spot_img
Home Blog Page 1738

ଆଜିଠୁ ବସିବ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ନିୟମିତ ଶୁଣିବେ ଲୋକଙ୍କ ସମସ୍ୟା

ଭୁବନେଶ୍ୱର : ଆଜିଠୁ ବସିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଚାଲିବ ଅଭିଯୋଗର ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବା ସହ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ । ପ୍ରତ୍ୟେକ ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଥିବା ବେଳେ, ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପଞ୍ଜୀକରଣ କରୁଛନ୍ତି ଲୋକେ।

ନୂଆ ଅପରାଧିକ ଆଇନ ଅନୁସାରେ ଦେଶର ପ୍ରଥମ ଏତଲା ଦାଏର

ନୂଆଦିଲ୍ଲୀ : ଦେଶରେ ଆଜିଠୁ ଲାଗୁ ହୋଇଛି ୩ଟି ନୂଆ ଅପରାଧିକ ଆଇନ । ଏହି ନୂଆ ଆଇନ ଲାଗୁ ହେବା ପରେ ଦେଶର ପ୍ରଥମ ଏତଲା ମଧ୍ୟ ଦାଏର ହୋଇସାରିଛି । ଦିଲ୍ଲୀର କମଲା ମାର୍କେଟ ସ୍ଥିତ ପୋଲିସ ଷ୍ଟେସନରେ ସୋମବାର ଭାରତର ନୂଆ ନ୍ୟାୟ ସଂହିତା ଅନୁଯାୟୀ ଦାଏର ହୋଇଛି ଏତଲା । ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରି ଅଭିଯୋଗରେ ଫୁତପାତ୍ ବେପାରୀଙ୍କ ନାଁରେ ଧାରା ୨୮୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଦିଲ୍ଲୀ ପୋଲିସର ଏଫଆଇଆର ଅନୁଯାୟୀ, ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରିକରୁଥିବା ଅଭିଯୁକ୍ତ ଜଣକ ହେଉଛି ବିହାରର ବାସିନ୍ଦା । ଅଭିଯୁକ୍ତର ନାଁ ପଙ୍କଜ କୁମାର ଏବଂ ସେ ଫୁଟ୍ ଓଭର ବ୍ରିଜ୍ ତଳେ ବିଡି , ସିଗାରେଟ୍ ଭଳି ନିଶାଦ୍ରବ୍ୟ ବିକ୍ରିକରୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍‌ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକରଣ କରିଥିଲା।

ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।

ସପ୍ତଶଯ୍ୟା ପାହାଡରୁ ଉଦ୍ଧାର ହେଲେ ୫ ଛାତ୍ର

ଢେଙ୍କାନାଳ : ସପ୍ତଶଯ୍ୟା ପାହାଡରେ ବାଟବଣା ସମସ୍ତ ପାଞ୍ଚ ଜଣ ଛାତ୍ର ଉଦ୍ଧାର। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନବିଭାଗ ଓ ସଦର ପୋଲିସ ଟିମ । ରାତି ପ୍ରାୟ ସାଢେ ଗୋଟାଏ ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସମସ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଗତକାଲି କଟକରୁ ଢେଙ୍କାନାଳର ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିଲେ ଏମାନେ । ଭୋଜିଭାତ କରି ଖାଇବା ପରେ ସପ୍ତଶଯ୍ୟା ପାହାଡ ଉପରକୁ ଚଢିଥିଲେ ଏହି ପାଞ୍ଚ ଛାତ୍ର।କିନ୍ତୁ ପ୍ରବଳ ବର୍ଷା ହେବା ପରେ ପାହାଡ ଉପରେ ସେମାନେ ରହି ଯାଇଥିଲେ।ସେଠାରେ କାହାର ବି ଫୋନ ମଧ୍ୟ ଲାଗୁନଥିଲା। ସନ୍ଧ୍ୟା ହୋଇଯିବାରୁ ଆଉ ବାଟ ନପାଇ ଫେରି ପାରି ନଥିଲେ ଛାତ୍ରମାନେ । ତେବେ ବାଟବଣା ଛାତ୍ର ମାନଙ୍କ ମଧ୍ୟରେ କଟକରୁ ଚାରି ଜଣ ଓ ଢେଙ୍କାନାଳ ସଦର ଅଞ୍ଚଳର ଜଣେ ଥିବା ଜଣାପଡିଛି ।

