spot_img
Home Blog Page 1808

ଭିତର ରତ୍ନଭଣ୍ଡାରରୁ ସରିଲା ଅଳଙ୍କାର ସ୍ଥାନାନ୍ତର

ପୁରୀ: ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଲକ୍ କରାଯାଇଛି । ଅଳଙ୍କାର ସ୍ଥାନାନ୍ତରର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଟିମକୁ ସାଢ଼େ ୭ ଘଣ୍ଟା ସମୟ ଲାଗିଥିଲା ।

ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଖଟଶେଯ ଗୃହକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ ହୋଇଛି । ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି ।’

ଆଗକୁ ସେ କହିଛନ୍ତି, ‘୩ଟି ସିନ୍ଦୁକ ମଧ୍ୟରୁ ଦୁଇଟି କାଠ ଆଲମିରା ଥିବା ବେଳେ ଗୋଟିଏ ଲୁହାରେ ଥିଲା । ୩ଟି ଯାକ ସିନ୍ଦୁକରେ ଥିବା ସମସ୍ତ ଅଳଙ୍କାରକୁ ଆଲମିରାକୁ ସ୍ଥାନାନ୍ତର କରାଯାଇଛି ।’

ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଥିବା ଖବରକୁ ଗୁଜବ କହିଛନ୍ତି ତଦାରଖ କମିଟଇ ସଦସ୍ୟ । ସେମାନଙ୍କ କହିବା ଅନୁସାରେ, ଭିତର ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ । ଏହା କେବଳ କିଛି ୟୁଟ୍ୟୁବରଙ୍କ ମନଗଢା କାହାଣୀ । ଏଥିରୁ ନିବୃତ ରହିବାକୁ ୟୁଟ୍ୟୁବରଙ୍କୁ ପରାମର୍ଶ ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ରାଜ୍ୟବାସୀ ମଧ୍ୟ ଏଭଳି ମନଗଢା କାହାଣୀ ଉପରେ ବିଶ୍ବାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ନେଇ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକାରେ କୌଣସି ବ୍ୟବସ୍ଥା ନାହିଁ । ଏପରିକି ଏଏସଆଇ ମଧ୍ୟ ଲେଜର ସ୍କାନିଂ ପାଇଁ ଅଧିକୃତ ନୁହେଁ । କମିଟିର କୌଣସି ସଦସ୍ୟ ଆଖିରେ କୌଣସି ସୁଡଙ୍ଗ କିମ୍ବା ଗପ୍ତ କୋଠରୀ ଦେଖି ନାହାଁନ୍ତି । ଭିତର ରତ୍ନଭଣ୍ଡାରରେ କୌଣସି ସରୀସୃପ ନାହାଁନ୍ତି ବୋଲି ମଧ୍ୟ କମିଟିର ସଦସ୍ୟମାନେ କହିଛନ୍ତି । ଏଥିସହିତ ସ୍ନେକ ହେଲ୍ପ ଲାଇନର ସଦସ୍ୟ ରତ୍ନଭଣ୍ଡାର ବାହାରେ ଥିଲେ ବି ତାଙ୍କର ଆବଶ୍ୟକତା ପଡିନଥିଲା ।

ମଶାଣିକୁ ମହିଳାଙ୍କ ଶବ ନେବା ବେଳେ ଜବତ କଲା ପୋଲିସ, ପୁଅ ଅଟକ

ଛେଣ୍ଡିପଦା: ମାଆ ଚାଲିଗଲେ । ମାଆଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପୁଅ । ସାହି ପଡୋଶୀଙ୍କ ସହାୟତାରେ ଗାଁ ମଶାଣିକୁ ସତ୍କାର ପାଇଁ ମୃତଦେହ ନେଉଥିଲେ । ହେଲେ ପହଞ୍ଚି ଗଲା ପୋଲିସ । ଶବ ଜବତ କରିବା ସହ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି । ଏମିତି ଘଟଣା ଘଟିଛି ଛେଣ୍ଡିପଦା ବାଗଡ଼ିଆ ଥାନା ଅଞ୍ଚ ପାତ୍ରପଡ଼ା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ବାଗଡିଆ ଥାନା ପାତ୍ରପଡା ଗାଁରେ ଜନ୍ମୀ ବେହେରା ପୁଅ ସହ ରହୁଥିଲେ । ଗତ ରାତିରେ ହଠାତ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମାଆଙ୍କ ମୃତ୍ୟୁ ସନ୍ଦେହଜନକ ଥିଲେ ବି ପୁଅ ପୋଲିସକୁ ଖବର ଦେବା ବଦଳରେ କିଛି ଲୋକଙ୍କ ସହାୟତାରେ ଶବ ସତ୍କାର ପାଇଁ ମଶାଣିକୁ ନେଉଥିଲେ । ଏନେଇ ବାଗଡିଆ ପୋଲିସ ଖବର ପାଇବା ପରେ ଗାଁରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

