spot_img
Home Blog Page 1749

ବାହାନା ନଖୋଜି ମହାନଦୀ ସମସ୍ୟାର ସମାଧାନ କର: ବିଜେଡି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଟ୍ରିପଲ ଇଞ୍ଜିନ୍ ସରକାରରେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଦାବି କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ରାଜସ୍ବ ମନ୍ତ୍ରୀଙ୍କ ବିବୃତି ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ସେ କହିଛନ୍ତି, ‘ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା । ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଓ ତଳମୁଣ୍ଡରେ ଓଡିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି । ତଥାପି ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରି ଚାଲିଛି ।’

ଆଗକୁ ସେ କହିଛନ୍ତି, ‘ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟୁସିଙ୍କ ନିକଟରେ ବାରମ୍ବାର ଓଡିଶା ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ପାଇଁ ନବୀନ ପଟ୍ଟନାୟକ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇ ନଥିଲା । ସେତେବେଳେ ଓଡିଶାର ସ୍ୱାର୍ଥକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଅଣଦେଖା କରିଥିଲେ ।’

ସେ ଆହୁରି କହିଛନ୍ତି, ‘ଛତିଶଗଡର ଅନଧିକାର ବ୍ୟାରେଜ୍ ନିର୍ମାଣ ବିରୋଧରେ ସମସ୍ତ ଫୋରମରେ ଆଲୋଚନା ପରେ ଯେତେବେଳେ ସୁଫଳ ମିଳିଲାନି, ସେତେବେଳେ ରାଜ୍ୟ ସରକାର ସମାଧାନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ଟ୍ରିବ୍ୟୁନାଲ ଗଠନରେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶେଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା । ଏଥିରେ ଓଡିଶା ପକ୍ଷରୁ ସମସ୍ତ ଦଲିଲ୍ ଉପସ୍ଥାପନ କରାଯାଇ ପକ୍ଷ ରଖାଯାଇଛି । ମହାନଦୀ ପାଇଁ ଓଡିଶା ନ୍ୟାୟିକ ଲଢେଇ ଲଢିଛି, ରାଜରାସ୍ତାରେ ସଂଗ୍ରାମ କରିଛି, ଆଲୋଚନା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିଛି । ହେଲେ କେନ୍ଦ୍ର ନୀରବ ଦ୍ରଷ୍ଟା ସାଜି ସେତେବେଳେ ଛତିଶଗଡରେ ଥିବା ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରିଥିଲା । ତେଣୁ ମହାନଦୀକୁ ନେଇ ଓଡିଶା ସରକାର କିଛି କରି ନଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ଉଦ୍ୟମ କରିବା ଦରକାର ।’

ସାମ୍ବାଦିକ ସମ୍ମିଳନୀରେ ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ କହିଥିଲେ । ଡବଲ ଇଞ୍ଜିନ ସରକାରରେ ପ୍ରଗତି ଦୁଇ ଗୁଣ ହେବ ବୋଲି ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ । ଏବେ ମହାନଦୀ ପ୍ରସଙ୍ଗରେ ଟ୍ରିପଲ ଇଞ୍ଜିନ ସରକାର ରହିଛି । କେନ୍ଦ୍ରରେ, ଛତିଶଗଡରେ, ଓଡିଶାରେ ସବୁଠି ବିଜେପି ସରକାର । ଏବେ ଆଉ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରାଯାଉ । ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଉତ୍ତର ଦେବାକୁ ପଡିବ । କାରଣ ମହାନଦୀରେ ପାଣି ନଆସିବା ଦ୍ୱାରା ସେମାନେ ବି ପ୍ରଭାବିତ ହେଉଛନ୍ତି ।

୫ ବର୍ଷ ହେଲା ସରୁନି ପୋଲ କାମ, ଚାଲିଛି ବିପଦପୂର୍ଣ୍ଣ ଯାତାୟାତ

ତାଳଚେର: ଅନୁଗୁଳ-ଢେଙ୍କାନାଳକୁ ସଂଯୋଗ କରୁଛି ବ୍ରାହ୍ମଣୀ ନଦୀ ଉପରେ ଥିବା ଏକ ପୁରୁଣା ପୋଲ । ହେଲେ ଏହି ପୋଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ସେପଟେ ଆଉ ଏକ ପୋଲ ପାଇଁ ୨୦୧୯ ମସିହା ଫେବୃଆରୀ ମାସରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ୫ ବର୍ଷ ବିତିଯାଇଥିଲେ ମଧ୍ଯ କାମ ଶେଷ ହୋଇପାରିନି । ସୁରକ୍ଷା ବାଡ ଭାଙ୍ଗିଯାଇଥିବାରୁ ବିପଦପୂର୍ଣ୍ଣ ଭାବେ ପୋଲ ଉପରେ ଯାତାୟାତ କରୁଛନ୍ତି ଲୋକେ ।

