spot_img
Home Blog Page 1750

ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ।  ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି। କୃଷକଙ୍କୁ ୨୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଚାଷୀଙ୍କ ସ୍ବାର୍ଥ ଲାଗି ଏମଏସପି ବୃଦ୍ଧି କରାଯାଇଛି। ୩ କୋଟି ଲକ୍ଷପତି ଦିଦିଙ୍କ ଲାଗି ଅଭିଯାନ ଜାରି ରହିଛି। ତୃତୀୟ ସର୍ବବୃହତ ଆଭିଏସନ ମାର୍କେଟ ଭାବେ ଭାରତ ପରିଗଣିତ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦର ମିଳିତ ଅଧିବେଶନରେ ସେ କହିଛନ୍ତି- ଅର୍ଥ ବ୍ଯବସ୍ଥାରେ ପ୍ରସ୍ତୁତି ଓ କୃଷିକୁ ଫୋକସ ଦିଆଯିବା ସହ ନିବେଶ ଓ ରୋଜଗାର ବଢିଛି। ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ସୋଲାର ଆଦି ସବୁ କ୍ଷେତ୍ରରେ ବିକାଶ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ବି ଭାରତ ନିଜର ପ୍ରାଧାନ୍ଯ ଜାରି ରଖିଛି। ଆଇଟି ସେକ୍ଟର, ପର୍ଯ୍ୟଟନ, ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ଲିଡର ସାଜିଛି। ରୋଜଗାର ଓ ସ୍ବରୋଜଗାର ଲାଗି କ୍ଷେତ୍ର ସୃଷ୍ଟି ହୋଇଛି। ଜାମ୍ମୁ  ଓ କାଶ୍ମୀରରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ହୋଇପାରିଛି । ସୁଶାସନ, ନିରନ୍ତର, ସ୍ଥିର ସରକାର ଉପରେ ଲୋକଙ୍କ ବିଶ୍ବାସ ରହିଛି। ବିକଶିତ ଭାରତ ସଂକଳ୍ପ ଉପରେ ଲୋକଙ୍କ ବିଶ୍ବାସ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ନୂଆ ସରକାର ଆସନ୍ତା ଦିନରେ ବଜେଟ ଆଗତ କରିବ। ବଜେଟରେ ସାମାଜିକ ଓ ଅର୍ଥନୈତିକ ପରି ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ। ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଆଭିମୁଖ୍ଯ ରଖିଛନ୍ତି। ସଂଘୀୟ ପରମ୍ପରା ଅନୁସାରେ ରାଜ୍ଯର ବିକାଶ ଲାଗି ସରକାର ପ୍ରତିଶୃତିବଦ୍ଧ । ମହାମାରୀ ଓ ବିଶ୍ବ ସଙ୍କଟ ମଧ୍ଯରେ ଭାରତର ଦୃତ ବିକାଶ ଘଟୁଛି। ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିରେ କେବଳ ଭାରତର ଯୋଗଦାନ ୧୫ ପ୍ରତିଶତ ରହିଛି। ୨୦୨୩ରେ ଆନ୍ତର୍ଜାତିକ ମିଲେଟ ମିଶନ ଗଠିତ ହୋଇଛି।  ଏପ୍ରିଲ ୨୦୧୪ରେ ଦେଶରେ ୨୦୯ ଏୟାରଲାଇନ୍ସ ରୁଟ୍ ଥିଲା। ଏପ୍ରିଲ ୨୦୨୪ରେ ସେହି ସଂଖ୍ଯା ହୋଇଛି ୬୦୫। ୧୦ ବର୍ଷ ମଧ୍ଯରେ ଗ୍ରାମାଞ୍ଚଳରେ ୩ ଲକ୍ଷ ୮୦ ହଜାର କିଲୋମିଟର ରାସ୍ତା ନିର୍ମିତ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି।

