spot_img
Home Blog Page 1773

ହ୍ବାଇଟହାଉସ ଲାଗି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ

ଓ୍ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଡୋନାଲଡ ଟ୍ରମ୍ପଙ୍କୁ ସଫଳତା। ହ୍ବାଇଟହାଉସ ଲାଗି ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ନାମକୁ ଚୂଡ଼ାନ୍ତ ଘୋଷଣା କରାଯାଇଛି। ଗୁଳିମାଡରୁ ଅଳ୍ପକେ ବର୍ତ୍ତିଥିବା ଟ୍ରମ୍ପଙ୍କ ଲାଗି ସଫଳତାର ଜୟଯାତ୍ରା ଏକପ୍ରକାର ଆରମ୍ଭ ହୋଇଛି। ମିଲୱାଉକିରେ ଅନୁଷ୍ଠିତ ନ୍ଯାସନାଲ କନଭେନସନରେ ଟ୍ରମ୍ପଙ୍କ ନାମକୁ ବିଧିବଦ୍ଧ ଘୋଷଣା କରାଯାଇଛି। ଫଳରେ ଆସନ୍ତା ନଭେମ୍ବର ୫ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କ ଟକ୍କର ସୁନିଶ୍ଚିତ ହୋଇଛି। ପେନସିଲଭାନିଆ ନିର୍ବାଚନୀ ସଭାରେ ଭାଷଣ ଦେଉଥିବାବେଳେ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା। ଦଳ ପକ୍ଷରୁ କୁହାଯାଇଛି ଟ୍ରମ୍ପ ଚୂଡାନ୍ତ ଭାବେ ଦଳର ପ୍ରାର୍ଥୀ ହେବେ। ୧୨୫ ଜଣିଆ ଡେଲିଗେଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।

ସ୍ତ୍ରୀ କଥା ଶୁଣିଲେନି କେହି, ସମସ୍ତଙ୍କ ସାମ୍ନାରେ ଦ୍ୱିତୀୟ ବିବାହ କଲା ସ୍ୱାମୀ

ଭୋପାଲ : ମଧ୍ୟପ୍ରଦେଶର ଉମରିୟାରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାର ସାମୁହିକ ବିବାହରେ ହଙ୍ଗାମା । କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ଜଣେ ମହିଳା କଅଁଳା ଛୁଆକୁ ଧରି ଚିଲ୍ଲାଇ ଚିଲ୍ଲାଇ ମୋ ସ୍ୱାମୀ ଦ୍ୱିତୀୟ ବିବାହ କରୁଛି ବୋଲି ଅଭିଯୋଗ କରିଥିଲା । ସେ କହିଥିଲା କି ମୋ ସ୍ୱାମୀ ବିବାହିତ ହୋଇ ମଧ୍ୟ ଏଠି ଅବିବାହିତ ଭାବେ ଆଉଥିରେ ବିବାହ କରିବାକୁ ଆସିଛି । ଆଶ୍ଚର୍ଯ୍ୟର କଥା ଯେ, ମହିଳାଙ୍କ ଏପରି ଅଭିଯୋଗ ଏବଂ ହୋ ହାଲ୍ଲାକୁ କେହି କର୍ଣ୍ଣପାତ କରିନଥିଲେ  । ବରଂ ସେ ଯେଉଁ ଯୁବକକୁ ନିଜ ସ୍ୱାମୀ ବୋଲି କହୁଥିଲା , ସେ ତାକୁ ଚିହ୍ନି ନଥିବା କହିଥିଲା  ଏବଂ ସେ ପୁନର୍ବାର ବିବାହ ମଧ୍ୟ କରିଥିଲା ।