ଜମିବାଡ଼ ବିବାଦ, ପୁତୁରାକୁ ହତ୍ୟା କଲା ଦାଦା

ବଲାଙ୍ଗୀର: ପାରିବାରିକ କଳହର କରୁଣ ପରିଣତି । ପୁତୁରାକୁ ହତ୍ୟା କଲା କକା । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଏଁଲାସର ଗାଁରେ ଘଟିଛି ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି କକା ପୁତୁରାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ପୁତୁରା ହେଉଛନ୍ତି ସମୀର ଭୋଇ ।

ଚାଷ ଜମିକୁ ନେଇ ଦାଦା, ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ସମୀରଙ୍କୁ ଚାଷ ଜମିକୁ ଯିବାକୁ ବାରଣ କରିଥିଲେ ମାଆ । କିନ୍ତୁ ମାଆଙ୍କ କଥା ନମାନି ଚାଷ ଜମିକୁ ଯିବାକୁ ଜିଦ ଧରିଥିଲେ ସମୀର । ସମୀରଙ୍କୁ ଦେଖି ଦାଦା ରାଗରେ ଜର୍ଜରତ ହୋଇ ଟାଙ୍ଗିଆ ଓ ଭୁଜାଲିରେ ସମୀରଙ୍କୁ ଆକ୍ରମଣ କରିଥିଲେ । ଗାଁ ଦାଣ୍ଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମୀରଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ପୁଇଁତଲା ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଟ୍ବିନସିଟିରେ ବାଟୁଳି ଗ୍ୟାଙ୍ଗର ଆତଙ୍କ: ଟାର୍ଗେଟରେ ଦାମୀ କାର, ୪ ସଦସ୍ୟ ଗିରଫ

ଭୁବନେଶ୍ବର: ରାସ୍ତା ଉପରେ କାର ଥୋଉଥିଲେ ସାବଧାନ । ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ମାତିଛନ୍ତ ତ୍ରିଚି ଗ୍ୟାଙ୍ଗ ବା ବାଟୁଳି ଗ୍ୟାଙ୍ଗ । ବାଟୁଳି ମାରି କାର୍ କାଚ ଭାଙ୍ଗିବା ପରେ ସେଥିରେ ଥିବା ଲାପଟପ୍, ମୋବାଇଲ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କରୁଥିଲେ ଲୁଟ୍ । ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ପରେ ପଦାକୁ ଆସିଛି ଏମାନଙ୍କ କଳା କାରନାମା । ଏକ ସପ୍ତାହ ହେବ କଟକ ଓ ଭୁବନେଶ୍ବରରେ ଆତଙ୍କ ମଚାଇଥିବା ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଧରିଛି ସ୍ପେଶାଲ ସ୍କ୍ବାର୍ଡ । ଅଭିଯୁକ୍ତଙ୍କ ପାଖରୁ ୪ଟି ଲାପଟପ, ୨୫ ମୋବାଇଲ ଜବତ ।

