spot_img
Home Blog Page 1748

ପାହାଡ଼ ଉପରୁ ଭିନ୍ନକ୍ଷମ ମହିଳାଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା : ପାହାଡ଼ ଉପରୁ ଭିନ୍ନକ୍ଷମ ମହିଳାଙ୍କ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଗୁଡାରି ଆମ୍ବାବାଡ ନିକଟ ପାହାଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ପଦ୍ମପୁର ଥାନା ବିରିପଦର ଗାଁର ରୀନା ଜେନା । ସେ ମିଶନ ଶକ୍ତିରେ କାମ କରୁଥିଲେ ।

ଗତ ୨୫ ତାରିଖରେ ପଦ୍ମପୁର ବ୍ଲକରେ ମିଟିଂ ଥିବା କହି ଘରୁଯାଇ ନିଖୋଜ ହୋଇଯାଇଥିଲେ । ସେବେଠୁ ତାଙ୍କର କୌଣସି ଖୋଜଖବର ମିଳୁନଥିଲା । ପାହାଡ଼ ଉପରେ ମୃତଦେହ ପଡ଼ିଥିବାନେଇ ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ମୃତଦେହ ଉଦ୍ଧାର କରିଛି । ରୀନାଙ୍କୁ ହତ୍ଯା ପରେ ଫିଙ୍ଗିଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ହତ୍ଯା ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଛି ।

ଆଜିଠୁ ୫ ଦିନ ଯାଏଁ ଘାଣ୍ଟିବ ଘୂର୍ଣ୍ଣିବଳୟ, ଉପାନ୍ତରୁ ଉପକୂଳ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ସଂଗଠିତ ହେବାରୁ ବର୍ଷା ପରିମାଣ ଅଧିକ ରହୁଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସାରା ରାଜ୍ଯରେ ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ୭ଟି ଜିଲ୍ଲାରେ ଅତିପ୍ରବଳ ଓ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା ପାଇଁ ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ସତର୍କତା ଜାରି ହୋଇଥିବାବେଳେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

କାଲି ଓ ପରଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ୩୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଏବେବି ରାଜ୍ଯରେ ନିଅଣ୍ଟିଆ ବର୍ଷା ପରିମାଣ ଲାଗିରହିଛି। ଜୁନ୍ ପହିଲାରୁ ଏଯାଏଁ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୬ଟି ଜିଲ୍ଲା କଟକ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଜୁଲାଇ ୧ରୁ ଲାଗୁ ହେବ ତିନୋଟି ନୂଆ ଅପରାଧୀକ ଆଇନ

ନୂଆଦିଲ୍ଲୀ : ଜୁଲାଇ ୧ରୁ ଲାଗୁ ହେବ ତିନୋଟି ନୂତନ ଅପରାଧୀକ ଆଇନ । ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଲାଗୁ ହେବ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଅଇନରେ ପରିବର୍ତ୍ତନ ଆଣିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧ରୁ ପୂର୍ବ ପ୍ରଚଳିତ ଆଇନ ବଦ‌ଳରେ ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବ।

ଏହି ତିନି ଅପରାଧିକ ନିୟମ ହେଉଛି, ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ଏହି ନୂତନ ଆଇନ ବ୍ରିଟିଶ ସମୟଠାରୁ ପ୍ରଚଳିତ ହେଉଥିବା ଆଇନକୂ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ସହ ଏହାଦ୍ବାରା ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାବୁ ସକ୍ଷମ ହେବ। ଏହି ୩ଟି ନୂଆ ଆଇନକୁ ଗତ ବର୍ଷ ସେପ୍ଟେମ୍ବର ୨୧ରେ ସଂସଦ ଅନୁମୋଦନ କରିଥିଲା।

ଏହା ପରେ, ଡିସେମ୍ବର ୨୫ରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ତିନୋଟି ବିଜ୍ଞପ୍ତି ଜାରି କରାଯାଇଛି। ଏହି ଅନୁଯାୟୀ, ନୂତନ ଆଇନର ବ୍ୟବସ୍ଥା ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ନିୟମଗୁଡ଼ିକ ବ୍ରିଟିଶ କାଳରୁ ଚାଲି ଆସିଥିବା ଇଣ୍ଡିଆନ ପେନାଲ କୋଡ (ଆଇପିସି) ଏବଂ କୋଡ ଅଫ୍ କ୍ରିମିନାଲ ପ୍ରୋସିଜର୍ (CrPC) ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ।

