ନନ୍ଦିଘୋଷ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଆଜି ସନ୍ଧ୍ୟାରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଗତକାଲି ଓଡ଼ିଶାର ମୁଖ୍ଯ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଆଜି ତାଙ୍କର ପ୍ରଥମ ବୈଠକ କରିଥିବାବେଳେ ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ସଚିବ ଓ କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ ।
ରଥଯାତ୍ରା ପାଇଁ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ପୁରୀ
ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ପାଇଁ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ପୁରୀ । ଏହା ସହ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଲେ ଡିଜିପି । ରଥଯାତ୍ରା ପାଇଁ ପ୍ରାରମ୍ଭିକ ସମୀକ୍ଷା ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ରଥ ଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ,୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ , କମାଣ୍ଡାଣ୍ଟ ବା ଏସପି ପାହ୍ୟାର ୧୯ ଜଣ ,ଅତିରିକ୍ତ ଏସପି ବା ଡେପୁଟି କମଣ୍ଡାଣ୍ଟ ପାହ୍ୟାର ୩୩ଜଣ, ଆସିଷ୍ଟାଣ୍ଟ କମାଣ୍ଡର ବା ଡିଏସପି ପାହ୍ୟାର ୭୫ ଜଣ , ଇନ୍ସପେକ୍ଟର ୧୩୦ ଜଣ , ୬୭୫ ଜଣ ଏଏସଆଇ ଓ ଏସ ଆଇ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ଵରେ ମୁତୟନ ରହିବେ । ୩ ପ୍ଲାଟୁନ ଓଏସଏଏଫ୍ ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ। ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ। ମହାମହିମ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥି ମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବ୍ଲାଙ୍କେଟ ସୁରକ୍ଷା ରେ ରହିବ ଶ୍ରୀକ୍ଷେତ୍ର।
ପିକଅପ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ
ନନ୍ଦିଘୋଷ ବ୍ୟୁରୋ: ପିକଅପ ଓ ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ ଆରୋହୀ ମୃତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝାଡ଼କୁସୁମୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତ ଯୁବକ ହେଲେ ପାପଡାହାଣ୍ଡି ବ୍ଲକ ପାତ୍ରଗୁଡାର ପ୍ରସାଦ ଓ ବାଲିଗୁଡାର ରେବତୀ ଜାନୀ । ମୃତକ ଦୁଇ ଜଣ ମୈଦଲପୁର ପଟରୁ ପାପଡାହାଣ୍ଡି ଆଡକୁ ଆସୁଥିଲା ବେଳେ ସାମ୍ନାପଟରୁ ପିକଅପ ଭ୍ୟାନଟି ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ବାଇକର ପଛ ସିଟ ରେ ବସିଥିବା ମହିଳା ଜଣକ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଛି । ପୋଲିସ ପିକଅପ ଭ୍ୟାନ ଡ୍ରାଇଭର ଓ ହେଲ୍ପରଙ୍କୁ ଥାନାରେ ଅଟକ ରଖି ଶବକୁ ଜବତ କରିଛି । ପାପଡାହାଣ୍ଡି ଥାନା ଅଧିକାରୀ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବ ବୋଲି ସୂଚନା ଦିଆଯାଇଛି ।
୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ଯ । ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏୟାରଫିଲଡ୍ ଥାନା ପାଞ୍ଚ ଗାଁର ଗୋଠ ସାହିରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସେହି ଗାଁର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ୍ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୀଡିତାଜଣଙ୍କ ଗୁରୁତର ଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତର ଭାଇ ଓ ଭିଣୋଇକୁ ପୋଲିସ ପଚରାଉଚରା କରୁଛି ।
ଶରୀରରୁ କମିଲା ତାତି, ଶୟନ ଅବସ୍ଥାରୁ ଉଠିଲେ ମହାପ୍ରଭୁ
ନନ୍ଦିଘୋଷ ବ୍ୟୁରୋ: ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଣସର ତାଟିରେ ଦଇତାପତି ସେବାୟତଙ୍କ ଗୁପ୍ତ ସେବା ପରେ ଓହ୍ଲାଇଛି ଜ୍ବର ତାତି । ଆଜି ଉଠି ବସିବେ ଜଗତର ନାଥ । ଅଣସର ଦଶମୀ ଅବସରରେ ଅନୁଷ୍ଠିତ ହେଲା ଚକାବିଜେ ନୀତି । ଶ୍ରୀବିଗ୍ରହଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଶ୍ରୀବଦ୍ଯଙ୍କ ଦ୍ବାର ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ । ଆଜି ମଧ୍ଯାହ୍ଣ ଧୂପ ପରେ ଶ୍ରୀମନ୍ଦିର ଗାରଦରେ ଜମା ହେବା ପରେ ଏକାଦଶୀରେ ଏହା ଶ୍ରୀଜୀଉଙ୍କୁ ଲାଗି କରାଯିବ ।
ଶରୀରରୁ କମିଲା ତାତି । ଶୟନ ଅବସ୍ଥାରୁ ଉଠିଲେ ମହାପ୍ରଭୁ । ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ଶ୍ରୀବିଗ୍ରହଙ୍କ ସେବାରେ ଦଇତା ପତି । ଅଣସର ତାଟି ଭିତରେ ୧୦ ଦିନ ଧରି ଉପଚାର ପରେ ସୁସ୍ଥ ହେଉଛନ୍ତି ଶ୍ରୀଜୀଉ । ଶ୍ରୀଅଙ୍ଗରୁ ତାତି କମିବା ପରେ ଦଶମୀରେ ଚକାବିଜେ କରିବେ ଜଗତନାଥ । ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବା ପରେ ଲାଗି ହୋଇଛି ଚକଟା ଓ ପଣା ଭୋଗ ।
ଶ୍ରୀବିଗ୍ରହଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବାକୁ ଆୟୁର୍ବେଦ ପଦ୍ଧତିରେ ଚାଲିଛି ଉପଚାର । ଏଥିପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ପ୍ରସ୍ତୁତ କରାଯାଇଛି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟ ମିଶାଇ ଦଶମୂଳାରିଷ୍ଟ ପ୍ରସ୍ତୁତ କରିଛନ୍ତି ଶ୍ରୀବୈଦ୍ଯ । ମଧ୍ୟାହ୍ଣ ଧୂପ ପରେ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର ପରେ ଏକାଦଶୀ ଦିନ ଏହା ଶ୍ରୀଜୀଉଙ୍କୁ ଲାଗି କରାଯିବ । ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ସେବେଠାରୁ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମହାପ୍ରଭୁଙ୍କୁ ଲାଗି କରାଯାଉଛି । ଅତ୍ଯନ୍ତ ସୁଦ୍ଧପୂତ ଭାବେ ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ଏହାକୁ ପ୍ରସ୍ତୁତ କରିଥାନ୍ତି ରାଜବୈଦ୍ଯ । ଦଶମୂଳମୋଦକ ସେବନ ପରେ ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଯାଇ ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ। ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ସେବାୟତ ।
ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଲୋକଙ୍କ ତଥ୍ଯ ଜାଲିଆତି କରି ବିଭିନ୍ନ ଆକାଉଣ୍ଟକୁ ଯାଉଛି ଲକ୍ଷାଧିକ ଟଙ୍କା । ନନ୍ଦିଘୋଷ ଟିଭି ହାତରେ ତଥ୍ୟ ଲାଗିବା ପରେ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ଯାଳୟ ଆଗରେ କରିଛନ୍ତି ଆନ୍ଦୋଳନ। ଶ୍ରମିକମାନଙ୍କୁ ୧୦୦ ଦିନ କର୍ମସଂସ୍ଥାନ ଯୋଗାଇଦେବାକୁ ୨୦୦୫ ମସିହାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଶା ଥିଲା ଯୋଜନା ଜରିଆରେ ଲୋକ ଦୁଇ ପଇସା ରୋଜଗାର କରିବା ସହିତ ପରିବାର ପ୍ରତିପୋଷଣ କରିବେ । ହେଲେ କିଛି ଲାଭଖୋର ସରକାରୀ ବାବୁଙ୍କ ପାଇଁ ଯୋଜନାର ସଠିକ୍ ରୂପାୟନକୁ ନେଇ ଉଠିଛି ପ୍ରଶ୍ନ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ମନରେଗା ଦୁର୍ନୀତିର କଚ୍ଚାଚିଠା । ମନରେଗା ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ସଦର ମହକୁମା ମେଦିନୀପୁର ପଞ୍ଚାୟତରୁ ।
କୁସୁମଶିଳା ଗାଁର ବ୍ୟବସାୟୀ ବିକ୍ରମ ନାଏକଙ୍କ ନାଁରେ ଜବ କାର୍ଡ ପ୍ରସ୍ତୁତ କରି ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୧୨ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନସଫର୍ କରାଯାଇଛି । ସେହିଭଳି ନିରାକାର ନାଏକଙ୍କ ନାଁରେ ମଧ୍ୟ ସମାନ ସମାନ ଭାବରେ ୩୮ ହଜାର ୮୩୬ ଟଙ୍କା ଆକାଉଣ୍ଟକୁ ଟ୍ରାନସଫର୍ କରାଯାଇଛି । ଏଭଳି ଭାବେ ଅନ୍ୟଜଣେ ବ୍ୟକ୍ତି ପ୍ରକାଶ ଚନ୍ଦ୍ର ମହାନନ୍ଦଙ୍କ ଆକାଉଣ୍ଟରେ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଜଙ୍ଗଲ ନିକଟରେ ଟ୍ରେଞ୍ଜ କାମ ହୋଇଥିବା ଦର୍ଶାଇ ପ୍ରାୟ ୭୮ ହଜାର ୬୫୦ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନସଫର୍ କରାଯାଇଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି।