ଏହି ଘଟଣାଟି ପାଲି ଜନପଦ ସ୍ଥିତ ଘୁନଘୁଟୀର । ସୋମବାର ଏଠାରେ ସାମୁହିକ ବିବାହର ଆୟୋଜନ ହୋଇଥିଲା  । ବହୁ ବର କନ୍ୟା ବିବାହ କରିବାକୁ ପହଞ୍ଚିଥିଲେ । ଏହା ଭିତରେ ଚିନକୀ ଗାଁର ଲଲିତା ବାଇ ଯେତେ ବେଳେ ଜାଣିଲା କି ତା ସ୍ୱାମୀ ଧରମ ସିଂହ ସାମୁହିକ ବିବାହରେ ଗାଁର ଆଉ ଜଣେ ଯୁବତୀ ସହ ବିବାହ କରୁଛି, ସେ ସଙ୍ଗେ ସଙ୍ଗେ ନିଜ ବାପା ଏବଂ ଛୋଟ ଝିଅକୁ ନେଇ ସେଠାରେ ପହଞ୍ଚିଥିଲା । ଆଉ ସେଠାରେ ସେ ସଭିଙ୍କୁ ଚିତ୍କାର କରି କରି ନିଜ ସ୍ୱାମୀର ଦ୍ୱିତୀୟ ବିବାହକୁ ପ୍ରତିବାଦ କରିଥିଲା ଏବଂ ବାହାଘର ରୋକିବାକୁ ଚେଷ୍ଟା କରିଥିଲା । ହେଲେ ସେଠାରେ ଗରିବ ବାପା ଏବଂ ଝିଅର ଦୁଃଖ ଶୁଣିବାକୁ କେହି ଆସିଲେ ନାହିଁ ।

ଅନ୍ୟପଟେ ମହିଳାଟିର ସ୍ୱାମୀ ଦ୍ୱିତୀୟ ବିବାହ କରି ପଳାଇ ଆସିଲା  । କିନ୍ତୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ମୀନା ସିଂହ ଏବଂ  ସମସ୍ତ ଅଧିକାରୀ କୌଣସି ପଦକ୍ଷେପ ନେଲେ ନାହିଁ କି ଘଟଣାର ତଦନ୍ତ କଲେ ନାହିଁ । ସେପଟେ ଧରମ ସିଂ ନିଜ ପତ୍ନୀ ଏବଂ ଝିଅକୁ ଚିହ୍ନି ନଥିବା କହିଥିଲା  ଓ କହିଥିଲା କି ମୁଁ ଅବିବାହିତି , ଆଉ ଏମାନଙ୍କୁ ଚିହ୍ନିନାହିଁ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବରିଷ୍ଠ ଅଧିକାରୀ କୌଣସି ପଦକ୍ଷପ ଗ୍ରହଣ କରି ନାହାନ୍ତି ।

ବିଦ୍ୟୁତ ଆଘାତରେ ୧୫ ଶିଶୁ ଆହତ ଘଟଣା, ୫ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡାରେ ବିଦ୍ୟୁତ ଆଘାତରେ ୧୫ ଶିଶୁ ଆହତ ଘଟଣା । ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ରାମାୟଣ ନାଟକ ପାଇଁ ଯେଉଁ ବିଦ୍ୟୁତ ସଂଯୋଗ ହୋଇଥିଲା ତାହା ବେଆଇନ ଥିଲା। ହୁକ ପକାଇ ଚାଲିଥିଲା ରାମାୟଣ ।
ବିଭାଗୀୟ ତଦନ୍ତ ପରେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଓ ବିଜୟ କୁମାର ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

ଜାମିନ ନାମଞ୍ଜୁର ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଗୋଟିଏ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ପରିବେଷିତ ହୋଇଥିଲା ରାମାୟଣ । ଗତ ରବିବାର ଦିନ ରାମାୟଣ ଦେଖିବା ସମୟରେ ବିଦ୍ୟୁତ ଆଘାତରେ ୧୫ ଶିଶୁ ଆହତ ହୋଇଥିବା ବେଳେ ୮ ଶିଶୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇଥିଲେ ।

