spot_img
Home Blog Page 1751

ଚିକିଟି ମଦମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ସରକାରଙ୍କ ଅପଚେଷ୍ଟା, ବିଜେଡିର ହଲ୍ଲାବୋଲ୍

ଭୁବନେଶ୍ବର: ବିଷାକ୍ତ ମଦ ମୃତ୍ୟୁ ମାମଲାକୁ ନେଇ ଅଚଳ ଓଡ଼ିଶା ବିଧାନସଭା । ମଦମୃତ୍ୟୁ ପରି ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ସରକାରଙ୍କ ଅପଚେଷ୍ଟାକୁ ନେଇ ବିଜେଡିର ହଲ୍ଲାବୋଲ୍ ।  ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ହେବା ପରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ଦାବି । ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରି ସରକାରକୁ ଦଳ କରିଛନ୍ତି ସମାଲୋଚନା । ଅନ୍ୟପଟେ ଇଡି କେନ୍ଦ୍ର ସରକାରଙ୍କ ଗୁଣ୍ଡା ସାଜିଥିବା ଅଭିଯୋଗ ଆଣି ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଯାହାକୁ ନେଇ ଅଚଳ ହୋଇଛି ବିଧାନସଭା ।

ମଦମୃତ୍ୟୁ ତାତିରେ ବିଧାନସଭା ହୁଲସ୍ତୁଲ । କୁଆଡେ ଗଲା ବିଜେପିର ନିଶାମୁକ୍ତ ନାରା । ଜୋର ଧରିଲା ଅବକାରୀଙ୍କ ମନ୍ତ୍ରୀଙ୍କ ଇସ୍ତଫା ଦାବି । ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପ୍ରତିବାଦ । ଅଭିଯୋଗ ହେଉଛି ଚୋରା ବେପାରୀଙ୍କ ସହ ରହିଛି ବିଜେପିର ଲିଙ୍କ୍ । ମନ୍ତ୍ରୀ କହିଲେ, କରାଯିବ ଆରଡିସି ତଦନ୍ତ ।

ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହେବା ପରେ ତେଜିଲା ରାଜନୀତି । ଦୁଇ ଦିନ ହେଲା ମଦମୃତ୍ୟୁକୁ ନେଇ ଗୃହ କମ୍ପୁଥିବା ବେଳେ ଗୁରୁବାର ବି ବିଧାନସଭାରେ ତାତିଲେ ବିରୋଧୀ । ମଦ ମୃତ୍ୟୁ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଉଠାଇ ଗୃହରେ ଗର୍ଜିଛି ବିଜେଡି । ବିଷାକ୍ତ ମଦ ଯୋଗୁଁ ୨ ଜଣଙ୍କର ଜୀବନ ଯାଇଛି, ୨୩ରୁ ଅଧିକ ଚିକିତ୍ସାଧୀନ ଅଛନ୍ତି । ହେଲେ ଏଭଳି ଏକ ଘଟଣାକୁ ବିଜେପି ସରକାର କାହିଁକି ଚପାଇ ଦେବାକୁ ଚେଷ୍ଟା କରୁଛଇ ବୋଲି ପ୍ରଶ୍ନ କରିଛି ବିଜେଡି । ଏହାକୁ ନେଇ ବିଧାନସଭାରେ ଶାସକ ଦଳକୁ ଘେରିଛି ବିଜେଡି । ତୁରନ୍ତ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛି ଦଳ ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ନିଶାମୁକ୍ତ ଓଡ଼ିଶା ଗଠନର ନାରା ଦେଇ ସରକାର ବିଷାକ୍ତ ମଦ କାରବାରକୁ ପ୍ରୋତ୍ସାହନ ଦେଇଛନ୍ତି । ଦେଶୀ ମଦ ବ୍ୟବସାୟୀଙ୍କ ସହ ବିଜେପି ନେତାଙ୍କ ଲିଙ୍କ ଥିବା ନେଇ ଅଭିଯୋଗ କରିଛି ବିଜେଡି । ତେଣୁ ସରକାର ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିରୋଧୀଙ୍କ ଦାବିକୁ ଅମୂଳକ କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ।