ଲଗାଣ ବର୍ଷା ଯୋଗୁଁ ଖସିଲା ଏୟାରପୋର୍ଟ ଛାତ, ଜଣେ ମୃତ

ନୂଆଦିଲ୍ଲୀ :ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛାତ ଭୁଶୁଡ଼ି ତିନି ଜଣଙ୍କର ମୃତ୍ଯୁ ହୋଇଛି । ଗୁରୁତର ଅବସ୍ଥାରେ ଆଉ ତିନିଜଣଙ୍କର ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାୟୁଡ଼ୁ ପହଞ୍ଚି ସ୍ଥିତି ଅନୁଧ୍ଯାନ କରି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ କହିଛନ୍ତି ୨୦୦୯ରୁ ଏକ ନମ୍ବର ଟର୍ମିନାଲଟି କାର୍ଯ୍ୟକ୍ଷମ ହୋଇଥିଲା । କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ସେନେଇ ତଦନ୍ତ ହେବ । ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାଛଡ଼ା ଅଘଟଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଆହତଙ୍କୁ ୩ଲକ୍ଷ ଟଙ୍କାରେ ସହାୟତା ପ୍ରଦାନ କରାଯିବ । ବିମାନବନ୍ଦରରୁ ଏବେ ବିମାନ ଚଳାଚଳ ବନ୍ଦ ରହିଛି । ଅପରାହ୍ନ ୨ଟା ପରେ ତିନି ଓ ଚାରି ନମ୍ବର ଟର୍ମିନାଲରୁ ବିମାନ ଚଳାଚଳ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଭୋର ସମୟରେ ପ୍ରବଳ ବର୍ଷା ପବନରେ ଏକ ନମ୍ବର ଟର୍ମିନାଲକ ଛାତ ଅଚାନକ ଖସି ପଡ଼ିଥିଲା । ଫଳରେ ଏହାତଳେ ଚାପିହୋଇ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଥିଲା । କାରରେ ବସିଥିବା ୬ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ଯରୁ ଜଣଙ୍କର ମୃତ୍ଯୁ ହୋଇଛି । ଟର୍ମିନାଲ ଭୁଶୁଡିବା ପରେ ସେଠାରେ ପାର୍କିଂ ଥିବା ଅନେକ କାର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଜିଗୋ ଓ ସ୍ପାଇସ ଜେଟର ବିମାନ ସେବା ବାତିଲ ହୋଇଛି।.

T-20 ବିଶ୍ବକପ ଫାଇନାଲରେ ଭାରତ

ନୂଆଦିଲ୍ଲୀ : ୨୦୨୨ ପରାଜୟର ପ୍ରତିଶୋଧ ନେଲା ଭାରତ । ଇଂଲଣ୍ଡକୁ ହରାଇ ଟି-ଟ୍ବେଣ୍ଟି ଫାଇନାଲରେ ଟିମ୍ ଇଣ୍ଡିଆ । ଅକ୍ଷର ଓ କୁଲଦୀପଙ୍କ ଯାଦୁକରୀ ସ୍ପିନରେ ଧୂଳି ଚାଟିଲା ଇଂଲଣ୍ଡ । ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । ଫଳରେ ୬୮ ରନର ବିରାଟ ବ୍ଯବଧାନରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ରୋହିତ ବାହିନୀ ।

୨ ବର୍ଷ ତଳେ ଆଡିଲେଡ୍ ଓଭାଲରେ ଭାରତକୁ ସେମିଫାଇନାଲରେ ୧୦ ୱିକେଟରେ ହରାଇ ଫାଇନାଲକୁ ଯାଇଥିବା ଇଂଲଣ୍ଡର ଫାଇନାଲ ସ୍ବପ୍ନକୁ ଏଥର ଚୁରମାର କରିଦେଇଛି ଭାରତ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ଗତଥରର ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ଯାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା । କ୍ଯାପଟେନ ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିବାବେଳେ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲରେ ୪୭, ରନ ହାସଲ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩, ରବୀନ୍ଦ୍ର ଜାଡେଜା ୯ ବଲରେ ୧୭ ଓ ଅକ୍ଷର ପଟେଲ ୬ ବଲରେ ୧୦ ରନ କରି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ । ୧୭୨ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା । ଭାରତୀୟ ସ୍ପିନର ଓ ଫିଲଡରଙ୍କ ରଣନୀତି ଆଗରେ ଇଂଲଣ୍ଡ ଦଳ ଫେଲ୍ ହୋଇଥିଲା । ହ୍ଯାରୀ ବୃକ୍ ସର୍ବାଧିକ ୨୫ ରନ କରିଥିବାବେଳେ ଅଧିନାୟକ ବଟଲର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ ।

