spot_img
Home Blog Page 1748

ଘରୋଇ ଓ ସରକାରୀ କଲେଜ ଓ ହସପିଟାଲରେ ଲାଗୁ ହେବ ଏସଓପି

ଭୁବନେଶ୍ବର: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ । ସାରା ଦେଶରେ ହଙ୍ଗାମାକୁ ଦୃଷ୍ଟିରେ ରଖି ଓଡିଶାର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ସ୍ୱତନ୍ତ୍ର ଏସଓପି ଅଣାଯାଉଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଏହି ଏସଓପି କଡାକଡି ଭାବେ ଲାଗୁ ହେବ ବୋଲି ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି ।

କୋଲକାତାରେ ଯେଭଳି କାଣ୍ଡ ହେଲା ସେଭଳି କାଣ୍ଡର ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ଏସଓପିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ ଓ ମେଡିକାଲ କଲେଜରେ କେଉଁଠି ପୋଲିସ କିମ୍ବା ଅନ୍ଯ ସିକ୍ୟୁରିଟି ମୁତୟନ ହେବେ, କେଉଁଠି କେମିତି ଆଲୋକର ବ୍ୟବସ୍ଥା ହେବ ସେଭଳି ନିୟମାବଳୀ ରହିବ । କଡାକଡି ଭାବେ ନିୟମ ଅନୁପାଳନ କରିବାକୁ କୁହାଯିବ। ହସ୍ପିଟାଲରେ କାମ ନ ଥିବା ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଏହାକୁ ପାଳନ ଲାଗି ପ୍ରିନ୍ସିପାଲ ଓ ସୁପରିଟେଣ୍ଡେଣ୍ଟଙ୍କୁ ଦାୟିତ୍ୱ ଦିଆଯିବ । ଡାକ୍ତରମାନଙ୍କ କାର୍ଯ୍ୟଚାପ କମାଇବା ପାଇଁ ୱାର୍କ ରିଡିଷ୍ଟ୍ରିବ୍ୟୁସନ ସଠିକ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲର ଏଚଓଡି, ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲମାନେ ଏକ କମିଟି କରି ଏହି କାର୍ଯ୍ୟ ଚାପକୁ କମାଇବାକୁ ପଦକ୍ଷେପ ନେବେ। ଯାହାକି ଏସଓପିରେ ସ୍ଥାନ ଦିଆଯାଇଛି । ଏସଓପିର ଡ୍ରାଫ୍ଟିଂ କାମ ଶେଷ ହୋଇଛି । ସରକାରଙ୍କ ଅନୁମୋଦନ ପରେ ଏହା ଖୁବ ଶୀଘ୍ର ଲାଗୁ ହେବ। ହସ୍ପିଟାଲରେ କିଭଳି ଶୃଙ୍ଖଳିତ ଭାବେ କାର୍ଯ୍ୟ ହେବ ତାକୁ ଏସଓପିରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର।

ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଅନ୍ତର୍ଜାତୀୟ ଦିବସରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଏସଓପି ଆସିଛି । ଯାହାକୁ ଗତକାଲି କ୍ଯାବିନେଟ ମୋହର ମାରିଛି । ଏସଓପିକୁ ମୁଖ୍ଯମନ୍ତ୍ରୀ ଗୃହରେ ଘୋଷଣା କରିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଅନ୍ତର୍ଜାତୀୟ ଦିବସରେ ଏହାକୁ ଦିଆଯିବ । ସୁଭଦ୍ରା ଡେବିଟ କାର୍ଡ ପ୍ରଦାନ କରାଯିବ । ୨୧ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ପାଇବେ ସୁଭଦ୍ରା ଯୋଜନା ।

ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୫ ବର୍ଷରେ ଯୋଗ୍ଯ ହିତାଧିକାରୀ ପାଇବେ ୫୦ ହଜାର ଟଙ୍କା  । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ହିତାଧିକାରୀଙ୍କ ନିକଟରେ କିପରି ଯୋଜନା ପହଞ୍ଚିବ ସେନେଇ କଲ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ, ଜନସେବା କେନ୍ଦ୍ରରେ ଆବେଦନ କରି ପାରିବେ ମହିଳା ।

