spot_img
Home Blog Page 1762

ରାଉରକେଲାରେ ପୁଣି ଲଜ୍ଜା; ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲା ସହରରେ ପୁଣି ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘର ମାଲିକଙ୍କ ଶଳା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଦିତନଗର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟପଟେ ଅସୁରକ୍ଷିତ ପାଲଟିଛି ରାଉରକେଲା ସହର? ଦିନକୁ ଦିନ ସହରରେ ଅପରାଧ ବଢିଚାଲିଛି । ଗତ କିଛିଦିନ ଭିତରେ ୨ଟି ସମାନ ଘଟଣା ସାମ୍ନାକୁ ଆସିଥିଲା । ରାଉରକେଲାରେ ଆଇନ ଶୃଙ୍ଖଳାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିିଛି ।

ଦ୍ବିତୀୟ ଦିନରେ ପହଞ୍ଚିଲା ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ; ସାରା ରାଜ୍ୟରେ ବ୍ୟାହତ ରୋଗୀ ସେବା

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ଦିନରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ଭୁବନେଶ୍ବରରୁ ବ୍ରହ୍ମପୁର, ରାଉରକେଲାରୁ ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ସମସ୍ତ ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ଖୋଜିଲେ ବି ନର୍ସ ମିଳୁନାହାନ୍ତି। ରାଜ୍ଯରେ କାର୍ଯ୍ଯବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଫଳରେ ସ୍ବାସ୍ଥ୍ଯ ସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଗତ ବୁଧବାର ଓ ଗୁରୁବାର ଆନ୍ଦୋଳନ କରିଥିଲେ ବି ଜରୁରୀକାଳୀନ ସେବା ଯୋଗାଉଥିଲେ ନର୍ସ । ହେଲେ ସରକାର ଦାବି ନଶୁଣିବାରୁ ଶୁକ୍ରବାରଠୁ ସମ୍ପୂର୍ଣ୍ଣ କାର୍ଯ୍ଯବନ୍ଦ ଆନ୍ଦୋଳନ କରିଛନ୍ତି ନର୍ସ । ବିକ୍ଷୋଭରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି । ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ଦାବି କରିଛି ସଂଘ । ଏହାସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସର ମାନଙ୍କୁ ସ୍ଥାୟୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜିତ ହୋଇଥିବା ଆଦେଶ ପ୍ରତିହାର ପରି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ କର୍ମଚାରୀ ସଂଘ ।

ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା: ସାରା ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ଭଦ୍ରକ: ଭଦ୍ରକ ପୁରୁଣାବଜାର ଓ ସନ୍ଥିଆରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ। ଉତ୍ତେଜନା ପ୍ରକାଶ ପରେ ଭଦ୍ରକ ପୁରୁଣାବଜାର, ଚନ୍ଦନବଜାର, ସନ୍ଥିଆ ଅଞ୍ଚଳ ସମେତ ଧାମନଗର ଏନଏସି ଓ ଦୋବଲରେ ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫୁ ଜାରି କରାଯାଇଛି। ଏଥିସହ ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସହରରେ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଂ କରାଯାଉଛି। ଆବଶ୍ୟକତା ଅନୁସାରେ ଅଧିକ ଫୋର୍ସ ମୁତୟନ ପାଇଁ ଯୋଜନା କରାଯାଉଛି। ଘଟଣାକୁ ନେଇ ଭଦ୍ରକରେ ୧୦ ଓ ଧାମନଗରରେ ୯ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟ ପକ୍ଷର ମୁରବିଙ୍କୁ ନେଇ ଶାନ୍ତି କମିଟି ବୈଠକ ଡକାଯିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି।

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ପ୍ରଥମେ ଗୋଟିଏ ଗୋଷ୍ଠୀର ଶତାଧିକ ଲୋକ ଟାୟାର ଜାଳି ଏକ ରାଲି ବାହାର କରୁଥିବା ବେଳେ, ଭଦ୍ରକ ସନ୍ଥିଆ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ରକ ପୋଲିସ ଏହି ରାଲି ବନ୍ଦ କରି ଦୋଷୀକୁ ଧରିବାକୁ ଯାଉଥିବା ବେଳେ ପଥର ମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଏଥିସହ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ପୋଲିସ ଉପରକୁ ଆକ୍ରମଣ ବେଳେ ଗାଡି ଭଙ୍ଗାରୁଜା ବେଳର ଭିଡିଓ ଯାଞ୍ଚ କରାଯାଉଛି।