ଖବର ପାଇବା ପରେ ଗତକାଲି ସନ୍ଧ୍ୟାରୁ ଢେଙ୍କାନାଳ ବନ ବିଭାଗର ତିନୋଟି ଟିମ ଓ ସଦରଥାନା ପୋଲିସ ପକ୍ଷରୁ ଖୋଜା ଖୋଜି ଜାରି ରହିଥିଲା। ଏହି ଛାତ୍ର ମାନେ ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ ଲକି ଦାସ । ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଢେଙ୍କାନାଳ ମୁଖ୍ୟ ହସପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଘରକୁ ପଠାଇ ଦିଆଯାଇଛି।

ଆଜିଠୁ ଦେଶରେ ଅନେକ ପରିବର୍ତ୍ତନ; ଏଲପିଜି ଠାରୁ କ୍ରେଡିଟ୍ କାର୍ଡ ଯାଏ ବଦଳିବ ନିୟମ

ନୂଆଦିଲ୍ଲୀ : ଆଜିଠୁ ଦେଶରେ ଦେଖିବାକୁ ମିଳିବ ଅନେକ କିଛି ପରିବର୍ତ୍ତନ । ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିବ। ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ଯାଏ ସବୁର ନିୟମରେ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି । ନୂଆ ମାସରୁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରିବାର ସମ୍ଭାବନା ରହିଛି ।

ନିର୍ବାଚନ ଶେଷ ହୋଇଥିବାରୁ ବର୍ତ୍ତମାନ ଏଲପିଜି ସିଲିଣ୍ଡର ମୂଲ୍ୟ ବଢ଼ିପାରେ । ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଟିଏଫ ଏବଂ ସିଏନଜି-ପିଏନଜି ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେଣୁ ଜୁଲାଇରୁ ଏହାର ନୂଆ ମୂଲ୍ୟ ଘୋଷଣା କରିପାରନ୍ତି ତୈଳ ମାର୍କେଟିଂ କମ୍ପାନୀ। ଆରବିଆଇର ନୂତନ ନିୟମ ଅନୁଯାୟୀ, ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ ଦେୟ ପ୍ରଦାନ କରାଯିବ। ଯାହା ଡିଜିଟାଲ୍ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ।

ଟ୍ରାଇ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଯେଉଁଥିରେ ସିମ୍ କାର୍ଡ ପୋର୍ଟ ନିୟମ ବଦଳିଯିବ। ଏହି ଅନୁଯାୟୀ ଯଦି ଆପଣଙ୍କର ସିମକାର୍ଡ କୌଣସି କାରଣରୁ ନଷ୍ଟ ହୋଇଯାଏ, ତେବେ ଆପଣ ୭ ଦିନ ପରେ ସିମ୍ କାର୍ଡ ପାଇବେ ।

ଆଜି ଦଶମୀରେ ଶ୍ରୀଜୀଉଙ୍କର ଚକାବିଜେ ନୀତି

ପୁରୀ : ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପୂର୍ଣ୍ଣିମାଠାରୁ ଅତ୍ଯଧିକ ଜ୍ବରରେ ପୀଡ଼ିତ ହେବା ପରେ ଶ୍ରୀମନ୍ଦିର ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ତାଟିରେ ଅନ୍ଧାର ଭିତରେ ଚାଲିଛି ଗୁପ୍ତ ସେବା । ଜ୍ବରରୁ ସାମାନ୍ଯ ସୁସ୍ଥ ହୋଇଥିବାରୁ ଆଜି ଦଶମୀ ତିଥୀରେ ଶ୍ରୀଜୀଉ ମାନଙ୍କର ଚକାବିଜେ ନୀତି ଅନୁଷ୍ଠିତ ହେବ । ଜ୍ବରରୁ ସମ୍ପୂର୍ଣ୍ଣ ଉପଷମ ପାଇଁ ଶ୍ରୀବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦଶମୂଳ ମୋଦକ ଲାଗି କରାଯିବ । ବିଭିନ୍ନ ଚେରମୂଳିରେ ଦଶମୂଳାରିଷ୍ଟ ପ୍ରସ୍ତୁତ କରିଛନ୍ତି ଶ୍ରୀବୈଦ୍ଯ ।

ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ବିଭିନ୍ନ ଚେରମୂଳି ମିଶାଇ ଏହାକୁ ରନ୍ଧନ କରି ଦିବ୍ଯ ଔଷଧ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ଗାରଦ ପ୍ରଦାନ କରାଯିବା ପରେ ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ପ୍ରଥମେ ଚନ୍ଦନ ଯାତ୍ରାରେ ନରେନ୍ଦ୍ରରେ ଚାପ ଓ ପରେ ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପଡ଼ିଛନ୍ତି ଦାରୁଦିଅଁ । ଖାଦ୍ଯ ରୁଚୁ ନଥିବାରୁ ଚକଟା ଓ ପଣା ଦେଇ ଗୁପ୍ତ ସେବାରେ ଲାଗିଛନ୍ତି ଇତାପତି ସେବାୟତ ।

ଚତୁର୍ଥୀରେ ଓଦାଲୁଗା ଓଲାଗି ପରେ ଶ୍ରୀଅଙ୍ଗରୁ ପୀଡ଼ା ଉପଷମ ପାଇଁ ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ବଡ଼ ଓଡ଼ିଆ ମଠଦ୍ବାର ପ୍ରସ୍ତୁତ ଫୁଲୁରୀ ତେଲ ଲାଗି କରାଯାଇଥିଲା । ଏହାପରେ ସୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଓଷୁଅ ଲେପନ ପରେ ଦଶମୂଳ ମୋଦକ ଖାଇ ସୁସ୍ଥ ହେବେ ଶ୍ରୀବିଗ୍ରହ । ଏହାପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ସେବାୟତ । ପ୍ରଭୁ ସୁସ୍ଥ ହେବା ଖବର ପାଇବା ପରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଗଜପତି ମହାରାଜା ।

ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ

ଭୁବନେଶ୍ୱର : ରାଜ୍ଯରେ ଦୁର୍ବଳ ହେଲା ଲଘୁଚାପ । ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ । ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିବ । ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ତେବେ ଦୁଇଦିନର ବ୍ରେକ ପରେ ପୁଣି ୪ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।

୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ଅନ୍ଯପଟେ ଜୁନ ଶେଷ ସୁଦ୍ଧା ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଓଡ଼ିଶାରେ କିନ୍ତୁ ସ୍ଥିତି ଅଲଗା । ଗୋଟିଏ ଜିଲ୍ଲାରେ ୬୭ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଆଗକୁ ଆସୁଥିବା ଲଘୁଚାପ ପ୍ରଭାବରେ ବର୍ଷା ଭରଣା ହେବା ଆଶା କରାଯାଉଛି ।

ହଟିଲା ବ୍ରିଟିଶ ଅମଳର ଆଇନ; ଆଜିଠୁ ତିନୋଟି ନୂତନ ଆଇନ ଲାଗୁ

ନୂଆଦିଲ୍ଲୀ : ଦେଶର ନ୍ୟାୟିକ ଓ ଦଣ୍ଡବିଧାନ କ୍ଷେତ୍ରରେ ନୂଆ ଅଧ୍ଯାୟ । ହଟିଲା ବ୍ରିଟିଶ ଅମଳର ଆଇନ । ଆଜିଠୁ ଦେଶରେ ଲାଗୁ ହେଉଛି ତିନୋଟି ନୂତନ ଆଇନ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଆଜିଠୁ ଲାଗୁ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ । କେବଳ ନାଁ ପରିବର୍ତ୍ତନ ନୁହେଁ ଭାରତୀୟ ଦଣ୍ଡ ବିଧି ଆଇନରେ ଆସିବ ବ୍ୟାପକ ସଂସ୍କାର ।