ସୁଭଦ୍ରା ଯୋଜନାର ଡେବିଟ କାର୍ଡକୁ ଅଧିକ ବ୍ଯବହାର କଲେ ମିଳିବ ପୁରସ୍କାର । ପ୍ରତି ପଂଚାୟତର ୧୦୦ ଜଣ ଏଭଳି ହିତାଧିକାରୀଙ୍କୁ ପୁରସ୍କାର ଦିଆଯିବ ।
ପ୍ରୋତ୍ସାହନ ରାଶି ଭାବେ ଏମାନଙ୍କୁ ମିଳିବ ଅତିରିକ୍ତ ୫୦୦ ଟଙ୍କା ।

ସରକାରୀ ଚାକିରିଆ, ସ୍ବଚ୍ଛଳବର୍ଗ ଓ ଆୟକର ଦେଉଥିବା ମହିଳା ପାଇବେନି ସୁଭଦ୍ରା ଯୋଜନା  । ତଦାରଖ ପାଇଁ ଗଠନ କରାଯିବ ସୁଭଦ୍ରା ସମିତି ।

ଟ୍ୟୁସନରୁ ଫେରୁଥିବା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗୌହାଟୀ:  କୋଲକାତା ଦୁଷ୍କର୍ମ ଓ ହତ୍ଯା ଘଟଣା ମନରୁ ନ ଲିଭୁଣୁ ଆଉ ଏକ ସେମିତି ଘଟଣା। ଆସାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ୧୪ ବର୍ଷର ଝିଅଟି ଟ୍ଯୁସନରୁ ଫେରୁଥିବା ବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ତା ପରେ ସେହି ଝିଅଟିକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ। ନୌଗାଁଓ ଜିଲ୍ଲାରେ ହୋଇଛି ଏହି ଜଘନ୍ଯକାଣ୍ଡ।

ଝିଅଟି ଦଶମ ଶ୍ରେଣୀରେ ପଢୁଥିଲା। ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ହସପିଟାଲରେ ତାର ଚିକିତ୍ସା ଚାଲିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ବିଭିନ୍ନ ଛାତ୍ର ସଂଗଠନ ଓ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ବନ୍ଦ ଡାକରା ମଧ୍ଯ ଦିଆଯାଇଛି। ୧୨ ଘଣ୍ଟା ଭିତରେ ସବୁ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ

ଢେଙ୍କାନାଳ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ବନ୍ଯଜନ୍ତୁ ଆଇନ ଉଲ୍ଲଂଘନ କରି ମୟୂର ରଖିଥିବାରୁ ତାଙ୍କ ନାଁରେ ଏକ ମାମଲା ମଧ୍ଯ ରୁଜୁ କରାଯାଇଛି। ଘର ଫାର୍ମ ହାଉସରୁ ୪ଟି ମୟୂର ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବନ ବିଭାଗ ହାତରେ ହସ୍ତାନ୍ତର କରାଯାଇଛି। ଆୟଠାରୁ କାହିଁ କେତେ ଗୁଣ ଅଧିକ ସଂପତ୍ତି ବିଭୁଦାନନ୍ଦଙ୍କ ପାଖରୁ ଜବତ ହୋଇଛି। ଏଥିରେ ରହିଛି-ଭୁବନେଶ୍ଵରରେ ଏକ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଫ୍ଲାଟ, ଭୁବନେଶ୍ଵର ଓ ଢେଙ୍କାନାଳରେ ୮ଟି ପ୍ଲଟ, ଗୋଟିଏ ଫାର୍ମ ହାଉସ, ସେହି ଫାର୍ମ ହାଉସରେ ୨ କୋଟିର ଘର ନିର୍ମାଣ ହୋଇଛି। ଏହା ସହିତ ୧ କୋଟି ଟଙ୍କାର ଜମା, ନଗଦ ୫ ଲକ୍ଷ ଟଙ୍କା, ସୁନା ଅଧ କେଜିରୁ ଅଧିକ, ଦୁଇଟି ଚାରି ଚକିଆ ଗାଡ଼ି ବି ଜବତ ହୋଇଛି। ଗତକାଲି ଏକା ସାଙ୍ଗରେ ୮ଟି ଜାଗାରେ ଭିଜିଲାନସ ରେଡ୍ କରିଥିଲା। ଢେଙ୍କାନାଳ, ଭୁବନେଶ୍ଵର, ଆଠଗଡ଼, ବୀରକିଶୋରପୁରରେ ଚଢ଼ାଉ ହୋଇଥିଲା। ପାଇଖାନା ଫ୍ଲସରୁ ବିଡ଼ା ବିଡ଼ା ନୋଟ୍ ମିଳିଥିଲା। ଏହା ସହିତ ଭୁବନେଶ୍ଵର ଫ୍ଲାଟରୁ ଅନେକ ଦାମୀ ହାତଘଣ୍ଟା ମିଳିଥିଲା। ସବୁଠୁ ଦେଖିବା ଭଳି ହୋଇଛି ତାଙ୍କର ବିରାଟ  ଫାର୍ମ ହାଉସ।  ବେଆଇନ ଭାବେ ଏତେ ସବୁ ସଂପତ୍ତି ସେ ହାତେଇଥିବା ଅଭିଯୋଗରେ ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା : ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଆଜି ଅଷ୍ଟମ ଦିନ ଲାଗି କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜେରା କରୁଛି ସିବିଆଇ। କୋଲକାତା ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା। ଆରଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପଙ୍କ ସହ ୪ ଟ୍ରେନି ଡାକ୍ତରଙ୍କ ମଧ୍ଯ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ତେବେ ପଲିଗ୍ରାଫ ଟେଷ୍ଟରୁ ବାହାରିବ କି ହତ୍ଯାକାଣ୍ଡର ସତ। ହଟିବ କି ରହସ୍ୟ ଉପରୁ ପରଦା । ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ତଥ୍ୟ ଲୁଚାଉଥିବା ସନ୍ଦେହ କରିଛି ସିବିଆଇ। ପୀଡ଼ିତା ଡାକ୍ତରଙ୍କ ୪ ସାଥୀ ଟ୍ରେନି ଡାକ୍ତର ମଧ୍ୟ ତଥ୍ୟ ଲୁଚାଉଥିବା ସିବିଆଇର ସନ୍ଦେହ ହେଉଛି। ହତ୍ଯାକାଣ୍ଡ ଦିନ ଟ୍ରେନି ୪ ଡାକ୍ତର ପୀଡ଼ାତାଙ୍କ ସହ କଣ କଥା ହୋଇଥିଲେ। ଅଘଟଣ ଦିନ ସେମାନେ ରାତିରେ କଣ ଖାଦ୍ୟ ଖାଇଥିଲେ । ଡିନର କରିବା ପରେ କଣ ହୋଇଥିଲା । ଡିନର କରିବା ପରେ ପୀଡ଼ିତା କେଉଁଠିକୁ ଯାଇଥିଲେ। ଖାଇବା ପରେ ୪ ଟ୍ରେନି ଡାକ୍ତର କେଉଁଠିକୁ ଯାଇଥିଲେ। ରାତ୍ରି  ଭୋଜନ ଖାଇବା ପରେ ସମସ୍ତେ କେଉଁଠି ଭେଟ ହୋଇଥିଲେ । ଏହାକୁ ନେଇ ଚାଲିଛି ତନାଘନା। ପଲିଗ୍ରାଫ ଟେଷ୍ଟକୁ ଲାଏ ଡିଟେକସନ୍ ଟେଷ୍ଟ ମଧ୍ୟ କୁହାଯାଉଛି। କୌଣ ବ୍ଯକ୍ତି ସତ କହୁଛି ନା ମିଛ ଏଥିରୁ ଜଣାପଡ଼ିବ। ପଲିଗ୍ରାଫି ଟେଷ୍ଟରେ ବାହାରିବ ଦୁଷ୍କର୍ମ ଓ ହତ୍ଯାକାଣ୍ଡର  ସତ। କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପ୍ରାୟ ୬୦ ଘଣ୍ଟା ଜେରା କରିଛି ସିବିଆଇ।

