spot_img
Home Blog Page 1735

ଭାରତୀୟ ଖେଳାଳିଙ୍କୁ ଆଣିବାକୁ ସ୍ବତନ୍ତ୍ର ବ୍ଯବସ୍ଥା କରୁଛି ବିସିସିଆଇ

ନୂଆଦିଲ୍ଲୀ : ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଫସିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ଘୂର୍ଣ୍ଣିଝଡ଼ ବରେଲି ପ୍ରଭାବରେ ଖେଳାଳିମାନେ ଫସିରହିଛନ୍ତି । ସେମାନଙ୍କୁ ଭାରତ ଆଣିବା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରିଛି ବିସିସିଆଇ । ଖେଳାଳିଙ୍କୁ ଆଣିବାକୁ ଆଜି ବାର୍ବାଡସ ଯିବ ସ୍ବତନ୍ତ୍ର ଚାର୍ଟାର୍ଡ୍ ଫ୍ଲାଇଟ୍ । ଫଳରେ ଆସନ୍ତାକାଲି ସନ୍ଧ୍ଯା ସୁଦ୍ଧା ଖେଳାଳିମାନେ ଫେରିପାରନ୍ତି ବୋଲି ଆଶା କରାଯାଉଛି ।

ସେପଟେ ଭାରତୀୟ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଭାରତ ଆସିବା ପାଇଁ ସମସ୍ତ ବ୍ଯବସ୍ଥା କରାଯାଉଥିବା ବାର୍ବାଡସ ପ୍ରଧାନମନ୍ତ୍ରୀ କହିଛନ୍ତି । ଗତକାଲି ରାତି ୮ଟା୩୦ରେ ସେମାନଙ୍କ ଫ୍ଲାଇଟ୍ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଥିଲା। ମାତ୍ର ସାମୁଦ୍ରିକ ଝଡ଼ର ଉଗ୍ର ରୂପକୁ ଦେଖି ବିମାନସେବା ବାତିଲ ହୋଇଥିଲା । ଟିମ୍ ଇଣ୍ଡିଆ ସଦସ୍ୟ ‘ଦ ହିଲଟନ’ ହୋଟେଲରେ ରହୁଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ। ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି ।

ରାହୁଲଙ୍କ ଲୋକସଭା ଭାଷଣରେ ଚାଲିଲା କଂଇଚି, ହଟିଲା ବିବାଦୀୟ ଅଂଶ

ନୂଆଦିଲ୍ଲୀ : ସଂସଦ ଅଧିବେଶନର ଷଷ୍ଠ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ବଡ଼ ହଙ୍ଗାମା ସୃଷ୍ଟି ହୋଇଛି । ରାହୁଲଙ୍କ ଅଢେଇ ଘଣ୍ଟାର ଭାଷଣରେ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ସଂସଦରେ ତୁମ୍ଭି ତୋଫାନ ଆରମ୍ଭ ହୋଇଯାଇଥିଲା । ଏହି ବିବାଦୀୟ ମନ୍ତବ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା ବିଜେପି । ସେପଟେ ରାହୁଲଙ୍କ ଭାଷଣରୁ ଏହି ବିବାଦୀୟ ବୟାନକୁ ଗୃହ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି । ଏପରି କରିବାକୁ ନିଜେ ବାଚସ୍ପତି ଓମ୍ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ରାହୁଲଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଆସନରୁ ଦୁଇଥର ଉଠି ଉତ୍ତର ମଧ୍ୟ ଦେବାକୁ ପଡିଥିଲା।