ପୁରୁଣା ଆଇନରେ ୫୧୧ଟି ଧାରା ରହିଥିବାବେଳେ ନୂଆ ଆଇନରେ ୩୫୮ଟି ଦଣ୍ଡ ବିଧାନ ଧାରାର ବ୍ୟବସ୍ଥା କରାଯାଇଛି । ଏହାସହ ୧୭୫ଟି ଧାରାରେ କରାଯାଇଛି ସଂଶୋଧନ । ନୂଆ ଆଇନ ଅନୁସାରେ, ଭିଡ଼ ହତ୍ୟା-ନାବାଳିକା ଦୁଷ୍କର୍ମରେ ମିଳିବ ଫାଶୀଦଣ୍ଡ । ନୂଆ ଆଇନ ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାବୁ ସକ୍ଷମ ହେବ। ସେହିପରେ ଦୁଷ୍କର୍ମ ମାମଲାରେ ପୂର୍ବରୁ ଲାଗୁଥିବା ଆଇପିସି-୩୭୬ ଓ ଗଣ ଦୁଷ୍କର୍ମ ପାଇଁ ଆଇପିସି-୩୭୬(ଡି) ବଦଳରେ ଲାଗୁ ହେବ ବିଏନଏସ୍ ୬୪ ଓ ବିଏନଏସ୍ ୭୦ । ଦୁଷ୍କର୍ମ ମାମଲାରେ ଦଣ୍ଡ ବ୍ୟବସ୍ଥାକୁ ୩ଟି ବର୍ଗ କରାଯାଇଛି । ୮ ବର୍ଷରୁ ଅଧିକ ମହିଳାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ଅନ୍ୟୁନ ୧୦ ବର୍ଷ କିମ୍ବା ଜୀବନବ୍ୟାପୀ ସଜା । ୧୨ ବର୍ଷରୁ ଅଧିକ ଓ ୧୬ ବର୍ଷରୁ କମ୍ ବୟସର ଝିଅ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଅନ୍ୟୁନ ୨୦ ବର୍ଷ ଜେଲ୍, ଜୀବନବ୍ୟାପୀ ସଜା ସହିତ ଆର୍ଥିକ ଜରିମାନା ।

ସେହିପରି ମନି ଲଣ୍ଡରିଂ, ଦେଶର ଐକ୍ୟ, ସାର୍ବଭୌମ ସୁରକ୍ଷା ଓ ହନି ଟ୍ରାପ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମିଳିବ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲ୍ । ପୂର୍ବରୁ ଆର୍ଥିକ ଓ ସଂଗଠିତ ଅପରାଧ ପାଇଁ IPC ଓ CRPCରେ ସ୍ବତନ୍ତ୍ର ଭାବେ କୌଣସି ଦଣ୍ଡ ବ୍ୟବସ୍ଥା ନ ଥିଲା । ଏବେ ନୂଆ ଆଇନରେ ବିଭିନ୍ନ ଅପରାଧ ନିୟନ୍ତ୍ରଣ ବ୍ୟାପକ ବ୍ୟବସ୍ଥା କରାଯାଇ ତ୍ବରିତ ନ୍ୟାୟକୁ ଗୁରୁତ୍ବ ଦିଆଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥାରେ ଆଗକୁ ଆମୂଳଚୂଳ ସଂସ୍କାର ଆସିବାକୁ ଯାଉଛି ।

ଏଣିକି ପୋଲିସ ସମସ୍ତଙ୍କୁ ହାତକଡ଼ି ଲଗାଇପାରିବ ନାହିଁ। ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ। ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫଆଇଆର୍ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ। ୩ଟି ନୂଆ ଆଇନ ପୀଡ଼ିତଙ୍କୁ ତ୍ବରିତ୍ ନ୍ୟାୟ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ।ଗତ ବର୍ଷ ସେପ୍ଟେମ୍ବର ୨୧ରେ ଏହା ସଂସଦରେ ଅନୁମୋଦନ କରିଥିଲା । ଏହାପରେ ଡିସେମ୍ବର ୨୫ରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ

ଟିମ୍ ଇଣ୍ଡିଆକୁ ବିସିସିଆଇର ୧୨୫ କୋଟି ଟଙ୍କା ଉପହାର

ନୂଆଦିଲ୍ଲୀ: ବିଶ୍ବ ବିଜୟୀ ଭାରତୀୟ କ୍ରିକେଟ ଟିମ୍ ପାଇଁ ଛୁଟୁଛି ଉପହାର ସୁଆ । ଟି-୨୦ ବିଶ୍ବକପ୍ ବିଜୟ ଟିମ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଛି ବିସିସିଆଇ । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହ ଘୋଷଣା କରିଛନ୍ତି ।

ସୋସିଆମ ମିଡିଆ ଏକ୍ସରେ ପୁରସ୍କାର ରାଶି ପ୍ରଦାନ ନେଇ ଶାହ ସୂଚନା ଦେଇଛନ୍ତି । ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଟି-ଟ୍ବେଣ୍ଟି ବିଶ୍ବକପ ଜିତି ଭାରତ ନୂଆ ଇତିହାସ ଲେଖିଛି । ଭାରତର ଏ ଐତିହାସିକ ଉପଲବ୍ଧିରେ ସାରା ଦେଶ ଉତ୍ସବ ପାଳୁଛି ।

କାଲିଠୁ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିଲାଗି ପ୍ରସ୍ତୁତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠର ନବୀକରଣ କରାଯାଇଛି । ଯାହାର ତଦାରଖ କରୁଛନ୍ତି ଖୋଦ ବରିଷ୍ଠ ଅଧିକାରୀ ।

ଜୁଲାଇ ୧ରୁ ଅଭିଯୋଗ ପ୍ରକୋଷ୍ଟରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ଶୁଣାଣି । ସାଧାରଣ ଜନତାଙ୍କର ଶୁଣିବେ ଅଭିଯୋଗ । ଯେଉଁଠି ଏକକାଳୀନ ୩୦ ଜଣ ବସିବାର ବ୍ୟବସ୍ଥା କରାଯାଇଛି । ୧୧ ଟାରୁ ୟୁନିଟ-୫ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହେବ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ପୂର୍ବାହ୍ନ ୯ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ହେବ I ଗଣମାଧ୍ଯମ ପ୍ରତିନିଧିମାନେ ଉପସ୍ଥିତ ରହି ଶୃଙ୍ଖଳାର ସହ ଖବର ପ୍ରସାରଣ କରିପାରିବେ I

ରଥଯାତ୍ରାକୁ ଆସିବେ ମହାମହିମ ରାଷ୍ଟ୍ରପତି, ଟାଣିବେ ରଥ

ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏବେ ଠାରୁ ବ୍ୟାପକ ପ୍ରସ୍ତୁତ୍ତି ଆରମ୍ଭ ହୋଇଯାଇଛି  l ରାଷ୍ଟ୍ରପତି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ସହ ରଥ ଟାଣିବାର କାର୍ଯ୍ୟକ୍ରମ ରହିଛି ।

ମହାମହିମଙ୍କ ଗସ୍ତକୁ ନେଇ ଆଇନ ମନ୍ତ୍ରୀ ସମୀକ୍ଷା କରିଥିବାବେଳେ ରଥଯାତ୍ରା ସମୟରେ ଯେଭଳି କୌଣସି ଅସୁବିଧା ନ ଉପୁଜେ ସେ ନେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି l ଏପଟେ ରାଷ୍ଟ୍ରପତି ଗସ୍ତକୁ ନେଇ କୌଳିକ ପଣ୍ଡା ଓ ସେବାୟତ ମହଲରେ ବେଶ ଉତ୍ସହ ଦେଖିବାକୁ ମିଳିଛି ।

ଦ୍ବିତୀୟ ଥର ପାଇଁ ପୁରୀ ଆସୁଛନ୍ତି ରାଷ୍ଟ୍ରପତି । ଜୁଲାଇ ୭ ତାରିଖ ଦିନ ଅପରାହ୍ନରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅବତରଣ କରିବା ସହ ସିଂହଦ୍ୱାର ନିକଟକୁ ଆସିବେ l ସେଠାରେ ବଡ଼ଦାଣ୍ଡରେ ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ସହ ରଥ ଟାଣିବାର କାର୍ଯ୍ଯକ୍ରମ ରହିଛି ।