ଅନୁଗୁଳ ଓ ଢେଙ୍କାନାଳକୁ ସଂଯୋଗ କରୁଥିବା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ଥିବା ପୁରୁଣା ପୋଲ ଏବେ ଜରାଜୀର୍ଣ୍ଣ । ଅନୁଗୁଳର ଜୀବନ ରେଖା କୁହାଯାଉଥିବା ଏହି ପୋଲ ଦେଇ ଦୈନିକ ହଜାର ହଜାର ବସ୍, ଟ୍ରକ୍, କାର, ବାଇକ୍ ଯାତାୟାତ କରିଥାଏ । ୫୫ ନମ୍ବର ଜାତୀୟ ରାଜପଥ ଶୋଚନୀୟ ହୋଇପଡିଥିବାବେଳେ ଦୀର୍ଘ ବର୍ଷ ଧରି ମରାମତି କାମ ଚାଲିଛି । ଏଥିପାଇଁ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ତାଳଚେର ଅଞ୍ଚଳରୁ ଲୋକମାନେ ଢେଙ୍କାନାଳ, କଟକ, ଭୁବନେଶ୍ୱର ଯିବା ପାଇଁ ମୁଖ୍ୟତଃ ବଲହର ଛକଠାରୁ କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବଲହର ଛକଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା କାମ ପ୍ରାୟତଃ ଶେଷ ହୋଇ ଯାଇଛି । ଅନ୍ଯପଟେ ୫ ବର୍ଷ ବିତିଯାଇଥିବା ସତ୍ତ୍ୱେ ସରିପାରୁନି ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ନୂତନ ଭାବେ ନିର୍ମିତ ପୋଲ । ତେଣୁ ସମସ୍ତ ଗାଡି ଗୋଟିଏ ରାସ୍ତା ଦେଇ ଯାତାୟାତ କରିବା ଦ୍ଵାରା ପୋଲ ଉପରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଫଳରେ ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ଗାଡି ମଧ୍ୟ ଘଣ୍ଟା ଘଣ୍ଟା ଧରି ଭିଡ଼ରେ ଫସି ରହୁଛି ।

୫୩ ନମ୍ବର ଜାତୀୟ ରାଜପଥ ତାଳଚେର-ଡୁବୁରୀକୁ ସଂଯୋଗ କରୁଥିବା ୯୫୦ ମିଟରର ଏହି ପୋଲଟି ୧୯୬୯ ମସିହାରେ ନିର୍ମାଣ କରାଯାଇଥିଲା । ଅନୁଗୁଳ, କେନ୍ଦୁଝର, ଯାଜପୁର ଜିଲ୍ଲାକୁ ଗମନାଗମନର ପ୍ରମୁଖ ଭୂମିକା ତୁଲାଇଥିଲେ ମଧ୍ୟ ପୋଲର ଅବସ୍ଥା ଏବେ ବିପଦପୂର୍ଣ୍ଣ । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୫୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ସହ ଆବଶ୍ୟକ ସ୍ଥାନରେ ପୋଲ ନିର୍ମାଣ ପାଇଁ ୧୫୫୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ୨୦୧୯ ମସିହା ଫେବୃଆରୀ ମାସରେ ଜଟିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ଉପରେ ଆଉ ଗୋଟିଏ ନୂତନ ପୋଲ ନିର୍ମାଣ ପାଇଁ ଶୁଭ ପଡ଼ିଥିଲା । ଏହି ପୋଲ ନିର୍ମାଣ କାର୍ଯ୍ଯ ଶେଷ ପାଇଁ ଫେବୃଆରୀ ମାସ ୨୦୨୩ ଧାର୍ଯ୍ଯ କରାଯାଇଥିଲା । କିନ୍ତୁ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ଯ କାର୍ଯ୍ଯ ଶେଷ ହେବାର ନାଁ ଧରୁନି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଲାଙ୍ଗୀର, ସବୁ ଜାଣି ପୋଲିସ ଚୁପ୍