ସୋମବାର ସଂସଦ ଅଧିବେଶନରେ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ନିଜର ମତ ଉପସ୍ଥାପନ କରିଥିଲେ।  ଏହି ସମୟରେ ସେ ଏପରି ଅନେକ କଥା କହିଥିଲେ ଯେଉଁଥିରେ ଶାସକ ଦଳ ବିଶେଷ କରି ବିଜେପି ଦୃଢ ବିରୋଧ କରିଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିବା ରାହୁଲଙ୍କ ଭାଷଣକୁ ଏନଡିଏ ନେତାମାନେ ମଧ୍ୟ ବିରୋଧ କରିଥିଲେ। ବାଚସ୍ପତି ଓମ ବିର୍ଲା ନିଜେ ତାଙ୍କୁ ଭଲଭାବେ କହିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏବେ ସଂସଦରୁ ହିନ୍ଦୁମାନଙ୍କ ବିଷୟରେ ତାଙ୍କ ବିବୃତ୍ତି ସମେତ ଭାଷଣର କିଛି ଅଂଶ ବର୍ତ୍ତମାନ ଗୃହ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି।

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଭାଷଣକୁ ନେଇ କିଛି ବିଜେପି ନେତାମାନେ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଜେପି ନାଡ୍ଡା, ଅଶ୍ୱିନୀ ବୈଷ୍ଣବ ଏବଂ ଏନଡିଏ ନେତା ଚିରାଗ ପାସୱାନଙ୍କ ସମେତ ଶାସକ ଦଳର ବହୁ ସାଂସଦ ରାହୁଲଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ରାହୁଲଙ୍କ ଭାଷଣ ସମୟରେ ଅନେକ ଥର ରାଜନାଥ ସିଂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଆସନରୁ ଉଠି ରାହୁଲଙ୍କ କଥାକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା।

ରାଜଧାନୀରେ ପୁଣି ଲଜ୍ଜା, ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏୟାରଫିଲଡ୍ ଥାନା ପାଞ୍ଚ ଗାଁର ଗୋଠ ସାହିରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସେହି ଗାଁର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ୍ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତର ଭାଇ ଓ ଭିଣୋଇକୁ ପୋଲିସ ପଚରାଉଚରା କରୁଛି ।

ନୂଆ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ; ୩୯ ମୃତ, ୩୬୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ : କେନିଆରେ ନୂଆ ଆୟକରକୁ ବିରୋଧ କରି ବିଦ୍ରୋହ ଘଟଣା । ସରକାରୀ ବିରୋଧୀ ଆନ୍ଦୋଳନରେ ୩୯ ଜଣଙ୍କର ମୃତ୍ଯୁ ହୋଇଛି । ୩୬୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ୩୨ଟି ମାମଲାରେ ୬୨୭ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ଏନେଇ କେନିଆ ନ୍ଯାସନାଲ କମିଶନ ଅନ ହ୍ଯୁମାନ ରାଇଟ୍ସଙ୍କ ତରଫରୁ ସୂଚନା ଦିଆଯାଇଛି । ଦେଶରେ ବ୍ଯାପକ ସଙ୍କଟ ଜାରି ରହିଥିବାବେଳେ କେନିଆ ସରକାର ଏକ ବିବାଦୀୟ ଫାଇନାନ୍ସ ବିଲକୁ ଅନୁମୋଦନ କରିଥିଲେ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବୃଦ୍ଧି ପାଇବ । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି ।

କୋଭିଡ ଓ ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଅର୍ଥନୈତିକ ସ୍ଥିତି ଅତ୍ଯନ୍ତ ଘନୀଭୂତ ହୋଇଛି। ଏହି ଟିକସ ଜରିଆରେ ସରକାର ଅତିରିକ୍ତ ୨.୭ ବିଲିୟନ ଡଲାର ସଂଗ୍ରହ କରିବାକୁ ଚାହୁଁଥିଲେ । ଗୋଟିଏ ପଟେ ମରୁଡି ସ୍ଥିତି ଥିବାବେଳେ ଅନ୍ଯ ପଟେ ରନ୍ଧନ ତେଲ, ପାଉଁରୁଟି, କାର ଆଦି ଉପରେ ଅଧିକ କର ପ୍ରସ୍ତାବ ରହିଥିଲା । ଯାହାକୁ ବିରୋଧ କରି ଆନ୍ଦୋଳନକୁ ଜୋରଦାର କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ ଲୋକେ । ଏପରିକି ଲୋକମାନେ ପାର୍ଲାମେଣ୍ଟ ମଧ୍ଯ ଜାଳିଦେଇଥିଲେ । ଟିକସ ବୃଦ୍ଧି ବିଲକୁ ନେଇ ଜୋରଦାର ବିକ୍ଷୋଭ ଓ ହିଂସାକାଣ୍ଡ ପରେ କେନିୟା ସରକାର ଏହାକୁ ପ୍ରତ୍ଯାହାର କରିବା ପାଇଁ ଘୋଷଣା କରିଛନ୍ତି ।