ଭାରତର ମୁକାବିଲା କରିନପାରି ଶେଷରେ ୧୬ ଓଭର ୪ଟି ବଲରେ ଇଂଲଣ୍ଡ ୧୦୩ ରନ କରି ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଓ କୁଲଦୀପ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବୁମରା ୨ଟି ୱିକେଟ ନେଇଥିଲେ । ଅକ୍ଷର ପଟେଲ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ବିଶାଳ ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲ୍ ଖେଳିଥିଲା । ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପର ଗ୍ରାଣ୍ଡ ଫିନାଲେ । ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଭାରତର ମୁକାବିଲା ହେବ ।

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସୌଜନ୍ୟମୂଳକ ଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ମୋହନ ଚରଣ ମାଝୀ । ରାଜ୍ୟରେ ସରକାର ଗଠନ ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଓ ନୂଆ ଓଡ଼ିଶା ଗଠନରେ ଲୋକଙ୍କ ହିସାବରେ ଲୋକଙ୍କ କାମ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଅନେକ ଯୋଜନା ବିଷୟରେ ଆଲୋଚନା ହୋଇଛି । ଏହାସହ ରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଛି, ସେ ସାମିଲ ହେବେ ବୋଲି ସହମତି ପ୍ରକାଶ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ଏହା ମୋହନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ। ତିନି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ସେ ରାଷ୍ଟ୍ରପତିଙ୍କୁ ଭେଟି ବହୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟର ବିଭିନ୍ନ ବିକାଶ ମୂଳକ କାମ ନେଇ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ।

ପରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆସିଥିବାକୁ ଥିବା କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ସହ ରାଜ୍ୟର ଅର୍ଥନୈତିକ ବିକାଶ ନେଇ ଆଲୋଚନା କରିଥିବା ଜଣାପଡିଛି ।

ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ରାଜନୈତିକ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ନେଇ ଆଲୋଚନା ହୋଇଥିବା ଜଣାପଡିଛି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି । ପରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ଉପରାଷ୍ଟ୍ରପତି ଜଗଦ୍ଦୀଶ ଧନକଡଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଜିଓ ଦେଲା ଝଟକା: ବଢ଼ିଲା ଅନଲିମିଟେଡ ପ୍ଲାନର ଦାମ୍, ୩ ଜୁଲାଇରୁ ଲାଗୁ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଝଟକା ଖାଇବା ଭଳି ଖବର । ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହାସହ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ JIO Safe ସର୍ଭିସ୍ ଲଞ୍ଚ କରିଛି । ସେହିପରି କମ୍ପାନୀ AI Powered Jio Translate ସର୍ଭିସର ବି ଶୁଭାରମ୍ଭ କରିଛି । ଏହାସହ ଅନଲିମିଟେଡ 5G ସେବା ଜିଓ ବନ୍ଦ କରିଦେଇଛି । କିଛି ନିର୍ଦ୍ଦିଷ୍ଟା ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି ।

ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଜିଓ ନିଜର ଏକାଧିକ ପୁରୁଣା ପ୍ଲାନକୁ ରିଭାଇଜ୍ କରିବା ସହ ନୂଆ ଅନଲିମିଟେଡ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ ଆଣିଛି । ୩ ଜୁଲାଇରୁ ୟୁଜର୍ସ ଏହି ନୂଆ ପ୍ଲାନ ମାଧ୍ୟମରେ ନିଜ ନମ୍ବର ରିଚାର୍ଜ କରିବାକୁ ପଡ଼ିବ । ଜିଓ ନିଜର True 5G ସର୍ଭିସକୁ ଦେଶର ୮୫ ପ୍ରତିଶତ କ୍ଷେତ୍ରରେ ହଟାଇ ଦେଇଛି ।

ଏବେ କେଉଁ ପ୍ଲାନ ପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ଆସନ୍ତୁ ଜାଣିବା…