ଏହି ଗ୍ୟାଙ୍ଗର ସଦସ୍ୟମାନେ ତାମିଲନାଡୁରୁ ଆସିଛନ୍ତି । ସେଠାରୁ ଆସିବା ପରେ ଷ୍ଟେସନରେ ରହିବା ସହ ଅନ୍ୟ ସ୍ଥାନରେ ଘର ଭଡ଼ା ନେଇ ରହୁଥିଲେ । ଚକୋଲେଟ୍ ଜରିରେ ପଥର ବାନ୍ଧି ଏମାନେ ବାଟୁଳି ସାହାଯ୍ୟରେ ରାସ୍ତା ଉପରେ ଛୁଆ ହୋଇଥିବା ଦାମୀ କାରକୁ ଟାର୍ଗେଟ୍ କରୁଥିଲେ । ବାଟୁଳି ମାରି କାର କାଚ ଭାଙ୍ଗିବା ପରେ ଗ୍ୟାଙ୍ଗର ସଦସ୍ୟମାନେ ଉକ୍ତ ସ୍ଥାନକୁ କଭର ଅପ୍ କରୁଥିଲେ ଓ ଜଣେ ଯାଇ କାର ଭିତରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟ କରୁଥିଲେ । ଏମାନଙ୍କ ନାଁରେ ଭୁବନେଶ୍ବରରେ ୧୦ଟି ଓ କଟକରେ ୧୧ଟି ମାମଲା ରହିଛି । ସେତିକି ନୁହେଁ, ରଥଯାତ୍ରା ସମୟରେ ଏମାନେ ପୁରୀ ଯାଇ ଲୋକଙ୍କ ପକେଟ ମାର୍ କରିଥିବା ମଧ୍ୟ ଜଣାପଡିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏରାଗୋଲା ଗ୍ୟାଙ୍ଗ ଏମିତି ଷ୍ଟାଇଲରେ ଲୁଟପାଟ କରୁଥିଲା । ଏବେ ତ୍ରିଚା ଗ୍ୟାଙ୍ଗ ସମାନ ଷ୍ଟାଇଲରେ ଲୁଟପାଟ ଚଲାଇଛି । କେବଳ କାର ନୁହେଁ, ମୋ ବସ୍ ସମେତ ବିଭିନ୍ନ ଦୋକାନରୁ ମଧ୍ୟ ଏମାନେ ଲୁଟପାଟ କରିଛନ୍ତି ।

ତେବେ ଏବେ ବଡ଼ ପ୍ରଶ୍ନ ହେଉଛି, ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ ତାହା ପୋଲିସ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କେବଳ କଟକ ଓ ଭୁବନେଶ୍ବରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆବଶ୍ୟକ ପଡ଼ିଲେ, ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଲୁଟେରା ଗ୍ୟାଙ୍ଗଙ୍କଠାରୁ ମିଳିଥିବା ଜିନିଷରୁ ଜଣେ ଓଏଏସ ଅଧିକାରୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସେମାନଙ୍କ ଠାରୁ ଲୁଟ୍ ଲାପଟପ ଓ ମନିପର୍ସ ଫେରାଇଛି ପୋଲିସ ।

ଆକ୍ସନ ମୋଡରେ ଝାରସୁଗୁଡା ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ : ଆକ୍ସନ ମୋଡରେ ଝାରସୁଗୁଡା ପ୍ରଶାସନ। ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଏମଡି ସୋନୁର ଜବରଦଖଲ ଉପରେ ଆଜି ବୁଲଡୋଜର ବୁଲିଛି । ସୋନୁ ବନ୍ଧବାହଲରେ ଜବର ଦଖଲ କରିଥିବା ମାଂସ ଦୋକାନ, ଗ୍ଯାରେଜ, ରାସନ ଦୋକାନ ଆଦିରେ ବୁଲଡୋଜର ଚଢାଇ ଜବର ଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ, ସୋନୁ ନାଁରେ ଚାରୋଟି ଅପରାଧିକ ମାମଲା ଥିବାବେଳେ ପରିବାର ସଦସ୍ୟଙ୍କ ନାଁରେ ୩୦ଟି ଅପରାଧିକ ମାମଲା ରହିଛି। ତେବେ ଗତ କିଛି ଦିନ ପୂର୍ବରୁ ରଂପେଲା ବ୍ରିଜ ଠାରେ ସୋନୁ ବନ୍ଧବାହାଲର ମନୋଜ କୁମାର ବାରିକକୁ ଗୁଳି କରିବା ଘଟଣାରେ ଗିରଫ ହୋଇଥିଲା। ଏହି ଘଟଣାରେ ପୋଲିସ ସୋନୁ ସହ ଜଣଙ୍କୁ ଗିରଫ କରି ଦୁଇଟି ବନ୍ଧୁକ ସମେତ ୧୫ଟି ଅଫୁଟା ଗୁଳି ଜବତ କରିଥିଲା।