ମଦମୃତ୍ୟୁକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିବା ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ଗୃହରେ ତୁମ୍ବି ତୋଫାନ ପରେ ମୁହଁ ଖୋଲିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଷାକ୍ତ ମଦମୃତ୍ୟୁ ମାମଲାରେ ହେବ ଆରଡିସି ତଦନ୍ତ । ଦୁଇ ମାସ ଭିତରେ ଆସିବ ତଦନ୍ତ ରିପୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରିଥିବା ବେଳେ ୧୧୭ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ମନ୍ତ୍ରୀ । କଂଗ୍ରେସ ବି ଏ ପ୍ରସଙ୍ଗରେ ସିଧାସଳଖ ଶାସକ ବିଜେପି ଉପରେ ବର୍ଷିଛି । ସରକାରଙ୍କ ଜାଣତରେ ଦେଶୀ ମଦ ଚୋରା କାରବାର ଚାଲିଛି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଜେଡିର ମଦ ମୃତ୍ୟୁ ଘଟଣାକୁ ନେଇ ହଲ୍ଲାବୋଲ ସହ କଂଗ୍ରେସ ବି ଇଡି ଓ ସିବିଆଇର ଅପବ୍ୟବହାର ପ୍ରସଙ୍ଗରେ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି । ଗୃହ ମଧ୍ୟଭାଗରେ ବିଜେପି ସରକାର ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । କେନ୍ଦ୍ର ସରକାର ନୀତି ପରିବର୍ତ୍ତନ ନକଲେ, କଂଗ୍ରେସ ଏହା ବିରୋଧରେ ପ୍ରତିବାଦ ଜାରି ରଖିବ ବୋଲି ଦଳ ଦେଇଛି ଚେତାବନୀ ।

ମଦମୃତ୍ୟୁ ପ୍ରସଙ୍ଗରେ ଆଜି ପୂର୍ବାହ୍ନ ଅଧିବେଶନ ଧୋଇ ହୋଇଯାଇଥିବା ବେଳେ ଅପରାହ୍ନ ଅଧିବେଶନରେ ବି ତାତିଥିଲେ ବିରୋଧୀ । ପୂର୍ବରୁ ମଦମୃତ୍ୟୁ ପାଇଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ଏବେ ଡବଲ ଇଞ୍ଜିନ ସରକାର ନିଜ ନୈତିକତାର ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।

ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ବୃହତ ବିଜୟ, ଶାସକ ଦଳକୁ ଶକ୍ତ ଧକ୍କା

ଭୁବନେଶ୍ବର: ପଞ୍ଚାୟତ ଉପନିର୍ବାଚରେ ବିଜେଡିର ଦମଦାର ବିଜୟ । ରାଜ୍ଯର ୩ ବ୍ଲକ ଅଧ୍ଯକ୍ଷ, ଗୋଟିଏ ଉପାଧ୍ଯକ୍ଷ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ହାସଲ କରିଛି ବୃହତ ବିଜୟ । ଭାପୁର ଓ ରାଇଘର ବ୍ଲକ ଅଧ୍ଯକ୍ଷ ସହ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ଯକ୍ଷ ପଦ ଜିତି ନେଇଛନ୍ତି ବିଜେଡି ପ୍ରାର୍ଥୀ । ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ଯକ୍ଷ ଓ ହରଭଙ୍ଗା ବ୍ଲକ ଉପାଧ୍ଯକ୍ଷ ପଦକୁ ନିଜ ଅକ୍ତିଆରରେ ରଖିଛି ବିଜେପି ।

