙ୍କ ଇସ୍ତଫାପତ୍ରକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଥିବା ଗୃହରେ ଘୋଷଣା କରିଛନ୍ତି। ଏଥିସହ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ମମତା ମହନ୍ତ ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ଏପ୍ରିଲରେ ଶେଷ ହେଉଥିଲା।

ମା’ ବିରଜାଙ୍କ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର 

ନନ୍ଦିଘୋଷ ବ୍ୟୁରୋ: ମା’ ବିରଜାଙ୍କ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର । ଯାଜପୁରରେ ମା’ ବିରଜାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପ୍ରକଳ୍ପ କାମ ଚାଲୁରହିଛି । ହେଲେ କେତେକ କୁଚକ୍ରାନ୍ତକାରୀ ଲୋକେ ଏହାକୁ ବିରୋଧ କରି ପ୍ରକଳ୍ପକୁ ବନ୍ଦ କରିବାକୁ ଚାହୁଁଛନ୍ତି । ଏହାସହ ବ୍ୟବସାୟୀଙ୍କ ସୁବିଧା ପାଇଁ ସ୍ଥାନାନ୍ତରିତ ହୋଇଥିବା ହାଟକୁ ମଧ୍ୟ ବିରୋଧ କରୁଥିବା ଅଭିଯୋଗ ହୋଇଛି । ଯାହାର ବିରୋଧ କରି ଆଜି ଶତାଧିକ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମା’ ବିରଜାଙ୍କ ମନ୍ଦିର ନିକଟରୁ ବାଇକରାଲି ବାହାରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି । ବିକ୍ଷୋଭକାରୀଙ୍କ ଦାବି ଅନୁସାରେ ମା’ଙ୍କ ପ୍ରକଳ୍ପ କାମ ତ୍ବରାନ୍ବିତ ହେଉ ଓ ବ୍ୟବସାୟୀଙ୍କ ସୁବିଧା ପାଇଁ ସ୍ଥାନାନ୍ତରିତ ହୋଇଥିବା ହାଟ ସେହିଠାରେ ହିଁ ରହୁ । ଯଦି ଏଥିରେ କିଛି ବ୍ୟତିକ୍ରମ ଦେଖାଦିଏ ତେବେ ବିକ୍ଷୋଭକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।