ଜାମ୍ମୁ ଓ କାଶ୍ମୀରରେ ଥମୁନି ଆତଙ୍କବାଦ, ଆର୍ମି ଅଫିସର ସମେତ ୪ ସହିଦ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଥମୁନି ଆତଙ୍କବାଦ। ଡୋଡାରେ ଆତଙ୍କବାଦୀଙ୍କ ଗୁଳିରେ ଆର୍ମି ଅଫିସର ଓ ୩ ଯବାନ ସହିଦ। ଦେଶା ଜଙ୍ଗଲ ଇଲାକାରେ ହୋଇଛି ଗ୍ରେନେଡ ହମଲା। ହମଲା ପରେ ସେନା ଓ ଜାମ୍ମୁ କାଶ୍ମୀର ପୋଲିସର ବ୍ଯାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ୩୨ ମାସ ମଧ୍ଯରେ ଗଲାଣି ୪୦ ଯବାନଙ୍କ ଜୀବନ। ସ୍ଥାନୀୟ ଅଞ୍ଚଳରେ ୬୦ ବିଦେଶୀ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସେଠାରେ କରାଯାଇଥିଲା ସର୍ଚ୍ଚ ଅପରେସନ।

ତେବେ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ହମଲା କରିଥିଲେ। ଡୋଡା ସହରଠାରୁ ୫୫ କିଲୋମିଟର ଦୂର ଦେସା ଜଙ୍ଗଲ ଇଲାକାରେ ଧାରି ଗୋଟେ ଉରାରବାଗି ଅଞ୍ଚଳରେ ସ୍ପେସାଲ ଅପରେସନ ଗ୍ରୁପ ଓ ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ କର୍ଡନ ଓ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହି ଘଟଣାରେ ୫ ଜଣ ଯବାନ ଆହତ ହୋଇଥିବାବେଳେ ୪ ଜଣ ପ୍ରାଣ ହରାଇଥିଲେ। ସେପଟେ ଏହି ଆତଙ୍କୀ ହମଲା ଲାଗି ନିଜକୁ ଦାୟୀ କରିଛି କାଶ୍ମୀର ଉପତ୍ଯକାର କାଶ୍ମୀର ଟାଇଗର୍ସ ନାମକ ଏକ ଆତଙ୍କୀ ସଂଗଠନ। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ- ମହମ୍ମଦର ଏକ ସହଯୋଗୀ ସଂଗଠନ କାଶ୍ମୀର ଟାଇଗର୍ସ।

ରମ୍ପେଲା ସେତୁ ନିକଟରେ ଗୁଳିକାଣ୍ଡ , ଜଣେ ଗୁରୁତର

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିକୁ ସଂଯୋଗ କରୁଥିବା ରମ୍ପେଲା ସେତୁ ନିକଟରେ ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର ହୋଇଛି। ଆହତ ଜଣକ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲର ମନୋଜ ବାରିକ ହୋଇଥିବା ବେଳେ ଗୁଳି ଚଳାଇଥିବା ଯୁବକ ଜଣକ ବନ୍ଧବାହାଲର ଏମଡି ସୋନୁ ବୋଲି ଜଣାପଡିଛି  । ଆହତ ମନୋଜଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ପ୍ରଥମେ ତାଙ୍କୁ ବନ୍ଧବାହାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି  । ବନହରପାଲି ପୋଲିସ ଏନେଇ ସୂଚନା ପାଇ ତଦନ୍ତ କରିଛି ।

ଆଜି ଦଶମୀରେ ରଥ ଉପରେ ହେବ ନୀତିକାନ୍ତି , କାଲି ସୁନାବେଶ

ପୁରୀ : ନବଦିନାତ୍ମକ ରଥଯାତ୍ରା ସାରି ଭାଇ ଭଉଣୀଙ୍କୁ ନେଇ ବାହୁଡ଼ିଛନ୍ତି ମହାବାହୁ । ଆଜି ଦଶମୀ ସହ ସଂକ୍ରାନ୍ତି ଥିବାରୁ ରଥ ଉପରେ ହେବ ନୀତିକାନ୍ତି । ୩ ରଥରେ ସକାଳ ୬ଟାରୁ ମଙ୍ଗଳ ଆଳତି କରାଯାଇ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ଣ ୨ଟାରେ ମଧ୍ଯାହ୍ଣ ଧୂପ ଲାଗି ହେବ । ରାତି ୯ଟା ୩୦ରେ ବଡ଼ ସିଂହାର ବେଶ ପରେ ବଡ଼ ସିଂହାର ଭୋଗ ଲାଗି ହେବ । ରାତି ୧୧ଟାରେ ପଡ଼ିବ ପହୁଡ଼ । ଆସନ୍ତାକାଲି ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ । ମହଣ ମହଣ ସୁନାରେ ସଜେଇ ହୋଇ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତୀ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୪୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଗୁରୁବାର ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ପାଇଁ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଶୁକ୍ରବାର ନୀଳାଦ୍ରୀ ବିଜେ ନୀତି । ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ ଜଗତ ଠାକୁର ।