ପଞ୍ଚାୟତ ଉପନିର୍ବାଚନରେ ପାଓ୍ବାର ଶୋ’ ଦେଖାଇଛି ବିଜେଡି । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ଏକତରଫା ବିଜୟ । ଅଭେଦ୍ଯ ରହିଲା ଭାପୁର ଓ ରାଇଘର ଗଡ଼ । ସାଧାରଣ ନିର୍ବାଚନର ଦୁଇ ମାସ ପରେ ଗାଁରେ ଦେଖାଦେଇଛି ରାଜନୀତି ତାତି । ରାଜ୍ଯରେ ଖାଲି ପଡ଼ିଥିବା ୩ ବ୍ଲକ ଅଧ୍ଯକ୍ଷ, ଗୋଟିଏ ଉପାଧ୍ଯକ୍ଷ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଆସନ ଉପନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ବିଜୁ ଜନତା ଦଳ । ୩ ବ୍ଲକ ଅଧ୍ଯକ୍ଷ ପଦରୁ ୨ଟିରେ ବିଜେଡି ବିଜୟ ବାନା ଉଡ଼ାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ଯକ୍ଷ ପଦରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛି । ୩୨ ସଦସ୍ଯ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ବିଜେଡି ୩୧ ଓ ବିଜେପିର ଗୋଟିଏ ଆସନରେ ଜିତିଥିଲା । ଅଧ୍ଯକ୍ଷ ଥିବା ଗୀତାଞ୍ଜଳୀ ସେଠୀ ଇସ୍ତଫା ଦେଇ ସାଧାରଣ ନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଉପନିର୍ବାଚନରେ ବିଜେଡି ଲିଲିତା ଦାସଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ଯ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲାର ଭାପୁର ଓ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକକୁ ବି ଦଖଲ କରିଛି ବିଜେଡି । ପୂର୍ବରୁ ମଧ୍ଯ ଏହି ଦୁଇ ପଞ୍ଚାୟତ ସମିତି ଶଙ୍ଖ ଦଖଲରେ ରହିଥିଲା ।  ସାଧାରଣ ନିର୍ବାଚନରେ ଭାପୁର ବ୍ଲକ ଅଧ୍ଯକ୍ଷା ସାବିତ୍ରୀ ପ୍ରଧାନ ଇସ୍ତଫା ଦେଇ ବିଜେଡିରୁ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ହୋଇଥିଲେ । ଉପନିର୍ବାଚନରେ ପ୍ରତିପକ୍ଷ କୌଣସି ପ୍ରାର୍ଥୀ ଦେଇ ନଥିବାରୁ ସେ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ରାଇଘର ବ୍ଲକରେ ଅଧ୍ଯକ୍ଷ ଥିବା ନବୀନା ନାୟକ ଉମରକୋଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପରେ ଏଠାରେ ପଦ ଖାଲି ପଡ଼ିଥିଲା । ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ୧୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ତୃପ୍ତିରଞ୍ଜନ ମାଝୀ ୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ସେପଟେ ଖଲ୍ଲିକୋଟ ବ୍ଲକ ଅଧ୍ଯକ୍ଷ ଏବଂ ହରଭଙ୍ଗା ବ୍ଲକ ଉପାଧ୍ଯକ୍ଷ ପଦରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଦୁଇଦିନ ତଳେ ନିମାପଡ଼ା ଏନଏସି ଅନାସ୍ଥା ଭୋଟରେ ବିଜୟୀ ହୋଇଥିଲା ବିଜେଡି । ଗୋଟିଏ ଭୋଟ ନାକଚ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କୁ ଲାଗିଥିଲା ଶକ୍ତ ଝଟକା । ଏବେ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତକା ଓ ଗ୍ରହଣୀୟତାକୁ ପ୍ରମାଣିତ କରିଛି ।

ଶ୍ରୀମନ୍ଦିର ପାଇଁ ଗଠନ ହେବ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ; ପୂର୍ବ ସରକାରଙ୍କ ନିଷତ୍ତିକୁ କାର୍ଯ୍ୟକାରୀ କରିବେ ମୋହନ ସରକାର

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଦିନକୁ ଦିନ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନିୟନ୍ତ୍ରଣ ଓ ସୁରକ୍ଷା ନେଇ ସ୍ୱତ୍ରନ୍ତ ସୁରକ୍ଷା ବାଟାଲିୟନର ଆବଶ୍ୟକତା ରହିଛି । ଯାହାକୁ ନେଇ ପୂର୍ବ ସରକାର ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକାରୀ ପାଇଁ ଅନୁମୋଦନ କରିଥିଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୁରୀ ଏସପି ଏନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