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସଦଭାବନା ବ୍ୟାହତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ଆସୁଛି ଏଭଳି ଖବର । କୁହୁଡି, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଧାମନଗର ଆରଡି ସମେତ ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଛି। କିନ୍ତୁ ସବୁ ଜାଣିଥିଲେ ବି ଚୁପ ବସିଛି ପୋଲିସ ପ୍ରଶାସନ। ଯଦି ଏଭଳି ପରିସ୍ଥିତି ଜାରି ରୁହେ, ତେବେ ଆଗକୁ କେତେବେଳେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ତାହା କହିହେବ ନାହିଁ।

ରାଉରକେଲା ସହରରେ ଚାଞ୍ଚଲ୍ୟ, ନାବାଳିକାକୁ ଅପହରଣ ଉଦ୍ୟମ

ରାଉରକେଲା: ରାଉରକେଲା ସହରରେ ଚାଞ୍ଚଲ୍ୟ। ଜଣେ ନାବାଳିକାକୁ ୫ ଜଣ ଯୁବକ କାରରେ ଅପହରଣ କରି ନେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେକ୍ଟର ୭ ଥାନା ଛକ ନିକଟରୁ ନାବାଳିକାକୁ କାରରେ ଉଠାଇ ନେଇଥିଲେ ଅପହରଣକାରୀ। ତେବେ ଅପହରଣ କରିବାରେ ବିଫଳ ହେବା ପରେ ନାବାଳିକାକୁ ଘଣ୍ଟାଏ ପରେ ଛାଡି ଦେଇଥିବା ଜଣାପଡିଛି। ସେକ୍ଟର ୭ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ୫ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

 

ତେଜିଲା ଇସ୍ରାଏଲ ଲେବାନନ ସଂଘର୍ଷ, ହେଜବୁଲ୍ଲାର କାର୍ଯ୍ୟକାରୀ ପରିଷଦ ମୁଖ୍ୟ ନିହତ

ନନ୍ଦିଘୋଷ ବ୍ୟୁରୋ : ତେଜିଲା ଇସ୍ରାଏଲ ଲେବାନନ୍ ସଂଘର୍ଷ। ଶୁକ୍ରବାର ଲେବାନନ ଉପରେ ଜବରଦସ୍ତ ଆକ୍ରମଣ କରିଛି ଇସ୍ରାଏଲର ସେନା। ରାଜଧାନୀ ବେରୁତରେ ଏକାଧିକ ଟାର୍ଗେଟ ଉପରେ ହୋଇଛି ଏୟାର ଷ୍ଟ୍ରାଇକ। ହେଜବୁଲ୍ଲାର ମୁଖ୍ୟାଳୟକୁ ଟାର୍ଗେଟ କରି ହୋଇଥିଲା ଏହି ଆକ୍ରମଣ। ଏଥିରେ ବେରୁତରେ ଥିବା ୬ଟି କୋଠା ସମ୍ପୂର୍ଣ୍ଣ ଧ୍ଵଂସସ୍ତୁପ ପାଲଟିଛି। ଆକ୍ରମଣରେ ହେଜବୁଲ୍ଲାର କାର୍ଯ୍ୟକାରୀ ପରିଷଦ ପ୍ରମୁଖଙ୍କ ମୃତ୍ଯୁ ହୋଇଛି। ଏଥିରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ବର୍ତ୍ତମାନ ଯାଏଁ ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ଏହା ହେଉଛି ସବୁଠାରୁ ଭୟଙ୍କର ଯୁଦ୍ଧ ବୋଲି କୁହାଯାଉଛି।

ସେପଟେ ହେଜବୁଲ୍ଲା ପରେ ଏବେ ୟେମେନରୁ ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ବାଲିଷ୍ଟିକ ମିସାଇଲ ଆକ୍ରମଣ କରିଥିଲା ହୁତି ଆତଙ୍କୀ। ଆକାଶମାର୍ଗରେ ହିଁ ନଷ୍ଟକଲା ଇସ୍ରାଏଲର ସେନା। ଯୁଦ୍ଧରେ ୩ଟି କ୍ଷେତ୍ରରେ ଶତ୍ରୁଙ୍କ ସହ ମୁକାବିଲା କରୁଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ। ଆକ୍ରମଣ ଏମିତି ଏକ ସମୟରେ ଘଟିଛି ଯେତେବେଳେ ୟେମେନର ହୁତିମାନେ ଗାଜାରେ ଚାଲିଥିବା ସଂଘର୍ଷ ମଧ୍ୟରେ ଆଉ ଏକ ରଣକ୍ଷେତ୍ର ଖୋଲି ଇସ୍ରାଏଲ ଉପରେ ଚାପ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।

ଅଧା ରହିଗଲା ଜଗା ଦର୍ଶନ: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ୪ ମୃତ, ୧୭ରୁ ଅଧିକ ଗୁରୁତର

ବାଲେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଏକତାଳି ବାଇପାସ୍ ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୪ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୭ରୁ ଅଧିକ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜଳେଶ୍ଵର ପୋଲିସ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଉତ୍ତରପ୍ରଦେଶରୁ ପୁରୀ ଯାଉଥିଲା କ୍ରୀଷ୍ଣା ତୀର୍ଥଯାତ୍ରୀ ବସ। ବସରେ ୫୭ ଜଣ ଯାତ୍ରୀ ଥିଲେ।

୧ କୋଟି ୪୦ ଲକ୍ଷ ଲୋକଙ୍କ ହାତରେ ଦେଶର ୯୦ ପ୍ରତିଶତ ସମ୍ପତ୍ତି

0

ଭୁବନେଶ୍ବର: ଜିଏସଟି ବଢୁଛି । ଜିଡିପି ବଢୁଛି । ହେଲେ ବଢୁନି ଲୋକଙ୍କ ମୁଣ୍ଡ ପିଛା ଆୟ । ଆଁ କଲାଣି ଧନୀ ଗରିବ ତାରତମ୍ୟ । ୧୪୦ କୋଟି ବିଶିଷ୍ଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇ ଚାଲିଛି ସମ୍ପତ୍ତି । ଆମେରିକାର ଗ୍ଲୋବାଲ ଫାଇନାନସିଆଲ ଇଣ୍ଟିଗ୍ରିଟି ଅର୍ଥନୈତିକ ଗବେଷକଙ୍କ ଭାରତ ସମ୍ପର୍କରେ ଏଭଳି ଅନୁଶୀଳନ ଏବେ ସମସ୍ତଙ୍କୁ ଚକିତ କରିଛି ।

ବେରୋଜଗାରୀ, ଦରଦାମ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ଦେଉଛି । କ୍ରୋନି କ୍ୟାପିଟାଲିଜିମ୍ ଓ କିଛି ମୁଷ୍ଟିମେୟ ବିଲିୟନାରୀଙ୍କ ଯୋଗୁ ଧନୀ ଅଧିକ ଧନୀ ହୋଇଚାଲିଛନ୍ତି । ଏହାର ଅର୍ଥ ୧ କୋଟି ୪୦ ଲକ୍ଷ ଲୋକଙ୍କ ହାତରେ ଦେଶର ୯୦ ପ୍ରତିଶତ ଧନ ଠୁଳ ହେଉଥିବାବେଳେ ବାକି ଲୋକ ମାତ୍ର ୧୦ ପ୍ରତିଶତ ଧନରେ ନିଜର ଗୁଜରାଣ ମେଣ୍ଟାଉଛନ୍ତି । ଆଗରୁ ମଧ୍ଯ ଧନୀ ଓ ଗରିବ ଭିତରେ ବ୍ୟବଧାନ ଥିଲା । କିନ୍ତୁ ୨୦୧୪ ପରଠୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏବେର କେନ୍ଦ୍ର ସରକାର ବାସ୍ତବତା ଯାହା ଥିଲେ ବି ଜିଏସ୍ଟି ଓ ଜିଡିପିକୁ ଦେଖାଇ ପ୍ରଚାରରେ ମାତିଛନ୍ତି । ବିରୋଧୀ ଓ ବିଶେଷଜ୍ଞଙ୍କ ଅଭିଯୋଗ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି ଦେଶର ଋଣଭାର ।

ଏବେ ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ୬୮୯.୪୬ ବିଲିୟନ୍ ଆମେରିକୀୟ ଡଲାର । କିନ୍ତୁ ଯେତିକ ଋଣ ହେଲାଣି ମୋଟ ବୈଦେଶିକ ମୁଦ୍ରାର ୯୫ ପ୍ରତିଶତ । କଂଗ୍ରେସ କହିଛି ଏପରି ଚାଲିଲେ ୨୦୪୭ ବେଳକୁ ବିକଶିତ ନୁହେଁ ବିକ୍ଷିପ୍ତ ଭାରତ ଭାବେ ବିଶ୍ବରେ ପରିଚୟ ପାଇବ ।