ସୁନାବେଶ ଓ ଅଧରପଣା ପାଇଁ ପୁରୀରେ ଜମିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯାତାୟାତ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ବ୍ଯବସ୍ଥା । ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ ସୁନାବେଶ ପାଇଁ ୪୩ଟି ଏବଂ ଅଧରପଣା ପାଇଁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ପୂର୍ବତଟ ରେଳବାଇ ପକ୍ଷରୁ ଚଳିତ ରଥଯାତ୍ରା ପାଇଁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା ​​।

୫ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ଯନ୍ତ ୨୩୯ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି । ସୁନାବେଶ ପାଇଁ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ । ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ । ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ।

ଫେରିଲେ ଶ୍ରୀଜିଉ, ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

ପୁରୀ: ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ର ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ଫେରିଛନ୍ତି ତିନି ଠାକୁର । ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ଓ ପରେ ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିବା ପରେ ଶେଷରେ ଝୁଲିଝୁଲି ଆସିଥିଲେ କାଳିଆ ସାଆଁନ୍ତ । ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଆଗକୁ ଆସିବା ପୂର୍ବରୁ ରାଜ ନଅର ଆଗରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା । ଗଜପତି ମହାରାଜା ରଥରେ ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଯାଇଥିଲେ ।

୯ ଦିନ ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷ ଯାତ୍ରାରେ ଯାଇଥିଲେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରାସାରି ଆଜି ନୀଳକନ୍ଦର ଫେରିଛନ୍ତି ଶ୍ରୀଜିଉ । ଭକ୍ତର ସମୁଦ୍ରରେ ଭକ୍ତିର ଲହଡ଼ି, ଭକତ ମେଳରେ ବାହୁଡିଛନ୍ତି କାଳିଆ ସାଆଁନ୍ତ ।

ନୀତି ନିର୍ଘଣ୍ଟର ପୂର୍ବରୁ ପହଣ୍ଡି ହୋଇ ୩୫ ମିନିଟ ପୂର୍ବରୁ ହୋଇଥିଲା ରଥଟଣା । ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯିବା ପରେ ଧାଡ଼ି ପହଣ୍ଡିରେ ଆସିଥିଲେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କୋଟି ଓଡ଼ିଆଙ୍କ ସାଆଁନ୍ତ ମହାପ୍ରଭୁ ଜଗନ୍ନାଥ । ଶ୍ରୀଦିବ୍ୟସିଂହ ଦେବ ଶ୍ରୀନହରରୁ ମେହେନାରେ ଆସି ଛେରାପହଁରା କରିଥିଲେ । ପ୍ରଥମେ ଗଜପତି ବଡଠାକୁରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ସୁନା ଖଡିକାରେ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଥଟଣା ।

ଅପରାହ୍ନ ୩ଟା ୨୪ରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା । ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିରରେ । ସେବାୟତମାନେ ସେଠାରେ ୩ ରଥରେ ମାଉସୀ ମାଆଙ୍କ ଦ୍ବାର ପ୍ରସ୍ତୁତ ପୋଡ଼ ପିଠା ଲାଗି କରିଥିଲେ ।