୨୮ ଦିନିଆ ପ୍ଲାନ୍

ପୂର୍ବରୁ ଜିଓର ୨୮ ଦିନିଆ ପ୍ଲାନରେ ୧୫୫, ୨୦୯, ୨୩୯, ୨୯୯, ୩୪୯ ଓ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୧୮୯, ୨୪୯, ୨୯୯, ୩୪୯, ୩୯୯ ଓ ୪୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ଆପଣ ଯଦି ୧୫୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୧୮୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ ।

୫୬ ଦିନିଆ ପ୍ଲାନ୍

ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୮୪ ଦିନିଆ ପ୍ଲାନ୍

ତିନି ମାସିଆ (୮୪) ଦିନିଆ ପ୍ଲାନରେ ବି ପରିବର୍ତ୍ତନ ହୋଇଛି । ପୂର୍ବରୁ ଏହି ପ୍ଲାନରେ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ବର୍ଷିକିଆ ପ୍ଲାନ୍

୩୩୬ ଦିନ ବର୍ଷିକିଆ ପ୍ଲାନର ଦାମ ବି ବଢ଼ିଛି । ପୂର୍ବରୁ ଏହି ପ୍ଲାନ ପାଇଁ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।

ଡାଟା ଆଡ-ଅନ୍ ପ୍ଲାନ୍

କେବଳ ଏତିକି ନୁହେଁ ଜିଓ ନିଜର ଡାଟା ଆଡ଼ ଅନ୍ ପ୍ଲନକୁ ବି ରିଭାଇଜ କରିଛି । ପୂର୍ବରୁ ୟୁଜର୍ସଙ୍କୁ ୧୫, ୨୫ ଓ ୬୧ ଟଙ୍କାରେ ଦୈନିକ ଯଥାକ୍ରମେ 1GB, 2GB ଓ 6GB ଡାଟା ପାଉଥିଲେ । ହେଲେ ଏବେ ଏହି ଡାଟା ପାଇଁ ସେମାନଙ୍କୁ ଯଥାକ୍ରମେ ୧୯, ୨୯ ଓ ୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ନୂଆ ପୋଷ୍ଟପେଡ ପ୍ଲାନ୍

ପୋଷ୍ଟ ପେଡ ପ୍ଲାନକୁ ବି ବଢ଼ାଇଛି ଜିଓ । ୨୯୯ ଓ ୩୯୯ ଟଙ୍କା ବାଲା ପ୍ଲାନକୁ ବଢ଼ାଇ ୩୪୯ ଓ ୪୪୯ ଟଙ୍କା କରିଦେଇଛି ଜିଓ ।

କାହାକୁ ମିଳିବ ଅନଲିମିଟେଡ 5G ଡାଟା ?

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଓ ସବୁ ୟୁଜର୍ସଙ୍କୁ ଅନଲିମିଟେଡ 5G ଡାଟା ଦେବା ବନ୍ଦ କରି ଦେଇଛି । ପ୍ରତିଦିନ 2GB କିମ୍ବା ତା’ଠାରୁ ଅଧିକ ଡାଟା ବାଲା ପ୍ଲାନ ବ୍ୟବହାର କରୁଥିବା ୟୁଜର୍ସ ଏବେ 5G ଡାଟା ପାଇପାରିବେ । ଅର୍ଥାତ ଯେଉଁ ୟୁଜର୍ସ ୨୯୯, ୩୪୯, ୩୯୯, ୫୩୩, ୭୧୯, ୯୯୯ ଓ ୨୯୯୯ ପ୍ଲାନ ନେଇଥିବା, ସେହିମାନେ ହିଁ ଅନଲିମିଟେଡ 5G ଡାଟାର ଲାଭ ଉଠାଇ ପାରିବେ ।