ପୁଣି ଅନ୍ଧବିଶ୍ବାସର କୁପରିଣତି: ୧୬ବର୍ଷିୟା ଝିଅ କପାଳରେ ୨୨ଟି ଛୁଞ୍ଚି ପୂରାଇ ଦେଲା ଗୁଣିଆ

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଅନ୍ଧବିଶ୍ବାସର କୁପରିଣତି । ଦେବତାକୁ ଡରାଇବାକୁ ଯାଇ ୧୬ ବର୍ଷିୟା ଝିଅ କପାଳରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ଗୁଣିଆ । ସୁସ୍ଥହେବାକୁ ଗୁଣିଆ ପାଖକୁ ଯାଇ ଯୁବତୀ ଗୁରୁତର ହୋଇଛନ୍ତି । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ଯୁବତୀ । ଦୁଇ ହାତରୁ ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି। ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି। ଅପରେସନ କରି ଝିଅ ମୁଣ୍ଡରୁ ଛୁଞ୍ଚି କଢ଼ାଯିବ ବୋଲି ଡାକ୍ତର କହିଛନ୍ତି ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଇଚ ଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଝିଅ ଭୟଭୀତ ହେଉଥିବା ବେଳେ ବେହୋସ ହୋଇପଡୁଥିଲା। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ ବାପା । ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିକିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ଝିଅକୁ ନେଇଥିଲେ ବାପା । ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ କାଢିବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀରେ କିଛି ପୂଜା କରିଥିଲେ। ପୂଜା ପରେ ଝିଅ ସୁସ୍ଥ ହେବାରୁ ଘରକୁ ନେଇ ଯାଇଥିଲେ ପରିବାର । ହେଲେ କିଛି ଦିନ ପରେ ପୁଣି ସମାନ ସମସ୍ୟା ଦେଖାଯିବା ସହ ଝିଅର ହାତ କାଟି ରକ୍ତ ବାହାର କରିଯାଇଥିଲା । ଏନେଇ ଗୁଣିଆ ନିକଟକୁ ଯାଇ ଅଭିଯୋଗ କରିଥିଲେ ପରିବାର । ତେବେ ଗୁଣିଆ ବିରୋଧରେ ଥାନାରେ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଗୁଣିଆ ଝିଅର ମୁଣ୍ଡରେ ଛୁଞ୍ଚି ପୂରାଇଥିବା ଦେଖିବାକୁ ମିଳିଥିଲା ।

ରିଲ୍ସ କରୁକରୁ ଚାଲିଗଲା ଜୀବନ: ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଅନଭି କାମଦାର ପରଲୋକ

ମୁମ୍ୱାଇ: ରିଲ୍ସ କରୁକରୁ ଆରପାରିକୁ ଚାଲିଗଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଅନଭି କାମଦାର। ମହାରାଷ୍ଟ୍ର ରାଇଗଡରେ ୩୦୦ ଫୁଟ ଖାତରେ ଖସି କାମଦାରଙ୍କ ହୋଇଛି ମୃତ୍ଯୁ। ଏକ ସୁଉଚ୍ଚ ଜଳପ୍ରପାତ ନିକଟରେ ଭିଡିଓ ସୁଟିଂ କରୁଥିବାବେଳେ ଖସିଯାଇଥିଲା ଅନଭି କାମଦାରଙ୍କ ପାଦ। ତାଙ୍କୁ ଉଦ୍ଧାର ଲାଗି ୬ ଘଣ୍ଟା କରାଯାଇଥିଲା ରେସ୍କ୍ଯୁ ଅପରେସନ। ତେବେ ଗୁରୁତର ଆଘାତ କାରଣରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

 

ମନ୍ତ୍ରୀ ପରିଷଦ ବୈଠକ ଶେଷ, ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଶେଷ। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ରହିଛି । ବୈଠକରେ ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯାଇଥିବା ସୂଚନା ରହିଛି। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିବା ସୂଚନା ରହିଛି।

ଦ୍ବିତୀୟ କ୍ଯାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଏତଲା

ପୁରୀ : ଶ୍ରୀମନ୍ଦିର ଭିତରେ ଫଟୋ ଉତ୍ତୋଳନ କରି ଭାଇରାଲ ଘଟଣା। ରାଜା ସାକେର ନାମକ ଜୈନେକ ବ୍ୟକ୍ତି ନିଜ ଫଟୋ ସହ ଶ୍ରୀମନ୍ଦିର ଭିତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିଥିବା ଜଣାପଡ଼ିଥିଲା। ଏ ଘଟଣା ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜା ସାକେରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଂହଦ୍ୱାର ଥାନାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଥାନାରେ ଅଭିଯୋଗ ହୋଇଛି।

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ, କଟକ ଏସସିବି ମେଡିକାଲରେ ଭର୍ତ୍ତି

କଟକ: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ। କଟକ ଏସସିବି ମେଡିକାଲରେ ଭର୍ତ୍ତି। ଆଜି ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସସିବିର ମେଡ଼ିସିନ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ।

ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ଚାରିଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଗରୁ ବହୁବାର ମଧ୍ୟ କମଳା ପୂଜାରୀ ଏସସିବି ମେଡିକାଲ ଆସି ଚିକିତ୍ସିତ ହୋଇ ଯାଇଥିଲେ।