ବଲାଙ୍ଗୀର: ଦିନ ହେଉ କି ରାତି ବଲାଙ୍ଗୀର ପାଲଟିଛି ଅପରାଧୀଙ୍କ ଚରାଭୂଇଁ । ଯେତେବେଳେ ଚାହୁଁଛନ୍ତି, ଯେଉଁଠି ଚାହୁଁଛନ୍ତି କରୁଛନ୍ତି ଲୁଟପାଟ । ପୋଲିସ ସବୁ ଜାଣି ଚୁପ ବସିଥିବା ଅଭିଯୋଗ । ଏମିତି ସ୍ଥିତିରେ ନିଜ ଧନଜୀବନକୁ ନେଇ ଅଞ୍ଚଳବାସୀ ଭୟଭିତ । ବଲାଙ୍ଗୀରରେ କେବେ କାବୁ ହେବେ ଅପରାଧୀ, କେବେ ଫେରିବ ଶାନ୍ତି ତାକୁ ନେଇ ଆଶା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା । ବଡ କଥା ହେଲେ ଓପନ ଚ୍ଯାଲେଞ୍ଜ କରି ଲୁଟ କରୁଛନ୍ତି ଦୁର୍ବୃତ୍ତ । ବନ୍ଧୁକ, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭିତ କରି ଆତଙ୍କରାଜ କରୁଛନ୍ତି ଅପରାଧୀ । ଆଉ ପୋଲିସ କହୁଛି ତଦନ୍ତ ଚାଲିଛି ।

ବଲାଙ୍ଗୀର ସହର ୫ ନମ୍ବର ୱାର୍ଡର ସୂର୍ଯ୍ୟନଗର । ଏଠାରେ ଗତ ୪ ମାସ ହେଲା ରାତିରେ ନିଶାସକ୍ତ ଅବସ୍ଥାରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ । ପୋଲିସକୁ ଚ୍ଯାଲେଞ୍ଜ ଦେଇ କରୁଛନ୍ତି ଲୁଟ୍ । ଗତ ସପ୍ତାହେ ମଧ୍ୟରେ ପାଖାପାଖି ୩ରୁ ୪ଲକ୍ଷ ଟଙ୍କା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟନଗର ବାସିନ୍ଦା I ଚୋରି, ଲୁଟ଼୍ ନେଇ ସ୍ଥାନୀୟ ଲୋକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅସାମାଜିକ ଯୁବକଙ୍କ ସହ ପୋଲିସର ରହିଛି ଅଦୃଶ୍ୟ ସହଯୋଗ । ଏବେ ସ୍ଥାନୀୟ ଲୋକ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ସେଠି ବି ମିଳିଛ କେବଳ ପ୍ରତିଶ୍ରୁତି ।

ଲୋକେ ବଲାଙ୍ଗୀର ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଏସପି ରିଷିକେଶ ଖିଲାରୀ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ୍ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଟାଉନ ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କୁଡ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ଆଳରେ କେବଳ ଦିନ ଗଡିଛି ହେଲେ, ଅପରାଧୀ ଏବେ ବି ପୋଲିସ କବଜାରୁ ବହୁ ଦୂରରେ । ଏଠି ପ୍ରଶ୍ନ ଉଠୁଛି ଯେଉଁ ଅପରାଧୀଙ୍କ ପୋଲିସକୁ ଭୟ ନାହିଁ । ସେ କ’ଣ ସିସିଟିଭି ଓ ସିକ୍ୟୁରିଟି ଗାର୍ଡକୁ ଭୟ କରିବେ । ପୋଲିସ ଓ ଅପରାଧୀଙ୍କ ଭିତିରିଆ ସଲାସୁତରା ସବୁ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଷ୍ଟଣ୍ଟ ଦେଖାଇବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ବାଇକ୍, ଜଣେ ମୃତ