ଦୁଇଟି ନୂଆ ସର୍ଭିସ ଲଞ୍ଚ

ପ୍ଲାନର ଦାମ ବଢ଼ାଇବା ସହ ଜିଓ ଦୁଇଟି ନୂଆ ସର୍ଭିସ ଲଞ୍ଚ କରିଛି । ଠକେଇରୁ ୟୁଜର୍ସଙ୍କୁ ସୁରକ୍ଷା ଦେବା ପାଇଁ କମ୍ପାନୀ Jio Safe ସର୍ଭିସ ଲଞ୍ଚ କରିଛି । ଏହା ଏକ କ୍ବାଣ୍ଟମ ସିକ୍ବର କମ୍ୟୁନିକେସନ ଆପ୍ । ଯାହା ପାଇଁ ପ୍ରତିମାସ ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହାବାଦ AI ବେସଡ୍ Jio Translate ସର୍ଭିସ ବି କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଛି । ଏଥିପାଇଁ ୟୁଜର୍ସଙ୍କୁ ପ୍ରତିମାସ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଏହି ଦୁଇ ସର୍ଭିସ ବର୍ତ୍ତମାନ ପାଇଁ କମ୍ପାନୀ ଗୋଟିଏ ବର୍ଷ ପାଇଁ ମାଗଣାରେ ଦେବାକୁ ଯାଉଛି ।

୩୦ କୋଟି ଜୀବନ ବାଜି; ମଧୁମେହ ଓ ଉଚ୍ଚ ରକ୍ତଚାପ କବଳରେ ଯୁବଗୋଷ୍ଠୀ

ଭୁବନେଶ୍ବର: ମଧୁମେହ, ଉଚ୍ଚ ରକ୍ତଚାପ ରାକ୍ଷସ କବଳରେ ଭାରତର ଯୁବଗୋଷ୍ଠୀ । ଅନିୟମିତ ଖାଦ୍ୟ, ଶାରୀରିକ ବ୍ୟାୟାମ ଅଭାବରୁ ୨୦୩୦ ସୁଦ୍ଧା ଦେଶର ୩୦ କୋଟି ଯୁବକ ଯୁବତୀଙ୍କ ଜୀବନ ଦୁର୍ବିସହ ହୋଇପାରେ । ଏଭଳି ଚାଞ୍ଚଲ୍ଯକର ରିପୋର୍ଟ ପ୍ରକାଶ କରିଛି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପତ୍ରିକା ଲାନ୍ସେଟ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ । ଓଡ଼ିଶାର ଜନସଂଖ୍ୟାର ୩୦ ପ୍ରତିଶତ ବି ଏହି ରୋଗର ଶିକାର ହୋଇଛନ୍ତି । ବିଶେଷଜ୍ଞଙ୍କ ମତରେ ଯୋଗ, ବ୍ୟାୟାମ ଓ ରାତିରେ ଅଳ୍ପାହାର କଲେ ବଞ୍ଚିଯିବ ଜୀବନ ।

ଜୀବନ ନେଉଛି ମଧୁମେହ, ଉଚ୍ଚ ରକ୍ତଚାପ । ଧୀରେ ଧୀରେ ବିଶ୍ବର ଡାଇବେଟିକ୍ ରାଜଧାନୀ ପାଲଟିବାକୁ ଯାଉଛି କି ଭାରତ ? ଶାରୀରିକ ବ୍ୟାୟାମ, ଯୋଗ, ନିୟମିତ ଖାଦ୍ୟପେୟ ଓ ଜୀବନଚର୍ଯ୍ୟା ଅଭାବରୁ ଦେଶର ୧୫ରୁ ୨୯ ବର୍ଷ ବୟସର ଯୁବବର୍ଗ ଏପରି ସାଂଘାତିକ ରୋଗରେ ପୀଡ଼ିତ । ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପତ୍ରିକା ଲାନ୍ସେଟ୍ ଏପରି ଉଦବେଗଜନକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ୨୦୦୦ ମସିହାରୁ ୨୦୧୦ ଭିତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୩୪ ପ୍ରତିଶତ ବଢିଛି । ଏପରି ସଂଖ୍ୟା ବୃଦ୍ଧି ପାଇଲେ ୨୦୩୦ ସୁଦ୍ଧା ମୋଟ ଜନସଂଖ୍ୟାର ୫୦ କୋଟି ଯୁବକ ଯୁବତୀଙ୍କ ଭିତରୁ ୩୦ କୋଟି ଯୁବବର୍ଗଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ । ଗତବର୍ଷ ଆଇସିଏମଆର ଓ ଲାନ୍ସେଟ୍ ମିଳିତ ସର୍ଭେ ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ୧୦ କୋଟି ୧୦ ଲକ୍ଷ ଯୁବକ ସାଂଘାତିକ ମଧୁମେହ ରୋଗରେ ପୀଡ଼ିତ । ସେହପରି ୩୧ କୋଟି ୫୦ ଲକ୍ଷ ଯୁବକ ହାଇପରଟେନ୍ସନରେ ଆକ୍ରାନ୍ତ । ସପ୍ତାହକୁ ୧୫୦ ମିନିଟ ହିସାବରେ ଦିନକୁ ୧୫ରୁ ୨୦ ମିନିଟ ଶାରୀରିକ ବ୍ୟାୟାମ କଲେ ଶରୀର ସୁସ୍ଥ ରହିବ । କିନ୍ତୁ ଏତିକି ବି କରିବାକୁ ଆଜିର ଯୁବଗୋଷ୍ଠୀ ଆଗ୍ରହ ଦେଖାଉନାହାନ୍ତି ।