ଭିଡ଼ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ବାଟାଲିୟନ । ଦର୍ଶନ ବ୍ଯବସ୍ଥାରେ ଆସିବ ସୁଧାର । ଶ୍ରୀମନ୍ଦିରକୁ ଜଗିବେ ସ୍ପେଶାଲ ସ୍କ୍ବାଡ । ପୁରୀ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବ୍ୟାପକ ମାତ୍ରାରେ ସୁରକ୍ଷା କର୍ମୀ ନିୟୋଜିତ ହେବାର ଆବଶ୍ୟକତା ରହିଛି । ଆବଶ୍ୟକତାକୁ ନେଇ ପୂର୍ବ ନବୀନ ସରକାର ପୁରୀ ଶ୍ରୀମନ୍ଦିରରେ ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ଅନୁମୋଦନ କରିଥିଲେ । ବାଟାଲିୟନର ଆବଶ୍ୟକତା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୋଧ ରହିଛି । ଏହାର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନର ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ପ୍ରାୟ ୧ ହଜାର ସୁରକ୍ଷା କର୍ମୀକୁ ନେଇ ସ୍ୱତନ୍ତ୍ର ବାଟାଲିୟନ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀମନ୍ଦିର ଭିତରେ ବାହାରେ ତଥା ପରିକ୍ରମା ପ୍ରକଳ୍ପରେ ଏହି ବାଟାଲିୟନ ନିୟୋଜିତ ହେବେ । ଶ୍ରୀମନ୍ଦିର ସୁରକ୍ଷା ନେଇ ଜାତୀୟ ନିରାପତ୍ତା ସଂସ୍ଥା ସହ ଗୁଇନ୍ଦା ବିଭାଗର ପରାମର୍ଶକୁ ନଜରରେ ରଖି ବାଟାଲିୟନ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂର୍ଣ୍ଣ କରିବା ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବାକୁ ଲକ୍ଷ୍ଯ ରଖାଯାଇଛି । ଏ ନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ବାଟାଲିୟନ ଗଠନ ନେଇ ସ୍ୱତ୍ରନ୍ତ ଖସଡ଼ା ପ୍ରସ୍ତୁତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

ସ୍ୱତନ୍ତ୍ର ବାଟାଲିୟନ ଗଠନ ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ହେବା ସହ ଦର୍ଶନ ବ୍ଯବସ୍ଥା ସୃଙ୍ଖଳିତ ହେବ ବୋଲି ଆଶା କରାଯାଉଛି ।

ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ସମ୍ବଲପୁରରେ ଖୋଲିଲା ରାଜ୍ୟର ପ୍ରଥମ କଣ୍ଟ୍ରୋଲ ରୁମ୍

ସମ୍ବଲପୁର: ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା ପଦକ୍ଷେପ । ବାଂଲାଦେଶୀଙ୍କୁ ଜଗିବାକୁ ସମ୍ବଲପୁରରେ ଖୋଲିଲା ରାଜ୍ଯର ପ୍ରଥମ କଣ୍ଟ୍ରୋଲ ରୁମ୍ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସହରର ପ୍ରତି ଛକରେ ଲାଗିଛି ସିସିଟିଭି କ୍ୟାମେରା । କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ସହରବାସୀ ଖବର ଦେବା ପାଇଁ ସ୍ଵତନ୍ତ୍ର ମୋବାଇଲ ନମ୍ବର ଜାରି କରିଛି ପୋଲିସ୍ ।

ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାମ କରିବ । ସିପ୍ଟ ଅନୁସାରେ ୩ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ଏହାସହ ସହରର ପ୍ରତି ଛକରେ ଲାଗିଛି ସିସିଟିଭି କ୍ୟାମେରା । କ୍ଯାମେରାରେ ସନ୍ଦିଗ୍ଧ ନଜରକୁ ଆସିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ନେବ ପୋଲିସ୍ । କଣ୍ଟ୍ରୋଲ ରୁମ୍କୁ ସୂଚନା ଆସିବା ମାତ୍ରେ ସେହି ଅଞ୍ଚଳର ଏସଡିପିଓଙ୍କୁ ତୁରନ୍ତ ସୂଚନା ଦିଆଯିବ

ସହରରେ କୌଣସି ସନ୍ଦିଗ୍ଧ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ଖବର ଦେବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି । ଏଥିପାଇଁ 8763574292 ହ୍ବାଟ୍ସଆପ ନମ୍ବର ଜାରି କରାଯାଇଛି । ସନ୍ଦିଗ୍ଧ ଧରାପଡିବା ପରେ ଅଭିଯୋଗ ହୋଇଥିବା ବ୍ୟକ୍ତି ପ୍ରକୃତରେ ବାଂଲାଦେଶୀ କି ନୁହେଁ, ତାହା ଯାଞ୍ଚ କରାଯାଇ କାର୍ଯ୍ଯାନୁଷ୍ଠାନ ନିଆଯିବ । ଜିଲ୍ଲା ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହାଦ୍ବାରା ବାହାରୁ ଆସୁଥିବା ଲୋକେ ସତର୍କ ହେବା ସହ ବାଂଲାଦେଶୀ ଅନୁପ୍ରବେଶ ରୋକାଯାଇ ପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