ଆସନ୍ତାକାଲି ସଂକ୍ରାନ୍ତି ଥିବାବେଳେ ବୁଧବାର ସୁନାବେଶ ସହିତ ଗୁରବାର ଅଧରପଣା ଓ ଶୁକ୍ରବାର ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ । ସୁରକ୍ଷା ପାଇଁ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏକ ହଜାରରୁ ଊର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ପୁରୀର ସମସ୍ତ ପ୍ରବେଶ ପଥରେ ଆରକ୍ଷୀ ବାହିନୀକୁ ମୁତୟନ କରାଯାଇଛି । ବାହୁଡ଼ା ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ କେତେକ କଟକଣା କରାଯାଇଥିଲା ।

ଆବଶ୍ୟକ ପଡ଼ିଲେ ଆରଡିସି ସ୍ତରରେ ହେବ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ କେବଳ ଭୁବନେଶ୍ବର ନୁହେଁ, ଆବଶ୍ୟକ ପଡ଼ିଲେ ଆରଡିସି ସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରର ଦ୍ବିତୀୟ ସୋମବାରରେ ଆଜି ୧୭ ଶହ ଅଭିଯୋଗର ଶୁଣାଣି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ । ଶିବିରରେ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାର, ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ବାଲଙ୍କ ସହିତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଣିକି ଜିଲ୍ଲା ସ୍ତରରେ ଚାଲିଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରାଯିବା ସହ ଆବଶ୍ୟକ ପଡ଼ିଲେ କେବଳ ଭୁବନେଶ୍ବରରେ ଶୁଣାଣି ନକରି ଆରଡିସି ସ୍ତରକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରେଷ୍ଠ ୧୦ ତାଲିକାରେ ଓଡ଼ିଶା, ଦାରିଦ୍ର୍ୟ ଦୂରୀକରଣରେ ରେକର୍ଡ

ଭୁବନେଶ୍ବର: ଦେଶର ଟପ୍ ଟେନ୍ ଫ୍ରଣ୍ଟ୍ ରନର ରାଜ୍ୟ ଭିତରେ ଓଡ଼ିଶା । ରାଜ୍ୟକୁ ମିଳିଛି ୬୬ ପଏଣ୍ଟ । ୨୦୨୩-୨୪ ବର୍ଷର ନିରନ୍ତର ବିକାଶ ରିପୋର୍ଟରେ ନୀତି ଆୟୋଗ ଓଡ଼ିଶାର ସଫଳତାକୁ ବଖାଣିଛନ୍ତି । ବିଏସକେଓ୍ବାଇ, କାଳିଆ, ମୁକ୍ତା, ମନରେଗା ଯୋଜନା କାର୍ଯ୍ୟକାରୀ କରି ପୂର୍ବ ସରକାର ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହିତ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଥିଲେ ବୋଲି କୁହାଯାଇଛି ।

ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶାର ରେକର୍ଡ । ଆକାଂକ୍ଷିତ ରାଜ୍ୟରୁ ଫ୍ରଣ୍ଟ୍ ରନର ରାଜ୍ୟ ପାଲଟିଛି ଓଡ଼ିଶା । ୧୦ଟି ଶ୍ରେଷ୍ଠ ରାଜ୍ୟ ଭିତରେ ସ୍ଥାନ ପାଇଛି ରାଜ୍ୟ । ସର୍ବଭାରତୀୟ ସ୍ତରରେ ଓଡ଼ିଶାକୁ ମିଳିଛି ୬୬ ପଏଣ୍ଟ । ୨୦୨୩-୨୪ ଆର୍ଥିକ ବର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ତାଲିକାରେ ଭାରତ ସରକାରଙ୍କ ନୀତି ଆୟୋଗ ଓଡ଼ିଶା ସଫଳତା ବଖାଣିଛନ୍ତି । ନବୀନ ସରକାର ସମୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଚାଷୀଙ୍କ ପାଇଁ କାଳିଆ ସହାୟତା ଗରିବଙ୍କ କଷ୍ଟାର୍ଜିତ ରୋଜଗାର ସଞ୍ଚୟ କରିବାରେ ସହାୟକ ହୋଇଛି । ଏହାସହିତ କୋଭିଡ ପରବର୍ତ୍ତୀ ମାଗଣା ରାସନ୍ ବି ଗରିବଙ୍କ ଆର୍ଥିକ ଅବସ୍ଥାରେ ଆଣିଛି ଉନ୍ନତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ପାଇଁ ସ୍ବତନ୍ତ୍ର ରୋଜଗାର ଯୋଜନା, ବାସହୀନଙ୍କୁ ଆବାସ ଗୃହ ଯୋଗାଇବାରେ ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ନବୀନ ସରକାର । ପୂର୍ବ ସରକାରଙ୍କ ଅମଳରେ ରାଜସ୍ବ ଆଦାୟରେ ରେକର୍ଡ ଉପଲବ୍ଧି ହୋଇଥିବାବେଳେ ସରକାର ଋଣଭାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ରଖିବାରେ ସକ୍ଷମ ହୋଇଥିଲେ ।