ଆଜି ବସିବ ଶେଷ ରଥ ସମନ୍ୱୟ କମିଟି ବୈଠକ

ପୁରୀ : ଆଜି ବସିବ ଶେଷ ରଥ ସମନ୍ୱୟ କମିଟି ବୈଠକ  । ଦିନ ୧୧ ଟା ୧୫ ମିନିଟରେ ପୁରୀ ଟାଉନ ହଲ ପରିସରରେ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ଯକ୍ଷତା କରିବେ । ଘୋଷଯାତ୍ରା ପୂର୍ବରୁ ରାସ୍ତା ଘାଟ, ପାନୀୟ ଜଳ, ପରିମଳ,ଗମନାଗମନ, ଭିଡ଼ ନିୟନ୍ତ୍ରଣ,ଆଇନ ଶୃଙ୍ଖଳା, ସ୍ବାସ୍ଥ୍ଯ ସେବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ।

ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିବେ ମୋହନ  । ସବୁ ବିଭାଗର ଅଧିକାରୀମାନେ ସେମାନଙ୍କ ପ୍ରସ୍ତୁତିର ରିପୋର୍ଟ ଉପସ୍ଥାପନ କରିବେ  । ରଥଯାତ୍ରା ପାଇଁ କେଉଁ ବିଭାଗ କେତେ ପ୍ରସ୍ତୁତ ଅଛି ତାହାର ସମୀକ୍ଷା କରାଯିବ । ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମୁଖ୍ଯ ଶାସନ ସଚିବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଲଘୁଚାପ ଦୁର୍ବଳ ହେବା ପରେ ବି ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପଶ୍ଚିମ ଆସାମରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପ ଲାଇନ୍ ପ୍ରଭାବରେ ବର୍ଷା ଜାରି ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଟ୍ରପଲାଇନ ସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼,ରାୟଗଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ୟଲୋ ୱାର୍ଣିଙ୍ଗ ଜାରି କରାଯାଇଛି । ସେପଟେ ଏବେବି ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି । ଏଯାଏଁ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୪ % ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୪ ମିଲିମିଟର ବର୍ଷା ହୋଇଛି । ୧୩ଟି ଜିଲ୍ଲାରେ ଚଳିତମାସ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ମଧ୍ଯପ୍ରଦେଶରେ ଚାଞ୍ଚଲ୍ଯ : ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଚାଞ୍ଚଲ୍ଯ । ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମଧ୍ଯପ୍ରଦେଶ ଅଲ୍ଲିରାଜପୁର ରାଉଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ବାପାମାଆଙ୍କ ସମେତ ୩ ନାବାଳକ ପିଲା । ମୃତକ ହେଲେ ସ୍ବାମୀ ରାକେଶ ଦୋଦ୍ବା, ସ୍ତ୍ରୀ ଲଳିତା ଦୋଦ୍ବା ଏବଂ ୯ ବର୍ଷୀୟା ଝିଅ ଲକ୍ଷ୍ମୀ, ୭ ବର୍ଷୀୟ ପୁଅ ପ୍ରକାଶ ଓ ୫ ବର୍ଷୀୟ ଅକ୍ଷୟ ।

ଗତକାଲି ସକାଳେ ରାକେଶଙ୍କର ଜଣେ ସମ୍ପର୍କୀୟ ଘରକୁ ଆସିଥିବାବେଳେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେ ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ରାକେଶର ପରିବାରର ଆର୍ଥିକ ଅବସ୍ଥା କେମିତି ଥିଲା ଓ ଅନ୍ଯାନ୍ଯ ଦିଗ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଏହା ଆତ୍ମହତ୍ଯା ନା ହତ୍ଯା ସେନେଇ ସ୍ପଷ୍ଟ ହୋଇନଥିବାବେଳେ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ପୋଲିସ ପଚରାଉଚରା କରୁଛି ।