ସିମବକ୍ସ ଲିଙ୍କ୍ : ୨ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ

ଭୁବନେଶ୍ଵର: ଭୁବନେଶ୍ଵର, କଟକ ପରେ ଝାଡ଼ଖଣ୍ଡରୁ ସିମବକ୍ସ ଉଦ୍ଧାର ଘଟଣା। ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ପୁଣିଥରେ ୨ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆସିଲା ଅଭିଯୁକ୍ତ ରାଜୁ ମଣ୍ଡଳ। ୭ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଲକ୍ଷ୍ମୀସାଗର ଥାନା ପୋଲିସ କୋର୍ଟରେ ଆବେଦନ କରିଥିବାବେଳେ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରିମାଣ୍ଡ। ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଅସାଦୁର ଜମାନ ନେଇ ଅଧିକ ପଚରାଉଚରା ହେବ। ଢାକାରେ ରହି ଆସାଦୁର କିଭଳି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ? କିଏ ତା ପାଇଁ ପଇସା ଖର୍ଚ୍ଚ କରୁଥିଲା ? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି କି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚାଇନାର କାହା ପାଖକୁ ଯାଉଥିଲା କଲ ? କଣ ଏହି ସ୍ମାର୍ଟ ସୁଇଚ ? ସିମ ବକ୍ସ ରୁ ଯାଉଥିଲା କି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ କଲ ? ଏ ସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରାଉଚରା କରାଯିବ। ଆବଶ୍ୟକ ସ୍ଥଳେ ସିବିଆଇ ଓ ଇଣ୍ଟରପୋଲ ତଦନ୍ତରେ ସହଯୋଗ କରିବ। ପୂର୍ବରୁ NIAର ଦୁଇ ଜଣିଆ ଟିମ ରାଜୁକୁ ପଚରାଉଚରା କରିଛି। ସେପଟେ ଗତକାଲି ଅସାଦୁରର ଫଟୋ ଜାରି କରିଥିଲା କମିଶନରେଟ ପୋଲିସ। ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଆସାଦୁର। ଫ୍ୟାସନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରୁ ପାଠ ପଡ଼ିଥିଲା। ପୋଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଆତଙ୍କି ଲିଙ୍କ ନେଇ ଅଧିକ ଖୋଲତାଡ଼ କରୁଛି ପୋଲିସ।

ନେପାଳରେ ବସ୍ ଦୁର୍ଘଟଣା, ୧୪ ମୃତ

କାଠମାଣ୍ଡୁ : ନେପାଳରେ ଭୟଙ୍କର ବସ୍ ଦୁର୍ଘଟଣା। ଉତ୍ତରପ୍ରଦେଶର ବସ୍ ଟି ମାର୍ସଙ୍ଗଗଦି ନଦୀକୁ ଖସି ପଡ଼ିଛି। ଏହି ବସରେ ପ୍ରାୟ ୫୦ ଜଣ  ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ବେଳେ ତାନାହୁନ୍ ଜିଲ୍ଲାରେ ଏହି ବଡ଼ ଅଘଟଣ ଘଟିଛି। ବସ୍ ର ରେଜିଷ୍ଟ୍ରେସନ ନମ୍ବର ଉତ୍ତର ପ୍ରଦେଶର । ନମ୍ବରଟି ହେଲା UP FT 7623 । ତେଣୁ ଉତ୍ତର ପ୍ରଦେଶ ଏହି ଦୁର୍ଘଟଣା ସଂପର୍କରେ ନେପାଳ ସରକାର ସହିତ ଯୋଗାଯୋଗ କରିଛନ୍ତି। ୧୪ ଜଣ ଲୋକଙ୍କ ମୃତ୍ଯୁ ହୋଇଥିବା ଆଶଙ୍କା କରାଯାଉଛି। ନେପାଳ ସେନା ସେଠାରେ ପହଞ୍ଚି ଉଦ୍ଧାର କାମରେ ଲାଗିଛି

ଅଲ୍ଲୁ ଅର୍ଜୁନଙ୍କ ଦାଢି ଦେଲା ଟେନସନ, ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା !

ନନ୍ଦିଘୋଷ ବ୍ୟୁରୋ: କିଛି ଦିନର ଅପେକ୍ଷା ।  ସିନେମା ହଲରେ ଶୁଭିବ, ‘‘ପୁଷ୍ପା ନାମ ସୁନକେ ଫ୍ଲାୟର ସମଝେ କ୍ୟା ? ଫ୍ଲାୟର ନେହିଁ, ଫାୟାର ହୈ ମେ ଫାୟାର’’… କାରଣ ଚିଳିତ ବର୍ଷର ଚଳଚ୍ଚିତ୍ର ପୁଷ୍ପା-୨ ଡିସେମ୍ବର ୬ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୧୫ ଅଗଷ୍ଟରେ ପରଦାକୁ ଆସିବାର ଥିଲା । କିନ୍ତୁ ଶୁଟିଂ କାମ ସରି ନଥିବା କାରଣରୁ ପିଲ୍ମ ନିର୍ମାତାଙ୍କୁ ରିଲିଜ୍ ତାରିଖ ଘୁଞ୍ଚାଇବାକୁ ପଡିଥିଲା । ଏବେ ନିର୍ମାତାଙ୍କ ପାଖରେ ଆଉ ତିନି ମାସ ବାକି ରହିଛି ।  ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫାଜିଲ ପୁଣି ଥରେ ନଜର ଆସିବେ।

ପ୍ରଥମ ଭାଗର କାହାଣୀ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବିବାହ ସହିତ ସମାପ୍ତ ହୋଇଥିଲା  । ଏହାପୂର୍ବରୁ ସେ ତାଙ୍କ ଅସଦାଚରଣ ପାଇଁ ଫିଲ୍ମରେ ପୋଲିସ୍ ଭୂମିକାରେ ଅଭିନୟ କରୁଥିବା ଫହାଦ୍ ଫାଜିଲଙ୍କ ଠାରୁ ପ୍ରତିଶୋଧ ନେଇଛନ୍ତି। ଏହା ସହିତ ଫିଲ୍ମ ଶେଷ ହୋଇଛି ।  ପରବର୍ତ୍ତୀ ଭାଗରେ, ଅଲ୍ଲୁ ଅର୍ଜୁନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଅନେକ ବଡ ଅପଡେଟ୍ କ୍ରମାଗତ ଭାବରେ ଫିଲ୍ମରେ ବାହାରକୁ ଆସୁଛି  । ଯେଉଁଥି ପାଇଁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି  । କିନ୍ତୁ ଏହି ସବୁ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ଦାଢି ନିର୍ମାତାମାନଙ୍କ ପାଇଁ ଏକ ବଡ଼ ଟେନସନ ପାଲଟିଛି ।

କାହିଁକି ଅଲୁ ଅର୍ଜୁନଙ୍କ ଦାଢି ଟେନସନ ଦେଲା?

ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟରେ ରିଲିଜ୍ ହେବାର ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା। ଯେକୌଣସି ପରିସ୍ଥିତିରେ, ଅଲ୍ଲୁ ଅର୍ଜୁନ ଏବଂ ନିର୍ମାତାଙ୍କୁ ଶୁଟିଂ ଶେଷ କରିବାକୁ ପଡିବ । କିନ୍ତୁ ଏହାରି ଭିତରେ ନଜର ଆସିଛି ଯେ, ଅଲ୍ଲୁ ଅର୍ଜୁନ ଏବଂ ସୁକୁମାରଙ୍କ ମଧ୍ୟରେ ସବୁ ଠିକ୍ ନାହିଁ । ପୁଷ୍ପରାଜ ଫିଲ୍ମର ଶୁଟିଂରୁ ବିରତି ନେଇଥିଲେ । ପ୍ରଶଂସକମାନେ ଚିନ୍ତିତ ହୋଇ ପ୍ରଶ୍ନ ପଚାରିବା ଆରମ୍ଭ କଲେ । ଏହା ଉପରେ ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର କହିଛନ୍ତି ଯେ ସବୁକିଛି ଠିକ ଅଛି । କାମ ସୁରୁଖୁରୁରେ ଚାଲିଛି ଏବଂ ଶୁଟିଂରୁ ବିରତି ଯିବା ଅତ୍ୟନ୍ତ ସାଧାରଣ କଥା  ।