ଗୃହରେ ପ୍ରଶ୍ନପତ୍ର  ଲିକ୍ ପ୍ରସଙ୍ଗ ଉଠାଇଛନ୍ତି ରାଷ୍ଟ୍ରପତି । ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ହେବ। ଏହି ଘଟଣାର ନିରପେକ୍ଷ ଯାଞ୍ଚ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଛାତ୍ରଛାତ୍ରୀଙ୍କ ପାରଦର୍ଶିତାକୁ ସରକାର ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ଆସିଛି। ସଂସଦରେ ପେପର ଲିକ୍ ନେଇ ଆଇନ ତିଆରି ହୋଇଛି। ପେପର ଲିକ୍ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ। ପରୀକ୍ଷାରେ ସ୍ବଚ୍ଛତା ଲାଗି ସରକାର କାମ କରୁଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି।

ରାଉରକେଲା ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର । ନକଲି ଡାକ୍ତର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପଦ୍ମନାଭ କାରୁଆ । ଡାକ୍ତର ରମେଶ ଚନ୍ଦ୍ର ଝାର ପରିଚୟ ଦେଇ ସେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚାକିରି କରୁଥିଲେ । ଗତ ଡିସେମ୍ବରରୁ ଏକ ଏଜେନ୍ସି ଜରିଆରେ ସେ ଚାକିରି କରିଥିବା ଜଣାପଡ଼ିଛି । ଡାକ୍ତରର ପରିଚୟ ଦେଇ ସେ ଏକ ଫାଇନାନ୍ସ ସଂସ୍ଥାରୁ ୧୬ ଲକ୍ଷ ଟଙ୍କା ଋଣ ନେଇଥିଲା ଅଭିଯୁକ୍ତ । ଫାଇନାନ୍ସ କମ୍ପାନୀ ଖୋଳତାଡ଼ କରିବାବେଳେ ସଂପୃକ୍ତ ବ୍ଯକ୍ତି ନକଲି କାଗଜପତ୍ର ଦେଇଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

ପୂର୍ବରୁ ମଧ୍ଯ ଅନ୍ଯ ଏକ ଜାଗାରେ ଡାକ୍ତରର ପରିଚୟ ଦେଇ ଚାକିରି କରୁଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ଗିରଫ ମଧ୍ଯ ହୋଇଥିଲା । ଅଭିଯୁକ୍ତ ନକଲି ଡାକ୍ତରୀ ସାର୍ଟିଫିକେଟ କେଉଁଠୁ ଆଣିଲା ଏବଂ କିପରି ଚାକିରି କଲା ସେନେଇ ତଦନ୍ତ କରାଯାଉଛି ।

 

ରାଜଧାନୀର ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ, ସରାଇ ନିୟମକୁ କଡ଼ାକଡ଼ି କରିଛି ପୋଲିସ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଥାନା ମାନଙ୍କରେ ଥିବା ହୋଟେଲ ଓ ଲଜରେ ଚେକିଂ କରିଛି କମିଶନରେଟ ପୋଲିସ। ରାଜଧାନୀରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ଯାଇ ସରାଇ ନିୟମକୁ କଡ଼ାକଡ଼ି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କମିସନରେଟ୍‌ ପୋଲିସ ରାଜଧାନୀରେ ବହୁ ହୋଟେଲ୍‌, ଲଜ୍‌ ଓ ଗେଷ୍ଟ୍‌ହାଉସ୍‌ ବୁଲି ଯାଞ୍ଚ କରିଛି। ଭୁବନେଶ୍ବରର କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼, ନୟାପଲ୍ଲୀ ଆଦି ଥାନା ଅଞ୍ଚଳସ୍ଥିତ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ଯାଞ୍ଚ୍ କରିବା ସହିତ ସରାଇ ଆପ୍‌କୁ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଏଭଳି ପନ୍ଥା ଆପଣାଇଛି ପୋଲିସ ।

ଗତ ବର୍ଷ ମାନଙ୍କରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା, ଗ୍ୟାସ୍ କଟର୍‌ ବ୍ୟବହାର କରୁଥିବା ସିନ୍ଧିଚୋର ଓ ବଙ୍ଗୀୟ ଲୁଟେରାମାନେ ରାଜଧାନୀର ବିଭିନ୍ନ ହୋଟେଲ୍‌ରେ ରହି ଲୁଟପାଟ୍‌ କରିଥିଲେ। ସେହିଭଳି ରାଜଧାନୀରୁ ଧରାହେଉଥିବା ସାଇବର ଠକ ବା ଜମତରା ଗ୍ୟାଙ୍ଗ୍‌ ଠାବ ହୋଟେଲରେ ରହୁଥିଲେ। ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’ କରିଦେଇଥିବାରୁ ଏହି ଗ୍ୟାଙ୍ଗ୍‌ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ। ତେଣୁ ଏଣିକି ସରାଇ ନିୟମକୁ କଡ଼ା‌କଡ଼ି କରି ପୋଲିସ ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ବୋଲି ଯୋଜନା କରିଥିବା ପୂର୍ବରୁ ସୂଚନା ଦେଇଥିଲେ ଡିସିପି।

ଇଟାଲୀରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍: ଇଟାଲୀରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ପରେ ଜୋରଦାର ଉତ୍ତେଜନା ଦେଖାଦେଇଛି । ଏହି ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଃଖ ପ୍ରକାଶ କରିଛନ୍ତି । ମେଲୋନି ଏହାକୁ ଏକ ଅମାନବୀୟ କାର୍ଯ୍ୟ ବୋଲି କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି , ଭାରତୀୟ ଶ୍ରମିକଙ୍କ ହାତ କଟିଯାଇଥିଲା । କିନ୍ତୁ ସେ ଯେଉଁଠାରେ କାମ କରୁଥିଲେ ସେଠାରେ ତାଙ୍କୁ ଚିକିତ୍ସା କରିବା ବଦଳରେ  ତାଙ୍କୁ ରାସ୍ତା କଡରେ ଫିଙ୍ଗି ଦେଇଥିଲେ । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି  ।

ସୂଚନା ଅନୁଯାୟୀ, ମୃତକ ଶ୍ରମିକ ହେଉଛନ୍ତି ୩୧ ବର୍ଷୀୟ ସତନାମ ସିଂହ । ରୋମର୍ ନିକଟ ଲାଜିୟୋରେ ଏକ ପରିବା କ୍ଷେତରେ କାମ କରୁଥିବା ବେଳେ ସତନାମ ସିଂହଙ୍କ ହାତ ଧାରୁଆ ମେସିନରେ କଟି ଯାଇଥିଲା । ଏହା ପରେ କ୍ଷେତର ମାଲିକ ତାଙ୍କୁ ଅତି ନିଷ୍ଠୁର ବ୍ୟବହାର କରିଥିଲେ। ଚିକିତ୍ସା ପାଇବା ପରିବର୍ତ୍ତେ ସତନାମ ସିଂଙ୍କୁ ରାସ୍ତା କଡରେ ଫିଙ୍ଗି ଦେଇଥିଲେ। ପରେ ନିକଟସ୍ଥ କେହି ଜଣେ ତାଙ୍କୁ ସାହାଯ୍ୟ କରିଥିଲେ। କୌ ଣସି ପ୍ରକାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ।