ଆଜି ଲୋକସଭାରେ ଧନ୍ଯବାଦ ପ୍ରସ୍ତାବ ଉପରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ବି ବେଶ୍ ସରଗରମ ରହିବ ସଂସଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଲୋକସଭାରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଗୃହ ସରଗରମ ରହିବାର ସମ୍ଭାବନା ଅଛି । ଗତକାଲି ରାହୁଲ ଗାନ୍ଧି ଉଭୟ ବିଜେପି ଓ ଆରଏସଏସ୍ କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଉଭୟ ଗୃହ ଭିତରେ ଓ ବାହାରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଜି ରାହୁଲ ଗାନ୍ଧିଙ୍କୁ ଏହାର ଜବାବ ଦେଇପାରନ୍ତି ନରେନ୍ଦ୍ର ମୋଦି ।

ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ହିନ୍ଦୁ ଧର୍ମ କେବେ ବି ଲୋକଙ୍କୁ ଭୟଭୀତ କରେନି, ବିଦ୍ବେଷ ସୃଷ୍ଟି କରେନି, ମିଥ୍ଯା କଥା ପ୍ରଚାର କରେ ନାହି । ସବୁ ବେଳେ ସତ୍ଯ ସହିତ ରହିଥାଏ। ଏପରିକି ସେ ଭଗବାନ ଶିବ ଓ ଅନ୍ଯ ଧର୍ମର ଧର୍ମଗୁରୁଙ୍କ ଚିତ୍ର ଦେଖାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ଅନୁମତି ଦେଇନଥିଲେ ବାଚସ୍ପତି। ବିଜେପି ଓ ଆରଏସଏସକୁ ଆକ୍ଷେପ କରି ରାହୁଲ କହିଥିଲେ, ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ଲୋକଙ୍କୁ ଡରାଉଛନ୍ତି, ବିଦ୍ବେଷ ସୃଷ୍ଟି କରୁଛନ୍ତି। ମିଛ କଥା କହୁଛନ୍ତି । ଏହାର ଜବାବରେ ମୋଦି କହିଥିଲେ, ସମସ୍ତ ହିନ୍ଦୁଙ୍କୁ ହିଂସକ କହିବା ଠିକ୍ ନୁହେଁ। ଏହା ଏକ ଗୁରୁତର କଥା। ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଅମିତ ଶାହା।