ଏହା ପରେ ଆଲୁ ଅର୍ଜୁନ ଛୁଟିରୁ ଫେରି ଆସିଥିଲେ  । କିନ୍ତୁ ତା’ପରେ ଏକ ରିପୋର୍ଟରେ କୁହାଯାଇଛି ଯେ, ସେ ସୁକୁମାରଙ୍କୁ ଭେଟିବାକୁ ଆସିନାହାଁନ୍ତି । ସୁଟିଂ, କାର୍ଯ୍ୟ ଦିବସ ଏବଂ ଫିଲ୍ମର ରିଲିଜ୍ ବିଷୟରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଥିଲା । ଯେଉଁଥିପାଇଁ ସେ ଦାଢି କାଟିଥିଲେ ଏବଂ ସେହି ଚିତ୍ରଗୁଡ଼ିକ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା  । କିନ୍ତୁ ଶୀଘ୍ର ମତଭେଦ ସମାଧାନ ହେଲା । ପୁଷ୍ପା-୨ର ଶୁଟିଂ: ଯୋଜନା ପୂର୍ବରୁ ମଧ୍ୟ ନିୟମ ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କ ଦାଢି ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାର କାରଣ ହେଉଛି, ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କର ଏକ ମୋଟା ଦାଢି ଥିଲା  ।

ବର୍ତ୍ତମାନ ଆଲୁ ଅର୍ଜୁନଙ୍କ ଅସନ୍ତୋଷ ନିର୍ମାତାମାନଙ୍କୁ ବହୁତ ଖର୍ଚ୍ଚ କରୁଛି  । ‘ପୁଷ୍ପା-୨’ର ଟିମ୍ ମୁମ୍ବାଇର କିଛି ମେକଅପ୍ ଟେକ୍ନିସିଆନଙ୍କୁ ଭେଟିଛି । ସେଠାରେ କୃତ୍ରିମ ଦାଢି ତିଆରି କରାଯାଇଥିଲା  । ଏହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା  । ମୁମ୍ବାଇରୁ ଜଣେ ବରିଷ୍ଠ ମେକ୍ ଇନ୍ କଳାକାରଙ୍କୁ ମଧ୍ୟ ଡକାଯାଇଛି, ଯିଏ ଫିଲ୍ମ ପାଇଁ ଦାଢି ଲୁକ୍ର ଯତ୍ନ ନେବେ। ନିର୍ମାତାମାନଙ୍କୁ ଗୋଟିଏ ଦାଢି ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା, ଯାହା ଏକ ବଡ ଟେନସନ  । ପୁଷ୍ପା-୨ର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ତେଲୁଗୁ ୩୬୦ ଡଟ କମର ରିପୋର୍ଟରୁ ଜଣାପଡିଛି ଯେ କାର୍ଯ୍ୟଦିବସ ବୃଦ୍ଧି ଏବଂ ରିଲିଜ୍ ବିଳମ୍ବ ହେତୁ ଫିଲ୍ମର ବଜେଟ୍ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି ।

ବିଜେପୁର ପାକ୍ସରେ ଚାଷୀଙ୍କଠୁ ଲାଞ୍ଚ ନେବା ଘଟଣା, ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ ନିଲମ୍ବିତ