ଭାରତରେ ରହିଛି ବଳିଷ୍ଠ ଯୋଗ ପରମ୍ପରା । ଖାଲି ଖାଦ୍ୟପେୟ ନୁହେଁ, ଆଜିର ଯୁବଗୋଷ୍ଠୀ ମୋବାଇଲ ଓ ଇଣ୍ଟରନେଟ୍ ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ବି ସେମାନଙ୍କ ଶରୀରରେ ଅହେତୁକ ପ୍ରତିକ୍ରିୟା ସୃଷ୍ଟି ହେଉଛି । ଏହାସହିତ ଫାଷ୍ଟଫୁଡ୍ ନେବା ଦ୍ବାରା ମୋଟାପଣର ଶିକାର ହେଉଛନ୍ତି । ଯୋଗଶାସ୍ତ୍ର ଅନୁୟାୟୀ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗରେ ରକ୍ତ ସଞ୍ଚାଳନ ହେବା ପାଇଁ ହଠ ଯୋଗର ପରମ୍ପରା ରହିଛି । ସହରାଞ୍ଚଳ ଲୋକେ ଏ ଦିଗରେ ସଚେତନ ହେଲେଣି । କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କ ମେଟାବଲିକ୍ ଅସନ୍ତୁଳନ ରହିଲେ ବି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯତ୍ନ ପ୍ରାୟ ନେଉନାହାନ୍ତି । ମଧୁମେହ, ଉଚ୍ଚ ରକ୍ତଚାପ ସମ୍ପୂର୍ଣ୍ଣ ନିରାକରଣ ପାଇଁ କୌଣସି ଔଷଧ ନାହିଁ । ନିୟମିତ ଔଷଧ ସେବନ ଦ୍ବାରା କେବଳ ନିୟନ୍ତ୍ରଣରେ ରହିବ । ରାତିରେ ଅଳ୍ପ ଖାଦ୍ୟ ଖାଇବା କିମ୍ବା ରାତି ୮ଟା ପୂର୍ବରୁ ଖାଦ୍ୟ ଖାଇଲେ ଶରୀର ପାଇଁ ଭଲ । ପ୍ରତ୍ୟୁଷରୁ ଉଠି ସୂର୍ଯ୍ୟପ୍ରଣାମ କରିବା ଦ୍ବାରା ଶରୀରର ସମସ୍ତ ଟକ୍ସିନ୍ ଉପାଦାନ ନିଷ୍କାସନ ହୋଇଥାଏ ବୋଲି କହିଛନ୍ତି ଯୋଗ ବିଶେଷଜ୍ଞ ପରିକ୍ଷୀତ ଦାସ ।

ମେଦ ବହୁଳତା ଯୋଗୁଁ ବି ଅନେକ ଲୋକ ହୃଦଘାତର ଶିକାର ହେଉଛନ୍ତି । ରିପୋର୍ଟ କହୁଛି ୨୫ କୋଟି ୪୦ ଲକ୍ଷ ଲୋକ ମେଦ ବହୁଳତାର ଶିକାର ହୋଇଥିବା ବେଳେ ୧୮ କୋଟି ୫୦ ଲକ୍ଷ ଲୋକଙ୍କ ଜୀବନ ସାଂଘାତିକ ଏଲ୍ଡିଏଲ୍ ରୋଗରେ ଆକ୍ରାନ୍ତ ହୋଇଛି ।

ଏଥର ହେବ କି ଛାତ୍ର ସଂସଦ ନିର୍ବାଚନ ?