ସ୍ଥାନୀୟ ଜିଆରଏସ ଦେବେନ୍ଦ୍ର ସାହୁ ଜାଲିଆତି କରି ଅର୍ଥ ଆତ୍ମସାତ କରିଥିବା ସ୍ଥାନୀୟ ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି । ଏହି ଘୋଟାଲା ଯୋଗୁଁ ମନରେଗାରେ କାମ କରୁଥିବା ଶ୍ରମିକମାନେ ଦୀର୍ଘ ବର୍ଷ ହେଲା ନିଜ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ଯାଳୟ ଆଗରେ ଧାରଣା ଦେଇଛନ୍ତି । ଖବର ପାଇ ଭବାନୀପାଟଣା ବିଡିଓ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଲିଖିତ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ତେବେ ଏନେଇ ସଂପୃକ୍ତ ଜିଆରଏସ ଦେବେନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେଉଁମାନେ କାମ କରିଛନ୍ତି ସେମାନଙ୍କ ନାଁ ରେ ଟଙ୍କା ଟ୍ରାନସଫର୍ କରାଯାଇଛି ।
ଜାଣନ୍ତୁ ଗୁପ୍ତ ଶ୍ରୀକ୍ଷେତ୍ର ସମ୍ପର୍କରେ ଅଜଣା କଥା
ନନ୍ଦିଘୋଷ ବ୍ୟୁରୋ: ସମସ୍ତେ ଶ୍ରୀକ୍ଷେତ୍ର ଜାଣିଛନ୍ତି କିନ୍ତୁ ଏଠି ରହିଛି ଗୁପ୍ତ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରୁ ଆସି ୧୫ ବର୍ଷ ଗୁପ୍ତରେ ଏଠି ପୂଜା ପାଇଥିଲେ ଜଗନ୍ନାଥ । ସେବେଠାରୁ କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ତିଗିରିଆ ବ୍ଳକରେ ଜଗନ୍ନାଥ ମନ୍ଦିରରେ ପ୍ରସନ୍ନମଣି ପୁରୁଷୋତ୍ତମ ଦେବ ନାମରେ ପୂଜା ପାଉଛନ୍ତି ପ୍ରଭୁ।
ଜଗନ୍ନାଥ ସେ ଲୀଳାମୟ, ସେ ଅନନ୍ତ, ସେ ବିସ୍ମୟ, ସେ ବିନ୍ଦୁ, ସେ ସିନ୍ଧୁ । ସେ ଭାବ ବିନୋଦିଆ । କୋଟି ଓଡିଆଙ୍କ ମଉଡମଣି । ତାଙ୍କର ଲୀଳାଖେଳ ଅନନ୍ଯ । ସେ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପର ପୂଜା ପାଇଆସୁଛନ୍ତି । ସେଥିମଧ୍ଯରୁ କଟକ ଜିଲ୍ଲା ଆଠଗଡ ତିଗିରିଆ ବ୍ଲକର ଗୁପ୍ତ ଶ୍ରୀକ୍ଷେତ୍ର ଅନ୍ଯତମ । ପୁରୀରୁ ଆସି ୧୫ ବର୍ଷ ଏଠାରେ ଗୁପ୍ତ ଭାବେ ପୂଜା ପାଇଥିଲେ ମହାପ୍ରଭୁ । କିମ୍ବଦନ୍ତୀ ଅନୁସାରେ ୧୬୯୨ ରୁ ୧୭୦୭ ମସିହା ପ୍ରାୟ ୧୫ ବର୍ଷ ମହାପ୍ରଭୁଙ୍କୁ ଗୁପ୍ତରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।
ସେତେବେଳେ ଦିଲ୍ଲୀର ସମ୍ରାଟ ଔରଙ୍ଗଜେବ ବଙ୍ଗ ନବାବଙ୍କୁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗ ନବାବଙ୍କର ସେନାପତି ଆକ୍ରମ ଖାଁ ପୁରୀ ଉପରେ ଆକ୍ରମଣ କରିବାକୁ ଆସିଥିଲେ । ଫଳରେ ମୋଗଲ ଆକ୍ରମଣରୁ ଜଗନ୍ନାଥ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବା ପାଇଁ ସେଠାରେ ଏକ ଚନ୍ଦନ କାଠର ବିଗ୍ରହକୁ ରଖା ଯାଇଥିଲା ଓ ପ୍ରକୃତ ଜଗନ୍ନାଥଙ୍କ ବିଗ୍ରହଙ୍କୁ ତିଗିରିଆ ସୁଣ୍ଠିପାଳଠାରେ ରଖାଯାଇ ଗୁପ୍ତରେ ପୂଜା କରାଯାଉଥିଲା । ପରେ ତିଗିରିଆ ରାଜବାଟୀ ପରିସର ମନ୍ଦିରରେ ଲୁଚାଇ ରଖାଯାଇଥିଲା । ସେବେଠାରୁ ଏହି ଗୁପ୍ତ ଶ୍ରୀକ୍ଷେତ୍ରରେ ପ୍ରଭୁ ପ୍ରସନ୍ନ ପୁରୁଷୋତ୍ତମ ଦେବ ନାମରେ ପୂଜା ପାଉଛନ୍ତି ।