ବଲାଙ୍ଗୀର : ନନ୍ଦିଘୋଷ ଟିଭିର ମହାପ୍ରଭାବ । ଟିଟିଲାଗଡ଼ ବିଜେପୁର ପାକ୍ସରେ ଚାଷୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ନେବା ଘଟଣାରେ କାର୍ଯ୍ଯାନୁଷ୍ଠାନ ହୋଇଛି । ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁଙ୍କୁ ନିଲମ୍ବିତ କରାଯାଇଛି । ପାକ୍ସ ସମ୍ପାଦକ ବିଘ୍ନେଶ୍ବର ଭୋଇଙ୍କ ବିରୋଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପାଦକଙ୍କ ଗୋଟିଏ ମାସର ଦରମାକୁ ବନ୍ଦ କରାଯାଇଛି । ମଣ୍ଡିରେ ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ବିଜେପୁର ପାକ୍ସରେ ଚାଷୀଙ୍କଠୁ ୧୦୦ ଟଙ୍କା ଲାଞ୍ଚ ନେଆଯାଉଥିବା ଅଭିଯୋଗ ହୋଇଥିଲା । ଧାନ ବିକିବାକୁ ରେଜିଷ୍ଟ୍ରେସନ ଆଳରେ ଚାଷୀଙ୍କଠୁ ଲୁଟ୍ ହେଉଥିଲା । ଯାହାର ପ୍ରମାଣ ଲାଗିଥିଲା ନନ୍ଦିଘୋଷ ଟିଭି ହାତରେ । ଲାଞ୍ଚ କାରବାରର ଅଡିଓ ଭାଇରାଲ ସହ ଫୋନ ପେରେ ବି ଟଙ୍କା ନିଆଯାଉଥିବା ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି ।  ପରେ ଡିଆରସିଏସଙ୍କ ନିର୍ଦ୍ଦେଶରେ ଏଆରସିଏସ ତଦନ୍ତ କରିଥିଲେ ମଧ୍ଯ ଘଟଣାକୁ ଚପାଇବାକୁ ସେ ଉଦ୍ଯମ କରିଥିଲେ । ଏନେଇ ଚାଷୀଙ୍କ ଅଭିଯୋଗ ପରେ ନିଜେ  ଡିଆରସିଏସ ତଦନ୍ତ କରି ସତ ସାମ୍ନାକୁ ଆଣିଥିଲେ । ଅଭିଯୋଗକାରୀ ଏବଂ ଚାଷୀଙ୍କ ସହ ସଂପୃକ୍ତ ପାକ୍ସର ଡାଟାଏଣ୍ଟ୍ରି ଅପରେଟର ଓ ସଂପାଦକଙ୍କୁ ପଚରାଉଚରା ପରେ ଟଙ୍କା ନେବାକଥା ସ୍ବୀକାର କରିଥିଲେ ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ । ଚାଷୀଙ୍କଠୁ ଲୁଟିଥିବା ଟଙ୍କା ତୁରନ୍ତ ଫେରାଇବାକୁ ସଂପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଚିକିଟି ମଦମୃତ୍ଯୁକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ବର: ସ୍ବାଭାବିକ ହୋଇପାରୁନି ବିଧାନସଭା । ଚିକିଟି ମଦମୃତ୍ଯୁକୁ ନେଇ ଆଜି ବି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ମଧ୍ଯଭାଗକୁ ଆସି ପ୍ରତିବାଦ କରିଥିଲେ । ପ୍ରଶ୍ନଉତ୍ତର କାଳରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ବାଚସ୍ପତିଙ୍କ ପୋଡିଅମ ଚଢିବାକୁ ଉଦ୍ୟମ କରିଥିଲେ । ପ୍ରବଳ ବିରୋଧ ମଧ୍ଯରେ କିଛି ସମୟ ପ୍ରଶ୍ନକାଳ ଚାଲିଥିଲା । ପରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଚୋରା ମଦବେପାରୀଙ୍କ ସହ ବିଜେପି ମନ୍ତ୍ରୀ, ବିଜେପି ବିଧାୟକ ଓ ନେତାଙ୍କ ସମ୍ପର୍କ ଥିବା ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି । ଏଣୁ ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦେବାକୁ ଦାବି ହୋଇଛି । କଂଗ୍ରେସ କହିଛି, ମଦମୁକ୍ତ ଓଡ଼ିଶା କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । ହେଲେ ବାସ୍ତବ ସ୍ଥିତି କଣ ଜଣାପଡ଼ୁଛି । କେବଳ ଚିକିଟି ନୁହେଁ ସାରା ଓଡ଼ିଶାରେ ଏବେ ଏମିତି ଅବସ୍ଥା । ସରକାର ଜବାବ ନଦେଲା ପର୍ଯ୍ଯନ୍ତ ପ୍ରତିବାଦ ଚାଲିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।