କେମିତି ଫସିଥିଲେ ଜଙ୍ଗଲରେ, ଛାତ୍ର କହିଲେ ପୁରା କାହାଣୀ

ନନ୍ଦିଘୋଷ ବ୍ୟୁରୋ: କେମିତି ଥିଲା ଘଞ୍ଚ ଜଙ୍ଗଲରେ ଫସି ଯିବାର ପୁରା କାହାଣୀ । ଏନେଇ କ୍ଯାମରେ ଆଗରେ ବର୍ଣ୍ଣନା କରିଛନ୍ତି କଟକର ଶୁଭନ ମହାପାତ୍ର । ଜଙ୍ଗଲରୁ ବାହାରିବାକୁ ଯେତେ ଚେଷ୍ଟା କରି ଯେଉଁ ବାଟେ ଯାଉଥିଲେ ବି ପୁଣି ପୂର୍ବ  ଜାଗାରେ ପହଞ୍ଚି ଯାଉଥିଲେ । ପାଖରେ ଏକ ବଡ ଗୁମ୍ଫା ଥିଲା । ରାସ୍ତାରେ ବିରାଟ ସାପର ମଧ୍ଯ ସାମ୍ନା ହୋଇଥିଲା । ଏକ ଧଳା ବସ୍ତ୍ର ପିନ୍ଧା କେହି ଜଣେ ସେଇବାଟେ ଦେଇ ଯାଉଥିବା ଅନୁଭବ କରିଥିଲେ । ନେଟୱର୍କ ବାରମ୍ବାର ଅପଆଉଟ୍ ହେଉଥିଲା । ଦୂର ଦୂର ଯାଏ ଚିତ୍କାର କଲେ ବି କେହି ଶୁଣିବାକୁ ନ ଥିଲେ। ମାଆ ଭୁଆସୁଣୀଙ୍କୁ ପ୍ରସାଦ ନ ଦେଲେ ସେଠାରୁ ଫେରିବା ମୁସ୍କିଲ୍ ବୋଲି ସେମାନେ ଅନୁଭବ କରିଥିଲେ । ସପ୍ତଶଯ୍ୟା ପାହାଡରେ ବାଟବଣା ହୋଇ ହଜି ଯାଇଥିଲେ ୫ ସାଙ୍ଗ । ଭୋଜିଭାତ କରି ଖାଇବା ପରେ ସପ୍ତଶଯ୍ୟା ପାହାଡ ଉପରକୁ ଚଢିଥିଲେ । କିନ୍ତୁ ପ୍ରବଳ ବର୍ଷା ହେବା ପରେ ପାହାଡ ଉପରେ ସେମାନେ ରହି ଯାଇଥିଲେ। ସେଠାରେ କାହାର ବି ଫୋନ ମଧ୍ୟ ଲାଗୁନଥିଲା। ରାତି ପ୍ରାୟ ସାଢେ ଗୋଟାଏ ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ଓ ସଦର ପୋଲିସ ଟିମ ।

କେନ୍ଦ୍ର ବଜେଟ୍କୁ ନେଇ ଓଡ଼ିଶା ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଆଶା

ନନ୍ଦିଘୋଷ ବ୍ୟୁରୋ: ଏମ୍ଏସ୍ଏମ୍ଇ ଶିଳ୍ପକୁ ସହଜ ଋଣ ପ୍ରଦାନ ପାଇଁ କେନ୍ଦ୍ର ବଜେଟ୍ରେ ଆସୁ ସ୍ବତନ୍ତ୍ର କର୍ପସ ପାଣ୍ଠି । ଏ ନେଇ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଓଡ଼ିଶାର ଏମ୍ଏସ୍ଏମଇ ଶିଳ୍ପ ସଂଘ । ଓଡ଼ିଶାରେ ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଲଷ୍ଟର ପ୍ରତିଷ୍ଠା କଲେ ଏମଏସଏମଇ ଶିଳ୍ପର ବ୍ୟାପକ ଅଭିବୃଦ୍ଧି ଘଟିବ । ଫଳରେ ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ବିକାଶ ତ୍ବରାନ୍ବିତ ହେବ ବୋଲି ସଂଘ ଦାବି କରିଛି ।

କେନ୍ଦ୍ର ବଜେଟ୍କୁ ନେଇ ଓଡ଼ିଶା ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଆଶା । ବିନା କୋଲାଟେରାଲ ସିକ୍ୟୁରିଟିରେ ବ୍ୟାଙ୍କ ଋଣ ପାଇବାରେ ବହୁ ଅସୁବିଧା ହେଉଛି । ଋଣ ପ୍ରଦାନ ପାଇଁ କେନ୍ଦ୍ର ବଜେଟ୍ରେ ଗୋଟିଏ ସ୍ବତନ୍ତ୍ର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ଶିଳ୍ପ ସଂଘ । ଓଡ଼ିଶାରେ ଷ୍ଟିଲ୍ ଓ ଆଲୁମିନା ଉତ୍ପାଦନ ହେଉଛି । କିନ୍ତୁ ଭ୍ୟାଲୁ ଆଡିସନ ନ ହୋଇ ବାହାରକୁ ପଠାଇ ଦିଆଯାଉଛି । ଉତ୍ପାଦନ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ ୟୁନିଟ ଆବଶ୍ୟକ କଞ୍ଚାମାଲ ପାଉନାହନ୍ତି ।