କନ୍ଧମାଳ: ଆଜିକାଲିର ପିଲାଙ୍କୁ ଷ୍ଟଣ୍ଟ ଦେଖାଇବା ନିଶା ଘାରିଛି । ଯାହା ବହୁ ସମୟରେ ମୃତ୍ୟୁର କାରଣ ପାଲଟୁଛି । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ । ଷ୍ଟଣ୍ଟ ଦେଖାଇବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆଡତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାରୁ ଭଞ୍ଜନଗର ମୃତଦେହ ନେଇ ଯାଉଥିଲା । ଏହି ସମୟରେ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସକୁ ଏକ ସ୍ପୋର୍ଟସ ବାଇକ ଧକ୍କା ଦେଇଥିଲା । ଭାରସାମ୍ୟ ହରାଇ ପଛରୁ ଆସୁଥିବା ଆଉ ଏକ ବାଇକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଷ୍ଟଣ୍ଟ ଦେଖାଇ ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ । ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜନଙ୍କୁ ମୃତ୍ଯୁ ଘୋଷଣା କରିଥିଲେ ।

ପଞ୍ଚାନନଙ୍କ ବିସ୍ଫୋରକ ବୟାନ: ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ

ଭୁବନେଶ୍ବର: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳରେ ଅସନ୍ତୋଷ ଓ କନ୍ଦଳ ବଢିବାରେ ଲାଗିଛି । ଆଜି ସେହି ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ପଞ୍ଚାନନ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି, କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ।

ଆଗକୁ ସେ କହିଛନ୍ତି, ପିସିସି ସଭାପତି ନିଜେ ଶୋଚନୀୟ ଭାବେ ହାରିଛନ୍ତି । ଦଳ ମଧ୍ୟ ହାରିଛି । ସେ ଜିତିଥିଲେ କଥା ଅଲଗା ଥିଲା । ତେଣୁ ପିସିସି ସଭାପତି ଇସ୍ତଫା ଦେଇ ଦେବା କଥା ।

ସେ ପୁଣି କହିଛନ୍ତି, ସେ ଇସ୍ତଫା ଦେଇଛନ୍ତି କି ନାହିଁ ମୁଁ ଜାଣିନି । ଯଦି ଇସ୍ତଫା ଦେଇଥିବେ ତା’ହାଲେ ଭଲ କଥା । ଦଳ ୯ ରୁ ୯୦ ମିଶନ ନେଇ କାମ କରୁଥିଲା । ହେଲେ ଦିଲ୍ଲୀରୁ ଆରମ୍ଭ କରି ରାଜ୍ୟ ନେତାଙ୍କ ଭିତରେ ଏହି ମିଶନ ପ୍ରତି ଆତ୍ମବିଶ୍ୱାସ ନଥିଲା । ଏହାର ସମୀକ୍ଷା ହେବ ଉଚିତ ।

କେବଳ ପଞ୍ଚାନନ କାନୁନଗୋ ନୁହଁନ୍ତି, ଦଳ ପରାଜୟକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ମୁହଁ ଖୋଲିଛନ୍ତି । ସେ ମଧ୍ୟ ପଞ୍ଚାନନଙ୍କ ପରି ସମାନ କଥା କହିଛନ୍ତି । ବର୍ତ୍ତମାନ ପିସିସି ସଭାପତି ଇସ୍ତଫା ଦେଇଛନ୍ତି ନା ନାହିଁ ମୁଁ ଜାଣିନି । କିନ୍ତୁ ପିସିସି ସଭାପତି ଥିବା ସମୟରେ କଂଗ୍ରେସ ପରାଜିତ ହେବା ପରେ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଥିଲି ବୋଲି ଜୟଦେବ କହିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ । ସେ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତି ପରିଡ଼ଶ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସୌଜନ୍ଯମୂଳକ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବେ । ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ।

ନିଟ୍ ପେପର ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ

ପାଟନା: ନିଟ୍ ପେପର ଲିକ୍ ମାମଲାରେ ବଢ଼ିବାରେ ଲାଗିଛି ଗିରଫଦାରୀ । ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛି । ସିବିଆଇ ଉଭୟଙ୍କୁ ପାଟନାରୁ ଗିରଫ କରିଛି ।

ସିବିଆଇ ମାମଲାର ତଦନ୍ତଭାର ହାତକୁ ନେବା ପରେ ଏହା ଥିଲା ପ୍ରଥମ ଗିରଫଦାରୀ ଘଟଣା । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ମନିଷ ପ୍ରକାଶ ଓ ଆଶୁତୋଷ । ପରୀକ୍ଷାର୍ଥୀଙ୍କ ରହିବା ପାଇଁ ପ୍ଲେ ସ୍କୁଲ ବୁକ୍ କରାଯାଇଥିଲା । ଏହି ପ୍ଲେ ସ୍କୁଲ ମନିଷ ବୁକ କରିଥିବା ସିବିଆଇ କହିଛି ।

୨୦୨୨ର ପ୍ରତିଶୋଧ ନେବ କି ଭାରତ ? ସେମିଫାଇନାଲରୁ ଇଂଲଣ୍ଡକୁ ବିଦା କରିବ କି ଟିମ୍ ଇଣ୍ଡିଆ ?