ଭୁବନେଶ୍ବର: ପୁଣି କଲେଜରେ ହେବ କି ଛାତ୍ର ସଂସଦ ନିର୍ବାଚନ ? ସରଗରମ ହେବ କି କ୍ୟାମ୍ପସ ପଲିଟିକ୍ସ । ଏନେଇ ରାଜ୍ୟ ସରକାର କରୁଛନ୍ତି ବିଚାର । ଅନେକ ଅପ୍ରୀତିକର କାରଣ ଯୋଗୁଁ ପୂର୍ବତନ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ରାଜ୍ୟ ସରକାରଙ୍କ ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟ ନିଜକୁ ପ୍ରସ୍ତୁତ କଲେଣି । ହେଲେ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ତତ୍ପର ନୂଆ ସରକାର । ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏହାର ଗୁରୁତ୍ବ ଦେଉଛି । ଏହାର ଯଥାର୍ଥତାକୁ ଉପଲବ୍ଧ କରି ବିଚାର ବିମର୍ଷ ଆରମ୍ଭ କଲେଣି ରାଜ୍ୟ ସରକାର । ଏ ଦିଗରେ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ଦିଗକୁ ନେଇ ତର୍ଜମା ଚଳାଇଛି । ହେଲେ ଏଯାଏଁ ଚୂଡ଼ାନ୍ତ ରୂପରେଖ କିଛି ଆସିନି । ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସକରାତ୍ମକ ମନୋଭାବ ଯୋଗୁଁ ପୁଣି ଥରେ ନିର୍ବାଚନ ପାଇଁ ଆଶା ସଞ୍ଚାର ହୋଇଛି । ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଯାହାକୁ ଭିତ୍ତି କରି ମତାମତା ସଂଗ୍ରହ କରାଯାଉଛି । ହେଲେ ଶୈକ୍ଷିକ ବାତାବରଣ ବିଗୁଡୁଥିବାରୁ ୨୦୧୯ରୁ ବନ୍ଦ ରହିଥିଲା ନିର୍ବାଚନ ।  କଲେଜରେ ହିଂସାକାଣ୍ଡ ଘଟୁଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ-ଏ-ଡାଏ ରହୁଥିଲା । ଏହାସହ ପାଠପଢାରେ ବାଧା ଉପୁଜୁଥିବାରୁ ତତ୍କାଳୀନ ସରକାର ବନ୍ଦ ରଖିଥିଲେ ଛାତ୍ର ସଂସଦ ନିର୍ବାଚନ । ଏପରିକି କୋଭିଡ ପାଇଁ ମଧ୍ୟ ପ୍ରଭାବିତ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ହେଲେ ବର୍ତ୍ତମାନ ଏ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଦୁର୍ଗାପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରିଥାନ୍ତି ରାଜ୍ୟ ସରକାର । କାରଣ ପୂଜା ଛୁଟି ଭିତରେ ନିର୍ବାଚନୀ ରାଗରୁଷା ଭୁଲି ଛୁଟି ପରେ ପୁଣି ପାଠପଢା ମୁଡକୁ ଆସି ଯାଇଥାନ୍ତି ଛାତ୍ରଛାତ୍ରୀ । ତେବେ ଜୁଲାଇ ଶେଷ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

‘ମହାନଦୀକୁ ବଞ୍ଚାଇବାକୁ ଦେଶ ଓ ରାଜ୍ଯର ସର୍ବୋଚ୍ଚ ନେତାଙ୍କୁ ଭେଟିବୁ’

ଭୁବନେଶ୍ବର: ମହାନଦୀ ବିବାଦର ସମାଧାନ ତଥା ଓଡ଼ିଶାର ହକ ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ଯୁନାଲର ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ଏ ଯାଏଁ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ରାଜ୍ୟଗୁଡିକ ଦାଖଲ କରିନାହାନ୍ତି । ତେଣୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ଖୁବ ଶୀଘ୍ର ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ଓଡ଼ିଶାର ସାଂସଦଙ୍କୁ ଭେଟି ଦାବି ଉପସ୍ଥାପନ କରିବ । ଏଥିସହିତ ଉଭୟ ଓଡିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ସେପଟେ ନାଗରିକ ସୁରକ୍ଷା ମଞ୍ଚ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାନଦୀ ସମସ୍ୟାର ସମାଧାନ ପାଇଁ ଦାବି ରଖିବ ବୋଲି କହିଛି ।