ସତନାମ ସିଂହଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ଇଟାଲୀକୁ କହିଛି।

ଚାନ୍ଦବାଲିରେ ପୋଲିସର ବର୍ବରତା ଘଟଣା, ବଦଳି ହେଲେ ତିନି ପୋଲିସ କର୍ମଚାରୀ

ଚାନ୍ଦବାଲି: ଚାନ୍ଦବାଲିରେ ପୋଲିସର ବର୍ବରତା ଘଟଣା । ଜିଲ୍ଲା ହେଡକ୍ବାର୍ଟରକୁ ବଦଳି ହେଲେ ତିନି ପୋଲିସ କର୍ମଚାରୀ । ଏଏସଆଇ ନେପାଳ ଶାହା, କନେଷ୍ଟବଳ ରବୀନ୍ଦ୍ର ସେଠୀ  ଏବଂ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି । ଏହି ତିନି ପୋଲିସ କର୍ମଚାରୀଙ୍କ ନାଁରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ ଅଧିକ ତଦନ୍ତ କରାଯାଉଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,ଚାନ୍ଦବାଲି ଥାନା ପରିସରରେ ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଜଣେ ମହିଳାଙ୍କୁ ମାଡ଼ ମାରିଥିଲେ ପୋଲିସ ବାବୁ। ଥାନାକୁ ସ୍ୱାମୀଙ୍କୁ ଭେଟିବାକୁ ଆସି ପୋଲିସଠାରୁ ମାଡ଼ ଖାଇଥିଲେ ମହିଳା । ଚାନ୍ଦବାଲି ଏନଏସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀଙ୍କୁ କୌଣସି ଏକ ଘଟଣାରେ ପୋଲିସ ଥାନାକୁ ଡକାଇଥିଲା । ମିତା ସ୍ୱାମୀଙ୍କୁ ଦେଖାକରିବା ପାଇଁ ଥାନାକୁ ଯାଇଥିଲେ । ସେଠାରେ ତାଙ୍କ ସହ ଥିବା କୁନି ପିଲାଟି ଏକ ଚପଲ ଖୋଳରେ ଖେଳୁଥିବା ବେଳେ ମିତା ସେହି ଖୋଳଟିକୁ ଭୁଲବଶତଃ ଥାନା ପରିସରକୁ ଫିଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା  କନେଷ୍ଟବଳ ରବୀନ୍ଦ୍ର ସେଠୀ ତାଙ୍କୁ ଡଷ୍ଟବିନରେ ପକାଇବାକୁ କହିଥିଲେ । ଏହାକୁ ନେଇ ମିତା ଏବଂ କନେଷ୍ଟବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କନେଷ୍ଟବଳ ରବୀନ୍ଦ୍ର ସେଠୀ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ସହିତ ଏଏସଆଇ ନେପାଳ ସାହା ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ମହିଳାଙ୍କୁ ମାଡ଼ ମାରିବା ସହ ଟେକି ଟେକି ନେଉଥିବାର  ଭିଡିଓ ଭାଇରାଲ ହୋଇଥିଲା ।

ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ନନ୍ଦିଘୋଷ ବ୍ୟୁରୋ : ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ସହ ଦକ୍ଷିଣ ଆଫ୍ରିକାକୁ ମିଳିଛି ଫାଇନାଲ ଟିକେଟ । ସେମିଫାଇନାଲରେ ଏକପାଖିଆ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନକୁ ୯ ୱିକେଟରେ ହରାଇବା ସହ ମାତ୍ର ୮ ଓଭର ୫ଟି ବଲରେ ଦଳ ବିଜୟ ହାସଲ କରିଛି । ଏଥିସହ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି ସାଉଥ ଆଫ୍ରିକା । ପ୍ରଥମ ସେମିଫାଇନାଲ ଟକ୍କରରେ ପ୍ରଥମେ ଆଫଗାନିସ୍ତାନ ବ୍ଯାଟିଂ କରିଥିଲା । ମାତ୍ର ଆରମ୍ଭରୁ ଦଳ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ମାତ୍ର ୫୬ ରନରେ ଅଲଆଉଟ ହୋଇଯାଇଥିଲା ଆଫଗାନିସ୍ତାନ । ୧୧.୫ ଓଭରରେ ସମସ୍ତ ୱିକେଟ ହରାଇ ଦଳ ୫୬ ରନ କରିବାକୁ ସକ୍ଷମ ହୋଇଥିଲା । ଆଫଗାନିସ୍ତାନର ଓମରଜାଇ ସର୍ବାଧିକ ୧୦ ରନ କରିଥିବାବେଳେ ଅନ୍ଯ କୌଣସି ଖେଳାଳି ଦୁଇ ଅଙ୍କ ମଧ୍ଯ ଛୁଇଁପାରିନଥିଲେ । ଦକ୍ଷିଣଆଫ୍ରିକାର ଜନସନ ଓ ସାମସି ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ରାବଡ଼ା ଓ ନଟିଜେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୫୭ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣଆଫ୍ରିକା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଡିକକ ୫ ରନ କରି ଆଉଟ ହୋଇଥିବାବେଳେ ହେନଡ୍ରିକ୍ସ ୨୯ ଓ ମାରକ୍ରମ ୨୩ ରନ କରି ଦଳକୁ ବିଜୟୀ କରାଇଛନ୍ତି । ଏହାସହ ପ୍ରଥମ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲକୁ ଯାଇଛି ଦକ୍ଷିଣ ଆଫ୍ରିକା ।

ଆଜି ଦ୍ବିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ଯରେ ମହାମୁକିବା ହେବ । ଏଥିରେ ଯେଉଁଦଳ ବିଜୟୀ ହେବ ସେହିଦଳ ସହ ଆସନ୍ତା ୨୯ ତାରିଖରେ ଦକ୍ଷିଣ ଆଫ୍ରିକାର ଫାଇନାଲ ଟକ୍କର ହେବ ।