ନନ୍ଦିଘୋଷ ବ୍ୟୁରୋ: ୨୦୨୨ର ପ୍ରତିଶୋଧ ନେବ କି ଭାରତ ? ସେମିରୁ ବିଦା କରିଥିବା ଇଂଲଣ୍ଡକୁ ଏଥର ବିଦା କରିବ କି ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଟିକେଟ ପାଇଁ ଆଜି ହେବ ସେମି ଲଢେଇ । ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ସହିତ ହେବ ଭାରତର ମୁକାବିଲା । ଗାଏନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ରାତି ୮ଟାରେ ମ୍ଯାଚ୍ ଖେଳାଯିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଏଯାଏଁ ପରାସ୍ତ ହୋଇନାହିଁ । ଦଳର ଖେଳାଳିମାନେ ଦମଦାର ଫର୍ମରେ ଥିବାବେଳେ ସବୁ ମ୍ଯାଚକୁ ଜିତିନେଇଛି ରୋହିତ ବାହିନୀ । ଅଷ୍ଟ୍ରେଲିଆ ବିପକ୍ଷରେ କ୍ଯାପଟେନ ରୋହିତ ଶର୍ମାଙ୍କ ଦମଦାର ବ୍ଯାଟିଂ ମଧ୍ଯ ଦଳର ମନୋବଳକୁ ବଢାଇଦେଇଛି । ଭାରତକୁ ଜବାବ ଦେବାକୁ ଇଂଲଣ୍ଡ ମଧ୍ଯ ପ୍ରସ୍ତୁତ ରହିଛି ।

ତେବେ ଖେଳ ହେବାକୁ ଥିବା ଗାଏନାରେ ଆଜି ୮୮ ପ୍ରତିଶତ ବର୍ଷା ହେବା ଆଶଙ୍କା ରହିଛି । ଏପରିକି ୧୮ ପ୍ରତିଶତ ପ୍ରବଳ ଘଡ଼ଘଡି ମାରିବା ସମ୍ଭାବନା ଅଛି । ତେଣୁ ଦ୍ବିତୀୟ ସେମିଫାଇନାଲ୍ ସୁରୁଖୁରୁରେ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଥମ ସେମିଫାଇନାଲ୍ ପରି ଦ୍ବିତୀୟ ସେମିଫାଇନାଲରେ କୌଣସି ସଂରକ୍ଷିତ ଦିବସ ରଖାଯାଇ ନାହିଁ । କିନ୍ତୁ ମ୍ୟାଚ୍ ଆୟୋଜନ ପାଇଁ ଆୟୋଜକଙ୍କ ପାଖରେ ଅତିରିକ୍ତ ୨୫୦ ମିନିଟ୍ ଦିଆଯାଇଛି। ଯଦି ମ୍ୟାଚ୍ ଆରମ୍ଭ କରାଇବାରେ ବର୍ଷା ବାଧା ଦିଏ, ତାହେଲେ ଅତିରିକ୍ତ ସମୟ ମଧ୍ୟରେ ଖେଳକୁ ଶେଷ କରିବାକୁ ଚେଷ୍ଟା କରାଯାଇପାରିବ । ଯଦି ବର୍ଷା ଦ୍ବାରା ସଂପୂର୍ଣ୍ଣ ଭାବେ ମ୍ୟାଚ୍ ଧୋଇ ହୋଇଯାଏ, ତାହେଲେ ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । କାରଣ  ସୁପର-୮ରେ ଭାରତର ସବୁଠୁ ଭଲ ପ୍ରଦର୍ଶନ ରହିଛି । ଭାରତ ଏହି ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚରେ ବିଜୟୀ ହୋଇଥିଲା । କିନ୍ତୁ ଇଂଲଣ୍ଡ ଗ୍ରୁପ୍-୧ରେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲକୁ ଆସିଥିଲା ।