ଏହିଠାରେ ଭ୍ୟାଲୁ ଆଡିସନ କରାଯାଇ ନାଲକୋ ଓ ଷ୍ଟିଲ୍ ପ୍ଲାଣ୍ଟ୍ ଘରୋଇ ବଜାରରେ ଓଡ଼ିଶା ଏମ୍ଏସ୍ଏମଇ ଶିଳ୍ପଙ୍କୁ ଆବଶ୍ୟକ କଞ୍ଚାମାଲ ଯୋଗାନ୍ତୁ । ଓଡ଼ିଶାରେ ପ୍ରତିରକ୍ଷା ସଂରଜାମ, ରିଭଲଭର, ବନ୍ଧୁକ, ରେଳ ଓ୍ବାଗନ୍ କାରଖାନା, ଏରୋସ୍ପେସ୍ କମ୍ପାନୀ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ରହିଛି । ଏ କ୍ଷେତ୍ରରେ ବଡ଼ କ୍ଲଷ୍ଟର ପ୍ରତିଷ୍ଠା ହେଲେ ଡାଉନଷ୍ଟ୍ରିମ୍ ଶିଳ୍ପ ଏମ୍ଏସ୍ଏମ୍ଇ ଶିଳ୍ପମାନଙ୍କୁ କାମ ମିଳିବ । ଯାହାଯୋଗୁ ରୋଜଗାର ସୃଷ୍ଟି ହେବା ସହିତ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଶିଳ୍ପ ସଂଘ ଆଶା କରିଛି ।

ରାଜ୍ୟରେ କୃଷି ଶିଳ୍ପ ପାଇଁ ବହୁତ ସୁଯୋଗ ରହିଛି । ଓଡ଼ିଶାର ଚାଷୀ କେବଳ ଧାନ ଉପରେ ନିର୍ଭର ନ କରି ଅନ୍ୟ ଅର୍ଥକରୀ ଫସଲ କରିବା ଦରକାର । ଧାନର ଏମ୍ଏସ୍ପି ଧାର୍ଯ୍ୟ ହେଉଥିଲେ ବି ଚାଷୀର ଅଭାବ ଦୂର କରିପାରୁନି । ପନିପରିବା, ଡାଲି, ତୈଳବୀଜ ପାଇଁ ଅନ୍ୟରାଜ୍ୟ କିମ୍ବା ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି । ଧାନ ସଂଗ୍ରହ ନେଇ ଯେତେ ନିୟମ ରହିଲେ ବି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଓଡ଼ିଶାର ଚାଷୀ ଅନ୍ୟ ଫସଲ ନେଇ ଯେପରି ଆଗ୍ରହ ପ୍ରକାଶ କରିବେ ସେ ନେଇ କେନ୍ଦ୍ର ବଜେଟ୍ରେ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ନେଇ ବ୍ୟୟବରାଦ ହେବା ଦରକାର ।

ଓଡ଼ିଶାର ଏମ୍ଏସ୍ଏମ୍ଇ ଶିଳ୍ପ ଯେପରି ସୁବିଧାରେ ବିନା ସିକ୍ୟୁରିଟିରେ ଋଣ ବ୍ୟାଙ୍କରୁ ପାଇବେ ସେ ନେଇ କେନ୍ଦ୍ର ଓ ରାଜ୍ୟରେ ଥିବା ଡବଲ ଇଞ୍ଜିନ୍ ସରକାର ପ୍ରାୟ ୨୦ ହଜାର କୋଟିର ବ୍ୟୟ ବରାଦ ଆଣନ୍ତୁ । ଏହାସହିତ ବିପଣନ କ୍ଷେତ୍ରରେ ସ୍ଥାନୀୟ ଏମ୍ଏସ୍ଏମ୍ଇ ଶିଳ୍ପକୁ ଅଗ୍ରାଧିକାର ଦେବାକୁ ଶିଳ୍ପ ସଂଘ ଦାବି କରିଛି । ଗଲା ଅନ୍ତରୀଣ ବଜେଟ୍ରେ ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୨ ହଜାର ୧୩୭ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ରେ ଏହି ପରିମାଣ ବଢିବା ଆଶା ରହିଛି ।