ଗୁପ୍ତ ଶ୍ରୀକ୍ଷେତ୍ରକୁ ରାଜା ବନମାଳି ଚମ୍ପତ୍ତି ସିଂହ ମହାପାତ୍ର ପ୍ରତିଷ୍ଠା କରିଥିଲେ । ମନ୍ଦିରର ଉଚ୍ଚତା ୧୦୦ ଫୁଟ ଏବଂ ନୀଳଚକ୍ରର ଉଚ୍ଚତା ୧୪ ଫୁଟ ରହିଛି । ଏହି ମନ୍ଦିରର କାରୁକାର୍ଯ୍ୟ ଓ ପରିବେଶ ବେଶ ମନୋହର । ପୁରୀ ମନ୍ଦିର ନୀତିକାନ୍ତି ଏବଂ ଏହି ମନ୍ଦିରର ନୀତିକାନ୍ତି ପ୍ରାୟ ସମାନ । ଶ୍ରୀକ୍ଷେତ୍ରର ରଥଯାତ୍ରା ପରଦିନ ଏଠାରେ ରଥଯାତ୍ରା ହୁଏ । ଏବଂ ଶ୍ରୀକ୍ଷେତ୍ରର ବାହୁଡ଼ା ଯାତ୍ରାର ପରଦିନ ଏଠାରେ ହୁଏ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ ।
କାରଣ ତିଗିରିଆ ରାଜା ଶ୍ରୀକ୍ଷେତ୍ର ରଥଯାତ୍ରାରେ ସେବକ ଭାବେ ପରିଚ୍ଛା ସେବା କରୁଥିଲେ । ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସେବା କରି ଆସିବା ପରେ ଏଠାରେ ରଥଯାତ୍ରା କରିଥାନ୍ତି । ଆଜିର ସମୟରେ ରାଜା ନାହାଁନ୍ତି ସତ କିନ୍ତୁ ପରମ୍ପରା ବଞ୍ଚିଛି । ବର୍ତ୍ତମାନର ରାଜା ବୀରପ୍ରତାପ କ୍ଷେତ୍ରୀୟ ବୀରବର ଚମ୍ପତ୍ତି ସିଂହ ମହାପାତ୍ର ମହାପ୍ରଭୁଙ୍କ ସେବା କରୁଛନ୍ତି।
ବାଚସ୍ପତିଙ୍କୁ ରାହୁଲଙ୍କ ଅଭିଯୋଗ, ମୋଦିଙ୍କ ସହ ହାତ ମିଶାଇବାବେଳେ କାହିଁକି ହୁଅନ୍ତି ନତମତସ୍କ
ନନ୍ଦିଘୋଷ ବ୍ୟୁରୋ: ଗୃହରେ ଜାରି ରହିଛି ହଙ୍ଗାମା । ବିରୋଧୀଙ୍କ ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ସରକାର । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ଛାଡ଼ୁଥିବା ଦେଖିବାକୁ ମିଳୁଛି । ତେବେ ବାଚସ୍ପତିଙ୍କ ନାମରେ ଅଭିଯୋଗ ଆଣିଛନ୍ତି ରାହୁଲ । ସେ ବାଚସ୍ପତି ଓମ୍ ବିର୍ଲାଙ୍କୁ କହିଛନ୍ତି କି, ଆପଣ ମୋ ସହ ହାତ ମିଶାଇବାବେଳେ ସିଧା ଛିଡ଼ା ହୋଇ ହାତ ମିଳାନ୍ତି । ମାତ୍ର ନରେନ୍ଦ୍ର ମୋଦିଙ୍କ ସହ ହାତ ମିଶାଇବା ବେଳେ କାହିଁକି ନତମତସ୍କ ହୁଅନ୍ତି । ରାହୁଲଙ୍କ ଏହି ବିବୃତିରେ ବିତରୋଧୀ ଦଳର ସାଂସଦମାନେ ସମର୍ଥନ କରିଥିଲେ । ସେପଟେ ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖି ବାଚସ୍ପତି କହିଥିଲେ କି, ମୋ ସଂସ୍କାର ଅନୁଯାୟୀ, ମୋଠାରୁ ଯିଏ ବଡ଼ ମୁଁ ତାଙ୍କୁ ସମ୍ମାନ ଜଣାଇଥାଏ । ଆଉ ଯିଏ ମୋ ସମସ୍କନ୍ଦ ମୁଁ ତାଙ୍କ ସହ ସିଧା ହାତ ମିଶାଇଥାଏ ।
ତେବେ ବାଚସ୍ପତିଙ୍କ ଏହି ବିବୃତି ପରେ ରାହୁଲ ଗାନ୍ଧି କହିଥିଲେ କି, ଆମେ ଆପଣଙ୍କ କଥାକୁ ସମ୍ମାନ ଦେଉଛି । ତେବେ ଏହି ଗୃହରେ ଆପଣଙ୍କଠାରୁ ବା ବଡ଼ କିଏ? ଏଣୁ ମୋ ସହ ସମସ୍ତ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଆପଣଙ୍କ ସମ୍ମୁଖରେ ନତମତସ୍କ ହେବେ । ତେବେ ଆପଣ ଏହି ଗୃହର ମୁଖ୍ୟ ହୋଇଥିବାବେଳେ ଆପଣଙ୍କ ସମ୍ମୁଖରେ ସମସ୍ତେ ନତମତସ୍କ ହେବା ଉଚିତ । ଆପଣ କାହା ସାମନାରେ ପ୍ରଣାମ କରିବା ଉଚିତ୍ ନୁହେଁ । ଗୃହରେ ଆପଣ ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତୁ ଏବଂ ସମାନ ବ୍ୟବହାର କରିବା ଉଚିତ ।
ଲୋକସଭାରେ ରାହୁଲ ଗାନ୍ଧି ଓ ମୋଦି ମୁହାଁମୁହିଁ
ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧି ଓ ମୋଦି ମୁହାଁମୁହିଁ। ଉଭୟଙ୍କ ମଧ୍ଯରେ ବାକ୍ ଯୁଦ୍ଧ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ଲୋକଙ୍କୁ ଭୟଭୀତ କରିବା, ବିଦ୍ବେଷ ସୃଷ୍ଟି କରିବା ଓ ମିଥ୍ଯା କଥା ପ୍ରଚାର କରିବା ହିନ୍ଦୁ ଧର୍ମ ନୁହେଁ। ଏହାର କାଉଣ୍ଟରରେ ମୋଦି କହିଥିଲେ- ପୁରା ହିନ୍ଦୁ ସମାଜକୁ ହିଂସାକାରୀ କହିବା ଏକ ବହୁତ ଗୁରୁତର କଥା। ଏହାର ଜବାବରେ ରାହୁଲ ଗାନ୍ଧି କହିଥିଲେ, କେବଳ ବିଜେପି ଓ ଆରଏସଏସ ହିନ୍ଦୁ ନୁହନ୍ତି । କେବଳ ସେମାନେ ହିନ୍ଦୁଙ୍କ ପ୍ରତିନିଧିତ୍ବ କରନ୍ତି ନାହିଁ।ଏପରିକି ସେ ଗୃହରେ ଶିବଙ୍କ ଫଟୋ ଦେଖାଇବାକୁ ଚାହୁଁଥିଲେ। କିନ୍ତୁ ଗୃହରେ ପୋଷ୍ଟର ଦେଖାଇବାର ନିୟମ ନ ଥିବା କହି ଅନୁମତି ଦେଇ ନାହାନ୍ତି ବାଚସ୍ପତି। ସେପଟେ ରାହୁଲଙ୍କ ଏହି ମନ୍ତବ୍ଯ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏପରିକି ପୁରା ବିଜେପି ତାଙ୍କ ପଛରେ ଲାଗି ପଡ଼ିଛି। ହିନ୍ଦୁଙ୍କୁ ରାହୁଲ ଅପମାନିତ କରିଛନ୍ତି କହି ବିଜେପି ତାଙ୍କୁ ବିରୋଧ କରିଛି।
ଜାଣନ୍ତୁ ଭାରତ ଟି-୨୦ ବିଶ୍ବକପ ଜିତିବା ପରେ ମଧ୍ୟ କାହିଁକି ଦୁଃଖିତ ରୋହିତଙ୍କ ପତ୍ନୀ ରିତିକା
ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୧୧ ବର୍ଷ ପରେ ଆଇସିସି ଟ୍ରଫି, ୧୩ ବର୍ଷ ପରେ ବିଶ୍ବକପ, ଏବଂ ୧୭ ବର୍ଷପରେ ଟି-୨୦ ବିଶ୍ବକପ ଜିତିଛି ଭାରତ । ଦୀର୍ଘଦିନର ସ୍ବପ୍ନ ପୂରଣ ହେବା ପରେ ସାରା ଦେଶରେ ଖୁସିର ଲହରୀ । ତେବେ ଟି-୨୦ ବିଶ୍ବକପ ଜିତିଥିବା ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ଦୁଃଖିତ ଥିବା ଜଣା ପଡ଼ିଛି । ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ।
ରୋହିତ ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଯାହାକି ଆଜି ମଧ୍ୟ ଅନେକଙ୍କୁ ବିଶ୍ବାସ ହେଉନାହିଁ । ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇଛି । ତେବେ ରୋହିତଙ୍କ ଅବସରକୁ ନେଇ ପତ୍ନୀ ମଧ୍ୟ ଭାବ ପ୍ରବଣ ହୋଇଛନ୍ତି । ଯାହାକୁ ନେଇ ସେ ନିଜର ପୋଷ୍ଟରେ ଲେଖିଛନ୍ତି କି, ୨୦୨୩ରେ ଭାରତ ଦିନିକିଆ ବିଶ୍ବକପ ହାରିବା ପରେ ବେଶ ଭାଙ୍ଗି ପଡ଼ିଥିଲେ ରୋହିତ । ମାତ୍ର ଏହାପରେ କିଛିମାସ ସେ ସଂଘର୍ଷ ଜାରି ରଖିଥିଲେ । ଏହି କିଛିମାସ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ସେ ବହୁତ ପରିଶ୍ରମ କରିଛନ୍ତି । ଆଉ ତାଙ୍କ ଅବସର ବେଶ ଦୁଃଖିତ କରିଛି । ତେବେ ରିତିକାଙ୍କ ଏହି ପୋଷ୍ଟକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେବା ସହ ରୋହିତଙ୍କୁ ପ୍ରଶଂସା କରିଛନ୍ତି ।
https://www.instagram.com/ritssajdeh/?utm_source=ig_embed&ig_rid=a2a08e29-04ca-44a8-8bc3-28f4ad373b0f