୨୦୧୭-୧୮ ବେଳକୁ ଓଡ଼ିଶା ଗୋଟିଏ ଆସ୍ପିରେସନାଲ ରାଜ୍ୟ ଭାବେ ପରିଚିତ ଥିଲା । ୨୦୨୩-୨୪ ବେଳକୁ ଫ୍ରଣ୍ଟ୍ ରନର୍ ରାଜ୍ୟର ମାନ୍ୟତା ପାଇଛି । କୋଭିଡ ପରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ନବୀନ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ଯୋଜନା ଗରିବଙ୍କ ମୁଣ୍ଡପିଛା ଆୟ ବୃଦ୍ଧିରେ ବଡ଼ ସହାୟକ ହୋଇଛି । ଓଡ଼ିଶା ଏଭଳି ଅବସ୍ଥାକୁ ଆସିଛି, ଆଗାମୀ ଦିନରେ ବିକଶିତ ରାଜ୍ୟ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ଅନୁନ୍ନତରୁ ବିକଶିତ ରାଜ୍ୟର ଲମ୍ବା ପଥ ଅତିକ୍ରମ କରିସାରିଛି ରାଜ୍ୟ । ଏ ନେଇ ପୂର୍ବ ସରକାରଙ୍କ ଅବଦାନ ଅତୁଳନୀୟ । ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ଦିଲ୍ଲୀପ ବିଷୋୟୀ ।

ପୂର୍ବରୁ ଓଡ଼ିଶା ନିରନ୍ତର ବିକାଶ ପାଇଁ ଉଦ୍ଦିଷ୍ଟ ୧୧୩ଟି ପାରାମିଟରରେ ସଫଳତା ପାଇଛି । ଏବେ ରାଜ୍ୟର ନୂଆ ସରକାର ଯଦି ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟ କରନ୍ତି ତା’ହେଲେ ରାଜ୍ୟର ପ୍ରଗତି ହେବା ସହ ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ହେବ । ଏହାସହ ଆର୍ଥିକ ପ୍ରଗତି କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍ ରାଜ୍ୟ ଭାବେ ପରିଗଣିତ ହେବ ।