୨୦୨୨ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲା ହୋଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୮ ରନ କରିଥିଲା । ଏହାକୁ ପିଛା କରି ଇଂଲଣ୍ଡ ସହଜରେ ବିଜୟ ହାସଲ କରିଥିଲା । ଫଳରେ ଭାରତର ବିଶ୍ବକପ ସ୍ବପ୍ନ ସେମିଫାଇନାଲରେ ହିଁ ଭାଙ୍ଗିଯାଇଥିଲା । ୨ ବର୍ଷ ପରେ ଏଥର ଉଭୟ ଟିମ୍ ପୁଣି ଥରେ ସେମିଫାଇନାଲ ଖେଳୁଥିବାରୁ ମ୍ୟାଚ ବେଶ ରୋମାଞ୍ଚକର ହେବା ଆଶା କରାଯାଉଛି ।

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଏନଟିଏକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା। ଏନଟିଏକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ। ପରୀକ୍ଷା ପରିଚାଳନା କରିଥିବା ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ଏହି ନୋଟିସ ଜାରି ହୋଇଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦେଶରେ ତମ୍ବିତୋଫାନ ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ନିଟ ୟୁଜି ମାମଲାରେ ଏକ ଲର୍ଣ୍ଣିଂ ଆପ୍ ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶଦେଇଛନ୍ତି ସୁପ୍ରିମକୋର୍ଟ।

ନିଟ୍-ୟୁଜି ପରୀକ୍ଷାରେ ରିଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏକ କୋଚିଂ ସେଣ୍ଟର ଓ ଅନ୍ଯ କେତେକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଗତ ହୋଇଥିଲା ପିଟିସନ। ଗତ ମେ ୫ ତାରିଖରେ ନିଟ ଅନୁଷ୍ଠିତ ହୋଇଥିବାବେଳେ ଜୁନ ୪ରେ ଫଳ ପ୍ରକାଶିତ ହୋଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍ ସହ ଅନ୍ଯାନ୍ୟ ଅନିୟମିତତା ନେଇ ଅଭିଯୋଗ ଆସିଥିଲା। ସେପଟେ ଅନିୟମିତତା ନେଇ ତଦନ୍ତ ଜାରି ରଖିଛି ସିବିଆଇ। ତେଣେ ନିଟ-ୟୁଜି ଅନିୟମିତତାକୁ ବିରୋଧର କରି କଂଗ୍ରେସ ପକ୍ଷରୁ ଦିଲ୍ଲୀରେ କରାଯାଇଛି ଜୋରଦାର ବିକ୍ଷୋଭ ।

ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା । ୨୦୦୯ରେ ନନ୍ଦନକାନନକୁ ଆସିଥିବା ସାରାର ମୃତ୍ଯୁ ହୋଇଛି । ମୃତ୍ଯୁ ବେଳକୁ ତାକୁ ୧୯ ବର୍ଷ ହୋଇଥିଲା । ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ସାରା ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା । ଖାଇବା ପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ିରହୁଥିଲା । ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଉଦ୍ଯମ କରିଥିଲେ । ହେଲେ ଶେଷରେ ତାର ମୃତ୍ଯୁ ହୋଇଛି ।

୪ ବର୍ଷର ହୋଇଥିବା ସମୟରେ ୨୦୦୯ ମସିହା ଏପ୍ରିଲ ମାସରେ ମଧ୍ଯପ୍ରଦେଶର ଭୋପାଳ ଚଡ଼ିଆଖାନାରୁ ସାରାକୁ ନନ୍ଦନକାନନ ଅଣାଯାଇଥିଲା । ସେ ନନ୍ଦନକାନନର ଶୋଭାବର୍ଦ୍ଧନ କରୁଥିବାବେଳେ ଧଳାବାଘ ରିଷି ସହ ତାର ମିଳନ ଘଟି ୨୦୧୨ରେ ତିନୋଟି ବାଘୁଣୀ ଜନ୍ମ ହୋଇଥିଲେ। ସାରାର ବିୟୋଗରେ ପର୍ଯ୍ୟଟକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସାରାର ମୃତ୍ଯୁ ପରେ ନନ୍ଦନକାନନରେ ବାଘ ସଂଖ୍ଯା ୨୬କୁ ଖସି ଆସିଛି ।