MGNREGAରେ କାମ କରି ଶ୍ରମିକ ଭକୁଆ, ଆଉ କିଏ ଉଠାଇ ନେଲା ମଜୁରୀ ଟଙ୍କା

କଳାହାଣ୍ଡି: ଗରିବ ଦିନ ମଜୁରିଆଙ୍କ ପାଇଁ ଆରମ୍ଭ ହୋଇଥିଲା ଏମଜିଏନଆରଇଜିଏସ୍ । ଏହି ଯୋଜନାରେ ଗରିବ ଲୋକଙ୍କୁ ଶହେ ଦିନର କାମ ଯୋଗାଇ ଦିଆଯାଇଥାଏ । ହେଲେ କଳାହାଣ୍ଡି ଜିଲ୍ଲାରେ ଏହି ଯୋଜନାରେ ମହା ଘୋଟାଲା ପଦାକୁ ଆସିଛି । ଶ୍ରମିକମାନେ କାମ କରିବାର ବର୍ଷା ହୋଇଗଲାଣି ମଜୁରୀ ପାଇନାହାନ୍ତି । ସରକାରୀ ବାବୁଙ୍କୁ ଗୁହାରୀ କରିବାକୁ ଯାଇ ଜାଣିବାକୁ ପାଇଛନ୍ତି ସେମାନଙ୍କ ପାରିଶ୍ରମିକ ଉଠାଇ ଆଉ କିଏ ନେଇଯାଇଛି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ, ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଧରିବା ସହ ସେମାନଙ୍କ ମଜୁରୀ ପ୍ରଦାନ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି । ଏମିତି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଲ ରାମପୁର ବ୍ଲକର ମାଓବାଦୀ ଅଧ୍ୟୁଷିତ କର୍ଲାପାଟ ପଞ୍ଚାୟତରୁ ।

ମନରେଗାରେ କାମ କରି ପାରିଶ୍ରମିକ ପାଇ ନାହାନ୍ତି ଶ୍ରମିକ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ବର୍ଷ ହେଲା ସେମାନଙ୍କୁ ମିଳିନି ସେମାନଙ୍କ ମଜୁରୀ । କର୍ଲାପାଟ ପଞ୍ଚାୟତର ଭେଜିଗୁଡ଼ା ଗାଁର ପ୍ରାୟ ୫୦ ଜବକାର୍ଡ ହିତାଧିକାରୀ ମଜରୁୀ ପାଇ ନଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ମାଧ୍ୟମରେ ଭେଜିଗୁଡା ଗାଁର ୫୦ ଜଣ ଶ୍ରମିକ ଗାଁ ନିକଟରେ ଥିବା ପାହାଡ଼ରେ ଗାତ ଖୋଳିଥିଲେ ।  ହେଲେ କାମ କରିବାର ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ମଜୁରୀ ମିଳିନି । ହେଲେ ସରକାରୀ କାଗଜପତ୍ର କହୁଛି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଶ୍ରମିକଙ୍କ ନାଁରେ କାମ ବାବଦକୁ ଟଙ୍କା ଉଠାଇ ନେଇଛନ୍ତି । ସ୍ଥାନୀୟ ବିଡିଓ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜାଣତରେ ଏହି ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।

ଡାକ୍ତରଙ୍କ ପାଇଁ ଏସଓପି ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର:  ଡାକ୍ତରଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଏସଓପି । ସାରା ଦେଶରେ ଚାଲିଥିବା ଆନ୍ଦୋଳନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ଏହି ଏସଓପି । ସବୁ ମେଡ଼ିକାଲ କଲେଜ ଅଧ୍ଯକ୍ଷ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହି ଏସଓପି ଦିଆଯିବା ସହ କାର୍ଯ୍ୟକାରୀ କରିବା ପାଇଁ ଦିଆଯିବ ନିର୍ଦ୍ଦେଶ ।

ଆସନ୍ତାକାଲି ସୁଦ୍ଧା ଏସଓପି ଜାରି କରାଯିବା ସହ କଡାକଡି ପାଳନ ପାଇଁ ନିର୍ଦ୍ଦଶ ଦିଆଯିବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସନ୍ତୋଷ କୁମାର ମିଶ୍ର । ଡାକ୍ତରଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମଧ୍ୟ ୧୦ ଜଣିଆ ନ୍ଯାସନାଲ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଓଡିଶା ସ୍ବାସ୍ଥ୍ଯ ବିଭାଗ ମଧ୍ଯ ଏକ ଏସଓପି ଆଣିବ । ଆବଶ୍ୟକ ପଡ଼ିଲେ ଏହାର କଡା ତଦାରଖ କରାଯିବ ।

ହାଇକୋର୍ଟରେ ସ୍ଥଗିତ ରହିଲା ନର୍ଲା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ

ନର୍ଲା: ସ୍ଥଗିତ ରହିଲା ନର୍ଲା ବ୍ଲକ ଅଧ୍ଯକ୍ଷ ଉପନିର୍ବାଚନ । ସମିତି ସଭ୍ଯ ପଦ ଖାଲି ପଡ଼ିଥିବାରୁ ଅଧ୍ଯକ୍ଷ ପଦ ଉପନିର୍ବାଚନ ନକରିବାକୁ ଆବଦେନର ବିଚାର କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ଆବେଦନର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି । ସେପ୍ଟେମ୍ବର ୧୭ ତାରିଖ ଯାଏଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି ବିଧାୟକ ଭାବେ ନିର୍ବାଚିତ ହୋଇ ପଦରୁ ଇସ୍ତଫା ଦେଇଥିଲେ । ସେ କରମେ ପଞ୍ଚାୟତରୁ ସମିତି ସଭ୍ଯ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଇସ୍ତଫା ପରେ ପଦ ଖାଲିପଡ଼ିଛି । ଏଣୁ ପ୍ରଥମେ ସମିତି ସଭ୍ୟ ଉପନିର୍ବାଚନ ହୋଇ ପରେ ଅଧ୍ଯକ୍ଷ ପଦ ପାଇଁ ଉପନିର୍ବାଚନ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା ।

ନକ୍ସଲ ମୁକାବିଲା ପାଇଁ ଓଡ଼ିଶାର ଚୂଡାନ୍ତ ରଣନୀତି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ରାୟପୁରରେ ହେବାକୁ ଯାଉଛି ମାଓବାଦୀ ମୁକାବିଲା ରଣନୀତି ବୈଠକ । ଏଥିପାଇଁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି, ଗୃହ ବିଭାଗ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶା ନକ୍ସଲ ମୁକାବିଲାରେ ବିଶେଷ ସଫଳତା ଲାଭ କରି ଦେଶ ପାଇଁ ଉଦାହରଣ ସାଜିଛି । ସ୍ୱାଭିମାନ ଅଞ୍ଚଳ ମାଓବାଦୀ ମୁକ୍ତ ହେବା ପରେ ଓଡିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଉଛି । ଓଡ଼ିଶାରେ ଏବେ ୭ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା ରହିଛି । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ୨୦୧୩ରେ ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ୨୪ ତାରିଖରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଓଡିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ ।

ରାଇଘର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ

ନବରଙ୍ଗପୁର: ରାଇଘର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଲା ବିଜେଡି । ପଞ୍ଚାୟତ ସମିତି ସଭ୍ୟ ଗୁପ୍ତ ପ୍ରସାଦ ଝାଙ୍କର ରାଇଘର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ତୃପ୍ତିରଞ୍ଜନ ମାଝୀଙ୍କୁ ସେ ପରାସ୍ତ କରିଛନ୍ତି ।

ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ରହିଛନ୍ତି । ନିଜ ନିର୍ବାଚନ ମଣ୍ଡଳିରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ବିଜେପିକୁ ଶକ୍ତ ଝଟକା ଦେଇଛି ।

ଆଜି ମଧ୍ୟାହ୍ନ ୧୨ଟା ୩୦ରୁ ଭୋଟିଂ ଆରମ୍ଭ ହୋଇ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ।

କାଲି ପୁଣି ଖୋଲିବ ରତ୍ନଭଣ୍ଡାର; ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ, ଦିନ ଗୋଟାଏ ପରେ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହା ମଧ୍ଯରେ ଥିବା ଖାଲି ସିନ୍ଦୁକ ଓ ଆଲମିରାକୁ କରାଯିବ ସ୍ଥାନାନ୍ତରଣ । ଏଥିପାଇଁ ଦିନ ଗୋଟାଏ ପରଠୁ ସର୍ବସାଧାରଣ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।

ଏହି ସମୟରେ ମହାପ୍ରସାଦ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ଆନନ୍ଦ ବଜାରକୁ ଯାଇପାରିବେ । ଭିତର ବେଢାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଖୋଲା ରହିବା ସହ କେବଳ ପାଳିଆ ସେବକ ସେବାକାର୍ଯ୍ୟ ପାଇଁ ନିୟୋଜିତ ରହିବେ ।

ସେହିପରି ସ୍ଥାନାନ୍ତରଣ ପକ୍ରିୟାରେ ନିୟୋଜିତ ପାଧିକୃତ ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।