ସରିଲା ଯୁକ୍ତଦୁଇ ନାମଲେଖା, ଚିନ୍ତା ବଢ଼ାଇଲା ଖାଲି ପଡ଼ିଥିବା ସିଟ୍

ଭୁବନେଶ୍ବର: ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ସରିଛି । ହେଲେ ଚିନ୍ତା ବଢାଇଛି ଖାଲି ପଡ଼ିଥିବା ସିଟ୍ । ଚଳିତ ଥର ୭୦ ହଜାରରୁ ଅଧିକ ସିଟ୍ ଖାଲି ପଡ଼ିଛି । ଯୁକ୍ତଦୁଇ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ପରିଲକ୍ଷିତ ହୋଇଛି । ଏହାକୁ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭାଗୀୟ ସମୀକ୍ଷା କରିଛନ୍ତି । କିପରି ପୁଣି ଥରେ ଯୁକ୍ତଦୁଇ ସିଟ୍ ପୂରଣ ହେବ, ସେ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ମୋଟ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲ । ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ । ସେଥିମଧ୍ୟରୁ କଳାରେ ୩ ଲକ୍ଷ ୧୦ ହଜାର ୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଆବେଦନ କରିଛନ୍ତି । ଏଥିପାଇଁ ଖାଲି ପଡ଼ିଛି ୭୦ ହଜାରରୁ ଅଧିକ ସିଟ୍ । ଚଳିତବର୍ଷ ୯୬.୦୭ ପ୍ରତିଶତ ପାସ୍ ହାର ରହିଥିବା ସତ୍ତ୍ବେ ସିଟ ପୂରଣ ହୋଇପାରୁନି । ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ ଟା ୪୫ ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ ୧ ତାରିଖରୁ ଯୁକ୍ତଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି । ତେବେ ସିଟ୍ ଖାଲି ପଡ଼ିବାର ପ୍ରକୃତ କାରଣ ଖୋଜିବାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ସମୀକ୍ଷା ଜରିଆରେ ସିଟ୍ ପୂରଣ ପାଇଁ ଯୋଜନା କରାଯାଉଛି ।

ଅଧିକାଂଶ ପିଲା ଦଶମ ପରେ ପାଠ ଛାଡ଼ୁଛନ୍ତି । ଅନେକ ଝିଅଙ୍କ ବାହାଘର କରାଯାଉଥିବାରୁ ସେମାନେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । କିଛି କିଛି ସ୍ଥାନରେ କଲେଜ ଦୂରରେ ଥିବାରୁ ଟଙ୍କା ଖର୍ଚ୍ଚ କରି ପଢିବାକୁ ଚାହୁଁ ନାହାନ୍ତି ଛାତ୍ରଛାତ୍ରୀ । ବାକି ଦକ୍ଷତା ବିକାଶ ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଦଶମ ପରେ ବୈଷୟିକ ଶିକ୍ଷା ଓ ଅନ୍ୟ ଟ୍ରେନିଂକୁ ବାଛୁଛନ୍ତି । ଯେଉଁଥି ପାଇଁ ପ୍ଲସ ଟୁରେ ସିଟ ଖାଲିପଡୁଛି ।

ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତଦୁଇ କଲେଜର ସଂଖ୍ୟା ସହ ବିଭିନ୍ନ ବିଭାଗରେ ସିଟ ମଧ୍ୟ ବୃଦ୍ଧି କରାଯାଉଛି । ହେଲେ ସିଟ୍ ସଂଖ୍ୟା ପୂରଣ ହୋଇ ପାରୁନାହିଁ । ୨୦୨୩ -୨୪ ଶିକ୍ଷା ବର୍ଷରେ ୨ ହଜାର ୨୧୬ ଟି ଯୁକ୍ତଦୁଇ କଲେଜ ରହିଥିବା ବେଳେ ସିଟ ସଂଖ୍ୟା ରହିଥିଲା ୫ ଲକ୍ଷ ୨୪ ହଜାର ୪୧୪ । ସେଥିମଧ୍ୟରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ବିଭାଗରେ ମୋଟ ୪ ଲକ୍ଷ ୧୩ ହଜାର ୬୮୦ ଟି ସିଟ ପୂରଣ ହୋଇଥିଲା । ବାକି ୧ ଲକ୍ଷ ୧୦ ହଜାର ୭୩୪ ସିଟ ବଳକା ରହିଥିଲା । ସେହିପରି ଭାବରେ ୨୦୨୨- ୨୩ ଶିକ୍ଷା ବର୍ଷରେ ମୋଟ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨୦୬୮ ରହିଥିବା ବେଳେ ମୋଟ ସିଟ ରହିଥିଲା ୫ ଲକ୍ଷ ୯ ହଜାର ୬୫୬ । ସେଥିମଧ୍ୟରୁ ୩ ଲକ୍ଷ ୬୬ ହଜାର ୯୨୪ ଟି ସିଟ ପୂରଣ ହୋଇଥିଲା । ତେବେ ବାକି ୧ ଲକ୍ଷ ୪୨ ହଜାର ୭୩୨ ସିଟ ବଳକା ରହିଥିଲା ।