ଏବେକାର କେନ୍ଦ୍ର ସରକାର ପୁଞ୍ଜିବାଦ ଉପରେ ବେଶୀ ବିଶ୍ବାସ କରନ୍ତି । ନୋବେଲ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନଙ୍କ ମତରେ ଭାରତର ଆର୍ଥିକ ସମାନତା ସେତିକିବେଳ ଆସିବ ଯେତେବେଳେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ମାଗଣା ମିଳିବ । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାର ଡବଲ୍ ଇଞ୍ଜିନ୍ ନାଁରେ ରାଜ୍ୟ ରାଜ୍ୟ ଭିତରେ ଏକ ପ୍ରକାର ବୈଷମ୍ୟ ଭାବନା ବୁଣିଚାଲିଛନ୍ତି । ଯେଉଁଠି ଡବଲ୍ ଇଞ୍ଜିନ ନାହିଁ ସେଠି ବିକାଶ ନାହିଁ । ସ୍ବାଧୀନ ଭାରତରେ ବୋଧହୁଏ ଆଗରୁ କୌଣସି ସରକାର ଏପରି ଆଇନା ଦେଖାଇ ନଥିଲେ । ଅଭିବୃଦ୍ଧି ସହିତ ଲୋକଙ୍କ ମୁଣ୍ଡପିଛା ଆୟର କୌଣସି ସମ୍ପର୍କ ନାହିଁ । ଯଦି ତା ହୋଇଥାନ୍ତା ଦେଶର ଜିଡିପି ସହିତ ଲୋକଙ୍କ ପାଖରେ ରୋଜଗାର ମିଳୁଥାନ୍ତା । ଦରଦାମ ବି ସମସ୍ତଙ୍କୁ ସୁହାଇଲାଭଳି ହୋଇଥାନ୍ତା । ଜାତୀୟବୋଧ ନେଇ ଲୋକଙ୍କୁ ଏକଜୁଟ କରିବା ଭଲ । କିନ୍ତୁ ଯେତେବେଳେ ପେଟକୁ ଦାନା ନଥିବ ସେତେବେଳେ ସେଦିନ ଦୂର ନୁହେଁ ଭାରତରେ ଶ୍ରୀଲଙ୍କା, ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି ହେବ ।

ଆସନ୍ତା ଅକ୍ଟୋବର ୧ରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ବର: ଲଗାଣ ବର୍ଷାରେ ବେହାଲ ଓଡିଶା। ଉପାନ୍ତରୁ ଉପକୂଳ ସବୁଠି ଲାଗି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲା ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିବ। ୨୯ ଓ ୩୦ ତାରିଖରେ ବର୍ଷାର ପରିମାଣରେ ସାମନ୍ୟ କମିପାରେ। ତେବେ ଆସନ୍ତା ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ । ବାଂଲାଦେଶ ତଥା ନିକଟସ୍ଥ ଉତ୍ତର-ପୂର୍ବ ରାଜ୍ୟ ଗୁଡିକ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।

ପ୍ରବଳ ବର୍ଷା ନେଇ ୧ ତାରିଖରେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜଳବନ୍ଦୀ ସମସ୍ୟା ଉପୁଜିଲେ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅକ୍ଟୋବର ୨ରୁ ୬ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବ ବିଜେଡି

0

ଭୁବନେଶ୍ୱର: ଶଙ୍ଖ ଭବନରେ ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ୩୩ଟି ସାଙ୍ଗଠନିକ ସଭାପତି ମାନଙ୍କ ସହ କୋଡିନେସନ୍ କମିଟିର ଆଲୋଚନା ହୋଇଛି ।

ଆସନ୍ତା ଅକ୍ଟୋବର ୨ତାରିଖ ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରାଯିବ ବିଜେଡି । ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨୧ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ଜିଲ୍ଲା ଓ ୩ ଟି ସଙ୍ଗଠନ ଜିଲ୍ଲାର ଅକ୍ଟୋବର ୯ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ମଧ ଆରମ୍ଭ ହେବ । ଜିଲ୍ଲା ନେତୃତ୍ୱ ଓ ନିର୍ବାଚନ ମଣ୍ଡଳୀର ନେତୃତ୍ୱକୁ ନେଇ କାର୍ଯ୍ୟ କରାଯିବ । ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଛି। ନବୀନ ପଟ୍ଟନାୟକ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କଲେ । ଦଳକୁ ଅଧିକ ମଜବୁତ୍ କିପରି କରାଯିବ ସେନେଇ ଆଲୋଚନା ହୋଇଛି ।

ବରିଷ୍ଠଙ୍କ ସହ ନବୀନଙ୍କ ବିଚାର ବିମର୍ଶ, ବିଜେପି ସରକାରର ବିଫଳତା କହିବ ବିଜେଡି

ଭୁବନେଶ୍ୱର: ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକ କହିଛନ୍ତି ।

ଆଜି ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ନବୀନ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ନବୀନ କହିଥିଲେ ଯେ ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ନବୀନ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍‌ ରହିଛି ।

ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ନବୀନ କହିଥିଲେ ଯେ ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ । ଅକ୍ଟୋବର ୬ ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ । ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରୀ ରହିବ ବୋଲି ଘୋଷଣା କରିଥିଲେ ।

ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ନବୀନ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।