ଆସନ୍ତା ୨୯ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ଆଜି ପ୍ରବଳ ବର୍ଷା ନେଇ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି ।

ସେହିଭଳି ଆସନ୍ତାକାଲି ପ୍ରବଳରୁ  ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର ଏବଂ ନୂଆପଡାକୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ ତାହା ଆହୁରି ଅଧିକ ଘନୀଭୁତ ହେବ କି ନାହିଁ ତାହା ଆକଳନ କରାଯାଇନି ।

ଅନ୍ୟପଟେ ରାଜ୍ୟରେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୫ଟି ଜିଲ୍ଲା ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଏବଂ ବଲାଙ୍ଗିରରେ ଉତ୍କଟ ସ୍ଥିତି ରହିଛି। ତେବେ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା ବର୍ଷା ନିଅଣ୍ଟିଆ ଭରଣା କରିବା ଅସମ୍ଭବ।

ନେପାଳରେ ବର୍ଷା ବିତ୍ପାତ, ଭୂସ୍ଖଳନ ନେଲା ୧୪ ଜୀବନ

ବ୍ୟୁରୋ ରିପୋର୍ଟ: ନେପାଳରେ ବର୍ଷା ବିତ୍ପାତ। ବିଭିନ୍ନ ସ୍ଥାନରେ ବନ୍ଯା ଓ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି ୧୪ ଜଣ। ଅନେକ ରାଜପଥ ଭାସିଯିବା ଯୋଗୁଁ ହଜାର ହଜାର ଯାନବାହନ ଅଟକି ରହିଛି। କେବଳ ଭୂସ୍ଖଳନରେ ୮ ଜଣ ପ୍ରାଣ ହରାଇଛନ୍ତି ବୋଲି କହିଛି ଗୃହ ବ୍ଯାପାର ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ। ବିଭିନ୍ନ ନଦୀରେ ବନ୍ଯା ଆସିବା ଯୋଗୁଁ ହଜାର ହଜାର ଲୋକ ହୋଇଛନ୍ତି ବିପନ୍ନ। ୪୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି।

ବିଶେଷ କରି ଲାମଜଙ୍ଗରେ ସ୍ଥିତି ବିଷମ ହୋଇଛି। ବିପନ୍ନ ଲୋକଙ୍କ ଉଦ୍ଧାର ଲାଗି ବିଭିନ୍ନ ବାହିନୀ ନିୟୋଜିତ ହୋଇଛି। ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଆଜି ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ

ପୁରୀ : ଆଜି ମହାପ୍ରଭୁଙ୍କ ଅନବସରର ପଞ୍ଚମୀ ତିଥି । ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ । ବଡ଼ଓଡ଼ିଆ ମଠ ପକ୍ଷରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲକୁ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ । ପରମ୍ପରା ଅନୁସାରେ ଏହି ସୁବାସିତ ତେଲ ପ୍ରସ୍ତୁତ ପାଇଁ ଏକ ବର୍ଷ ସମୟ ଲାଗିଥାଏ । ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ହୋଇ ଫୁଲୁରୀ ତେଲ ପ୍ରସ୍ତୁତ ହୋଇଥାଏ ।

ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀନ୍ଦିରକୁ ପଠାଯାଇଥାଏ । ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ ।