ମହାନଦୀ ବିବାଦକୁ ନେଇ ବାରମ୍ବାର ଦାବି ହେଉଥିଲେ ବି ଓଡିଶା ଲଗାତର ଅବହେଳିତ ହୋଇଆସିଛି । କାମ ଦେଉନି ବାରମ୍ବାର ଆନ୍ଦୋଳନ ଓ ଲଢେଇ । ଗୁହାରୀ ସତ୍ତ୍ବେ ଓଡିଶାକୁ ମିଳୁନି ନ୍ଯାୟ । ଏପରିକି ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ଯୁନାଲର ପ୍ରକ୍ରିୟା ମଧ୍ୟ ବିଳମ୍ବିତ ହେଉଛି । ଏହାକୁ ଆଖିରେ ରଖି ମହାନଦୀ ବଞ୍ଚାଓ ଆନ୍ଦୋଳନ ବର୍ତ୍ତମାନ ବିକଳ୍ପ ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଦେଶର ରାଷ୍ଟ୍ରପତି ପଦରେ ଓଡ଼ିଆ ରହିଥିବା ବେଳେ ଓଡ଼ିଶାର ୨୦ ଜଣ ସାଂସଦ ଶାସକ ବିଜେପି ଦଳର ରହିଛନ୍ତି । ଏପରିକି ଓଡ଼ିଶାରେ ବିଜେପି ସରକାର ମଧ୍ୟ ଆସିଛି । ତେଣୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ମହାନଦୀ ଜଳ ବିବାଦର ସ୍ଥିତିକୁ ନେଇ ଏକ ସଦ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଏହି ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହାକୁ ନେଇ ଏକ ଟିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଏବଂ ଓଡିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ଲୋକସଭା ସାଂସଦଙ୍କୁ ଭେଟି ତ୍ୱରିତ ସମାଧାନ ପାଇଁ ଦାବି କରିବ । ଏପରିକି ଓଡିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି କିଭଳି ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ସେ ନେଇ ଜୋରଦାର ଉଦ୍ୟମ କରିବ ବୋଲି କୁହାଯାଇଛି । ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଚାଲିଥିବାରୁ ଆଉ ବିଳମ୍ବ ନ କରି ସମସ୍ତେ ମହାନଦୀର ସୁରକ୍ଷା ପାଇଁ ଲାଗି ପଡିବା ଉଚିତ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହାଯାଇଛି ।

ସେପଟେ ନାଗରିକ ସୁରକ୍ଷା ମଞ୍ଚ ମଧ୍ୟ ମହାନଦୀ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି । ମହାନଦୀ ସମସ୍ୟାର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ଓଡିଶାକୁ ଫୋକସ କରୁଥିବାରୁ କେନ୍ଦ୍ରୀୟ ସ୍ତରରେ ଏ ପ୍ରସଙ୍ଗକୁ ଜୋରଦାର ଉପସ୍ଥାପନା କରିବାକୁ ଦାବି ହୋଇଛି । ଏସବୁ ଭିତରେ ଚାଷୀକୁଳ ମଧ୍ୟ ବହୁ ଆଶା ନେଇ ଅପେକ୍ଷା କରିଛି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ ମହାନଦୀ ଜଳ ଚାଷ ପାଇଁ ଏକାନ୍ତ ଆବଶ୍ୟକ । ତେଣୁ ମହାନଦୀ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକ ହେବାକୁ କୃଷକ ସଂଘ ପକ୍ଷରୁ ଦାବି ହୋଇଛି । କେବଳ ପ୍ରତିଶ୍ରୁତି ନୁହେଁ ବରଂ କାମରେ କରି ଦେଖାଇବାକୁ ଆହ୍ବେନ ଦିଆଯାଇଛି ।

ଦେଶ ତଥା ରାଜ୍ୟର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ମହାନଦୀ ପ୍ରସଙ୍ଗରେ ଓଡିଶାକୁ ତା’ର ହକ ମିଳିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ସହ ଏହାକୁ ନେଇ ରାଜନୈତିକ ବିତର୍କ ମଧ୍ୟ ଆରମ୍ଭ ହୋଇଛି । ତେଣୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଅନ୍ୟ ନାଗରିକ ମଞ୍ଚ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଉଦ୍ୟମ କରିବା ପ୍ରସଙ୍ଗକୁ ନୂଆ ରୂପ ଦେଇଛି ।