୨୦୨୪-୨୫ ବଜେଟକୁ ନେଇ ଆଶାବାଦୀ ଦେଶବାସୀ

ନୂଆଦିଲ୍ଲୀ:  ଆସୁଛି ବଜେଟ । ୨୦୨୪-୨୫ ବଜେଟକୁ ନେଇ ଆଶାବାଦୀ ଦେଶବାସୀ । ଏନଡିଏ ୩.୦ରେ ମୋଦୀ ସରକାର ଦେଶବାସୀଙ୍କୁ ରିହାତି ଦେବେ ନା ବୋଝ ଲଦିବେ-ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ସରକାରଙ୍କୁ ବିଭିନ୍ନ ମହଲ ବି ଦେଇସାରିଲେଣି ପ୍ରସ୍ତାବ । ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ବା ଫିକ୍କି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି ବିଭିନ୍ନ ପ୍ରସ୍ତାବ। ଭିତ୍ତିଭୂମି ବିକାଶ, ଖାଦ୍ଯ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଶକ୍ତିଶାଳୀ କରିବା, ଉଦ୍ଭାବନ ଓ ଗବେଷଣା ବିକାଶକୁ ବଜେଟରେ ଫୋକସ କରିବା ଲାଗି ଫିକ୍କି ଦେଇଛି ପ୍ରସ୍ତାବ । ଭୌତିକ, ସାମାଜିକ ଓ ଡିଜିଟାଲ ଭିତ୍ତିଭୂମି ଲାଗି ପବ୍ଲିକ କ୍ଯାପିଟାଲ ଏକ୍ସପେଣ୍ଡିଚର ବା କାପେକ୍ସ ବୃଦ୍ଧି ଲାଗି ଆଶାବ୍ଯକ୍ତ କରିଛି ଫିକ୍କି ।

ଆର୍ଥିକ ବର୍ଷ ୨୦୨୪ରେ କାପେକ୍ସ ପରିମାଣ ୧୧.୮ ଲକ୍ଷ କୋଟି ଥିବାବେଳେ ଆର୍ଥିକ ବର୍ଷ ୨୦୨୫ ଲାଗି ଏହି ପରିମାଣ ୨୫ ପ୍ରତିଶତ ବଢ଼ାଇବା ଲାଗି ଫିକ୍କି ପ୍ରସ୍ତାବ ଦେଇଛି । ଘରୋଇ କ୍ଷେତ୍ର, ଆକାଡେମିକ କ୍ଷେତ୍ର, ନିବେଶକ, ଷ୍ଟାର୍ଟଅପ, ସରକାରୀ ପାଣ୍ଠି ପ୍ରଦତ୍ତ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଲାଗି ରହିଥିବା ପାଟେଣ୍ଟ ବକ୍ସ ବ୍ଯବସ୍ଥାର ସମୀକ୍ଷା କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ସେହିପରି ବର୍ତ୍ତମାନର ଟାକ୍ସ ଡିଡକ୍ସନ ଆଟ ସୋର୍ସ ବା ଟିଡିଏସକୁ ସରଳୀକରଣ, ଜିଏସଟି ସଂସ୍କାର ଲାଗି ଏକ ନୂଆ ତଥା ସ୍ବାଧୀନ ବିବାଦ ସମାଧାନ ଫୋରମ ଗଠନ, ଲିକ୍ଯୁଡିଟି ଲାଗି ଏମଏସଏମଇଗୁଡିକୁ ସକ୍ଷମ କରାଇବା, ଟ୍ରେଡ ରିସିଭେବଲ ଡିସକାଉଣ୍ଟିଂ ସିଷ୍ଟମ ବା ଟିଆରଇଡିଏସ ପ୍ଲାଟଫର୍ମରେ କମ୍ପାନୀଗୁଡିକର ପଞ୍ଜିକରଣ ସୀମା ୫୦୦ କୋଟିରୁ ୨୫୦ କୋଟି ଟଙ୍କାକୁ ହ୍ରାସ କରିବା ଲାଗି ପ୍ରସ୍ତାବ ଦେଇଛି ଫିକ୍କି । ଇଲେକ୍ଟ୍ରୋନିକ ଏକ୍ସଚେଞ୍ଜ ଜରିଆରେ ସୀମାପାର ପେପରଲେସ ଟ୍ରେଡ ଲାଗି ବ୍ଲକଚେନ ଭିତ୍ତିକ ସିଙ୍ଗଲ ପୋର୍ଟାଲ ଉପରେ ବି ଫିକ୍କି ଗୁରୁତ୍ବ ଦେଇଛି ।

ସେହିପରି ସରକାରୀ ଓ ବେସରକାରୀ ସହଭାଗିତାରେ କୃଷିଭିତ୍ତିକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଓ କୃଷକ ଉତ୍ପାଦକ ସଂଗଠନ ବା ଏଫପିଓ ସକାଶେ ଏକ ଜାତୀୟ ବୋର୍ଡ ଗଠନ ଲାଗି ପ୍ରସ୍ତାବ ଦେଇଛି ଫିକ୍କି ।